Unknown

 

 

 

 

 

 

 

ଦେଶବନ୍ଧୁ ଚିତ୍ତରଞ୍ଜନ

ଲେଖକ
ଶ୍ରୀ ହେମେନ୍ଦ୍ରନାଥ ଦାସଗୁପ୍ତ

 

ଅନୁବାଦକ
ସଚ୍ଚିଦାନନ୍ଦ କାନୁନଗୋ

 

ମୁଖବନ୍ଧ

 

ଭାରତ ସରକାରଙ୍କ ପ୍ରକାଶ ବିଭାଗଦ୍ୱାରା ‘‘ଆଧୁନିକ ଭାରତର ନିର୍ମାତା’’ ଶିରୋନାମାରେ ପ୍ରକାଶିତ ଗ୍ରନ୍ଥମାଳାର ଓଡ଼ିଆ ଅନୁବାଦ ଶ୍ରୀ ସଚ୍ଚିଦାନନ୍ଦ କାନୁନଗୋ ଗ୍ରହଣ କରିଥିବା ଜାଣି ବଡ଼ ପ୍ରୀତି ହେଉଛି । ଜନ୍ମସ୍ଥାନ, ଭାଷା ଓ ଧର୍ମ ନିର୍ବିଶେଷରେ ଦେଶବାସୀଙ୍କ ମନରେ ଐକ୍ୟବୋଧ ସୃଷ୍ଟି କରିବା ଦେଶ ଆଗରେ ବର୍ତ୍ତମାନ ଦେଖାଦେଇଥିବା ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାମାନଙ୍କ ଭିତରେ ଅନ୍ୟତମ । ଅତୀତରେ ଆମର ଏହି ଦେଶର ଖ୍ୟାତନାମା ସନ୍ତାନମାନେ ଯେଉଁ ମହାନ୍ ଭୂମିକା ସୃଷ୍ଟି କରିଯାଇଛନ୍ତି, ସେ ବିଷୟରେ ଜନସାଧାରଣଙ୍କୁ ଏବଂ ଯୁବସମ୍ପ୍ରଦାୟକୁ ଅବହିତ କରି ଦେଶର ଏ ପ୍ରକାର ଭାବଗତ ଐକ୍ୟପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାଠାରୁ ଅଧିକ ଶ୍ରେୟସ୍କର ପନ୍ଥା ଅଛି ବୋଲି ମନେ ହୁଏ ନାହିଁ । ସେମାନେ ଆଦର୍ଶ ପ୍ରତି ସ୍ୱାର୍ଥହୀନ ଅନୁରକ୍ତିର ଜ୍ୱଳନ୍ତ ଦୃଷ୍ଟାନ୍ତ ଥିଲେ ।

 

ସମଗ୍ର ଦେଶର ସଂସ୍କୃତି ଓ ପରମ୍ପରା ଏମାନଙ୍କ ଜୀବନରେ ପ୍ରତିଫଳିତ । ଏମାନଙ୍କ ଭିତରେ ଆଞ୍ଚଳିକ ଓ ଗୋଷ୍ଠୀଗତ ସଂକୀର୍ଣ୍ଣତା ଲେଶମାତ୍ର ନଥିଲା । ସୁତରାଂ ଏମାନେ ଯେ ଜାତୀୟ ଚେତନା ସୃଷ୍ଟି ଏବଂ ଉଚ୍ଚକୋଟିର ଆଦର୍ଶ ଅନୁସରଣ ଲାଗି ତଳ ସ୍ତରରେ ଥିବା ଲୋକଙ୍କ ଭିତରେ ଉତ୍ସାହର ବହ୍ନି ଜାଳି ଦେଇଗଲେ, ଏଥିରେ ବିସ୍ମିତ ହେବାର କାରଣ ନାହିଁ ।

 

ଏ ଜୀବନ–ଚରିତମାଳା ପ୍ରକାଶନ କେବଳ ଇଂରେଜୀ ଭାଷାରେ ଆବନ୍ଧ ହୋଇ ନ ରହିବା ଯେ ଏକାନ୍ତ ପ୍ରୟୋଜନ, ଏହା ସ୍ୱଭାବସିଦ୍ଧ । ଏହି ମହାପୁରୁଷମାନଙ୍କର କାର୍ଯ୍ୟାବଳୀ ଓ ଚିନ୍ତାଧାରାର ବିଶଦ ବିବରଣୀ ଦେଶବାସୀ ଜନସାଧାରଣଙ୍କ ଆଗରେ ନେଇ ଥୋଇବା ଏକାନ୍ତ ଆବଶ୍ୟକ । ସେ ଦୃଷ୍ଟିରୁ ଶ୍ରୀ କାନୁନଗୋଙ୍କ ଉଦ୍ୟମ ପରମ ସନ୍ତୋଷର ବିଷୟ ।

 

ଲାଲବାହାଦୁର

ଦିଲ୍ଲୀ, ତା ୧୭ । ୩ । ୬୩

Image

 

ଦେଶବନ୍ଧୁ ସ୍ମୃତି ପୂଜା

 

ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କର ଗୋଟିଏ କବିତାରେ ଲେଖିଥିଲେ–

 

‘‘ଶେଷେର ମଧ୍ୟେ ଅଶେଷ ମୋରେ

ଏଇ କଥାଟି ମନେ

ଆଜ୍‍କେ ଆମାର ଗାନେର ଶେଷେ

ଜାଗ୍‍ଛେ କ୍ଷଣେ କ୍ଷଣେ ।’’

 

ଭାରତର ଜାତୀୟ ଜୀବନକ୍ଷେତ୍ରରୁ ଯେତେ ଯେତେ ମହାପୁରୁଷ ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ ଉଦିତ ଓ ପୁଣି ନିମୀଳିତ ହୋଇ ଯାଇଛନ୍ତି, ସେମାନଙ୍କ କଥା ସ୍ମରଣ କଲାବେଳେ କବି ରବୀନ୍ଦ୍ରଙ୍କ ଉପରୋକ୍ତ ପ୍ରାଣସ୍ପର୍ଶୀ ବାଣୀ ସ୍ୱତଃ ମନରେ ଜାଗ୍ରତ ହୁଏ ଏବଂ ହୃଦୟ ଏଥିରେ ଅଭିଭୂତ ହୋଇଯାଏ । କବି ଈଶ୍ୱରଙ୍କୁ ଆରାଧନା କରି ପ୍ରାଣର ଆବେଗରେ ପୁଣି କହିଥିଲେ–

 

‘‘ଆମାର ଜୀବନେ ତୋମାର ପରିଚୟ

ଆମାର ମରଣେ ତୋମାର ହବେ ଜୟ ।’’

 

ବାସ୍ତବିକ ଭାରତର ଜଣେ ତ୍ୟାଗୀ ଦେଶସେବକ ଓ ବୀରପୁରୁଷ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ଜୀବନରେ ଈଶ୍ୱରୀଭାବର ପରିଚୟ ଓ ତାଙ୍କ ମୃତ୍ୟୁରେ ଐଶ୍ୱରୀ ଲୀଳାର ଯେ ଜୟ ହୋଇଛି ଏଥିରେ ସନ୍ଦେହ ନାହିଁ ।

 

ଭାରତକୁ ପରାଧୀନତାର ନିଗଡ଼ ବନ୍ଧନରୁ ମୁକ୍ତ କରିବାପାଇଁ ମହାତ୍ମା ଗାନ୍ଧି ଯେଉଁ କେତେଜଣ ବୀରପୁରୁଷଙ୍କୁ ଘେନି ସ୍ୱାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ, ସେହି ରଥୀମାନଙ୍କ ମଧ୍ୟରେ ଦେଶବନ୍ଧୁ ଚିତ୍ତରଞ୍ଜନ ହେଉଛନ୍ତି ଅନ୍ୟତମ । ସେ ତାଙ୍କ ଜୀବନର ସମସ୍ତ ସୁଖ ସମ୍ଭୋଗ, ଧନସମ୍ପତ୍ତିକୁ ଜଳାଞ୍ଜଳି ଦେଇ, ଦେଶମାତୃକାର ପୂଜାବେଦୀ ତଳେ ନିଜର ସର୍ବସ୍ୱ ଅର୍ପଣ କରି ଦୀନଦୁଃଖୀଙ୍କ ଭଳି ଜୀବନଯାପନ କରିଥିଲେ ଓ ପ୍ରବଳ ପରାକ୍ରାନ୍ତ ବ୍ରିଟିଶ ସାମ୍ରାଜ୍ୟବାଦର ପରମ ବିରୋଧୀରୂପେ ଦଣ୍ଡାୟମାନ ହୋଇ ନାନା ନିର୍ଯାତନା ଓ ଦଣ୍ଡ ଭୋଗ କରିଥିଲେ । ସେତେବେଳେ ଦେଶବନ୍ଧୁ ଚିତ୍ତରଞ୍ଜନ ସମଗ୍ର ଦେଶରେ ଜଣେ ମହାନ୍ ଶକ୍ତିଶାଳୀ ଅଦ୍ୱିତୀୟ ନେତାରୂପେ ଜାତିକୁ ସ୍ୱାଧୀନତାର ବନ୍ଧୁର ପଥରେ ଆଗେଇ ନେବାରେ ପ୍ରାଣପାତ ଉଦ୍ୟମ କରିଥିଲେ ।

 

ସ୍ୱାଧୀନତା ସଂଗ୍ରାମର ଗୋଟିଏ ପର୍ଯ୍ୟାୟରେ ମହାତ୍ମା ଗାନ୍ଧିଙ୍କ ସହିତ ତାଙ୍କର ତୁମୂଳ ମତଭେଦ ସୃଷ୍ଟି ହୋଇଥିଲା । ବ୍ରିଟିଶ ସାମ୍ରାଜ୍ୟର ପଦାନତ ତତ୍କାଳୀନ ଭାରତବର୍ଷରେ ସାମ୍ରାଜ୍ୟବାଦୀମାନେ ପ୍ରଦେଶ ତଥା କେନ୍ଦ୍ରରେ ଲୋକପ୍ରତିନିଧିମାନଙ୍କୁ ଘେନି ବିଧାନପରିଷଦ ଗଢ଼ିବାର ଏକ ଶାସନସଂସ୍କାର ପ୍ରଚଳନ କରିଥିଲେ । ସେତେବେଳର କଂଗ୍ରେସରେ ଗୋଟିଏ ଗୋଷ୍ଠୀ ଲୋକପ୍ରତିନିଧି ଭାବରେ ବିଧାନପରିଷଦକୁ ଦଖଲ କରିବାପାଇଁ ପ୍ରବଳ ଉତ୍ସାହର ସହିତ ବାହାରିପଡ଼ିଲେ । ସେମାନଙ୍କର ନେତା ଥିଲେ ଦେଶବନ୍ଧୁ ଚିତ୍ତରଞ୍ଜନ । ମହାତ୍ମା ଗାନ୍ଧିଙ୍କର ବିଧାନପରିଷଦ ବର୍ଜନ ନୀତିକୁ ସେ ସମର୍ଥନ କରି ନଥିଲେ । ଫଳରେ କଂଗ୍ରେସ ସେତେବେଳେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଗଲା । ଚିତ୍ତରଞ୍ଜନଙ୍କ ନେତୃତ୍ୱ ବିଧାନପରିଷଦ ପ୍ରବେଶ କାର୍ଯ୍ୟକ୍ରମ ଅଚିନ୍ତନୀୟ ସଫଳତା ଲାଭ କରିଥିଲା । ଦେଶବନ୍ଧୁଙ୍କର ବଳିଷ୍ଠ ନେତୃତ୍ୱ ଦେଶରେ ଏକ ଅଭୂତପୂର୍ବ ଜାଗରଣ ସୃଷ୍ଟି କରିଦେଲା ।

 

ଭାରତର ଆଧୁନିକ ଯୁଗର ଇତିହାସ ଗଠନରେ ଦେଶବନ୍ଧୁ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ । ତାଙ୍କର ଜୀବଦ୍ଦଶାରେ ଯୁବଗୋଷ୍ଠୀକୁ ସେ ଯେଭଳି ଦେଶାତ୍ମବୋଧରେ ସମ୍ମୋହିତ କରିଥିଲେ, ତାହାର ଦୃଷ୍ଟାନ୍ତ ଇଟାଲୀର ଗାରିବାଲ୍ଡ଼ି ବା ଆୟାରଲ୍ୟାଣ୍ଡର ଡିଭେଲେରା ଓ ଭାରତର ନେତାଜୀ ସୁଭାଷଚନ୍ଦ୍ରଙ୍କ ଭଳି କେବଳ ମୁଷ୍ଟିମେୟ ବିଶ୍ୱଜନ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳେ । ଭାରତ ସ୍ୱାଧୀନ ହେବାପରେ ସେଭଳି ସଂଗ୍ରାମୀ ବୀରପୁରୁଷମାନଙ୍କର ଜୀବନର ଆଲୋକ ଆମ ଦେଶର ଯୁବଗୋଷ୍ଠୀଠାରୁ ଦିନକୁଦିନ ଦୂରେଇ ଯାଉଛି । ଯଦି ସେସବୁର ଅନୁଧ୍ୟାନ ନହୁଏ, ତେବେ ହୁଏତ ଆମପାଇଁ କୂଳସ୍ଥଳ ହରାଇ ଅତଳ ଗହ୍ୱରଗାମା ହେବା ଛଡ଼ା ଅନ୍ୟ ଗତି ନ ଥିବ । ସେହି କାରଣରୁ ଆମ ଦେଶର ପ୍ରାଦେଶିକ ଭାଷାମାନଙ୍କରେ ସେଭଳି ସତ୍ ଓ ସମର୍ଥ ପୁରୁଷମାନଙ୍କର ଜୀବନୀ ପ୍ରକାଶ ଏକ ଅପରିହାର୍ଯ୍ୟ ଆବଶ୍ୟକତାରୂପେ ଠିଆ ହୋଇଛି । ଡଃ. ବି. ଭି. କେଶକାରଙ୍କ ପ୍ରେରଣାରେ ଏ ଦିଗରେ ଶ୍ରଦ୍ଧେୟ ସଚ୍ଚିଦାନନ୍ଦଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ସେ ଶ୍ରୀ ହେମେନ୍ଦ୍ରନାଥ ଦାସଗୁପ୍ତଙ୍କ ଲିଖିତ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କର ଇଂରାଜୀ ଜୀବନୀର ଅନୁବାଦ କରି ଏକ ବିରାଟ ଅଭାବ ଦୂର କରିଛନ୍ତି ।

 

ଶ୍ରୀମାନ ସଚ୍ଚିଦାନନ୍ଦଙ୍କର ଓଡ଼ିଆ ଭାଷା ଓ ଅନୁବାଦରେ ମୂଳ ଲେଖାର ଭାବ ନିର୍ଭୁଲଭାବେ ଅଭିବ୍ୟକ୍ତ କରିବାର ଭଙ୍ଗୀ ଯେ ଉଚ୍ଚକୋଟିର ଏହା ନିଃସନ୍ଦେହ । ତେଣୁ ତାଙ୍କର ଏହି ପ୍ରଚେଷ୍ଟା ଅତ୍ୟନ୍ତ ଉପାଦେୟ ହୋଇଛି । ସାଧାରଣ ପାଠକସମାଜରେ ବିଶେଷରେ ଦେଶର ବପୁବନ୍ତ ଯୁବକଗୋଷ୍ଠୀ ମଧ୍ୟରେ ଏହି ରଚନା ବିଶେଷ ଆଦର ଲାଭ କରିବ, ଏହା ମଧ୍ୟ ନିଃସନ୍ଦେହ । ଏହାର ପ୍ରକାଶ ଦାୟିତ୍ୱ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଗ୍ରହଣ କରିଥିବାରୁ ସେମାନେ ମଧ୍ୟ ଏକ ବଡ଼ କାର୍ଯ୍ୟ କରିଛନ୍ତି ବୋଲିବାକୁ ହେବ ।

 

ଦେଶବନ୍ଧୁ ଚିତ୍ତରଞ୍ଜନ ନିଜେ କହିଥିଲେ–

 

‘‘If I die in this work of winning freedom, I believe I shall be born in this country again and again, live for it, hope for it, work for it, with all the energy of my life, with all the love of my nature till I see the fulfilment of my hope and the realisation of my idea.”

 

‘‘ମୁକ୍ତି ଅର୍ଜନ କାର୍ଯ୍ୟରେ ନିବିଷ୍ଟ ରହିଥିବା ଅବସ୍ଥାରେ ଯଦି ମୋର ମୃତ୍ୟୁ ହୋଇଯାଏ, ମୋର ବିଶ୍ୱାସ ମୁଁ ଏହି ମୋର ଜନ୍ମଭୂମିରେ ପୁଣି ଥରକୁଥର ଜନ୍ମଗ୍ରହଣ କରୁଥିବି, ଦେଶର ସେହି ମୁକ୍ତିଲାଭ ପାଇଁ ବଞ୍ଚି ରହୁଥିବି, ତାହାହିଁ ଆଶା କରୁଥିବି, ସେଇଥିପାଇଁ ନିରନ୍ତର ମୋ ଜୀବନର ସକଳ ଶକ୍ତିସାମର୍ଥ୍ୟ ଓ ମୋ ପ୍ରାଣର ସକଳ ସ୍ନେହ ସହକାରେ କାର୍ଯ୍ୟ କରୁଥିବି, ଯେତେବେଳ ପର୍ଯ୍ୟନ୍ତ କି ମୋର ସେ ଆଶା ପୂରଣ ନ ହୋଇଛି, ମୋର ସେ କଳ୍ପନା ପରିପୂର୍ଣ୍ଣ ନ ହୋଇଛି ।’’

 

ବାସ୍ତବିକ ଦେଶବନ୍ଧୁ ଦେଶର ମୁକ୍ତିପାଇଁ ସର୍ବସ୍ୱ ତ୍ୟାଗକରି ଗଲେ ଓ ସେହିଭଳି ତପସ୍ୟା ଫଳରେହିଁ ବିନା ରକ୍ତପାତରେ ଏ ଦେଶ ଅଚିରେ ମୁକ୍ତିଲାଭ କଲା ।

 

ଦେଶବନ୍ଧୁଙ୍କ ମରଶରୀର ଯେତେବେଳେ ଦାର୍ଜିଲିଂରୁ ଅଣାଯାଇ ୧୯୨୫ ଜୁନ୍ ୧୮ ତାରିଖ ବିରାଟ ଓ ଅଭୂତପୂର୍ବ ଶୋକାକୁଳ ଜନସମାଜ ଭିତରେ କଲିକତାଠାରେ ପବିତ୍ର ଗଙ୍ଗାନଦୀ କୂଳ କେଉରତଳା ଘାଟରେ ଚିତାଗ୍ନିରେ ବିସର୍ଜନ ଦିଆଗଲା, ସେତେବେଳେ ସେଠାରେ ମହାତ୍ମା ଗାନ୍ଧି ଉପସ୍ଥିତ ଥାଇ ତାଙ୍କର ଶେଷ ବାର୍ତ୍ତା ସ୍ୱହସ୍ତରେ ଲେଖି କହିଥିଲେ–

“As Mr. Das was one of the jewels among the servants of the Country, his service and his sacrifice were matchless. May their memory, ever remain with us and may his example inspire us to noble efforts......Self–reliance was Mr. Das’s watchword and may it long inspire us, may his soul rest in peace ?”

‘‘ଦେଶବନ୍ଧୁ ଦେଶର ଗୋଟିଏ ଅମୂଲ୍ୟ ରତ୍ନ ଥିଲେ । ତାଙ୍କ ତ୍ୟାଗ ଓ ସେବା ଅତୁଳନୀୟ । ଏହା ଚିରଦିନ ଆମକୁ ଅନୁପ୍ରାଣିତ କରୁ । ଆତ୍ମବିଶ୍ୱାସହିଁ ତାଙ୍କର ଆସ୍ତିବାଣୀ । ସେହି ବାଣୀ ଆମକୁ ସତତ ଉଦ୍‍ବୁଦ୍ଧ କରୁ–ତାଙ୍କ ଆତ୍ମା ଶାନ୍ତିରେ ରହୁ ।’’

ଆଜି ବଙ୍ଗବାସୀ–ଭାରତବାସୀ–ଯୁବ ସମାଜ ଦେଶବନ୍ଧୁଙ୍କ ଏ ଅବିସ୍ମରଣୀୟ ଜୀବନ କାହାଣୀ ପଢ଼ିଲାବେଳେ କବିଙ୍କ ଉକ୍ତି ଟିକିଏ ମନେପକାନ୍ତୁ–

‘‘କାଲେର ଯାତ୍ରାର ଧ୍ୱନି ଶୁନିତେ କି ପାଓ ?

ତା’ରି ରଥ ନିତ୍ୟଇ ଉଧାଓ ।’’

ବିଜୟାଦଶମୀ

ରାଧାନାଥ ରଥ

କଟକ, ୨୯ । ୯ । ୧୯୭୧

ସମ୍ପାଦକ, ‘ସମାଜ’

(ଦେଶବନ୍ଧୁଙ୍କ ସ୍ମରଣେ କେତୋଟି ଫଟୋଚିତ୍ର ଏଥିରେ ଦିଆଗଲା)

Image

 

ନିଜକଥା

 

ଏହି ପୁସ୍ତକମାଳାର ପରିଚୟ ଦେବାକୁ ଯାଇ ଭାରତର ତତ୍କାଳିକ ସୂଚନା ଓ ବେତାରବିଭାଗ ମନ୍ତ୍ରୀ ଡକ୍ଟର ବି. ଭି. କେସକାର ଲେଖିଛନ୍ତି–‘‘ଭାରତର ଯେଉଁ କୃତୀ ସନ୍ତାନସନ୍ତତିମାନଙ୍କ ଯୋଗୁଁ ଜାତିର ଅଭ୍ୟୁତ୍‍ଥାନ ତଥା ସ୍ୱାଧୀନତା ସଂଗ୍ରାମ ସମ୍ଭବ ହୋଇଛି ସେମାନଙ୍କ ଜୀବନୀ ପ୍ରକାଶ କରିବା ଏହି ପୁସ୍ତକମାଳାର ଉଦ୍ଦେଶ୍ୟ ।’’ ଡକ୍ଟର କେସକାରଙ୍କ ଏହି ଉକ୍ତି ପରେ ପୁସ୍ତକମାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅଧିକ ଉଲ୍ଲେଖ କରିବା ଅନାବଶ୍ୟକ ।

 

ଏହି ପୁସ୍ତକମାଳାରେ ଅନ୍ୟମାନଙ୍କ ମଧ୍ୟରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ବାଳଗଙ୍ଗାଧର ତିଳକ, ଡକ୍ଟର ଆନିବେସାନ୍ତ, ଗୋପାଳକୃଷ୍ଣ ଗୋଖଲେ, କସ୍ତୁରୀ ରଙ୍ଗାଆୟାଙ୍ଗାର, ବଙ୍କିମଚନ୍ଦ୍ର ଚାଟାର୍ଜୀ, ମୋତିଲାଲ ନେହେରୁ, ରବୀନ୍ଦ୍ରନାଥ ଠାକୁର, ଡକ୍ଟର ରାଜେନ୍ଦ୍ରପ୍ରସାଦ, ବାବୁ ବ୍ରଜକିଶୋର ପ୍ରସାଦ, ସରୋଜିନୀ ନାଇଡ଼ୁ, ନେତାଜୀ ସୁଭାସଚନ୍ଦ୍ର ବୋଷ, ପଣ୍ଡିତ ଗୋପବନ୍ଧୁ ଦାସ ଓ ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ୬୨ ଜଣଙ୍କର ଜୀବନୀ ପ୍ରକାଶ ପାଇବ ବୋଲି ଭାରତ ସରକାରଙ୍କ ପ୍ରକାଶନ ବିଭାଗଙ୍କ ପକ୍ଷରୁ ନିଷ୍ପତ୍ତି କରାଯାଇଥିଲେ ସୁଦ୍ଧା ଇଂରେଜୀରେ ଏପର୍ଯ୍ୟନ୍ତ ପ୍ରାପ୍ତ ୨୦ ଖଣ୍ଡ ଜୀବନୀ ପ୍ରକାଶ ପାଇଛି ।

 

ଆଜି ଦେଶରେ ଛାତ୍ର ଓ ଯୁବଶକ୍ତି ମଧ୍ୟରେ ଯେଉଁ ଅସନ୍ତୋଷ ବହ୍ନି ଜଳୁଛି, ଯାହାଫଳରେ ଦେଶର ଗଣତନ୍ତ୍ର ତଥା ଶିକ୍ଷା ବ୍ୟବସ୍ଥା ବିପନ୍ନ, ତାହାର ଏକ ମୁଖ୍ୟ କାରଣ ହେଉଛି ଛାତ୍ର ତଥା ଯୁବକମାନଙ୍କୁ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ କଲାଭଳି ପୁସ୍ତକର ଅଭାବ । ଏହି ପୁସ୍ତକମାଳା କେତେକାଂଶରେ ଉକ୍ତ ଅଭାବ ପୂରଣ କରିବା ସଙ୍ଗେ ସଙ୍ଗେ ଊନ୍ନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଯେଉଁମାନଙ୍କ ଅସୀମ ତ୍ୟାଗ ଫଳରେ ଆଜିର ଭାରତ ସମ୍ଭବ ହୋଇଛି ସେମାନଙ୍କ କଣ୍ଟକମୟ ଜୀବନର ଘଟନାବଳି ଆଜିର ଯୁବକଙ୍କୁ ଜଣାଇବା ଫଳରେ ସେମାନେ ଆବଶ୍ୟକୀୟ ଉତ୍ସାହ ଆହରଣ କରିବା ସଙ୍ଗେ ସଙ୍ଗେ ନିଜକୁ ସଂଯତ କରି ଭାରତର ଅତୀତ ସ୍ମରଣ କରି ନିଜକୁ ଗୌରବାନ୍ୱିତ କରିବେ ।

 

ଏହି ପୁସ୍ତକମାଳା ପ୍ରକାଶନ ଆରମ୍ଭ ହେବା ପରେ ପରେ ଏହାର ଅନ୍ତର୍ଗତ ସମସ୍ତ ପୁସ୍ତକକୁ ଉକ୍ତ ଉଦ୍ଦେଶ୍ୟ ସାର୍ଥକ କରିବା ମାନସରେ ଓଡ଼ିଆରେ ଅନୁବାଦ କରିବାପାଇଁ ମନସ୍ଥ କଲି-। କିନ୍ତୁ ଓଡ଼ିଆ ପ୍ରକାଶକମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏଥିପାଇଁ ପ୍ରକାଶକ ପାଇବା ମୋ ପକ୍ଷରେ କଷ୍ଟକର ହେଲା । ଶେଷକୁ ଲୋକସେବକମଣ୍ଡଳର ସଭ୍ୟ ତଥା ‘‘ସମାଜ’’ର ସମ୍ପାଦକ ପୂଜ୍ୟ ଶ୍ରୀ ରାଧାନାଥ ରଥ ‘‘ଗୋପବନ୍ଧୁ ସାହିତ୍ୟ–ମନ୍ଦିର’’ ପକ୍ଷରୁ ଏହି ପୁସ୍ତକମାଳା ପ୍ରକାଶ କରିବାପାଇଁ ଆଗ୍ରହ ପ୍ରକାଶ କଲେ ଏବଂ ସେହି ଅନୁଯାୟୀ ଏହି ପୁସ୍ତକମାଳାର ପ୍ରଥମ ପୁସ୍ତକ ‘‘ଦାଦା ଭାଇ ନାରୋଜି’’ ୧୯୬୫ ମସିହାରେ ଓଡ଼ିଆରେ ଆତ୍ମପ୍ରକାଶ କରିବା ପରେ ବର୍ତ୍ତମାନ ଏହି ପୁସ୍ତକମାଳାର ଦ୍ୱିତୀୟ ପୁସ୍ତକ ‘‘ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ’’ ସେହି ଗୋପବନ୍ଧୁ ସାହିତ୍ୟ ମନ୍ଦିର ପକ୍ଷରୁ ଓଡ଼ିଆରେ ପ୍ରକାଶ ପାଉଛି । ଅନ୍ୟ ଜୀବନୀଗୁଡ଼ିକର ଓଡ଼ିଆ ପାଣ୍ଡୁଲିପି ପ୍ରସ୍ତୁତ ହୋଇ ରହିଥିଲେ ସୁଦ୍ଧା ପ୍ରକାଶକଙ୍କ ଆର୍ଥିକ ସ୍ୱଚ୍ଛଳତା ତଥା ଅନ୍ୟାନ୍ୟ ସୁବିଧା ଉପରେ ଏହାର ପ୍ରକାଶନ ନିର୍ଭର କରେ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଲାଲବାହାଦୁର ଶାସ୍ତ୍ରୀ ଏହି ଗ୍ରନ୍ଥମାଳାର ଓଡ଼ିଆ ସଂସ୍କରଣ ପାଇଁ ମୁଖବନ୍ଧ ଲେଖିଥିବାରୁ ଏହାର ମହତ୍ତ୍ୱ ଯଥେଷ୍ଟ ବୃଦ୍ଧିପାଇଛି-

 

ଏହି ପୁସ୍ତକର ଆମୂଳଚୂଳ ପାଣ୍ଡୁଲିପି ମୋର ସହୃଦୟ ବନ୍ଧୁ ଶ୍ରୀ ଚିନ୍ତାମଣି ମିଶ୍ର ଲେଖିଥିବାରୁ ଏବଂ ‘ସମାଜ’ର ସହକାରୀ ସମ୍ପାଦକ ଶ୍ରୀ ଭଗବାନ ପତି ତଥା ମୋର ବନ୍ଧୁ ଶ୍ରୀ ଦେବେନ୍ଦ୍ରନାଥ ଶତପଥୀ ପାଣ୍ଡୁଲିପିଟି ପ୍ରକାଶଯୋଗ୍ୟ କରିବା ଭଳି ଆବଶ୍ୟକୀୟ ସଂଶୋଧନ କରିଥିବାରୁ ଏବଂ ଲୋକସେବକମଣ୍ଡଳର ଅନ୍ୟତମ ସଭ୍ୟ ତଥା ‘ସମାଜ’ ଅନୁଷ୍ଠାନର ପରିଚାଳକ ଶ୍ରୀ ଫକୀର ଚରଣ ଦାସ ଓ ମୁଦ୍ରଣ ଦାୟିତ୍ୱରେ ଥିବା ଶ୍ରୀ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ଏହାର ପ୍ରକାଶନ ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କ ନିକଟରେ ଋଣୀ । ଏହା ଛଡ଼ା ପୂଜ୍ୟ ରାଧାନାଥବାବୁ ତାଙ୍କର ପୁରୁଣା କାଗଜପତ୍ର ଖୋଜି ଦେଶବନ୍ଧୁଙ୍କ ସମ୍ପର୍କରେ କେତେକ ଅପ୍ରାପ୍ୟ ଫଟୋ ବାହାର କରି ଏ ପୁସ୍ତରେ ସନ୍ନିବେଶିତ କରିବାର ବ୍ୟବସ୍ଥା କରିବା ଫଳରେ ଏହି ଗ୍ରନ୍ଥର ଯଥେଷ୍ଟ ଶ୍ରୀବୃଦ୍ଧି ହୋଇ ପାରିଛି ।

 

ସଚ୍ଚିଦାନନ୍ଦ କାନୁନଗୋ

Image

 

ପ୍ରାକ୍‍–କଥନ

 

ପ୍ରତ୍ୟେକ ବଡ଼ବଡ଼ ଆନ୍ଦୋଳନରୁ କେତେଗୁଡ଼ିଏ ଜ୍ୟୋତିଷ୍ମାନ ବ୍ୟକ୍ତିତ୍ୱର ଅଭ୍ୟୁଦୟ ଘଟିଥାଏ । କେତେକାଂଶରେ ସେମାନେ ସେହି ସବୁ ଆନ୍ଦୋଳନର ସ୍ରଷ୍ଟା ଏବଂ ପୁଣି ଆଉ କେତେକ ଅଂଶରେ ସେମାନେ ସେହି ସବୁ ଆନ୍ଦୋଳନରୁହିଁ ଜନ୍ମଲାଭ କରିଥାନ୍ତି । ଗୋଟାଏ ଆନ୍ଦୋଳନରୁ ଯେଉଁ ଆବେଗ ମୁଣ୍ଡ ଟେକେ ଓ ଯେଉଁ ପୃଷ୍ଠଭୂମି ମିଳେ, ତା’ର ଅଭାବରେ ସେମାନଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପ ରୂପ ଗ୍ରହଣ କରିବାର ସୁଯୋଗ ପାଏ ନାହିଁ କିମ୍ୱା ଯଦିବା ପାଏ, ତଥାପି ତାହା ନିଷ୍କ୍ରିୟ ଅବସ୍ଥାରେ ରହି ଆରମ୍ଭରୁହିଁ ମୃତ୍ୟୁବରଣ କରେ । ସେହି କାରଣରୁ ସେମାନଙ୍କୁ ଆନ୍ଦୋଳନର ସୃଷ୍ଟି ବୋଲି କୁହାଯାଇଥାଏ । ପୁଣି ସେମାନେ ମଧ୍ୟ ସ୍ରଷ୍ଟା, କାରଣ ଜନସାଧାରଣଙ୍କ ଅବଚେତନ ମନୋରାଜ୍ୟରେ ଯେଉଁ ସବୁ ଆବେଗ ଓ ଉନ୍ମାଦନା କେବଳ ଚାଞ୍ଚଲ୍ୟ ସୃଷ୍ଟି କରି ସୁପ୍ତ ଅବସ୍ଥାରେ ଥାଏ, ସେମାନେ କର୍ମଭୂମିକୁ ଆସି ଜନତାର ସେହିସବୁ ଆବେଗ ଓ ଉନ୍ମାଦନାକୁ ରୂପରେଖ ଦିଅନ୍ତି ଏବଂ ଆଗେଇ ଯିବାପାଇଁ ପଥ ନିର୍ଦ୍ଦେଶ କରନ୍ତି । ଗୋଟାଏ ଯୁଗରେ ଯେଉଁସବୁ ଆଶା ଓ ଆକାଂକ୍ଷା ଜନତାକୁ ଉଦ୍‍ବେଳିତ କରୁଥାଏ, ମହାପୁରୁଷମାନେ ଆସି ସେ ସବୁକୁ ସଙ୍ଗଠିତ କରନ୍ତି ଏବଂ ପ୍ରକାଶ କରନ୍ତି । ତାହା କରିବାଦ୍ୱାରା ସେମାନେ ଜନତାର ସେହି ସବୁ ଆଶା ଆକାଂକ୍ଷାକୁ ବାସ୍ତବ ରାଜନୀତିର ସୀମା ଭିତରକୁ ସାଫଲ୍ୟମଣ୍ଡିତ କରନ୍ତି ।

 

୧୯୧୯ରେ ଭାରତରେ ଯେଉଁ ଅସହଯୋଗ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତାହା ହେଉଛି ଭାରତୀୟ ଜନତାର ସେହିଭଳି ଆଶା ଆକାଂକ୍ଷା ସମ୍ୱଳିତ ମନୋଭାବର ଏକ ବହିଃପ୍ରକାଶ ବା ବିଦ୍ରୋହ । ବିଶ୍ୱ ନେତାରୂପେ ମହାତ୍ମା ଗାନ୍ଧିଙ୍କ ଅବତରଣ ପାଇଁ ବହୁ ମହାନ୍ ଜନନାୟକ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗି ପଡ଼ିବାକୁ ହୋଇଥିଲା । ତାଙ୍କ ଆଗରୁ ଯେଉଁ ଜନନାୟକମାନେ ଆସିଥିଲେ, ସେମାନଙ୍କ ସେବା ଓ ଅବଦାନ ବ୍ୟତିରେକେ ଯେଉଁ ଭୂମିକାରେ ଅଭିନୟ କରିବାପାଇଁ ମହାତ୍ମା ଗାନ୍ଧି ବିଧିପ୍ରେରିତ ହେଲାଭଳି ଆସିଥିଲେ, ତାହା ସେ କରିପାରି ନଥାନ୍ତେ । ଅନାବାଦ ଅବସ୍ଥାରେ ପଡ଼ିଥିବା ଏକ ସମତଳ ଭୂଇଁରେ ଗୋଟାଏ ନିଃସଙ୍ଗ ପର୍ବତ ଶୃଙ୍ଗ ଭଳି ସେ ଯେ ହଠାତ୍ ଉପରକୁ ଉଠି ଯାଇଥିଲେ, ତାହା ମଧ୍ୟ ନୁହେଁ । ଅଶାନ୍ତି, ଉପଦ୍ରବ ଓ ଅସନ୍ତୋଷରେ ପୃଥିବୀ ଯେତେବେଳେ ଅଣନିଃଶ୍ୱାସୀ ହୋଇଯାଏ, ସେତେବେଳେ ଗୋଟାଏ ପର୍ବତଶ୍ରେଣୀ ଏକାବେଳକେ ମୁଣ୍ଡ ଟେକି ଉଠେ । ତା’ର କେତେକ ଶୃଙ୍ଗ ଅନ୍ୟ ଶୃଙ୍ଗମାନଙ୍କଠାରୁ ଉଚ୍ଚତାରେ ବଡ଼ ହୋଇଥାଏ । ସେ ଦିନଗୁଡ଼ିକ ଭାରତର ବୀରତ୍ୱପୂର୍ଣ୍ଣ ଦିବସ ଥିଲା । ଯେତେବେଳେ ତା’ର ଏକ ପ୍ରାନ୍ତରୁ ଅପରପ୍ରାନ୍ତ ଯାଏଁ ହଜାର ହଜାର ସାଧାରଣ ନରନାରୀଙ୍କ ପ୍ରାଣ ନୂତନ ଆଶା ଆକାଂକ୍ଷା ଓ ଉଦ୍ୟମରେ ଉଦ୍‍ବେଳିତ ହୋଇ ଉଠିଥିଲା, ଭାରତର ଆକାଶରେ ସେତେବେଳେ କେତେ ଉଜ୍ଜ୍ୱଳ ଜ୍ୟୋତିଷ୍କଙ୍କର ଅଭ୍ୟୁଦୟ ଘଟିଥିଲା ଏବଂ ମହାତ୍ମା ଗାନ୍ଧି ସେହି ସବୁ ଜ୍ୟୋତିଷ୍କଙ୍କ ମଧ୍ୟରେ ଥିଲେ ସବୁଠାରୁ ଉଜ୍ଜ୍ୱଳତମ । ତଥାପି ସେମାନଙ୍କ ଛଡ଼ା ଭାରତରେ ସେତେବେଳେ ପ୍ରଥମ ଶ୍ରେଣୀର ଆହୁରି କେତେକ ଜନନାୟକ ଦେଖା ଦେଇଥିଲେ । ଉଜ୍ଜ୍ୱଳ ଜ୍ୟୋତିଷ୍କମାନଙ୍କ ଭଳି ମହାନ୍ ଜନନାୟକମାନଙ୍କର ଏହି ଯେଉଁ ଛାୟାପଥ ସେତେବେଳେ ଭାରତର ଆକାଶକୁ ଭାସ୍ୱର କରିଥିଲା, ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧି, ପଣ୍ଡିତ ମୋତିଲାଲ ନେହେରୁ, ସି.ଆର. ଦାସ ମୌଲାନା ମହମ୍ମଦ ଅଲ୍ଲି, ହାକିମ ଆଜମଲ ଖାଁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡାଃ. ରାଜେନ୍ଦ୍ରପ୍ରସାଦ, ମୌଲାନା ଆବୁଲ କାଲାମ ଆଜାଦ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭଳି ଜ୍ୟୋତିଷ୍କମାନେ ଥିଲେ ।

 

ସି.ଆର. ଦାସ ଛଅଟି ବର୍ଷ ସକ୍ରିୟ ରାଜନୀତି କ୍ଷେତ୍ରରେ ଥିଲେ । ମାତ୍ର ଏହି ଅଳ୍ପ କେତୋଟି ବର୍ଷ ମଧ୍ୟରେ ଜଣେ ମହାନ୍ ଜନନାୟକରୂପେ ସେ ଭାରତୀୟ ଜନତାର ହୃଦୟରେ ନିଜର ଆସନକୁ ସୁପ୍ରତିଷ୍ଠିତ କରିପାରିଥିଲେ । ଏହାଠାରୁ ଆହୁରି ଉଲ୍ଲେଖଯୋଗ୍ୟ କଥା ହେଉଛି ଏହି ଯେ, ଏହି ଅଳ୍ପ ସମୟ ଭିତରେ ସେ ଆନ୍ଦୋଳନମୁଖୀ ରାଜନୀତିରୁ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ ଆସନକୁ ନିଜକୁ ଉନ୍ନୀତ କରାଇପାରିଥିଲେ । ସାରା ଜୀବନ ଧରି ସେ ଏଭଳି ଏକ ପରିଣତିରେ ପହଞ୍ଚିବାରେ ନିଜକୁ କି ଭଳି ପ୍ରସ୍ତୁତ କରିବାରେ ଲାଗିଥିଲେ, ଏହା ଯେଉଁମାନେ ଜାଣନ୍ତି ନାହିଁ, ସେମାନେ ତାଙ୍କର ଏ ପ୍ରକାର ଅଭ୍ୟୁଦୟରେ ବିସ୍ମିତ ହେବେ, ସନ୍ଦେହ ନାହିଁ । ସି.ଆର. ଦାସ ଜଣେ ବଡ଼ ଆଇନଜୀବୀ ଥିଲେ । କିନ୍ତୁ ଯେଉଁସବୁ ମକଦ୍ଦମାରେ ସେ ସବୁଠାରୁ ଅଧିକ ସାଫଲ୍ୟ ଅର୍ଜନ କରିଥିଲେ, ସେ ସବୁଥିରେ ସେ ଭାରତର ଜାତୀୟ ସ୍ୱାର୍ଥକୁ ଆଗେଇ ନେବାପାଇଁ ସେ କାଳର ବ୍ରିଟିଶ ଆଇନକାନୁନକୁ ଯନ୍ତ୍ରରୂପେ ବ୍ୟବହାର କରିଥିଲେ । ସେ ଜଣେ କବି ମଧ୍ୟ ଥିଲେ ଏବଂ ଉଚ୍ଚ ସମ୍ଭାବନାପୂର୍ଣ୍ଣ ଜଣେ ଉଚ୍ଚକୋଟୀର ସାହିତ୍ୟିକ ମଧ୍ୟ ଥିଲେ । କବି ଓ ସାହିତ୍ୟିକରୂପେ ସେ ଯାହା ସବୁ ଲେଖିଥିଲେ, ତା’ର ଲକ୍ଷ୍ୟ ଥିଲା ଗୋଟିଏ, ତା’ ହେଉଛି ଭାରତୀୟ ସଂସ୍କୃତିର ସୁରକ୍ଷା ଓ ତା’ର ସମୃଦ୍ଧି ସାଧନ କରିବା ଏବଂ ପାଶ୍ଚାତ୍ୟ ପ୍ରଭାବ ଓ ଆଧିପତ୍ୟ କବଳରୁ ଭାରତର ଆତ୍ମଶକ୍ତିକୁ ମୁକ୍ତ କରିବା । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଭାରତର ଉନ୍ନତିପାଇଁ ମଧ୍ୟ ସେ କାମ କରିଥିଲେ । କାରଣ ସେ ବିଶ୍ୱାସ କରୁଥିଲେ ଯେ, କେବଳ ସେହି ବାଟରେହିଁ ଭାରତ ତା’ର ମୁକ୍ତି ହାସଲ କରିପାରିବ ।

 

ରାଜନୀତିର ଆହ୍ୱାନ ଥରେ ଆସିଗଲାମାତ୍ରେ ସି.ଆର. ଦାସ ଭାରତ ମୁକ୍ତିପାଇଁ ମନପ୍ରାଣ ସହ ସେଥିରେ ଝାସ ଦେଇଥିଲେ । ଯେଉଁ ଆଇନ ବ୍ୟବସାୟରୁ ସେ ରାଜାମହାରାଜାଙ୍କ ଭଳି ବିପୁଳ ଆୟ କରୁଥିଲେ, ରାତିକ ଭିତରେ ତାକୁ ଛାଡ଼ିଦେଲେ ଏବଂ ଭାରତର ଜଣେ ଶ୍ରେଷ୍ଠ ଶକ୍ତିଶାଳୀ ବ୍ୟକ୍ତିର ପଦବୀରୁ ନିଜକୁ ଏତେ ତଳକୁ ଖସାଇ ଆଣିଥିଲେ ଯେ ତାଙ୍କ ନିଜର ବୋଲି କହିବାକୁ ଆଉ କିଛି ଧନସମ୍ପତ୍ତି ରହିଲା ନାହିଁ । ଦରିଦ୍ରମାନଙ୍କ ପ୍ରତି ସମବେଦନା ତାଙ୍କର ସତେ ଯେପରି ଗୋଟାଏ ସହଜାତ ଗୁଣ ଥିଲା । ତା’ରି ବଳରେ ସେ ଘୋଷଣା କଲେ ଯେ, କେତେକ ଅନୁଗୃହୀତ ଶ୍ରେଣୀର ଲୋକଙ୍କପାଇଁ ଅଧିକ କିଛି ଅଧିକାର ବା ସୁବିଧା ସୁଯୋଗ ହାସଲ କରିବା ସ୍ୱରାଜର ଅର୍ଥ ନୁହେଁ । ଭାରତର କୋଟି କୋଟି ସାଧାରଣ ଜନତାଙ୍କ ପାଇଁ ଅଧିକତର ସୁଖସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ଓ ସମୃଦ୍ଧି ହେଉଛି ସ୍ୱରାଜର ଅର୍ଥ । କବିର ଭାବପ୍ରବଣତା ଓ ଆଇନଜୀବୀର ବିଶ୍ଳେଷଣାତ୍ମକ ବିଚାରଧାରାକୁ ସେ ଭାରତର ଜାତୀୟ ସଂଗ୍ରାମ ପରିସର ଭିତରକୁ ଆଣିଲେ । ଏହିରୂପେ ସେ ଜନସେବାର ଯେଉଁ ଆଦର୍ଶ ଗ୍ରହଣ କଲେ ଏବଂ ତ୍ୟାଗର ଯେଉଁ ପରାକାଷ୍ଠା ଦେଖାଇଲେ, ସେଥିରେ ସାରା ଦେଶର ଜନମନକୁ ଜୟ କରି ନେବାରେ ବିସ୍ମିତ ହେବାର କିଛି ନଥିଲା । ପ୍ରାୟ ରାତିକ ଭିତରେ ବାରିଷ୍ଟର ସି.ଆର. ଦାସ ଦେଶବନ୍ଧୁ ଚିତ୍ତରଞ୍ଜନ ଏବଂ ଦେଶ ଓ ଜାତିର ବନ୍ଧୁ ତଥା ସେବକରୂପେ ବଦଳି ପଡ଼ିଲେ ।

 

ଭାରତୀୟ ରାଜନୀତିରେ ଅନ୍ୟତମ ବିୟୋଗନ୍ତକ ଘଟଣା ହେଉଛି ଏହି ଯେ, ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ଜୀବନରେ ଯେତେବେଳେ ଚରମ ଉତ୍କର୍ଷର ମୁହୂର୍ତ୍ତ, ଠିକ୍ ସେତିକିବେଳେ ତାଙ୍କର ମୃତ୍ୟୁ ଘଟିଲା । ତାଙ୍କର ବୟସ ୫୫ ବର୍ଷ ହୋଇଛି କି ନାହିଁ । ତାଙ୍କର ସବୁ ସଂଗ୍ରାମ ଓ ଜନସେବାରେ ଶେଷ ଯବନିକା ଟାଣିଦେଇ ମୃତ୍ୟୁ ତାଙ୍କୁ ଘେନିଗଲା । ଦେଶର ସ୍ୱାଧୀନତା ପାଇଁ ତାଙ୍କରି ଉଦ୍ୟମରେ ଯେତେବେଳେ ଭାରତର ଆଭିମୁଖ୍ୟରେ ଓ ସେଥିପ୍ରତି ବ୍ରିଟିଶମାନଙ୍କ ମନୋଭାବରେ ପରିବର୍ତ୍ତନର ଶୁଭ ସୂଚନା ମିଳି ଆସୁଥିଲା, ଠିକ୍ ସେହି ସମୟରେ ପୁଣି ଏହା ଘଟିଲା । ତାଙ୍କର କାର୍ଯ୍ୟକଳାପ ଫଳରେ ଦେଶର ଦୁଇ ପ୍ରଧାନ ସମ୍ପ୍ରଦାୟଙ୍କ ମଧ୍ୟରେ ଭାରତରେ ପାରସ୍ପରିକ ବୁଝାମଣା ଓ ସହୃଦୟତାର ଏକ ବାତାବରଣ ସୃଷ୍ଟି ହୋଇଥିଲା । ସେ ପର୍ଯ୍ୟନ୍ତ ଭାରତର ଅନ୍ୟ କୌଣସି ନେତା ତାଙ୍କ ଭଳି ହିନ୍ଦୁ ଓ ମୁସଲମାନ ଦୁଇ ପ୍ରଧାନ ସମ୍ପ୍ରଦାୟର ମନୋରାଜ୍ୟକୁ ପୂର୍ଣ୍ଣଭାବରେ ଅଧିକାର କରିପାରି ନଥିଲେ । ଆଶା କରାଯାଉଥିଲା ଯେ ତାଙ୍କରି ନେତୃତ୍ୱରେ ଭାରତ ଏକଜୁଟ ହୋଇ ପ୍ରଥମ ମହାଯୁଦ୍ଧ ଏବଂ ଖିଲାଫତ ଓ ଅସହଯୋଗ ଆନ୍ଦୋଳନର ଧକ୍କାରେ ଦୋହଲି ଯାଇଥିବା ବ୍ରିଟିଶ ସରକାର ଆଗରେ ଏକ ମିଳିତ ଦାବି ଉପସ୍ଥାପିତ କରିପାରିବେ ।

 

ତା’ର ଫଳାଫଳ କ’ଣ ହୋଇଥାନ୍ତା ତାହା ଅବଶ୍ୟ କେହି କହିପାରିବେ ନାହିଁ, କିନ୍ତୁ ସେ କାଳର ବହୁ ବିଶିଷ୍ଟ ନେତାଙ୍କ ପ୍ରାଥମିକ ବିରୋଧସତ୍ତ୍ୱେ ଦେଶବନ୍ଧୁ କଂଗ୍ରେସକୁ ଯେଭଳି ଭାବରେ ନିଜ ମତବାଦରେ ଦୀକ୍ଷିତ କରାଇପାରିଥିଲେ, ସେଥିରୁ ତାଙ୍କ ନିଷ୍ଠା ଓ ସାହସିକତା କେତେ ତା’ର ପରିଚୟ ମିଳିଥିଲା । ଭାରତର ଜନସାଧାରଣଙ୍କ ହୃଦୟ ଓ ମନ ଉପରେ ତାଙ୍କର ପ୍ରଭାବ ଏବଂ ଆପୋସ ଆଲୋଚନା ଚଳାଇବାରେ ତାଙ୍କର କୌଶଳ ଓ ଉପାୟ ଉଦ୍ଭାବନରେ ନିପୁଣତା କେତେ, ସେଥିରୁ ତାହା ମଧ୍ୟ ପ୍ରମାଣିତ ହୋଇଯାଇଥିଲା । ଦେଶବନ୍ଧୁଙ୍କର ଏହିସବୁ ଯୋଗ୍ୟତା ଏବଂ ବନ୍ଧୁ ଓ ସହଯୋଗୀରୂପେ ପଣ୍ଡିତ ମୋତିଲାଲଙ୍କର ତାଙ୍କ ପ୍ରତି ସମର୍ଥନରୁ ଆଶା କରାଯାଉଥିଲା ଯେ, ବ୍ରିଟିଶ ଓ ଭାରତୀୟ ଜନତା ମଧ୍ୟରେ ସେତେବେଳେ ଯେଉଁ ଅଚଳ ଅବସ୍ଥା ଉପୁଜିଥିଲା ସେଥିରୁ ଉଦ୍ଧାର ପାଇବାପାଇଁ ଗୋଟାଏ ବାଟ ମିଳିପାରିବ ।

 

ଦେଶବନ୍ଧୁ ଜଣେ ବାସ୍ତବବାଦୀ ଓ ତାହା ସଙ୍ଗେ ସଙ୍ଗେ ଆଦର୍ଶବାଦୀ ମଧ୍ୟ ଥିଲେ ଏବଂ କ’ଣ ମିଳିଲେ ଅଭିଳାଷ ପୂର୍ଣ୍ଣ ହେବ ଓ କେତେକଅଣ ମିଳିବା ସମ୍ଭବ ଏ ଦୁଇଟିକୁ ଏକାଠି କରି ଲକ୍ଷ୍ୟ ହାସଲ କରିବାର କୌଶଳ ସେ ଜାଣିଥିଲେ । ଧ୍ୱନି ବା ଦୁହା ପାଖରେ ସେ କେବେହେଲେ ଦାସ ଭଳି ମୁଣ୍ଡ ବିକି ଦେଉ ନଥିଲେ ଏବଂ ଯେଉଁଟା ନିହାତି ଦରକାର, ତାକୁ ଗୌଣ ବିଷୟବସ୍ତୁରୁ ଅଲଗା କରିଦେବାର ଅଲୌକିକ ଶକ୍ତି ତାଙ୍କଠାରେ ଥିଲା । ସେ ଜାଣିଥିଲେ ଯେ ଦୀର୍ଘକାଳସ୍ଥାୟୀ ଏକ ରାଜନୈତିକ ସଂଗ୍ରାମରେ ସମୟ ଗଡ଼ିଯିବା ସଙ୍ଗେ ସଙ୍ଗେ ସଂଗ୍ରାମର କୌଶଳ ଓ ପଦ୍ଧତି ଅବଶ୍ୟ ବଦଳାଇବାକୁ ପଡ଼ିବ । ସେଭଳି ପରିବର୍ତ୍ତନର ବାଟରେ ବାଧା ବା ପ୍ରତିବନ୍ଧକ ସୃଷ୍ଟି କରିବାପାଇଁ ସେ ଅଳିକ ଆଖି ଗୌରବ ବୋଧକୁ କୌଣସି ସୁଯୋଗ ଦେଇ ନଥିଲେ । ଜଣେ ବାସ୍ତବବାଦୀ ହିସାବରେ ସେ ଆହୁରି ମଧ୍ୟ ଜାଣିଥିଲେ ଯେ, ଆପୋସ ଆଲୋଚନା ଓ ସାଲିସ୍ ବାଟ ଧରି ସ୍ୱାଧୀନତା ହାସଲ କରିବାକୁ ଯେତେବେଳେ ଉଦ୍ୟମ ହେଉଛି, ସେତେବେଳେ ତାହା କେବଳ ପର୍ଯ୍ୟାୟ କ୍ରମରେ ଅଣାଯାଇପାରିବ । ସେଥିପାଇଁ ସେ ଥରକୁଥର ଘୋଷଣା କରିଥିଲେ ଯେ, ଯେତକ ମିଳୁଛି, ସେତକ ଆଗ ଥଇଥାନ କରିବା ଏବଂ ପରେ ତାକୁ ଘାଟିରୂପେ ବ୍ୟବହାର କରି ସେହିଠାରୁ ଲକ୍ଷ୍ୟ ଆଡ଼କୁ ପୁଣି ଆଗେଇବାକୁ ଉଦ୍ୟମ କରିବା ହେଉଛି ରାଷ୍ଟ୍ରନୀତିଜ୍ଞମାନଙ୍କର କର୍ତ୍ତବ୍ୟ । ୧୯୩୫ରେ ଭାରତ ଶାସନ ଆଇନ ପ୍ରଣୀତ ହେବାର ୧୦ ବର୍ଷରୁ ଅଧିକ କାଳ ଆଗରୁ ସ୍ପଷ୍ଟ ଭାବରେ ସେ ଦେଖିପାରିଥିଲେ ଯେ, ରାଜନୈତିକ ସାମ୍ମୁଖ୍ୟରେ ପରବର୍ତ୍ତୀ ଅଗ୍ରଗତିସ୍ୱରୂପ ପ୍ରଦେଶମାନଙ୍କରେ ପ୍ରାଦେଶିକ ସ୍ୱାଧୀନତା ଓ କେନ୍ଦ୍ରରେ ରାଷ୍ଟ୍ରସଂଘୀୟ ସରକାର ପ୍ରତିଷ୍ଠା । ଏଇଥିରୁହିଁ ତାଙ୍କ ବିଚକ୍ଷଣତା ଓ ଦୂରଦୃଷ୍ଟିର ପରିଚୟ ମିଳେ ।

 

ରାଜନୈତିକ ନେତାମାନେ ସେମାନଙ୍କ ସମୟରେ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥାନ୍ତି ଏବଂ ଏପରିକି ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କ ସମାନ ସ୍ତର କିମ୍ୱା ସେମାନଙ୍କଠାରୁ ଉଚ୍ଚକୋଟିର ନେତାମାନଙ୍କୁ ଟପିଯାଇଥାନ୍ତି । କିନ୍ତୁ ସେମାନଙ୍କର ଏହି ଖ୍ୟାତି ଓ ଗୌରବ ଅନେକ ସମୟରେ ଅଳ୍ପକାଳ ସ୍ଥାୟୀ ହୋଇଥାଏ । ସମୟ ଗଡ଼ିଯିବା ସଙ୍ଗେ ସଙ୍ଗେ ଯେଉଁ ରାଜନୈତିକ ନେତାମାନେ ସେମାନଙ୍କ ସମୟରେ ଖୁବ୍ ଖ୍ୟାତି ଓ ଗୌରବ ଅର୍ଜନ କରିଥାନ୍ତି, ତାହା ମଉଳି ଆସେ । କିନ୍ତୁ ଯେଉଁ ବୈଜ୍ଞାନିକ, ଲେଖକ କିମ୍ୱା ଶିଳ୍ପୀ ସେମାନଙ୍କ ଜୀବନ କାଳରେ ଅନ୍ୟମାନଙ୍କ ଖ୍ୟାତିର ପ୍ରଭାବରେ ପଛରେ ଅଜଣା ଅଶୁଣା ହୋଇ ରହିଥାନ୍ତି, ସେମାନଙ୍କ ଖ୍ୟାତି ଓ ପ୍ରତିପତ୍ତି ସମୟ ଗଡ଼ିଯିବା ସଙ୍ଗେ ସଙ୍ଗେ କ୍ରମେ ବଢ଼େ ଓ ସେମାନେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୁଅନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମର ବହୁ ମହାରଥୀଙ୍କ ନାମ ଆଜି ବିସ୍ଥତିର ଗର୍ଭରେ ଲୁଚିଗଲା ଭଳି ହେଲାଣି । କିନ୍ତୁ ସେମାନଙ୍କ ସେବା ଓ ଅବଦାନକୁ ସ୍ୱୀକାର କରିବା ଜାତୀୟ ସ୍ୱାର୍ଥଦୃଷ୍ଟିରୁ କାମ୍ୟ । ଯେଉଁ ଜାତି ତା’ର ଅତୀତର ବୀର ପୁରୁଷମାନଙ୍କୁ ଭୁଲିଯାଏ ଏବଂ ଯେଉଁମାନେ ରଙ୍ଗମଞ୍ଚରେ ତା’ ଆଗରେ ଥାଆନ୍ତି କେବଳ ସେହିମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦିଏ, ସେ ଜାତିକୁ ଉତ୍ସାହ, ଉଦ୍ଦୀପନା ଓ ପ୍ରେରଣାର ଦାରିଦ୍ର୍ୟ ଭିତରେ ଘାଣ୍ଟି ହେବାକୁ ପଡ଼େ ଏବଂ ଆକସ୍ମିକ ଅଭ୍ୟୁତ୍‍ଥାନ ଓ ବିପ୍ଳବର ସମ୍ମୁଖୀନ ହେବାକୁ ପଡ଼େ । ଯେଉଁ ଜାତୀୟ ବୀର ପୁଙ୍ଗବମାନେ ଭାରତୀୟ ଜାତୀୟ କଂଗ୍ରେସକୁ ଗଢ଼ିଥିଲେ ଓ ଭାରତର ଜାତୀୟ ଆନ୍ଦୋଳନକୁ ବାଟ କଢ଼ାଇ ନେଇ ଶକ୍ତିଶାଳୀ କରିଥିଲେ, ସେମାନଙ୍କ ସେବା ଓ ଅବଦାନକୁ ଆମେ ଯଦି ଭୁଲିଯାଉ ଏବଂ ଆମ ତରୁଣ ବଂଶଧରମାନେ ଯଦି ସେମାନଙ୍କ ସେବା ଓ ଅବଦାନ ସମ୍ୱନ୍ଧରେ ଅବହିତ ନ ହୋଇ ଓ ସେଥିପ୍ରତି ଶ୍ରଦ୍ଧାଶୀଳ ନ ହୋଇ ବଢ଼ନ୍ତି, ତେବେ ତାହା ରାଜନୈତିକ ଅପରିପକ୍ୱତାର ପରିଚାୟକ ହେବ ।

 

ଦେଶବନ୍ଧୁ ଦାସ ଓ ତାଙ୍କ ସମସାମୟିକ ଭାରତର ଚିତ୍ରକୁ ଆମ ସ୍ମୃତିପଟରେ ପୁଣି ଥରେ ଉଦ୍ଭାସିତ କରିବାକୁ ଡଃ ହେମେନ୍ଦ୍ରନାଥ ଦାସଗୁପ୍ତ ଏହି ପୁସ୍ତକ ସଂକଳନରେ ଯେଉଁ ଉଦ୍ୟମ କରିଛନ୍ତି ସେଥିପାଇଁ ସେ ଅନ୍ୟମାନଙ୍କ ସାଧୁବାଦ ଓ ଅଭିନନ୍ଦନର ପାତ୍ର । ଡଃ ଦାସଗୁପ୍ତ ଦେଶବନ୍ଧୁଙ୍କର ଅନ୍ୟତମ ସହଯୋଗୀ ଓ ବନ୍ଧୁ ଥିଲେ । ଦେଶବନ୍ଧୁ ତାଙ୍କ ଜୀବନ କାଳରେ ଯେଉଁସବୁ ଆଶା ଆକାଂକ୍ଷାରେ ଉଦ୍‍ବୁଦ୍ଧ ହୋଇଥିଲେ ଓ ଯେଉଁସବୁ ସଂଘର୍ଷ ଭିତରେ ଝାସ ଦେଇଥିଲେ, ସେ ସବୁଥିରେ ଜଣେ ଅଂଶୀଦାର ଥିଲେ ଏବଂ କି ବିପଦ, କି ସଙ୍କଟ, କି ବିଫଳତା, କି ସଫଳତା, ସେସବୁ ମଧ୍ୟରେ ତାଙ୍କ ପାଖରେ ଠିଆ ହୋଇଥିଲେ । ସତରାଂ ଜୀବନସାରା ଦେଶବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଶୀଳ ହୋଇ ବ୍ୟକ୍ତିଗତ ଭାବରେ ତାଙ୍କ ସମ୍ୱନ୍ଧରେ ସେ ଯେଉଁ ଅଭିଜ୍ଞତାମାନ ଅର୍ଜନ କରିଥିଲେ ସେଥିରୁ ଜନ୍ମଲାଭ କରିଥିବା ଉକ୍ତି ଓ ବିଶ୍ୱାସ ବଳରେ ସେ ତାଙ୍କ ନେତାଙ୍କ ସମ୍ୱନ୍ଧରେ ଏ ପୁସ୍ତକରେ ସବୁକଥା ଲେଖିଛନ୍ତି । ଦେଶବନ୍ଧୁଙ୍କ ସମ୍ୱନ୍ଧରେ ଡଃ ଦାସଗୁପ୍ତ ଯେଉଁ ବିଚାରଭଙ୍ଗୀରୁ ଓ ଦୃଷ୍ଟିକୋଣରୁ ଏ ପୁସ୍ତକରେ ମତାମତ ବ୍ୟକ୍ତ କରିଛନ୍ତି, ସେଥିରେ ଜଣେ ହୁଏତ ଏକମତ ହୋଇ ନ ପାରେ; କିନ୍ତୁ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କର ଏକ ସଂକ୍ଷିପ୍ତ ଜୀବନ ଚରିତ ଉପସ୍ଥାପିତ କରି ଦେଶର ଯେ ପ୍ରକୃତ ଏକ ସେବା କରିଛନ୍ତି ତାହା କେହି ଅସ୍ୱୀକାର କରିପାରିବେ ନାହିଁ ।

 

ନୂଆଦିଲ୍ଲୀ

ହୁମାୟୁନ କବୀର

ମେ ୧୩, ୧୯୫୯

 

Image

 

ଏ ପୁସ୍ତକମାଳା ସମ୍ୱନ୍ଧରେ ପଦେ

 

ଆମ ଜାତୀୟ ମୁକ୍ତି ଓ ସ୍ୱାଧୀନତା ସଂଗ୍ରାମରେ ଭାରତର ଯେଉଁ ବିଶିଷ୍ଟ ପୁତ୍ରକନ୍ୟାମାନେ ମୁଖ୍ୟତଃ ଯନ୍ତ୍ରଭଳି କାମ କରିଥିଲେ, ସେମାନଙ୍କ ଜୀବନ ଚରିତ ପ୍ରକାଶନ ହେଉଛି ଏହି ପୁସ୍ତକମାଳାର ଲକ୍ଷ୍ୟ ।

 

ଦୁଃଖର କଥା ଏହି ଯେ, ଅଳ୍ପ କେତେଜଣଙ୍କ କଥା ଛାଡ଼ିଦେଲେ, ଅନ୍ୟ ଅନେକଙ୍କର ନିର୍ଭରଯୋଗ୍ୟ ଜୀବନ ଚରିତ ମିଳୁନାହିଁ । ସେହିସବୁ ବୀରପୁରୁଷ ଓ ବୀରାନାରୀମାନଙ୍କ ସମ୍ୱନ୍ଧରେ କିଛିନା କିଛି ଜାଣିବା ଆମର ବର୍ତ୍ତମାନ ବଂଶଧର ଓ ଅନାଗତ ପରବର୍ତ୍ତୀ ବଂଶଧରମାନଙ୍କ ପକ୍ଷରେ ନିତାନ୍ତ ଆବଶ୍ୟକ । ଏହି ଅଭାବ ଦୂର କରିବା ଉଦ୍ଦେଶ୍ୟରେ ଏହି ପୁସ୍ତକମାଳା ପ୍ରକାଶନର ଯୋଜନା କରାଯାଇଛି । ସବୁକଥା ଜାଣିଥିବା ଯୋଗ୍ୟଲୋକ ଓ ସ୍ୱନାମଧନ୍ୟ ଜାତୀୟ ନେତାମାନଙ୍କ ସରଳ ଓ ସଂକ୍ଷିପ୍ତ ଜୀବନ ଚରିତ ଏ ପୁସ୍ତକମାଳାରେ ପ୍ରକାଶ କରାଯିବାର ପ୍ରସ୍ତାବ ରହିଛି । ଏ ପୁସ୍ତକମାଳାର ପ୍ରତ୍ୟେକ ବହି ୨୦୦ରୁ ୩୦୦ ପୃଷ୍ଠା ମଧ୍ୟରେ ହେବ । ଏଭଳି ଜୀବନ ଚରିତରେ ସବୁକଥା ଦେଇ ଜଣକର ଜୀବନ କାହାଣୀକୁ ପୂର୍ଣ୍ଣାଙ୍ଗ ଭାବରେ ଆଲୋଚନା କରିବା କିମ୍ୱା ଜଣକ ଜୀବନ ଉପରେ ପୂର୍ଣ୍ଣାଙ୍ଗ ଓ ବଡ଼ ଜୀବନୀ ଗ୍ରନ୍ଥର ସ୍ଥାନ ଅଧିକାର କରିବା ଏ ପୁସ୍ତକମାଳାର ଉଦ୍ଦେଶ୍ୟ ନୁହେଁ ।

 

ଯେତେ ବାଞ୍ଛନୀୟ ହେଲେହେଁ, ସମୟର ଆଗପଛ କ୍ରମ ଧରି ଜୀବନ ଚରିତମାନ ପ୍ରକାଶ କରିବା ସମ୍ଭବପର ନୁହେଁ । ପୁଣି ଯେଉଁମାନେ ଏଭଳି ଜୀବନ ଚରିତ ଲେଖିବାକୁ ସୁଯୋଗ୍ୟ ଓ ସବୁ ତଥ୍ୟର ଅଧିକାରୀ, କେବଳ ସେହିମାନଙ୍କୁ ଏ ଦାୟିତ୍ୱ ଦେବାକୁ ହେବ । ତେଣୁ ବାସ୍ତବତା ଦୃଷ୍ଟିରୁ ସମୟର ଆଗପଛ କ୍ରମ ରକ୍ଷା କରାଯିବା ହୁଏତ ସମ୍ଭବ ହେବ ନାହିଁ । ଯା’ହେଉ, ମୋର ଆଶା, ଅଳ୍ପ ସମୟ ମଧ୍ୟରେ ସବୁ ପ୍ରସିଦ୍ଧ ଜାତୀୟ ନେତାମାନଙ୍କର ଜୀବନ ଚରିତ ଏ ପୁସ୍ତକମାଳାରେ ଆତ୍ମପ୍ରକାଶ କରିବ ।

 

ବିହାରର ପୂର୍ବତନ ରାଜ୍ୟପାଳ ମୋର ସମ୍ମାନାସ୍ପଦ ବନ୍ଧୁ ଶ୍ରୀ ଆର.ଆର. ଦିବାକର ଏ ପୁସ୍ତକମାଳାର ସାଧାରଣ ସମ୍ପାଦନା ଦାୟିତ୍ୱ ଗ୍ରହଣ କରିବାକୁ ସମ୍ମତ ହୋଇଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ । ଲେଖକ ହିସାବରେ, ସମ୍ପାଦକ ହିସାବରେ ଓ ଜଣେ ସାମ୍ୱାଦିକ ହିସାବରେ ଶ୍ରୀ ଦିବାକରଙ୍କ ଅଭିଜ୍ଞତା, ସେ ସବୁ କ୍ଷେତ୍ରରେ ତାଙ୍କର ଖ୍ୟାତି ଏ ପୁସ୍ତକମାଳାରେ ସର୍ବୋତ୍କୃଷ୍ଟ ପୁସ୍ତକ ପ୍ରକାଶନରେ ସହାୟକ ହେବ ।

 

ନୂଆଦିଲ୍ଲୀ

 

୨୫ ନଭେମ୍ୱର ୧୯୫୯

ଶ୍ରୀ ବି. ଭି. କେସକାର

Image

 

ଉତ୍ସର୍ଗ

 

ମୁଁ ହାତରେ ଲେଖିପାରେ ନାହିଁ । ତା’ ସତ୍ତ୍ୱେ ମୋତେ ୧୧ ବର୍ଷ ବୟସ ହୋଇଥିବା ସମୟରେ ଭୁବନେଶ୍ୱର ଅନ୍ତର୍ଗତ କପିଳପ୍ରସାଦ ନିବାସୀ ଯେଉଁ ସ୍ମରଣୀୟ ଗୃହ ଶିକ୍ଷକ ସ୍ୱର୍ଗତଃ ରଘୁନାଥ ମହାନ୍ତି ଅଗାଧ ପରିଶ୍ରମ କରି ମୋତେ ଇଂରେଜୀ ଅକ୍ଷର ଚିହ୍ନାଇଲେ ଏବଂ ୧୪ ବର୍ଷ ବୟସରେ କଟକ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଥାନାର ନୋଦା ନିବାସୀ ଏବଂ ଓଡ଼ିଶା ସରକାରଙ୍କର ଭୂତପୂର୍ବ ଡେପୁଟି ସେକ୍ରେଟେରୀ ଶ୍ରୀ ଗୋପୀନାଥ ପଣ୍ଡା ଇଂରେଜୀ ପଢ଼ାଇ ଜ୍ଞାନର ଆଲୋକଶିଖା ଦେଖାଇଥିବାରୁ ଉକ୍ତ ଭଦ୍ରବ୍ୟକ୍ତିମାନଙ୍କ ନିକଟରେ ଜୀବନର କୃତଜ୍ଞତାସ୍ୱରୂପ ଏହି ବହି ଖଣ୍ଡକ ସେମାନଙ୍କ କରକମଳରେ ଉତ୍ସର୍ଗ କଲି ।

 

ସଚ୍ଚିଦାନନ୍ଦ କାନୁନଗୋ

Image

 

ଦେଶବନ୍ଧୁ ଚିତ୍ତରଞ୍ଜନ

ପ୍ରଥମ ଅଧ୍ୟାୟ

ପାରିପାର୍ଶ୍ୱିକ ଅବସ୍ଥା ଓ ପିତାମାତା

 

ବହୁ ଶତାବ୍ଦୀବ୍ୟାପି ବିକ୍ରମପୁର ପୂର୍ବବଙ୍ଗ ମଧ୍ୟରେ ଶିକ୍ଷା ଓ ସଂସ୍କୃତିର କେନ୍ଦ୍ର ହୋଇ ଆସିଛି । ଦ୍ୱାଦଶ ଶତାବ୍ଦୀରେ ଏହା ଥିଲା ବଙ୍ଗର ରାଜା ବଲ୍ଲାଳ ସେନ୍ ଓ ରାଜା ଲକ୍ଷ୍ମଣ ସେନ୍‍ଙ୍କ ରାଜଧାନୀ । ୧୦ମ ଶତାବ୍ଦୀରେ ବୁଦ୍ଧଦେବଙ୍କର ବାଣୀ ପ୍ରଚାରପାଇଁ ଯେଉଁ ଦୀପଙ୍କର ତିବ୍ବତ ଯାତ୍ରା କରିଥିଲେ, ଏହା ତାଙ୍କର ଥିଲା ଜନ୍ମସ୍ଥାନ । ମଧ୍ୟଯୁଗରେ ବହୁ ଦିନ ଧରି ଦିଲ୍ଲୀର ସମ୍ରାଟଙ୍କ ବିରୁଦ୍ଧରେ ଯେଉଁ କେଦାର ରାୟ ବିପ୍ଳବ କରୁଥିଲେ, ସେ ମଧ୍ୟ ଏହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଆଧୁନିକ ବଙ୍ଗର ବହୁ ମନୀଷୀ ଏହି ସ୍ଥାନର ଲୋକ । ଜଗଦୀଶଚନ୍ଦ୍ର ବୋଷ ଏବଂ ଚିତ୍ତରଞ୍ଜନ ଦାସ ମଧ୍ୟ ଏହି ପ୍ରଗନାର ଲୋକ ।

 

ବର୍ତ୍ତମାନ ପୂର୍ବ–ବଙ୍ଗରେ ଅବସ୍ଥିତ ଏହି ବିକ୍ରମପୁର ବହୁ ନଦୀ ଓ ଶାଖାନଦୀର ଜଳରେ ପ୍ଳାବିତ ହୁଏ । ଏହି ସ୍ଥାନର ପଶ୍ଚିମ ସୀମାରେ ବିଖ୍ୟାତ ପଦ୍ମାନଦୀ ଏବଂ ପୂର୍ବସୀମାରେ ମେଘନା ବହିଯାଉଛନ୍ତି । ଏହି ନଦୀମାନଙ୍କର ବନ୍ୟାଫଳରେ ଏ ଅଞ୍ଚଳରେ ବରାବର ମୂର୍ତ୍ତିକାକ୍ଷୟ ଘଟୁଥିବାରୁ ନଦୀ ମଝିରେ ମଝିରେ ଟାପୁମାନ ହୋଇଯାଏ । ଏହି ନଦୀମାନଙ୍କ ଅବସ୍ଥିତି ଫଳରେ ସ୍ଥାନର ଜଳବାୟୁ ଅତି ମନୋରମ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କୁ ନିଜର ପେଟପୋଷିବା ପାଇଁ ବରାବର ପ୍ରକୃତି–ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼େ । ୧୯୧୫ ମସିହାରେ ବିକ୍ରମପୁର ପରିଦର୍ଶନ କରିଥିବା ଲର୍ଡ଼ କାରମାଇକେଲ ମନ୍ତବ୍ୟ ପ୍ରକାଶ କରିଥିଲେ–

 

‘‘ବିକ୍ରମପୁର ମୋର ଜନ୍ମଭୂମି ସ୍କଟ୍‍ଲ୍ୟାଣ୍ଡ କଥା ବହୁ ପରିମାଣରେ ସ୍ମରଣ କରାଇଦିଏ-। ସ୍କଟ୍‍ଲ୍ୟାଣ୍ଡର ବହୁ କୃତୀ ସନ୍ତାନ ଯେପରି ନିଜ ଦେଶ ବାହାରେ ବ୍ରିଟିଶସାମ୍ରାଜ୍ୟର ଚାରିଆଡ଼େ ଚାକିରି କରି ବିଭିନ୍ନ ଲୋକଙ୍କୁ ଶାସନ କରିବାରେ ଅଂଶ ନିଅନ୍ତି, ସ୍କଟ୍‍ଲ୍ୟାଣ୍ଡର ଲୋକମାନେ ଯେପରି ନିଜର ମାତୃଭୂମି ଯୋଗୁଁ ସବୁବେଳେ ଗର୍ବିତ ଏବଂ ସେମାନଙ୍କ ପିଲାମାନେ ଯେପରି ଗୌରବିତ, ଏଠାର ଲୋକେ ମଧ୍ୟ ଠିକ୍ ସବୁ ବିଷୟରେ ସେହିପରି ।’’

 

ପଦ୍ମା ନଦୀର ଉତ୍ତର–ସୀମାରେ ବିକ୍ରମପୁରରେ ଟାଲିରବାଗ ବୋଲି ଗୋଟିଏ ଗ୍ରାମ ଅଛି । ଏହି ଗ୍ରାମର ବୈଦ୍ୟ–ପରିବାରରେ ଚିତ୍ତରଞ୍ଜନ ଦାସ ଜନ୍ମଗ୍ରହଣ କରିଥିଲେ । ଏହି ବୈଦ୍ୟ–ସମ୍ପ୍ରଦାୟଭୁକ୍ତ ଲୋକଙ୍କର କୌଳିକ ବ୍ୟବସାୟ ଚିକିତ୍ସା ହୋଇଥିଲେ ସୁଦ୍ଧା ସେମାନଙ୍କର ପ୍ରଗତିଶୀଳ ମତବାଦ ଓ ପାଣ୍ଡିତ୍ୟ ହେଉଛି ବିଶେଷତ୍ୱ । ଏହି ସମ୍ପ୍ରଦାୟର ଲୋକେ ନିଜ ଗୋଷ୍ଠୀ ମଧ୍ୟରେ ଉଚ୍ଚଶିକ୍ଷାକୁ ଅତିମାତ୍ରାରେ ଉତ୍ସାହିତ କରି ଆସିଛନ୍ତି । ନାରୀଶିକ୍ଷାକ୍ଷେତ୍ରରେ ଏହି ସମ୍ପ୍ରଦାୟ ଭାରତବର୍ଷରେ ଅତି ଆଗୁଆ ।

 

ଯେଉଁ ସମ୍ପ୍ରଦାୟଙ୍କର ଜନ୍ମସ୍ଥାନର ଏପରି ମାହାତ୍ମ୍ୟ ଅଛି, ସେହି ସମ୍ପ୍ରଦାୟରେ ଚିତ୍ତରଞ୍ଜନ ଦାସ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ତାଙ୍କର ଦୃଢ଼ତା, ସାହସିକତା ଓ ଅଧ୍ୟବସାୟର ନିଦର୍ଶନ ମିଳୁଥିଲା । ସେ ତାଙ୍କ ଗୋସବାପାଙ୍କ ବାପା ଚନ୍ଦ୍ରନାଥ ଦାସଙ୍କଠାରୁ ଦାନଶୀଳତା ଗୁଣ ପାଇଥିଲେ ।

 

ଚିତ୍ତରଞ୍ଜନଙ୍କ ଗୋସବାପା କାଶୀଶ୍ୱର ଦାସ ବରିସାଲର ସରକାରୀ ଓକିଲ ଥିଲେ ଏବଂ ତାଙ୍କର କାଳିମୋହନ, ଦୁର୍ଗାମୋହନ ଓ ଭୁବନମୋହନ ବୋଲି ତିନି ପୁଅ ଥିଲେ । ତିନି ଭାଇଯାକ କଲିକତା ହାଇକୋର୍ଟର ଓକିଲ ଥିଲେ । ସେମାନଙ୍କ ମଧ୍ୟରେ ବଡ଼ କାଳିମୋହନ ଓକିଲ ହିସାବରେ ଖୁବ୍ ନାମ କରିଥିଲେ ଓ ଖୁବ୍ ଉଦାର ପ୍ରକୃତିର ଲୋକ ଥିଲେ । ସେ ଟିକିଏ କ୍ଷଣକୋପୀ ଥିବାରୁ ସବୁ ସମୟରେ କ୍ଷମତାରେ ଥିବା ଲୋକଙ୍କ ସହିତ ତାଙ୍କର ସଂଘର୍ଷ ଦେଖାଦେଉଥିଲା । ସେ ସମୟରେ କୌଣସି ଓକିଲ ପକ୍ଷରେ ଜଜ୍, ବିଶେଷତଃ ହାଇକୋର୍ଟ ଜଜ୍‍ଙ୍କ କଥାରେ ଏକମତ ନ ହୋଇ ଅନ୍ୟଥା କହିବା ଖୁବ୍ କ୍ୱଚିତ ଦେଖାଯାଉଥିଲା । ସୁଆଲ ଜବାବବେଳେ ଥରେ ଜଷ୍ଟିସ୍ ଲୁଇ ଜାକ୍‍ସନ୍ କାଳିମୋହନ ଦାସଙ୍କୁ ଏଥିପାଇଁ ତାଗିଦ କରିଦେଇଥିଲେ । ସୁଆଲ ଜବାବ କରୁ କରୁ କାଳିମୋହନ ଜଜ୍‍ଙ୍କ ପ୍ରତି ଲକ୍ଷ୍ୟ କରି କହିଲେ, ‘‘ବଡ଼ ଆଶ୍ଚର୍ଯ୍ୟର ବିଷୟ ଯେ, ଆପଣଙ୍କର ଏତେ ବର୍ଷ ଧରି ଜିଲ୍ଲା ଜଜ୍ ହିସାବରେ ଅଭିଜ୍ଞତା ଥିଲେ ସୁଦ୍ଧା ଜଣେ ଆଇନ ଛାତ୍ର ଯାହା ସହଜରେ ବୁଝିପାରିବ, ମୁଁ ଆପଣଙ୍କୁ ତାହା ବୁଝାଇ ପାରୁ ନାହିଁ ।’’

 

ଏଥିରେ ଜଜ୍ କ୍ଷୁବ୍ଧ ହୋଇ ତାଙ୍କୁ ଏଥିପାଇଁ କାହିଁକି ଦଣ୍ଡ ଦିଆ ନ ଯିବ, ତା’ର କୈଫିୟତ୍ ମାଗିଲେ । କାଳିମୋହନଙ୍କ ବହୁ ହିତାକାଂକ୍ଷୀ ଏଥିନିମିତ୍ତ କ୍ଷମାପ୍ରାର୍ଥନା କରିବାକୁ ତାଙ୍କୁ ପରାମର୍ଶ ଦେଲେ; କିନ୍ତୁ ସେ ସେଥିରେ ରାଜି ହେଲେ ନାହିଁ । ବିଷୟଟି ବିଚାରପାଇଁ ହାଇକୋର୍ଟର ପୂରା ବେଞ୍ଚ୍‍କୁ ଦିଆଗଲା ଏବଂ ଚିଫ୍ ଜଷ୍ଟିସ୍ ସାର୍ ବାରନେସ୍ ପିକକ୍ (Sir Barnes Peacock) କାଳିମୋହନଙ୍କ ସପକ୍ଷରେ ରାୟ ଦେବାକୁ ଯାଇ କହିଥିଲେ, ‘‘ଅବଶ୍ୟ କାଳିମୋହନ ଯେ ଅସଂଯତ ଭାଷା ବ୍ୟବହାର କରିଛନ୍ତି, ଏ ବିଷୟରେ କୌଣସି ସନ୍ଦେହ ନାହିଁ; କିନ୍ତୁ ସେ ଯାହା ସୁଆଲ ଜବାବ କରୁଥିଲେ, ତାହା ଠିକ୍ ଥିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ କରାଯିବା ଅନାବଶ୍ୟକ ।’’

 

ଦୁର୍ଗାମୋହନ ଥିଲେ ଜଣେ ବିଖ୍ୟାତ ସମାଜସଂସ୍କାରକ ଓ ନିଆଁଗିଳା ବ୍ରାହ୍ମ । ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୧୬ ବର୍ଷ ବ୍ରାହ୍ମସମାଜ ପକ୍ଷରୁ ସ୍ଥିର କରାଯାଇଥିଲା । ତାଙ୍କ ଝିଅକୁ ୧୬ ବର୍ଷ ବୟସ ହୋଇ ନଥିବାରୁ କୁଚବିହାରର ମହାରାଜାଙ୍କ ସହିତ ତାକୁ ବିଭାଦେବାକୁ ସେ ଅସ୍ୱୀକାର କଲେ । ଆନନ୍ଦମୋହନ ବୋଷ, ଶିବନାଥ ଶାସ୍ତ୍ରୀ ଏବଂ ଅନ୍ୟମାନଙ୍କ ସହିତ ପରଦାପ୍ରଥା ନିରାକରଣ ଏବଂ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନ ଅଧିକାର ପ୍ରତିଷ୍ଠାପାଇଁ ସେ ଆନ୍ଦୋଳନ କରିଥିଲେ । ତାଙ୍କର ତିନି ପୁଅଯାକ ବାରିଷ୍ଟରି ପାସ୍ କରି ଓକିଲାତି କରୁଥିଲେ । ସେମାନଙ୍କ ମଧ୍ୟରୁ ସତୀଶରଞ୍ଜନ ଦାସ ବଙ୍ଗଳାର ଆଡ଼୍‍ଭୋକେଟ ଜେନେରାଲ ହୋଇ ପରେ ବଡ଼ଲାଟଙ୍କ ଏକ୍‍ଜିକ୍ୟୁଟିଭ୍ କାଉନ୍‍ସିଲର୍ ଆଇନ ସଭ୍ୟ ହୋଇଥିଲେ ।

 

ଚିତ୍ତରଞ୍ଜନଙ୍କ ପିତା ଭୁବନମୋହନ ଓକିଲାତି କରୁଥିଲେ ଓ କଲିକତା ହାଇକୋର୍ଟର ଆଟର୍ଣ୍ଣୀ ମଧ୍ୟ ଥିଲେ । ସେ ଅତି ପଣ୍ଡିତ ଓ ଉଦାରପ୍ରକୃତିର ଲୋକ ଥିଲେ । ସେ ନିଜେ କବିତା ଲେଖୁଥିଲେ ଓ ଅତି ସଙ୍ଗୀତପ୍ରିୟ ଥିଲେ । ସବୁ ଦିନ ସକାଳୁ ନିଜ ରଚିତ କବିତାମାନ ସେ ଗାଉଥିଲେ । ସେ ମଧ୍ୟ ଥିଲେ ଜଣେ ସୁଲେଖକ । ‘‘’Brahmo Public Opinion’’ର ସମ୍ପାଦକ ହିସାବରେ ତାଙ୍କର ମୌଳିକ ଲେଖା ଓ ଅଧ୍ୟବସାୟ ଯୋଗୁଁ ବଙ୍ଗଳାର ସାମ୍ୱାଦିକ ମହଲରେ ସେ ଖୁବ୍ ଉଚ୍ଚସ୍ଥାନ ଲାଭ କରିଥିଲେ । ତାଙ୍କ ଭାଇ କାଳିମୋହନଙ୍କ ପରି ତାଙ୍କୁ ମଧ୍ୟ ବହୁ ଥର କ୍ଷମତାରେ ଥିବା ଲୋକଙ୍କ ସହିତ ସଂଘର୍ଷରେ ଆସିବାକୁ ପଡ଼ିଥିଲା ।

 

ଚିତ୍ତରଞ୍ଜନ ତାଙ୍କ ବାପାଙ୍କର ବହୁଗୁଣ ଲାଭ କରିଥିଲେ ସୁଦ୍ଧା ମାଆଙ୍କ ପ୍ରଭାବ ତାଙ୍କ ଉପରେ ବିଶେଷଭାବରେ ପଡ଼ିଥିଲା । ତାଙ୍କ ମାଆ ଥିଲେ ଜଣେ ଅତିଥିପରାୟଣା, ନ୍ୟାୟପରାୟଣା ଓ ଉଦାରପ୍ରକୃତିର ମହିଳା । ବିଶେଷ ଉଚ୍ଚଶିକ୍ଷା ଲାଭ କରି ନଥିଲେ ସୁଦ୍ଧା ଭଗବତଦତ୍ତ ଶିକ୍ଷା ତାଙ୍କର ଯଥେଷ୍ଟ ଥିଲା । ସ୍ୱାମୀଙ୍କର ଉଦାରପ୍ରକୃତି ଯୋଗୁଁ ତାଙ୍କ ପରିବାରକୁ ବହୁ ସମୟରେ ଯେଉଁସବୁ ବିପଦର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ତାକୁ ସମ୍ଭାଳି ନେବାପାଇଁ ତାଙ୍କର ଯଥେଷ୍ଟ ଧୈର୍ଯ୍ୟ ଓ ସାହସ ଥିଲା । ସ୍ୱାମୀ ଥିଲେ ଅତି ଖର୍ଚ୍ଚୀ ଓ ବହୁ ସମୟରେ ଅନ୍ୟ ଲୋକଙ୍କପାଇଁ ତାଙ୍କୁ କରଜ କରିବାକୁ ପଡ଼ୁଥିଲା । ଶେଷରେ ତାଙ୍କୁ ଏହିସବୁ କାରଣରୁ ଦେବାଳିଆ ହେବାକୁ ପଡ଼ିଥିଲା ଓ ତାହା ଫଳରେ ପରିବାରର ଲୋକଙ୍କୁ ବହୁ ଦୁଃଖକଷ୍ଟର ସମ୍ମୁଖୀନ ହେବାକୁ ହୋଇଥିଲା । ଏତେକ ପରିବାରର ସଂଖ୍ୟା ବଡ଼ ଥିଲା ପୁଣି ବହୁ ଲୋକଙ୍କର କରଜ ମଧ୍ୟ ଥିଲା । ଚିତ୍ତରଞ୍ଜନଙ୍କ ମାଆ ନିସ୍ତାରିଣୀ ଦେବୀ ଅତି ଧୈର୍ଯ୍ୟ ଓ ସାହସର ସହିତ ଏସବୁର ସମ୍ମୁଖୀନ ହୋଇଥିଲେ । ସମ୍ପଦ ବା ଅଭାବ ତାଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ପାରୁ ନଥିଲା-। ସେ ସବୁବେଳେ ସମ୍ପଦ–ବିପଦରେ ସମଭାବପନ୍ନା ଥିଲେ; ତେଣୁ ଚିତ୍ତରଞ୍ଜନ ଯେ ମାଆଙ୍କ ପ୍ରତି ଅତିରିକ୍ତ ଆସକ୍ତ ଥିଲେ ଓ ମାଆଙ୍କପାଇଁ ସବୁ ପ୍ରକାର ବିପଦର ସମ୍ମୁଖୀନ ହେଉଥିଲେ, ଏଥିରେ କିଛି ବିସ୍ମିତ ହେବାର ନାହିଁ ।

Image

 

ଦ୍ୱିତୀୟ ଅଧ୍ୟାୟ

ବାଲ୍ୟଜୀବନ ଓ ଶିକ୍ଷା

 

୧୮୭୦ ମସିହା ନଭେମ୍ୱର ୫ ତାରିଖ ଦିନ ଚିତ୍ତରଞ୍ଜନ କଲିକତାରେ ଜନ୍ମଗ୍ରହଣ କରିଥିଲେ । ଆଠ ଭାଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ଦ୍ୱିତୀୟ । ତାଙ୍କ ଉପରେ ଜଣେ ଭଉଣୀ ଏବଂ ତଳେ ଚାରି ଭଉଣୀ ଓ ଦୁଇ ଭାଇ ଥିଲେ ।

 

ଜୀବନର ପ୍ରଥମାବସ୍ଥାରେ ଭାରତର ସେ ସମୟର ସ୍ୱନାମଧନ୍ୟ ନେତା ଓ ବକ୍ତା ବିପିନଚନ୍ଦ୍ର ପାଲଙ୍କ ସମ୍ପର୍କରେ ସେ ଆସିଥିଲେ । ପିଲାଦିନୁ ସେ ଜାତୀୟ ସଙ୍ଗୀତକୁ ଭଲ ପାଉଥିଲେ ଏବଂ ନିଜେ ଅନେକ ସମୟରେ ତାହା ବୋଲୁଥିଲେ । ୯ ବର୍ଷ ବୟସରେ ବିଦ୍ୟାଳୟରେ ପ୍ରବେଶ କରି ୧୮୮୬ ମସିହାରେ କଲିକତା ବିଶ୍ୱବିଦ୍ୟାଳରୁ ସେ ଏଣ୍ଟ୍ରାନ୍‍ସ୍ ପାସ୍ କରିଥିଲେ । ତା’ପରେ ପ୍ରେସିଡ଼େନ୍‍ସି କଲେଜରେ ନାମ ଲେଖାଇଲେ । ଗତ ଶତାବ୍ଦୀ ମଧ୍ୟରେ ଭାରତର ବହୁ ମନୀଷୀ ଓ ପଣ୍ଡିତଙ୍କୁ ଏହି କଲେଜ ତିଆରି କରିଛି । ପ୍ରେସିଡ଼େନ୍‍ସି କଲେଜର ଛାତ୍ର ଓ ଅଧ୍ୟାପକମାନେ କହନ୍ତି, ‘‘ଯେକୌଣସି ଲୋକ ସାଧାରଣ ଜୀବନରେ କିଛି ନା କିଛି ଭାଗନେଇଥିବ, ତା’ର ପ୍ରେସିଡ଼େନ୍‍ସି କଲେଜ ସହିତ କିଛି ନା କିଛି ସମ୍ପର୍କ ନିଶ୍ଚୟ ଥିବ ।’’ ଚିତ୍ତରଞ୍ଜନଙ୍କ ସମସାମୟିକ ଛାତ୍ରମାନଙ୍କ ମଧ୍ୟରେ ଏପରି ଅନେକ ଥିଲେ, ଯେଉଁମାନେ କି ପରବର୍ତ୍ତୀ କାଳରେ ଶାସନକ୍ଷେତ୍ରରେ ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ଯଥେଷ୍ଟ ଉଚ୍ଚ ଆସନ ଲାଭ କରିଛନ୍ତି ।

 

ଚିତ୍ତରଞ୍ଜନ ଇଂରାଜୀରେ ଖୁବ୍ ଦକ୍ଷତା ଅର୍ଜନ କରିଥିଲେ ସୁଦ୍ଧା ଗଣିତଶାସ୍ତ୍ରରେ ଥିଲେ ବଡ଼ ଦୁର୍ବଳ । ବଙ୍ଗଳାସାହିତ୍ୟକୁ ସେ ବିଶେଷ ଭଲ ପାଉଥିଲେ । ବହୁ ସମୟରେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଲେଖା ପଢ଼ୁଥିଲେ ଓ ନିଜେ ମଧ୍ୟ ଲେଖାଲେଖି କରୁଥିଲେ । ତାହା ଛଡ଼ା ରବୀନ୍ଦ୍ରନାଥ ଠାକୁରଙ୍କ ସାହିତ୍ୟ ପଢ଼ୁଥିଲେ ଏବଂ କୀଟସ୍ ସେଲି ଓ ବ୍ରାଉନୀଙ୍କ ଲେଖା ମଧ୍ୟ ପଢ଼ୁଥିଲେ । ସେ ଖୁବ୍ ଭଲ ଯୁକ୍ତିତର୍କ କରିପାରୁଥିଲେ ଏବଂ ଛାତ୍ରସଂଘର ସମ୍ପାଦକ ମଧ୍ୟ ହୋଇଥିଲେ । ସେତେବେଳର ଭାରତ ଜାତୀୟ କଂଗ୍ରେସର ଜଣେ ପ୍ରଧାନ ନେତା ସୁରେନ୍ଦ୍ରନାଥ ବାନାର୍ଜୀ ପ୍ରାୟ ବରାବର ଏହି ସଂଘରେ ବକ୍ତୃତା ଦେଉଥିଲେ । ବିଶ୍ୱବିଦ୍ୟାଳୟ ପରୀକ୍ଷାର ଦ୍ୱିତୀୟ ଭାଷାରୂପେ ବଙ୍ଗଳାକୁ ଗ୍ରହଣ କରିବାପାଇଁ ସେ ଚେଷ୍ଟା କରିଥିଲେ ଓ ଏହି ସଂକ୍ରାନ୍ତରେ ଭାଇସ୍ ଚାନ୍‍ସେଲରଙ୍କ ସହିତ ଦେଖାକରିଥିଲେ । ଯେବେ ବଙ୍ଗଳାକୁ ଦ୍ୱିତୀୟ ଭାଷାରୂପେ ଗ୍ରହଣ କରାଯାଏ, ତାହାହେଲେ କାଳେ ସଂସ୍କୃତର ପ୍ରଭାବ କ୍ଷୁଣ୍ଣ ହେବ, ଏହି ଆଶଙ୍କା ଭାଇସ୍ ଚାନ୍‍ସେଲର କରୁଥିବାରୁ ତାଙ୍କର ଯୁକ୍ତି ଗୃହୀତ ହୋଇ ନଥିଲା ।

 

୧୮୯୦ ମସିହାରେ ଆଇ.ସି.ଏସ୍. ପରୀକ୍ଷା ଦେବାପାଇଁ ଚିତ୍ତରଞ୍ଜନଙ୍କୁ ବିଲାତ ଯିବାକୁ ପଡ଼ିଥିଲା । ତାଙ୍କ ସହିତ ତାଙ୍କର ବନ୍ଧୁ ଏବଂ ପରେ ଭାରତୀୟ ସିଭିଲ ସର୍ଭିସ୍‍ରେ ସୁନାମ ଅର୍ଜନ କରିଥିବା ଜେ.ଏନ୍. ଗୁପ୍ତ ମଧ୍ୟ ଯାଇଥିଲେ ।

 

ବିଲାତରେ ଚିତ୍ତରଞ୍ଜନ ଅଧ୍ୟାପକ କାରଭେତ୍ ରିଡ଼୍ (Carveth Reade)ଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ତାଙ୍କୁ ସାହିତ୍ୟ ଓ ଦର୍ଶନ ପଢ଼ାଉଥିଲେ ଏବଂ ବିଶେଷ ଭଲ ପାଉଥିଲେ । ୧୮୯୨ ମସିହାରେ ଚିତ୍ତରଞ୍ଜନ ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷା ଦେଲେ ଓ କାଳେ ଭଲ କରି ନ ପାରିବେ, ଏହି ଆଶଙ୍କାରେ ସବୁ ବିଷୟ ପରୀକ୍ଷା ଦେଲେ ନାହିଁ । ତାଙ୍କର ବନ୍ଧୁ ଜେ.ଏନ୍. ଗୁପ୍ତ ପରୀକ୍ଷାରେ କୃତିତ୍ୱ ଲାଭ କରି ଅକ୍‍ସଫୋର୍ଡ଼ ଗଲେ; କିନ୍ତୁ ଚିତ୍ତରଞ୍ଜନ ଲଣ୍ଡନରେ ରହିଗଲେ ।

 

ଅଧ୍ୟାପକ କାରଭେଜ ରିଡ଼୍‍ଙ୍କର ଏହି ଛାତ୍ରଙ୍କ ବିଷୟରେ ଖୁବ୍ ଉଚ୍ଚ ଧାରଣା ଥିବାରୁ ସେ ତାଙ୍କୁ ସବୁ ପ୍ରକାରେ ଉତ୍ସାହିତ କରୁଥିଲେ । ସେ ତାଙ୍କୁ ସବୁ ବିଷୟରେ ନିଜର ମତ ଆଗରୁ ସ୍ଥିର କରି ପଢ଼ାବହି ପଢ଼ିବାକୁ ନିର୍ଦ୍ଦେଶ ଦେଉଥିଲେ । ଏହା କରିବାପାଇଁ ତାଙ୍କୁ ଯଥେଷ୍ଟ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଥିଲା । ଏହା ଫଳରେ ତାଙ୍କ ଭିତରେ ସ୍ୱାଧୀନଚିନ୍ତା ଓ ତାହା ପ୍ରକାଶ କରିବା କ୍ଷମତା ତାଙ୍କର ପ୍ରକାଶ ପାଇବ ବୋଲି ସେ କହୁଥିଲେ ।

 

୧୮୯୩ ମସିହାରେ ପୁଣି ଚିତ୍ତରଞ୍ଜନ ଆଇ.ସି.ଏସ୍ ପରୀକ୍ଷା ଦେଲେ ଓ ତହିଁରେ ଭଲ କରିଛନ୍ତି ବୋଲି ଧାରଣା ହେବାରୁ ତାଙ୍କ ବାପାଙ୍କ ନିକଟକୁ ତାର କଲେ । ଚିତ୍ତରଞ୍ଜନ ଏଥର ନିଶ୍ଚୟ ଆଇ.ସି.ଏସ୍. ପାଇବେ ବୋଲି ପରୀକ୍ଷା ଦେଉଥିବା ଆଉ ଜଣେ ଛାତ୍ର ଆଲବିନ୍ ବାନାର୍ଜୀ ତାଙ୍କ ବନ୍ଧୁଙ୍କ ନିକଟକୁ ଲେଖିଥିଲେ; କିନ୍ତୁ ଦୁର୍ଭାଗ୍ୟବଶତଃ ୫୦ ଜଣ ନିଆଯିବେ ବୋଲି ପୂର୍ବରୁ ଜଣାଇ ଦିଆଯାଉଥିଲେ ସୁଦ୍ଧା କାର୍ଯ୍ୟକ୍ଷେତ୍ରରେ ୪୨ ଜଣ ନିଆଗଲା । ଚିତ୍ତରଞ୍ଜନ ୪୩ତମ ସ୍ଥାନ ଅଧିକାର କରିଥିଲେ ।

 

ଚିତ୍ତରଞ୍ଜନଙ୍କର ରାଜନୈତିକ କାର୍ଯ୍ୟଫଳରେ ତାଙ୍କୁ ନିଆଗଲା ନାହିଁ ବୋଲି ବହୁ ଲୋକ ଭାବିଲେ । ସେ ପିଲାଦିନୁ ଥିଲେ ଅତି ଦେଶପ୍ରେମୀ ଏବଂ ସ୍ୱଦେଶୀ ଜିନିଷ ପ୍ରତି ତାଙ୍କ ଶ୍ରଦ୍ଧାର ନିଦର୍ଶନ ମଧ୍ୟ ମିଳିଥିଲା । ବିଲାତରେ ଥିଲାବେଳେ ଖୁବ୍ ଓଜନଦାର ସୁନାଗହଣା ସେ ପିନ୍ଧୁଥିବାରୁ ତାହା ତାଙ୍କ ଶିକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏଭଳି ପୁରୁଣାକାଳିଆ ଜିନିଷ କାହିଁକି ପିନ୍ଧୁଛନ୍ତି ବୋଲି ପଚାରିବାରୁ ଚିତ୍ତରଞ୍ଜନ ଜବାବଦେଇଥିଲେ, ବିଲାତରେ ତିଆରି ହୋଇଥିବା ଅତ୍ୟାଧୁନିକ ଜିନିଷ ଅପେକ୍ଷା ଖାଣ୍ଟି ଭାରତୀୟ ଜିନିଷକୁ ସେ ଅଧିକ ପସନ୍ଦ କରନ୍ତି ।

 

ଭାରତୀୟ ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ଥରପାଇଁ ପରୀକ୍ଷା ଦେବା ପରେ ଚିତ୍ତରଞ୍ଜନ ଭାରତୀୟ ଜାତୀୟତାବାଦୀ ରାଜନୈତିକ କାର୍ଯ୍ୟରେ ସଂପୃକ୍ତ ହୋଇଗଲେ । ୧୮୯୨ ମସିହାରେ ହୋଇଥିବା ପାର୍ଲିଆମେଣ୍ଟ୍ ନିର୍ବାଚନରେ ଭାରତୀୟମାନେ ଗ୍ଲାଡ଼୍‍ଷ୍ଟୋନ୍‍ଙ୍କ ସମର୍ଥକମାନଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଥିଲେ । ୧୮୮୩ ମସିହାରେ ହୋଇଥିବା IIbert Bill ବିରୁଦ୍ଧରେ ଆନ୍ଦୋଳନଠାରୁ ଆରମ୍ଭ କରି ବହୁ ଘଟଣା ଘଟିଥିଲା, ଯାହା ଫଳରେ କି ଛାତ୍ରସମାଜ ମଧ୍ୟରେ ଅଧିକ ଜାଗରଣ ଦେଖାଯାଇଥିଲା । ସୁରେନ୍ଦ୍ରନାଥ ବାନାର୍ଜୀ ଠିକ୍ ସେହି ବର୍ଷ ଜେଲଦଣ୍ଡ ପାଇଥିଲେ । ଲର୍ଡ଼ ରିପନ୍ ଭାରତରୁ ବିଦାୟ ନେଉଥିବାରୁ ଇଂରେଜ ଲୋକେ ଏକଦିଗରେ ଖୁସି ହେଉଥାନ୍ତି ଏବଂ ଅନ୍ୟଦିଗରେ ଭାରତୀୟ ଲୋକେ ତାଙ୍କୁ ଆନ୍ତରିକ ବିଦାୟ ସମ୍ୱର୍ଦ୍ଧନା ଦେଉଥାନ୍ତି ।

 

୧୮୮୫ ମସିହାରେ ବମ୍ୱେରେ ଶ୍ରୀ ଡବଲ୍ୟୁ.ସି. ବାନାର୍ଜୀଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟକଂଗ୍ରେସର ପ୍ରଥମ ଅଧିବେଶନ ବସିଥିଲା । ଦ୍ୱିତୀୟ ଅଧିବେଶନ କଲିକତାରେ ଦାଦାଭାଇ ନାରୋଜୀଙ୍କ ସଭାପତିତ୍ୱରେ ଏବଂ ତୃତୀୟ ଅଧିବେଶନ ମାନ୍ଦ୍ରାଜରେ ସୟେଦ ବଦରୁଦ୍ଦିନ୍ ତୟାବଜୀଙ୍କ ସଭାପତିତ୍ୱରେ ବସିଲା । କଂଗ୍ରେସର ଅଭ୍ୟୁଦୟକୁ ଭାରତୀୟ ବୁଦ୍ଧିଜୀବୀଶ୍ରେଣୀ ସ୍ୱାଗତ କରୁଥିଲେ ସୁଦ୍ଧା ଇଂରେଜ କର୍ତ୍ତୃପକ୍ଷ ଅସ୍ୱସ୍ତି ଅନୁଭବ କରି ଆତଙ୍କ ପ୍ରକାଶ କରୁଥାନ୍ତି । ଲର୍ଡ଼ ଡଫରିନ୍ କଂଗ୍ରେସର ସଭ୍ୟମାନଙ୍କୁ ନଗଣ୍ୟ ସଂଖ୍ୟାଲଘିଷ୍ଠ ଲୋକ ବୋଲି ଚିତ୍ର କରିଥିଲେ; କିନ୍ତୁ ଏହା ଫଳରେ ଦେଶର ଯୁବସମ୍ପ୍ରଦାୟ ମଧ୍ୟରେ ଉଗ୍ର ଜାତୀୟତାବାଦ ପ୍ରକାଶ ପାଇଲା । ୧୮୮୯ ମସିହାରେ କଂଗ୍ରେସର ୫ମ ଅଧିବେଶନ ବମ୍ୱେରେ ହେଲା ଏବଂ ବିଲାତ ପାର୍ଲିଆମେଣ୍ଟ୍‍ର ଉଦାରପନ୍ଥୀ ସଭ୍ୟ ବ୍ରାଡ଼୍‍ଲ ଏହି ଅଧିବେଶନରେ ଯୋଗ ଦେଇଥିଲେ । ସେ ଯୋଗ ଦେବା ପରେ ବିଲାତ ଫେରି ଭାରତୀୟ ଶାସନସଂସ୍କାର ସମ୍ପର୍କରେ ପାର୍ଲିଆମେଣ୍ଟ୍‍ରେ ଗୋଟିଏ ବିଲ୍ ଆଗତ କଲେ । ଏହି ବିଲ୍ ଦ୍ୱିତୀୟ ଶୁଣାଣିରେ ପାସ୍ ହୋଇଥିଲେ ସୁଦ୍ଧା ବ୍ରାଡ଼ଲ୍ ଅସୁସ୍ଥ ହେବାରୁ ଏହା ଆଇନରେ ପରିଣତ ହୋଇପାରିଲା ନାହିଁ ଏବଂ ଏହି ଅସୁସ୍ଥତା ଫଳରେ ପରେ ତାଙ୍କର ହେଲା ମୃତ୍ୟୁ । ତା’ପରେ ସେତେବେଳର ଭାରତମନ୍ତ୍ରୀ ଲର୍ଡ଼ କ୍ରସ୍ (Lord Cross) ଗୋଟିଏ ବିଲ୍ ଆଗତ କରିଥିଲେ ଏବଂ Indian Coucil Act, 1892 ନାମରେ ଏହି ବିଲ୍‍ଟି ଆଇନରେ ପରିଣତ ହେଲା । ଲର୍ଡ଼ସଭାରେ (House of Lords)ରେ ଲର୍ଡ଼ ନର୍ଥବ୍ରୁକ୍ (Lord North Brook), ଲର୍ଡ଼ ରିପନ୍ (Lord Ripon) ଏବଂ (Lord Sandley) ଏବଂ କମନସ୍ ସଭାରେ ( House of Commons) ମି: ଗ୍ଲାଡ଼ଷ୍ଟୋନ୍ (Mr. Gladstone)ଙ୍କ ଦାବି ସତ୍ତ୍ୱେ ଏହି ବିଲ୍‍ରେ ନିର୍ବାଚିତ ବ୍ୟବସ୍ଥାପକ ସଭା ପରିବର୍ତ୍ତେ ମନୋନୀତ ସଭାର ବ୍ୟବସ୍ଥା କରାଯାଇଥିଲା ।

 

ବିଲାତରେ ୧୮୯୨ ମସିହାର ନିର୍ବାଚନରେ ଭାରତୀୟ ପ୍ରଶ୍ନ ବିଶେଷ ଭାବରେ ଉଠିବା ସ୍ୱାଭାବିକ । ଭାରତୀୟ ସ୍ୱାୟତ୍ତ ଶାସନକୁ ବିରୋଧ କରୁଥିବା କେତେକ ଲୋକ ବକ୍ତୃତାରେ ଭାରତୀୟମାନଙ୍କ ବିରୁଦ୍ଧରେ ଭାଷଣ ଦେଲେ । ଏହା ଫଳରେ ବିଲାତରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଅତିରିକ୍ତ ପ୍ରତିକ୍ରିୟା ଦେଖାଦେଲା । ଏହି ରାଜନୈତିକ ଆନ୍ଦୋଳନରେ ଚିତ୍ତରଞ୍ଜନ ମୁଖ୍ୟ ଅଂଶଗ୍ରହଣ କଲେ । ସେ ସିଭିଲ ସର୍ଭିସ୍‍ପାଇଁ ପ୍ରାର୍ଥୀ ଥିଲେ ସୁଦ୍ଧା ସେଥିପ୍ରତି ଭ୍ରୂକ୍ଷେପ ନ କରି ଏକ୍‍ସିଟର ଏବଂ ଅନ୍ୟାନ୍ୟ ଜାଗାରେ ଭାରତୀୟ ଶାସନସଂସ୍କାର ସପକ୍ଷରେ ବକ୍ତୃତାମାନ ଦେଲେ । ଗ୍ଲାଡ଼୍‍ଷ୍ଟୋନ୍ (Gladstone)ଙ୍କ ସମେତ ବହୁ ଉଦାରଚେତା ନେତୃବୃନ୍ଦଙ୍କର ତାଙ୍କ ବକ୍ତୃତା ଉପରେ ଦୃଷ୍ଟି ପଡ଼ିଲା । ଶେଷକୁ ଉଦାରନୈତିକଦଳର ଲୋକେ ନିର୍ବାଚନରେ ଯଶସ୍ୱୀ ହେଲେ ସୁଦ୍ଧା ପୂର୍ବଲିଖିତମତେ ଚିତ୍ତରଞ୍ଜନ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ଲାଭ କରିପାରିଲେ ନାହିଁ । ତାଙ୍କର ରାଜନୈତିକ କାର୍ଯ୍ୟ ଯୋଗୁଁ ଚାକିରି ମିଳିଲା ନାହିଁ ବୋଲି ସେ ଭାବିଲେ ଏବଂ ବାପାଙ୍କୁ ତାର କଲେ–‘‘Failed., One place out. Jobbery ।’’

 

ସେ ଚାକିରି ନ ପାଇବା ଯୋଗୁଁ ପରିବାରର ଲୋକେ ଯେତେ ବ୍ୟସ୍ତ ନହେଲେ, କାଳେ ନିରାଶ ହୋଇ ଅନ୍ୟ କୌଣସି ଦୃଢ଼ କାର୍ଯ୍ୟ କରିବେ ବା ଭାରତବର୍ଷକୁ ନ ଫେରିବେ, ସେଥିପାଇଁ ବିଶେଷ ବ୍ୟସ୍ତ ହୋଇପଡ଼ିଲେ । ସେ ବାରିଷ୍ଟରି ପଢ଼ିବା ଦରକାର ଏବଂ ପରିବାରର ଅବସ୍ଥା ଦୃଷ୍ଟିରୁ ଆଇନ ଅଧ୍ୟୟନ ନିତାନ୍ତ ଆବଶ୍ୟକ ବୋଲି ବାପା ଭୁବନମୋହନ ତାର ଯୋଗେ ତାଙ୍କୁ ଜଣାଇଦେଲେ ଓ ଚିଠି ଲେଖିଲେ । ଏହି ସମ୍ପର୍କରେ କଲିକତା ହାଇକୋର୍ଟର ଭୂତପୂର୍ବ ଚିଫ୍ ଜଷ୍ଟିସ୍ ସାର୍ ରିଚାର୍ଡ଼ ଗାର୍ଥ ଭୁବନମୋହନଙ୍କ ନିକଟକୁ ଲେଖିଥିବା ନିମ୍ନଲିଖିତ ପତ୍ର ଅତ୍ୟନ୍ତ ଆଗ୍ରହଜନକ–

 

‘‘ମୁଁ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ସୁଦ୍ଧା ଆପଣଙ୍କ ପୁଅର ବକ୍ତୃତା ଯୋଗୁଁ କିଛି ହୋଇପାରିଲା ନାହିଁ । ମୁଁ ଭାରତ ଅଫିସ୍‍କୁ ମଙ୍ଗାଇପାରିଲି ନାହିଁ ।’’

 

ଚିତ୍ତରଞ୍ଜନ ଇନ୍‍ରଟେମ୍ପୁଲ୍‍ରେ ଯୋଗଦେଲେ ଏବଂ ୧୮୯୩ ମସିହାରେ ବାରିଷ୍ଟରି ପାସ୍‍କଲେ ।

Image

 

ତୃତୀୟ ଅଧ୍ୟାୟ

ପ୍ରଥମ ସଂଗ୍ରାମ ଓ ତହିଁରେ କୃତିତ୍ୱ

 

୧୮୯୩ ମସିହା ଡିସେମ୍ୱର ମାସରେ କଲିକତା ହାଇକୋର୍ଟର ଜଷ୍ଟିସ୍ ସେଲ୍‍ଙ୍କ କୋର୍ଟରେ ଚିତ୍ତରଞ୍ଜନ ଆଡ଼୍‍ଭୋକେଟଭାବେ ଗୃହୀତ ହେଲେ । ଅନ୍ୟାନ୍ୟ ଯୁବକ ଆଇନଜୀବୀମାନଙ୍କ ପରି ତାଙ୍କୁ ମଧ୍ୟ ପ୍ରଥମ ଅବସ୍ଥାରେ ବହୁ ଘାତପ୍ରତିଘାତ ତଥା ଝଡ଼ଝଞ୍ଜା ମଧ୍ୟ ଦେଇ ଓ ବହୁ କ୍ଷେତ୍ରରେ ନୈରାଶ୍ୟର ସମ୍ମୁଖୀନ ହୋଇ ଗତିକରିବାକୁ ପଡ଼ିଥିଲା । ଏହି ନୂତନ ଜୀବନ ପ୍ରଥମ ଅବସ୍ଥାରେ ତାଙ୍କୁ ନୈରାଶ୍ୟପୂର୍ଣ୍ଣ ବୋଧ ହେଉଥିଲା । ତାଙ୍କ ବାପା କରଜରେ ବୁଡ଼ି ରହିଥିଲେ । ଏପରି ଅବସ୍ଥାରେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା, ବିଶେଷତଃ ଯେତେବେଳେ କଲିକତା କର୍ପୋରେସନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ପରାଜିତ ହେଲେ, ସେତେବେଳେ ଅତି ଶୋଚନୀୟ ହୋଇଯାଇଥିଲା । ସେତେବେଳେ ବାରିଷ୍ଟରମାନେ ଟ୍ରାମ୍ ସାହାଯ୍ୟରେ ବା ଚାଲିକରି ଯିବାକୁ ଅପମାନିତ ବୋଧ କରୁଥିଲେ ସୁଦ୍ଧା ଚିତ୍ତରଞ୍ଜନ ହାଇକୋର୍ଟକୁ ଗଲାବେଳେ ଟ୍ରାମ୍‍ରେ ଯାଉଥିଲେ ଓ ଫେରିଲାବେଳେ ମଇଦାନ ବାଟେ ଚାଲି ଚାଲି ଫେରୁଥିଲେ ।

 

ଚିତ୍ତରଞ୍ଜନଙ୍କ ବାପାଙ୍କର ବ୍ୟକ୍ତିଗତ କରଜ ଯଥେଷ୍ଟ ଥିଲା । ତାହା ଛଡ଼ା ତାଙ୍କର ଅମାୟିକ ଏବଂ ଉଦାର ପ୍ରକୃତି ଯୋଗୁଁ ଅନ୍ୟମାନଙ୍କ ପାଇଁ ମଧ୍ୟ ତାଙ୍କୁ ଯଥେଷ୍ଟ କରଜ କରିବାକୁ ପଡ଼ିଥିଲା । ଏପରିକି, ତାଙ୍କ ମୋହରିରଙ୍କ ସୁପାରିସ୍‍ରେ ଜଣକପାଇଁ ତାଙ୍କୁ ଜାମିନ୍‍ଦାର ହେବାକୁ ପଡ଼ିଥିଲା । ସେହି ଲୋକ ଟଙ୍କା ନ ଦେଇ ଲୁଚିବାରୁ ଭୁବନମୋହନଙ୍କୁ ୩୦ ହଜାର ଟଙ୍କା ନଗଦ ଦେବାକୁ ପଡ଼ିଥିଲା । ଚିତ୍ତରଞ୍ଜନ ଆଇନବ୍ୟବସାୟ ଆରମ୍ଭ କରିବାବେଳକୁ ତାଙ୍କ ବାପାଙ୍କର ଦୁଇ ଗୋଟି ହ୍ୟାଣ୍ଡନୋଟ୍ ତମାଦି ହୋଇଯାଉଥିବାରୁ ବାପପୁଅ ଉଭୟେ ଦସ୍ତଖତ କରି ତମାଦି ରକ୍ଷା କରିଥିଲେ । ଆଉ କେତେକ ମହାଜନ ଟଙ୍କା ଆଦାୟପାଇଁ ନାଲିଶ କରିବାରୁ ଭୁବନମୋହନ ଓ ଚିତ୍ତରଞ୍ଜନ ଉଭୟେ ଟଙ୍କା ଦେଇ ନ ପାରି ଦେବାଳିଆ (Insolvent) ବୋଲି ଘୋଷିତ ହେଲେ ଏବଂ ତାଙ୍କର ଯାହା କିଛି ସମ୍ପତ୍ତି ଥିଲା, ସେସବୁ ୧୮୯୬ ଜୁନ୍ ୧୬ ତାରିଖ ଦିନ ସରକାରୀ ନିଯୁକ୍ତ କର୍ମଚାରୀଙ୍କ ଦଖଲକୁ ଗଲା ।

 

ପ୍ରାୟ ୪ ବର୍ଷରୁ ଅଧିକ କାଳ ଚିତ୍ତରଞ୍ଜନଙ୍କୁ ନିଜେ ବଞ୍ଚିବାପାଇଁ ରୋଜଗାର କରିବା ନିମିତ୍ତ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା । ତାଙ୍କ ବାପା ପ୍ରାୟ ଅବସର ଗ୍ରହଣ କରିଥିବାରୁ ଚିତ୍ତରଞ୍ଜନଙ୍କୁ ଦେବାଳିଆ ଅବସ୍ଥାରେ ଏତେ ବଡ଼ ପରିବାର ଚଳାଇବାର ସମସ୍ତ ଦାୟିତ୍ୱ ନେବାକୁ ପଡ଼ିଥିଲା । ଏହି ସବୁ ବିପଦର ସମ୍ମୁଖୀନ ହୋଇ ସେ ଦବି ନ ଯାଇ ବରଂ ନିଜର ସୁନାମ ପ୍ରତିଷ୍ଠା କରି ବହୁ ରୋଜଗାର କରିପାରିବା ଉଦ୍ଦେଶ୍ୟରେ ଯଥେଷ୍ଟ ପରିଶ୍ରମ କରୁଥିଲେ ।

 

ଚିତ୍ତରଞ୍ଜନଙ୍କ ବ୍ୟବସାୟ ଦୃଷ୍ଟିରୁ ପାରିବାରିକ ପରମ୍ପରା ମଧ୍ୟ ତାଙ୍କ ପକ୍ଷରେ ଯଥେଷ୍ଟ ଅନୁକୂଳ ହୋଇଥିଲା । ତାଙ୍କ ଗୋସବାପା କାଶୀଶ୍ୱରଦାସ ଥିଲେ ସରକାରୀ ଓକିଲ । ତାଙ୍କ ବଡ଼ବାପାମାନେ ମଧ୍ୟ ଖୁବ୍ ଭଲ ଓକିଲ ଥିଲେ । ଏହି ପରିବାରରୁ ବାହାରିଥିବା ତିନି ଜଣ ହାଇକୋର୍ଟ ଜଜ୍‍ଙ୍କ ମଧ୍ୟରେ ଭାରତର ସୁପ୍ରିମ କୋର୍ଟର ଚିପ୍ ଜଷ୍ଟିସ୍ ହିସାବରେ ଅବସର ଗ୍ରହଣ କରିଥିବା ସୁଧୀରଞ୍ଜନ ଦାସ ହେଉଛନ୍ତି ଅନ୍ୟତମ । ଚିତ୍ତରଞ୍ଜନଙ୍କ ନିଜ ସାନଭାଇ P.R.Das ଏ ଯୁଗର ଜଣେ ପ୍ରଧାନ ଆଇନଜ୍ଞ ଥିଲେ ।

 

କଲିକତା ହାଇକୋର୍ଟର ଦେୱାନି ମୋକଦ୍ଦମା କ୍ଷେତ୍ରରେ ମୂଳ ମକଦ୍ଦମା ଚଳାଇବାରେ (Original Side) କାର୍ଯ୍ୟ କରିବା ଖୁବ୍ ଲାଭପ୍ରଦ ହୋଇଥିଲେ ସୁଦ୍ଧା ଏବଂ ଭଲ ଓକିଲମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସେ କ୍ଷେତ୍ରରେ ସୁନାମ କରିବାପାଇଁ ଯଥେଷ୍ଟ ସମୟ ଲାଗେ । ଚିତ୍ତରଞ୍ଜନଙ୍କ ଆର୍ଥିକ ଅବସ୍ଥା ଦୃଷ୍ଟିରୁ ବେଶୀ ଦିନ ଅପେକ୍ଷା କରିବା ସମ୍ଭବପର ନଥିଲା । ତେଣୁ ସେ ଫୌଜଦାରି ମୋକଦ୍ଦମା କାର୍ଯ୍ୟ ହାତକୁ ନେଲେ । ଏପରିକି ବହୁ ସମୟରେ ସେ ମଫସଲ କୋର୍ଟମାନଙ୍କୁ ଯାଉଥିଲେ । ତାଙ୍କର ଆର୍ଥିକ ଅବସ୍ଥା ଏପରି ଶୋଚନୀୟ ଥିଲା ଯେ, ବହୁ କ୍ଷେତ୍ରରେ ତାଙ୍କ ସ୍ତରର ବାରିଷ୍ଟର ଯେତେ ଫିସ୍ ନେବା କଥା, ତାହାଠାରୁ କମ୍ ଫିସ୍ ନେଇ ସେ କାର୍ଯ୍ୟ କରୁଥିଲେ । ନାଟୋରର ମହାରାଜା ଚିତ୍ତରଞ୍ଜନଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ ଏବଂ ସେ ସମୟର ଗୋଟିଏ ଘଟଣା ସେ ବର୍ଣ୍ଣନା କରୁଥିଲେ, ଯେଉଁଥିରେ କି ସେତେବେଳର ଚିତ୍ତରଞ୍ଜନଙ୍କ ଅବସ୍ଥାର ଚିତ୍ର ମିଳେ । ଥରେ ସେ ତାଙ୍କ ଘରକୁ ଗଲାବେଳକୁ ଚିତ୍ତରଞ୍ଜନ ଚୁପ୍‍ଚାପ୍ ହୋଇ ଅନ୍ୟମନସ୍କ ଭାବରେ ବସିଥିଲେ । ଆଉଥରେ ଯାଇ ଦେଖିଲାବେଳକୁ ଚିତ୍ତରଞ୍ଜନ ଟିକିଏ ପ୍ରଫୁଲ୍ଲ ଦେଖାଯାଉଛନ୍ତି; କାରଣ ସେ ଗୋଟିଏ ମୋକଦ୍ଦମା ପାଇଥାନ୍ତି, ଯେଉଁଥିରୁ କି ସେ ଟ୩୦୦ଙ୍କା ପାଇବେ । ଏତେ କମ୍ ଫିସ୍ ସେ ଗ୍ରହଣ କରୁଥିବାରୁ ମହାରାଜା ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ଘରେ ସାଧାରଣ ଦୈନନ୍ଦିନ ଖର୍ଚ୍ଚପାଇଁ ଟଙ୍କା ନଥିବାରୁ ଚିତ୍ତରଞ୍ଜନ ଏହି ସାମାନ୍ୟ ଟଙ୍କା ଭାରି ଖୁସି ହେଉଥିଲେ ।

 

ଚିତ୍ତରଞ୍ଜନଙ୍କ ସୁଖ୍ୟାତି କ୍ରମଶଃ ବୃଦ୍ଧିପାଇବାକୁ ଲାଗିଲା । ସାକ୍ଷୀମାନଙ୍କୁ ଜେରାକରି ନିଜ ମହକିଲ ସପକ୍ଷରେ ମୋକଦ୍ଦମାର ଗତି ବଦଳାଇବାରେ ସେ ଦକ୍ଷତା ଲାଭ କରିଥିଲେ । ସେତେବେଳେ ଆଲିପୁର ଫୌଜଦାରି କୋର୍ଟର ସ୍ୱନାମଧନ୍ୟ ଓକିଲ ଓ ତାଙ୍କ ବନ୍ଧୁ ଶରତଚନ୍ଦ୍ର ସେନ୍ ତାଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ଚିତ୍ତରଞ୍ଜନଙ୍କ ସୁଖ୍ୟାତି ବଢ଼ିବା ସଙ୍ଗେ ସଙ୍ଗେ ସେ ଆଉ ମଫସଲ କୋର୍ଟକୁ ନ ଯାଇ ସହରରେ ଆବଦ୍ଧ ରହି ଓକିଲାତି କରିବାକୁ ଲାଗିଲେ । ଏହା ଫଳରେ ମୂଳ ମକଦ୍ଦମା (Original Side)ରେ କାର୍ଯ୍ୟ କରିବାକୁ ତାଙ୍କୁ ସୁବିଧା ମିଳିଲା । ଦେୱାନୀ ମୋକଦ୍ଦମା ଦିଗରେ ଚେଷ୍ଟା କରି ସେ ମଧ୍ୟ କୃତିତ୍ୱ ଲାଭ କଲେ ।

 

ଚିତ୍ତରଞ୍ଜନଙ୍କ ଓକିଲାତି ଜୀବନରେ ୧୯୦୭ ମସିହା ବର୍ଷଟି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ । ସେତେବେଳକୁ ଫୌଜଦାରି ଓ ଦେୱାନୀ ଉଭୟ ଦିଗରେ ଜଣେ କୃତୀ ଆଇନଜ୍ଞ ବୋଲି ତାଙ୍କର ସୁନାମ ହୋଇ ସାରିଥିଲା । ବର୍ତ୍ତମାନ ସେ ଦେଶପ୍ରେମୀ ହିସାବରେ ଜାତୀୟ କାର୍ଯ୍ୟରେ ଅଭିଯୁକ୍ତ ହୋଇଥିବା ଆସାମୀମାନଙ୍କର ଓକିଲାତି କରିବାକୁ ଆରମ୍ଭ କଲେ । କଲିକତା ଚିଫ୍ ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟଙ୍କ କୋର୍ଟରେ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ ହୋଇଥିବା ବ୍ରହ୍ମ ବାନ୍ଧବ ଉପାଧ୍ୟାୟ ଏବଂ ବିପିନଚନ୍ଦ୍ର ପାଲଙ୍କ ସପକ୍ଷରେ ସେ ଲଢ଼ିଲେ ।

 

ତା’ପରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମା, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ଆଲିପୁର ବୋମା ଷଡ଼ଯନ୍ତ୍ର ମାମଲା, ଯେଉଁଥିରେ କି ପଣ୍ଡିଚେରୀର ବିଖ୍ୟାତ ଦାର୍ଶନିକ ଓ ମନୀଷୀ ଶ୍ରୀ ଅରବିନ୍ଦ ଘୋଷ ଥିଲେ ଜଣେ ଆସାମୀ । ଏହି ମୋକଦ୍ଦମାଟି ଭାରତୀୟ ଜାତୀୟ ସଂଗ୍ରାମର ଇତିହାସରେ ମୁଖ୍ୟସ୍ଥାନ ଗ୍ରହଣ କରିଥିବାରୁ ତା’ ସମ୍ପର୍କରେ ସବିଶେଷ ଆଲୋଚନା ହେବା ବାଞ୍ଛନୀୟ ।

 

ରାଜନୈତିକ ଅପରାଧରେ ଅଭିଯୁକ୍ତ ହୋଇଥିବା ଆସାମୀମାନଙ୍କୁ କଠୋର ଦଣ୍ଡ ଦେଉଥିବାରୁ କଲିକତାର ଚିଫ୍ ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟ୍ ମିଃ. କିଙ୍ଗ୍‍ସ ଫୋର୍ଡ଼ ଲୋକଚକ୍ଷୁରେ ବିଶେଷ ଅପ୍ରିୟ ହୋଇଥିଲେ । ଜାତୀୟତାବାଦୀ ସମ୍ୱାଦପତ୍ରମାନଙ୍କର ସମ୍ପାଦକ ଓ ମୁଦ୍ରାକରମାନଙ୍କୁ ସେ ଅତିରିକ୍ତ କଠୋର ଦଣ୍ଡ ଦେଉଥିଲେ । ଗୋଟିଏ ମୋକଦ୍ଦମାରେ ଜଣେ ୧୫ ବର୍ଷର ବାଳକକୁ ସେ ବେତମାଡ଼ ଦଣ୍ଡ ଦେଇଥିବା ଫଳରେ ଚାରିଆଡ଼େ, ଏପରି କି ଇଂରେଜମାନଙ୍କ ମହଲରେ ବିରକ୍ତି ପ୍ରକାଶ ପାଇଥିଲା । ତାଙ୍କ କାର୍ଯ୍ୟ ଓ କେତେକ ରାୟ ଫଳରେ ସେତେବେଳର ଭାରତ ମନ୍ତ୍ରୀ ଲର୍ଡ଼ ମର୍ଲେ ମଧ୍ୟ ଅତିରିକ୍ତ ଅସନ୍ତୋଷ ପ୍ରକାଶ କରି ବଡ଼ଲାଟ ଲର୍ଡ଼ ମିଣ୍ଟୋଙ୍କୁ ଲେଖିଲେ :–

 

‘‘ଆଜିକାଲି ରାଜଦ୍ରୋହ ପ୍ରଭୃତି ଦୋଷରେ ଯେଭଳି ଅତିରିକ୍ତ ଦଣ୍ଡ ଦିଆଯାଉଛି, ତହିଁରେ ମୁଁ ଅତି ବ୍ୟଥିତ ହେଉଥିବାର ଆପଣଙ୍କୁ ଜଣାଉଛି । ଆମକୁ ଅବଶ୍ୟ ଶାସନ ଶୃଙ୍ଖଳା ରକ୍ଷା କରିବାକୁ ପଡ଼ିବ । କିନ୍ତୁ ଅତିରିକ୍ତ ଦଣ୍ଡ ଦେବା ଶାସନ ଶୃଙ୍ଖଳା ରକ୍ଷା କରିବାର ରାସ୍ତା ନୁହେଁ-। ବରଂ ଏହା ଫଳରେ ବିଦ୍ରୋହାତ୍ମକ ମନୋଭାବ ପ୍ରକାଶ ପାଇବ ।’’

 

ବଙ୍ଗଳାର ବିପ୍ଳବୀ ନେତାମାନେ ମିଃ. କିଙ୍ଗ୍‍ସ ଫୋର୍ଡ଼ଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଜୀବନରେ ମାରିଦେବାକୁ ସ୍ଥିର କଲେ । ଉଦ୍ଦେଶ୍ୟ, ଏହା ଫଳରେ ଅନ୍ୟ କର୍ମଚାରୀମାନେ ସାବଧାନ ହୋଇଯିବେ । ଡାକଦ୍ୱାରା ତାଙ୍କ ନିକଟକୁ ଗୋଟିଏ ବୋମା ପଠାଗଲା-। କିନ୍ତୁ ଉକ୍ତ ପାର୍ସଲଟି ସେ ନ ଫିଟାଇବାରୁ ରକ୍ଷା ପାଇଗଲେ । ସେ କଲିକତାରୁ ମୋଜାଫରପୁର ଜିଲ୍ଲା ଜଜ୍ ହିସାବରେ ବଦଳି ହୋଇଯିବା ପରେ ତାଙ୍କୁ ମାରିଦେବା ପାଇଁ ଦ୍ୱିତୀୟ ଚେଷ୍ଟା କରାଗଲା । ଖୁଦିରାମ ବୋଷ ଓ ପ୍ରଫୁଲ୍ଲ ଚାକି ବୋଲି ଦୁଇ ଜଣ ଯୁବକଙ୍କୁ ଏହି କାର୍ଯ୍ୟ କରିବାପାଇଁ ଦାୟିତ୍ୱ ଦିଆଗଲା । କିନ୍ତୁ ସେମାନେ ପକାଇଥିବା ବୋମା ଲକ୍ଷ୍ୟଭ୍ରଷ୍ଟ ହେବାରୁ ଦୁଇ ଜଣ ନିରୀହ ଇଂରେଜ ମହିଳାଙ୍କ ଜୀବନ ଗଲା । ମୋଜାଫରପୁରର ମିସେସ୍ କେନେଡ଼ି ଏବଂ ମିସ୍ କେନେଡ଼ିଙ୍କର ମୃତ୍ୟୁ ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଉଦ୍‍ବେଗ ପ୍ରକାଶ ପାଇଲା-। ଖୁଦିରାମଙ୍କୁ ୱାନି ରେଳଷ୍ଟେସନ୍‍ରେ ୧୯୦୮ ମେ ପହିଲା ଦିନ ଗିରଫ୍ କରାଗଲା ଓ ପ୍ରଫୁଲ୍ଲ ଚାକିଙ୍କୁ ମୋକାମା ରେଳ ଷ୍ଟେସନ୍‍ରେ ଗିରଫ୍ କରାଗଲାବେଳେ ସେ ତାଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ । ଖୁଦିରାମଙ୍କର ମୋକଦ୍ଦମା ବିଚାର ହୋଇ ତାଙ୍କୁ ଫାଶୀଦଣ୍ଡ ଦିଆଗଲା ।

 

ଏହି ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ରକୁ ପ୍ରକାଶ କରିବାପାଇଁ ସରକାର ତଦନ୍ତ ଚଳାଇବାର ନିଷ୍ପତ୍ତି କଲେ । ୩୨ ନମ୍ୱର ମୁରାରିପୁକୁର ରୋଡ଼୍ ଖାନ୍‍ତଲାସ୍ କରାଯାଇ ବିପ୍ଳବୀ ଦଳ ‘ଯୁଗାନ୍ତର’ର ୨୬ ଜଣ ସଭ୍ୟଙ୍କୁ ଗିରଫ୍ କରାଗଲା । ତା’ପରେ ଅରବିନ୍ଦ ଘୋଷଙ୍କୁ ତାଙ୍କ ଘର ୪୮ ନମ୍ୱର ଗ୍ରେ ଷ୍ଟ୍ରିଟ୍‍ରୁ ଗିରଫ୍ କରାଗଲା । ୧୯୦୮ ଅଗଷ୍ଟ ୧୯ ତାରିଖ ଦିନ ପ୍ରାଥମିକ ଅନୁସନ୍ଧାନ ଫଳରେ ଆସାମୀମାନଙ୍କ ବିରୁଦ୍ଧରେ ରାଜଦ୍ରୋହ ଏବଂ ଷଡ଼ଯନ୍ତ୍ର ଅଭିଯୋଗ କରାଯାଇ ମୋକଦ୍ଦମା ଦାଏର କରାଗଲା । ୧୯୦୫ ମସିହାରେ ବଙ୍ଗବିଚ୍ଛେଦ ପରେ ବଙ୍ଗଳାର ସାପ୍ତାହିତ ‘‘ଯୁଗାନ୍ତର’’ରେ ଆସାମୀମାନେ ରାଜଦ୍ରୋହାତ୍ମକ ବିଷୟ ପ୍ରଚାର କରି ମହାମାନ୍ୟ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଅଭିଯୋଗ କରାଗଲା । ସେମାନେ ହିଂସାତ୍ମକ ଉପାୟରେ ସରକାରଙ୍କ ସଭା ନଷ୍ଟ କରିବାପାଇଁ ଗୋଳାବାରୁଦ ସଂଗ୍ରହ କରି ବୋମା ତିଆରି କରିବାକୁ ଆୟୋଜନ କରୁଥିଲେ ବୋଲି ମଧ୍ୟ କୁହାଗଲା । ତାହା ଛଡ଼ା ଯେଉଁ ରେଳରେ ଛୋଟଲାଟ ଆଣ୍ଡୃ ଫ୍ରେଜର୍ ଯାଉଥିଲେ, ତାହାକୁ ଲକ୍ଷ୍ୟ କରି ଏବଂ ଚନ୍ଦନନଗର ମେୟରଙ୍କ ଘରକୁ ଲକ୍ଷ୍ୟ କରି ସେମାନେ ବୋମା ପକାଇଥିଲେ ବୋଲି ମଧ୍ୟ ଅଭିଯୋଗ ହେଲା । ଢାକାର ଜିଲ୍ଲା ମାଜିଷ୍ଟ୍ରେଟ ମିଷ୍ଟର୍ ଆଲେନଙ୍କୁ ସେମାନେ ଗୁଳି କରିଥିଲେ ଓ ମିଷ୍ଟର୍ କିଙ୍ଗ୍‍ସ ଫୋର୍ଡ଼ଙ୍କୁ ମାରିବାପାଇଁ ଖୁଦିରାମ ଓ ପ୍ରଫୁଲ୍ଲଙ୍କୁ ପଠାଇଥିଲେ ବୋଲି ମଧ୍ୟ ଅଭିଯୋଗ କରାଯାଇଥିଲା ।

 

ଆସାମୀମାନଙ୍କ ପକ୍ଷରୁ ଜଣେ ନରେନ୍ଦ୍ରନାଥ ଗୋସ୍ୱାମୀ ଅନୁସନ୍ଧାନ ସମୟରେ ପୋଲିସ୍‍ର କରଗତ ହୋଇ ସରକାରୀ ସାକ୍ଷୀ ହିସାବରେ ସାକ୍ଷ୍ୟ ଦେବା ଫଳରେ ଅଧିକା ୮ ଜଣଙ୍କୁ ଗିରଫ୍ କରାଗଲା । କିନ୍ତୁ ଗୋସ୍ୱାମୀ ଯେଉଁ ଲୋଭରେ ଏଭଳି ବିଶ୍ୱାସଘାତକତା କଲେ, ତାହାର ଫଳ ଭୋଗ କରିବାକୁ ବଞ୍ଚି ରହିପାରିଲେ ନାହିଁ । ଆସାମୀମାନଙ୍କ ଭିତରୁ ଦୁଇ ଜଣ କହ୍ନାଇଲାଲ ଦତ୍ତ ଓ ସତ୍ୟେନ୍ଦ୍ରନାଥ ବୋଷ ତାଙ୍କୁ ପ୍ରେସିଡ଼େନ୍‍ସି ଜେଲ ହାସପାତାଳରେ ମାରିଦେଲେ । ସେମାନଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା କରାଯାଇ ସେମାନଙ୍କୁବି ଫାଶୀଦଣ୍ଡ ଦିଆଗଲା । ଏହି ସମସ୍ତ ସାକ୍ଷ୍ୟ ଏକତ୍ର କରାଯାଇ ଆସାମୀମାନଙ୍କୁ ‘ଦୌରାସୁପର୍ଦ୍ଦ’ (Session Commmitment) କରାଗଲା ।

 

୧୯୦୮ ଅକ୍ଟୋବର ୧୯ ତାରିଖ ଦିନ ଆଲିପୁରର ଅତିରିକ୍ତ ସେସନସ୍ ଜଜ୍ ମିଃ. ବିଚ୍ କ୍ରିଫଟ୍‍ଙ୍କ କୋର୍ଟରେ ମୋକଦ୍ଦମାର ବିଚାର ଆରମ୍ଭ ହେଲା । ସରକାରଙ୍କ ପକ୍ଷରୁ ବିଖ୍ୟାତ ଓକିଲ ମିଃ. ଇୟାର୍ଡ଼ଲି ନରଟନ୍ ମୋକଦ୍ଦମା ଆରମ୍ଭ କଲେ ଏବଂ ଶ୍ରୀ ଅରବିନ୍ଦଙ୍କ ପକ୍ଷରୁ ଶ୍ରୀଯୁକ୍ତ ବି. ଚକ୍ରବର୍ତ୍ତୀ ଏବଂ କେ.ଏନ. ଚୌଧୁରୀ ମୋକଦ୍ଦମା ଲଢ଼ିଲେ । ଶ୍ରୀ ଅରବିନ୍ଦ ସ୍ୱଇଚ୍ଛାରେ ଦାରିଦ୍ର୍ୟବ୍ରତ ଅବଲମ୍ୱନ କରିଥିବାରୁ ତାଙ୍କ ସପକ୍ଷରେ ମୋକଦ୍ଦମା ଲଢ଼ିବାପାଇଁ ସାଧାରଣରୁ ଚାନ୍ଦା ଉଠାଗଲା । ଆଦାୟ ହୋଇଥିବା ଚାନ୍ଦା ଶୀଘ୍ର ଖର୍ଚ୍ଚ ହୋଇଯିବାରୁ ଏପରି ସମୟ ଆସିଲା, ଯେତେବେଳେ ଚିତ୍ତରଞ୍ଜନଙ୍କ ଛଡ଼ା ତାଙ୍କପାଇଁ ଲଢ଼ିବାକୁ ଆଉ କେହି ବାହାରିଲେ ନାହିଁ । ଖଲାସ ହେବାପରେ ଚିତ୍ତରଞ୍ଜନଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରି ଅରବିନ୍ଦ କହିଥିଲେ–

 

‘‘ସେ ଅଚାନକ ଭାବରେ ଆସି ମୋ ସପକ୍ଷରେ ବନ୍ଧୁ ଭାବରେ ମୋକଦ୍ଦମା ଲଢ଼ିଲେ............ । ଯେଉଁ ଲୋକ ତାଙ୍କର ସମସ୍ତ ପ୍ରକାର ଅନ୍ୟ କାର୍ଯ୍ୟ ଓ ଅନ୍ୟ ଚିନ୍ତା ଛାଡ଼ି ମାସ ମାସ ଧରି ରାତିଅଧ ପର୍ଯ୍ୟନ୍ତ ଅନିଦ୍ରା ହୋଇ ମୋର ମୋକଦ୍ଦମାରେ ସମସ୍ତ ସମୟ ଦେଇ ନିଜର ସ୍ୱାସ୍ଥ୍ୟ ଖରାପ କରି ମୋତେ ରକ୍ଷା କରିଛନ୍ତି, ତାଙ୍କ ନାମ ଆପଣମାନେ ସମସ୍ତେ ଶୁଣିଛନ୍ତି । ସେ ହେଉଛନ୍ତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ । ତାଙ୍କୁ ମୁଁ ଯେତେବେଳେ ଦେଖିଲି, ସେତେବେଳେ ନିଜକୁ ଭୁଲିଗଲି ।’’

 

ତାଙ୍କ ମହକିଲମାନଙ୍କ ପାଇଁ ଚିତ୍ତରଞ୍ଜନଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ମୋକଦ୍ଦମା ସମ୍ପର୍କୀୟ ସମସ୍ତ କାଗଜପତ୍ର ପଢ଼ି ସେ ଯେଉଁମାନଙ୍କ ପକ୍ଷରୁ ଓକିଲାତି କରୁଥିଲେ, ସେମାନଙ୍କ ପକ୍ଷକୁ ଶକ୍ତିଶାଳୀ କରିବାପାଇଁ ସେ ସମସ୍ତ ପ୍ରକାର ଅନ୍ୟାନ୍ୟ ମୋକଦ୍ଦମାମାନଙ୍କର କାଗଜପତ୍ର ଦେଖୁଥିଲେ । ଏହି ଅରବିନ୍ଦଙ୍କ ମୋକଦ୍ଦମାରେ ଚିତ୍ତରଞ୍ଜନଙ୍କୁ ୧୦ ମାସ ଧରି ପୂରାପୂରି ସମୟ ଦେବାକୁ ପଡ଼ିଥିଲା । ସେ କେବଳ ଯେ ବିନା ଫିସ୍‍ରେ ଏସବୁ କାର୍ଯ୍ୟ କରୁଥିଲେ, ସେତିକି ନୁହେଁ, ଏହି ମୋକଦ୍ଦମାରେ ଖର୍ଚ୍ଚ କରିବାପାଇଁ ନିଜର ଘୋଡ଼ା ଓ ଗାଡ଼ି ବିକ୍ରି କରି ତାଙ୍କୁ ଟଙ୍କା କରଜ କରିବାକୁ ପଡ଼ିଥିଲା । ତାଙ୍କର ଖର୍ଚ୍ଚ ପୂର୍ବ ପରି ରହିଥିଲେ ସୁଦ୍ଧା ଆୟ କମିଗଲା । ମୋକଦ୍ଦମା ଶେଷବେଳକୁ ତାଙ୍କର ୫୦ ହଜାର ଟଙ୍କା କରଜ ହୋଇଥିଲା ।

 

ଚିତ୍ତରଞ୍ଜନ ମନପ୍ରାଣ ଦେଇ ଅରବିନ୍ଦଙ୍କୁ ଖଲାସ କରିବାପାଇଁ ମୋକଦ୍ଦମା ଲଢ଼ିଥିଲେ ଓ ତାଙ୍କର ମହକିଲମାନଙ୍କର ମାନସମ୍ମାନ ଉପରେ ଟିକିଏ ହେଲେ ଯେପରି ଆଞ୍ଚ ନ ଆସେ, ସେଥିପାଇଁ ସେ ବରାବର ବ୍ୟଗ୍ରତା ପ୍ରକାଶ କରୁଥିଲେ । ଜଣେ ସାକ୍ଷୀଙ୍କର ସାକ୍ଷ୍ୟ ଗ୍ରହଣଯୋଗ୍ୟ କି ନୁହେଁ, ଏ ବିଷୟରେ ସୁଆଲ ଜବାବ କରୁଥିବା ସମୟରେ ଚିତ୍ତରଞ୍ଜନ ନିର୍ବୋଧ ଓ ନିରର୍ଥକ ଯୁକ୍ତି କରୁଛନ୍ତି ବୋଲି ଥରେ ଜଜ୍ ମନ୍ତବ୍ୟ ପ୍ରକାଶ କଲେ । ଏହାଶୁଣି ଚିତ୍ତରଞ୍ଜନ ସାଙ୍ଗେ ସାଙ୍ଗେ କହିଲେ, ‘‘ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ଆପଣ ଜଜ୍ ଓ ମୁଁ ଓକିଲ । ଆପଣ ଯେତେ ଅନ୍ୟ କେଉଁଠାରେ ଏହା କହିଥାନ୍ତେ, ତାହାହେଲେ ମୁଁ ଉଚିତ ଜବାବ ଦେଇଥାନ୍ତି ।’’

 

ଜଜ୍ ନିଜର ତ୍ରୁଟି ବୁଝିପାରି କ୍ଷମା ମାଗିବାରୁ ବିଷୟଟିର ସମାଧାନ ହୋଇଗଲା ।

 

ଏହି ମୋକଦ୍ଦମାରେ ବହୁ ମୁଦାଲା ଥିଲେ ସୁଦ୍ଧା ସରକାରଙ୍କ ଉଦ୍ଦେଶ୍ୟ ଥାଏ ଶ୍ରୀ ଅରବିନ୍ଦଙ୍କ ଉପରେ । ମିଃ. ବିଚ୍ କ୍ରିଫଟ୍ ନିଜ ରାୟରେ ତାଙ୍କ ବିଷୟରେ ଲେଖିଛନ୍ତି–

 

‘‘ଅରବିନ୍ଦ ଏପରି ଜଣେ ଆସାମୀ, ଯେ କି ଦଣ୍ଡ ପାଇବାପାଇଁ ଯେକୌଣସି ମୁଦେଇ ବ୍ୟଗ୍ରତା ପ୍ରକାଶ କରିବ । ସେ ଯେବେ ଡକ୍‍ରେ ନଥାନ୍ତେ, ତାହାହେଲେ ଏହି ମୋକଦ୍ଦମା ଯେ ବହୁଦିନରୁ ସରନ୍ତାଣି, ଏ ବିଷୟରେ କୌଣସି ସନ୍ଦେହ ନାହିଁ ।’’

 

ଏହି ମୋକଦ୍ଦମା ୧୨୬ ଦିନ ଚାଲିଥିଲା । ୨୦୦ରୁ ଅଧିକ ଲୋକ ଏଥିରେ ସାକ୍ଷ୍ୟ ଦେଇଥିଲେ । ୪୦୦୦ କାଗଜ ଦାଖଲ ହୋଇଥିଲା ଏବଂ ବୋମା ପ୍ରଭୃତି ଆକାରରେ ୫୦୦ ଜିନିଷ ପ୍ରଦର୍ଶିତ ହୋଇଥିଲା । ଚିତ୍ତରଞ୍ଜନ ଶେଷ ଜେରା ୯ ଦିନ ଧରି କରିଥିଲେ ଏବଂ ସେ ଯେଉଁ ଜେରା କରିଥିଲେ, ତାହା ଅତି ଉଚ୍ଚଦରର ହୋଇଥିବାରୁ କାଳକାଳକୁ ତାହା ମୂଲ୍ୟବାନ ସମ୍ପଦରୂପେ ରହିଥିବ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସାକ୍ଷ୍ୟମାନଙ୍କ ମଧ୍ୟରେ ୧୯୦୫ ମସିହାରେ ଅରବିନ୍ଦ ତାଙ୍କ ସ୍ତ୍ରୀଙ୍କ ନିକଟକୁ ଲେଖିଥିବା ଗୋଟିଏ ଚିଠି ଦାଖଲ କରାଯାଇଥିଲା । ଏହି ଚିଠିରେ ଅରବିନ୍ଦ ଲେଖିଥିଲେ :–

 

‘‘ବର୍ତ୍ତମାନ ମୋର କିଛି କାର୍ଯ୍ୟ ନାହିଁ । ମୁଁ ସବୁବେଳେ ତାଙ୍କରି କାର୍ଯ୍ୟରେ ବ୍ୟସ୍ତ । ମୋ ମନ ପୂରାପୂରି ବଦଳିଗଲାଣି । ଯାହା କିଛି ତାଙ୍କର ଇଚ୍ଛାନୁଯାୟୀ ମୁଁ କରୁଛି । ମୋ ନିଜର ବୋଲି କିଛି ଇଚ୍ଛା ନାହିଁ । ଭଗବାନ ତୁମ ପ୍ରତି ଦୟାକରି ସତ୍‍ପଥ ଦେଖାଇଚେ । ତୁମେ ମୋର ସହଧର୍ମିଣୀ । ମୋ କାର୍ଯ୍ୟରେ ସାହାଯ୍ୟ କରିବ ନାହିଁ ?

 

‘‘ଦେଶର ମୁକ୍ତିପାଇଁ ବ୍ରହ୍ମତେଜ ଆବଶ୍ୟକ ।’’

 

ସରକାରଙ୍କ ପକ୍ଷରୁ ପ୍ରମାଣ କରିବାକୁ ଚେଷ୍ଟା କରାଗଲା ଯେ, ଅରବିନ୍ଦ ଯେଉଁ ଷଡ଼ଯନ୍ତ୍ରମୂଳକ କାର୍ଯ୍ୟ କରୁଥିଲେ, ତହିଁରେ ସାହାଯ୍ୟ କରିବାକୁ ତାଙ୍କ ସ୍ତ୍ରୀଙ୍କୁ ଏ ଚିଠିରେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ଦିଗରେ ଚିତ୍ତରଞ୍ଜନ ଅର୍ଥ କଲେ ଯେ, ଏହି ଚିଠିରେ ଚରମ ଆଧ୍ୟାତ୍ମିକ ଭାବ ପ୍ରକାଶ ପାଇଛି ଏବଂ ଯେଉଁ ଭାଷା ବ୍ୟବହାର କରାଯାଇଛି, ତାହା ସଂସାରୀ ପକ୍ଷରେ ବୈରାଗ୍ୟର ଭାଷା । ସେ ଆହୁରି କହିଲେ ଯେ, ହିନ୍ଦୁଧର୍ମ ଅନୁଯାୟୀ ପ୍ରତ୍ୟେକଙ୍କୁ ଭଗବାନଙ୍କ ସୃଷ୍ଟ ପୁତ୍ତଳିକାସ୍ୱରୂପ ଚିନ୍ତାକରାଯାଏ ଏବଂ ଭଗବାନଙ୍କ ଇଚ୍ଛାନୁଯାୟୀ ମଣିଷ କାର୍ଯ୍ୟ କରେ । ‘ସହଧର୍ମିଣୀ’ ଶବ୍ଦ ବ୍ୟବହୃତ ହୋଇଥିବାରୁ ଏହି ଚିଠିଟି ଆଧ୍ୟାତ୍ମିକ ଦୃଷ୍ଟିରୁ ଲେଖା ହୋଇଥିବାର ଯଥେଷ୍ଟ ନିଦର୍ଶନ ମିଳେ । ଏହି ଶବ୍ଦର ଅର୍ଥ ଆଧ୍ୟାତ୍ମିକ ଆଦର୍ଶଲାଭ ପାଇଁ ଯେ ଯାହାକୁ ସାହାଯ୍ୟ କରେ । ସେହିପରି ‘ବ୍ରହ୍ମତେଜ’ର ଅର୍ଥ ଭଗବତ୍ ପ୍ରଦତ୍ତ ଶକ୍ତି ଅର୍ଥାତ୍ ଭଗବତ୍ ଶକ୍ତି ଆଗରେ ମଣିଷର ଶକ୍ତି କିଛି ନୁହେଁ ।

 

ସରକାରଙ୍କ ପକ୍ଷରୁ ଆଉ ଗୋଟିଏ ଯୁକ୍ତି କରାଯାଇଥିଲା ଯେ, ମାର୍ଚ୍ଚ ୨୮ ତାରିଖ ଦିନ ବିପିନଚନ୍ଦ୍ର ପାଲ ଜେଲରୁ ମୁକ୍ତି ଲାଭ କରିବା ପରେ ତାଙ୍କୁ ଅଭ୍ୟର୍ଥନା କରିବାପାଇଁ ଡକାଯାଉଥିବା ସଭାରେ ଅରବିନ୍ଦ ଯୋଗ ଦେଇଥିଲେ । ଚିତ୍ତରଞ୍ଜନ ଏହି ବିଷୟରେ ଯୁକ୍ତି କଲେ ଯେ, ବିପିନଚନ୍ଦ୍ର ପାଲ ଅରବିନ୍ଦଙ୍କ ଯୋଗୁଁ ଜେଲ ଯାଇଥିବାରୁ କୃତଜ୍ଞତାର ନିଦର୍ଶନସ୍ୱରୂପ ତାଙ୍କ ଅଭ୍ୟର୍ଥନା ପାଇଁ କରାଯାଉଥିବା ସଭାରେ ଅରବିନ୍ଦ ଯୋଗଦେବା ସ୍ୱାଭାବିକ । ଏହାକୁ ଷଡ଼ଯନ୍ତ୍ର ବୋଲି କୁହାଯାଇ ନ ପାରେ ବୋଲି ସେ କହିଥିଲେ । ଏହିପରି ସରକାରଙ୍କ ପକ୍ଷରୁ ଅନ୍ୟାନ୍ୟ ଯେଉଁ ସବୁ ଅଭିଯୋଗ କରାଯାଇଥିଲା, ଚିତ୍ତରଞ୍ଜନ ସେସବୁର ଯଥାସାଧ୍ୟ ଉତ୍ତର ଦେଇଥିଲେ । ଅନ୍ୟ ଆସାମୀ ଯାହା ସ୍ୱୀକାର କରିଛନ୍ତି, ତାକୁ ଅରବିନ୍ଦଙ୍କ ବିରୁଦ୍ଧରେ ସାକ୍ଷ୍ୟସ୍ୱରୂପ ବ୍ୟବହାର କରାଯାଇ ନ ପାରେ ବୋଲି ସେ ଯେଉଁସବୁ ଦୃଷ୍ଟାନ୍ତ ଦେଇ ଯୁକ୍ତି କରିଥିଲେ, ତହିଁରୁ ଆଇନ ଶାସ୍ତ୍ରରେ ଅଗାଧ ଜ୍ଞାନର ତାଙ୍କ ପରାକାଷ୍ଠା କେତେ, ତା’ର ପ୍ରଭୂତ ନିଦର୍ଶନ ମିଳିଥିଲା । ଏହା ଫଳରେ ଆସାମୀମାନଙ୍କ ମଧ୍ୟରୁ ନରେନ୍ ଗୋସ୍ୱାମୀ ଯାହା ସବୁ ସାକ୍ଷ୍ୟ ଦେଇଥିଲେ, ତାହା ଗୃହୀତ ହେଲା ନାହିଁ ଏବଂ ଚିତ୍ତରଞ୍ଜନଙ୍କ ପାଣ୍ଡିତ୍ୟପୂର୍ଣ୍ଣ ନଜିରମାନ ଜୁରିମାନଙ୍କ ଉପରେ ଖୁବ୍ ପ୍ରଭାବ ପକାଇପାରିଥିଲା । ଚିତ୍ତରଞ୍ଜନ ତାଙ୍କ ସୁଆଲ ଜବାବ ଯେଉଁ ଭାଷାରେ ଶେଷ କରିଥିଲେ, ସ୍ୱାଧୀନତା ଏବଂ ମାନବିକ ସମ୍ମାନକୁ ଉଚ୍ଚାସନ ଦେଉଥିବା ପ୍ରତ୍ୟେକ ଲୋକର ପ୍ରାଣକୁ ତାହା ସବୁବେଳେ ସ୍ପର୍ଶ କରୁଥିବ ।

 

ଅରବିନ୍ଦଙ୍କ ଚିନ୍ତାଧାରାକୁ ଚିତ୍ତରଞ୍ଜନ ନିମ୍ନଲିଖିତ ପ୍ରକାରେ ବିଶ୍ଳେଷଣ କରିଥିଲେ;–

 

‘‘ମୁଁ ମୋର ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନ କରୁଥିବାରୁ ତାହା ଆଇନବିରୁଦ୍ଧ ବୋଲି ଯଦି କୁହାଯାଏ, ତେବେ ମୁଁ ସ୍ୱୀକାର କରୁଛି ଏହି ଦୋଷରେ ମୁଁ ଦୋଷୀ ବୋଲି । ଏହା ଯେବେ ଏହି ଦେଶର ଆଇନ ହୋଇଥାଏ, ତାହାହେଲେ ମୁଁ ତାହା କରିଥିବାରୁ ମୋତେ ଦଣ୍ଡ ଦେବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । କିନ୍ତୁ ମୁଁ ଯେଉଁ ଦୋଷରେ ଦୋଷୀ ନୁହେଁ ଏବଂ ଯେଉଁ କାର୍ଯ୍ୟ କରିବା ମୋର ସ୍ୱଭାବବିରୁଦ୍ଧ ଓ ଯାହା ମୁଁ କେବେହେଲେ କରି ନ ପାରେ, ସେ ଦୋଷରେ ମୋତେ ଦୋଷୀ କରନ୍ତୁ ନାହିଁ । ସ୍ୱାଧୀନତା ପାଇଁ ପ୍ରଚାର କରିବା ଯେବେ ଦୋଷ ବୋଲି ଧରାଯାଏ, ତାହାହେଲେ ମୁଁ ସେହି ଦୋଷ କରିଛି ବୋଲି ସ୍ୱୀକାର କରିଛି । କେବେହେଲେ ମୁଁ ତାହା ଅସ୍ୱୀକାର କରୁ ନାହିଁ । ଏଥିପାଇଁ ମୁଁ ମୋର ଜୀବନର ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟରେ ଜଳାଞ୍ଜଳି ଦେଇ କଲିକତା ଆସି କାର୍ଯ୍ୟ କରୁଛି । ଏହା ହୋଇଛି ମୋର ନିଦ୍ରାର ସ୍ୱପ୍ନ ଓ ଭ୍ରମଣ ସମୟରେ ଚିନ୍ତା । ଏହା ଯେବେ ମୋର ଦୋଷ ହୋଇଥାଏ, ତାହାହେଲେ ଏ ବିଷୟ ପ୍ରମାଣ କରିବାପାଇଁ କୌଣସି ସାକ୍ଷ୍ୟ ଗ୍ରହଣର ଆବଶ୍ୟକତା ନାହିଁ । ମୁଁ ଏଠାରେ ଠିଆହୋଇ ତାହା ସ୍ୱୀକାର କରିଯାଉଛି । ଯେବେ ଏହା ମୋର ଦୋଷ ହୋଇଥାଏ, ତେବେ ମୋତେ ବାନ୍ଧି ଜେଲ୍ ଦେଇ ପାରନ୍ତି । କିନ୍ତୁ ମୋଠାରୁ ଏହି ଦୋଷର ଅସ୍ୱୀକାରୋକ୍ତି କେବେହେଲେ ପାଇପାରିବେ ନାହିଁ । ଏହା ସଙ୍ଗେ ସଙ୍ଗେ ମୁଁ କହିବାକୁ ଚାହେଁ ଯେ, ସ୍ୱାଧୀନତା ପାଇଁ ପ୍ରଚାର କରିବା ଆଇନ ଦୃଷ୍ଟିରେ କେବେହେଲେ ଦୋଷାବହ ହୋଇ ନ ପାରେ । ତାହା ଛଡ଼ା ମୁଁ ଯାହା କରିଛି ବୋଲି ମୋ ବିରୁଦ୍ଧରେ ଆଜି ଅଭିଯୋଗ ହୋଇଛି, ସେ ବିଷୟରେ ମୁଁ କହିବାକୁ ଚାହେଁ ଯେ, ତା’ର କୌଣସି ପ୍ରମାଣ ବା ସାକ୍ଷ୍ୟ ନାହିଁ ଏବଂ ମୁଁ ଯାହା ଚିନ୍ତା କରିଛି ବା ଲେଖିଛି ବା ମୋ ଚିନ୍ତାଧାରାର ଯେଉଁ ପ୍ରମାଣ ସାକ୍ଷ୍ୟରୁ ମିଳୁଛି, ସେହି ସବୁର ଏହା ହେଉଛି ବିରୁଦ୍ଧାତ୍ମକ ।’’

 

ଅରବିନ୍ଦଙ୍କର ଏହି ବିବୃତିକୁ ପ୍ରଥମେ ଉଲ୍ଲେଖ କରି ପରେ ଚିତ୍ତରଞ୍ଜନ ତା’ର ବିଶ୍ଳେଷଣ କରି କହିଲେ–

 

‘‘ମୁଁ ଆପଣଙ୍କୁ ସବିନୟଭାବେ କହିବାକୁ ଚାହେଁ ଯେ, ଏହି ଲୋକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଜି କରାଯାଇଛି, ସେ ଯେ କେବଳ ତା’ର ଜବାବ ଦେବାକୁ ଏହି କୋର୍ଟରେ ଠିଆ ହୋଇଛନ୍ତି, ସେତିକି ନୁହେଁ, ସେ ହାଇକୋର୍ଟ ସାମନାରେ ଏବଂ ଇତିହାସ ସାମନାରେ ଜବାବ ଦେବାକୁ ପ୍ରସ୍ତୁତ । ମୋର ଆପଣଙ୍କୁ କହିବାର କଥା ଯେ, ଏହି ଯେଉଁ ବିବାଦ ଦେଖାଦେଇଛି, ତାହା କିଛିଦିନ ପରେ ଉଭେଇଯିବ । ଏହି ଆନ୍ଦୋଳନ ବନ୍ଦ ହୋଇଯିବ ଏବଂ ଯେଉଁ ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି, ସେ ମଧ୍ୟ କିଛିଦିନ ପରେ ମରିଯିବେ । କିନ୍ତୁ ସେ ଯେ ଜଣେ ଦେଶପ୍ରେମୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଜାତୀୟତାବାଦର ପୁରୋଧା ଏବଂ ମାନବସମାଜର ପ୍ରେମିକ, ଏହା ଯୁଗଯୁଗକୁ ଅମର ହୋଇ ରହିବ । ତାଙ୍କ ମୃତ୍ୟୁର ବହୁ ଦିନ ପରେ ମଧ୍ୟ ତାଙ୍କ ବାକ୍ୟ ଯେ କେବଳ ଏହି ଭାରତରେ ପ୍ରତିଧ୍ୱନିତ ହେବ, ସେତିକି ନୁହେଁ; ତାହା ଦେଶବିଦେଶରେ ମଧ୍ୟ ତୁମୂଳଭାବେ ପ୍ରତିଧ୍ୱନିତ ହେବ । ତେଣୁ ମୁଁ କହିବାକୁ ଚାହେଁ ଯେ, ଆଜି ସେ କେବଳ ଏହି କୋର୍ଟରେ ଦଣ୍ଡାୟମାନ ନୁହଁନ୍ତି–ସେ ଇତିହାସ ସମ୍ମୁଖରେ ଆଜି ଦଣ୍ଡାୟମାନ ।

 

‘‘ମହାଶୟ, ରାୟ ନିଷ୍ପତ୍ତି କ’ଣ ଦେବେ, ତାହା ଚିନ୍ତା କରିବାର ସମୟ ଆସିଲାଣି । ଆପଣମାନଙ୍କୁ (ଜୁରିମାନଙ୍କୁ) ଚିନ୍ତା କରି ନିଷ୍ପତ୍ତି ଦେବାର ସମୟ ଆସିଛି । ମୁଁ ଆପଣମାନଙ୍କୁ ଇଂରେଜ ବିଚାରପ୍ରଣାଳୀର ଐତିହ୍ୟ ଦୃଷ୍ଟିରୁ, ଇଂରେଜ ଇତିହାସର ଗୌରବମୟ ପରମ୍ପରା ଦୃଷ୍ଟିରୁ, ଇଂରେଜ ବିଚାରାଳୟମାନଙ୍କରେ ଅତୀତରେ ଯେଉଁସବୁ ଶ୍ରେଷ୍ଠ ନୀତି ସ୍ଥିର କରାଯାଇଛି, ସେ ଦୃଷ୍ଟିରୁ ଏବଂ ସେହିସବୁ ମହାନ୍ ନୀତି ଦୃଷ୍ଟିରୁ ଯେଉଁ ସ୍ୱନାମଧନ୍ୟ ବିଚାରପତିମାନେ ଆଇନକୁ ବାଧ୍ୟ କରିବା ପରିବର୍ତ୍ତେ ସେମାନଙ୍କର ସମ୍ମାନ ଲାଭ କରିଛନ୍ତି, ସେହିସବୁ ଦୃଷ୍ଟିରୁ ମୁଁ ଆଜି ଆପଣମାନଙ୍କୁ ନିବେଦନ କରୁଛି । ଇଂରେଜ ଜାତିର ଇତିହାସର ସ୍ୱର୍ଣ୍ଣମୟ ଅତୀତ ଦୃଷ୍ଟିରୁ ମୁଁ ଆଜି ନିବେଦନ କରୁଛି ଯେ, ବିଚାର୍ଯ୍ୟ ବିଷୟରେ ଇଂରେଜ–ବିଚାରପତି ପ୍ରତିଷ୍ଠିତ ନ୍ୟାୟକୁ ଭୁଲି ଯାଇଛନ୍ତି ବୋଲି ଭବିଷ୍ୟତ ଯେପରି ନ କହେ ।’’

 

ପରେ ଜୁରିମାନଙ୍କୁ ଲକ୍ଷ୍ୟ କରି ସେ କହିଲେ, ଯେଉଁ ଆଦର୍ଶ ଅରବିନ୍ଦ ପ୍ରଚାର କରିଆସିଛନ୍ତି, ତାହା ଚେତାଇ ଦେଇ ଦେଶର ପରମ୍ପରା ଓ ଐତିହ୍ୟ ଦୃଷ୍ଟିରୁ ମୁଁ ଆଜି ଆପଣଙ୍କୁ ନିବେଦନ କରୁଛି । ତାଙ୍କ (ଅରବିନ୍ଦ) ନିଜ ଦେଶର ଦୁଇ ଜଣ ଲୋକ ନିଜ ବିରୁଦ୍ଧାତ୍ମକ ଭାବର ବଶବର୍ତ୍ତୀ ହୋଇ କ୍ଷଣିକ ମୋହରେ ଅନ୍ୟାୟ କଲେ ବୋଲି ଯେପରି ଭବିଷ୍ୟତ ନ କହେ ।’’

 

ଜୁରିମାନେ ୧୯୦୯ ମେ ମାସ ୬ ତାରିଖ ଦିନ ଅରବିନ୍ଦଙ୍କ ସପକ୍ଷରେ ମତ ଦେବାରୁ ବିଚାରପତି ମିଃ. ବିଚକ୍ରିଫଟ୍ ତାହା ଗ୍ରହଣ କରି ଅରବିନ୍ଦଙ୍କୁ ଖଲାସ କରିଦେଲେ । କିନ୍ତୁ ସେହି ମୋକଦ୍ଦମାରେ ଅରବିନ୍ଦଙ୍କ ଭାଇ ବାରୀନ୍ଦ୍ରକୁମାର ଘୋଷ ଓ ଆଉ ଜଣେ ଆସାମୀ ଉଲ୍ଲାସକର ଦତ୍ତଙ୍କୁ ଫାଶୀଦଣ୍ଡ ଦିଆଗଲା । ଏହି ରାୟ ବିରୁଦ୍ଧରେ ହାଇକୋର୍ଟରେ ଅପିଲ୍ ହେଲା ଏବଂ ପ୍ରଧାନ ବିଚାରପତି ସାର୍ ଲରେନସ୍ ଜେନ୍‍କିନ୍‍ସ ଏବଂ ବିଚାରପତି କାର୍‍ଣ୍ଡୁଙ୍କ କୋର୍ଟରେ ତା’ର ଶୁଣାଣି ହେଲାବେଳେ ଚିତ୍ତରଞ୍ଜନ ହାଇକୋର୍ଟରେ ୪୮ ଦିନ ଧରି ଅତି ଦକ୍ଷତାର ସହିତ ସେହି ମୋକଦ୍ଦମା ଚଳାଇଥିଲେ ।

 

ଆଇନଶାସ୍ତ୍ର ଉପରେ ଅଗାଧ ପାଣ୍ଡିତ୍ୟ ଏବଂ ଦକ୍ଷତାର ପରିଚୟ ଦେଇ ଚିତ୍ତରଞ୍ଜନ ହାଇକୋର୍ଟରେ ଯେଉଁ କାରଣମାନ ଦର୍ଶାଇ ଏହି ମୋକଦ୍ଦମା ଲଢ଼ିଥିଲେ, ତାହା ଏଠାରେ ଉଲ୍ଲେଖ କରାଯାଉଛି । ବାରୀନ୍ଦ୍ରକୁମାର ଓ ଉଲ୍ଲାସକରଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ଼ର ୧୨୧, ୧୨୧ (କ), ୧୨୨ ଏବଂ ୧୨୩ ଧାରା ଅନୁଯାୟୀ ଅଭିଯୋଗ କରାଯାଇଥିଲା । ଏହି ଧାରାମାନଙ୍କରେ ଅଭିଯୋଗ କରାଯାଇ ମୋକଦ୍ଦମା କରିବାକୁ ହେଲେ ପିଙ୍ଗଳ କୋର୍ଡ଼ର ୧୯୬ ଧାରା ଅନୁଯାୟୀ ସରକାରଙ୍କ ଅନୁମତି ନେବା ନିତାନ୍ତ ଦରକାର । ସେହି ଅନୁମତି ଅନୁଯାୟୀହିଁ ମୋକଦ୍ଦମା ଚଳିବାର କଥା । ଚିତ୍ତରଞ୍ଜନ ଦର୍ଶାଇଲେ ଯେ, ୧୨୧ (କ), ୧୨୨ ଏବଂ ୧୨୩ ଧାରା ଅନୁଯାୟୀ ମୋକଦ୍ଦମା କରିବାପାଇଁ ସରକାରଙ୍କ ଅନୁମତି ମଗାଯାଇଥିଲେ ସୁଦ୍ଧା ଭାରତୀୟ ପିଙ୍ଗଳ କୋର୍ଡ଼ର ୧୨୧ ଧାରା ଅନୁଯାୟୀ ଅନୁମତି ଅଣାଯାଇ ନାହିଁ । ତେଣୁ ଏହି ଧାରା ଅନୁଯାୟୀ ମୋକଦ୍ଦମା ଚାଲିପାରିବ ନାହିଁ ଏବଂ ଅବସ୍ଥାଚକ୍ରରେ କୌଣସି ଅଭିଯୋଗ କରାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋର୍ଡ଼ର ୧୨୧ ଧାରା ଅନୁଯାୟୀ ସର୍ବୋଚ୍ଚ ଦଣ୍ଡ ଫାଶୀଦଣ୍ଡ ହୋଇଥିବାରୁ ଏବଂ ଏଥିପାଇଁ ସରକାରଙ୍କ ବିଧିବଦ୍ଧ ଅନୁମତି ନିଆଯାଇ ନଥିବାରୁ ବାରୀନ୍ଦ୍ର ଏବଂ ଉଲ୍ଲାସକରଙ୍କୁ ଏହି ଧାରାଜନିତ ଅପରାଧରୁ ମୁକ୍ତି ଦେବାକୁ ହେବ ।

 

ବିଚାରପତି ଚିତ୍ତରଞ୍ଜନଙ୍କ ଯୁକ୍ତି ଗ୍ରହଣ କରି ୧୨୧ ଦଫା ଅନୁଯାୟୀ ଅଣାଯାଇଥିବା ଅଭିଯୋଗ ଉଠାଇଦେଲେ । ତେଣୁ ବାରୀନ୍ଦ୍ର ଓ ଉଲ୍ଲାସକର ଫାଶୀ ନ ପାଇ ଭାରତୀୟ ପିଙ୍ଗଳ କୋର୍ଡ଼ର ୧୨୧ (କ) ଦଫା ଅନୁଯାୟୀ ଫାଶୀ ପରିବର୍ତ୍ତେ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ପାଇଲେ ।

 

ଚିତ୍ତରଞ୍ଜନ ଯେଭଳି ଦକ୍ଷତାର ସହ ଏହି ମୋକଦ୍ଦମା ଚଳାଇଥିଲେ ଏବଂ ବହୁ ସାକ୍ଷୀଙ୍କ ଜମାନବନ୍ଦୀକୁ ବିଶ୍ଳେଷଣ କରିଥିଲେ, ତାହା ପ୍ରଧାନ ବିଚାରପତିଙ୍କୁ ଅତିମାତ୍ରାରେ ଅଭିଭୂତ କରିଥିଲା । ସେ ତାଙ୍କର ରାୟରେ ଏହି ବିଷୟ ଉଲ୍ଲେଖ କରି ଲେଖିଥିଲେ, ‘‘ମୁଦାଲାମାନଙ୍କ ପକ୍ଷର ଓକିଲ ମିଃ. ସି.ଆର. ଦାସ ଯେଭଳି ଦକ୍ଷତାର ସହିତ ଏହି ମୋକଦ୍ଦମା ଉପସ୍ଥାପିତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହିଁ । ଏହି ମୋକଦ୍ଦମା ଫଳରେ କଲିକତା ଓକିଲ ମହଲରେ ଚିତ୍ତରଞ୍ଜନଙ୍କ ସୁନାମ ବିଶେଷଭାବରେ ବୃଦ୍ଧିପାଇଲା । ଦେଶପ୍ରେମୀ ଓ ଓକିଲ ହିସାବରେ ତାଙ୍କ ନାମ ଦେଶର ଚାରିଆଡ଼େ ସମସ୍ତେ ଜାଣିଗଲେ ଓ ଭାରତବର୍ଷରେ ସେ ଯେ ଜଣେ ସର୍ବଶ୍ରେଷ୍ଠ ଓକିଲ, ତାହା ଅନେକେ ଭାବିବାକୁ ଆରମ୍ଭ କଲେ ।

 

Unknown

ଆଲିପୁର ବୋମା–ମକଦ୍ଦମାରେ ଚିତ୍ତରଞ୍ଜନ ଫୌଜଦାରି ଓକିଲ ହିସାବରେ ସର୍ବଶ୍ରେଷ୍ଠ ବୋଲି ପ୍ରମାଣିତ ହେଲାପରେ ବିଖ୍ୟାତ ଦୁମ୍ରାଓଁ ମୋକଦ୍ଦମାରେ ଦେୱାନୀ ବିଭାଗରେ ସେ ମଧ୍ୟ ତଦ୍ରୂପ ଦକ୍ଷ ଓ ଶ୍ରେଷ୍ଠ ବୋଲି ପ୍ରମାଣିତ ହୋଇଥିଲେ । ଯେତେବେଳେ ସେ ଏହି ମୋକଦ୍ଦମା ହାତକୁ ନେଲେ, ସେତେବେଳେ ଏହା ଅତି ଦୁର୍ବଳ ବୋଲି ଧରାଯାଉଥିଲା; କିନ୍ତୁ ତାଙ୍କର ଅଗାଧ ପରିଶ୍ରମ ଏବଂ ବୁଦ୍ଧିମତ୍ତା ଫଳରେ ତାଙ୍କ ମହକିଲ ଜୟଯୁକ୍ତ ହେଲେ । ଏହି ମୋକଦ୍ଦମାର ବିଷୟବସ୍ତୁ ସଂକ୍ଷେପରେ ତଳେ ଦିଆଗଲା :–

 

ଦୁମ୍ରାଓଁର ମହାରାଜା ସାର୍ ରାଧାପ୍ରସାଦ ସିହ୍ନାଙ୍କ ମୃତ୍ୟୁ ସମୟରେ ତାଙ୍କର ଉତ୍ତରାଧିକାରୀ ହେବାକୁ କୌଣସି ପୁଅ ନଥିଲେ । ତାଙ୍କର ବଡ଼ ଝିଅ ମାନ୍ଦର୍‍ର ରାଜାଙ୍କୁ ବିବାହ କରିଥିଲେ ଏବଂ ବିବାହ ପରେ ପରେ ସେ ମରିଯିବାରୁ ତାଙ୍କର ମଧ୍ୟ କୌଣସି ସନ୍ତାନସନ୍ତତି ନଥିଲେ । ସାର୍ ରାଧାପ୍ରସାଦଙ୍କ ଦ୍ୱିତୀୟ ଝିଅ ରେୱା ମହାରାଜାଙ୍କୁ ବିବାହ କରିଥିଲେ । ୧୮୮୯ ମସିହାରେ ମହାରାଜା ସାର୍ ରାଧାପ୍ରସାଦଙ୍କ ମୃତ୍ୟୁ ପରେ ମହାରାଣୀ ଦୁମ୍ରାଓଁ, ବକ୍‍ସାର ବା ଜଗଦୀଶପୁରର ଉଜ୍ଜୟିନୀ ପରିବାରରୁ ଗୋଟିଏ ପୋଷ୍ୟପୁତ୍ର କରିପାରିବେ ବୋଲି କ୍ଷମତା ପ୍ରଦାନ କରି ଦଲିଲ୍‍ କରି ଦେଇଥିଲେ । ଏହି ଦଲିଲ୍‍ଟି କଲିକତାରେ ରେଜିଷ୍ଟ୍ରି ହୋଇଥିଲା । ୧୮୯୦ ମସିହାରେ ମହାରାଜା ଯେତେବେଳେ ତାଙ୍କର ‘ଅନ୍ତିମ ଇଚ୍ଛା ପତ୍ର’ (Will) କଲେ, ସେତେବେଳେ ମହାରାଣୀଙ୍କୁ ପୋଷ୍ୟପୁତ୍ର କରିବାପାଇଁ ଯେଉଁ ଅଧିକାର ଦେଇଥିଲେ, ତାହା ମଧ୍ୟ ସେଥିରେ ସ୍ୱୀକାର କରିଥିଲେ । ୧୮୯୪ ମସିହାରେ ମହାରାଜାଙ୍କର ମୃତ୍ୟୁ ହେଲା ଏବଂ ମହାରାଣୀ ବେଣୀପ୍ରସାଦ କ୍ୱେରୀ ନିଜ ମୃତ୍ୟୁର ପୂର୍ବଦିନ ଅର୍ଥାତ୍ ୧୯୦୭ ଡିସେମ୍ୱର ୧୨ ତାରିଖ ଦିନ ଜଗଦୀଶପୁରର ଜୟପ୍ରସାଦ ସିହ୍ନାଙ୍କ ପୁଅ ଜଙ୍ଗବାହାଦୁର ସିହ୍ନାଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କଲେ-। ସେ ଦୁମ୍ରାଓଁ ଗାଦିର ଉତ୍ତରାଧିକାରୀ ହୋଇ ମହାରାଜକୁମାର ଶ୍ରୀନିବାସପ୍ରସାଦ ସିହ୍ନା ନାମ ଗ୍ରହଣ କଲେ । ମହାରାଣୀଙ୍କ ମୃତ୍ୟୁ ପରେ ଜମିଦାରୀ କୋର୍ଟ ଅଫ୍ ୱାର୍ଡ଼ସ ଅଧୀନକୁ ଗଲା ।

 

କେତେକ କାରଣରୁ ଦୁମ୍ରାଓଁ ମହାରାଜାଙ୍କ ଲଗ୍ନିକବାବୁ କେଶୋପ୍ରସାଦ ସିହ୍ନା ମହାରାଣୀଙ୍କର ଅଶ୍ରଦ୍ଧାଭାଜନ ହୋଇଥିଲେ । ମହାରାଣୀ ସମ୍ପତ୍ତିକୁ ତାଙ୍କ ଦ୍ୱିତୀୟ ଝିଅ ରେୱାର ରାଣୀଙ୍କୁ ଦେବାକୁ ବରାବର ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ମହାରାଜା ତାଙ୍କର ପୈତୃକ ସମ୍ପତ୍ତି ଅନ୍ୟ ବଂଶକୁ ଚାଲିଯିବା କେବେହେଲେ ପସନ୍ଦ କରୁ ନଥିଲେ । ତେଣୁ ତାଙ୍କର ଅତି ଆତ୍ମୀୟ କେଶୋପ୍ରସାଦଙ୍କୁ ପୋଷ୍ୟପୁତ୍ର କରିବାପାଇଁ କେଶୋପ୍ରସାଦଙ୍କ ପିତା ବାବୁ ରାଜେଶ୍ୱରୀ ପ୍ରସାଦଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ମହାରାଣୀଙ୍କ ପ୍ରସ୍ତାବରେ ବାବୁ ରାଜେଶ୍ୱରୀ ପ୍ରସାଦ ରାଜି ହୋଇ ନଥିଲେ । ତାହା ପରେ ମହାରାଣୀ ଭୟଙ୍କର ଅସୁସ୍ଥ ହୋଇପଡ଼ିଲେ । କେଶୋପ୍ରସାଦ ତାଙ୍କ ସହିତ ଦେଖା କରିବାର ସୁଯୋଗ ପାଇଲେ ନାହିଁ ଏବଂ ତାଙ୍କ ମ୍ୟାନେଜର ସେଓ ଶରଣଲାଲ ମୁନ୍‍ତାଜୀନ୍ ଲଛମି ପ୍ରସାଦ ଏବଂ ଜ୍ୱାଇଁ ମାନ୍ଦରର ରାଜାଙ୍କ ସାହାଯ୍ୟରେ ଜଙ୍ଗବାହାଦୁରଙ୍କୁ ପୋଷ୍ୟପୁତ୍ର କଲେ । ମହାରାଣୀଙ୍କ ମୃତ୍ୟୁ ପରେ ହୋଇଥିବା ପୋଷ୍ୟପୁତ୍ର ବେଆଇନ ବୋଲି ଦାବି କରି ରାଜଗାଦି ତାଙ୍କର ପ୍ରାପ୍ୟ ବୋଲି ଘୋଷଣା କରିବାକୁ କିଶୋରୀ ପ୍ରସାଦ ମୋକଦ୍ଦମା ଦାଏର କଲେ ।

 

କେଶୋପ୍ରସାଦ ଯେତେ ବଡ଼ବଡ଼ ଓକିଲଙ୍କ ପରାମର୍ଶ କଲେ, ସମସ୍ତେ ତାଙ୍କର ଦାବି ଦୁର୍ବଳ ବୋଲି ମତ ଦେବାରୁ ସେ ଚିତ୍ତରଞ୍ଜନଙ୍କ ପରାମର୍ଶ ଲୋଡ଼ି ତାଙ୍କୁ ଓକିଲ ଦେଲେ । ତାଙ୍କ ବିରୁଦ୍ଧରେ କଲିକତାର ବିଖ୍ୟାତ ବାରିଷ୍ଟର ମିଷ୍ଟର୍ ଗାର୍ଥ ଏବଂ ପାଟନାର ମିଷ୍ଟର୍ ହାସାନ୍ ଇମାମ୍ ଲଢ଼ୁଥାନ୍ତି । ଚିତ୍ତରଞ୍ଜନଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ ଏବଂ ଯେବେ ସେ ମୋକଦ୍ଦମା ଜିତିବେ, ତାହାହେଲେ ୫୦ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଦିଆଯିବ ବୋଲି ତାଙ୍କ ସହିତ ଚୁକ୍ତି କରାଗଲା । ଚିତ୍ତରଞ୍ଜନ ଏହି ମୋକଦ୍ଦମାରେ ଜିତିଥିଲେ ସୁଦ୍ଧା ତାଙ୍କ ମହକିଲ ଏ ଚୁକ୍ତିକୁ ରକ୍ଷା କରି ନଥିଲେ ।

 

ଚିତ୍ତରଞ୍ଜନ ଏ ମକଦ୍ଦମାରେ ଯୁକ୍ତି କଲେ ଯେ, ପୋଷ୍ୟପୁତ୍ର ଗ୍ରହଣ କରାଯିବା ଫଳରେ ପରିବାରର ପରମ୍ପରା ଦୃଷ୍ଟିରୁ ଆଇନ ଅନୁଯାୟୀ ଯେ ଉତ୍ତରାଧିକାରୀ ହେବାର କଥା, ତାଙ୍କୁ ସେ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ । ମିତାକ୍ଷରା ଆଇନ ଅନୁଯାୟୀ ମହାରାଜାଙ୍କ ମୃତ୍ୟୁ ପରେ କେଶୋପ୍ରସାଦ ଯେଉଁ ଅଧିକାର ଲାଭ କରିଛନ୍ତି, ପୋଷ୍ୟପୁତ୍ର ଗ୍ରହଣ ଫଳରେ ସେହି ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ । ବିଚାରପତି ଚିତ୍ତରଞ୍ଜନଙ୍କ ଯୁକ୍ତି ଗ୍ରହଣ କରି ପୋଷ୍ୟପୁତ୍ରଙ୍କୁ ନାକଚ କରି କେଶୋପ୍ରସାଦଙ୍କୁ ସମ୍ପତ୍ତିର ଆଇନାନୁମୋଦିତ ମାଲିକ ବୋଲି ଘୋଷଣା କଲେ ।

 

ଏହି ରାୟ ବିରୁଦ୍ଧରେ କଲିକତା ହାଇକୋର୍ଟରେ ଅପିଲ୍ କରାଗଲା । ପ୍ରଧାନ ବିଚାରପତି ସାର୍ ଲରେନ୍‍ସ ଜେନ୍‍କିନ୍‍ସ, ବିଚାରପତି ଆଶୁତୋଷ ମୁଖାର୍ଜୀ ଏବଂ ବିଚାରପତି ସାର୍ ଜନ୍ ଉଡ଼୍ରୋଫ୍‍ଙ୍କ ନେଇ ଗଠିତ ହୋଇଥିବା ଗୋଟିଏ ସ୍ୱତନ୍ତ୍ର ବେଞ୍ଚ୍‍ରେ ଏହି ଅପିଲ୍‍ର ବିଚାର କରାଗଲା । ମୋକଦ୍ଦମାକୁ ତଳ କୋର୍ଟଙ୍କ ରାୟ ମୁତାବକ ରଫା କରାଯାଇ ଶ୍ରୀନିବାସଙ୍କୁ ବାର୍ଷିକ ୫୦ ହଜାର ଟଙ୍କା ଆୟ ହୋଇ ପାରିବା ଭଳି ସମ୍ପତ୍ତି ଦିଆଗଲା ।

 

ପୁଣି ୧୯୧୪ ମସିହାରେ ନୂତନ ମହାରାଜାଙ୍କ ବିରୁଦ୍ଧରେ ରେୱାର ରାଣୀ ମୋକଦ୍ଦମା କରିବାରୁ ଦ୍ୱିତୀୟ ଦୁମ୍ରାଓଁ କେସ୍ ହେଲା । ଏଥର ମହାରାଜା କେଶୋପ୍ରସାଦ ପ୍ରଥମରୁ ଚିତ୍ତରଞ୍ଜନ ଦାସଙ୍କ ସାହାଯ୍ୟ ନେଲେ ନାହିଁ । ଶେଷକୁ ରେୱାର ରାଣୀଙ୍କ ସହିତ ରଫା କରିବାପାଇଁ ତାଙ୍କ ସାହାଯ୍ୟ ନେଲେ ଓ ରଫା ଅନୁଯାୟୀ ରେୱାର ରାଣୀ ବାର୍ଷିକ ୪୮ ହଜାର ଟଙ୍କା ଆୟ ହେଉଥିବା ଭଳି ସମ୍ପତ୍ତି ନେଇ ତାଙ୍କ ଦାବି ଛାଡ଼ି ଦେଲେ ।

 

୧୯୧୭ ଏବଂ ୧୯୨୦ରେ ତୃତୀୟ ଦୁମ୍ରାଓଁ ମକଦମା ହେଲା ଓ ଚିତ୍ତରଞ୍ଜନ ମହାରାଜା କେଶୋପ୍ରସାଦଙ୍କ ବିପଦବେଳେ ସହାୟକ ହେଲେ । ମହାରାଜାଙ୍କ ଦେୱାନ ବ୍ରହ୍ମଦେଶରେ ମହାରାଜାଙ୍କ ପକ୍ଷରୁ କେତେକ ସମ୍ପତ୍ତି କିଣିଥିଲେ । କିନ୍ତୁ ଏହି ସମ୍ପତ୍ତି ତାଙ୍କୁ ଦାନସୂତ୍ରରେ ଦିଆଯାଇଛି ବୋଲି ଦେୱାନ ଦାବି କଲେ । ଚିତ୍ତରଞ୍ଜନ ସୁଆଲ ଜବାବର ‘‘ଅଞ୍ଜନି’’ ବା ‘‘ଆୟାମତ’’ ବୋଲି ପଢ଼ାଯାଇପାରୁଥିବା ଦୁଇଟି ଫାର୍ଶୀ ଶବ୍ଦର ଅର୍ଥ ବିଷୟରେ ବିଶେଷ ବାଦାନୁବାଦ କରିଥିଲେ । ଏହାର ପ୍ରକୃତ ପାଠ ‘‘ଅଞ୍ଜନି’’ ବୋଲି ସେ ଯୁକ୍ତି କରିଥିଲେ ଏବଂ ତାହାର ଅର୍ଥ ନିଜ ପକ୍ଷରୁ ସମ୍ପତ୍ତି କିଣିବାପାଇଁ ମହାରାଜା ଦେୱାନଙ୍କୁ ଟଙ୍କା ଦେଇଥିଲେ ବୋଲି ଦର୍ଶାଇଥିଲେ । ତାଙ୍କ ଯୁକ୍ତିରେ ଜଜ୍ ଅଭିଭୂତ ହେଲେ ଏବଂ ମହାରାଜା ଦାନସୂତ୍ରରେ ଟଙ୍କା ନ ଦେଇ ଷ୍ଟେଟ୍ ପକ୍ଷରୁ ସମ୍ପତ୍ତି କିଣିବାପାଇଁ ଟଙ୍କା ଦେଇଥିବା ଯୁକ୍ତିକୁ ଗ୍ରହଣ କଲେ ।

 

ଏହି ରାୟ ବିରୁଦ୍ଧରେ ପାଟନା ହାଇକୋର୍ଟରେ ଅପିଲ୍ ହେଲା ଏବଂ ୧୯୨୪ ମସିହାରେ ତାହା ପଡ଼ିଲା । ଚିତ୍ତରଞ୍ଜନଙ୍କୁ ଏହି ମୋକଦ୍ଦମାରେ ଲଢ଼ିବାକୁ କୁହାଯାଇଥିଲା । କିନ୍ତୁ ସେ ଓକିଲାତି ଛାଡ଼ିବାକୁ ନିଷ୍ପତ୍ତି କରିଥିବାରୁ ସେଥିରେ ରାଜି ହେଲେ ନାହିଁ ।

 

ରାଜନୈତିକ ମୋକଦ୍ଦମାରେ ଆଇନଜୀବୀ ହିସାବରେ ଚିତ୍ତରଞ୍ଜନଙ୍କ ପରାକାଷ୍ଠା ଓ ପାରଦର୍ଶିତା ଅତିମାତ୍ରାରେ ପ୍ରକାଶ ପାଇଥିଲା । ୧୯୧୦ ମସିହାରେ ହୋଇଥିବା ଢାକା ଷଡ଼ଯନ୍ତ୍ର ମୋକଦ୍ଦମାରେ ଚିତ୍ତରଞ୍ଜନ ଅନୁଶୀଳନ ଦଳର ନେତା ପୁଲୀନବିହାରୀ ଦାସ ଏବଂ ଅନ୍ୟମାନଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ିଥିଲେ । ୧୯୦୫ର ବଙ୍ଗ ବିଚ୍ଛେଦ ପରେ ଗଠିତ ହୋଇଥିବା ଅନୁଶୀଳନ ସମିତି ଗୁପ୍ତ ଭାବରେ ବେଆଇନ ପନ୍ଥାଦ୍ୱାରା ବ୍ରିଟିଶ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ବିଚାର କରିବାକୁ କୋର୍ଟର କ୍ଷମତା ନଥିବାରୁ ତା’ର ବିଚାର ବେଆଇନ ବୋଲି କେବଳ ଚିତ୍ତରଞ୍ଜନ ଯୁକ୍ତି ନ କରି, ଅନୁଶୀଳନ ସମିତି ତା’ର ସଭ୍ୟମାନଙ୍କର ମାନସିକ, ନୈତିକ ଏବଂ ଆଧ୍ୟାତ୍ମିକ ବିଷୟମାନଙ୍କର ବିକାଶପାଇଁ ଗଠିତ ହୋଇଥିବାର ଯୁକ୍ତି କଲେ । ତାଙ୍କର ଏହି ଯୁକ୍ତି ସତ୍ତ୍ୱେ ୩ ଜଣ ଆସାମୀଙ୍କୁ ଦ୍ୱୀପାନ୍ତର ଦଣ୍ଡ ଦିଆଗଲା ଏବଂ ଅନ୍ୟ ୩୩ ଜଣଙ୍କୁ ଜେଲଦଣ୍ଡ ଦିଆଗଲା । ଏହି ରାୟ ବିରୁଦ୍ଧରେ ଚିତ୍ତରଞ୍ଜନ କଲିକତା ହାଇକୋର୍ଟରେ କରିଥିବା ଅପିଲ୍ ଫଳରେ ଦଣ୍ଡାଦେଶମାନ କମିଥିଲା । ଯେଉଁମାନଙ୍କୁ ଯାବଜ୍ଜୀବନ ଦ୍ୱୀପାନ୍ତର ଆଦେଶ ହୋଇଥିଲା, ସେମାନଙ୍କୁ ତା’ ବଦଳରେ ୬ ବର୍ଷ ସଶ୍ରମ କାରାଦଣ୍ଡ ଦିଆଯାଇଥିଲା ଏବଂ କେବଳ ୧୧ ଜଣଙ୍କର ଜେଲ ଦଣ୍ଡାଦେଶ କାଏମ ରହିଥିଲା ।

 

ଏହାପରେ ଚିତ୍ତରଞ୍ଜନ ଦିଲ୍ଲୀ ଷଡ଼ଯନ୍ତ୍ର ମୋକଦ୍ଦମାର ଓକିଲାତି ନେଲେ । ଏହା ଅନ୍ୟ ଗୋଟିଏ ରାଜନୈତିକ ମୋକଦ୍ଦମା, ଯାହାକି ସାରା ଭାରତର ଦୃଷ୍ଟି ଆକର୍ଷଣ କରିଥିଲା । ଏଥିରେ ୧୪ ଜଣଙ୍କ ବିରୁଦ୍ଧରେ ସରକାରଙ୍କ ପତନ ଘଟାଇବା ପାଇଁ ଷଡ଼ଯନ୍ତ୍ର କରୁଥିବାର ଏବଂ ତାହାର ଅଙ୍ଗସ୍ୱରୂପ ୧୯୧୨ ମସିହାରେ ଭାରତର ବଡ଼ଲାଟ ଲର୍ଡ଼ ହାର୍ଡ଼ିଞ୍ଜଙ୍କର ଜୀବନ ଉପରେ ଆକ୍ରମଣ କରାଯାଇଥିବାର ଅଭିଯୋଗ କରାଯାଇଥିଲା । ବିଶଦ ଅନୁସନ୍ଧାନ ପରେ ଦିଲ୍ଲୀର ସେସନ୍‍ସ ଜଜ୍ ମିଷ୍ଟର୍ ହାରିସନ୍, ଆଇ.ସି.ଏସ୍.ଙ୍କ କୋର୍ଟରେ ଏହି ମୋକଦ୍ଦମା ପଡ଼ିଲା । ଉତ୍ତରପ୍ରଦେଶର ଆଡ଼୍‍ଭୋକେଟ ଜେନେରାଲ ଶ୍ରୀ ଜନ୍ ଆଲ୍‍ଷ୍ଟନ୍ ସରକାରଙ୍କ ପକ୍ଷରୁ ମୋକଦ୍ଦମା ଚଳାଉଥିଲେ । ସ୍ଥାନୀୟ ଓକିଲମାନେ ତାଙ୍କ ସହିତ ଆସାମୀମାନଙ୍କ ପକ୍ଷରୁ ଲଢ଼ିବାପାଇଁ ଉପଯୁକ୍ତ ନଥିଲେ । ତେଣୁ ଦିଲ୍ଲୀର କେତେକ ଓକିଲ କଲିକତା ଆସି ଚିତ୍ତରଞ୍ଜନଙ୍କୁ ଏହି ମୋକଦ୍ଦମାର ଦାୟିତ୍ୱ ନେବାକୁ ଅନୁରୋଧ କଲେ । ସେତେବେଳେ କଲିକତାରେ ସେ ଏପରି ଗୋଟିଏ ମୋକଦ୍ଦମା ହାତକୁ ନେଇଥାନ୍ତି, ଯେଉଁଥିରେ କି ଦୁଇ ଦିନପାଇଁ ଦିଲ୍ଲୀ ଗଲେ ସୁଦ୍ଧା ତାଙ୍କର ୬ ହଜାର ଟଙ୍କା କ୍ଷତି ହେବ । ତାହା ସତ୍ତ୍ୱେ ସେ ଦିଲ୍ଲୀ ଷଡ଼ଯନ୍ତ୍ର ମୋକଦ୍ଦମାରେ ଅଭିଯୁକ୍ତ ହୋଇଥିବା ଯୁବକମାନଙ୍କ ପକ୍ଷରୁ ମୋକଦ୍ଦମା ଠିକ୍‍ଭାବେ ଲଢ଼ାଯିବା ଉଚିତ ବୋଲି ଭାବିଲେ ଓ କଲିକତାର ଆୟ ପ୍ରତି ଭ୍ରୂକ୍ଷେପ ନ କରି ଦିଲ୍ଲୀ–ଷଡ଼ଯନ୍ତ୍ର ମୋକଦ୍ଦମାରେ ଲଢ଼ିବାପାଇଁ ଗଲେ ।

 

୧୯୧୪ ମସିହା ମେ ମାସରେ ଚିତ୍ତରଞ୍ଜନ ଦିଲ୍ଲୀ କୋର୍ଟରେ ଯୁକ୍ତି କଲେ ଯେ, ସରକାରଙ୍କ ପକ୍ଷରୁ କରାଯାଇଥିବା ମୋକଦ୍ଦମାରେ ମୋକଦ୍ଦମା ପାଇଁ ଆବଶ୍ୟକୀୟ ପ୍ରମାଣ ତଥା ଆଇନଗତ ବୈଧତା ନାହିଁ । ବିଚାରପତି ଚିତ୍ତରଞ୍ଜନଙ୍କ ଯୁକ୍ତିରେ ଯଥେଷ୍ଟ ସତ୍ୟତା ଅଛି ବୋଲି କହିବାରୁ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସାର୍ ଜନ୍ ତାଙ୍କ ଉକ୍ତିକୁ ମିଥ୍ୟା ବୋଲି କହିଲେ । ମାତ୍ର ଚିତ୍ତରଞ୍ଜନ ଏପରି କଡ଼ା ଭାଷାରେ ଏହାର ପ୍ରତିବାଦ କଲେ, ଯାହା ଫଳରେ ବିଚାରପତି ନିଜେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଶ୍ରୀ ଜନ୍‍ଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଲେ । କ୍ଷମା ପ୍ରାର୍ଥନାର ପ୍ରଶ୍ନ ନାହିଁ ଓ ସେ କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ଚିତ୍ତରଞ୍ଜନ କହିଲେ । ଶେଷକୁ ତାଙ୍କରି କଥାହିଁ ରହିଲା ଏବଂ ସେପର୍ଯ୍ୟନ୍ତ ଆସାମୀମାନଙ୍କ ଓକିଲଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା ବିଚାରପତି ମତିଗତି ବଦଳାଇ ସରକାରୀ ତଥା ଆସାମୀମାନଙ୍କ ଓକିଲଙ୍କ ପ୍ରତି ସମାନ ବ୍ୟବହାର କଲେ । ସ୍ଥାନୀୟ ଓକିଲମାନେ ଏହି ଘଟଣାରେ ଅତି ଆନନ୍ଦିତ ତଥା ଉତ୍ସାହିତ ହେଲେ ।

 

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋକଦ୍ଦମା, ଯେଉଁଥିରେକି ଚିତ୍ତରଞ୍ଜନ ୫ ଗୋଟି ଯୁବକଙ୍କର ଜୀବନ ରକ୍ଷା କରିପାରିଥିଲେ, ତାହା ହେଉଛି ୧୯୧୮ ମସିହାର ଆଲିପୁର ଟ୍ରଙ୍କ୍ ମର୍ଡ଼ର କେସ୍ । ସରକାରଙ୍କ ଅଭିଯୋଗ ଥିଲା ଯେ, ୫ ଜଣ ବିପ୍ଳବୀ ସେମାନଙ୍କର ଜଣେ ସହକର୍ମୀଙ୍କୁ ପୋଲିସ୍‍କୁ ଖବର ଯୋଗାଇଛି ବୋଲି ସନ୍ଦେହ କରି ମାରି ଦେଇଥିଲେ । ତା’ର ମୃତ ଦେହକୁ ଗୋଟିଏ ଟ୍ରଙ୍କ୍‍ରେ ପୂରାଇ ରେଳବାଇ ପାର୍ସଲଦ୍ୱାରା ପଠାଇ ଦିଆଯାଇଥିଲା । ଦୁଇ ତିନି ଦିନ ପରେ ଶବ ସଢ଼ିଯିବାରୁ ଦୁର୍ଗନ୍ଧ ହେଲା ଏବଂ ପାର୍ସଲ ମଧ୍ୟ କେହି ଗ୍ରହଣ କରିବାକୁ ଚାହିଁଲେ ନାହିଁ । ଏହି ମୋକଦ୍ଦମାରେ ଆସାମୀ ଥିବା ପଞ୍ଚାନନ ବୋଲି କଲିକତାର ଏକ ବିରାଟ ସମ୍ପତ୍ତିର ଉତ୍ତରାଧିକାରୀଙ୍କ ପକ୍ଷରୁ ଚିତ୍ତରଞ୍ଜନ ଓକିଲାତି ନେଇଥିଲେ । ପ୍ରକୃତ ପକ୍ଷରେ ସେ ଜଣଙ୍କ ପକ୍ଷରୁ ଓକିଲାତି ନେଇଥିଲେ ସୁଦ୍ଧା ସବୁ ଆସାମୀଙ୍କ ପକ୍ଷରୁ ଲଢ଼ିଥିଲେ । ମୋକଦ୍ଦମାଟି ୨୮ ଦିନ କାଳ ବିଚାର ହେବାପରେ ଆସାମୀମାନେ ନିର୍ଦ୍ଦୋଷରେ ଖଲାସ ହେଲେ । ଚିତ୍ତରଞ୍ଜନ ଯେଭଳିଭାବେ ଏ ମୋକଦ୍ଦମା ଚଳାଇଥିଲେ, ସେଥିପାଇଁ ବଙ୍ଗଳାର ଆଡ଼୍‍ଭୋକେଟ ଜେନେରାଲ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଭାରତରକ୍ଷା ଆଇନ ଅନୁଯାୟୀ ଅଟକ ଥିବା ୧୭ ଜଣ ସେମାନଙ୍କ ଅଟକ ସ୍ଥାନ ଛାଡ଼ି ଚିଟାଗଙ୍ଗ ଯାଇଥିବାରୁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଉଠି ମୋକଦ୍ଦମା ହେଲା ଓ ଏହା କୁତୁବଡ଼ିଆ ଅଟକବନ୍ଦୀ ମୋକଦ୍ଦମା ବୋଲି ବିଖ୍ୟାତ । ଚିତ୍ତରଞ୍ଜନ ବିନା ଫିସ୍‍ରେ ଏବଂ ନିଜ ହାତରୁ ବନ୍ଦୀମାନଙ୍କ ପାଇଁ ଖର୍ଚ୍ଚ କରି ଏଥିରେ ଲଢ଼ିଥିଲେ । ଏହି ମୋକଦ୍ଦମା ଚଳାଇବା ପାଇଁ ତାଙ୍କୁ ୧୫ ଦିନ କାଳ ଚିଟାଗଙ୍ଗରେ ରହିବାକୁ ପଡ଼ିଥିଲା । ସେ ଯୁକ୍ତି କଲେ ଯେ, ବନ୍ଦୀମାନେ ସେମାନଙ୍କ ଅଟକ ଜାଗା ଛାଡ଼ି କୁଆଡ଼େ ପଳାଇ ନ ଯାଇ କେବଳ ଖାଦ୍ୟ, ପାନୀୟ ଜଳ, ବାସସ୍ଥାନ ଏବଂ ଅନ୍ୟାନ୍ୟ ବିଷୟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସେମାନଙ୍କ ବିଧିବଦ୍ଧ ଅଭିଯୋଗ ଜଣାଇବା ପାଇଁ ଯାଇଥିଲେ । ତେଣୁ ସେମାନେ କୌଣସି ଆଇନଭଙ୍ଗ କରିଛନ୍ତି ବୋଲି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇ ନ ପାରେ । ଚିତ୍ତରଞ୍ଜନଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତି ସତ୍ତ୍ୱେ ବିଚାରପତି ଆସାମୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି କେବଳ ୨ ମାସ ଲେଖାଏଁ ଜେଲଦଣ୍ଡ ଦେଲେ-

 

୧୯୧୮ ମସିହା ‘‘ଅମୃତ ବଜାର ପତ୍ରିକା’’ ଅବମାନନା ମୋକଦ୍ଦମା ବିଷୟ ଆଲୋଚନା କରି ଚିତ୍ତରଞ୍ଜନଙ୍କ ଆଇନଜୀବୀ ଜୀବନର ସଂକ୍ଷିପ୍ତ ବିବରଣୀ ଶେଷ କରାଯାଉଛି । କଲିକତା ହାଇକୋର୍ଟର ଗୋଟିଏ ବେଞ୍ଚ୍ (ବିଚାରକମଣ୍ଡଳ) ରାୟ ଦେଲେ ଯେ, କଲିକତା ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍ ତାଙ୍କ ଇଚ୍ଛାନୁଯାୟୀ ଜମି ଦଖଲ କରିପାରିବେ ନାହିଁ । ସେହି ସମୟରେ ହାଇକୋର୍ଟରେ ଆଉ ଜଣେ ଜଜ୍ ଗୋଟିଏ ମୂଳ ମୋକଦ୍ଦମା (ଓରିଜିନାଲ ସାଇଡ଼୍)ରେ ମତ ଦେଲେ ଯେ, ଇମ୍ପ୍ରୁଭ୍‍ମେଣ୍ଟ ଟ୍ରଷ୍ଟ୍‍ଙ୍କର ଜମି ଦଖଲ କରିବାର ଅଧିକାର ଅଛି । ଏହି ଦୁଇ ବିରୁଦ୍ଧ ମତ ମଧ୍ୟରେ ସମନ୍ୱୟ ଆଣିବାକୁ ଚିଫ୍ ଜଷ୍ଟିସ୍ ସାର୍ ଲ୍ୟାନସ୍ ସ୍ୟାଣ୍ଡରସନ୍, ଜଷ୍ଟିସ୍ ସାର୍ ଜନ୍ ଉଡ଼୍‍ରଫ୍ ଏବଂ ମାନ୍ୟବର ଜଷ୍ଟିସ୍ ଚିଟ୍ଟିଙ୍କୁ ନେଇ ଗୋଟିଏ ସ୍ୱତନ୍ତ୍ର ବେଞ୍ଚ୍ ଗଠିତ ହେଲା । ଏହି ସ୍ୱତନ୍ତ୍ର ବେଞ୍ଚ୍ ଗଠନ ସମ୍ପର୍କରେ ଆଲୋଚନା କରି କଲିକତାର ବିଖ୍ୟାତ ଦୈନିକ ‘‘ଅମୃତ ବଜାର ପତ୍ରିକା’’ ମତ ପ୍ରକାଶ କଲେ ଯେ, ଯେଉଁମାନଙ୍କର ଜମି ଅଛି, ସେଭଳି ଜଣେ ଭାରତୀୟ ଜଜ୍‍ଙ୍କୁ ବେଞ୍ଚ୍‍ରେ ମିଷ୍ଟର୍ ଚିଟ୍ଟିଙ୍କ ସ୍ଥାନରେ ନେବା ଉଚିତ ଥିଲା । ଏହା ଲେଖିବାଦ୍ୱାରା ପତ୍ରିକା ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା ମୋକଦ୍ଦମା (କନ୍‍ଟେମ୍ପ୍‍ଟ ଅଫ୍ କୋର୍ଟ) କରା ନ ଯିବ, ତାହାର କାରଣ ଦେଖାଇବା ପାଇଁ ଅମୃତ ବଜାର ପତ୍ରିକାଙ୍କ ଉପରେ ପ୍ରଧାନ ବିଚାରପତି ନୋଟିସ୍ କଲେ । ଏହି ମୋକଦ୍ଦମା ହାଇକୋର୍ଟର ଫୁଲ୍‍ବେଞ୍ଚ୍‍ରେ ବିଚାର ହେଲା ।

 

ଏହି ମୋକଦ୍ଦମାରେ ‘‘ଅମୃତବଜାର ପତ୍ରିକା’’ଙ୍କ ପକ୍ଷରୁ କଲିକତାର ସବୁ ପ୍ରଧାନ ପ୍ରଧାନ ଓକିଲ ମିଷ୍ଟର୍ ଜ୍ୟାକସନ୍, ମିଷ୍ଟର୍ ନର୍ଟନ୍, ଚକ୍ରବର୍ତ୍ତୀ ଏବଂ ଚିତ୍ତରଞ୍ଜନଙ୍କୁ ଦାୟିତ୍ୱ ଦିଆଗଲା-। କିନ୍ତୁ ପ୍ରଥମରୁ ପ୍ରଧାନ ବିଚାରପତି ଏବଂ ତାଙ୍କ ମଧ୍ୟରେ ଅସଦ୍‍ଭାବ ଦେଖା ଦେଲା-। ତା’ପରେ ମିଷ୍ଟର୍ ନର୍ଟନ ମୋକଦ୍ଦମା ଲଢ଼ିବାକୁ ଚେଷ୍ଟା କରିଥିଲେ । ତାଙ୍କ ପ୍ରତି ମଧ୍ୟ ବିଚାରପତି ସହାନୁଭୂତିସମ୍ପନ୍ନ ମନୋଭାବ ପ୍ରକାଶ କଲେ ନାହିଁ । ତା’ପରେ ବ୍ୟୋମକେଶ ଚକ୍ରବର୍ତ୍ତୀ ଉଠିବାରୁ ସେ ମଧ୍ୟ ବିଶେଷ କିଛି ଭଲ ଭାବ ସୃଷ୍ଟି କରିପାରିଲେ ନାହିଁ । ମୋକଦ୍ଦମାଟି ଆସାମୀ ପତ୍ରିକା ବିରୁଦ୍ଧରେ ଯିବ ବୋଲି ସମସ୍ତେ ଧରିନେଲେ ।

 

ଶେଷକୁ ଚିତ୍ତରଞ୍ଜନ ତାଙ୍କ ମହକିଲଙ୍କ ପକ୍ଷରୁ ସୁଆଲ ଜବାବ କରିବାପାଇଁ ଉଠି ସମ୍ପୂର୍ଣ୍ଣ ନୂଆ ଦୃଷ୍ଟିକୋଣରୁ ଯୁକ୍ତି ଆରମ୍ଭ କଲେ । ହାଇକୋର୍ଟଙ୍କ ଉପରେ କୌଣସି ଆକ୍ଷେପ ପକାଇବା ଲେଖକଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଲେ । ପ୍ରବନ୍ଧମାନଙ୍କର ଲେଖକ କେବଳ ଉତ୍ଥାପିତ ହୋଇଥିବା ବିବାଦମାନଙ୍କ ବିଷୟ ଆଲୋଚନା କରି ନିଜେ ତା’ର ଜବାବ ଦେବାକୁ ଚେଷ୍ଟା କରିଛନ୍ତି । ତାଙ୍କର କେତେକ ପ୍ରକାଶିତ ଭାବ ଦୁର୍ଭାଗ୍ୟବଶତଃ ଅବାଞ୍ଛନୀୟ ହୋଇଥିଲେ ସୁଦ୍ଧା ବିଷୟଟି ଫୁଲ୍ ବେଞ୍ଚ୍‍ରେ ବିଚାର ହେବା ଦରକାର ବୋଲି କେବଳ ସେ ଇଚ୍ଛା ପ୍ରକାଶ କରୁଛନ୍ତି । ହୁଏତ ପ୍ରବନ୍ଧଟି ଅନ୍ୟାୟ ହୋଇପାରେ; କିନ୍ତୁ କୋର୍ଟକୁ ଅବମାନନା କରିବା ଏହାର ଉଦ୍ଦେଶ୍ୟ ନୁହେଁ । ତା’ପରେ ଚିତ୍ତରଞ୍ଜନ ଦେୱାନୀ ଓ ଫୌଜଦାରି ଦଣ୍ଡବିଧିର ତାରତମ୍ୟ ବୁଝାଇବାକୁ ଯାଇ ତାଙ୍କ ମହକିଲଙ୍କ ପକ୍ଷରୁ ବିଷୟଟିକୁ ଏଭଳି ଉପସ୍ଥାପିତ କଲେ, ଯାହା ଫଳରେ କି ବିଚାରପତିମାନେ ତାଙ୍କ ମତ ଗ୍ରହଣ କରି ପତ୍ରିକା ସପକ୍ଷରେ ରାୟ ଦେଲେ ।

 

ଚିତ୍ତରଞ୍ଜନଙ୍କ ମୃତ୍ୟୁ ପରେ ଆଇନଜୀବୀ ହିସାବରେ ତାଙ୍କ ସାହସ, ଦକ୍ଷତା ଏବଂ ସାଧୁତା ପ୍ରତି ବେଞ୍ଚ୍ ଓ ବାର୍ ଉଭୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସେ ଯେପରି ସାବଧାନତାର ସହିତ ସମସ୍ତ ବିଷୟଟିକୁ ବୁଝି ବିଶ୍ଳେଷଣ କରୁଥିଲେ, ତାହା ତାଙ୍କ କୃତିତ୍ୱର ମୂଳ କଥା ବୋଲି ସମସ୍ତେ ସ୍ୱୀକାର କରୁଥିଲେ । ସାକ୍ଷୀମାନଙ୍କ ଜମାନବନ୍ଦୀ, କାଗଜପତ୍ର ଏବଂ ଘଟଣାଚକ୍ରର ସାକ୍ଷ୍ୟ ସବୁ ବିଷୟ ସେ ଅତି ସାବଧାନତାର ସହିତ ବିଶ୍ଳେଷଣ କରୁଥିଲେ । ତାହା ଛଡ଼ା ତାଙ୍କର ଅତି ଦୃଢ଼ ଇଚ୍ଛା ଥିବାରୁ ଜଜ୍ ବା ବିରୁଦ୍ଧ ପକ୍ଷଙ୍କ ସହିତ କେବେହେଲେ ସେ ଏକମତ ବା ସେମାନଙ୍କ କଥାରେ ରାଜି ହେଉ ନଥିଲେ । ସୁଆଲ ଜବାବରେ ସେ କେବେହେଲେ ଉପରଠାଉରିଆ କଥା କହୁ ନଥିଲେ ବା ହାକିମମାନଙ୍କୁ ଭୟ କରୁ ନଥିଲେ । ସେ ଏଭଳି ଆନ୍ତରିକତା ଓ ଦୃଢ଼ତାର ସହିତ ଯୁକ୍ତି ବାଢ଼ୁଥିଲେ, ଯାହା ଫଳରେ ବିଚାରପତିମାନେ ମୂଳରୁ ବିରୁଦ୍ଧ ମନୋଭାବ ପ୍ରକାଶ କରୁଥିଲେ ସୁଦ୍ଧା ଶେଷକୁ ତାଙ୍କଦ୍ୱାରା ପ୍ରଭାବିତ ହୋଇଯାଉଥିଲେ ।

Image

 

ଚତୁର୍ଥ ଅଧ୍ୟାୟ

କବି ଓ ସାହିତ୍ୟିକ

 

ଚିତ୍ତରଞ୍ଜନଙ୍କ ପରି ଦୃଢ଼ ଓ ଭାବୁକ ଲୋକ ଯେ କବିତା ଓ ସାହିତ୍ୟ ପ୍ରତି ଆକୃଷ୍ଟ ହେବେ, ଏହା ସ୍ୱାଭାବିକ । ପିଲାଦିନୁ ବୈଷ୍ଣବ କବିମାନଙ୍କଦ୍ୱାରା ସେ ବିଶେଷ ପ୍ରଭାବିତ ହୋଇଥିଲେ । ସେମାନଙ୍କ ଆନ୍ତରିକତା ତଥା ସରଳତା ତାଙ୍କୁ ଅତିମାତ୍ରାରେ ଅଭିଭୂତ କରିଥିଲା, ଯାହାକି ଜୀବନସାରା ତାଙ୍କ ଉପରେ ପ୍ରଭାବ ପକାଇଥିଲା । ଶ୍ରୀଚୈତନ୍ୟଙ୍କ ଜୀବନୀ ଓ ଶିକ୍ଷା ତାଙ୍କୁ ଅଧିକମାତ୍ରାରେ ପ୍ରଭାବିତ କରିଥିଲା । ବ୍ରାହ୍ମ ପରିବାରରେ ଜନ୍ମ ହୋଇଥିଲେ ସୁଦ୍ଧା ଏବଂ ବ୍ରାହ୍ମ ସମ୍ପ୍ରଦାୟ ମୂର୍ତ୍ତିପୂଜାରେ ବିଶ୍ୱାସ କରୁ ନଥିଲେହେଁ, ବଙ୍ଗଳାର ପ୍ରଚଳିତ ବୈଷ୍ଣବ ଧର୍ମର ଭାବପ୍ରବଣତାରେ ସେ ଅତିମାତ୍ରାରେ ଉଦ୍‍ବୁଦ୍ଧ ହୋଇଥିଲେ । ଅତିମାତ୍ରାରେ ବୌଦ୍ଧିକ ଥିବା ସତ୍ତ୍ୱେ ସେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଭାବମୟ ଓ ଭଗବତ୍ ଭାବପୂର୍ଣ୍ଣ ରଚନାଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହୋଇଥିଲେ ।

 

ଚିତ୍ତରଞ୍ଜନଙ୍କ ପ୍ରଥମ କବିତା ବହି ହେଉଛି ‘‘ମାଳଞ୍ଚ’’ । ଏହା କେତୋଟି କ୍ଷୁଦ୍ର କବିତାର ସମଷ୍ଟି । ଏହି କବିତାଗୁଡ଼ିକରେ ସମାଜରେ ଥିବା ନିଷ୍ପେଷିତମାନଙ୍କ ପ୍ରତି ତାଙ୍କର ସହାନୁଭୂତି ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି । ‘‘’The Horlot’’ ନାମକ ତାଙ୍କର ଗୋଟିଏ କବିତା ଯୋଗୁଁ ବ୍ରାହ୍ମ ସମାଜରେ ତୀବ୍ର ପ୍ରତିବାଦ ଉଠିଥିଲା ଏବଂ ସେଥିଯୋଗୁଁ ତାଙ୍କ ବିବାହ ସମୟରେ କେତେକ ଅସୁବିଧା ମଧ୍ୟ ହୋଇଥିଲା । ଏହି ବିରୋଧ ସତ୍ତ୍ୱେ ପ୍ରପୀଡ଼ିତ ମାନବ ସମାଜ ପ୍ରତି ତାଙ୍କ କବିତାରେ ଆନ୍ତରିକ ସହାନୁଭୂତି ପ୍ରକାଶ ପାଇବାରେ କୌଣସି ବାଧା ଘଟି ନଥିଲା । ସେ କୌଣସି ଗୋଷ୍ଠୀର କୁସଂସ୍କାର ପ୍ରତି ଭ୍ରୂକ୍ଷେପ କରୁ ନଥିଲେ ଏବଂ ବିଶ୍ୱାସ ଓ ଭକ୍ତି ମଣିଷର ଜନ୍ମଗତ ଏବଂ ବ୍ୟକ୍ତିଗତ ଅଧିକାର ବୋଲି ଭାବୁଥିଲେ ।

 

ଚିତ୍ତରଞ୍ଜନଙ୍କର ଅନ୍ୟାନ୍ୟ ପୁସ୍ତକ ହେଉଛି ‘‘ମାଳା’’, ‘‘ସାଗର ସଙ୍ଗୀତ’’, ‘‘ଅନ୍ତର୍ଯ୍ୟାମୀ’’ ଏବଂ ‘‘କିଶୋର କିଶୋରୀ’’ । ଏହି ପୁସ୍ତକଗୁଡ଼ିକ ପାଠକ ସମାଜରେ ଆଦୃତ ହୋଇଥିଲା ଏବଂ ବିଶେଷତଃ ପ୍ରାଚ୍ୟ ବିଦ୍ୟାବିତ୍ ଶ୍ରୀ ଜନ୍ ଆଲେକ୍‍ଜାଣ୍ଡର୍ ଚାପମାନ୍ ଏହି ବହିଗୁଡ଼ିକର ଖୁବ୍ ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ଚାପମାନ୍ ଚିତ୍ତରଞ୍ଜନଙ୍କର କେତେକ ବହି ଇଂରେଜୀରେ ଅନୁବାଦ କରିଥିଲେ ଏବଂ ଅରବିନ୍ଦ ମଧ୍ୟ ଆଉ କେତେକ ବହି ଅନୁବାଦ କରିଥିଲେ । ଚିତ୍ତରଞ୍ଜନଙ୍କର କବିତାବଳୀ ଆଲୋଚନା କରି ଶ୍ରୀ ଚାପମାନ୍ କହିଥିଲେ, ‘‘ଦେଶବନ୍ଧୁଙ୍କର ମାନସ ରାଜ୍ୟରେ ବୁଲିବା ଏବଂ ବଞ୍ଚିବା ଏକ । ସଙ୍ଗୀତହିଁ ଜୀବନ ଓ ଜୀବନହିଁ ସଙ୍ଗୀତ । ବାସ୍ତବରେ ମାନବସମାଜ ଯେତେ ପୁରାତନ, ସଙ୍ଗୀତ ସେତିକି ପୁରାତନ ଏବଂ ତାହା ମାନବ ସମାଜର ଇତିହାସ ସଦୃଶ............ । ମଣିଷ ଯେପରି ବଞ୍ଚିବା ଉଚିତ, ଯେବେ ସେପରି ବଞ୍ଚେ, ତାହାହେଲେ ସେଥିପାଇଁ ଯେଭଳି ଗୀତ ଗାଇବା ଉଚିତ, ସେହିଭଳି ଗାଇବା ଦରକାର । ଗାଇବା ଦୋଷଯୁକ୍ତ ହେଲେ ଜୀବନର ପୂର୍ଣ୍ଣତା ଆସିପାରିବ ନାହିଁ ।

 

‘‘ମାଳା’’ ୧୯୦୪ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ଏଥିରେ ଅତି ଗଢ଼ ଧର୍ମଭାବ ପ୍ରକାଶିତ । ସେହି ଅଜ୍ଞାତ ଏବଂ ଅଜ୍ଞେୟଙ୍କ ପ୍ରତି ଚିତ୍ତରଞ୍ଜନଙ୍କର ଦୃଢ଼ବିଶ୍ୱାସ ତହିଁରୁ ପ୍ରକାଶ ପାଏ ।

 

‘‘ମାଳଞ୍ଚ’’ ଚିତ୍ତରଞ୍ଜନଙ୍କୁ କବି ହିସାବରେ ପ୍ରତିଷ୍ଠିତ କରିପାରିଥିଲେ ସୁଦ୍ଧା ‘‘ସାଗର ସଙ୍ଗୀତ’’ ତାଙ୍କୁ ବିଖ୍ୟାତ କରିଛି । ୧୯୧୦ ମସିହାରେ ସେ ବିଲାତରୁ ସମୁଦ୍ର ପଥରେ ଫେରିଲାବେଳେ ଏ ବହିଟି ଲେଖିଥିଲେ । କବିତାଗୁଡ଼ିକ ବିଷୟବସ୍ତୁ ପାଇଁ ଯେ କେବଳ ଉଲ୍ଲେଖଯୋଗ୍ୟ, ସେତିକି ନୁହେଁ; ଭାବର ସୌନ୍ଦର୍ଯ୍ୟ ଏବଂ ସାହିତ୍ୟର ପରାକାଷ୍ଠା ପାଇଁ ମଧ୍ୟ ସୁପ୍ରସିଦ୍ଧ । ଭାବ ଏବଂ ଉଚ୍ଛ୍ୱାସରେ ଏହା ସମୁଦ୍ର ସଦୃଶ ଗଭୀର ଏବଂ ଭକ୍ତି ଓ ଚିନ୍ତାର ସମ୍ମିଶ୍ରଣ ଏଥିରେ ପ୍ରକଟିତ ।

 

‘‘ଅନ୍ତର୍ଯ୍ୟାମୀ’’ ଓ ‘‘କିଶୋର କିଶୋରୀ’’ରେ ଭଗବତ୍ ଦର୍ଶନପାଇଁ ଉତ୍କଣ୍ଠା ଅତିମାତ୍ରାରେ ପ୍ରକାଶ ପାଇଛି । ନାନା ଜଞ୍ଜାଳ ସତ୍ତ୍ୱେ ପ୍ରାର୍ଥନା ଓ ଉପାସନା ମଧ୍ୟରେ ମାନସିକ ଶାନ୍ତି କିପରି ରହିପାରିଛି, ତାହା ‘‘ଅନ୍ତର୍ଯ୍ୟାମୀ’’ରେ ପ୍ରକାଶ ପାଇଛି । ‘‘କିଶୋର କିଶୋରୀ’’ରେ ରାଧା ଏବଂ କୃଷ୍ଣଙ୍କର ସ୍ୱର୍ଗୀୟ ପ୍ରେମ ଚିତ୍ତରଞ୍ଜନ ପ୍ରକାଶ କରି ବ୍ୟକ୍ତିଗତ ଜୀବନ ପ୍ରତି ତୁଚ୍ଛତା ଜ୍ଞାପନ କରିଛନ୍ତି ।

 

ଚିତ୍ତରଞ୍ଜନଙ୍କ କ୍ଷୁଦ୍ର କବିତାବଳୀରେ ତାଙ୍କ ନିଜର ପ୍ରଗାଢ଼ ବ୍ୟକ୍ତିଗତ ବିଶ୍ୱାସ ଯେପରି ପ୍ରକାଶ ପାଇଛି, ସେହିପରି ବଙ୍ଗଳାର ସାମାଜିକ ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ସମ୍ବାଦପତ୍ରମାନଙ୍କରେ ତାଙ୍କର ମତ ପ୍ରବନ୍ଧ ଜରିଆରେ ପ୍ରକାଶ ପାଇଛି । ୧୯୧୪ ମସିହାରେ ସେ ବଙ୍ଗଳାର ବିଖ୍ୟାତ ମାସିକ ପତ୍ରିକା ‘‘ନାରାୟଣୀ’’ ପ୍ରକାଶ କରିବା ଆରମ୍ଭ କଲେ ଓ ସେ ନିଜେ ତାହାର ସମ୍ପାଦକ ହୋଇଥିଲେ । ସମ୍ପାଦକଙ୍କର ନିଜର ବିଭିନ୍ନ ପ୍ରବନ୍ଧ, ଗଳ୍ପ, କବିତା ଏବଂ ସଙ୍ଗୀତ ତହିଁରେ ପ୍ରକାଶ ଛଡ଼ା ବ୍ରଜେନ୍ଦ୍ରନାଥ ଶୀଳ, ବିପିନଚନ୍ଦ୍ର ପାଲ, ହରପ୍ରସାଦ ଶାସ୍ତ୍ରୀ, ରାଖାଲ ଦାସ ବାନାର୍ଜୀ, ସୁରେଶ ଚନ୍ଦ୍ର ସମାଜପତି ଓ ସେ ସମୟର ବଙ୍ଗଳାର ଅନ୍ୟାନ୍ୟ ବିଶିଷ୍ଟ ଲେଖକମାନଙ୍କର ଲେଖା ତହିଁରେ ପ୍ରକାଶ ପାଉଥିଲା । ବଡ଼ ଦୁଃଖର କଥା ଯେ, ପତ୍ରିକା ‘‘ନାରାୟଣୀ’’ ସେତେବେଳେ ପ୍ରମଥନାଥ ଚୌଧୁରୀ ତାଙ୍କର ଛଦ୍ମନାମ ‘‘ବୀରବଲ’’ ସମ୍ପାଦନାରେ ପ୍ରକାଶ କରୁଥିବା ‘‘ସବୁଜପତ୍ର’’ ନାମକ ଗୋଟାଏ ପତ୍ରିକାର ପ୍ରତିଦ୍ୱନ୍ଦ୍ୱୀରୂପେ ପ୍ରକାଶ ପାଉଛି ବୋଲି ଗୋଟିଏ ଧାରଣା ସୃଷ୍ଟି ହେଲା । ଏହି ‘‘ସବୁଜପତ୍ର’’ ରବୀନ୍ଦ୍ରନାଥ ଠାକୁରଙ୍କ ଚିନ୍ତାଧାରା ଓ ଦର୍ଶନ ବିଷୟରେ ବିଶେଷ ଭାବରେ ପ୍ରବନ୍ଧାବଳୀ ପ୍ରକାଶ କରୁଥିଲା । ତାଙ୍କର ଚିନ୍ତାଧାରା କେତେକାଂଶରେ ଇବ୍‍ସନଙ୍କ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହେଉଥିଲା । ରବୀନ୍ଦ୍ରନାଥଙ୍କର ‘‘ବୋଷ୍ଟାମି’’ ଓ ‘‘ସ୍ତ୍ରୀର ପତ୍ର’’ ପ୍ରଭୃତି କେତେକ ଗଳ୍ପ ଫଳରେ ବଙ୍ଗଳାର ରକ୍ଷଣଶୀଳ ସମ୍ପ୍ରଦାୟ ମଧ୍ୟରେ ବିରୋଧ ଭାବ ପ୍ରକାଶ ପାଇଲା । ‘‘ନାରାୟଣୀ’’ ମାଧ୍ୟମରେ ତାହାର ଜବାବମାନ ଦିଆଯାଉଥିଲା । ଏହି ସମ୍ପର୍କରେ ଲେଖିଥିବା ଗୋଟିଏ ପ୍ରବନ୍ଧରେ ଚିତ୍ତରଞ୍ଜନ ଲେଖିଥିଲେ–

 

‘‘ରବୀନ୍ଦ୍ରନାଥ ବହୁ ବିଷୟ ପାଶ୍ଚାତ୍ୟରୁ ଆମଦାନୀ କରିଛନ୍ତି । ଏହା ଫଳରେ ବଙ୍ଗଳା ସାହିତ୍ୟରେ କେତେକ ନୂତନ ବିଷୟର ପ୍ରବର୍ତ୍ତନ ଫଳରେ ତାହା ଯେ ସମୃଦ୍ଧିଶାଳୀ ହୋଇଛି, ତହିଁରେ କୌଣସି ସନ୍ଦେହ ନାହିଁ । ତଥାପି ବଙ୍ଗଳାର ବ୍ୟକ୍ତିଗତ ସଂସ୍କୃତି ଓ ଜାତୀୟ ଭାବକୁ ଅକ୍ଷୁଣ୍ଣ ରଖିବା ଦିଗରେ ତାହା ସାହାଯ୍ୟ କରି ନାହିଁ । କୌଣସି ଅବସ୍ଥାରେ ପାଶ୍ଚାତ୍ୟ ଆଡ଼ମ୍ୱରରେ ଭୁଲିଯାଇ ତାହାର ନେତୃତ୍ୱ ଆମ୍ଭେମାନେ ଗ୍ରହଣ କରିପାରିବୁ ନାହିଁ ।’’

 

ଅବଶ୍ୟ ରବୀନ୍ଦ୍ରନାଥଙ୍କ ସମାଲୋଚନା ସମସ୍ତେ ଗ୍ରହଣ କରିବେ ନାହିଁ । କିନ୍ତୁ ଭାରତୀୟ ସଂସ୍କୃତି ଓ ନିଜସ୍ୱ ଭାବ ଉପରେ ପ୍ରତିଷ୍ଠିତ ଚିନ୍ତାପୂର୍ଣ୍ଣ ପ୍ରବନ୍ଧ ଏବଂ ଭକ୍ତିରସାତ୍ମକ ସଙ୍ଗୀତମାନ ପ୍ରକାଶ ପାଇବାଦ୍ୱାରା ବହୁ ଯୁବକ ଲେଖକ ଯେପରି ପାଶ୍ଚାତ୍ୟ ଚିନ୍ତାପ୍ରବାହରେ ଭାସି ଯାଉଥିଲେ, ତାହା ଯେ ରୋକି ହୋଇଯାଇଛି, ତହିଁରେ କୌଣସି ସନ୍ଦେହ ନାହିଁ । ଚିତ୍ତରଞ୍ଜନ ତାଙ୍କ ନିଜର ‘‘ଦି ହାର୍ଲଟ୍’’ ଶୀର୍ଷକ କବିତା ଏବଂ ‘‘ଡାଲିମ୍’’ ଓ ‘‘ପ୍ରାଣପ୍ରତିଷ୍ଠା’’ ଶୀର୍ଷକ ଗଳ୍ପରେ ଏହି ଚିନ୍ତାଧାରାର ପ୍ରଭାବ ଉଲ୍ଲେଖ କରି ପ୍ରକାଶ କରିଛନ୍ତି ଯେ, ଯେଉଁ ସ୍ତ୍ରୀଲୋକମାନେ ସମାଜ ବିରୁଦ୍ଧରେ ପାପ କରିଛନ୍ତି, ପ୍ରେମ ଓ ଭକ୍ତି ବଳରେ ସେମାନେ ମଧ୍ୟ ତା’ର ପ୍ରାୟଶ୍ଚିତ୍ତ କରିପାରିବେ-

 

ଚିତ୍ତରଞ୍ଜନ କେବଳ ଉଚ୍ଚ ଚିନ୍ତାକରି ଭକ୍ତିରସାତ୍ମକ କବିତାମାନ ଲେଖିଥିଲେ ବୋଲି କହିଲେ ଭୁଲ୍ ହେବ । ତାଙ୍କର କ୍ଷୁଦ୍ର କବିତାବଳୀ ଅବଶ୍ୟ ଉଚ୍ଚ ଆଦର୍ଶରୁ ଲେଖାଯାଇଛି, ଏହା ସତ୍ୟ; କିନ୍ତୁ ତାଙ୍କର ଗଳ୍ପ ଓ ଚିନ୍ତାଶୀଳ ପ୍ରବନ୍ଧମାନଙ୍କରେ ଯଥେଷ୍ଟ ବୌଦ୍ଧିକ ଚିନ୍ତାଧାରାର ନିଦର୍ଶନ ମିଳେ । ରସାତ୍ମକଭାବ ତାଙ୍କ ଚିନ୍ତାଧାରାର ଗୋଟିଏ ପ୍ରଧାନ ଅଂଶ ଏବଂ ଏହା ତାଙ୍କ ବକ୍ତୃତା ଓ ଲେଖାମାନଙ୍କରୁ ଯଥେଷ୍ଟ ଦେଖିବାକୁ ମିଳେ । ଭାରତୀୟମାନେ ସବୁବେଳେ ଗମ୍ଭୀର ବୋଲି କୁହାଯାଉଥିଲେ ସୁଦ୍ଧା ଚିତ୍ତରଞ୍ଜନ ଥିଲେ ଅତି ରସପ୍ରେମୀ । ତାଙ୍କ ସଂସ୍ପର୍ଶରେ ଯେତେ ଶୁଷ୍କଲୋକ ଆସିଲେ ସୁଦ୍ଧା ସେ ରସପୂର୍ଣ୍ଣ ହୋଇଯାଉଥିଲେ । ତାଙ୍କର ରସାତ୍ମକ ଭାବ ବହୁ ସମୟରେ ତାଙ୍କ ଓକିଲାତି କାର୍ଯ୍ୟରେ ମଧ୍ୟ ସହାୟକ ହେଉଥିଲା ।

 

ସେ କଲିକତା କର୍ପୋରେସନର ମେୟର ହେବାପରେ ଜଣେ ସଭ୍ୟ ପ୍ରସ୍ତାବ କଲେ ଯେ, ସହରରେ ଭିକ୍ଷା ମାଗି ବୁଲିବା ପ୍ରଥା ବନ୍ଦ କରାଯାଉ । ତହୁଁ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, କଲିକତାରେ ମେୟର ସର୍ବଶ୍ରେଷ୍ଠ ଭିକ୍ଷୁକ ହୋଇଥିବାରୁ, ଯେବେ ଏହା କରାଯାଏ, ତେବେ ପ୍ରଥମେ ସେ ଦୋଷୀ ହେବେ ।

 

ଆଉଥରେ କଲିକତା କର୍ପୋରେସନର ମୁଖ୍ୟ ଏକ୍‍ଜିକ୍ୟୁଟିଭ ଅଫିସର ମେୟରଙ୍କ ଅଫିସ୍ ଘରେ ଥିବା ଗୋଟିଏ ଟେବୁଲ ଅତି ସୁନ୍ଦର ହୋଇଛି ବୋଲି କହିବାରୁ ଚିତ୍ତରଞ୍ଜନ ରସିକତା କରି କହିଲେ, ‘‘ଏହା ତ ସବୁଦିନ ପାଇଁ ଆନନ୍ଦଦାୟକ ନୁହେଁ ।’’

 

ଥରେ କିଶୋରୀପତି ରାୟ ବୋଲି ଜଣେ ପୁରୁଖା ଓକିଲ ଚାଲିପାରୁ ନଥିବାରୁ ତାଙ୍କୁ ଚୌକିରେ ଜେଲ୍‍କୁ ଅଣାଗଲା । ତାଙ୍କ ଶରୀର କିପରି ଅଛି ବୋଲି ଚିତ୍ତରଞ୍ଜନ ପଚାରିବାରୁ ଚାଲି ପାରୁ ନଥିବାହେତୁ ତାଙ୍କୁ ରଥରେ ଅଣାଯାଇଥିବା କଥା ସେ କହିଲେ । ତହୁଁ ଚିତ୍ତରଞ୍ଜନ କହିଲେ କିଶୋରୀ ପତି (ବିଷ୍ଣୁ) ସବୁବେଳେ ସେହିପରି ଆସନ୍ତି ।

 

ବଙ୍ଗଳା ବ୍ୟବସ୍ଥାପକ ସଭା ନିର୍ବାଚନରେ ଚିତ୍ତରଞ୍ଜନ ତାଙ୍କ ନିଜ ଦାଦି ପୁଅ ଭାଇ ଶ୍ରୀ ଏସ୍.ଆର. ଦାସଙ୍କ ବିରୁଦ୍ଧରେ ସାତକଡ଼ି ରାୟ ନାମରେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ । ସୂର୍ଯ୍ୟ ବୋଲି ଜଣେ ଭଦ୍ରଲୋକ ଆସି ବିଧୁ ବୋଲି ଆଉ ଜଣେ ବନ୍ଧୁ ଶ୍ରୀ ଏସ.ଆର୍. ଦାସଙ୍କ ସପକ୍ଷରେ କାର୍ଯ୍ୟ କରୁଛି ବୋଲି ଚିତ୍ତରଞ୍ଜନଙ୍କୁ କହିଲେ । ତହୁଁ ରସିକତା କରି ସେ କହିଲେ, ବିଧୁ (ଚନ୍ଦ୍ର) ଯେବେ ଏସ୍.ଆର୍. ଦାସଙ୍କପାଇଁ କିଛି କରେ, ତାହାହେଲେ ସୂର୍ଯ୍ୟ ତାହାର ୧୦ ଗୁଣ ସାତକଡ଼ିଙ୍କ ପାଇଁ କାର୍ଯ୍ୟ କରିବା କଥା ।

 

ଚିତ୍ତରଞ୍ଜନ ବୈଦ୍ୟ ସମ୍ପ୍ରଦାୟର ଲୋକ ଏବଂ ବୈଦ୍ୟ ସମ୍ପ୍ରଦାୟ ବ୍ରାହ୍ମ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ବୋଲି ସେ ବରାବର କହୁଥିଲେ । ସେ ଯେ ଏହା କହୁଛନ୍ତି, ତାହା ସପକ୍ଷରେ ପ୍ରମାଣ କ’ଣ ବୋଲି ତାଙ୍କ ସ୍ତ୍ରୀ ଶ୍ରୀମତୀ ଦାସ ଥରେ ପଚାରିବାରୁ ସେ କହିଲେ, ‘‘ମୁଁ ଯେ ଜଣେ ବ୍ରାହ୍ମଣ ଝିଅଙ୍କୁ ବିବାହ କରିଛି, ଏହା ତାହାର ପ୍ରମାଣ’’ । ସମସ୍ତେ ହସିଲେ ।

 

ଗୟା କଂଗ୍ରେସ ଅଧିବେଶନ ସମୟରେ ଚିତ୍ତରଞ୍ଜନ ଏବଂ ତାଙ୍କର ଆଉ କେତେ ଜଣ ବନ୍ଧୁ କଥାବାର୍ତ୍ତା କରୁଛନ୍ତି, ଏହି ସମୟରେ ବାହାରର ଜଣେ ଲୋକ ସଭା କେତେବେଳେ ଆରମ୍ଭ ହେବ ବୋଲି ପଚାରିବାରୁ ସେ କହିଲେ, ‘‘ଆପଣମାନେ କଥାବାର୍ତ୍ତା ବନ୍ଦ କଲେ ଆରମ୍ଭ ହେବ ।’’

 

ଥରେ ଜଣେ ଭଦ୍ରଲୋକ ସ୍ୱାଧୀନତାବାଦୀ ଏବଂ ସ୍ୱରାଜ୍ୟପନ୍ଥୀମାନଙ୍କ ମଧ୍ୟରେ ଯଦି କୌଣସି ପ୍ରଭେଦ ନଥାଏ, ତାହାହେଲେ ସ୍ୱାଧୀନତାବାଦୀମାନେ କାହିଁକି ସ୍ୱରାଜ୍ୟ ଦଳରେ ଯୋଗ ଦେଇ ନାହାନ୍ତି ବୋଲି କହିବାରୁ ଚିତ୍ତରଞ୍ଜନ କହିଲେ, ‘‘ତାହାହେଲେ ସେମାନଙ୍କୁ ସ୍ୱାଧୀନତାବାଦୀ ପଦବୀ ହରାଇବାକୁ ପଡ଼ିବ ।’’

Image

 

ପଞ୍ଚମ ଅଧ୍ୟାୟ

ପ୍ରଥମ ରାଜନୈତିକ ଜୀବନ

 

ଛାତ୍ର ଅବସ୍ଥାରୁ ଚିତ୍ତରଞ୍ଜନ ରାଜନୀତିରେ ଆଗ୍ରହ ପ୍ରକାଶ କରୁଥିବା ଜଣାଅଛି । ତାଙ୍କର ରାଜନୈତିକ କାର୍ଯ୍ୟ ଫଳରେ ତାଙ୍କୁ ଭାରତୀୟ ସିଭିଲ ସର୍ଭିସ୍‍ରେ ନିଆଗଲା ନାହିଁ ବୋଲି ସେ ଏବଂ ତାଙ୍କ ବନ୍ଧୁମାନେ ଭାବୁଥିଲେ । ଓକିଲାତି ଜୀବନରେ ଯେଉଁ କେତେକ ରାଜନୈତିକ ମୋକଦ୍ଦମାରେ ଓକିଲ ହିସାବରେ ସେ କୃତିତ୍ୱ ଲାଭ କରିଥିଲେ, ତହିଁରେ ରାଜନୀତି ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ କରିଥିଲା । ତାଙ୍କ ସାହିତ୍ୟସାଧନା ମୁଖ୍ୟତଃ ଦେଶପ୍ରେମ ଉପରେ ପ୍ରତିଷ୍ଠିତ ଥିଲା । ସେ ଯାହା କିଛି ଲେଖୁଥିଲେ, ତହିଁରେ ଦେଶମାତୃକା ପ୍ରତି ଗଭୀର ସ୍ନେହଶ୍ରଦ୍ଧା ଓ ଦେଶର ଅତୀତ ପ୍ରତି ପୂର୍ଣ୍ଣ ସମ୍ମାନ ପ୍ରକାଶ ପାଉଥିଲା । ଏହି ସାମାଜିକ ଚିନ୍ତାଧାରା ପ୍ରକାଶ କରିବାପାଇଁ ‘‘ନାରାୟଣ’’ ମାସିକ ପତ୍ରିକା ସେ ପ୍ରକାଶ କରିଥିଲେ । ଏଥିରୁ ଜଣାପଡ଼େ ଯେ, ସେ ପ୍ରଥମେ ଜାତୀୟବାଦୀ ଥିଲେ ଏବଂ ତା’ପରେ ଆଇନଜୀବୀ ଓ ସାହିତ୍ୟିକ ହେଲେ ।

 

ଆଇନଜୀବୀ ଓ ସାହିତ୍ୟିକ ହିସାବରେ ଚିତ୍ତରଞ୍ଜନ ସୁପରିଚିତ ହେଲାପରେ ରାଜନୀତି କ୍ଷେତ୍ରକୁ ଆସିଲେ । ତାଙ୍କର ବକ୍ତୃତା ଦେବାରେ ଏବଂ ଅନ୍ୟକୁ ବୁଝାଇବାରେ ଅସାଧାରଣ ଶକ୍ତି ଥିଲା । ଆଇନଶିକ୍ଷା ଫଳରେ ସେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟକୁ ବିଭିନ୍ନ ଦିଗରୁ ଭଲରକମ ବାସ୍ତବତା ଦୃଷ୍ଟିରୁ ବିଶ୍ଳେଷଣ କରିପାରୁଥିଲେ । ବାସ୍ତବତା ଦୃଷ୍ଟିରୁ ଚିନ୍ତା କରିବା ସଙ୍ଗେ ସଙ୍ଗେ ତାଙ୍କର ଥିଲା କବିତ୍ୱ ଭାବ । ତେଣୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବା ଦିନୁ ମୁଷ୍ଟିମେୟ ଲୋକଙ୍କର ଉପକାର ପାଇଁ କେବେହେଲେ ଆନ୍ଦୋଳନ ନ କରି ଜନତାର ସ୍ୱରାଜପାଇଁ ସଂଗ୍ରାମ କରି ଆସିଥିଲେ । ଦେଶ ତାଙ୍କର ଏହି ମହାନ୍ ଗୁଣ ବୁଝି ତାଙ୍କୁ ‘‘ଦେଶବନ୍ଧୁ’’ ବା ‘‘ଦେଶର ବନ୍ଧୁ’’ ଉପାଧିରେ ଭୂଷିତ କରିଥିଲା ।

 

ଆଧୁନିକ ଭାରତରେ ରାଜନୀତିର ଆରମ୍ଭ ହେଉଛି ୧୮୮୫ ମସିହାରେ ବମ୍ୱେଠାରେ ହୋଇଥିବା ଭାରତଜାତୀୟ କଂଗ୍ରେସର ପ୍ରଥମ ବୈଠକରେ । ସେ ସମୟରେ କଂଗ୍ରେସ ମୁଖ୍ୟତଃ ସରକାରଙ୍କ ନିକଟରେ ଆବେଦନ ନିବେଦନ ଓ ଗୁହାରି କରି ପ୍ରତିକାର ଦାବି କରିବାର ଏକ ଅନୁଷ୍ଠାନ ଥିଲା । ବଙ୍ଗବିଚ୍ଛେଦ ଫଳରେ ସେ ଅନୁଷ୍ଠାନରେ ଟିକିଏ ଚେତନା ଦେଖାଦେଲା । ସେହି ସମୟର କଂଗ୍ରେସ ଅଧିବେଶନମାନଙ୍କରେ ଆଲୋଚନାର ଭାଷା ଅଧିକ ଉଗ୍ର ଓ ଉଷ୍ମାପୂର୍ଣ୍ଣ ହେଉଥିଲେ ସୁଦ୍ଧା କଂଗ୍ରେସକୁ ବିପ୍ଳବାତ୍ମକ ଅନୁଷ୍ଠାନ ବୋଲି ଚିତ୍ରଣ କଲେ ଭୁଲ ହେବ ।

 

୧୯୦୫ ମସିହାରେ କଂଗ୍ରେସ ମଧ୍ୟରେ ହେଲା ନୂତନ ଚିନ୍ତାଧାରାର ଅଭ୍ୟୁଦୟ । ବିପିନଚନ୍ଦ୍ର ପାଲ ଯୁବକଶ୍ରେଣୀର ମୁଖପାତ୍ର ହେଲେ ଏବଂ ତାଙ୍କ କାଗଜ ‘‘ନିଉ ଇଣ୍ଡିଆ’’ ହେଲା ଏହି ଚିନ୍ତାଧାରା ପ୍ରକାଶନର ମାଧ୍ୟମ । ବିପିନଚନ୍ଦ୍ରଙ୍କ ସହିତ ଚିତ୍ତରଞ୍ଜନଙ୍କର ଥିଲା ଘନିଷ୍ଠ ସମ୍ପର୍କ ଏବଂ ଭାରତ ଜାତୀୟ କଂଗ୍ରେସକୁ ନିୟନ୍ତ୍ରଣ କରୁଥିବା ମାନ୍ଦାଦଳର ଲୋକମାନଙ୍କୁ ସେମାନେ ଅତିରିକ୍ତ ସମାଲୋଚନା କରୁଥିଲେ । ସେ ସମୟର ଅବସ୍ଥା ସମ୍ପର୍କରେ କହିବାକୁ ଯାଇ ବିପିନଚନ୍ଦ୍ର ପାଲ କହିଥିଲେ–

 

‘‘ବର୍ତ୍ତମାନ ଆଉ ଗୋଟିଏ ଆନ୍ଦୋଳନ ଆମର ରାଜନୀତିରେ ମୁଣ୍ଡ ଟେକୁଥିବାର ଦେଖାଯାଉଛି । ୧୯୦୧ ମସିହାରେ ‘ନିଉ ଇଣ୍ଡିଆ’ର ପ୍ରକାଶନ ଆରମ୍ଭ ହେଲା । ମୂଳରୁ ଚିତ୍ତରଞ୍ଜନ ଏହା ସହିତ ଘନିଷ୍ଠଭାବରେ ସଂପୃକ୍ତ ରହି ଆସିଛନ୍ତି । ଯେଉଁମାନେ ମୂଳରୁ ଏହାକୁ ଆରମ୍ଭ କରିଥିଲେ, ସେମାନେ ଚଳାଇବାକୁ ଅସମର୍ଥ ହେବାରୁ ଚିତ୍ତରଞ୍ଜନ ସାହାଯ୍ୟ ଦେଇ ଏହାକୁ ରକ୍ଷା କରିଛନ୍ତି । ଏହି କାଗଜ ଚଳାଇବା ପାଇଁ ଗୋଟିଏ କମ୍ପାନୀ ଗଠିତ ହେବା ସମୟରେ ସେ ନିଜେ ଦେବାଳିଆ ବୋଲି ନିଜକୁ ଘୋଷଣା କରିଥିବାରୁ ତା’ର ଡାଇରେକ୍ଟର୍ ହୋଇ ପାରି ନଥିଲେ ତଥାପି ସେ ବହୁ ଲୋକଙ୍କୁ ଡାଇରେକ୍ଟର୍ ହୋଇ ଟଙ୍କା ଖଟାଇବାକୁ ପ୍ରବର୍ତ୍ତାଇଛନ୍ତି । ୧୯୦୫ ମସିହାରେ ନୂତନ ଜାତୀୟତାବାଦ ଆନ୍ଦୋଳନ ଆରମ୍ଭ ହେବାପରେ ଆମର ସହୃଦୟତା ଅଧିକମାତ୍ରାରେ ବଢ଼ି ଘନିଷ୍ଠରୁ ଘନିଷ୍ଠତର ହେଲା । ପ୍ରାୟ ୨୦ ବର୍ଷ ବ୍ୟାପୀ ଚିତ୍ତରଞ୍ଜନ ଓ ମୁଁ ମାତୃଭୂମି ସେବାରେ ସହକର୍ମୀ ହେଲୁ । ମୋର କାର୍ଯ୍ୟପାଇଁ ଆର୍ଥିକ ବ୍ୟବସ୍ଥାରେ ଦାୟିତ୍ୱ ସେ ନେଲେ । ମୋର ସମସ୍ତ ଖର୍ଚ୍ଚର ଦାୟିତ୍ୱ ସେ ତାଙ୍କର କର୍ତ୍ତବ୍ୟ ଭାବି ବହନ କରୁଥିବାରୁ ମୋ ପକ୍ଷରେ ମୁକ୍ତହସ୍ତରେ ଏବଂ ଅକୁଣ୍ଠିତ ଚିତ୍ତରେ ତାଙ୍କର ସାହାଯ୍ୟ ଗ୍ରହଣ କରିବା ସମ୍ଭବପର ହେଲା-।’’

 

୧୯୦୪ ମସିହାରେ ଚିତ୍ତରଞ୍ଜନଙ୍କ ଘରେ ସ୍ୱଦେଶୀ–ମଣ୍ଡଳ ଗଠିତ ହେଲା । କେତେକ ଅନ୍ତରଙ୍ଗ ବନ୍ଧୁଙ୍କୁ ନେଇ ଏହା ଗଠିତ ହୋଇଥିଲା ଏବଂ ନିଜକୁ ନିଜେ ସାହାଯ୍ୟ କରିବା ଓ ସ୍ୱଦେଶୀ ପ୍ରଚାର କରିବା ଥିଲା ଏହାର ଦାୟିତ୍ୱ । ୧୯୦୫ ମସିହା ଅକ୍ଟୋବର ୧୬ ତାରିଖ ଦିନ ଦାର୍ଜିଲିଂଠାରେ ଏକ ସଭାରେ ଦେଇଥିବା ଭାଷଣରେ ଚିତ୍ତରଞ୍ଜନ କହିଥିଲେ–

 

‘‘ନିଜେ ନିଜକୁ ସାହାଯ୍ୟ କରିବା ଦିଗରେ ବଙ୍ଗାଳୀ ଜାତିକୁ ଏହା ମୌଳିକ ଶିକ୍ଷା ଦେଉଥିବାରୁ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ଅଛି ବୋଲି ମୁଁ ଭାବେ । ସେହି କାରଣରୁ ଆମର ଜାତୀୟ ପ୍ରଗତି ଏହି ଆନ୍ଦୋଳନର ସଫଳତା ଉପରେ ନିର୍ଭର କରେ ବୋଲି ମୋର ଦୃଢ଼ବିଶ୍ୱାସ । କୌଣସି ଜାତି ଅନ୍ୟ ଜାତିକୁ ସାହାଯ୍ୟ କରି ନ ପାରେ ବୋଲି ଏ ପୃଥିବୀ–ଇତିହାସରୁ ଶିକ୍ଷା ମିଳିଛି । ପ୍ରତ୍ୟେକ ଲୋକକୁ ତା’ର ବିକାଶପାଇଁ ଯେପରି ପରିଶ୍ରମ କରିବାକୁ ହେବ, ସେହିପରି ପ୍ରତ୍ୟେକ ଜାତିକୁ ନିଜର ବିକାଶପାଇଁ ପରିଶ୍ରମ କରିବାକୁ ପଡ଼ିବ । ସ୍ୱାଧୀନତାଲାଭ ନିଜ ଶକ୍ତି ଉପରେ ନିର୍ଭର କରେ । ଆପଣମାନେ ଯେବେ ଅନ୍ୟ ଜାତି ଉପରେ ଏଥିପାଇଁ ନିର୍ଭର କରିବେ, ତାହାହେଲେ ହଜାରବର୍ଷ ବିତିଗଲେ ସୁଦ୍ଧା ପ୍ରକୃତ ସ୍ୱାଧୀନତାର ପଥ ପାଇପାରିବେ ନାହିଁ ।’’

 

ଚିତ୍ତରଞ୍ଜନ ଏହି ସଭାରେ ମୁଖ୍ୟତଃ ବଙ୍ଗଳାକୁ ଲକ୍ଷ୍ୟ କରି କହିଥିଲେ ସୁଦ୍ଧା ତାଙ୍କର ପ୍ରସାରିତ ଜାତୀୟତାବାଦ ସମଗ୍ର ଭାରତକୁ ଅନ୍ତର୍ଭୁକ୍ତ କରୁଥିଲା । ଏପରିକି, ସେ ସମୟରେ ମଧ୍ୟ ଏସିଆ ରାଷ୍ଟ୍ରସଙ୍ଘ ଗଠନପାଇଁ ସେ ଚେଷ୍ଟା କରୁଥିଲେ । ଜାପାନର ଜଣେ ବିଖ୍ୟାତ କବି ଓକାକୁଡ଼ା ଏବଂ ଶିଷ୍ଟର ନିବେଦିତା ତାଙ୍କୁ ଏଥିରେ ଅତିମାତ୍ରାରେ ପ୍ରଭାବିତ କରିଥିଲେ । ଓକାକୁଡ଼ା ଲେଖିଥିବା ‘‘ପ୍ରାଚ୍ୟର ଆଦର୍ଶ’’ ତାଙ୍କୁ ଅତିମାତ୍ରାରେ ପ୍ରଭାବିତ କରିଥିଲା । ସିଷ୍ଟର ନିବେଦିତା ଏହି ବହିର ମୁଖବନ୍ଧରେ ଲେଖିଥିଲେ, ‘‘ଏସିଆ ଏକ ଏବଂ ପ୍ରାଚ୍ୟର ଦୁଇଟି ସମୃଦ୍ଧ ସଭ୍ୟତା ଭାରତ ଏବଂ ଚୀନ ଉଭୟଙ୍କ ମଧ୍ୟରେ ଥିବା ହିମାଳୟ ପର୍ବତମାଳା ଦୁହିଁଙ୍କୁ ବିଚ୍ଛିନ୍ନ କରୁଥିଲେ ସୁଦ୍ଧା ନିକଟତର କରୁଛି ।’’

 

ଚିତ୍ତରଞ୍ଜନ ଏବଂ ତାଙ୍କର କେତେକ ବନ୍ଧୁ ଏହି ସମୟରେ ଜାତୀୟ ଶିକ୍ଷାପଦ୍ଧତିର ଆବଶ୍ୟକତା ଅନୁଭବ କରିଥିଲେ । ସେ ସମୟରେ ଘଟିଥିବା କେତେକ ଘଟଣା ଫଳରେ ଗୋଟିଏ ଜାତୀୟ କଲେଜ ସ୍ଥାପନପାଇଁ ସେମାନେ ଦୃଢ଼ପ୍ରତିଜ୍ଞ ହେଲେ । ୧୯୦୫ ମସିହାରେ ବଙ୍ଗଳା ସରକାର ପ୍ରକାଶ କରିଥିବା ଗୋଟିଏ ଇସ୍ତାହାରରେ ଛାତ୍ରମାନଙ୍କୁ ରାଜନୀତିରେ ଭାଗ ନ ନେବାପାଇଁ କୁହାଯାଇଥିଲା । କେତେକ ଛାତ୍ରଙ୍କୁ ଏହି ଦୋଷରେ ଜୋରିମାନା ମଧ୍ୟ କରାଯାଇଥିଲା-। ଆଉ କେତେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଇନସ୍‍ପେକ୍ଟରଙ୍କ ନିର୍ଦ୍ଦେଶରେ ଛାତ୍ରମାନଙ୍କର ଦୁଇ ଗୋଡ଼ ଓ ହାତ ବାନ୍ଧି ଦଣ୍ଡ ଦେଇଥିଲେ । ଏହି ସମୟରେ କଲିକତାର ବିଶିଷ୍ଟ ଦାନଶୀଳ, ଧନୀ ସୁବୋଧ ମଲ୍ଲିକ ଜାତୀୟ କଲେଜ ଆରମ୍ଭ କରାଗଲେ ଯଥେଷ୍ଟ ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି ଚିତ୍ତରଞ୍ଜନ ଖବର ପାଇଲେ । ଏହି ଖବର ପାଇ ସେ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ଯୋଜନା କଲେ ଏବଂ ସୁବୋଧ ମଲ୍ଲିକଙ୍କଠାରୁ ଲକ୍ଷେ ଟଙ୍କା ଦାନର ପ୍ରତିଶ୍ରୁତି ପାଇଲେ । ୧୯୦୫ ମସିହା ନଭେମ୍ୱର ୯ ତାରିଖ ଦିନ ଏହି ଯୋଜନା ଘୋଷିତ ହେଲା-

 

ପରେ ଯାଦବପୁର ଇଞ୍ଜିନିୟରିଙ୍ଗ କଲେଜରେ ପରିଣତ ହୋଇଥିବା ଜାତୀୟ ଶିକ୍ଷାପରିଷଦ ଏହିପରି ଆରମ୍ଭ ହେଲା । ଏହା ବର୍ତ୍ତମାନ ବିଧିବଦ୍ଧ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଅଛି ଏବଂ ଏହାର ବିଶେଷତ୍ୱ ହେଉଛି ବୈଷୟିତ ଶିକ୍ଷା ଉପରେ ଗୁରୁତ୍ୱ । ଚିତ୍ତରଞ୍ଜନ ଅରବିନ୍ଦଙ୍କୁ ବରୋଦା ଗାୟେକୱାର୍ଡ଼ କଲେଜର ଉପାଧ୍ୟକ୍ଷ ପଦ ଛାଡ଼ି ଜାତୀୟ ସେବାପାଇଁ କଲିକତା ଆସିବାକୁ ଆହ୍ୱାନ ଦେଇଥିଲେ । ଯେତେବେଳେ ଜାତୀୟ ଶିକ୍ଷା ପରିଷଦ ଗଠିତ ହେଲା, ଅରବିନ୍ଦ ଘୋଷ ତହିଁରେ ପ୍ରଥମ ଅଧ୍ୟକ୍ଷ ଭାବରେ ଯୋଗ ଦେଇଥିଲେ ।

 

ଚିତ୍ତରଞ୍ଜନଙ୍କର ରାଜନୈତିକ ଜୀବନରେ ୧୯୦୬ ମସିହା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ । ସେହି ବର୍ଷ ବରିସାଲରେ ମିଷ୍ଟର୍ ଏ. ରସୁଲଙ୍କ ସଭାପତିତ୍ୱରେ ହୋଇଥିବା ବଙ୍ଗ ପ୍ରାଦେଶିକ ସମ୍ମିଳନୀର ମୁଖ୍ୟ ପ୍ରସ୍ତାବ ସେ ଚିଠା କରିଥିଲେ । ସେତେବେଳ ପର୍ଯ୍ୟନ୍ତ ରାଜନୈତିକ କାର୍ଯ୍ୟ ଭିତରେ ସରକାରଙ୍କୁ ଆବେଦନ ନିବେଦନ କରିବା ମୁଖ୍ୟରୂପେ ଗଣ୍ୟ ହେଉଥିଲା । ତା’ ପରିବର୍ତ୍ତେ ଆତ୍ମନିର୍ଭରଶୀଳ ନୀତି ଗ୍ରହଣ କରିବାପାଇଁ ଏହି ପ୍ରସ୍ତାବରେ ଆହ୍ୱାନ ଦିଆଯାଇଥିଲା । ପୋଲିସ୍ ପ୍ରକାଶ୍ୟ ଅଧିବେଶନ ଭାଙ୍ଗିଦେବାରୁ ସମ୍ମିଳନୀ ତା’ର କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲା ନାହିଁ । ସ୍ୱେଚ୍ଛାସେବକ ଓ ଛାତ୍ରମାନଙ୍କୁ ‘‘ବନ୍ଦେମାତରମ୍’’ ଧ୍ୱନି କରିଥିବା ଅଭିଯୋଗରେ ମାଡ଼ ଦିଆଗଲା । ସୁରେନ୍ଦ୍ରନାଥ ବାନାର୍ଜୀଙ୍କୁ ଗିରଫ୍ କରାଯାଇ ଦଣ୍ଡ ଦିଆଗଲା । ଏହି ଘଟଣାରେ ଅନ୍ୟମାନଙ୍କ କଥା କିଏ ପଚାରେ, ମାନ୍ଦାଦଳର ଲୋକେ ମଧ୍ୟ ମର୍ମାହତ ହୋଇଥିଲେ ଏବଂ ଭାରତବର୍ଷରୁ ଇଂରାଜୀ ଶାସନ ଶେଷ ହେବାର ଏହା ସୂଚନା ବୋଲି ମତପ୍ରକାଶ କରିଥିଲେ । ୧୯୦୬ ମସିହା ଜୁନ୍ ମାସରେ ଉକ୍ତ ସମ୍ମିଳନୀ ଭଙ୍ଗାଯିବାର ଠିକ୍ ୬ ସପ୍ତାହ ମଧ୍ୟରେ ଲୋକମାନ୍ୟ ତିଳକ କଲିକତା ଆସି ଶିବାଜୀ ଉତ୍ସବର ଆୟୋଜନ କଲେ । ଏହି ଉପଲକ୍ଷେ ତିଳକ ‘ସ୍ୱରାଜ ମୋର ଜନ୍ମଗତ ଅଧିକାର’ ବୋଲି ଦେଇଥିବା ବାଣୀ ସେହି ଦିନୁ ଭାରତୀୟ ଜାତୀୟତାବାଦର ମୂଳମନ୍ତ୍ରରେ ପରିଣତ ହେଲା । କଲିକତା କଂଗ୍ରେସ ଅଧିବେଶନ ସମୟରେ ତିଳକ ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ନେତୃବୃନ୍ଦ ଚିତ୍ତରଞ୍ଜନଙ୍କ ଅତିଥି ହୋଇ ଜାତୀୟତାବାଦୀ ଦଳକୁ ଅଧିକ ଉତ୍ସାହିତ କରିଥିଲେ ।

 

୧୯୦୭ ମସିହାରେ କଂଗ୍ରେସର ସୁରାଟ ଅଧିବେଶନ ପରେ ଅନୁଷ୍ଠାନର ନେତୃତ୍ୱ ନରମପନ୍ଥୀମାନଙ୍କର ହାତରେ ପଡ଼ିଲା ଏବଂ ସେଥିଯୋଗୁଁ କଂଗ୍ରେସ ଭିତରେ ବିଭେଦ ସୃଷ୍ଟିହେଲା-। ଚିତ୍ତରଞ୍ଜନ ଏହି ସମୟରେ ସକ୍ରିୟ ରାଜନୀତିରୁ ଅଲଗା ରହିଥିଲେ । କିନ୍ତୁ ସେ ସମୟର ରାଜନୈତିକ ମୋକଦ୍ଦମାମାନଙ୍କରେ ସେ ଓକିଲ ହିସାବରେ ଲଢ଼ୁଥିବାରୁ ରାଜନୀତି ସହ ସେ ବରାବର ସମ୍ପର୍କ ରଖିପାରୁଥିଲେ । ୧୯୧୭ ମସିହାରେ କଲିକତାରେ ହେଉଥିବା ବଙ୍ଗ ପ୍ରାଦେଶିକ ସମ୍ମିଳନୀରେ ସଭାପତିତ୍ୱ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସଭାପତି ହେବାପାଇଁ ତାଙ୍କ ନାମ ସୁରେନ୍ଦ୍ରନାଥ ବାନାର୍ଜୀ ପ୍ରସ୍ତାବ କରିଥିଲେ ଏବଂ ଅତିଶୀଘ୍ର ଚିତ୍ତରଞ୍ଜନ ଭାରତର ଅତି ବିଶ୍ୱସ୍ତ ଏବଂ ଜନପ୍ରିୟ ନେତା ହେବେ ବୋଲି ଭବିଷ୍ୟତ୍ ବାଣୀ କରିଥିଲେ ।

 

ସଭାପତିରୂପେ ଏହି ସମ୍ମିଳନୀରେ ଚିତ୍ତରଞ୍ଜନ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଥିଲେ । ତାଙ୍କର ସେ ସମୟର ରାଜନୈତିକ ଚିନ୍ତାଧାରା ସହ ପରିଚିତ ହେବାପାଇଁ ତଳେ ତା’ର କେତେକ ଅଂଶ ଦିଆଗଲା :–

 

‘‘ବଙ୍ଗାଳୀ ବୋଲି ନିଜର ପରିଚୟ ଦେବାରେ ମୁଁ ଗର୍ବ ଅନୁଭବ କରେ । ବଙ୍ଗାଳୀମାନଙ୍କର ନିଜର ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି । ସେମାନଙ୍କର ନିଜର ସାହସ, ସଂସ୍କୃତି, ସାହିତ୍ୟ, ଧର୍ମ ଏବଂ କାର୍ଯ୍ୟକ୍ରମ ଅଛି । ସେମାନଙ୍କର ଅତୀତର ଇତିହାସ ଏବଂ ଭବିଷ୍ୟତର ସ୍ୱପ୍ନ ମଧ୍ୟ ଅଛି । ତେଣୁ ମୁଁ ବିଶ୍ୱାସର ସହିତ ଘୋଷଣା କରୁଛି ଯେ, ଯେଉଁ ଲୋକେ ବଙ୍ଗାଳୀମାନଙ୍କର ଶୃଙ୍ଖଳା ଜ୍ଞାନର ଅଭାବ ବୋଲି କହିଥାନ୍ତି, ସେମାନେ ମୋର ବଙ୍ଗଳାକୁ ଜାଣନ୍ତି ନାହିଁ......

 

‘‘ଆମେ ବଙ୍ଗଳା କଥା ଖୁବ୍ କମ୍ ଭାବୁ । ଜନସାଧାରଣଙ୍କ ସହିତ ଆମର ସମ୍ପର୍କ ନଥିବାରୁ ଆମେ କରୁଥିବା ରାଜନୈତିକ ଆନ୍ଦୋଳନ ନିଷ୍ଫଳ ଏବଂ ଫାଙ୍କା ଆବାଜରେ ପରିଣତ ହୋଇଛି । କେବଳ ଶିକ୍ଷିତ ଲୋକଙ୍କୁ ନେଇ ଦେଶ ଗଠିତ ନ ହୋଇ ସବୁଶ୍ରେଣୀ, ଧର୍ମ ଏବଂ ସମ୍ପ୍ରଦାୟର ଲୋକଙ୍କୁ ନେଇ ଦେଶ ଗଠିତ...... ।’’

 

ସେତେବେଳେ ଯେଉଁ ଧରଣର ରାଜନୈତିକ ସଭାମାନ ହେଉଥିଲା, ସେଠାକୁ ଜନତା ବା ଚାଷୀକୁଳକୁ ଭାଗ ନେବାପାଇଁ ଡକାଯାଉ ନଥିବାରୁ ସେ ନୀତିକୁ ଚିତ୍ତରଞ୍ଜନ ବିଶେଷଭାବରେ ସମାଲୋଚନା କରିଥିଲେ । ଏହି ନୀତି ସର୍ବସମ୍ମତ ଗଣତାନ୍ତ୍ରିତ ନୀତି ଉପରେ ପ୍ରତିଷ୍ଠିତ ନୁହେଁ ଏବଂ ସେହି କାରଣରୁ ତାକୁ ସେ ପୁରୁଣାକାଳିଆ ସାମନ୍ତବାଦୀ ନୀତି ବୋଲି କହୁଥିଲେ । ଆମର ରାଜନୈତିକ ଆନ୍ଦୋଳନ ଦେଶର ପ୍ରକୃତ ମେରୁଦଣ୍ଡ ଚାଷୀଠାରୁ ପୂରାପୂରି ଅଲଗା ରହୁଥିବାରୁ ଏହି ଆନ୍ଦୋଳନ ଅବାସ୍ତବ । ତାଙ୍କ ବକ୍ତୃତାରେ ସେ କହୁଥିଲେ ଯେ, ବ୍ରିଟିଶ ଶାସନ ବହୁଦିନ ଚାଲିବା ଫଳରେ ଆମେ ସରଳତା ଓ ସାହସିକତା ଉପରେ ପ୍ରତିଷ୍ଠିତ ନିଜର ପାରମ୍ପରିକ ଜୀବନକୁ ଛାଡ଼ି ଓ ୟୁରୋପୀୟମାନଙ୍କର ଅସତ୍ ଅଭ୍ୟାସର ବଶୀଭୂତ ହୋଇ ବିଳାସବ୍ୟସନରେ ମାତିଛୁ । ତାଙ୍କ ମତରେ ବଙ୍କିମଚନ୍ଦ୍ରହିଁ ପ୍ରଥମ, ଯେ କି ପ୍ରକୃତ ଭାରତମାତାର ଉପାସନା ଆରମ୍ଭ କରିଛନ୍ତି । ମାତୃ ଭୂମିର ବିଶାଳତା ବଙ୍କିମଚନ୍ଦ୍ରହିଁ କେବଳ ଉପଲବ୍ଧି କରିଥିଲେ । ତାଙ୍କ ବକ୍ତୃତାରେ ଚିତ୍ତରଞ୍ଜନ କହିଥିଲେ–

 

‘‘ମୁଁ ବଙ୍ଗଳାର ପ୍ରକୃତ ଆତ୍ମାକୁ ଦେଖିପାରିଛି ଓ ବଙ୍ଗଳାର ପ୍ରକୃତ ଅତୀତର ଇତିହାସ ବୁଝିପାରିଛି । ବୌଦ୍ଧଧର୍ମାବଲମ୍ୱୀମାନଙ୍କର ବୁଦ୍ଧରୂପ, ଶୈବମାନଙ୍କର ଶିବରୂପ, ଶାକ୍ତମାନଙ୍କର ଶକ୍ତିରୂପ ଓ ବୈଷ୍ଣବମାନଙ୍କର ଭକ୍ତିମୂଳକ ପ୍ରେମରୂପ ମୋର ଦୃଷ୍ଟି ଆଗରେ ନାଚିଯାଉଛି । ବିଦ୍ୟାପତି ଏବଂ ଚଣ୍ଡିଦାସଙ୍କର ଅମର ସଙ୍ଗୀତ କଥା ଯେତେବେଳେ ଭାବୁଛି, ସେତେବେଳେ ଶ୍ରୀ ଚୈତନ୍ୟଙ୍କର ମହାନ୍ ଜୀବନରେ ନିଜକୁ ଗୌରବାନ୍ୱିତ ମନେ କରୁଛି । ମୋର ହୃଦୟ–ତନ୍ତ୍ରୀରେ ଜ୍ଞାନଦାସ, ଗୋବିନ୍ଦ ଦାସ ଏବଂ ଲୋଚନ ଦାସଙ୍କର ସେହି କମନୀୟ କବିତାବଳୀ ଝଙ୍କାରିତ ହେଉଛି–ରାମପ୍ରସାଦ ସେନ୍‍ଙ୍କର ଭକ୍ତିମୂଳକ ସଙ୍ଗୀତ ମୋର ହୃଦୟକୁ ତରଳାଇ ଦେଉଛି ।

 

‘‘ତାହା ପରେ ଆମେ ଆମର ମାଆଙ୍କୁ ଦେଖିଲୁ ଏବଂ ବଙ୍କିମଙ୍କ ସଙ୍ଗୀତ ଆମ ହୃଦୟ ଏବଂ କର୍ଣ୍ଣକୁହରକୁ ସ୍ପର୍ଶ କଲା । ଶ୍ରୀ ରାମକୃଷ୍ଣ ଏବଂ କେଶବଚନ୍ଦ୍ରଙ୍କ ବାଣୀର ପବିତ୍ରତା ମୁଁ ଅନୁଭବ କରୁଛି । ବିବେକାନନ୍ଦଙ୍କ ବକ୍ତୃତା ମୋତେ ଉତ୍ସାହିତ କରୁଛି । ବଙ୍ଗାଳୀ–ସେ ହିନ୍ଦୁ ହେଉ, ମୁସଲମାନ ହେଉ ବା ଖ୍ରୀଷ୍ଟିଆନ ହେଉ, ସର୍ବୋପରି ସେ ବଙ୍ଗାଳୀ ବୋଲି ମୁଁ ଭାବେ । ତା’ର ନିଜର ବ୍ୟକ୍ତିତ୍ୱ ଅଛି, ସଂସ୍କୃତି ଅଛି ଏବଂ ସେ ଯେବେ ନିଜକୁ ବୁଝିବାକୁ ଚାହେଁ, ତାହାହେଲେ ତାକୁ ପ୍ରକୃତ ବଙ୍ଗାଳୀ ହେବାକୁ ହେବ ।

 

‘‘ବଙ୍ଗାଳୀମାନଙ୍କର ସର୍ଯ୍ୟଙ୍କ ଅଧୀନରେ ନିଜର ବୋଲି କହିବାକୁ ଖଣ୍ଡେ ଜାଗା ଅଛି । ଏହି ପୃଥିବୀରେ ସେମାନଙ୍କ ନିଜର କର୍ତ୍ତବ୍ୟ ଅଛି ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କାର୍ଯ୍ୟ କରିବାର ଅଛି-। ବଙ୍ଗାଳୀକୁ ଅନ୍ତରରେ ବଙ୍ଗାଳୀ ହେବାକୁହିଁ ହେବ । ଅନ୍ୟମାନଙ୍କଠାରୁ ବଙ୍ଗାଳୀମାନଙ୍କର କିଛି ବିଶେଷତ୍ୱ ଅଛି ଏବଂ ତାହା ହେଉଛି ଈଶ୍ୱରଙ୍କର ସଂକଳ୍ପକୁ ପ୍ରକାଶ କରିବାର ବିଶେଷତ୍ୱ-।’’

 

ସେ କେବଳ ଦେଶର ବର୍ତ୍ତମାନ ଅବସ୍ଥା ଓ ଅର୍ଥନୈତିକ ତଥା ରାଜନୈତିକ ଅଧୋଗତିର କାରଣ ବିଶ୍ଳେଷଣ ନ କରି ଭାରତର ମେରୁଦଣ୍ଡରୂପୀ ଗ୍ରାମମାନଙ୍କର ପୁନର୍ଗଠନ ପାଇଁ ନିମ୍ନଲିଖିତ ଗଠନମୂଳକ ଯୋଜନା ଦେଇଥିଲେ;–

 

(୧) ଆମ୍ଭମାନଙ୍କୁ ଗ୍ରାମମାନଙ୍କର ପୁନର୍ଗଠନ କରି ଲୋକଙ୍କର ପୁନଃସଂସ୍ଥାନ କରିବାକୁ ହେବ ।

 

(୨) ଚାଷୀ ଯେପରି ବର୍ଷକଯାକ କାର୍ଯ୍ୟ କରିପାରେ, ସେଥିପାଇଁ ତାହାର ଯଥେଷ୍ଟ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ହେବ ।

 

(୩) ନୂତନ ପୋଖରୀ ଖୋଳି ଏବଂ ପୁରାତନ ପୋଖରୀମାନଙ୍କର ପୁନରୁଦ୍ଧାର କରି ଜଳାଭାବ ଦୂର କରିବାକୁ ହେବ ।

 

(୪) ଜଙ୍ଗଲ ସଫା କରିବାକୁ ହେବ ।

 

ପଞ୍ଚାୟତମାନ ପ୍ରତିଷ୍ଠା କରିବାକୁ ହେବ ଏବଂ ଚାଷୀ ଯେପରି ଅଳ୍ପ ସୁଧରେ ଟଙ୍କା ନେଇ କୁଟୀର ଶିଳ୍ପମାନ କରିପାରନ୍ତି, ସେଥିପାଇଁ ଗ୍ରାମର ସମବାୟ ଋଣ ସମିତିମାନ ପ୍ରତିଷ୍ଠା କରିବାକୁ ହେବ ।

 

ଚିତ୍ତରଞ୍ଜନଙ୍କ ବକ୍ତୃତାର ମର୍ମ ହେଉଛି, ଆତ୍ମ ବିଶ୍ୱାସ । ସେ ପାଶ୍ଚାତ୍ୟ ରାଜନୀତିର ବିରୋଧୀ ନଥିଲେହେଁ, ଭାରତ ଯେବେ ସମାନ ଭାବରେ ପାଶ୍ଚାତ୍ୟର ସମ୍ମୁଖୀନ ନହୁଏ, ତାହାହେଲେ ଉଭୟଙ୍କ ମଧ୍ୟରେ ସ୍ଥାୟୀ ବନ୍ଧୁତା ପ୍ରତିଷ୍ଠିତ ହୋଇପାରିବ ନାହିଁ ବୋଲି ସେ ଭାବୁଥିଲେ । ଭାରତ ଓ ବ୍ରିଟେନ ଉଭୟେ ସର୍ବୋଚ୍ଚ ଉନ୍ନତି ହାସଲ କରିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରତିଷ୍ଠା କରିବାକୁ ସେ ବିରୋଧ କରୁ ନଥିଲେ । ଯେତେବେଳେ ଭାରତରେ ଶସ୍ୟଭଣ୍ଡାରମାନ ପରିପୂର୍ଣ୍ଣ ଥିଲା ଏବଂ ଲୋକେ ଖାଇବାକୁ ଯଥେଷ୍ଟ ପାଉଥିଲେ, ସେହି ପୁରାତନ ସମୟର କଥା ସେ ବରାବର କହୁଥିଲେ । ସେତେବେଳେ ଗ୍ରାମ୍ୟ ଜୀବନରେ ଆନନ୍ଦ ଥିଲା ଏବଂ ଚାଷୀ ହସି ହସି ଦିନଯାକର କାମ ଶେଷ କରି ଘରକୁ ଫେରୁଥିଲା । ଆମର ଅଧୋଗତିର ମୂଳକାରଣ ନିଜ ନିଜ ମଧ୍ୟରେ ଐକ୍ୟର ଅଭାବ ବୋଲି ସେ କହୁଥିଲେ । ଅନ୍ଧଭାବରେ ପାଶ୍ଚାତ୍ୟ ରୀତିନୀତି, ବକ୍ତୃତା, ପୋଷାକ ପରିଚ୍ଛଦ, ଖାଦ୍ୟ ଏବଂ ପାନୀୟ ବ୍ୟବସ୍ଥାକୁ ସେ ବିଶେଷଭାବରେ ନାପସନ୍ଦ କରି ନିନ୍ଦା କରୁଥିଲେ ।

 

ଲର୍ଡ଼ ରୋନାଲ୍ଡ଼ସେ ତାଙ୍କର ‘‘ଆର୍ଯ୍ୟାବର୍ତ୍ତର ହୃଦୟ’’ ନାମକ ବହିରେ ଚିତ୍ତରଞ୍ଜନଙ୍କ ବକ୍ତୃତା ବିଶ୍ଳେଷଣ କରି ଲେଖିଛନ୍ତି;–

 

‘‘ମିଷ୍ଟର୍ ଦାସ ମିସନାରୀଙ୍କ ଭଳି କହିଛନ୍ତି । ୟୁରୋପୀୟ ଆଦର୍ଶ ରୂପକ ସୁନାର ବାଛୁରୀକୁ ପୂରାପୂରି ନିନ୍ଦାକରି ଭାରତର ନିଜସ୍ୱ ଉପରେ ସେ ଅଧିକ ଜୋର ଦେଇଛନ୍ତି ।’’

 

୧୯୧୬ ମସିହାରେ ଭାରତବର୍ଷରେ ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ ସମ୍ପର୍କରେ ପ୍ରତିନିଧି ସ୍ଥାନୀୟ ଭାରତୀୟମାନଙ୍କ ମତ ଜାଣିବାକୁ ବିଲାତର ପ୍ରଧାନମନ୍ତ୍ରୀ ମିଷ୍ଟର୍ ଆସ୍‍କୁଇଥ୍ ଚାହିଁଲେ । ତାଙ୍କ ସମୟରେ ଭାରତମନ୍ତ୍ରୀ ଥିବା ଶ୍ରୀ ଚେମ୍ୱରଲେନ୍ ଏ ବିଷୟରେ ଘୋଷଣା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ବଡ଼ଲାଟଙ୍କ ବ୍ୟବସ୍ଥାପକ ସଭାର ନିର୍ବାଚିତ ବ୍ୟବସ୍ଥାପକ ସଭ୍ୟମାନେ ଗୋଟିଏ ଯୋଜନା ତିଆରି କରି ଭାରତୀୟ ଜାତୀୟ କଂଗ୍ରେସ ଏବଂ ମୁସଲିମଲିଗ ଉଭୟଙ୍କଦ୍ୱାରା ତାହାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଇନେଲେ । ଏହି ଯୋଜନା କଂଗ୍ରେସ ଲିଗ୍ ଯୋଜନା ନାମରେ ପରିଚିତ । କିନ୍ତୁ ବ୍ରିଟିଶ ସରକାର ଏହି ଯୋଜନା ଗ୍ରହଣ କଲେ ନାହିଁ । ତାହା ପରିବର୍ତ୍ତେ ୧୯୧୭ ମସିହାରେ ଦିଲ୍ଲୀ ଆସିଥିବା ମିଷ୍ଟର୍ ଲିଓନେଲ କର୍ଟିସ୍‍ଙ୍କ ଦ୍ୱୈତ ଶାସନ ପ୍ରବର୍ତ୍ତନମୂଳକ ଯୋଜନା ସପକ୍ଷରେ ସରକାରୀ ମନୋଭାବ ପ୍ରକାଶ ପାଇଲା । ଶେଷକୁ ଭାରତମନ୍ତ୍ରୀ ହୋଇଥିବା ମିଷ୍ଟର୍ ମଣ୍ଟେଗୁ ୧୯୧୭ ଅଗଷ୍ଟ ୨୦ ତାରିଖ ଦିନ ପାର୍ଲିଆମେଣ୍ଟ୍‍ରେ ଭାରତବର୍ଷରେ କ୍ରମଶଃ ଦାୟିତ୍ୱମୂଳକ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ସରକାରଙ୍କର ଲକ୍ଷ୍ୟ ବୋଲି ଘୋଷଣା କଲେ ।

 

ମିସେସ୍ ଆନିବେସାନ୍ତ ସେତେବେଳେ ଭାରତବର୍ଷରେ ସ୍ୱାୟତ୍ତ ଶାସନ ପ୍ରତିଷ୍ଠାପାଇଁ ପ୍ରବଳ ଆନ୍ଦୋଳନ କରୁଥିଲେ । ସେ ଏହି ଉଦ୍ଦେଶ୍ୟରେ ଗଠନ କରିଥିବା ‘‘ହୋମରୁଲ୍ ଲିଗ୍’’ରେ ସେତେବେଳର ବହୁ ନେତୃସ୍ଥାନୀୟ ଭାରତୀୟ ରାଜନୀତିଜ୍ଞ ଯୋଗ ଦେଇଥିଲେ । ସରକାର ତାଙ୍କ କାର୍ଯ୍ୟକୁ ପସନ୍ଦ କରୁ ନଥିବାରୁ ମାନ୍ଦ୍ରାଜ ଲାଟଙ୍କ ଆଦେଶ କ୍ରମେ ମିସେସ୍ ବେସାନ୍ତଙ୍କୁ ମାନ୍ଦ୍ରାଜରେ ନଜରବନ୍ଦୀରୂପେ ରଖାଗଲା । ଚିତ୍ତରଞ୍ଜନ ତାଙ୍କର ମତକୁ ସମର୍ଥନ କରି ଲିଗ୍‍ରେ ଯୋଗ ଦେଲେ-। ମିସେସ୍ ବେସାନ୍ତଙ୍କୁ ନଜରବନ୍ଦୀଭାବେ ରଖିବା ନୀତିକୁ ସେ ପ୍ରବଳ ବିରୋଧ କରି ବକ୍ତୃତାମାନ ଦେଲେ । କଲିକତାରେ ଅନୁଷ୍ଠିତ ହୋଇଥିବା ଭାରତୀୟ ଆସୋସିଏସନ୍ ବୈଠକରେ ସେ ବକ୍ତୃତା ଦେଇ କହିଲେ :–

 

‘‘ମାନବର ଭଗବାନଙ୍କୁ ଥରେ କ୍ରୂଶବିଦ୍ଧ କରାଯାଇଛି ବୋଲି ମୁଁ ଭାବେ ନାହିଁ । ଅତ୍ୟାଚାରୀମାନେ ମାନବ ସମାଜକୁ ବରାବର କ୍ରୂଶବିଦ୍ଧ କରୁଛନ୍ତି । ମାନବ ସମାଜ ଉପରେ ହେଉଥିବା ପ୍ରତ୍ୟେକ ଅମାନୁଷିକ ଅତ୍ୟାଚାର ଫଳରେ ତାହାର ଉତ୍ତେଜନା ଅଧିକ ପ୍ରକାଶ ପାଉଛି-।’’

 

୧୯୧୭ ମସିହାରେ କଲିକତାରେ ଅନୁଷ୍ଠିତ ହେଉଥିବା ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ମିସେସ୍ ବେଶାନ୍ତ ସଭାପତିତ୍ୱ କରିବାପାଇଁ ଚିତ୍ତରଞ୍ଜନ ଚାହୁଁଥିଲେ । ଅଭ୍ୟର୍ଥନା କମିଟି ତାଙ୍କୁ ସଭାପତି କରିବାପାଇଁ ନିର୍ବାଚିତ କରିଥିଲେ ସୁଦ୍ଧା ଅଭ୍ୟର୍ଥନା କମିଟିର ସଭାପତି ଶ୍ରୀ ବୈକୁଣ୍ଠନାଥ ସେନ୍ ଏହି ନିର୍ବାଚନ ଅସିଦ୍ଧ ବୋଲି ଘୋଷଣା କଲେ । ସେତେବେଳେ ପ୍ରାଦେଶିକ କଂଗ୍ରେସ କମିଟିର ନେତା ସୁରେନ୍ଦ୍ରନାଥ ବାନାର୍ଜୀ ଅହମ୍ମଦାବାଦର ରାଜାଙ୍କୁ ସଭାପତି କରିବାକୁ ଚାହୁଁଥିଲେ । ନିଖିଳ ଭାରତ କଂଗ୍ରେସ କମିଟିରେ ତାଙ୍କର ସଂଖ୍ୟାଧିକତା ଥିବାରୁ ସଭାପତି ନିର୍ବାଚନ ନିଖିଳ ଭାରତ କଂଗ୍ରେସ କମିଟି କରୁ ବୋଲି ସୁରେନ୍ଦ୍ରନାଥ ଚାହୁଁଥିଲେ । ଏହା ମଧ୍ୟରେ ବଙ୍ଗଳା ଛଡ଼ା ଆଉ ୬ଟି ପ୍ରଦେଶ ମିସେସ୍ ବେସାନ୍ତ ସଭାପତି ହୁଅନ୍ତୁ ବୋଲି ନିଷ୍ପତ୍ତି କଲେ ।

 

କଂଗ୍ରେସ ସଂଗଠନର ଆଭ୍ୟନ୍ତରୀଣ ବିଷୟରେ ଗଣତାନ୍ତ୍ରିକ ନୀତି ଅକ୍ଷୁଣ୍ଣ ରଖିବା ଉପରେ ଚିତ୍ତରଞ୍ଜନ ଜୋର ଦେଇଥିଲେ । ତାଙ୍କ ବାପାଙ୍କର ବନ୍ଧୁ ହିସାବରେ ଶ୍ରୀ ବୈକୁଣ୍ଠନାଥ ସେନ୍‍ଙ୍କ ପ୍ରତି ତାଙ୍କର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲେ ସୁଦ୍ଧା, ଶ୍ରୀ ସେନ୍ କରୁଥିବା କାର୍ଯ୍ୟ ବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟିର ସଂଖ୍ୟାଧିକ ସଭ୍ୟଙ୍କର ଇଚ୍ଛା ବିରୁଦ୍ଧରେ କରାଯାଉଛି ବୋଲି ସେ ଭାବୁଥିଲେ ଓ ସେହି କାରଣରୁ ଶ୍ରୀ ସେନ୍‍ଙ୍କ ସ୍ଥାନରେ ଶ୍ରୀ ରବୀନ୍ଦ୍ରନାଥ ଠାକୁର ଅଭ୍ୟର୍ଥନା ସମିତିର ସଭାପତିଭାବେ ନିର୍ବାଚିତ ହୁଅନ୍ତୁ ବୋଲି ସେ ପ୍ରସ୍ତାବ କରିଥିଲେ । ଏପରି ଅବସ୍ଥାରେ ଗୋଟିଏ ଅଚଳ ଅବସ୍ଥା ସୃଷ୍ଟି ହେବାର ସମସ୍ତ ଲକ୍ଷଣ ଦେଖାଦେଲା । ଠିକ୍ ଏହି ସମୟରେ କଲିକତା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍ ଏବଂ ଏକ ସମୟରେ ହାଇକୋର୍ଟର ଅସ୍ଥାୟୀ ପ୍ରଧାନ ବିଚାରପତି ହୋଇଥିବା ସାର୍ ଚନ୍ଦ୍ରମାଧବ ଘୋଷ ହସ୍ତକ୍ଷେପ କରି ଗୋଟିଏ ସମାଧାନ କରିଦେଲେ-। ମିସେସ୍ ବେଶାନ୍ତ କଂଗ୍ରେସର ସଭାପତି ହେବେ ଏବଂ ରବୀନ୍ଦ୍ରନାଥ ଠାକୁର ଓ ଶ୍ରୀ ସେନ୍ ଉଭୟେ ଅଭ୍ୟର୍ଥନା ସମିତିରୁ ଇସ୍ତଫା ଦେବା ପରେ ଶ୍ରୀ ସେନ୍ କମିଟିର ସଭାପତି ନିର୍ବାଚିତ ହେବେ ବୋଲି ନିଷ୍ପତ୍ତି କରାଗଲା । ତଦନୁଯାୟୀ ରବୀନ୍ଦ୍ରନାଥ ଅଭ୍ୟର୍ଥନା ସମିତିର ସଭାପତି ପଦରୁ ଇସ୍ତଫା ଦେଲେ ଓ ଶ୍ରୀ ସେନ୍ ସଭାପତି ରହିଲେ ।

 

କଂଗ୍ରେସ ଅଧିବେଶନ ବେଶ୍ ସଫଳ ଭାବରେ ଶେଷ ହେଲା । ଲୋକେ ଅତି ଆଗ୍ରହ ଓ ଉତ୍ସାହ ସହକାରେ ମିସେସ୍ ବେଶାନ୍ତଙ୍କୁ ଅଭ୍ୟର୍ଥନା କଲେ । ଅଧିବେଶନ ପରେ ଚିତ୍ତରଞ୍ଜନ ସମଗ୍ର ପ୍ରଦେଶ ଗସ୍ତ କରି ବାରମ୍ୱାର ଘୋଷଣା କଲେ ଯେ, ‘ସେ କେବଳ ହିନ୍ଦୁ ବା ମୁସଲମାନ ଜମିଦାର ବା ମହାଜନମାନଙ୍କ ପାଇଁ ସ୍ୱାୟତ୍ତ ଶାସନ ଲାଭ କରିବାକୁ କାର୍ଯ୍ୟ ନ କରି ଭାରତୀୟ ଲୋକଙ୍କର ସ୍ୱାୟତ୍ତ ଶାସନପାଇଁ କାର୍ଯ୍ୟ କରୁଛନ୍ତି । ସେଥିରେ ସମସ୍ତଙ୍କ ସ୍ୱାର୍ଥ ସଂରକ୍ଷିତ ହୋଇ ପାରିବ ।’

 

ଭାରତମନ୍ତ୍ରୀ ମିଷ୍ଟର୍ ମଣ୍ଟେଗୁ ୧୯୧୭ ମସିହା ଅଗଷ୍ଟ ୨୦ ତାରିଖ ଦିନ ଘୋଷଣା କରିବା ପରେ ଭାରତବର୍ଷକୁ ଆସି ଚିତ୍ତରଞ୍ଜନ ଏବଂ ଅନ୍ୟାନ୍ୟ ରାଜନୈତିକ ନେତୃସ୍ଥାନୀୟ ଲୋକଙ୍କୁ ଦେଖା କଲେ । ଚିତ୍ତରଞ୍ଜନଙ୍କ ସହ ୩ ଘଣ୍ଟାଯାଏ ତାଙ୍କର ଯେଉଁ କଥାବାର୍ତ୍ତା ହୋଇଥିଲା, ତାହା ତଳେ ଦିଆଗଲା :–

 

ମିଷ୍ଟର୍ ମଣ୍ଟେଗୁ–ହଁ, ମି: ଦାସ, ଲିଓନେଲ କର୍ଟିସ୍ ଶାସନସଂସ୍କାର ପାଇଁ ଯେଉଁ ପ୍ରସ୍ତାବ କରିଛନ୍ତି, ସେ ବିଷୟରେ ଆପଣଙ୍କ ମତ କ’ଣ ?

 

ମିଷ୍ଟର୍ ଦାସ–କର୍ଟିସ୍ ଯେଉଁ ଶାସନସଂସ୍କାର ପ୍ରସ୍ତାବ କରିଛନ୍ତି, ତାହା କାର୍ଯ୍ୟକାରୀ ହୋଇପାରିବ ନାହିଁ । ପ୍ରାଦେଶିକ ସ୍ୱତନ୍ତ୍ରତା ଅତ୍ୟାବଶ୍ୟକ ।

 

ମଣ୍ଟେଗୁ–ମୁଁ ଶୁଣୁଥିଲି, ଆପଣ ଲିଓନେଲ କର୍ଟିସ୍‍ଙ୍କ ପ୍ରସ୍ତାବିତ ଦ୍ୱୈତ ଶାସନ ସପକ୍ଷରେ ଥିଲେ ?

 

ଦାସ–ହଁ, ଏକତାପାଇଁ ଦୁର୍ବଳତାକୁ ସାହାଯ୍ୟ କରିବାକୁ ମୁଁ ସମର୍ଥନ କରିଥିଲି । ଏହା କଲେ ଆଙ୍ଗ୍ଲୋଇଣ୍ଡିଆନମାନେ ଆମକୁ ସାହାଯ୍ୟ କରିବେ ବୋଲି ଭାବି ମୁଁ ମୋର ନିଜ ପ୍ରସ୍ତାବକୁ ଟିକିଏ କମେଇ ଦେଇଥିଲି । କିନ୍ତୁ ସେମାନେ ଯେଭଳି ବିରୋଧ ମତ ପ୍ରକାଶ କରୁଛନ୍ତି, ତାହା ଫଳରେ ମୁଁ ମୋର ମୂଳ ପ୍ରସ୍ତାବକୁ ଫେରିଯିବାକୁ ବାଧ୍ୟ ହେଲି ।

 

ଲର୍ଡ଼ ଚେମସ୍‍ଫୋର୍ଡ଼ଙ୍କୁ ଏହି ସବୁ କଥାବାର୍ତ୍ତା ବୋଧହୁଏ ଭଲ ଲାଗୁ ନଥିଲା । ତେଣୁ ସେ କହିଲେ :–

 

‘‘ପ୍ରାଦେଶିକ ସ୍ୱତନ୍ତ୍ରତା ଟିକିଏ ଚଞ୍ଚଳ ହୋଇଯାଉ ନାହିଁ କି ? ଆପଣମାନଙ୍କୁ ଦିଆଯାଉଥିବା ସଂସ୍କାର ଯେବେ ସଫଳତାର ସହିତ କାର୍ଯ୍ୟକାରୀ କରନ୍ତି, ତାହାହେଲେ ସମୟକ୍ରମେ ଆପଣମାନେ ଅଧିକା ପାଇବେ ।’’

 

ମି: ମଣ୍ଟେଗୁ ତାଙ୍କର ବ୍ୟକ୍ତିଗତ ଅନୁଭୂତି ପ୍ରକାଶ କରି ଲେଖିଛନ୍ତି :–

 

‘‘୧୯୧୭ ଡିସେମ୍ୱର ମାସରେ ଚରମପନ୍ଥୀ ଚିତ୍ତରଞ୍ଜନ ଦାସଙ୍କ ସହିତ ମୋର କଥାବାର୍ତ୍ତା ହୋଇଥିଲା । ସେ ଅତିରିକ୍ତ ବୁଦ୍ଧିମାନ ଓ ଯୁକ୍ତିଯୁକ୍ତ ଲୋକ । ସେ ପ୍ରଥମେ କର୍ଟିସ୍‍ଙ୍କ ଯୋଜନାକୁ ସମର୍ଥନ କରୁଥିଲେ । ବର୍ତ୍ତମାନ ସେ ଏହି ଯୋଜନାକୁ ପୂରାପୂରି ବିରୋଧ କରୁଛନ୍ତି । ପ୍ରାଦେଶିକ ସ୍ୱତନ୍ତ୍ରତା ପୂରାପୂରିଭାବେ ସେ ଦାବି କରୁଛନ୍ତି । ସେ ଅତି ଦୃଢ଼ତାର ସହିତ ଯୁକ୍ତି କରୁଛନ୍ତି । ମୁଁ ମଧ୍ୟ ତାଙ୍କ ସହିତ ଦେଖା କରି ନାନା କଥା କହିଛି । ମୁଁ ଘରୋଇ ଭାବରେ ତାଙ୍କ ସହିତ ଦେଖା କରିବାରୁ ସେ କହିଲେ–‘ଅଧପନ୍ତରିଆ ଘର ଭଲ ନୁହେଁ; ଦାୟିତ୍ୱପୂର୍ଣ୍ଣ ସରକାର ଏବଂ ପୂର୍ଣ୍ଣ ଦାୟିତ୍ୱସମ୍ପନ୍ନ ସରକାର–ଏହି ଉଭୟଙ୍କ ମଧ୍ୟରେ କୌଣସି ମଧ୍ୟବର୍ତ୍ତୀ ବ୍ୟବସ୍ଥା ହୋଇ ନ ପାରେ । ତାଙ୍କ କଥାରେ ମୁଁ ଅତିରିକ୍ତ ଅଭିଭୂତ ହୋଇଛି; କିନ୍ତୁ ପୋଲିସ୍ ଏବଂ ସି.ଆଇ.ଡି.ମାନେ ଯେଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସେ ଅତିରିକ୍ତ ଅବିଶ୍ୱାସ କରୁଛନ୍ତି ।’’

 

ଚିତ୍ତରଞ୍ଜନ ଆହୁରି ମଧ୍ୟ କହିଲେ, ‘‘ତାହାହେଲେ କିଛି କ୍ଷମତା ନଥାଇ ଗୋଟିଏ ସ୍ଥାୟୀ କମିଟି, ନୂତନ ନିର୍ବାଚନ ମଣ୍ଡଳୀ ଏବଂ ଉତ୍ତମ ବ୍ୟବସ୍ଥାପକ ସଭା ଦିଅନ୍ତୁ ଏବଂ ପାଞ୍ଚବର୍ଷ ମଧ୍ୟରେ ଆପଣଙ୍କ ନିଜ ପାର୍ଲିଆମେଣ୍ଟ୍ ଭଳି ବ୍ୟବସ୍ଥା ହୋଇ ପାରିବ ବୋଲି ପ୍ରତିଶ୍ରୁତି ଦିଅନ୍ତୁ । ଯେଉଁ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ମୁଁ ଜାଣେ, ତାହା ବଦଳରେ ବରଂ ଏ ବ୍ୟବସ୍ଥା ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ ।’’

 

୧୯୧୭ ମସିହା କଲିକତା କଂଗ୍ରେସ ଅଧିବେଶନ ଅନୁଷ୍ଠାନର ଇତିହାସରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା । ସେ ପର୍ଯ୍ୟନ୍ତ କଂଗ୍ରେସ ଅନୁଷ୍ଠାନ ରାଜନୈତିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ମଧ୍ୟରେ ଥିବା ମାନ୍ଦା ଗୋଷ୍ଠୀଙ୍କଦ୍ୱାରା ନିୟନ୍ତ୍ରିତ ହୋଇ ଆସୁଥିଲା । ଗୋଖଲେଙ୍କ ମୃତ୍ୟୁ ଏବଂ ସାର୍ ଫିରୋଜ ସାହା ମେହେଟ୍ଟାଙ୍କ ଅବସର ଗ୍ରହଣ ପରେ ଅନୁଷ୍ଠାନର ନେତୃତ୍ୱ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ହାତରେ ପଡ଼ିଥିଲା । ତାଙ୍କର ପ୍ରଧାନ ସହକର୍ମୀ ଥିଲେ ଉପେନ୍ଦ୍ରନାଥ ବୋଷ ଏବଂ ଅମ୍ୱିକାଚରଣ ମଜୁମଦାର । ଦୁଇଜଣଯାକ ମାନ୍ଦାଦଳର ଲୋକ । ମିସେସ୍ ଆନିବେଶାନ୍ତ କଂଗ୍ରେସ ସଭାପତିଭାବରେ ନିର୍ବାଚିତ ହେବା ଫଳରେ ସୁରେନ୍ଦ୍ରନାଥଙ୍କ ନେତୃତ୍ୱ ଉପରେ ଆଞ୍ଚ ଆସିଲା । ମାନ୍ଦାଦଳର ଅନୁଷ୍ଠାନ ଉପରେ ଥିବା ପ୍ରଭାବ କ୍ରମେ କମିବାକୁ ଲାଗିଲା । ବାଳଗଙ୍ଗାଧର ତିଳକ, ଚିତ୍ତରଞ୍ଜନ ଦାସ, ବ୍ୟୋମକେଶ ଚକ୍ରବର୍ତ୍ତୀ, ମହମ୍ମଦ ଅଲି ଜିନ୍ନା ଏବଂ ହାସାନ୍ ଇମାମ୍‍ଙ୍କୁ ଘେନି କ୍ରମେ ଗୋଟିଏ ନୂତନ ନେତୃତ୍ୱ ଗଢ଼ିଉଠିଲା । ମିସେସ୍ ବେଶାନ୍ତଙ୍କ ହୋମରୁଲ ଲିଗ୍ କଂଗ୍ରେସ ଅନୁଷ୍ଠାନକୁ ନିୟନ୍ତ୍ରିତ କଲା ଏବଂ ତା’ର ପ୍ରଧାନ ସହକାରୀ ଚିତ୍ତରଞ୍ଜନ ଦାସ ଭାରତୀୟ ଜାତୀୟ ଏବଂ ରାଜନୈତିକ ଜୀବନରେ ମୁଖ୍ୟ ସ୍ଥାନ ଅଧିକାର କଲେ ।

 

ଏହି କଂଗ୍ରେସ ଅଧିବେଶନରେ ସୁରେନ୍ଦ୍ରନାଥ ବାନାର୍ଜୀ ସ୍ୱାୟତ୍ତ ଶାସନ ସମ୍ପର୍କରେ ଗୋଟିଏ ଶକ୍ତିଶାଳୀ ବକ୍ତୃତା ଦେଲେ । ଏହି ବକ୍ତୃତା ହେଉଛି କଂଗ୍ରେସ ଅଧିବେଶନରେ ତାଙ୍କର ଶେଷ ବକ୍ତୃତା । ସେ କଂଗ୍ରେସ ଅଧିବେଶନରେ ଏହାପରେ ଆଉ କେବେହେଲେ କହିବାର ସୁଯୋଗ ପାଇ ନାହାନ୍ତି ଏବଂ ତାଙ୍କ ସ୍ଥାନ କ୍ରମେ ଚିତ୍ତରଞ୍ଜନ ଗ୍ରହଣ କରିଛନ୍ତି ।

 

ସନ୍ତ୍ରାସବାଦୀ ଆନ୍ଦୋଳନ ସେତେବେଳେ ବଙ୍ଗଳାର ଅଧିକାଂଶ ଯୁବକଙ୍କ ମନକୁ ପାଉଥିଲା ଏବଂ ଭାରତର ଅନ୍ୟାନ୍ୟ ଅଂଶରେ ଆଦୃତ ହେଉଥିଲା । ସେହି ସନ୍ତ୍ରାସବାଦୀ ଆନ୍ଦୋଳନ ସମ୍ପର୍କରେ ଚିତ୍ତରଞ୍ଜନ ଥରେ ଗୋଟିଏ ବକ୍ତୃତାରେ କହିଥିଲେ । ଚିତ୍ତରଞ୍ଜନ ନିଜେ ସନ୍ତ୍ରାସବାଦ ବା ଗୁପ୍ତ ସମିତିରେ ବିଶ୍ୱାସ କରୁ ନଥିଲେ; କିନ୍ତୁ ସେମାନଙ୍କର ଆଦର୍ଶକୁ ପ୍ରଶଂସା ନ କରି ରହିପାରୁ ନଥିଲେ । ସେ ତାଙ୍କ ବକ୍ତୃତାରେ କହିଥିଲେ–

 

‘‘ସ୍ୱାଧୀନତା ପାଇଁ ଆଗ୍ରହର ଅତିଶଯ୍ୟ ଯୋଗୁଁ ସେମାନେ ଅଧୀର ହୋଇ ବିପ୍ଳବରେ ବିଶ୍ୱାସ କରୁଛନ୍ତି । ଆଖି ଆଗରେ ସେମାନେ ଦେଖୁଛନ୍ତି ଯେ, ଛୋଟ ବଡ଼ ପ୍ରତ୍ୟେକ ଜାତି ନିଜ ନିଜର ସ୍ୱାଧୀନତା ପାଇଁ ବ୍ୟାକୁଳ । ଏହି ସ୍ୱାଧୀନତାପ୍ରେମୀ ଯୁବକବୃନ୍ଦ ବୈଦେଶିକ ଶାସନ ଅଧୀନରେ ନିର୍ଯାତିତ ହୋଇ ଧୈର୍ଯ୍ୟଚ୍ୟୁତ ହେଲେଣି । ଆପଣମାନେ ସ୍ୱାଧୀନତା ଦେବେ ଏବଂ ସମ୍ୱିଧାନକୁ ପରିବର୍ତ୍ତନ କରିବେ ବୋଲି କୁହନ୍ତୁ ଓ ଦେଶକୁ ସେମାନଙ୍କ ମଙ୍ଗଳ ଦୃଷ୍ଟିରୁ ଶାସନ କରିବେ ବୋଲି ପ୍ରତିଶ୍ରୁତି ଦିଅନ୍ତୁ । ତାହାହେଲେ ଦେଖିବେ ଯେ, ଦେଶରେ ଆଉ କୌଣସି ଅରାଜକତା ଦେଖାଦେବ ନାହିଁ । ଆପଣମାନେ ଯେବେ ସୈନ୍ୟ ଚାହାନ୍ତି, ତାହାହେଲେ ମୁଁ ତାହା ଦେବାକୁ ପ୍ରସ୍ତୁତ । ଯେବେ ଆମର ସ୍ୱାଧୀନତା ଆମକୁ ଦିଅନ୍ତି, ତାହାହେଲେ ମୁଁ ନିଜେ ଛଅ ମାସ ଓକିଲାତି ଛାଡ଼ି ଦେଶରୁ ସୈନ୍ୟସଂଗ୍ରହ କରିବି ।’’

 

କଂଗ୍ରେସ ମଧ୍ୟରେ ଥିବା ଦୁଇ ଗୋଷ୍ଠୀ ଭିତରେ ବିଭେଦ ବୃଦ୍ଧି ପାଇଲା । ୧୯୧୮ ମସିହା ଜୁଲାଇ ୮ ତାରିଖ ଦିନ ଭାରତ ମନ୍ତ୍ରୀ ଓ ବଡ଼ଲାଟଙ୍କର ରିପୋର୍ଟ ଇଂରେଜ ସରକାର ଗ୍ରହଣ କରିବା ପରେ ସେମାନଙ୍କ ଦସ୍ତଖତରେ ଶାସନସଂସ୍କାର ସମ୍ପର୍କରେ ଗୋଟିଏ ଚିଠା ପ୍ରସ୍ତାବ ସରକାରୀ ଭାବରେ ପ୍ରକାଶ ପାଇଲା । ଏହି ଘୋଷଣାର ତିନି ଦିନ ପରେ ବଙ୍ଗଳା ପ୍ରଦେଶ କଂଗ୍ରେସ କମିଟି ସମ୍ମିଳନୀର ଗୋଟିଏ ବିଶେଷ ଅଧିବେଶନ ବସିଲା । ନରମପନ୍ଥୀମାନେ ଏହି ସମ୍ମିଳନୀରେ ସଂଖ୍ୟାଲଘିଷ୍ଠଭାବେ ଯୋଗଦେବା ଫଳରେ ସଂସ୍କାରଟି ନୈରାଶ୍ୟଜନକ ବୋଲି ସମ୍ମିଳନୀରେ ପ୍ରସ୍ତାବ ପାସ୍ ହେଲା । ୧୯୧୮ ଅଗଷ୍ଟ ୨୯ ତାରିଖ ଦିନ ବମ୍ୱେରେ ବସିବାକୁ ଯାଉଥିବା ଭାରତୀୟ ଜାତୀୟ କଂଗ୍ରେସର ବିଶେଷ ଅଧିବେଶନରେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାପାଇଁ ଛାଡ଼ି ଦିଆଗଲା । ସୁରେନ୍ଦ୍ରନାଥ ବାନାର୍ଜୀ ରିପୋର୍ଟ ଗ୍ରହଣ କଲେ ଏବଂ ଚିତ୍ତରଞ୍ଜନ ରିପୋର୍ଟଟି ନୈରାଶ୍ୟଜନକ ଏବଂ ଯଥେଷ୍ଟ ନୁହେଁ ବୋଲି ମତ ପ୍ରକାଶ କଲେ । ନିଖିଳ ଭାରତ କଂଗ୍ରେସ କମିଟି ବୈଠକମାନଙ୍କରେ ଚିତ୍ତରଞ୍ଜନଙ୍କ ମତ ସଂଖ୍ୟାଧିକ ଭୋଟରେ ପାସ୍ ହୋଇଗଲା ।

 

ସୁରେନ୍ଦ୍ରନାଥ ବାନାର୍ଜୀ କଂଗ୍ରେସ ତ୍ୟାଗ କରି ନିଜ ସଭାପତିତ୍ୱରେ ମାନ୍ଦାଦଳ ଆରମ୍ଭ କଲେ । କଂଗ୍ରେସରୁ ସୁରେନ୍ଦ୍ରନାଥଙ୍କର ସମ୍ପର୍କ ବିଚ୍ଛିନ୍ନ ହେବାପରେ ଚିତ୍ତରଞ୍ଜନ ବଙ୍ଗଳା କଂଗ୍ରେସର ମୁଖ୍ୟ ନେତୃତ୍ୱ ଗ୍ରହଣ କଲେ ଓ ସଂଗଠନର ପ୍ରଧାନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । ତାଙ୍କ ଚେଷ୍ଟା ଫଳରେ କଂଗ୍ରେସର ବିଶେଷ ଅଧିବେଶନ ବମ୍ୱେରେ ହେବାର ସ୍ଥିର ହେଲା ଏବଂ ସୟଦ ହାସାନ୍ ଇମାମ୍ ସେ ଅଧିବେଶନର ସଭାପତିଭାବେ ନିର୍ବାଚିତ ହେଲେ । ଏହି ଅଧିବେଶନର ଖର୍ଚ୍ଚ ବାବଦକୁ ସେ ନିଜ ହାତରୁ ୧୦ ହଜାର ଟଙ୍କା ଦେଇଥିଲେ । ତାଙ୍କର ଉଦାର ସ୍ୱଭାବ ଏବଂ ଯେତେ ଅଧିକ ସଂଖ୍ୟକ ଲୋକଙ୍କ ସମର୍ଥନ ସମ୍ଭବପର, ତାହା ଲାଭ କରିବାପାଇଁ ଇଚ୍ଛା ଥିବାରୁ ସେ ମାନ୍ଦାଦଳର ଲୋକଙ୍କୁ କଂଗ୍ରେସ ଅଧିବେଶନ ଓ କାର୍ଯ୍ୟରେ ଭାଗନେବା ପାଇଁ ଆଉ ଗୋଟିଏ ସୁଯୋଗ ଦେବାକୁ ଚାହିଁଥିଲେ । ତାଙ୍କର ଚେଷ୍ଟା ଫଳରେ ବିଶେଷ ଅଧିବେଶନରେ ନିମ୍ନଲିଖିତ ପ୍ରସ୍ତାବ ପାସ୍ ହୋଇଥିଲା–

 

‘‘ମହାମାନ୍ୟ ଭାରତ ମନ୍ତ୍ରୀ ଏବଂ ବଡ଼ଲାଟ ଭାରତବର୍ଷରେ ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠାପାଇଁ ଯେଉଁ ଚେଷ୍ଟା କରିଛନ୍ତି, ତାହାକୁ କଂଗ୍ରେସ ପ୍ରଶଂସା କରୁଛନ୍ତି ଏବଂ ପ୍ରସ୍ତାବିତ ଚିଠା ସଂସ୍କାରରେ ଅଗ୍ରଗତି ହୋଇଛି ବୋଲି ସ୍ୱୀକାର କରୁଥିଲେ ସୁଦ୍ଧା ପ୍ରସ୍ତାବିତ ସଂସ୍କାରକୁ ପୂର୍ଣ୍ଣଭାବେ ବିଚାର କଲେ ତାହା ନୈରାଶ୍ୟ ଓ ଅସନ୍ତୋଷଜନକ ବୋଲି ମତ ପ୍ରକାଶ କରୁଛନ୍ତି ।’’

 

କଂଗ୍ରେସର ବାର୍ଷିକ ଅଧିବେଶନ ୧୯୧୮ ଡିସେମ୍ୱର ମାସରେ ଦିଲ୍ଲୀଠାରେ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ସଭାପତିତ୍ୱରେ ବସିଲା । ଏହି ଅଧିବେଶନରେ ସ୍ୱାୟତ୍ତ ଶାସନ ସମ୍ପର୍କୀୟ ବମ୍ୱେ ପ୍ରସ୍ତାବକୁ ସମର୍ଥନ କରାଯାଇ ବ୍ରିଟିଶ ଭାରତର ପ୍ରଦେଶମାନଙ୍କରେ ତୁରନ୍ତ ଦାୟିତ୍ୱପୂର୍ଣ୍ଣ ସରକାର ପ୍ରବର୍ତ୍ତନ ଉଚିତ ବୋଲି ମତ ପ୍ରକାଶ କରାଗଲା । ଏହି ପ୍ରସ୍ତାବ ଶ୍ରୀ ବି.ସି. ଚକ୍ରବର୍ତ୍ତୀ ଆଗତ କରିଥିଲେ ଓ ଶ୍ରୀ ଭିଥଲଭାଇ ପଟେଲ ସମର୍ଥନ କରିଥିଲେ ।

 

ମିସେସ୍ ବେଶାନ୍ତ, ଶ୍ରୀ ଶ୍ରୀନିବାସ ଶାସ୍ତ୍ରୀ, ଶ୍ରୀ ବି.ଏନ. ଶର୍ମା ଏବଂ ଆଉ କେତେକ ମାନ୍ଦାଦଳର ନେତୃସ୍ଥାନୀୟ ଲୋକେ ଯୋଗ ଦେଇ ଏହା ଉପରେ ସଂଶୋଧନ ପ୍ରସ୍ତାବମାନ ଆଗତ କଲେ । ଏହି ପ୍ରସ୍ତାବରୁ ‘‘ନୈରାଶ୍ୟ ଏବଂ ଅସନ୍ତୋଷଜନକ’’ ଶବ୍ଦ ବାଦ ଦିଆଯାଉ ବୋଲି ଶ୍ରୀ ଶାସ୍ତ୍ରୀ ଯୁକ୍ତି କରିଥିଲେ । କୌଣସି ସମୟ ନିର୍ଘଣ୍ଟ ରଖିବାକୁ ସେ ମଧ୍ୟ ଚାହୁଁ ନଥିଲେ । ଜାତୀୟତାବାଦୀ ଏବଂ ମାନ୍ଦାଗୋଷ୍ଠୀଙ୍କ ମଧ୍ୟରେ ସମାଧାନ ହୋଇ ବମ୍ୱେ ପ୍ରସ୍ତାବ ପାସ୍ ହୋଇଥିବାରୁ ତାହା ସମର୍ଥିତ ହେବା ଉଚିତ ବୋଲି ମିସେସ୍ ବେଶାନ୍ତ ଭାବୁଥିଲେ ସୁଦ୍ଧା କୌଣସି ସମୟ ନିର୍ଦ୍ଦିଷ୍ଟ କରିଦେବାକୁ ଚାହୁଁ ନଥିଲେ । ସେ ପ୍ରତିନିଧିମାନଙ୍କୁ ଭାବିଚିନ୍ତି କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇ ତରତର ହୋଇ କିଛି ନ କରିବାପାଇଁ ସତର୍କ କରି ଦେଇଥିଲେ ।

 

ମିସେସ୍ ବେଶାନ୍ତ ଓ ଶ୍ରୀ ଶାସ୍ତ୍ରୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିବାରୁ ଚିତ୍ତରଞ୍ଜନ ସେମାନଙ୍କୁ ଧନ୍ୟବାଦ ଦେଇ ସେମାନଙ୍କ ସହିତ ଏକମତ ହୋଇପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ଭାରତ ଅମଲାତନ୍ତ୍ର ନୀତିରେ ଶାସିତ ହେଉଥିବାରୁ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ହେଲେ ତାହା ଲୋପ ପାଇବ ବୋଲି ସେ ମତପ୍ରକାଶ କରିଥିଲେ । ତେଣୁ ଦେଶକୁ ପ୍ରକୃତରେ ଶାସନ କରୁଥିବା ଅମଲାତନ୍ତ୍ର ଗୋଷ୍ଠୀ (Civil Service) ଶୀଘ୍ର ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ ପାଇଁ ମତ ଦେବା ସମ୍ଭବପର ନୁହେଁ । କାରଣ ତାହାଦ୍ୱାରା ସେମାନଙ୍କ ନିଜର ଅଧିପତ୍ୟ କ୍ଷୁଣ୍ଣ ହେବ; ତେଣୁ ଏଥିପାଇଁ ସମୟନିର୍ଘଣ୍ଟ କରି ଦିଆଯିବା ଆବଶ୍ୟକ । ତାହା ଛଡ଼ା ଶ୍ରୀ ଶାସ୍ତ୍ରୀ ‘‘ନୈରାଶ୍ୟ ଏବଂ ଅସନ୍ତୋଷଜନକ’’ ଶବ୍ଦ ଉଠାଇ ନେବାପାଇଁ ଯେଉଁ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ, ତାକୁ ସେ ବିରୋଧ କଲେ । ସେ ପ୍ରତିନିଧିମାନଙ୍କୁ ଛାତିରେ ହାତ ଦେଇ ପ୍ରସ୍ତାବିତ ସଂସ୍କାରରେ ସେମାନେ ସନ୍ତୁଷ୍ଟ ବା ଅସନ୍ତୁଷ୍ଟ, ତାହା ନିଷ୍ପତ୍ତି କରିବାକୁ ଆହ୍ୱାନ ଜଣାଇଥିଲେ ।

 

ଦେଶ କୋର୍ଟିସ ଯୋଜନା ଗ୍ରହଣ କରିଥିବାରୁ କଂଗ୍ରେସ ପ୍ରାଦେଶିକ ସ୍ୱତନ୍ତ୍ରତା ଉପରେ ଜୋର ଦେବା ଉଚିତ ନୁହେଁ ବୋଲି ଶ୍ରୀ ଶାସ୍ତ୍ରୀ ଯୁକ୍ତି କରିଥିଲେ । ଭାରତବର୍ଷରେ କୌଣସି ଲୋକ ଉକ୍ତ ଯୋଜନା ଗ୍ରହଣ କରି ନାହାନ୍ତି ବୋଲି ଚିତ୍ତରଞ୍ଜନ ଜବାବ ଦେବାରୁ ସଭାର ଦର୍ଶକବୃନ୍ଦ ଆନନ୍ଦ ଧ୍ୱନି କଲେ ।

 

ତା’ପରେ ଚିତ୍ତରଞ୍ଜନ ମିସେସ୍ ବେଶାନ୍ତଙ୍କ ଯୁକ୍ତିର ଉତ୍ତର ଦେଲେ । ମିସେସ୍ ବେଶାନ୍ତ ମିଳାମିଶା କରିବା ଉପରେ ଯେଭଳି ଜୋର ଦେଇଥିଲେ, ତାହାର ଉତ୍ତରରେ ଚିତ୍ତରଞ୍ଜନ କହିଲେ, ‘‘ମିସେସ୍ ବେଶାନ୍ତ ବର୍ତ୍ତମାନ ଏଠାରେ କଚେରି ବାହାରେ ଅଛନ୍ତି । ମିଳାମିଶା ପାଇଁ ପକ୍ଷ କିଏ ? ଦଳ ହିସାବରେ ମାନ୍ଦା ଦଳର ସମସ୍ତେ କଂଗ୍ରେସରେ ଯୋଗ ଦେଇନାହାନ୍ତି । ତେଣୁ ମାନ୍ଦାଦଳ ଲୋକେ ଏକତା ଭାଙ୍ଗିଛନ୍ତି ବୋଲି କହିବାକୁ ହେବ । ଯେଉଁମାନେ ଏକତା ଭାଙ୍ଗୁଛନ୍ତି, ସେମାନଙ୍କର ‘ଅନ୍ୟପକ୍ଷ ଏକତା ରକ୍ଷା କରୁ’ ବୋଲି କହିବାର ଅଧିକାର ନାହିଁ । ତେଣୁ ମୁଁ ପୁଣି ପଚାରୁଛି...

 

ମିସେସ୍ ବେଶାନ୍ତ କହିଲେ, ‘‘ମୁଁ ଏକତା ବିଷୟରେ ନ କହି ମିଳାମିଶା ବିଷୟ କହିଛି ।’’

 

ଚିତ୍ତରଞ୍ଜନ କହିଲେ–‘‘ମୁଁ ଯାହା କହିଥିଲି, ତା’ ସଂଶୋଧନ କରୁଛି । ମିସେସ୍ ବେଶାନ୍ତ ଏକତା ବିଷୟ ନ କହି ମିଳାମିଶା ବିଷୟ କହିଥିବାର କହୁଛନ୍ତି । କାହା ଭିତରେ ମିଳାମିଶା ହୋଇଥିଲା ? ମିଳାମିଶାର ଅର୍ଥ ଦୁଇଟି ପକ୍ଷଙ୍କ ମଧ୍ୟରେ ମିଳାମିଶା ହେବ । ବର୍ତ୍ତମାନ କ୍ଷେତ୍ରରେ ମାନ୍ଦାଦଳ ଓ ଜାତୀୟତାବାଦୀ ଦଳ–ଏ ହେଉଛନ୍ତି ଦୁଇଟି ପକ୍ଷ । ଯେବେ କେତେକ ମାନ୍ଦା ମନୋଭାବାପନ୍ନ ଲୋକ କଂଗ୍ରେସରେ ଯୋଗ ଦେଇଥାନ୍ତି, ତେବେ ସେମାନେ କିଏ ? ଲୋକଙ୍କ ଅଧିକାର ବିନିମୟ କରିବାରେ ସେମାନଙ୍କର କି ଅଧିକାର ଅଛି ? ମୁଁ ଯେତେ ଦୂର ସଂପୃକ୍ତ, ମାନ୍ଦା ଦଳର ସମସ୍ତେ ଯୋଗ ଦେବେ ବୋଲି ଆଶାକରି କେତେକେ ଆମ କଥା ଛାଡ଼ି ମିଳାମିଶାରେ ରାଜି ହୋଇଥିଲେ । ମାନ୍ଦା ଦଳର ସମସ୍ତେ ଆମ ସହିତ ଯୋଗଦେଇ ନାହାନ୍ତି । ତେବେ ସୁଦ୍ଧା ଆମ୍ଭେମାନେ ସେହି ମିଳାମିଶା ପଛରେ ଧାଇଁ ମାନ୍ଦାଦଳର ଲୋକଙ୍କୁ ସୁଖ ଲାଗୁ ନାହିଁ ବୋଲି ଆମେ କ’ଣ ନିଜର ଜନ୍ମଗତ ଅଧିକାର ଛାଡ଼ିଦେବୁ ? (ନା, ନା ବୋଲି ଧ୍ୱନି) । ବମ୍ୱେ କଂଗ୍ରେସ ଅଧିବେଶନ ପରଠାରୁ ସେମାନେ ବମ୍ୱେ, ମାନ୍ଦ୍ରାଜ, ଉତ୍ତରପ୍ରଦେଶ, ବଙ୍ଗଳା ଏବଂ ଅନ୍ୟାନ୍ୟ ସ୍ଥାନରେ ସେମାନଙ୍କ ମତ ପ୍ରକାଶ କରିଛନ୍ତି । ଏହା ସତ୍ତ୍ୱେ ଏକତା ବା ମିଳାମିଶା ବା ଚୁକ୍ତି କାଏମ ରଖିବା କ’ଣ ଆପଣମାନଙ୍କର ବ୍ୟକ୍ତିଗତ ଅଧିକାର ? ଆପଣମାନେ ମିଳାମିଶା କରିଛନ୍ତି ବୋଲି କ’ଣ ଯାହା ଇଚ୍ଛା ତାହା ହେଉ ପଛେ, ତାକୁ ମାନିବାକୁ ବାଧ୍ୟ ? ଏଭଳି ନୀତି ବିପଜ୍ଜନକ ଏବଂ ମୁଁ ତାହା ମାନିବାକୁ ଅସ୍ୱୀକାର କରୁଛି । ସମଗ୍ର ଦେଶ ଆଜି ଦାବି କରୁଛି ଏବଂ ତଦନୁଯାୟୀ ମୁଁ ଆପଣମାନଙ୍କୁ ଏହି ସଂଶୋଧନ ପ୍ରସ୍ତାବମାନ ପ୍ରତ୍ୟାଖ୍ୟାନ କରି ନିଜର କର୍ତ୍ତବ୍ୟ ପାଳନ କରିବାକୁ ଆହ୍ୱାନ କରୁଛି ।’’

 

ଏହା ଫଳରେ ସମସ୍ତ ସଂଶୋଧନ ପ୍ରସ୍ତାବ ନାକଚ ହୋଇ ମୂଳ ପ୍ରସ୍ତାବ ସଂଖ୍ୟାଧିକ ଭୋଟରେ ଗୃହୀତ ହେଲା । ଚିତ୍ତରଞ୍ଜନଙ୍କ ଯୋଗୁଁ ମୁଖ୍ୟତଃ ଏହା ହୋଇ ପାରିଥିଲା । ଖୋଲା ଅଧିବେଶନ ପୂର୍ବରୁ ହୋଇଥିବା ବିଷୟ ନିର୍ବାଚନ ସମିତିରେ ଆଲୋଚନା ସମ୍ପର୍କରେ ଅଧ୍ୟାପକ ଜିତେନ୍ଦ୍ର ଲାଲ ବାନାର୍ଜୀ ନିମ୍ନଲିଖିତ ପ୍ରକାରେ ଲେଖିଛନ୍ତି–

 

‘‘କଂଗ୍ରେସର ଖୋଲା ଅଧିବେଶନରେ ଦ୍ୱିତୀୟ ଦିନର ଅଧିବେଶନ ପରେ ନିର୍ଦ୍ଦିଷ୍ଟ ସମୟରେ ବିଷୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ଓ ଯୁକ୍ତିତର୍କ ରାତିଅଧ ପର୍ଯ୍ୟନ୍ତ ଚାଲିଲା । ସମସ୍ତ ଆଲୋଚନା ଶାସନସଂସ୍କାର ସମ୍ପର୍କରେ ହେଉଥିଲା । ଆମମାନଙ୍କର ନେତା ଥିଲେ ଦେଶବନ୍ଧୁ ଓ ଆମ୍ଭେମାନେ ଶାସନସଂସ୍କାରକୁ ବିରୋଧ କରୁଥିଲୁ । ଅନ୍ୟ ଦିଗରେ ବହୁ ବିଶିଷ୍ଟ ଲୋକେ ସଂସ୍କାରକୁ ସମର୍ଥନ କରୁଥିଲେ ।

 

‘‘ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ମିସେସ୍ ବେଶାନ୍ତ, ଶ୍ରୀ ଶ୍ରୀନିବାସ ଶାସ୍ତ୍ରୀ ଏବଂ ସଭାପତି ପଣ୍ଡିତ ମଦନମୋହନ ମାଲବ୍ୟ ନିଜେ । ଉପରବେଳା ଚିତ୍ତରଞ୍ଜନ କହିବାକୁ ଉଠି ବକ୍ତୃତା ପ୍ରସଙ୍ଗରେ ତାଙ୍କ ବିରୋଧୀ ପକ୍ଷ ଲୋକଙ୍କର ଯୁକ୍ତିକୁ ଅଦ୍ଭୁତ ଭାବରେ ଗୋଟି ଗୋଟି କରି ଖଣ୍ଡନ କରିଦେଲେ ଏବଂ ଶେଷକୁ ତାଙ୍କରି କଥାହିଁ ରହିଲା । ସଭାରେ ଆମେ ବାହାରକୁ ଆସିଲାବେଳକୁ ତ୍ରିବାଙ୍କୁଡ଼ର ବୃଦ୍ଧ ଦେୱାନ ମିଷ୍ଟର୍ ଭି.ପି. ମାଧବରାଓ ତାଙ୍କ ବୃଦ୍ଧ ବୟସସତ୍ତ୍ୱେ ଦିଲ୍ଲୀର ଶୀତରେ କାନ୍ଥର ଏପଟେ ବାହାରେ ବସି ସବୁ ଶୁଣୁଛନ୍ତି । ମୋତେ ଦେଖି ତାଙ୍କ ପାଖରେ ବସି ତାଙ୍କ କଥା ଶୁଣିବାକୁ କହିଲେ । ସେ କହିଲେ, ‘ଦାସ କିଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କଲେ । ମୁଁ ଏଭଳି ଆଉ କେଉଁଠାରେ ଦେଖି ନାହିଁ’ ।’’

 

ଲୋକମାନ୍ୟ ବାଳଗଙ୍ଗାଧର ତିଳକଙ୍କୁ ବିଲାତରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ସମକ୍ଷରେ କଂଗ୍ରେସର ପ୍ରତିନିଧିତ୍ୱ କରିବାକୁ ନିର୍ବାଚିତ କରାଯାଇଥିବାରୁ କଂଗ୍ରେସ ମତିଗତିରେ ହୋଇଥିବା ପରିବର୍ତ୍ତନ ସେହିଥିରୁ ଜଣାଯାଏ ।

Image

 

ଷଷ୍ଠ ଅଧ୍ୟାୟ

ଅମୃତସର କଂଗ୍ରେସ ଓ ଜାଲିଆନାଓ୍ୟାଲାବାଗ

 

୧୯୧୯ ମସିହାର ପରେ ପରେ ଏଭଳି କେତେକ ଘଟଣା ଘଟିଗଲା, ଯାହା ଫଳରେ ଭାରତୀୟ ଇତିହାସର ଧାରା ସମ୍ପୂର୍ଣ୍ଣରୂପେ ବଦଳି ଗଲା । ପ୍ରଥମ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ୧୯୧୯ ମାର୍ଚ୍ଚ ୧୮ ତାରିଖ ଦିନ ପାସ୍ ହୋଇଥିବା ରାଓଲାଟ ଆଇନ୍ । ଏହି ଆଇନ ବଳରେ ଭାରତ ସରକାରଙ୍କୁ ସମସ୍ତ ପ୍ରକାର ରାଜନୈତିକ ଆନ୍ଦୋଳନ ଏବଂ ସରକାରୀ ବିରୋଧୀ କାର୍ଯ୍ୟକୁ ଦବାଇବାଦେବାପାଇଁ ଅଖଣ୍ଡ କ୍ଷମତା ଦିଆଯାଇଥିଲା । ବିନା ବିଚାରରେ ଲୋକଙ୍କୁ ଗିରଫ୍ କରି ଅଟକ ରଖିବା କ୍ଷମତା ମଧ୍ୟ ସରକାରଙ୍କୁ ଦିଆଯାଇଥିଲା । ଭାରତୀୟ ସାନ୍ଧ୍ୟ ଆଇନ ଅନୁଯାୟୀ ପୋଲିସ୍ ଆଗରେ ଦିଆଯାଇଥିବା ଭାରତୀୟ ସାନ୍ଧ୍ୟ, ସାକ୍ଷ୍ୟଭାବରେ ଗୃହୀତ ହୋଇପାରିବ ନାହିଁ ବୋଲି ଯେଉଁ ବ୍ୟବସ୍ଥା ଥିଲା, ଏହି ଆଇନ ବଳରେ ତାହା ମଧ୍ୟ ବାତିଲ କରାଗଲା ।

 

ଦେଶସାରା ରାଓଲାଟ ଆଇନ ବିରୁଦ୍ଧରେ ପ୍ରବଳ ଜନମତ ପ୍ରକାଶ ପାଇଲା । ମହାତ୍ମା ଗାନ୍ଧି ଏ ବିଲ୍ ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେଲେ ଏବଂ ଏହି ବିଲ୍ ବଡ଼ଲାଟ ଲର୍ଡ଼ ଚେମସ୍‍ଫୋର୍ଡ଼ଙ୍କ ସ୍ୱୀକୃତି ଲାଭକରି ଆଇନରେ ପରିଣତ ହେବାର ଦ୍ୱିତୀୟ ରବିବାର ଦିନ ଅର୍ଥାତ୍ ଅପ୍ରେଲ ୬ ତାରିଖ ଦିନ ଦେଶସାରା ହରତାଳ କରାଯିବ ବୋଲି ଘୋଷଣା କଲେ । ମହାତ୍ମା ଗାନ୍ଧି ଆତ୍ମଶୁଦ୍ଧି ଏବଂ ପ୍ରାୟଶ୍ଚିତ୍ତସ୍ୱରୂପ କରାଯାଉଥିବା ସତ୍ୟାଗ୍ରହକୁ ଧର୍ମଗତ ଆନ୍ଦୋନଳରୂପେ ଦେଖାଉଥିଲେ । ଯେବେ କୌଣସି ସତ୍ୟାଗ୍ରହୀ ବା ଆଇନ ଅମାନ୍ୟକାରୀ କୌଣସି ନିର୍ଦ୍ଦିଷ୍ଟ ଆଇନକୁ ଅନ୍ୟାୟ ବୋଲି ଭାବେ, ତେବେ ତାକୁ ପ୍ରତିରୋଧ କରିବା ତାହାର କର୍ତ୍ତବ୍ୟ ଏବଂ ସେହି ଆଇନ ଭଙ୍ଗ କରି ସେଥିପାଇଁ ଦଣ୍ଡଭୋଗ କରିବା ଉଚିତ ବୋଲି ସେ ଭାବୁଥିଲେ ।

 

୧୯୧୯ ମସିହା ଅପ୍ରେଲ ୬ ତାରିଖ ଦିନ ଭାରତସାରା ହରତାଳ ହେଲା । ଏହି ଆହ୍ୱାନର ରାଜନୈତିକ ଦିଗପ୍ରତି କେବଳ ଆକୃଷ୍ଟ ନ ହୋଇ ଚିତ୍ତରଞ୍ଜନ ମହାତ୍ମା ଗାନ୍ଧିଙ୍କୁ ଆଧ୍ୟାତ୍ମିକ ଶକ୍ତିର ପ୍ରତିବିମ୍ୱରୂପେ ଦେଖିଲେ । ଅପ୍ରେଲ ୬ ତାରିଖ ଦିନ କଲିକତାରେ ହେଉଥିବା ବିରାଟ ସଭାରେ ସେ ବକ୍ତୃତା ଦେଇ କହିଲେ–

 

‘‘ସତ୍ୟାଗ୍ରହ ହେଉଛି ଆଧ୍ୟାତ୍ମିକ ଓ ପ୍ରେମର ଶକ୍ତି । ପ୍ରେମର ମାଧ୍ୟମରେ ନିଜକୁ ସଂଯତ କରିବାକୁ ପଡ଼ିବ । ନିଜର ସ୍ୱାର୍ଥପରତା, ଅନ୍ୟପ୍ରତି ଘୃଣା ଏବଂ ତିକ୍ତତା ତ୍ୟାଗ କରି ଆତ୍ମସଂଯମ ରକ୍ଷା କରିବାକୁ ହେବ । ଏହା ଆପାତତଃ ମହାତ୍ମା ଗାନ୍ଧିଙ୍କ ବାଣୀ ହୋଇଥିଲେ ସୁଦ୍ଧା ଯୁଗଯୁଗ ଧରି ଏହା ଭାରତର ବାଣୀ–ପ୍ରହ୍ଲାଦ, ମୀରାବାଈ ଓ ବଶିଷ୍ଠ ପ୍ରଭୃତି ମନୀଷୀଙ୍କର ବାଣୀ । ରାଓଲାଟ ଆଇନ ହେଉଛି ସ୍ୱାଧୀନତା ଆନ୍ଦୋଳନ ପଥରେ କଣ୍ଟକ । ଏହି କଣ୍ଟା ଦୂର ନ କଲେ ଆମେ ସ୍ୱାଧୀନତା ଲାଭ କରିପାରିବୁ ନାହିଁ । ସେଥିପାଇଁ ଦେଶମାତୃକା ପ୍ରତି ଶ୍ରଦ୍ଧା ପ୍ରକାଶ କରି ଆମମାନଙ୍କୁ ସତ୍ୟାଗ୍ରହୀରୂପେ ଘୃଣା ଏବଂ ତିକ୍ତତା ଛାଡ଼ିବାକୁ ହେବ । ଭାଇମାନେ, ଆପଣମାନେ ପ୍ରସ୍ତୁତ ହୋଇ ଜାଗ୍ରତ ହୁଅନ୍ତୁ । ଜାଣିରଖନ୍ତୁ ଯେ, ଦୁର୍ବଳ ଲୋକ କେବେହେଲେ ଲକ୍ଷ୍ୟଲାଭ କରିବା ଦିଗରେ ସଫଳ ହୁଏ ନାହିଁ ।’’

 

ତା’ପରେ ସେ ପୁଣି କହିଲେ :–

 

‘‘ଏହି ବିଲ୍‍ର ଉଦ୍ଦେଶ୍ୟ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ପ୍ରାଥମିକ ଅଧିକାର କ୍ଷୁଣ୍ଣ କରିବା; ତେଣୁ ଏହି ବିଲ୍ ଯେବେ ଆଇନରେ ପରିଣତ ହୁଏ, ଏହା ବାତିଲ ନ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ବା ଏହିପରି ଅନ୍ୟ କୌଣସି ଆଇନକୁ ମାନିବି ନାହିଁ । ତାହା ସଙ୍ଗେ ସଙ୍ଗେ ମୁଁ ଆହୁରି ମଧ୍ୟ ପ୍ରତିଜ୍ଞା କରୁଛି ଯେ, ମୁଁ ଏହି ଆନ୍ଦୋଳନରେ ନିଷ୍ଠାର ସହିତ ସତ୍ୟପାଳନ କରି କୌଣସି ବ୍ୟକ୍ତିଗତ ଜୀବନ ପ୍ରତି ବା ବ୍ୟକ୍ତି ପ୍ରତି ବା ସମ୍ପତ୍ତି ପ୍ରତି ହିଂସାଚରଣ କରିବାରୁ ନିବୃତ୍ତ ରହିବି ।’’

 

ସେ ସମୟରେ ମହାତ୍ମା ଗାନ୍ଧି ବମ୍ୱେରେ ଥିଲେ । ଲାହୋର ଯିବା ବାଟରେ ୭ ତାରିଖ ଦିନ ଦିଲ୍ଲୀ ଗଲେ । ପଞ୍ଜାବ ସରକାର ବାଟରେ ତାଙ୍କୁ ଅଟକାଇ ପଞ୍ଜାବରେ ପଶିବାପାଇଁ ନିଷେଧ କଲେ । ବହୁ ଦିନ ପୂର୍ବରୁ ହୋଇଥିବା ଗୋଟିଏ ନିମନ୍ତ୍ରଣ ରକ୍ଷା କରି ସେ ପଞ୍ଜାବ ଯିବାକୁ ଚାହାନ୍ତି ଏବଂ ସରକାରଙ୍କ ପ୍ରତି କୌଣସି ଅସଦ୍‍ଭାବ ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ, ବରଂ ତାହା ଦୂର କରିବା ତାଙ୍କ ଯିବାର ଉଦ୍ଦେଶ୍ୟ ବୋଲି ସେ ଯେତେ ବୁଝାଇଲେ, ସରକାର ସେସବୁ କିଛି ବୁଝିଲେ ନାହିଁ ।

 

ସରକାରଙ୍କର ଏହି କାର୍ଯ୍ୟ ଫଳରେ ଲୋକଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଲା । ଏହି ତିକ୍ତତା ବିରୁଦ୍ଧରେ ସରକାର ଅତ୍ୟାଚାରମୂଳକ ଦମନ ବ୍ୟବସ୍ଥା ଚଳାଇବା ଫଳରେ ତାହାର ପରିଣତିସ୍ୱରୂପ ଜାଲିଆନାଓ୍ୟାଲାବାଗ ଦୁର୍ଯୋଗ ଘଟିଲା ଏବଂ ପଞ୍ଜାବରେ ସାମରିକ ଆଇନ ଜାରିହେଲା ।

 

ଜାଲିଆନାଓ୍ୟାଲାବାଗ ଘଟଣା ଫଳରେ ସରକାରଙ୍କ ପ୍ରତି ସାଧାରଣ ଭାରତୀୟଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଦେଲା । ସେ ପର୍ଯ୍ୟନ୍ତ ଅଧିକାଂଶ ଭାରତୀୟଙ୍କର ସରକାରଙ୍କ ସତ୍ ଉଦ୍ଦେଶ୍ୟ ପ୍ରତି ଏକପ୍ରକାର ବିଶ୍ୱାସ ଥିଲା । ଜାଲିଆନାଓ୍ୟାଲାବାଗରେ ନିରୀହ ଲୋକଙ୍କୁ ଯେଭଳି ନୃଶଂସଭାବରେ ହତ୍ୟା କରାଗଲା ଏବଂ ତା’ପରେ ପଞ୍ଜାବରେ ଲୋକଙ୍କ ଗୋଡ଼ହାତ ବାନ୍ଧି ଯେପରି ଦଣ୍ଡ ଦିଆଯାଇ ସେମାନଙ୍କ ଉପରେ ଅନ୍ୟାନ୍ୟ ଅମାନୁଷିକ ଅତ୍ୟାଚାର ଚାଲିଲା, ତଦ୍ଦ୍ୱାରା ସମଗ୍ର ଜାତି ମଧ୍ୟରେ ତିକ୍ତତା ପ୍ରକାଶ ପାଇଲା । ଜେନେରାଲ ଡାୟାର୍ ସାଧାରଣ ଲୋକଙ୍କୁ ଅକଥନୀୟ ଦଣ୍ଡ ଦେଲେ ଏବଂ ପଞ୍ଜାବର ଲାଟ ତାଙ୍କ କାର୍ଯ୍ୟକୁ ସମର୍ଥନ କରିବାରୁ ତିକ୍ତତା ଆହୁରି ଅଧିକମାତ୍ରାରେ ପ୍ରକାଶ ପାଇଲା । ଏହି ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ନିଖିଳ ଭାରତ କଂଗ୍ରେସ କମିଟି ଘୋର ପ୍ରତିବାଦ ଜଣାଇ ତା’ର ସବିଶେଷ ତଦନ୍ତପାଇଁ ଗୋଟିଏ ରାଜକୀୟ କମିଶନ୍ ନିଯୁକ୍ତ କରିବା ଲାଗି ଦାବି କଲେ । କିନ୍ତୁ ଭାରତସରକାର ଲର୍ଡ଼ ହଣ୍ଟରଙ୍କ ସଭାପତିତ୍ୱରେ ରାଜକୀୟ କମିଶନ୍ ପରିବର୍ତ୍ତେ ଗୋଟିଏ ଅନୁସନ୍ଧାନ କମିଟି ବସାଇଲେ । ଏହି କମିଟିରେ ସାର୍ ଚିମାନ୍‍ଲାଲ ଶୀତଲବାଦ୍ ଏବଂ ପଣ୍ଡିତ ଜଗତନାରାୟଣ, ଏହି ଦୁଇ ଜଣ ଭାରତୀୟ ସଭ୍ୟ ଥିଲେ ।

 

ଚିତ୍ତରଞ୍ଜନ ଏହି କମିଟିର ବୈଠକବେଳେ ଉପସ୍ଥିତ ରହି ସାକ୍ଷୀମାନଙ୍କୁ ଜେରା କରିବେ ବୋଲି ପ୍ରଥମେ ନିଷ୍ପତ୍ତି କରାଯାଇଥିଲା; କିନ୍ତୁ ପଞ୍ଜାବ ସରକାର ଏଥିପାଇଁ ତାଙ୍କ ଅନୁମତି ନ ଦେବାରୁ ଲାଲା ହର୍‍କିସନ୍, ପଣ୍ଡିତ ରାମଭୁଜ ଦତ୍ତ, ଡକ୍ଟର ସୁଇଫୁଦ୍ଦିନ୍ କିଚ୍‍ଲୁ ଏବଂ ଅନ୍ୟ ଯେଉଁମାନେ ଗିରଫ୍ ହୋଇଛନ୍ତି, ସେମାନଙ୍କୁ ସାକ୍ଷୀ ଦେବାପାଇଁ ଅନୁମତି ଦେବା ଦରକାର ବୋଲି ନିଷ୍ପତ୍ତି କରାଗଲା । ଯେଉଁମାନେ ଅତ୍ୟାଚାର କରିଥିଲେ, ସେମାନଙ୍କ ମଧ୍ୟରୁ ସାର୍ ମାଇକେଲ୍ ଓ’ ଡାୟାର, ଜେନେରାଲ ଡାୟାର ଏବଂ କର୍ଣ୍ଣେଲ ଜନସନ୍ ପ୍ରମୁଖ ସାକ୍ଷ୍ୟ ଦେଉଥିବାରୁ ଜେଲରେ ଥିବା ଲୋକେ ସାକ୍ଷ୍ୟ ଦେବାପାଇଁ ଏଭଳି ଦାବିକରିବା ଯୁକ୍ତିଯୁକ୍ତ । ସରକାର କିନ୍ତୁ ଏହି ଅନୁରୋଧକୁ ମଧ୍ୟ ରକ୍ଷା କଲେ ନାହିଁ । ଅନ୍ତତଃ ପଞ୍ଜାବର ଏହି ନେତୃସ୍ଥାନୀୟ ଲୋକମାନଙ୍କଠାରୁ ଲିଖିତ ବିବୃତି ନିଆଯାଉ ବୋଲି ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ନେହେରୁ ପ୍ରସ୍ତାବ ଦେଲେ । ଏ ପ୍ରସ୍ତାବ ମଧ୍ୟ ସରକାର ଗ୍ରହଣ କଲେ ନାହିଁ । ଭାରତ ସରକାର ଏବଂ ଭାରତମନ୍ତ୍ରୀଙ୍କ ନିକଟରେ ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ଆପତ୍ତି କରାଯିବାରୁ ସେମାନେ ମଧ୍ୟ କିଛି ଶୁଣିଲେ ନାହିଁ । ଶେଷକୁ ହଣ୍ଟର ଅନୁସନ୍ଧାନ କମିଟିର କାର୍ଯ୍ୟକୁ ବର୍ଜନ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ବୋଲି କଂଗ୍ରେସ ନେତୃମଣ୍ଡଳୀ ନିଷ୍ପତ୍ତି କଲେ ।

 

ତା’ପରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧିଙ୍କ ସଭାପତିତ୍ୱରେ ଗୋଟିଏ ସ୍ୱାଧୀନ ଅନୁସନ୍ଧାନ କମିଟି ନିଯୁକ୍ତ କରାଗଲା । ଚିତ୍ତରଞ୍ଜନ, ମୋତିଲାଲ ନେହେରୁ, ଆବାସ୍‍ତାଏବଜୀ ଏବଂ ଡକ୍ଟର ଜୟକର ଏହି କମିଟିର ସଭ୍ୟ ରହିଲେ । ଏହି କମିଟିର ସଭ୍ୟ ହେବା ସେତେବେଳେ ପ୍ରତ୍ୟେକଙ୍କ ପକ୍ଷରେ, ବିଶେଷତଃ ଚିତ୍ତରଞ୍ଜନ ଓ ମୋତିଲାଲଙ୍କ ପକ୍ଷରେ ବ୍ୟକ୍ତିଗତ ଦୃଷ୍ଟିରୁ କ୍ଷତିକାରକ ଥିଲା । କାରଣ ପ୍ରାୟ ସାଢ଼େ ତିନି ମାସ ଧରି ସେମାନଙ୍କୁ ନିଜ ନିଜର ଓକିଲାତି ବ୍ୟବସାୟ ଛାଡ଼ିବାକୁ ପଡ଼ିଥିଲା । ଏହା ଛଡ଼ା ମହାତ୍ମା ଗାନ୍ଧିଙ୍କ ଭାଷାରେ ଚିତ୍ତରଞ୍ଜନ ରଜାପିଲା ପରି ଚଳୁଥିବାରୁ ତାଙ୍କୁ ନିଜ ହାତରୁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ସାକ୍ଷୀମାନେ ଦେଉଥିବା ସାକ୍ଷ୍ୟର ବିଶ୍ଳେଷଣ କରିବାରେ ଏବଂ ସାମରିକ ଆଇନର ତ୍ରୁଟି ଦେଖାଇବାରେ ଚିତ୍ତରଞ୍ଜନ ଓକିଲ ହିସାବରେ ନିଜର ପରମ ପରାକାଷ୍ଠାର ନିଦର୍ଶନ ଦେଖାଇଥିଲେ । ସେସବୁ ବିଷୟରେ ମହାତ୍ମା ଗାନ୍ଧିଙ୍କ ସହ ଏକମତ ହେଉ ନଥିଲେ ସୁଦ୍ଧା ପ୍ରକୃତ ଗଣତାନ୍ତ୍ରିକ ହିସାବରେ କହିଥିଲେ, ‘‘ମୁଁ ଆପଣଙ୍କ ସହିତ ସବୁ ବିଷୟରେ ଏକମତ ହେଉ ନଥିଲେ ସୁଦ୍ଧା କମିଟିର ସଂଖ୍ୟାଧିକ ମତକୁ ମାନିବି ।’’ ଜହରଲାଲ ନେହେରୁ ଚିତ୍ତରଞ୍ଜନଙ୍କ ବିଷୟରେ ନିଜର ମତ ଦେଇ ଲେଖିଛନ୍ତି, ‘‘ଏହି ପ୍ରଥମ ଥରପାଇଁ ତାଙ୍କ ସହିତ ଏବଂ ତାଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ମୁଁ ପାଇଥିଲି । ତାଙ୍କ ସହିତ କାର୍ଯ୍ୟ କରିବା ଫଳରେ ମୋର ଯଥେଷ୍ଟ ମୂଲ୍ୟବାନ ଅଭିଜ୍ଞତା ହେଲା ଏବଂ ତାଙ୍କ ପ୍ରତି ମୋର ସମ୍ମାନ ବଢ଼ିଲା ।’’

 

ଏହାପରେ ଲର୍ଡ଼ ସେଲ୍‍ବର୍ଣ୍ଣଙ୍କ ସଭାପତିତ୍ୱରେ ନିଯୁକ୍ତ ହୋଇଥିବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟିଙ୍କ ସମ୍ମୁଖରେ ଭାରତପକ୍ଷରୁ ଦାବି ଉପସ୍ଥାପିତ କରିବାପାଇଁ ଗୋଟିଏ ପ୍ରତିନିଧି ଦଳ ପଠାଇବାକୁ କଂଗ୍ରେସ ନିଷ୍ପତ୍ତି କଲା । ମିଷ୍ଟର୍ ମଣ୍ଟେଗୁ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଇଂରେଜ ରାଜନୀତିଜ୍ଞମାନଙ୍କ ସହିତ ଦେଖା କରିଥିବା ଏହି ପ୍ରତିନିଧି ଦଳରେ ଲୋକମାନ୍ୟ ତିଳକ ସଭ୍ୟ ଥିଲେ । ତିଳକ ଜାହାଜରେ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଭାରତୀୟ ଶାସନସଂସ୍କାର ଆଇନ ବା ମଣ୍ଟଫୋର୍ଡ଼ ଶାସନ ସଂସ୍କାର ୧୯୧୯ ଡିସେମ୍ୱର ୨୪ ତାରିଖ ଦିନ ପାସ୍ ହେଲା । ମିଷ୍ଟର୍ ମଣ୍ଟେଗୁ ଭାରତୀୟ ଲୋକଙ୍କୁ ଏହି ଶାସନସଂସ୍କାର କାର୍ଯ୍ୟକାରୀ କରିବାପାଇଁ ନିବେଦନ କଲେ ଏବଂ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଲେ ।

 

ଏହି ଆଇନ ପାସ୍ ହେବାର ଅଳ୍ପ ଦିନ ମଧ୍ୟରେ ଅମୃତସରରେ କଂଗ୍ରେସର ଅଧିବେଶନ ବସିଥିଲା । ଏହି ଅଧିବେଶନରେ ମୋତିଲାଲ ନେହେରୁ ସଭାପତିତ୍ୱ କରିଥିଲେ ଏବଂ ଅନ୍ୟାନ୍ୟ ନେତୃସ୍ଥାନୀୟ ଲୋକେ ଯୋଗ ଦେଇଥିଲେ । ତିଳକ, ଗାନ୍ଧି, ଚିତ୍ତରଞ୍ଜନ, ପଣ୍ଡିତ ମଦନମୋହନ ମାଲବ୍ୟ, ଆଲ୍ଲିଭାଇ ଦ୍ୱୟ, ଡାକ୍ତର କିଚୁଲ୍, ଲାଲା ହରକିସନ୍ ଲାଲ, ପଣ୍ଡିତ ରାମଭୁଜ ଦତ୍ତ ଏବଂ ୧୯୧୯ ଭାରତଶାସନ ଆଇନ ପାସ୍ ହେବାପରେ ଖଲାସ ହୋଇଥିବା ଅନ୍ୟାନ୍ୟ ନେତୃସ୍ଥାନୀୟ ଲୋକେ ମଧ୍ୟ ଯୋଗ ଦେଇଥିଲେ । ଅଧିବେଶନ ପୂର୍ବରୁ ମୋତିଲାଲ ନେହେରୁ ପଞ୍ଜାବର ବ୍ୟଥିତ ହୃଦୟ ସେମାନଙ୍କୁ ଆହ୍ୱାନ ଦେଉଛି ବୋଲି କହି ମାନ୍ଦାଦଳର ଲୋକଙ୍କୁ କଂଗ୍ରେସରେ ଯୋଗ ଦେବାପାଇଁ ନିମନ୍ତ୍ରଣ ଜଣାଇଲେ । କିନ୍ତୁ ସେମାନେ ପୂର୍ବରୁ ଶାସନ ସଂସ୍କାର କାର୍ଯ୍ୟକାରୀ କରିବେ ବୋଲି ନିଷ୍ପତ୍ତି କରିଥିବାରୁ ଏହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କରି କୌଣସି ଜବାବ ଦେଲେ ନାହିଁ ।

 

ପ୍ରବର୍ତ୍ତିତ ଶାସନସଂସ୍କାର ଯଥେଷ୍ଟ ନୁହେଁ ଏବଂ ଅସନ୍ତୋଷ ଓ ନୈରାଶ୍ୟଜନକ ବୋଲି ଚିତ୍ରଣ କରି ଚିତ୍ତରଞ୍ଜନ ଏହି ଅଧିବେଶନରେ ପ୍ରସ୍ତାବ ଆଗତ କଲେ । ଭାରତବର୍ଷର ଆତ୍ମନିୟନ୍ତ୍ରଣ ଅଧିକାର ସ୍ୱୀକାର କରି ପୂର୍ଣ୍ଣ ଦାୟିତ୍ୱମୂଳକ ଶାସନ ଶୀଘ୍ର ପ୍ରତିଷ୍ଠା କରାଯାଉ ବୋଲି ଦାବି କରି ପ୍ରସ୍ତାବ ଗୃହୀତ ହେଲା । ଏହି ପ୍ରସ୍ତାବକୁ ତିଳକ ଏବଂ ବିପିନଚନ୍ଦ୍ର ପାଲ ସମର୍ଥନ କଲେ ଓ ବିଷୟ–ନିର୍ବାଚନ ସମିତି ମଧ୍ୟ ଗ୍ରହଣ କଲେ ।

 

ପ୍ରସ୍ତାବଟି ଖୋଲା ଅଧିବେଶନରେ ଆଗତ ହେବା ସମୟରେ ତହିଁରେ ଥିବା ‘ନୈରାଶ୍ୟଜନକ’ ଶବ୍ଦକୁ ମହାତ୍ମା ଗାନ୍ଧି ଆପତ୍ତି କଲେ । ତାଙ୍କର ଯୁକ୍ତି ହେଲା ଯେ, ଯେବେ ଶାସନସଂସ୍କାର ନୈରାଶ୍ୟଜନକ ବୋଲି ସେମାନେ ଭାବନ୍ତି, ତାହାହେଲେ ଏ ବିଷୟରେ ସେମାନେ ଜମା ଆଲୋଚନା କରିବା ଉଚିତ ନୁହେଁ । ତେଣୁ ଶୀଘ୍ର ପୂର୍ଣ୍ଣଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଲୋକେ ଶାସନସଂସ୍କାରକୁ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ କରନ୍ତୁ ବୋଲି ସେ ସଂଶୋଧନ ପ୍ରସ୍ତାବ ଆଗତ କଲେ ।

 

ଗାନ୍ଧିଜୀଙ୍କ ସଂଶୋଧନ ପ୍ରସ୍ତାବ ଫଳରେ କଂଗ୍ରେସ ତା’ର ଦାବିରୁ ତଳକୁ ଖସୁଛି ବୋଲି ଭାବି ଚିତ୍ତରଞ୍ଜନ ଦୃଢ଼ ଭାବରେ ତା’ର ବିରୋଧ କଲେ । ଏହି ଶାସନସଂସ୍କାରକୁ ପୂର୍ଣ୍ଣଭାବରେ ପ୍ରତ୍ୟାହାର କରିନେଇ ନୂତନ ସଂସ୍କାର ଆଇନ ଦାବି କରିବା ଉପରେ ସେ ଜୋର ଦେଲେ । ତିଳକ ମଧ୍ୟ ସେହି ମତପ୍ରକାଶ କଲେ । ଅନ୍ୟ ଦିଗରେ ମଦନମୋହନ ମାଲବ୍ୟ ଏବଂ ମହମ୍ମଦ ଅଲ୍ଲୀ ଜିନ୍ନା ମହାତ୍ମା ଗାନ୍ଧିଙ୍କୁ ସମର୍ଥନ କଲେ ।

 

ଦୁଇ ଦିନ ଧରି ଏହା ଉପରେ ଆଲୋଚନା ଚାଲିଲା । ଶେଷକୁ ଗୋଟିଏ ମିଳାମିଶା ହେବା ଫଳରେ ‘ଯଥେଷ୍ଟ ନୁହେଁ’ ନୈରାଶ୍ୟ ଓ ଅସନ୍ତୋଷଜନକ’ ଶବ୍ଦ ରହିଥିଲେ ମଧ୍ୟ ପ୍ରସ୍ତାବଟିରେ ଆଉ ଗୋଟିଏ ବାକ୍ୟ ଯୋଗ ହେଲା । ତାହା ଫଳରେ ‘ପୂର୍ଣ୍ଣ ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ତାହା ଲାଭ କରିବା ଯେପରି ସମ୍ଭବପର ହୁଏ, ସେଥିପାଇଁ ଯେତେଦୂର ସମ୍ଭବ, ଲୋକେ ଶାସନ ସଂସ୍କାରକୁ କାର୍ଯ୍ୟକାରୀ କରିବେ ବୋଲି କଂଗ୍ରେସ ବିଶ୍ୱାସ କରିବା ସଙ୍ଗେ ସଙ୍ଗେ ଏହି ଶାସନସଂସ୍କାର ରଚନା କରିବାରେ ମାନ୍ୟବର ଇ.ଏସ. ମଣ୍ଟେଗୁ ଯେଭଳି ପରିଶ୍ରମ କରିଛନ୍ତି, ସେଥିପାଇଁ କଂଗ୍ରେସ ତାଙ୍କୁ ଧନ୍ୟବାଦ ଦେଉଛି’ ବୋଲି ଯୋଗ କରାଗଲା ।

 

ଏହି ମିଳାମିଶା ଘଟଣା ବର୍ଣ୍ଣନା କରି ଗାନ୍ଧିଜୀ ଲେଖିଥିଲେ–

 

‘‘ସଂସ୍କାର ଯେତେ ଦୂର ଦୋଷଯୁକ୍ତ ହୋଇଥିଲେ ସୁଦ୍ଧା ତାହା ଗ୍ରହଣ କରାଯିବା ଉଚିତ ବୋଲି ମୁଁ ଭାବୁଥିଲି । ଅନ୍ୟ ଦିଗରେ ଏହା ପୂରାପୂରି ନୈରାଶ୍ୟ ଓ ଅସନ୍ତୋଷଜନକ ହୋଇଥିବାରୁ ସଂସ୍କାର ପ୍ରତ୍ୟାହାର କରାଯିବା ଉଚିତ ବୋଲି ଚିତ୍ତରଞ୍ଜନ ଦୃଢ଼ ମତ ପ୍ରକାଶ କରୁଥିଲେ । ଲୋକମାନ୍ୟ ପ୍ରାୟ ନିରପେକ୍ଷ ଥିଲେ । ମୁଁ ପ୍ରସ୍ତାବଟି ତିଆରି କରି ଆଗତ କରିବାକୁ ବାହାରିଲି । ପଣ୍ଡିତ ମାଲବ୍ୟଜୀ ଏବଂ ମିଷ୍ଟର୍ ଜିନ୍ନା ମୋତେ ସମର୍ଥନ କରିବାର କଥା । ମୁଁ ଜାଣିପାରିଲି ଯେ, ଆମ ଭିତରେ ଯେଉଁ ମତଭେଦ ଦେଖାଦେଇଛି, ତହିଁରେ କୌଣସି ପ୍ରକାର ଟିକିଏ ହେଲେ ତିକ୍ତତା ନଥିଲେ ସୁଦ୍ଧା ବା ବକ୍ତୃତାମାନଙ୍କରେ କୌଣସି ତିକ୍ତତାର ଆଭାସ ମିଳୁ ନଥିଲେ ସୁଦ୍ଧା, ଆମ ଭିତରେ କୌଣସି ମତଭେଦ ଉପୁଜିବା ଜନସାଧାରଣଙ୍କୁ ଭଲ ଲାଗୁ ନାହିଁ । ଏଥିରେ ମୁଁ ଅସ୍ୱସ୍ତି ଅନୁଭବ କରି ଜନସାଧାରଣଙ୍କର ସର୍ବସମ୍ମତ ମତପ୍ରକାଶ ପାଇବା ମୁଁ ଚାହୁଁଥିଲି-

 

‘‘ଏପରି କି, ବକ୍ତୃତାମାନ ହେଉଥିବା ସମୟରେ ନେତୃସ୍ଥାନୀୟ ଲୋକମାନଙ୍କ ଭିତରେ ମଧ୍ୟ ସମାଧାନ ପାଇଁ ଚେଷ୍ଟା ଚାଲିଥାଏ । ମାଲବ୍ୟଜୀ ଏଥିପାଇଁ କୌଣସି ଉଦ୍ୟମ ବାକି ରଖି ନଥାନ୍ତି । ଠିକ୍ ଏହି ସମୟରେ ସିନ୍ଧୁର ଜଣେ ପ୍ରତିନିଧି ଜୟରାମ ଦାସ ଦୌଲତରାମ ତାଙ୍କର ଗୋଟିଏ ସଂଶୋଧନ ପ୍ରସ୍ତାବ ମୋ ହାତକୁ ବଢ଼ାଇ ଦେଇ ଅତି ନମ୍ରତା ସହକାରେ କ୍ରିଶଙ୍କୁ ଅବସ୍ଥାରୁ ପ୍ରତିନିଧିମାନଙ୍କୁ ରକ୍ଷା କରିବାପାଇଁ ମୋତେ ନିବେଦନ କଲେ । ତାଙ୍କ ସଂଶୋଧନ ପ୍ରସ୍ତାବଟି ମୋତେ ଭଲ ଲାଗିଲା । ତାହା ଦେଖି ଲୋକମାନ୍ୟ କହିଲେ, ‘ଯେବେ ଚିତ୍ତରଞ୍ଜନ ଏହାକୁ ସମର୍ଥନ କରନ୍ତି, ମୋର କୌଣସି ଆପତ୍ତି ନାହିଁ ।’ ଚିତ୍ତରଞ୍ଜନ ଶେଷକୁ ବିପିନଚନ୍ଦ୍ର ପାଲଙ୍କୁ ତାଙ୍କ ମତ ଜାଣିବାପାଇଁ ଅନାଇଲେ । ମାଲବ୍ୟଜୀ ଖୁବ୍ ଆଶାବାଦୀ ହୋଇ ଅପେକ୍ଷା କରିଥାନ୍ତି । ସେ ଖଣ୍ଡେ କାଗଜ ଟାଣିନେଇ ତହିଁରେ ସଂଶୋଧନ ପ୍ରସ୍ତାବଟି ଲେଖି ଦେଶବନ୍ଧୁ ବୋଲି କହିବା ପୂର୍ବରୁ କହିଲେ, ‘ବନ୍ଧୁ ପ୍ରତିନିଧିଗଣ ! ଆପଣମାନେ ଜାଣି ଖୁସି ହେବେ ଯେ, ଗୋଟିଏ ମିଳାମିଶା ହୋଇଯାଇଛି ।’ ଏହା ଶୁଣି ସଭାମଣ୍ଡପରେ ଉପସ୍ଥିତ ଥିବା ପ୍ରତିନିଧିମାନଙ୍କ ମୁଖମଣ୍ଡଳରେ ପୂର୍ବରୁ ଦେଖାଦେଇଥିବା ନୈରାଶ୍ୟ ଭାବ ଦୂର ହୋଇଗଲା ଏବଂ ସମସ୍ତେ ଆନନ୍ଦ ପ୍ରକାଶ କରି କରତାଳି ଦେଲେ ।’’

 

ଅମୃତସର କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧିଙ୍କର ଯେତିକି ବିଜୟ ହେଲା, ଚିତ୍ତରଞ୍ଜନଙ୍କର ମଧ୍ୟ ସେତିକି ବିଜୟ ହୋଇଥିଲା । ତା’ଛଡ଼ା ବ୍ୟବସ୍ଥାପକ ସଭା ମଧ୍ୟରେ ବିରୋଧ କରିବା ବିଷୟରେ ଚିତ୍ତରଞ୍ଜନଙ୍କ ମତ ପରିଷ୍କାର ଭାବରେ ଜଣାଗଲା ।

 

୧୯୨୦ ଫେବୃୟାରୀ ୨୦ ତାରିଖ ଦିନ ବନାରସଠାରେ ବେସରକାରୀ ପଞ୍ଜାବ ଗଣ୍ଡଗୋଳ ଅନୁସନ୍ଧାନ କମିଟିର ବୈଠକ ବସିଥିଲା । ପଞ୍ଜାବରେ ନାରୀମାନଙ୍କ ଉପରେ ପାଶବିକ ଅତ୍ୟାଚାର ସମେତ ସମସ୍ତ ପ୍ରକାର ଅକଥନୀୟ ଅତ୍ୟାଚାର ହୋଇଛି ବୋଲି ସଭ୍ୟମାନେ ଏକମତ ହେଲେ । ଲର୍ଡ଼ ଚେମ୍‍ସଫୋର୍ଡ଼ ଇସ୍ତଫା ଦିଅନ୍ତୁ, ପଞ୍ଜାବର ଲାଟ ସାର୍ ମାଇକେଲ୍ ଓଡ଼ାୟାର୍‍ଙ୍କୁ ଲାଟପଦରୁ ଅନ୍ତର କରାଯାଉ, ଜେନେରାଲ ଡାୟାରଙ୍କୁ ଉଚିତ ଦଣ୍ଡ ଦିଆଯାଉ ଏବଂ ସାମରିକ ଆଇନ ଜାରି ଥିବା ସମୟରେ ଆଦାୟ ହୋଇଥିବା ସମସ୍ତ ଜୋରିମାନା ଫେରସ୍ତ ଦିଆଯାଉ ବୋଲି ଦାବି କରାଗଲା ।

 

ଏପରିକି, ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ହଣ୍ଟର କମିଟି ମଧ୍ୟ ସରକାରୀ କର୍ମଚାରୀମାନଙ୍କୁ ଦୋଷ ନ ଦେଇ ରହିପାରିଲେ ନାହିଁ । କମିଟିର ୩ ଜଣଯାକ ଇଂରେଜ ସଭ୍ୟ ସରକାରୀ କର୍ମଚାରୀମାନଙ୍କ ଦୋଷକୁ ନ୍ୟୁନ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଶୀତଲବାଦ ଓ ଜଗତନାରାୟଣ ଦୁଇ ଜଣଯାକ ଭାରତୀୟ ସଭ୍ୟ ଯେଉଁ ରିପୋର୍ଟ ଦେଇଥିଲେ, ତାହା ପ୍ରାୟ କଂଗ୍ରେସ ଅନୁସନ୍ଧାନ କମିଟିଙ୍କ ନିଷ୍ପତ୍ତି ସହ ମିଳି ଯାଉଥିଲା ।

 

ବିଲାତର କେତେକ ଲୋକ ଏବଂ ଭାରତରେ ଥିବା ଅଧିକାଂଶ ଇଂରେଜ ଲୋକ ଜେନେରାଲ ଡାୟାର ଓ କର୍ଣ୍ଣେଲ ଜନସନ୍‍ଙ୍କ ସପକ୍ଷରେ ଆନ୍ଦୋଳନ କରିବା ଫଳରେ ଭାରତ ସରକାର ବେସରକାରୀ ଅନୁସନ୍ଧାନ କମିଟି ଓ ହଣ୍ଟର କମିଟିର ସଂଖ୍ୟା ନ୍ୟୁନ ରିପୋର୍ଟ ପ୍ରତ୍ୟାଖ୍ୟାନ କରି ହଣ୍ଟର କମିଟିର ସଂଖ୍ୟାଧିକ ରିପୋର୍ଟକୁ ଗ୍ରହଣ କଲେ । ତାହା ସଙ୍ଗେ ସଙ୍ଗେ ଜେନେରାଲ ଡାୟାରଙ୍କ ବିରୁଦ୍ଧରେ ଆସୁଥିବା ସମସ୍ତ ଅଭିଯୋଗରୁ ତାଙ୍କୁ ମୁକ୍ତି ଦେଇ ସେ ନିର୍ଦ୍ଦୋଷ ବୋଲି ଘୋଷଣା କଲେ । ଏହି ଘଟଣା ମହାତ୍ମା ଗାନ୍ଧିଙ୍କୁ ଅତିରିକ୍ତ ଆଘାତ ଦେଲା ଏବଂ ସେ ସରକାରଙ୍କୁ ସଇତାନ ସରକାର ବୋଲି ଆଖ୍ୟା ଦେଲେ ।

 

ଆଉ ଗୋଟିଏ ପ୍ରଶ୍ନରେ ମହାତ୍ମା ଗାନ୍ଧି ମଧ୍ୟ ଅତ୍ୟଧିକ ବ୍ୟଥିତ ହେଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତୁରସ୍କ ମିତ୍ରଶକ୍ତି ବିରୁଦ୍ଧରେ ଜର୍ମାନୀ ଓ ଅଷ୍ଟ୍ରିଆ ସପକ୍ଷରେ ଲଢ଼େଇ କରିଥିଲା-। ଏହା ସତ୍ତ୍ୱେ ତୁରସ୍କ ପ୍ରତି କୌଣସି ଅନ୍ୟାୟ କରାଯିବ ନାହିଁ ବୋଲି ଇଂରେଜ ସରକାର ଜବାବ ଦେବାରୁ ଭାରତୀୟ ମୁସଲମାନମାନେ ମିତ୍ରଶକ୍ତିଙ୍କୁ ସାହାଯ୍ୟ କରିଥିଲେ । ଏହି ପ୍ରତିଶ୍ରୁତି ଯୁଦ୍ଧ ପରେ ରକ୍ଷା କରା ନ ଯାଇ ତୁରସ୍କକୁ ଖଣ୍ଡଖଣ୍ଡ କରି ବିଭିନ୍ନ ରାଜ୍ୟ ମଧ୍ୟରେ ବାଣ୍ଟି ଦିଆଗଲା-। ତାହା ଛଡ଼ା ମୁସଲମାନ ଧର୍ମଜଗତର ରାଜଧାନୀକୁ କନ୍‍ଷ୍ଟାଣ୍ଟିନୋପଲସରୁ ଏସିଆକୁ ଉଠାଇଦେବା ପାଇଁ ପ୍ରସ୍ତାବ ଦେଲା । ଅଖଣ୍ଡିତ ତୁରସ୍କ ରାଜ୍ୟକୁ ଖଣ୍ଡବିଖଣ୍ଡ କରି ବିଭିନ୍ନ ରାଜ୍ୟରେ ମିଶାଇଦେବା ଫଳରେ ବହୁ ମୁସଲମାନ ଧର୍ମକ୍ଷେତ୍ର ଖ୍ରୀଷ୍ଟିଆନମାନେ ରାଜତ୍ୱ କରୁଥିବା ରାଜ୍ୟରେ ମିଶି ସେମାନଙ୍କ ଅଧୀନକୁ ଗଲା । ଏହା ଫଳରେ ଭାରତୀୟ ମୁସଲମାନମାନଙ୍କ ମଧ୍ୟରେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ ପାଇଲା ଏବଂ ଆଲ୍ଲିଭାଇ ଦ୍ୱୟ, ମୌଲାନା ଆବୁଲ କାଲାମ ଆଜାଦ୍, ହାକିମ୍ ଆଜମଲ୍ଲ ଖାଁ ଏବଂ ଅନ୍ୟମାନଙ୍କ ନେତୃତ୍ୱରେ ଖିଲାଫତ ଆନ୍ଦୋଳନ ବୋଲି ଗୋଟିଏ ଆନ୍ଦୋଳନର ସୂତ୍ରପାତ ହେଲା । ୧୯୨୦ ମେ ୩ ତାରିଖ ଦିନ ହୋଇଥିବା ସମ୍ମିଳନୀରେ ସରକାରଙ୍କ ସହ ଅସହଯୋଗ କରିବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ।

 

ଗାନ୍ଧିଜୀ ଖିଲାଫତ ଆନ୍ଦୋଳନକୁ ସମର୍ଥନ କରି ତୁରସ୍କ ପ୍ରତି କିଛି ଅନ୍ୟାୟ ନ କରାଯିବା ପାଇଁ ବଡ଼ଲାଟଙ୍କୁ ଲେଖିଲେ । ଏହି ଚିଠିର କୌଣସି ଜବାବ ନ ମିଳିବାରୁ ନିଆଁକୁ ଝୋଟ ପକାଇଲା ଭଳି କଂଗ୍ରେସକୁ ଅଧିକ ଅପମାନ କରାଗଲା । କଂଗ୍ରେସ ପକ୍ଷରୁ ନିଯୁକ୍ତ ହୋଇଥିବା ସବ୍‍କମିଟି ପଞ୍ଜାବ ଅନ୍ୟାୟ ଏବଂ ତୁରସ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବାଦସ୍ୱରୂପ ଶିକ୍ଷାନୁଷ୍ଠାନ ଏବଂ କୋର୍ଟ କଚେରି ବର୍ଜନ କରାଯାଉ ବୋଲି ସୁପାରିସ୍ କଲେ । ବ୍ୟବସ୍ଥାପକ ସଭା ବର୍ଜନ କରିବାପାଇଁ କୌଣସି ସୁପାରିସ୍ କରାଯାଇ ନଥିଲେ ସୁଦ୍ଧା କଂଗ୍ରେସ କାର୍ଯ୍ୟକ୍ରମରେ ବ୍ୟବସ୍ଥାପକ ସଭା ବର୍ଜନ ସ୍ଥାନ ପାଇବ ବୋଲି ମହାତ୍ମା ଗାନ୍ଧି ମତ ପ୍ରକାଶ କଲେ । ଏହିସବୁ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ବିଚାର କରିବାପାଇଁ ୧୯୨୦ ସେପ୍‍ଟେମ୍ୱର ୪ ତାରିଖରେ କଲିକତାରେ କଂଗ୍ରେସର ଗୋଟିଏ ବିଶେଷ ଅଧିବେଶନ ବସାଇବା ପାଇଁ ଆୟୋଜନ କରାଗଲା-

 

ଏହି ଅଧିବେଶନରେ ସଭାପତିତ୍ୱ କରିବାପାଇଁ ଲାଲା ଲଜପତ ରାୟଙ୍କୁ ନିମନ୍ତ୍ରର କରାଗଲା । ସେତେବେଳେ ଚିତ୍ତରଞ୍ଜନ ଓ ମୋତିଲାଲ ନେହେରୁ ଉଭୟ ବିହାରର ଦୁମ୍ରାଓଁ ମୋକଦ୍ଦମା ସଂକ୍ରାନ୍ତରେ ଆରାରେ ଥିଲେ । ଚିତ୍ତରଞ୍ଜନ ମୂଳରୁ ବ୍ୟବସ୍ଥାପକ ସଭା ବର୍ଜନ ନୀତିକୁ ବିରୋଧ କରି ତାହା ପରିବର୍ତ୍ତେ ବିଲାତର ପ୍ରଧାନମନ୍ତ୍ରୀଙ୍କୁ ଦେଖାକରିବା ପାଇଁ ଗୋଟିଏ ପ୍ରତିନିଧି ଦଳ ପଠାଯାଉ ବୋଲି ପ୍ରସ୍ତାବ କରିଥିଲେ । ଯେବେ ଏହି ପ୍ରତିନିଧି ଦଳ ଦେଖାକରିବା ଫଳରେ କୌଣସି ଫଳ ନହୁଏ, ତାହାହେଲେ କଂଗ୍ରେସପକ୍ଷରୁ ସ୍କୁଲ୍, କଲେଜ ଏବଂ କୋର୍ଟ, କଚେରି ବର୍ଜନ କରାଯିବା ଉଚିତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଶିକ୍ଷାନୁଷ୍ଠାନମାନ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସପକ୍ଷରେ ସେ ଦଢ଼ମତ ପ୍ରକାଶ କରିଥିଲେ । କିନ୍ତୁ ବ୍ୟବସ୍ଥାପକ ସଭା ବର୍ଜନ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ କ୍ଷତିକାରକ ହେବ ବୋଲି ତାଙ୍କର ମତ ଥିଲା ।

 

ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ ବିପିନଚନ୍ଦ୍ର ପାଲ ଗୋଟିଏ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସମର୍ଥନ କରି କୌଣସି ଅବସ୍ଥାରେ ବ୍ୟବସ୍ଥାପକ ସଭା ବର୍ଜନ କରାଯିବା ଉଚିତ ନୁହେଁ ବୋଲି ଚିତ୍ତରଞ୍ଜନ ଦୃଢ଼ଦାର ସହିତ କହିଥିଲେ । ପଠାଯାଉଥିବା ପ୍ରତିନିଧିଦଳ ସମ୍ପର୍କରେ ସେ କୌଣସି ଗୁରୁତ୍ୱ ଆରୋପ କରୁ ନଥିଲେ । ସେ ନିଜେ ମଧ୍ୟ ଓକିଲାତି ଛାଡ଼ି ଶିକ୍ଷାନୁଷ୍ଠାନ ବର୍ଜନ ସପକ୍ଷରେ ପ୍ରଚାର କରିବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା ବ୍ୟବସ୍ଥାପକ ସଭା ବର୍ଜନ କଲେ ତା’ ଭିତରେ ସଂଗ୍ରାମ କରିବାର ସୁବିଧା ହରାଇବାକୁ ହେବ ଏବଂ ତାହା ଏକ ବିରାଟ ଭୁଲ ହେବ ବୋଲି ସେ ଭାବୁଥିଲେ ।

 

Unknown

ତାଙ୍କ ମତ ଉପରେ ଜୋର ଦେଇ ସେ କହିଲେ :–

 

‘‘ଏହି ଅନୁଷ୍ଠାନ (ବ୍ୟବସ୍ଥାପକ ସଭା)ମାନ ଇଂରେଜ ସରକାରଙ୍କ ଦାନ ନୁହେଁ; ଶାସନ ସଂସ୍କାର ଫଳରେ ବ୍ରିଟିଶ ସରକାରଙ୍କଠାରୁ ଏହା ଲାଭ କରାଯାଇଛି । ବ୍ୟବସ୍ଥାପକ ସଭାକୁ ସ୍ୱରାଜ ଲାଭପାଇଁ ଅସ୍ତ୍ରସ୍ୱରୂପ ବ୍ୟବହାର କରିବାକୁ ଏବଂ ତା’ରି ଜରିଆରେ ପୂର୍ଣ୍ଣ ସ୍ୱରାଜ ଲାଭ କରିବାପାଇଁ ତାକୁ ଆୟୁଧସ୍ୱରୂପ ବ୍ୟବହାର କରିବା ଲାଗି ମୁଁ ଚାହେଁ... । ଗତ ୩୫ ବର୍ଷ ଧରି ଆନ୍ଦୋଳନ ଫଳରେ ଆପଣମାନେ ଯାହା ଲାଭ କରିଛନ୍ତି, ତାହାର ଦ୍ୱାର ନିଜପାଇଁ ନିଜେ ବନ୍ଦ କରିଦେବା ଉଚିତ ନୁହେଁ ।’’

 

ତା’ପରେ ସେ ଜୋର ଦେଇ କହିଲେ :–

 

‘‘ଅନ୍ୟମାନଙ୍କ ତୁଳନାରେ ପୂର୍ଣ୍ଣ ସ୍ୱାୟତ୍ତ ଶାସନ ଦାବି କରିବାପାଇଁ ମୋର ଆଗ୍ରହ କମ୍ ନୁହେଁ । ୧୯୧୮ ମସିହା ସେପ୍‍ଟେମ୍ୱର ମାସରେ ବମ୍ୱେ ବିଶେଷ ଅଧିବେଶନରେ ମୁଁ ତାହା ଚାହିଁଥିଲି । କିନ୍ତୁ ମାନ୍ଦାଦଳ ବନ୍ଧୁମାନଙ୍କୁ ଆମ ସହିତ ଅନ୍ୟ ସ୍ଥାନରେ ରହିବାପାଇଁ ପୂର୍ଣ୍ଣ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୁଁ ଆମ ଦାବିକୁ ଊଣା କରି ଦେଇଥିଲି । ଏହା ସତ୍ତ୍ୱେ ମାନ୍ଦାଦଳର ବନ୍ଧୁମାନେ ଆମ ସହିତ ନ ରହି ଅନୁଷ୍ଠାନରୁ ଚାଲିଯିବାରୁ ଦିଲ୍ଲୀରେ ସେ ଦାବିକୁ ଜୋରଦାର୍ କରାଗଲା । ତା’ପରେ ଆସିଲା ପଞ୍ଜାବ ଘଟଣା ଏବଂ ଖଲିପାଙ୍କ ପ୍ରତି କରାଯାଉଥିବା ଅନ୍ୟାୟ । ଆମେ ଆଜି ଆମ ଦାବି କାହିଁକି ନ୍ୟୁନ କରିବୁ ? ମୁଁ ଶେଷ ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ଲଢ଼ିବି ।’’

 

ଜବାହରଲାଲ ନେହେରୁ ଏହି ଘଟଣା ସମ୍ପର୍କରେ ଲେଖିଛନ୍ତି, ‘‘ପ୍ରସ୍ତାବରେ ପ୍ରକଟିତ ଚିନ୍ତାଧାରାର ବିରୋଧ କରିବାକୁ ଯେ ଚିତ୍ତରଞ୍ଜନ ଏହାର ବିରୋଧ କରୁଥିଲେ, ତାହା ନୁହେଁ । ବରଂ ସେ ଯଥେଷ୍ଟ ଆଗକୁ ଯିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ମୁଖ୍ୟତଃ ‘ବ୍ୟବସ୍ଥାପକ ସଭା’ ବର୍ଜନ ସେ ଚାହୁଁ ନଥିବାରୁ ପ୍ରସ୍ତାବର ବିରୋଧ କରୁଥିଲେ ।’’

 

ଚିତ୍ତରଞ୍ଜନଙ୍କ ବିରୋଧ ସତ୍ତ୍ୱେ ବିଶେଷ ଅଧିବେଶନ ଅସ୍ଥାୟୀ ଭାବରେ ବ୍ୟବସ୍ଥାପକ ସଭା ବର୍ଜନ କାର୍ଯ୍ୟକ୍ରମ ଗ୍ରହଣ କରି ଏ ବିଷୟର ଶେଷ ନିଷ୍ପତ୍ତି ନାଗପୁର କଂଗ୍ରେସ ଅଧିବେଶନରେ ହେବ ବୋଲି ଠିକ୍ କଲେ । ଚିତ୍ତରଞ୍ଜନ ଦେଶର ରାଜନୈତିକ ଅବସ୍ଥାରେ ଉନ୍ନତି ଆଣିବାପାଇଁ ପ୍ରତ୍ୟକ୍ଷ ସଂଗ୍ରାମ ଚାହୁଁଥିବାରୁ ଏବଂ ତାହା ସଙ୍ଗେ ସଙ୍ଗେ ବ୍ୟବସ୍ଥାପକ ସଭା ବର୍ଜନ ଦେଶ ପକ୍ଷରେ ଘୋର କ୍ଷତିକାରକ ହେବ ବୋଲି ଭାବୁଥିବାରୁ ଏହି ନିଷ୍ପତ୍ତିରେ ଅତ୍ୟନ୍ତ ଉଦ୍‍ବେଗ ପ୍ରକାଶ କଲେ । ବଙ୍ଗଳା ଏବଂ ଆସାମର ବିଭିନ୍ନ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ସେ ମତ ପ୍ରକାଶ କଲେ ଯେ, ସରକାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ବ୍ୟବସ୍ଥାପକ ସଭାରେ ପ୍ରବେଶକୁ ସେ ସମର୍ଥନ କରୁନାହାନ୍ତି । ବରଂ ମନ୍ତ୍ରୀମାନଙ୍କ ନିଯୁକ୍ତି ଯେପରି ହୋଇ ନ ପାରିବ ଏବଂ ସରକାର ଯେପରି ଅସୁବିଧାରେ ପଡ଼ିବେ, ସେହି ଉଦ୍ଦେଶ୍ୟରେ ସେମାନେ ବ୍ୟବସ୍ଥାପକ ସଭାକୁ ଯିବା ଦରକାର ବୋଲି ସେ କହୁଛନ୍ତି ।

 

୧୯୨୦ ମସିହା ଅକ୍‍ଟୋବର ମାସରେ ନୂଆ ଶାସନ ସଂସ୍କାର ବ୍ୟବସ୍ଥାନୁଯାୟୀ ଦେଶସାରା ବ୍ୟବସ୍ଥାପକ ସଭାପାଇଁ ନିର୍ବାଚନ ହେଲା । ଜାତୀୟତାବାଦୀମାନେ କଂଗ୍ରେସ ନିଷ୍ପତ୍ତି ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱିତା କରୁ ନଥିବାରୁ ମାନ୍ଦାଦଳର ଲୋକମାନେ ନିର୍ବାଚନରେ ଜିଣିଲେ । ବ୍ୟବସ୍ଥାପକ ସଭା ବର୍ଜନର ଏହା କୁଫଳ ବୋଲି ଚିତ୍ତରଞ୍ଜନ ମତ ପ୍ରକାଶ କଲେ । ନିର୍ବାଚିତ ହୋଇଥିବା ମାନ୍ଦାଦଳର ଲୋକେ ଅମଲାତନ୍ତ୍ର ସରକାରଙ୍କ ସହିତ ସହଯୋଗ କରି ସରକାରଙ୍କୁ ଲୋକ ସମର୍ଥନ ମିଳୁଛି ବୋଲି ପ୍ରମାଣିତ କଲେ ।

 

ତାହା ଛଡ଼ା ଅସହଯୋଗ ଆନ୍ଦୋଳନ ପାଇଁ କରାଯାଇଥିବା ପ୍ରାଥମିକ କାର୍ଯ୍ୟମାନ ସଫଳ ହୋଇ ନାହିଁ ବୋଲି ଚିତ୍ତରଞ୍ଜନ ଭାବିଲେ । ସେପ୍‍ଟେମ୍ୱର ମାସରେ କଂଗ୍ରେସର ବିଶେଷ ଅଧିବେଶନ ହୋଇଥିଲେ ସୁଦ୍ଧା ନଭେମ୍ୱର ପର୍ଯ୍ୟନ୍ତ ଜଣେ ସୁଦ୍ଧା ଆଇନଜୀବୀ ତାଙ୍କ ବ୍ୟବସାୟ ଛାଡ଼ି ନଥାନ୍ତି ବା ଛାତ୍ରମାନେ ବିଶେଷ ସଂଖ୍ୟାରେ ଶିକ୍ଷାନୁଷ୍ଠାନମାନ ପରିତ୍ୟାଗ କରି ନଥାନ୍ତି । ଆଲିଗଡ଼ କଲେଜକୁ ଜାତୀୟ ବିଶ୍ୱବିଦ୍ୟାଳରେ ପରିଣତ କରିବା ନିମିତ୍ତ ମୌଲାନା ମହମ୍ମଦ ଅଲ୍ଲି ଯେଉଁ ଚେଷ୍ଟା କରିଥିଲେ, ତାହା ବିଫଳ ହେଲା । ବନାରସର ହିନ୍ଦୁ କଲେଜକୁ ଜାତୀୟ ବିଦ୍ୟାପୀଠ କରିବାପାଇଁ ଯେଉଁ ପ୍ରଚେଷ୍ଟା ହୋଇଥିଲା, ତାହା ମଧ୍ୟ ସେହିପରି ବିଫଳ ହେଲା । କଲିକତାରେ ମହାତ୍ମା ଗାନ୍ଧି ନିଜେ ଉଦ୍‍ଘାଟନ କରିଥିବା ଜାତୀୟ ବିଦ୍ୟାଳୟରେ ବିଶେଷ ଛାତ୍ର ହେଲେ ନାହିଁ ।

 

୧୯୨୦ ନଭେମ୍ୱର ୩୦ ତାରିଖ ଦିନ ଗୋଟିଏ ସାମ୍ୱାଦିକ ସମ୍ମିଳନୀରେ ଚିତ୍ତରଞ୍ଜନ କହିଥିଲେ :–

 

‘‘ଅସହଯୋଗ ହେଉଛି ଆମର ଶେଷ ଅସ୍ତ୍ର । ପୂରାପୂରି ଅସହଯୋଗ ଏବଂ ସରକାର ପ୍ରଦତ୍ତ ପଦବୀ ଓ ଅର୍ଥନୈତିକ କାର୍ଯ୍ୟମାନ ଏକ ଦିଗରେ ପରିତ୍ୟାଗ କରିବାକୁ ହେବ ଏବଂ ଅନ୍ୟ ଦିଗରେ ଟିକସ ଖଜଣା ଦେବା ବନ୍ଦ କରିବାକୁ ହେବ । ଏହି କାର୍ଯ୍ୟ ଯେତେଦୂର ସମ୍ଭବ, କମ୍ ସମୟ ମଧ୍ୟରେ କରିବାକୁ ହେବ । ଅସହଯୋଗ କାର୍ଯ୍ୟକ୍ରମ ସମୂହଭାବରେ କରାଗଲେ ତହିଁରୁ ଯଥେଷ୍ଟ ସୁଫଳ ଫଳିବ । ସବୁ କ୍ଷେତ୍ରରେ କାର୍ଯ୍ୟ ଆଗରୁ ଆରମ୍ଭ କରିବାକୁ ହେବ, ଯେପରିକି ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ରମ ପୂରା କରାଯାଇପାରିବ ।

 

‘‘ମୁଁ ବ୍ୟବସ୍ଥାପକ ସଭା ମଧ୍ୟରୁ ଅସହଯୋଗ କାର୍ଯ୍ୟ କରିବାରେ ବିଶ୍ୱାସ କରୁଥିବାରୁ ବ୍ୟବସ୍ଥାପକ ସଭା ବର୍ଜନ ଚାହୁଁ ନଥିଲି । କିନ୍ତୁ କଂଗ୍ରେସ ପ୍ରସ୍ତାବ ଅନୁଯାୟୀ ଆମ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଉଠାଇ ଆଣିଥିଲେ ସୁଦ୍ଧା ତାହାର କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଲା ନାହିଁ ।’’

 

ଏହି ପଟ୍ଟଭୂମିକାରେ ୧୯୨୦ ଡିସେମ୍ୱର ମାସରେ ନାଗପୁର କଂଗ୍ରେସ ଅଧିବେଶନ ହେଲା । ମହାତ୍ମା ଗାନ୍ଧି ଏବଂ ଚିତ୍ତରଞ୍ଜନଙ୍କ ମଧ୍ୟରେ ଏହି ଅଧିବେଶନରେ ବଳ କଷାକଷି ହେବ ବୋଲି ବହୁ ଲୋକ ଆଶା କରିଥିଲେ । ବଙ୍ଗଳାର ୪ ଶହ ପ୍ରତିନିଧି ଚିତ୍ତରଞ୍ଜନଙ୍କ ସଙ୍ଗରେ ଯିବାରୁ ଏହି ଆଶଙ୍କା ଅଧିକମାତ୍ରାରେ ଦୃଢ଼ୀଭୂତ ହେଲା । କୌଣସି ପ୍ରକାର ପ୍ରକାଶ୍ୟ ବିବାଦ ଏଡ଼ାଇବା ପାଇଁ ମହାତ୍ମା ଗାନ୍ଧି ଅଧିବେଶନ ପୂର୍ବରୁ ଖୋଲାଖୋଲି କଥାବାର୍ତ୍ତା ହେବାଲାଗି ଚିତ୍ତରଞ୍ଜନଙ୍କୁ ଡାକିଲେ । ତାହା ଛଡ଼ା ଚିତ୍ତରଞ୍ଜନଙ୍କର ଯେଉଁ ଆନ୍ତରିକତା ଓ ତ୍ୟାଗର ଶକ୍ତି ଅଛି, ତାହା ଫଳରେ ସେ ଆନ୍ଦୋଳନକୁ ଅଧିକମାତ୍ରାରେ ଉତ୍ସାହିତ କରିପାରିବେ ବୋଲି ମଧ୍ୟ ଗାନ୍ଧିଜୀ ଭାବିଥିଲେ । ଏତଦ୍‍ଭିନ୍ନ ସେମାନଙ୍କର ମତଭେଦ କେବଳ ବ୍ୟବସ୍ଥାପକ ସଭା ପ୍ରବେଶ ବିଷୟରେ ସୀମାବଦ୍ଧ ଥିଲା । ଅନ୍ୟାନ୍ୟ ବିଷୟରେ ସେମାନେ ପୂରାପୂରି ଏକମତ ହେଉ ନଥିଲେ ସୁଦ୍ଧା ପ୍ରାୟ ଏକମତ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

କଥାବାର୍ତ୍ତା ସମୟରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ପୂର୍ବରୁ ଦେଶକୁ ସେଥିପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆସନ୍ତା ୫ ବର୍ଷପାଇଁ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ହାତକୁ ନେଇ ତାହା କାର୍ଯ୍ୟକାରୀ କରାଯାଉ ବୋଲି ଚିତ୍ତରଞ୍ଜନ ପ୍ରସ୍ତାବ ଦେଲେ । ବର୍ତ୍ତମାନ ଅବସ୍ଥା ଅସହଯୋଗ ପାଇଁ ଅଧିକ ଉପଯୋଗୀ ବୋଲି ମହାତ୍ମା ଗାନ୍ଧି ଯୁକ୍ତି କଲେ । ପଞ୍ଜାବ ଅନ୍ୟାୟ, ଖିଲାଫତ ପ୍ରଶ୍ନ ଏବଂ ଅନ୍ୟାନ୍ୟ ଅଭିଯୋଗର ପ୍ରତିକାର କରିବାପାଇଁ ସରକାର ଅସ୍ୱୀକୃତ ହେବା ଫଳରେ ଯେଉଁ ସୁଯୋଗ ଦେଖାଦେଇଛି, ତାହା ଛାଡ଼ି ଦେବାର କଥା ନୁହେଁ । ଚିତ୍ତରଞ୍ଜନଙ୍କ ମତକୁ ଆଂଶିକ ଭାବରେ ଗ୍ରହଣ କରିବା ଉଦ୍ଦେଶ୍ୟରେ ମୂଳ ପ୍ରସ୍ତାବରୁ ବ୍ୟବସ୍ଥାପକ ସଭା ବର୍ଜନ ବିଷୟଟି ବାଦ୍ ଦେବାକୁ ଗାନ୍ଧିଜୀ ମଧ୍ୟ ରାଜି ହେଲେ । ନିର୍ବାଚନ ନିକଟରେ ଶେଷ ହୋଇଥିବାରୁ ଏହା ବାଦ ଦେବା ବା ରଖିବାରେ କୌଣସି ବିଶେଷ ପାର୍ଥକ୍ୟ ନଥିଲା । ଗାନ୍ଧିଜୀ ଓ ଚିତ୍ତରଞ୍ଜନଙ୍କ ମଧ୍ୟରେ ସଦ୍‍ଭାବ ପ୍ରତିଷ୍ଠା କରିବାପାଇଁ ମୌଲାନା ମହମ୍ମଦ ଅଲ୍ଲି ଆପ୍ରାଣ ଚେଷ୍ଟା କରିଥିଲେ । ତାଙ୍କ ନିଜ ଭାଷାରେ ‘ଏହି ଦୁଇ ବିରାଟ ପୁରୁଷଙ୍କ ନିକଟକୁ ତାଙ୍କୁ କୁଆ ପରି ବହୁବାର ଏଠୁ ସେଠାକୁ ଓ ସେଠୁ ଏଠାକୁ ଯିବାଆସିବା କରିବାକୁ ପଡ଼ିଥିଲା ।’

 

କଲିକତାରେ କଂଗ୍ରେସର ବିଶେଷ ଅଧିବେଶନରେ ପାସ୍ ହୋଇଥିବା ପ୍ରସ୍ତାବଠାରୁ ଚିତ୍ତରଞ୍ଜନଙ୍କଦ୍ୱାରା ଚିଠା ହୋଇଥିବା ଏବଂ ଗାନ୍ଧିଜୀଙ୍କଦ୍ୱାରା ଗୃହୀତ ହୋଇଥିବା ପ୍ରସ୍ତାବଟି ଅଧିକ ଯୁକ୍ତିଯୁକ୍ତ ଓ କାର୍ଯ୍ୟକାରୀ ବୋଲି ମନେ ହେଲା । ଏହି ପ୍ରସ୍ତାବରେ ବ୍ୟବସ୍ଥାପକ ସଭା ବର୍ଜନ ବିଷୟରେ କିଛି ଉଲ୍ଲେଖ କରା ନ ଯାଇ ବରଂ ଯେଉଁ ମାନ୍ଦା ଦଳର ଲୋକେ କଂଗ୍ରେସ ବର୍ଜନର ସୁବିଧା ନେଇ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ, ସେମାନେ ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଗଲା । ତାହାଛଡ଼ା ସ୍କୁଲ୍, କଲେଜ, କୋର୍ଟ, କଚେରି ବର୍ଜନ କ୍ରମଶଃ କରା ନ ଯାଇ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା । ଲୋକଙ୍କୁ ଟିକସ ନ ଦେବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।

 

ଚିତ୍ତରଞ୍ଜନ ନିଜେ ପ୍ରସ୍ତାବଟି ଆଗତ କରି ଓକିଲାତି ଛାଡ଼ିବାକୁ ଘୋଷଣା କଲେ । ଏହା ଫଳରେ ଉପସ୍ଥିତ ଜନତା ମଧ୍ୟରେ ପ୍ରବଳ ଆଗ୍ରହ ଉତ୍ସାହର ପ୍ରବାହ ବହିଗଲା ଏବଂ ସେମାନଙ୍କଠାରେ ନୂତନ ଜୀବନ ଓ ଶକ୍ତିର ନିଦର୍ଶନ ପ୍ରକାଶ ପାଇଲା । କେବଳ ନାଗପୁରରେ ନୁହେଁ, ସମଗ୍ର ଦେଶରେ ଏହା ଫଳରେ ଉତ୍ସାହ, ଉନ୍ମାଦନା ଓ ନୂତନ ଜୀବନର ସଞ୍ଚାର ହେଲା ।

 

ଚିତ୍ତରଞ୍ଜନଙ୍କର ଓକିଲାତି ପରିତ୍ୟାଗ କରିବା ସମଗ୍ର ଦେଶବାସୀଙ୍କୁ ଉଦ୍‍ବୁଦ୍ଧ କଲା । ୧୯୨୦ ମସିହାରେ ସେ ଓକିଲାତି ଛାଡ଼ିବାବେଳେ ସମଗ୍ର ଭାରତବର୍ଷରେ ଆଇନଜୀବୀ ହିସାବରେ ଯେ କେତେ ଜଣ ଶୀର୍ଘସ୍ଥାନ ଲାଭ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ତାଙ୍କର ଓକିଲାତିରୁ ଅଜସ୍ର ଆୟ ଫଳରେ କେବଳ ସେ ଯେ ସୁଖ ସମ୍ଭୋଗରେ ରହୁଥିଲେ, ତାହା ନୁହେଁ; ସାମାଜିକ କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ଉଚ୍ଚସ୍ଥାନ ଥିଲା । ଚିତ୍ତରଞ୍ଜନଙ୍କ ଘରେ ପ୍ରତି ସନ୍ଧ୍ୟାରେ ସାହିତ୍ୟ ଏବଂ କୀର୍ତ୍ତନ ଆଲୋଚନା ହେଉଥିଲା । ତାହା ତ୍ୟାଗ କରି ସେ ରାଜନୈତିକ କାର୍ଯ୍ୟରେ ପୂରା ସମୟ ଓ ମନ ଦେଲେ । ଓକିଲାତି ଛାଡ଼ିବା ସଙ୍ଗେ ସଙ୍ଗେ ଭକ୍ତିମୂଳକ ଆଲୋଚନା ମଧ୍ୟ ସେ ଛାଡ଼ିଦେଲେ ।

Image

 

ସପ୍ତମ ଅଧ୍ୟାୟ

ଚିତ୍ତରଞ୍ଜନ ହେଲେ ଦେଶବନ୍ଧୁ

 

ନାଗପୁରରୁ ଫେରି ଚିତ୍ତରଞ୍ଜନ ପ୍ରଥମେ କେତେକ ପାରିବାରିକ କାର୍ଯ୍ୟ ଶେଷକରି ରାଜନୈତିକ କାର୍ଯ୍ୟ ପୂରାପୂରି ହାତକୁ ନେଲେ । ନାଗପୁର ପ୍ରସ୍ତାବ ଅନୁଯାୟୀ ସେ ଓକିଲାତି ଛାଡ଼ିଲେ । ତାଙ୍କ ଘର ପରାମର୍ଶ ସ୍ଥଳରୂପେ ଏକ ରାଜନୈତିକ ଅନୁଷ୍ଠାନରେ ପରିଣତ ହେଲା । ସେହିଦିନୁ ଚିତ୍ତରଞ୍ଜନ ହେଲେ ଦେଶବନ୍ଧୁ ।

 

ବର୍ଷକ ମଧ୍ୟରେ ସ୍ୱରାଜ ମିଳିବ ବୋଲି ମହାତ୍ମା ଗାନ୍ଧି ସମୟ ନିର୍ଦ୍ଦିଷ୍ଟ କରିଦେଇଥିବାରୁ ସେ କେବଳ ବର୍ଷକପାଇଁ ଓକିଲାତି ଛାଡ଼ିଛନ୍ତି ବୋଲି କେତେକ ଲୋକ ଅର୍ଥ କଲେ । ତେଣୁ ୧୯୨୨ ଜାନୁୟାରୀ ମାସରେ ଚିତ୍ତରଞ୍ଜନ ପୁଣି ଓକିଲାତି କରିବେ ବୋଲି ତାଙ୍କର ବହୁ ବନ୍ଧୁ ଆଶା କରିଥିଲେ । କିନ୍ତୁ ନାଗପୁର ଅଧିବେଶନ ପରେ ସେ ଆଉ ଓକିଲାତି ଜୀବନକୁ ଫେରିଲେ ନାହିଁ । ଏପରିକି, ସେ ପୂର୍ବରୁ ଯେଉଁ ମୋକଦ୍ଦମାର ଓକିଲାତି ଗ୍ରହଣ କରିବେ ବୋଲି ସ୍ୱୀକୃତି ଦେଇଥିଲେ, ତାହା ମଧ୍ୟ ସବୁ ଫେରାଇ ଦେଲେ । କେବଳ ଦୁଇଟି ମୋକଦ୍ଦମା ଫେରାଇ ଦେବା ସମ୍ଭବପର ନ ହେବାରୁ ସେ ଦୁଇଟିକୁ ରଖିଲେ । ତାଙ୍କର ସମସ୍ତ ଆଇନ ବହି ତାଙ୍କ ଜୋଇଁଙ୍କୁ ଦେଇ ଦେଲେ । ଏପରି କି କୌଣସି ଲୋକ ମାଲିମକଦ୍ଦମା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଲେ, ସେ ତାଙ୍କୁ ଦେଖାଦେଲେ ନାହିଁ ।

 

ଦେଶର ଯୁବସମ୍ପ୍ରଦାୟକୁ ପ୍ରଥମେ କରଗତ କରିବା ଦରକାର ବୋଲି ଚିତ୍ତରଞ୍ଜନ ବୁଝିଥିଲେ । ୧୯୨୧ ଜାନୁୟାରୀ ୧୦ ଏବଂ ୧୧ ତାରିଖ ଦୁଇ ଦିନ ଧରି କଲିକତାରେ ହୋଇଥିବା ବିରାଟ ସଭାରେ ଜାତିର ଏହି ଆହ୍ୱାନକୁ ଉଚିତ ଜବାବ ଦେବାପାଇଁ ବଙ୍ଗଳାର ଛାତ୍ରସମାଜକୁ ସେ ଆହ୍ୱାନ ଦେଇଥିଲେ । ପ୍ରଥମେ ଦଳେ ଛାତ୍ର ବଙ୍ଗବାସୀ କଲେଜ ଛାଡ଼ି ଆନ୍ଦୋଳନରେ ଯୋଗ ଦେଲେ । ସେମାନଙ୍କ ସହ ରିପନ୍ କଲେଜର ଛାତ୍ରମାନେ ଯୋଗ ଦେଇ ସମସ୍ତେ ଏକାଠି ସିଟି କଲେଜକୁ ଗଲେ । ତା’ପରେ ବିଦ୍ୟାସାଗର କଲେଜର ଛାତ୍ରମାନେ ଆସି ଯୋଗଦେଲେ । କେବଳ ପ୍ରେସିଡ଼େନ୍‍ସି କଲେଜ ଓ ସ୍କଟିଶ ଚର୍ଚ୍ଚ କଲେଜର ଛାତ୍ରମାନେ ଏହି ଆନ୍ଦୋଳନଦ୍ୱାରା ପ୍ରଭାବିତ ନ ହୋଇ ଅଲଗା ରହିଥିଲେ ।

 

୧୯୨୧ ଜାନୁୟାରୀ ୧୪ ତାରିଖ ଦିନ ଛାତ୍ରମାନଙ୍କର ଆଉ ଗୋଟିଏ ବଡ଼ ସଭାରେ ବକ୍ତୃତା ଦେଇ ସେ କହିଥିଲେ ଯେ ସେମାନଙ୍କର ପଢ଼ାପଢ଼ି ବର୍ଷେ ଦୁଇବର୍ଷ ଅଟକିଗଲେ କିଛି କ୍ଷତି ହେବ ନାହିଁ; ତେଣୁ ସ୍ୱରାଜ ଆନ୍ଦୋଳନରେ ସଙ୍ଗେ ସଙ୍ଗେ ଯୋଗ ଦେବା ଦରକାର । ଆନ୍ଦୋଳନ ଆରମ୍ଭ ହୋଇଯାଇଥିବାରୁ ବର୍ତ୍ତମାନ ଯୁବକଶ୍ରେଣୀ ଗ୍ରାମ ଓ ମଫସଲମାନକୁ ଯାଇ କାର୍ଯ୍ୟ କରିବା ଦରକାର । କେବଳ ସ୍କୁଲ୍ କଲେଜ ଛାଡ଼ିଦେଲେ ଯଥେଷ୍ଟ ହେବ ନାହିଁ । ଜାତୀୟ କାର୍ଯ୍ୟପାଇଁ ନାସ୍ତିକମୂଳକ କାର୍ଯ୍ୟ ନ କରି ଆସ୍ତିକମୂଳକ କାର୍ଯ୍ୟ କରିବା ଦରକାର । କେବଳ ଯୁବକଶ୍ରେଣୀ ଯେବେ ପ୍ରସ୍ତୁତ ହେବେ, ତାହାହେଲେ ଦେଶ ପରାଧୀନତାରୁ ମୁକ୍ତ ହେବ ବୋଲି ସେ କହିଲେ ।

 

ସେମାନେ ପଢ଼ିବାପାଇଁ ଗୋଟିଏ କଲେଜ ବା ବିଦ୍ୟାପୀଠ ହେବା ଦରକାର ବୋଲି କେତେକ ଛାତ୍ର ଦାବି କରିବାରୁ ମାସକ ଭିତରେ ତାହା କରାଯିବ ବୋଲି ଚିତ୍ତରଞ୍ଜନ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି କାର୍ଯ୍ୟରେ ପରିଣତ କରିବାପାଇଁ ସେ ଗୋଟିକ ପରେ ଗୋଟିଏ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ କହିଲେ । କେତେକ କର୍ମକର୍ତ୍ତା ପ୍ରକାଶ୍ୟରେ ସେମାନଙ୍କ ଅନୁଷ୍ଠାନକୁ ଜାତୀୟ ବିଦ୍ୟାପୀଠରେ ପରିଣତ କରିପାରିବେ ନାହିଁ ବୋଲି କହିଲେ ଏବଂ ଅନ୍ୟମାନେ କିଛି ନା କିଛି ବାହାନା ଦେଖାଇ ଓ ସର୍ତ୍ତମାନ ବାଢ଼ି ମନା କଲେ । ଶେଷକୁ ଚିତ୍ତରଞ୍ଜନ ଏହି ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରିବାପାଇଁ ସ୍ୱତନ୍ତ୍ର ଏକ ନୂତନ ଅନୁଷ୍ଠାନ ଗଢ଼ିବାକୁ ନିଷ୍ପତ୍ତି ନେଲେ । ୧୯୨୧ ଜାନୁୟାରୀ ୩୧ ତାରିଖଦିନ ହୋଇଥିବା ସାଧାରଣସଭାରେ ପ୍ରସ୍ତାବକ ଜାତୀୟ କଲେଜପାଇଁ ୧୧ ନମ୍ୱର ଓ୍ୱେଲିଂଡ଼ନ ସ୍କୋୟାର ଭଡ଼ା ନେବାକୁ ସ୍ଥିର କଲେ । ସୁଭାଷଚନ୍ଦ୍ର ବୋଷ ଏହି କଲେଜର ପ୍ରଥମ ଅଧ୍ୟକ୍ଷ ହେଲେ ଏବଂ ବଙ୍ଗୀୟ ଜାତୀୟ ବିଦ୍ୟାୟତନ (Bengal National College) ନାମରେ ଏହାର ନାମକରଣ କରାଗଲା ଓ ମହାତ୍ମାଗାନ୍ଧି ଏହାକୁ ଉଦ୍‍ଘାଟନ କଲେ । ପଣ୍ଡିତ ମୋତିଲାଲ ନେହେରୁ ଓ ମୌଲାନା ଆବୁଲ କାଲାମ ଆଜାଦ୍ ଏହି ଅନୁଷ୍ଠାନରେ ଯୋଗ ଦେଇଥିଲେ ଏବଂ ଏହା ପ୍ରତିଷ୍ଠା କରିଥିବାରୁ ଚିତ୍ତରଞ୍ଜନଙ୍କୁ ଅଭିବାଦନ ଜଣାଇଲେ ।

 

ସାରା ଭାରତର ଲୋକେ ଚିତ୍ତରଞ୍ଜନଙ୍କ କାର୍ଯ୍ୟର ଭୂରିଭୂରି ପ୍ରଶଂସା କଲେ । ପୁନାର ମରହଟ୍ଟା ସମ୍ୱାଦପତ୍ର ଏଥିପାଇଁ ତାଙ୍କୁ ସ୍ୱାଗତ ଜଣାଇ ଲେଖିଥିଲେ–

 

‘‘କଂଗ୍ରେସ ପ୍ରସ୍ତାବ ଅନୁଯାୟୀ ଚିତ୍ତରଞ୍ଜନ ତାଙ୍କ ଆଇନ ବ୍ୟବସାୟ ତ୍ୟାଗ କରି ସାହସିକତା ଓ ତ୍ୟାଗର ଯେଉଁ ଅପୂର୍ବ ପରିଚୟ ଦେଇଛନ୍ତି, ସେଥିପାଇଁ ସେ ସମଗ୍ର ଭାରତର ଧନ୍ୟବାଦାର୍ହ । ବହୁ କାରଣରୁ ଆମ୍ଭେମାନେ ଏହାକୁ ସାହସିକତାର ତ୍ୟାଗ ବୋଲି ଚିତ୍ରଣ କରୁଛୁ । ଚିତ୍ତରଞ୍ଜନ ବଙ୍ଗଳାର ଜଣେ ସର୍ବଶ୍ରେଷ୍ଠ ଆଇନଜୀବୀ ହୋଇଥିବାରୁ ତାଙ୍କ ଆୟ ପ୍ରତି ଯେକୌଣସି ରାଜା ମଧ୍ୟ ଈର୍ଷା କରିବାର କଥା । ଚିତ୍ତରଞ୍ଜନ ଯେପରି ଅର୍ଥୋପାର୍ଜନ କରୁଥିଲେ, ସେହିପରି ବହୁ ସତ୍‍କାର୍ଯ୍ୟରେ ଯଥେଷ୍ଟ ଦାନ ମଧ୍ୟ କରୁଥିଲେ । ବହୁ ଦରିଦ୍ର ପରିବାର ତାଙ୍କୁ ନିଜର ପ୍ରକୃତ ବନ୍ଧୁ ବୋଲି ଭାବି ତାଙ୍କଦ୍ୱାରା ଉପକୃତ ହେଉଥିଲେ । ଯେଉଁମାନେ ତାଙ୍କଦ୍ୱାରା ଆର୍ଥିକ ଦୃଷ୍ଟିରୁ ଉପକୃତ ହେଉଥିଲେ, ସେମାନଙ୍କ ଯୋଗୁଁହିଁ ୧୯୨୦ ମସିହା ସେପ୍‍ଟେମ୍ୱର କଲିକତା କଂଗ୍ରେସ ଅଧିବେଶନ ପରଠାରୁ ସେ ଆଇନ ବ୍ୟବସାୟ ତ୍ୟାଗ କରିପାରି ନଥିଲେ ବୋଲି ଆମେ ଭଲ ଭାବରେ ଜାଣୁ । ଜାତି ତାଙ୍କର ସାର୍ବଜନୀନ କାର୍ଯ୍ୟର ପ୍ରଶଂସା ପୂର୍ବରୁ କରିଥିଲେ ସୁଦ୍ଧା ବର୍ତ୍ତମାନ ସେ ପ୍ରକୃତ ଜାତିର ସେବକ ହୋଇଛନ୍ତି ଏବଂ ତାଙ୍କ ମନରେ ଜନତାର ମଙ୍ଗଳ ଚିନ୍ତା ଛଡ଼ା ଆଉ କିଛି ନାହିଁ । କଲିକତାରେ ଜାତୀୟ ବିଦ୍ୟାୟତନ ସ୍ଥାପନ କରି ବଙ୍ଗଳାର ଶିକ୍ଷା ସମସ୍ୟା ସମାଧାନ ସମ୍ପର୍କରେ ସେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଦେଉଥିବାର ଜଣାଯାଏ । ତାଙ୍କର ଏହି ମହତ୍ କାର୍ଯ୍ୟ ପୂର୍ଣ୍ଣ ଭାବରେ ସଫଳ ହେଉ, ଏହାହିଁ ଆମର ପ୍ରାର୍ଥନା । ତାହା ଛଡ଼ା ସେ ଯେଉଁ ଆତ୍ମୋତ୍ସର୍ଗର ପରିଚୟ ଦେଇଛନ୍ତି, ସେଥିରେ ସମଗ୍ର ଦେଶର ସଦିଚ୍ଛା ଓ ସହାନୁଭୂତି ତାଙ୍କ ପ୍ରତି ପୂର୍ଣ୍ଣ ଭାବରେ ରହିଛି ବୋଲି ଜବାବ ଦେଉଛୁ ।’’

 

ଚିତ୍ତରଞ୍ଜନ ଆଇନ ବ୍ୟବସାୟ ଛାଡ଼ିବା ପରେ ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ନାମଜାଦା ଆଇନଜୀବୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ । ନାଗପୁରର ଶ୍ରୀ ଅଭୟଙ୍କର ବର୍ଷକପାଇଁ ତାଙ୍କ ଓକିଲାତି ଛାଡ଼ିଲେ । ଧୀରେଶଚନ୍ଦ୍ର ଚକ୍ରବର୍ତ୍ତୀ ତାଙ୍କର ଅଧ୍ୟାପକ ପଦ ଛାଡ଼ିଲେ । ଭାରତ ସ୍ୱାଧୀନ ହେବାପରେ ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିବା ଡକ୍ଟର ପ୍ରଫୁଲ୍ଲଚନ୍ଦ୍ର ଘୋଷ ମଧ୍ୟ ସରକାରୀ ଚାକିରି ଛାଡ଼ିଲେ । ସେ ସେତେବେଳେ କଲିକତାର ଟଙ୍କାଶାଳ (Mint)ରେ ଧାତୁ ପରୀକ୍ଷା ବିଭାଗର ଉପାଧ୍ୟକ୍ଷ (Deputy Assay Master) ଥିଲେ । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିବା ନୀଳରତନ ସରକାର ଏବଂ ସାର୍ ଆଶୁତୋଷ ମୁଖାର୍ଜୀ ଛାତ୍ରମାନଙ୍କୁ କଲେଜ ଛାଡ଼ି ନଯିବାକୁ ପ୍ରାଣପଣେ ପ୍ରବର୍ତ୍ତାଇଥିଲେ । ସେମାନଙ୍କର ଏଭଳି ଚେଷ୍ଟା ସତ୍ତ୍ୱେ ପ୍ରାୟ ୩୦ ହଜାର ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । କଂଗ୍ରେସର ଶିକ୍ଷାନୁଷ୍ଠାନ ବର୍ଜନ କାର୍ଯ୍ୟକ୍ରମ ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ବଙ୍ଗଳାରେ ଅଧିକ ସଫଳ ହୋଇଥିଲା ବୋଲି ସମସ୍ତେ ସ୍ୱୀକାର କଲେ ।

 

କଲିକତାରେ ଆନ୍ଦୋଳନ ଆରମ୍ଭ ହେବାପରେ ଚିତ୍ତରଞ୍ଜନ ୧୯୨୧ ମସିହା ଫେବୃଆରୀ ୧୧ ତାରିଖ ଦିନ ପାଟନା ଗଲେ । ଚମ୍ପାରଣରେ ମହାତ୍ମା ଗାନ୍ଧିଙ୍କ କାର୍ଯ୍ୟକଳାପ ଯୋଗୁଁ ସେଠାରେ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥିଲା । ତେଣୁ ବିହାରର ଲୋକେ ଉଦାର ଭାବରେ ବହୁ ସଂଖ୍ୟାରେ ଏ ଆନ୍ଦୋଳନରେ ଯୋଗ ଦେଲେ ।

 

ଏହାପରେ ଚିତ୍ତରଞ୍ଜନ ପୂର୍ବବଙ୍ଗରେ ବ୍ୟାପକ ଗସ୍ତ ଆରମ୍ଭ କଲେ । ପ୍ରଥମେ ସେ ନାରାୟଣଗଞ୍ଜ ଗଲେ ଓ ସେଠାରେ ଲୋକେ ତାଙ୍କ ଆହ୍ୱାନରେ ମାତି ଉଠିଲେ ।

 

ନାରାୟଣଗଞ୍ଜରୁ ସେ ଢାକା ଗଲେ ଓ ସେଠାରେ ତାଙ୍କ ଗସ୍ତ ଅଧିକମାତ୍ରାରେ ସଫଳତା ଲାଭ କଲା । ତାଙ୍କ ପରାମର୍ଶ ଫଳରେ ବହୁ ଲୋକ ଗ୍ରାମମାନଙ୍କୁ ଯାଇ କାର୍ଯ୍ୟ କଲେ । ସେ ତିନି ମାସପାଇଁ ଗୋଟିଏ କାର୍ଯ୍ୟକ୍ରମ ତିଆରି କରି ମୁଖ୍ୟ ଆଇନଜୀବୀ ଏବଂ ଅନ୍ୟମାନଙ୍କୁ ପ୍ରତ୍ୟେକ ଗ୍ରାମରେ କଂଗ୍ରେସ କମିଟି ସ୍ଥାପନ କରିବାକୁ ପରାମର୍ଶ ଦେଲେ । ଢାକାର ବହୁ ବିଶିଷ୍ଟ ଆଇନଜୀବୀ ଓକିଲାତି ଛାଡ଼ି ଦେଲେ ।

 

୧୯୨୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ଚିତ୍ତରଞ୍ଜନ ମୈମନସିଂହରେ ପହଞ୍ଚି ଯେଉଁ ଆଦର–ଅଭ୍ୟର୍ଥନା ପାଇଲେ, ତାହା ପୂର୍ବରୁ ସେଠାରେ କେବେ ଦେଖାଯାଇ ନଥିଲା । ତାଙ୍କୁ ପାଛୋଟି ନେବାପାଇଁ ଷ୍ଟେସନ୍‍କୁ ଯେତେ ଲୋକ ଆସିଥିଲେ, ତାହା ଦେଖି କର୍ତ୍ତୃପକ୍ଷ ଛାନିଆ ହୋଇଗଲେ । ଚିତ୍ତରଞ୍ଜନ ସହରରେ ପ୍ରବେଶ କରି ପାରିବେ ନାହିଁ ବୋଲି ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ନିଷେଧାଜ୍ଞା ଜାରି କରି ତଳ ଲିଖିତମତେ ହୁକୁମ ଦେଇଥିଲେ :–

 

‘‘ମୈମନସିଂହ ସହର ଭିତରେ ବେଆଇନ ଶୋଭାଯାତ୍ରାକୁ ଉତ୍ସାହିତ କରି ଶାନ୍ତିଶୃଙ୍ଖଳାରେ ଆପଣ ବାଧା ଦେବାର ଆଶଙ୍କା ଥିବାରୁ ଏବଂ ଯେଉଁମାନେ ପରୀକ୍ଷା ଆଦି ଚଳାଇ ନିଜର ଆଇନସମ୍ମତ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେମାନଙ୍କ କାର୍ଯ୍ୟରେ ବାଧା ଦେବାର ଆଶଙ୍କା ଥିବାରୁ ମୁଁ ଫୌଜଦାରି ଦଣ୍ଡବିଧି ଆଇନର ୧୪୪ ଦଫା ଅନୁଯାୟୀ ଆପଣଙ୍କୁ ସହରରେ ପ୍ରବେଶ କରିବାକୁ ନିଷେଧ କରୁଛି ।’’

 

ତାଙ୍କର ଅନ୍ୟ ଦୁଇ ଜଣ ସହକର୍ମୀ ମନମୋହନ ନିୟୋଗୀ ଓ ମୌଲବୀ ଟାଏବ ଉଦ୍ଦିନ୍‍ଙ୍କ ଉପରେ ମଧ୍ୟ ଏହିପରି ନିଷେଧାଜ୍ଞା ଜାରି ହୋଇଥିବାରୁ ଚିତ୍ତରଞ୍ଜନ ପ୍ରଥମେ ଏ ଆଦେଶକୁ ଅମାନ୍ୟ କରି ଜେଲ୍ ବରଣ କରିବାକୁ ଭାବିଥିଲେ । ସେମାନେ ଏବଂ ତାଙ୍କର ଅନ୍ୟାନ୍ୟ ବନ୍ଧୁ ତାଙ୍କୁ ପରାମର୍ଶ ଦେଇ କହିଲେ ଯେ, କଂଗ୍ରେସ ସେ ପର୍ଯ୍ୟନ୍ତ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଇ ନାହିଁ ଏବଂ ବର୍ତ୍ତମାନ ଅବସ୍ଥାରେ ସେ ଜେଲ ଗଲେ ହୁଏତ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ କ୍ଷତି ହୋଇପାରେ । କଲିକତା ବିଶ୍ୱବିଦ୍ୟାଳୟର ଅନ୍ୟତମ କୃତୀ ଛାତ୍ର ଓ ପରେ ଅଧ୍ୟାପକ ପଦରୁ ଇସ୍ତଫା ଦେଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଶ୍ରୀ ହେମନ୍ତ ସରକାର ମଧ୍ୟ ଏହିପରି ପରାମର୍ଶ ଦେଲେ ଓ ଶେଷକୁ ସେମାନେ ଚିତ୍ତରଞ୍ଜନଙ୍କୁ ନିଷେଧାଜ୍ଞା ମାନିଯିବାକୁ ପ୍ରବର୍ତ୍ତାଇ ପାରିଥିଲେ ।

 

ଚିତ୍ତରଞ୍ଜନ ମୈମନସିଂହ ଛାଡ଼ିବା ପୂର୍ବରୁ ଷ୍ଟେସନ୍‍ରେ ଏକତ୍ରିତ ହୋଇଥିବା ଜନତା ଉଦ୍ଦେଶ୍ୟରେ କହିଲେ–

 

‘‘ମୁଁ ଏପର୍ଯ୍ୟନ୍ତ ମୋ ମନେମନେ ଯାହା ଭାବିଥିଲି, ତାହା ପରିଷ୍କାର ଆଖିରେ ଦେଖିବାକୁ ପାଉଛି । ତାହା ହେଉଛି, ଅମଲାତନ୍ତ୍ର ସରକାର ଯେକୌଣସି ଆଇନକୁ ତା’ର ଇଚ୍ଛା ମୁତାବକ ଭାଙ୍ଗିପାରେ । ଶାସନ ସଂସ୍କାର ଫଳରେ ଆମେ ପ୍ରକୃତରେ କ’ଣ ପାଇଛୁ ? ଯେତେବେଳେ ଜଣେ ମାଜିଷ୍ଟ୍ରେଟ ତା’ର ଇଚ୍ଛାନୁଯାୟୀ ଯାହା ଇଚ୍ଛା ତାହା କରି ଯାଉଛି, ଏହାଦ୍ୱାରା ଆମେ ଶାସନ ସଂସ୍କାର ଫଳରେ କିଛି ପାଇ ନାହୁଁ ବୋଲି ପରିଷ୍କାର ପ୍ରମାଣିତ ହେଉଛି । ଆଜି ମୋର ଇଚ୍ଛା ବିରୁଦ୍ଧରେ ଏହି ଅନ୍ୟାୟ ଆଦେଶ ମୁଁ ମାନୁଛି; କିନ୍ତୁ କଂଗ୍ରେସ ଓ ଜନସାଧାରଣ ଯେତେ ଶୀଘ୍ର ପାରନ୍ତି, ଏହିପରି ଅନ୍ୟାୟ ଆଦେଶମାନ ଯେପରି ଲଙ୍ଘନ କରନ୍ତି, ସେଥିପାଇଁ ମୁଁ ଦୃଢ଼ପ୍ରତିଜ୍ଞ । ସ୍ୱରାଜ ବିନା କୌଣସି ବାସ୍ତବ ପ୍ରଗତି ବା ଲାଭ ହେବ ନାହିଁ ବୋଲି ଏଥିରୁ ପରିଷ୍କାର ଜଣାଗଲା । ଆମେ ନିଜ ଦେଶରେ ଆଜି ଦାସ ପରି ଚଳୁଛୁ ! ସ୍ୱରାଜ ବିନା ଜୀବନଧାରଣ ଅସମ୍ଭବ ହୋଇ ପଡ଼ିଲାଣି ।’’

 

ଚିତ୍ତରଞ୍ଜନଙ୍କ ଉପରେ ହୋଇଥିବା ଏହି ଅନ୍ୟାୟ ଆଦେଶ ବିରୁଦ୍ଧରେ ସମଗ୍ର ବଙ୍ଗଦେଶରେ ପ୍ରତିବାଦ ଓ ଅସନ୍ତୋଷ ଦେଖାଦେଲା । ମୈମନସିଂହ ସହରରେ ଅଚାନକଭାବେ ହରତାଳ ହେଲା ଏବଂ ୭ ଦିନ ପର୍ଯ୍ୟନ୍ତ ହରତାଳ କରିବାକୁ କେତେକ ଲୋକ ପ୍ରସ୍ତାବ ଦେଲେ । କଲିକତାରେ ପ୍ରତିବାଦ ସଭା ହେଲା ଏବଂ ମହାତ୍ମା ଗାନ୍ଧି ଚିତ୍ତରଞ୍ଜନଙ୍କ ନିକଟକୁ ତାର କରି ଜଣାଇଦେଲେ–‘‘ଆମେ ନିଜ ଭିତରେ ଆଇନ ଶୃଙ୍ଖଳା ମାନି ଚଳିବା ଭାବ ବଢ଼ାଇଲେ ଆଇନ ଅମାନ୍ୟ ଆନ୍ଦୋଳନର ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ।’’

 

ମୈମନ ସିଂହର ଦୁଇଜଣ ବିଶିଷ୍ଟ ଓକିଲ ସୂର୍ଯ୍ୟକୁମାର ସୋମ ଏବଂ ମନମୋହନ ନିୟୋଗୀ ଓକିଲାତି ବ୍ୟବସାୟ ଛାଡ଼ି କଂଗ୍ରେସରେ ଯୋଗ ଦେଲେ ଏବଂ ବଙ୍ଗଦେଶରେ ମୈମନସିଂହ ସେହିଦିନୁ ହେଲା ବଙ୍ଗଳାରେ କଂଗ୍ରେସର ପ୍ରଧାନ ପୀଠସ୍ଥଳ ।

 

ତାହା ପରେ ଚିତ୍ତରଞ୍ଜନ ଗଲେ ଟାଙ୍ଗେଲୀ । ସେଠାରେ ୱାଜିଦ୍ ଅଲ୍ଲିଖାଁ ପାନି ତାଙ୍କୁ ସ୍ୱାଗତ କଲେ । ତାଙ୍କ ଡାକନାମ ଚାନ୍ଦମିଆଁ । ସେ କରାଟିଆର ଜମିଦାର ଥିଲେ ଏବଂ ଆକବରଙ୍କ ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟର ଶକ୍ତି ବିରୁଦ୍ଧରେ ବଙ୍ଗଳାର ଯେଉଁ ୧୨ ଜଣ ଶାସକ ବିଦ୍ରୋହ କରିଥିଲେ, ସେମାନଙ୍କ ମଧ୍ୟରେ ଥିବା ଇସାଖାଁଙ୍କର ବଂଶଧର ବୋଲି ସେ ଦାବି କରୁଥିଲେ । ଚାନ୍ଦମିଆଁ କେବଳ ଆନ୍ଦୋଳନରେ ଯୋଗ ଦେଇ ଜେଲ୍ ଯାଇ ନଥିଲେ, ଚିତ୍ତରଞ୍ଜନଙ୍କ ପ୍ରେରଣାରେ ନିଜ ଘରେ ଜାତୀୟ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଥିଲେ ।

 

ଟାଙ୍ଗେଲୀରୁ ଚିତ୍ତରଞ୍ଜନ ଚାନ୍ଦପୁର ଗଲେ ଓ ସେଠାରେ ଲୋକେ ଅତି ଆଗ୍ରହ ଉତ୍ସାହ ସହକାରେ ତାଙ୍କୁ ସ୍ୱାଗତ କଲେ । ଲୋକଙ୍କ ମଧ୍ୟରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଏଭଳି ଆଗ୍ରହ ଉତ୍ସାହ ପ୍ରକାଶ ପାଇଥିଲା ଯେ, ଜନସାଧାରଣଙ୍କ ମଧ୍ୟରେ ଥିବା ବହୁସଂଖ୍ୟକ କେଉଟ ସେମାନଙ୍କ ଧରିଥିବା ମାଛ ତାଙ୍କୁ ଉପହାର ଦେବାକୁ ଯାଚିଲେ । ନଦୀରେ ଡଙ୍ଗା ଏତେ ଆସିବାକୁ ଲାଗିଲା ଯେ, ଷ୍ଟିମର୍‍ର ଚାଳକ ଷ୍ଟିମର୍‍କୁ ବନ୍ଦ କରିଦେବାକୁ ବାଧ୍ୟ ହେଲେ । ପରେ ବଙ୍ଗଳା ବ୍ୟବସ୍ଥା ପରିଷଦର ସଭାପତି ହୋଇଥିବା ସତ୍ୟେନ୍ଦ୍ର ଚନ୍ଦ୍ର ମିତ୍ର ଚାନ୍ଦପୁରଠାରେ ଚିତ୍ତରଞ୍ଜନଙ୍କୁ ଭେଟିଲେ ଓ ତାଙ୍କ ପ୍ରଭାବରେ ଓକିଲାତି ବ୍ୟବସାୟ ଛାଡ଼ି ଶେଷରେ ତାଙ୍କର ପ୍ରାଇଭେଟ ସେକ୍ରେଟେରି ହେଲେ-

 

ଚାନ୍ଦପୁରରୁ ଚିତ୍ତରଞ୍ଜନ ଆସାମ ଗଲେ । ତାଙ୍କର ଏହି ଆସାମ ଯାତ୍ରାକୁ ହେମନ୍ତ ସରକାର ନିମ୍ନଲିଖିତମତେ ଲେଖିଛନ୍ତି–

 

‘‘ଆମ ଯିବା ବାଟରେ ପ୍ରତି ଷ୍ଟେସନ୍‍ରେ ଲୋକଙ୍କ ଗହଳି ଅତିରିକ୍ତ ହେଉଥିଲା । ଦିନେ ଭୋର ୪ଟାବେଳେ ଆମେ ବସିଥିବା ଗାଡ଼ିରେ ଜଣେ ଶିଖ ଭାଇ ପ୍ରବେଶ କରି ଦେଶବନ୍ଧୁ କାହାନ୍ତି ବୋଲି ପଚାରିଲେ । ବାସନ୍ତୀ ଦେବୀ ମଧ୍ୟ ସେହି ଡବାରେ ଥାଆନ୍ତି । ଆମେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲୁ । ଦେଶବନ୍ଧୁ ଉପର ବାର୍ଥରେ ଶୋଇଥାଆନ୍ତି । ପଞ୍ଜାବର ଏହି ନୂତନ ବନ୍ଧୁ କହିଲେ, ‘ମୁଁ ଗତ ସାତ ଦିନ ହେଲା ଚାଲି ଚାଲି ଆସି ଷ୍ଟେସନ୍‍ରେ ଦୁଇ ଦିନ ହେଲା ବିନା ଆହାରରେ ଅପେକ୍ଷା କରି ବସିଛି । ମୁଁ ଏହିସବୁ କରିଛି କେବଳ ଦେଶବନ୍ଧୁଙ୍କୁ ଦେଖିବାପାଇଁ ଓ ମୁଁ ତାହା ନିଶ୍ଚୟ କରିବି ।’ ମୁଁ ତାଙ୍କ ସହିତ ଯେତେ ଯୁକ୍ତି କଲି, କୌଣସି ଲାଭ ହେଲା ନାହିଁ । ସେ ଦେଶବନ୍ଧୁଙ୍କୁ ଉପରୁ ଉଠାଇ ଆଣି ଦୁଇବାହୁରେ କୁଣ୍ଢାଇ ଧରି ତାଙ୍କୁ ଓ ଅନ୍ୟ ସମସ୍ତଙ୍କୁ ଦେଖାଇଲେ । ଦେଶବନ୍ଧୁଙ୍କର ନିଦ ଭଲ ରକମ ଭାଙ୍ଗି ନଥିବାରୁ କୌଣସି ଦୁର୍ଘଟଣା ଘଟିଲା ବୋଲି ସେ ବୋଧହୁଏ ଭାବିଲେ । ମାତ୍ର ଆମେ ସବୁ ଘଟଣା ବୁଝାଇ କହିବାରୁ ସେ ଖୁବ୍ ହସିଲେ-।’’

 

ଶିଲହଟର ମୌଲବୀ ବଜାରରେ ନିଖିଳ ବଙ୍ଗ ଓ ଆସାମ ଖିଲାଫତ ସମ୍ମିଳନୀ ହେଲା-। ପ୍ରାୟ ଲକ୍ଷାଧିକ ଲୋକ ଏ ସଭାରେ ଠୁଳ ହୋଇଥିବାରୁ ଏହା ଭାରତବର୍ଷରେ ସେ ପର୍ଯ୍ୟନ୍ତ ହୋଇଥିବା ସଭା ମଧ୍ୟରେ ଏକ ବଡ଼ ସଭା ଥିଲା । ଚିତ୍ତରଞ୍ଜନ ସେ ସଭାରେ ବକ୍ତୃତା ଦେଲେ-। ପ୍ରାୟ ଦୁଇ ଘଣ୍ଟା କାଳ ବକ୍ତୃତା ଦେଇ ସେ ଲୋକଙ୍କୁ ମୁଗ୍ଧ କରିଦେଲେ । ମୂଳରୁ ଭାରତୀୟ ସଭ୍ୟତାର ଇତିହାସ ବର୍ଣ୍ଣନା କରି ସେ କହିଲେ :–

 

‘‘ଆଜି ହିନ୍ଦୁ, ମୁସଲମାନ ଉଭୟେ ହୃଦୟଙ୍ଗମ କଲେଣି ଯେ, ସେମାନଙ୍କ ନିଜ ହିତ ଦୃଷ୍ଟିରୁ ନିଜ ନିଜ ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରିବା ବାଞ୍ଛନୀୟ; କିନ୍ତୁ ଇଂରେଜଙ୍କ ସ୍ୱାର୍ଥ ହେଉଛି ଉଭୟଙ୍କ ମଧ୍ୟରେ ଏକତା ଯେପରି ନ ଆସେ, ସେଥିପାଇଁ ସମସ୍ତ କାର୍ଯ୍ୟ କରିବା । ହିନ୍ଦୁମାନେ ଖିଲାଫତ ଆନ୍ଦୋଳନରେ ମୁସଲମାନମାନଙ୍କ ସହିତ କାହିଁକି ଯୋଗ ଦେଉଛନ୍ତି, ତାହା ଆପଣମାନେ ଜାଣନ୍ତି ? ପ୍ରକୃତ ହିନ୍ଦୁର ଧର୍ମ ହେଉଛି, ସମସ୍ତଙ୍କ ପ୍ରତି ପ୍ରେମ । ତା’ ଆଖିରେ ସବୁ ଧର୍ମ ଭଲ । ପ୍ରକୃତ ହିନ୍ଦୁ ଯେକୌଣସି ଧର୍ମ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଅନ୍ୟାୟ ସହ୍ୟ କରି ନ ପାରେ । ପ୍ରକୃତ ଧର୍ମପ୍ରାଣ ଲୋକର ଆଖିରେ ହିନ୍ଦୁ ଓ ଅଣହିନ୍ଦୁଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ତାହାର ଯାହା କିଛି ବିରୋଧ, ପାର୍ଥକ୍ୟ, ତାହା କେବଳ ଅଧର୍ମ, ଅନ୍ୟାୟ ଓ ଅତ୍ୟାଚାର ଘେନି । ତେଣୁ ଆମର କୌଣସି ଗୋଷ୍ଠୀ ବିରୁଦ୍ଧରେ କିଛି ଅଭିଯୋଗ ନାହିଁ । ଯାହା କିଛି, ସେସବୁ କେବଳ ଅଧର୍ମ ବିରୁଦ୍ଧରେ । ଆମେ ନୂତନ ଜୀବନ ଗଢ଼ିବାକୁ ଚାହୁଁ ଏବଂ ଆଖି ଆଗରେ ମୁଁ ତା’ର ଶୁଭ ପ୍ରଭାତ ଦେଖୁଛି । ଆମ ହିନ୍ଦୁ ଓ ମୁସଲମାନ ସମସ୍ତଙ୍କୁ ସମସ୍ତ ପ୍ରକାର ଅତ୍ୟାଚାର ଅନ୍ୟାୟ, ଏପରିକି ମୃତ୍ୟୁକୁ ବିଜୟ କରି ଲକ୍ଷ୍ୟ ଲାଭ କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ।’’

 

ସେ ବକ୍ତୃତାର ଉପସଂହାରରେ ନିମ୍ନଲିଖିତମତେ ଯେଉଁ ବାଣୀ ଦେଇଥିଲେ, ତାହା ସେତେବେଳେ ଯେପରି ସମୟୋପଯୋଗୀ ହୋଇଥିଲା, ଆଜି ମଧ୍ୟ ଠିକ୍ ସେହିପରି ହୋଇ ରହିଛି–‘‘ବିଭିନ୍ନ ଜାତିର ଲୋକଙ୍କୁ ଏକାଠି କରି ସେମାନଙ୍କ ମିଳନ ଘଟାଇବାର ଭାରତର ଯେଉଁ ମହାନ୍ କାର୍ଯ୍ୟ, ତାହା ଏପର୍ଯ୍ୟନ୍ତ ଶେଷ ନ ହୋଇ ଆରମ୍ଭ ହୋଇଛି ମାତ୍ର । ପୃଥିବୀରେ ସବୁ ଜାତିପ୍ରତି ଭାରତର ଏକ ବାଣୀ ରହିଛି ।’’

 

ଚିତ୍ତରଞ୍ଜନ ଶିଲହଟରୁ ଚିଟାଗଙ୍ଗ ଯିବା ବାଟରେ କୋମିଲାରେ ଅଟକିଲେ । ବାଟଯାକ ଜନସାଧାରଣଙ୍କର ବହୁ ଆଗ୍ରହ ଉତ୍ସାହ ସେ ଦେଖିଲେ ଏବଂ ତାଙ୍କ ପ୍ରବର୍ତ୍ତନା ଫଳରେ ବହୁ ବିଶିଷ୍ଟ ଆଇନଜୀବୀ ସେମାନଙ୍କ ଓକିଲାତି ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଲେ । ଚିଟାଗଙ୍ଗରେ ଶ୍ରୀ ଯେ.ଏମ୍. ସେନ୍ ଗୁପ୍ତ ଓକିଲାତି ଛାଡ଼ିଲେ ଏବଂ କାଳକ୍ରମେ ଚିତ୍ତରଞ୍ଜନଙ୍କର ବିଶିଷ୍ଟ ସହକର୍ମୀ ହେଲେ ।

 

ଭାରତ ଏବଂ ଭାରତ ବାହାରର ହଜାର ହଜାର ଛାତ୍ର ଓ ଯୁବକ ଚିତ୍ତରଞ୍ଜନଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ତାଙ୍କୁ ପତ୍ର ଲେଖିଥିଲେ । ସେମାନଙ୍କ ମଧ୍ୟରେ କେମ୍ୱ୍ରିଜରେ ପଢ଼ୁଥିବା ଜଣେ ଛାତ୍ର ପରେ ପୃଥିବୀ ବିଖ୍ୟାତ ହୋଇପାରିଥିଲେ ଏବଂ ସେ ହେଉଛନ୍ତି ନେତାଜୀ ସୁଭାଷଚନ୍ଦ୍ର ବୋଷ । ଚିତ୍ତରଞ୍ଜନଙ୍କ ଆହ୍ୱାନ ଛାତ୍ର ଓ ଯୁବସମାଜକୁ କିପରି ଉଦ୍‍ବୁଦ୍ଧ କରିପାରିଥିଲା ତାହା ୧୯୨୧ ମସିହା ଫେବୃଆରୀ ୧୬ ତାରିଖରେ ତାଙ୍କ ପାଖକୁ ଲେଖିଥିବା ସୁଭାଷଚନ୍ଦ୍ରଙ୍କ ନିମ୍ନଲିଖିତ ପତ୍ରରୁ ଜଣାପଡ଼େ : –

 

‘‘ମୋତେ ବୋଧହୁଏ ଆପଣ ଜାଣି ନଥିବେ । ହୁଏତ ମୋତେ ଦେଖିଲେ ଚିହ୍ନିପାରନ୍ତି; କିନ୍ତୁ ମୁଁ ଆପଣଙ୍କ ସହିତ ଦେଖା କରିବା ପୂର୍ବରୁ କେତେକ ଗୁରୁତର ବିଷୟ ଆପଣଙ୍କୁ ଜଣାଇବାକୁ ଚାହେଁ, ଯେଉଁଥିରୁ କି ମୋର ଆନ୍ତରିକତା ପ୍ରକାଶ ପାଇବ ।

 

‘‘ମୋ ବାପା ବାବୁ ଜାନକୀନାଥ ବୋଷ ଆଇନଜୀବୀ ହିସାବରେ କଟକରେ ଓକିଲାତି କରୁଛନ୍ତି । କିଛିଦିନ ପୂର୍ବରୁ ସେ ସେଠାକାର ସରକାରୀ ଓକିଲ ଥିଲେ । ମୋର ବଡ଼ ଭାଇ ଶରତଚନ୍ଦ୍ର ବୋଷ କଲିକତା ହାଇକୋର୍ଟର ବାରିଷ୍ଟର । ମୋର ବାପାଙ୍କୁ ବୋଧହୁଏ ଆପଣ ଜାଣିପାରିଥାନ୍ତି; କିନ୍ତୁ ମୋ ଭାଇଙ୍କୁ ଆପଣ ନିଶ୍ଚୟ ଜାଣିଥିବେ ।

 

‘‘ପ୍ରାୟ ୫ ବର୍ଷ ପୂର୍ବେ ମୁଁ ପ୍ରେସିଡ଼େନ୍‍ସି କଲେଜରେ ପଢ଼ୁଥିଲି । କେତେକ ଗୋଳମାଳ ଯୋଗୁଁ ୧୯୧୬ ମସିହାରେ ମୋତେ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବାରୁ ମୋର ୨ ବର୍ଷ ସମୟ ନଷ୍ଟ ହେଲା । ତାହା ପରେ ମୋତେ କଲେଜରେ ପଢ଼ିବାକୁ ଅନୁମତି ଦିଆଗଲା ଏବଂ ୧୯୧୯ ମସିହାରେ ମୁଁ କୃତିତ୍ୱ ସହ ପ୍ରଥମ ଶ୍ରେଣୀରେ ବି.ଏ. ପାସ୍ କଲି ।

 

‘‘୧୯୧୯ ମସିହାରେ ମୁଁ ବିଲାତ ଆସିଲି । ଗତ ଅଗଷ୍ଟ (୧୯୨୦ ମସିହା) ମାସରେ ମୁଁ ସିଭିଲ ସର୍ଭିସ୍ ପରୀକ୍ଷାରେ ପାସ୍ କରି ଯୋଗ୍ୟତାନୁସାରେ ୪ର୍ଥ ସ୍ଥାନ ଅଧିକାର କରିଛି । ମୁଁ ଆସନ୍ତା ଜୁନ୍ ମାସରେ ମରାଲ ସାୟେନସରଟ୍ରିପୋଦ ପରୀକ୍ଷା ଦେବି ଏବଂ କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରୁ ବି.ଏ. ପାସ୍ କରିବି ବୋଲି ଆଶା କରିଛି ।

 

‘‘ମୋର ସରକାରୀ ଚାକିରି କରିବାକୁ ଆଦୌ ଇଚ୍ଛା ନାହିଁ । ମୁଁ ସରକାରୀ ଚାକିରିରୁ ଇସ୍ତଫା ଦେବାପାଇଁ ବାପା ଓ ଭାଇଙ୍କୁ ଲେଖିଛି । ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇ ନାହିଁ । ଚାକିରି ଛାଡ଼ିବାପାଇଁ ଅନୁମତି ପାଇବା ପୂର୍ବରୁ ଚାକିରି ଛାଡ଼ି କ’ଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବି, ତାହା ସେମାନଙ୍କୁ ଜଣାଇବା ଦରକାର । ଅବଶ୍ୟ ଚାକିରି ଛାଡ଼ିବା ପରେ ଦେଶସେବା କରିବାକୁ ଚାହିଁଲେ ଯଥେଷ୍ଟ କାର୍ଯ୍ୟ ଅଛି, ଯାହାକି ମୁଁ କରିପାରିବି । ଉଦାହରଣସ୍ୱରୂପ, ମୁଁ ଜାତୀୟ କଲେଜରେ ପଢ଼ାଇ ପାରିବି, ଖବରକାଗଜ ସଂପାଦନା ଓ ପ୍ରକାଶ କରିପାରିବି ଏବଂ ଲୋକଙ୍କ ମଧ୍ୟରେ ଶିକ୍ଷାର ପ୍ରଚାର କରି ପାରିବି । ମୁଁ କ’ଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବି, ତାହା ଯେବେ ମୋ ଲୋକଙ୍କୁ କହିପାରିବି, ତାହାହେଲେ ହୁଏତ ସେମାନଙ୍କ ଅନୁମତି ପାଇପାରିବି । ସିଭିଲ ସର୍ଭିସ୍‍ରୁ ମୁଁ ସେମାନଙ୍କ ଅନୁମତି କ୍ରମେ ଇସ୍ତଫା ଦେଲେ ଅନ୍ୟ ବିଷୟମାନଙ୍କରେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଯିବା ପ୍ରଶ୍ନ ଉଠି ନ ପାରେ ।

 

‘‘ଦେଶର ଅବସ୍ଥା ଆପଣଙ୍କୁ ଭଲଭାବରେ ଜଣା । ମୁଁ ଶୁଣିଲି, ଢାକା ଏବଂ କଲିକତାରେ ଜାତୀୟ କଲେଜ ଆପଣ ସ୍ଥାପନ କରିଛନ୍ତି ଓ ଇଂରେଜୀ ତଥା ବଙ୍ଗଳାରେ ‘ସ୍ୱରାଜ’ ବୋଲି ଗୋଟିଏ ପତ୍ରିକା ବାହାର କରିବାକୁ ଚାହାନ୍ତି । ଦେଶର ବହୁ ଅଞ୍ଚଳରେ ଗ୍ରାମପଞ୍ଚାୟତମାନ ସ୍ଥାପନ ହେବାର ଶୁଣିଛି ।

 

‘‘ଦେଶମାତୃକାର ସେବାପାଇଁ ମୋତେ ଆପଣ କେଉଁ କାର୍ଯ୍ୟରେ ନିଯୁକ୍ତ କରିବେ, ତାହା ମୁଁ ଜାଣିବାକୁ ଚାହେଁ । ମୋର ବିଶେଷ ଶିକ୍ଷା ବା ଅଭିଜ୍ଞତା ନଥିଲେ ସୁଦ୍ଧା, ମୋର ଯୁବସୁଲଭ ଉତ୍ସାହରେ କାର୍ଯ୍ୟ କରିବାର ଆଗ୍ରହ ଅଛି । ମୁଁ ଅବିବାହିତ । ପଢ଼ା ବିଷୟ କହିବାକୁ ଗଲେ ଦର୍ଶନ ସମ୍ପର୍କରେ ମୁଁ କିଛି ପଢ଼ିଛି । କଲିକତାରେ ମୁଁ ଏହି ବିଷୟରେ ଅନର୍ସ ନେଇଥିଲି ଓ ଏଠାରେ ‘ଟ୍ରିପୋଜ’ପାଇଁ ପଢ଼ୁଛି । ସିଭିଲ ସର୍ଭିସ୍ ପରୀକ୍ଷା ଦେବାପାଇଁ ଅର୍ଥନୀତି, ରାଜନୀତି ବିଜ୍ଞାନ, ଇଂରେଜୀ, ୟୁରୋପୀୟ ଇତିହାସ, ୟୁରୋପୀୟ ଆଇନ, ସଂସ୍କୃତ ଏବଂ ଭୂଗୋଳ ମଧ୍ୟ ପଢ଼ିଛି । ମୋର ବିଶ୍ୱାସ, ମୁଁ ଯେବେ ରାଜନୀତି କ୍ଷେତ୍ରକୁ ଯାଏଁ, ତାହାହେଲେ ଜଣେ ଦୁଇଜଣ ବଙ୍ଗାଳୀ ଛାତ୍ର ମଧ୍ୟ ମୋ ସାଙ୍ଗରେ ବାହାରିବେ । ମୁଁ ଯେ ପର୍ଯ୍ୟନ୍ତ ରାଜନୀତିରେ ଯୋଗ ନଦେଇଛି, ଅନ୍ୟମାନଙ୍କୁ ଯୋଗ ଦେବାକୁ କହିପାରିବି ନାହିଁ । ଏତେଦୂରରେ ରହି ଦେଶର କେଉଁ କ୍ଷେତ୍ରରେ କାର୍ଯ୍ୟ କରିବା ମୋ ପକ୍ଷରେ ବାଞ୍ଛନୀୟ, ତାହା ସ୍ଥିର କରିବା ଅତି ଦୁରୂହ । ଭାରତବର୍ଷକୁ ଫେରିଯାଇ କୌଣସି କଲେଜରେ ପଢ଼ାଇ ପାରିବି ଏବଂ ଖବରକାଗଜ ଚଳାଇପାରିବି ବୋଲି ମୋର ଆଶା । ଅନ୍ୟ କୌଣସି ଦିଗରେ କାର୍ଯ୍ୟ କରିବାର ସ୍ଥିର କଲେ ସିଭିଲ ସର୍ଭିସ୍‍ରୁ ଇସ୍ତଫା ଦେବା ମୋର ଇଚ୍ଛା । ତାହା ଯେବେ କରିବାକୁ ହେବ, ତାହାହେଲେ ଏଣୁତେଣୁ ଚିନ୍ତା କରି ସମୟ ନଷ୍ଟ କରିବା ଦରକାର ନାହିଁ । ବଙ୍ଗଳାରେ ଯେଉଁମାନେ ମାତୃଭୂମିର ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ମଧ୍ୟରେ ଆପଣ ସର୍ବଶ୍ରେଷ୍ଠ ହୋଇଥିବାରୁ ମୁଁ ଆପଣଙ୍କୁ ଏ ପତ୍ର ଲେଖୁଛି ।

 

‘‘ଭାରତବର୍ଷରେ ଆପଣ ଯେଉଁ ଦେଶାତ୍ମବୋଧର ସ୍ରୋତ ବୁହାଇବା ଆରମ୍ଭ କରିଛନ୍ତି, ତାହାର ପ୍ରତିକ୍ରିୟା ବିଲାତରେ ମଧ୍ୟ ପହଞ୍ଚିଲାଣି । ଏଠାକୁ ମାତୃଭୂମିର ଆହ୍ୱାନ ଶୁଣାଗଲାଣି । ଅକ୍‍ସଫୋର୍ଡ଼ର ଜଣେ ମାନ୍ଦ୍ରାଜୀ ଛାତ୍ର ତାଙ୍କ ପଢ଼ାପଢ଼ି ଛାଡ଼ି ଦେଲେଣି । ସେ ଭାରତବର୍ଷକୁ କାର୍ଯ୍ୟ କରିବାକୁ ଯାଉଛନ୍ତି । କେମ୍ୱ୍ରିଜ ବିଶ୍ୱବିଦ୍ୟାଳରେ ଅସହଯୋଗ ସମ୍ପର୍କରେ ଆଲୋଚନା ହେଉଥିଲେ ସୁଦ୍ଧା ଏଠାରେ ଉଲ୍ଲେଖଯୋଗ୍ୟ ଘଟଣା କିଛି ଏପର୍ଯ୍ୟନ୍ତ ଘଟି ନାହିଁ । ମୋର ବିଶ୍ୱାସ, ଯେବେ କୌଣସି ଲୋକ ଠିକ୍ ରାସ୍ତା ବତାନ୍ତି, ତାହାହେଲେ ତାଙ୍କୁ ଅନୁସରଣ କରିବାକୁ ଯଥେଷ୍ଟ ଲୋକ ଅଛନ୍ତି । ମାତୃଭୂମିପାଇଁ ତ୍ୟାଗ ଓ ସେବା କରିବା ଦିଗରେ ଆପଣହିଁ ମୁଖ୍ୟ ବ୍ୟକ୍ତି । ମୋର ଯାହାକିଛି ସାମାନ୍ୟ ଶିକ୍ଷା, ବୁଦ୍ଧି, ଶକ୍ତି ଏବଂ ଉତ୍ସାହ ଅଛି, ସେ ସବୁ ସହ ଆପଣଙ୍କ ନିକଟରେ ମୁଁ ନିଜକୁ ସମର୍ପଣ କରୁଛି । ମାତୃଭୂମିର ଚରଣାରବିନ୍ଦରେ ଅର୍ପଣ କରିବାପାଇଁ ମୋର ବିଶେଷ କିଛି ନଥିଲେ ସୁଦ୍ଧା, ଶରୀର ଓ ମନକୁ ମୁଁ ଅର୍ପଣ କରୁଛି ।

 

‘‘ଦେଶର ଏହି ମହତ୍ କାର୍ଯ୍ୟରେ ମୁଁ କିପରି ବ୍ୟବହୃତ ହୋଇପାରିବି, ତାହା ଜାଣିବାପାଇଁ ଏହି ଚିଠି ଲେଖୁଛି । ଯେଉଁ କାର୍ଯ୍ୟପାଇଁ ଅତ୍ୟଧିକ ତ୍ୟାଗ ଦରକାର, ସେହିଭଳି କେଉଁ କାର୍ଯ୍ୟରେ ମୋତେ ବ୍ୟବହାର କରିପାରିବେ ? ଆପଣ ଯେବେ ଏହି ସମ୍ପର୍କରେ ଦୟାକରି ମୋତେ ଲେଖନ୍ତି, ତାହାହେଲେ ମୁଁ ମୋର ବାପା ଓ ଭାଇଙ୍କୁ ଏ ବିଷୟରେ ଲେଖି ନିଜ ମନକୁ ତଦନୁଯାୟୀ ପ୍ରସ୍ତୁତ କରିପାରିବି ।

 

‘‘ମୁଁ ବର୍ତ୍ତମାନ ଆଇ.ସି.ଏସ୍‍.ରେ ଶିକ୍ଷାନବିସ୍ (ପ୍ରୋବେସନର) ଭାବରେ ଥିବାରୁ ମୁଁ ଏକପ୍ରକାର ସରକାରୀ ଚାକିରିଆ । କାଳେ ମୋ ଚିଠି ପୋଲିସ୍ ବା ଅନ୍ୟ କୌଣସି ସରକାରୀ ଲୋକ ଦେଖିବେ, ସେଥିପାଇଁ ଏହା ମୁଁ ମୋର ପରମବନ୍ଧୁ ପ୍ରମଥନାଥ ସରକାରଙ୍କ ପାଖକୁ ପଠାଉଛି ଓ ସେ ଆପଣଙ୍କ ହାତରେ ଦେବେ । ଏଣିକି ପ୍ରତ୍ୟେକ ଚିଠି ମୁଁ ଏହିପରି ଭାବରେ ଆପଣଙ୍କ ନିକଟକୁ ପଠାଇବି । ଆପଣଙ୍କ ଚିଠି ପୋଲିସ୍ ବା ସରକାରୀ ଲୋକଙ୍କର କରଗତ ହେବାର ବିଶେଷ ସମ୍ଭାବନା ନାହିଁ । ତେଣୁ ଆପଣ ସିଧା ମୋ ପାଖକୁ ପଠାଇବେ । ମୋର ମନର କଥା ଏପର୍ଯ୍ୟନ୍ତ ମୁଁ କାହାକୁ ଏଠାରେ କହି ନାହିଁ । କେବଳ ମୋର ଭାଇ ଓ ବାପାଙ୍କୁ ଲେଖିଛି । ମୁଁ ଚାକିରିରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଆପଣ ଦୟାକରି ଏ ବିଷୟ ଅନ୍ୟ କାହା ଆଗରେ ନ କହିବାପାଇଁ ମୋର ଅନୁରୋଧ ।

 

‘‘ଯେବେ ଇଂରାଜୀରେ ‘ସ୍ୱରାଜ’ ପ୍ରକାଶ କରନ୍ତି, ତାହାହେଲେ ମୋତେ ସହକାରୀ ସମ୍ପାଦକ ଭାବରେ ନିଆଯାଇପାରେ । ତାହାଛଡ଼ା ଜାତୀୟ କଲେଜରେ ତଳଶ୍ରେଣୀମାନଙ୍କରେ ମୁଁ ମଧ୍ୟ ପଢ଼ାଇପାରେ । କଂଗ୍ରେସ କାର୍ଯ୍ୟ ସମ୍ପର୍କରେ ମଧ୍ୟ ମୋର କେତେକ ଯୋଜନା ଅଛି । ମୋ ମତରେ କଂଗ୍ରେସର ନିଜର ଗୋଟିଏ ଘର ରହିବା ଦରକାର, ଯେଉଁଠାରେ କି ଗବେଷକମାନେ ରହି ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଶୀଳନ କରିବେ । ମୁଁ ଯେତେ ଦୂର ଜାଣେ, ଆମ କଂଗ୍ରେସର ଭାରତୀୟ ମୁଦ୍ରା ଏବଂ ବିନିମୟ ନୀତି ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ । ଭାରତୀୟ ଗଡ଼ଜାତମାନଙ୍କ ସମ୍ପର୍କରେ କିଭଳି ନୀତି ଗ୍ରହଣ କରାଯିବ, ଏପର୍ଯ୍ୟନ୍ତ ମଧ୍ୟ ସ୍ଥିର ହୋଇ ନାହିଁ । ନରନାରୀମାନଙ୍କର ଭୋଟ ଅଧିକାର ସମ୍ପର୍କରେ କଂଗ୍ରେସ ପକ୍ଷରୁ କୌଣସି ମତ ପ୍ରକାଶ କରାଯାଇ ନାହିଁ । ଦଳିତ ସମ୍ପ୍ରଦାୟ ସମ୍ପର୍କରେ କଂଗ୍ରେସ ଏପର୍ଯ୍ୟନ୍ତ ତା’ର କର୍ତ୍ତବ୍ୟ କରି ନାହିଁ । ଏହା ଫଳରେ ମାନ୍ଦ୍ରାଜରେ ଅବ୍ରାହ୍ମଣମାନେ ସରକାରଙ୍କ ସପକ୍ଷବାଦୀ ଏବଂ ଜାତୀୟ ଅନୁଷ୍ଠାନ–ବିରୋଧୀ ହୋଇଗଲେଣି ।

 

‘‘ମୋ ମତରେ କଂଗ୍ରେସର କେତେକ ସ୍ଥାୟୀ କର୍ମଚାରୀ ଗୋଷ୍ଠୀ ରହିବା ଉଚିତ । ଏହି କର୍ମୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଶୀଳନ କରିବେ । ଏହି ଗୋଷ୍ଠୀର ପ୍ରତ୍ୟେକ ସଭ୍ୟ ତାକୁ ଦିଆଯାଇଥିବା ବିଷୟରେ ସମସ୍ତ ବିଷୟ ସଂଗ୍ରହ କରି ଉପସ୍ଥାପିତ କରିବେ ଏବଂ ତାହା ପରେ କଂଗ୍ରେସ କମିଟି ଉକ୍ତ ବିଷୟରେ ନିଜର ନୀତି ସ୍ଥିର କରିବେ । ମୋର ଆଶଙ୍କା ହୁଏ ଯେ, ଏପର୍ଯ୍ୟନ୍ତ ବିଭିନ୍ନ ଜାତୀୟ ସମସ୍ୟା ସମ୍ପର୍କରେ କଂଗ୍ରେସର ନିର୍ଦ୍ଦିଷ୍ଟ କୌଣସି ମତ ନାହିଁ । ତେଣୁ ଏହି ଉଦ୍ଦେଶ୍ୟରେ କଂଗ୍ରେସର ସ୍ଥାୟୀ କର୍ମଚାରୀ ଗୋଷ୍ଠୀଙ୍କପାଇଁ ଘରର ଆବଶ୍ୟକତା ସମ୍ପର୍କରେ ପୂର୍ବରୁ ଉଲ୍ଲେଖ କରିଛି ।

 

‘‘କଂଗ୍ରେସର ଗୋଟିଏ ଗୁଇନ୍ଦା ବିଭାଗ ମଧ୍ୟ ରହିବା ଉଚିତ । ସବୁ ବିଷୟରେ ବିଭିନ୍ନ ଜ୍ଞାତବ୍ୟ ବିଷୟ ପୂରାପୂରି ସଂଗୃହୀତ ହେବା ଦରକାର । ପ୍ରଚାର ବିଭାଗ ପକ୍ଷରୁ ପ୍ରତ୍ୟେକ ଭାଷାରେ ବହିମାନ ପ୍ରକାଶିତ ହୋଇ ଲୋକଙ୍କ ମଧ୍ୟରେ ବଣ୍ଟା ହେବ । ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ବିଭାଗରୁ ବହିମାନ ପ୍ରକାଶିତ ହେବ । ବହିରେ କଂଗ୍ରେସର ନୀତି ପରିଷ୍କାର ଭାବରେ ବୁଝାଇ ଦିଆଯିବ ଏବଂ କାହିଁକି ଏହି ନୀତି ଗ୍ରହଣ କରାଯାଇଛି, ତାହା ମଧ୍ୟ କହି ଦିଆଯିବ ।

 

‘‘ମୁଁ ଆପଣଙ୍କୁ ଖୁବ୍ ବଡ଼ ଚିଠି ଲେଖିଲିଣି । ଏହିସବୁ ବିଷୟ ମୋ ପକ୍ଷରେ ନୂତନ ହୋଇଥିଲେ ସୁଦ୍ଧା, ଆପଣ ସମସ୍ତ ଜାଣିଛନ୍ତି । ମୁଁ ମୋ ଭାବକୁ ସଂଯତ କରିପାରିଲି ନାହିଁ । ମୋ ମତରେ କଂଗ୍ରେସର ଯଥେଷ୍ଟ କାର୍ଯ୍ୟ କରିବାପାଇଁ ଅଛି । ମୋତେ ଯଦି ବାଛନ୍ତି, ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି ।

 

‘‘ମୁଁ ଆପଣଙ୍କ ଉତ୍ତରକୁ ଅପେକ୍ଷା କରି ରହିଲି ଏବଂ ମୋତେ କେଉଁ କାର୍ଯ୍ୟରେ ଲଗାଇବେ, ତାହା ଜାଣିବାକୁ ବ୍ୟଗ୍ର ରହିଲି । କେହି ଲୋକ ବିଲାତ ଆସି ସାମ୍ୱାଦିକତା ବିଷୟରେ ଶିକ୍ଷା କରିବା ଆପଣ ଯେବେ ଚାହାନ୍ତି, ତାହାହେଲେ ମୁଁ ସେଥିପାଇଁ ପ୍ରସ୍ତୁତ । ମୁଁ ଯେବେ ଏଠାରେ ସାମ୍ୱାଦିକତା ଶିକ୍ଷା ପାଏ, ତାହାହେଲେ ଯିବା ଆସିବା ଖର୍ଚ୍ଚ ବଞ୍ଚିଯିବ । ଅବଶ୍ୟ ଏହି କାର୍ଯ୍ୟ କରିବା ପୂର୍ବରୁ ମୋତେ ଚାକିରିରୁ ଇସ୍ତଫା ଦେବାକୁ ହେବ । ମୁଁ ଯେବେ ଚାକିରି ଛାଡ଼େ, ତାହାହେଲେ ଘରୁ ଟଙ୍କା ଆଣିବା ମୋ ପକ୍ଷରେ ନ୍ୟାୟୋଚିତ ନ ହେବା ଦୃଷ୍ଟିରୁ ଆପଣଙ୍କୁ ମୋର ରହିବା ଓ ଖାଇବା ଖର୍ଚ୍ଚ ଦେବାକୁହିଁ ପଡ଼ିବ ।

 

‘‘ସିଭିଲ ସର୍ଭିସ୍‍ରୁ ଇସ୍ତଫା ଦେବା ମୋର ଇଚ୍ଛା । ତାହା କଲେ ମୋତେ ଜୁନ୍ ମାସରେ ଘରକୁ ଫେରିଯିବାକୁ ହେବ । ଆପଣ ଯେବେ ଅନ୍ୟଥା କିଛି ଭାବିଥାନ୍ତି, ତାହାହେଲେ ମୁଁ ମୋର ଇଚ୍ଛାନୁସାରେ କାର୍ଯ୍ୟ ନ କରି ଆପଣଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବି ।’’

Image

 

ଅଷ୍ଟମ ଅଧ୍ୟାୟ

ପ୍ରିନସ୍ ଅଫ୍ ଓୟେଲସ୍‍ଙ୍କ ଭାରତ ପରିଦର୍ଶନ

 

ପୂର୍ବବଙ୍ଗ ଓ ଆସାମରେ ତୋଫାନୀଗସ୍ତ ଶେଷକରି ୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ ଚିତ୍ତରଞ୍ଜନ କଲିକତା ଆସିଲେ । ଓଡ଼ିଶା ଯିବା ଅଭିମୁଖେ ମହାତ୍ମା ଗାନ୍ଧି ମଧ୍ୟ ସେହି ଦିନ କଲିକତାରେ ଆସି ପହଞ୍ଚିଥାନ୍ତି । ସେହି ଦିନ ସନ୍ଧ୍ୟାବେଳେ ବିପିନଚନ୍ଦ୍ର ପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରାଦେଶିକ ସମ୍ମିଳନୀରେ ସଭାପତିତ୍ୱ କରିବାପାଇଁ ଚିତ୍ତରଞ୍ଜନ ବରିସାଲ ଗଲେ । ଏହି ବରିସାଲରେ ୧୯୦୬ ମସିହାରେ ଅନୁଷ୍ଠିତ ହୋଇଥିବା ପ୍ରାଦେଶିକ ସମ୍ମିଳନୀର ଅଧିବେଶନ ଆମ ଜାତୀୟତାର ଇତିହାସରେ ଗୋଟିଏ ପ୍ରଧାନ ଘଟଣା । ୧୯୨୧ ମସିହାରେ ବରିସାଲ ସମ୍ମିଳନୀ ମଧ୍ୟ ତଦନୁରୂପ ଏକ ବିଶେଷ ଘଟଣାରେ ପରିଣତ ହେଲା । ଏହି ଅଧିବେଶନରେ ଅଭ୍ୟର୍ଥନା ସମିତିର ସଭାପତି ଅଶ୍ୱିନୀକୁମାର ଦତ୍ତ ଥିଲେ ସମ୍ମିଳନୀର ଉଭୟ ଅଧିବେଶନ ମଧ୍ୟରେ ଯୋଗସୂତ୍ର ।

 

ସଭାପତିରୂପେ ତାଙ୍କ ଅଭିଭାଷଣରେ ଶ୍ରୀ ବିପିନଚନ୍ଦ୍ର ପାଲ ସ୍ୱରାଜର ସଂଜ୍ଞା ଗଣତାନ୍ତ୍ରିକ ସ୍ୱାୟତ୍ତ ଶାସନ ବୋଲି ନିରୂପଣ କରିଥିଲେ ଏବଂ ଅସହଯୋଗକୁ ୧୯୦୫ ମସିହାରେ ଆରମ୍ଭ ହୋଇଥିବା ନିଷ୍କ୍ରିୟ ପ୍ରତିରୋଧ ଆନ୍ଦୋଳନର ଚରମ ବିକାଶ ବୋଲି କହିଥିଲେ-। ଅସହଯୋଗ ଆନ୍ଦୋଳନ ଉପରେ ମୁଖ୍ୟ ପ୍ରସ୍ତାବ ଚିତ୍ତରଞ୍ଜନ ଆଗତ କରିଥିଲେ । ସେ ବୁଝାଇବାକୁ ଯାଇ କହିଥିଲେ :–

 

‘‘ଅସହଯୋଗ ଘୃଣା ଉପରେ ପ୍ରତିଷ୍ଠିତ ନୁହେଁ; ଇଂରେଜମାନଙ୍କୁ ସେମାନଙ୍କ ନ୍ୟାୟୋଚିତ ଅଧିକାରରୁ ବଞ୍ଚିତ କରିବା ଆମର ଅଭିପ୍ରାୟ ନୁହେଁ । ଅନ୍ୟମାନଙ୍କର ବିକାଶ ଓ ଅଗ୍ରଗତିର ଅଧିକାରରେ କୌଣସି ବାଧା ନ ଆଣି ସବୁ ଜାତି ବିକାଶପଥରେ ଆଗେଇବା ଉଚିତ । ସ୍ୱରାଜ ଲାଭ କରିବାକୁ ହେଲେ ସ୍ୱାର୍ଥତ୍ୟାଗ ଆବଶ୍ୟକ । ସ୍ୱରାଜ ପାଇବାପାଇଁ ଆମକୁ ସମସ୍ତ ତ୍ୟାଗ କରିବାପାଇଁ ପ୍ରସ୍ତୁତ ରହିବାକୁ ହେବ । ବର୍ତ୍ତମାନ ଆମେ ବଞ୍ଚିରହିବା ପାଇଁ ଯୁଦ୍ଧ କରିବାକୁ ହେବ । ଯେବେ ଆମେ ଏହି ଯୁଦ୍ଧରେ ବିଫଳ ହେଉ, ତାହାହେଲେ ଜାତି ହିସାବରେ ମରିଯିବୁ । ଅହିଂସା ଏ ଯୁଦ୍ଧରେ ଆମର ଏକମାତ୍ର ଅସ୍ତ୍ର । ଯେବେ ଏହା ସାହାଯ୍ୟରେ ଆମେ ସ୍ୱରାଜ ଲାଭକରୁ, ତାହାହେଲେ ଚିରକାଳକୁ ଭାରତର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପାଶ୍ଚାତ୍ୟ ସଂସ୍କୃତି ଆମଦେଶରେ ଯେପରି ପ୍ରସାର ଲାଭ କରୁଛି, ତାହା ବିରୁଦ୍ଧରେ ଦୃଢ଼ତାର ସହିତ ଠିଆହୋଇ ନିଜର ପୁରାତନ ସଂସ୍କୃତିକୁ ପୁନଃ ପ୍ରତିଷ୍ଠା କରିବାକୁ ହେବ । ଏହା କରିବାପାଇଁ ଆମଦ୍ୱାରା ଯାହା ସମ୍ଭବ, ତାହା କରିବାକୁ ହେବ । ଯେବେ ଆମ୍ଭେମାନେ ଏହା ନ କରୁ, ତାହାହେଲେ ଭଗବାନଙ୍କ ଦ୍ୱାରରେ ଆମେ ଦୋଷୀ ହେବୁ ଏବଂ ସ୍ୱରାଜଲାଭ ପାଇଁ ଯାହା ସମ୍ଭବ, ସେସବୁ ଆମେ ଯଦି କରୁ, ତେବେ ଆମ ଲକ୍ଷ୍ୟଲାଭ ଦିଗରେ ତେବେ ଭଗବାନ ଆମକୁ ସାହାଯ୍ୟ କରିବେ ।’’

 

ଅନ୍ତତଃ ୩ ମାସପାଇଁ ଓକିଲାତି ଛାଡ଼ିବାକୁ ବଙ୍ଗଳାର ସମସ୍ତ ଆଇନଜୀବୀଙ୍କୁ ନିବେଦନ କରାଯାଇ ବରିସାଲ–ସମ୍ମିଳନୀରେ ପ୍ରସ୍ତାବ ପାସ୍ ହେଲା ।

 

ଠିକ୍ ଏହାପରେ ବିଜୟୱାଡ଼ାରେ ମାର୍ଚ୍ଚ ୩୧ ତାରିଖ ଓ ଅପ୍ରେଲ ପହିଲା ଦିନ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ବସିଲା । ତିଳକ ସ୍ୱରାଜପାଣ୍ଠି ପାଇଁ ୧ କୋଟି ଟଙ୍କା ସଂଗ୍ରହ କରିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଗଲା । ଚିତ୍ତରଞ୍ଜନ ନିଜେ ବଙ୍ଗଳାରୁ ଯେତେଦୂର ସମ୍ଭବ, ପାଣ୍ଠି ସଂଗ୍ରହ କରିବା ଦାୟିତ୍ୱ ନେଲେ । ଟଙ୍କା ଏବଂ ଜିନିଷପତ୍ର ଛଡ଼ା ସ୍ତ୍ରୀଲୋକମାନେ ସେମାନଙ୍କ ଗହଣାପତ୍ର ମଧ୍ୟ ଏହି ପାଣ୍ଠିପାଇଁ ଦେଲେ । ଏହା ଛଡ଼ା ଏକ କୋଟି ସଭ୍ୟ ସଂଗ୍ରହ କରିବାକୁ ଏବଂ ଗ୍ରାମମାନଙ୍କରେ ୨୦ ଲକ୍ଷ ଚରଖା ପ୍ରବର୍ତ୍ତନ କରାଇବାକୁ କଂଗ୍ରେସ ନିଷ୍ପତ୍ତି ନେଲା । ବିଜୟୱାଡ଼ାରୁ ଫେରି ଚିତ୍ତରଞ୍ଜନ ଏବଂ ତାଙ୍କ ବନ୍ଧୁମାନେ ବଙ୍ଗଳାସାରା ଜିଲା କଂଗ୍ରେସ କମିଟିମାନ ସଂଗଠନ କରିବାରେ ଲାଗିଲେ । ଅପ୍ରେଲ ୩୦ ତାରିଖ ଦିନ ଗଠିତ ହୋଇଥିବା ଦକ୍ଷିଣ କଲିକତା ଜିଲ୍ଲା କଂଗ୍ରେସ କମିଟିର ସେ ନିଜେ ସଭାପତି ହେଲେ । ପାଣ୍ଠି ସଂଗ୍ରହପାଇଁ ରାସ୍ତାରେ ଶୋଭାଯାତ୍ରାମାନ ବାହାରିଲା ଏବଂ ଘର ଘର ବୁଲି ପାଣ୍ଠି ଓ କଂଗ୍ରେସସଭ୍ୟ ସଂଗ୍ରହ କରାଗଲା । ଚିତ୍ତରଞ୍ଜନ ପ୍ରଦେଶବ୍ୟାପୀ ଗସ୍ତରେ ଲାଗିଲେ । ମଇ ୯ ତାରିଖ ଦିନ ସେ କଲିକତାରୁ ଯାଇ ଲାଲଗୋଲା ଘାଟରେ ଅନୁଷ୍ଠିତ ହେଉଥିବା ସଭାରେ ବକ୍ତୃତା ଦେଇ ମାଲଦା ଗଲେ । ତାହା ପରେ ସେ ମାଲଦାରୁ ରାଜସାହୀ ଓ ବୋଗ୍ରା ଗଲେ । ଏହିସବୁ ସ୍ଥାନରେ ଯଥେଷ୍ଟ ଅର୍ଥ ସଂଗ୍ରହ କରାଗଲା ଓ ବହୁ ଆଇନଜୀବୀ ସେମାନଙ୍କ ବ୍ୟବସାୟ ଛାଡ଼ିଦେଲେ । କୋର୍ଟ କଚେରିକୁ ମାଲିମକଦ୍ଦମା ନ ନେଇ ତା’ ବାହାରେ ନିଷ୍ପତ୍ତି କରିବା ଉଦ୍ଦେଶ୍ୟରେ ବୋଗ୍ରାଠାରେ ଗୋଟିଏ ଜାତୀୟ ପଞ୍ଚାୟତ ପ୍ରତିଷ୍ଠା କରାଗଲା । ମ୍ୟୁନିସିପାଲଟି ଏବଂ ଅନ୍ୟାନ୍ୟ ଅନୁଷ୍ଠାନମାନ ତାଙ୍କୁ ମାନପତ୍ର ଦେଲେ ଏବଂ ତିଳକପାଣ୍ଠିକୁ କିଏ କେତେ ଦେଇପାରିବେ, ସେ ସମ୍ପର୍କରେ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖାଦେଲା । ପୂର୍ବରୁ ଯେଉଁ ଲୋକେ କୌଣସି ସାଧାରଣ କାର୍ଯ୍ୟରେ କିଛି ଆଗ୍ରହ ପ୍ରକାଶ କରୁ ନଥିଲେ, ସେମାନେ ଅଦ୍ଭୁତ ଆଗ୍ରହ ଉତ୍ସାହ ପ୍ରକାଶ କଲେ । ମେହେନ୍ତରମାନେ ଏପର୍ଯ୍ୟନ୍ତ ସମାଜରେ ଗଣ୍ୟ ନ ହେଉଥିଲେ ସୁଦ୍ଧା ବୋଗ୍ରା ଜାତୀୟ ପଞ୍ଚାୟତ ବିଚାରାଳୟର ସଭ୍ୟଭାବରେ ନିର୍ବାଚିତ ହୋଇଥିଲେ । ବୋଗ୍ରା ଏବଂ ଦୀନାଜପୁର ଉଭୟ ସ୍ଥାନରେ ମେହେନ୍ତରମାନେ ଆଉ ମଦ ପିଇବେ ନାହିଁ ବୋଲି ଜଣାଇଦେଲେ ।

 

ଜଳପାଇଗୁଡ଼ିରେ ମଧ୍ୟ ଲୋକଙ୍କ ମଧ୍ୟରେ ତଦନୁରୂପ ଆଗ୍ରହ ଉତ୍ସାହ ପ୍ରକାଶ ପାଇଲା ଏବଂ ଚିତ୍ତରଞ୍ଜନ ବକ୍ତୃତା ଦେଉଥିବା ସଭାରେ ୨୫ ହଜାର ଲୋକ ଯୋଗ ଦେଇଥିଲେ । ସ୍ୱରାଜପାଣ୍ଠି ପାଇଁ ବହୁ ଅର୍ଥ ସଂଗୃହୀତ ହେଲା ଏବଂ ଆଇନଜୀବୀମାନେ ସେମାନଙ୍କ ବ୍ୟବସାୟ ଛାଡ଼ିଦେଲେ । ଏହି ସଭାରେ ଦୁଇଟି ଅନ୍ଧ ତିଳକପାଣ୍ଠିକୁ ଦେଇଥିବା ଚାରିଅଣା ପଇସା ସବୁଠାରୁ ହୃଦୟସ୍ପର୍ଶୀ ହୋଇଥିଲା । ଜଳପାଇଗୁଡ଼ି ମହିଳାମାନଙ୍କ ମଧ୍ୟରେ ଯେପରି ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା, ତାହା ଉଲ୍ଲେଖଯୋଗ୍ୟ । ଜଳପାଇଗୁଡ଼ି ମହିଳାସମିତି ପକ୍ଷରୁ ଶ୍ରୀମତୀ ଦାସଙ୍କୁ ଅଭିନନ୍ଦନ ପତ୍ର ଦିଆଯାଇଥିଲା ।

 

ଚିତ୍ତରଞ୍ଜନ ଉତ୍ତର–ବଙ୍ଗ ଗସ୍ତ କରି ବହୁ ସଭାରେ ବକ୍ତୃତା ଦେଇଥିଲେ । ଚାନ୍ଦପରୁରେ ଧର୍ମଘଟ ହୋଇଥିବାରୁ ଅଖିଳଚନ୍ଦ୍ର ଦତ୍ତଙ୍କଠାରୁ ତାର ପାଇ ଚିତ୍ତରଞ୍ଜନ ଗସ୍ତ ବନ୍ଦ କରି ସେଠାକୁ ଗଲେ । ସେ ଚାନ୍ଦପୁରରେ ପହଞ୍ଚି ଦେଖିଲେ ଯେ ହଜାର ହଜାର ଚାହାବଗିଚା ଶ୍ରମିକ ଧର୍ମଘଟ କରି ସେଠାରେ ଏକତ୍ର ହୋଇଛନ୍ତି ।

 

ବଙ୍ଗଳା ଓ ଆସାମରେ ଚାହା ଗୋଟିଏ ପ୍ରଧାନ ଶିଳ୍ପ । ଭାରତର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଆସି ଶିଲହଟ, ହାବିଗଞ୍ଜ ଏବଂ ଆସାମର ଅନ୍ୟାନ୍ୟ ଚାହାବଗିଚାରେ କାର୍ଯ୍ୟ କରନ୍ତି-। ସେମାନେ ବହୁ ଅସୁବିଧା ମଧ୍ୟରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କ ଅବସ୍ଥା ପୂର୍ବକାଳର କ୍ରୀତଦାସଙ୍କ ଅପେକ୍ଷା ଭଲ ନୁହେଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜାତୀୟ ଜାଗରଣ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ସେମାନେ ନିଜର ଦାବି ଓ ଅଧିକାର ସମ୍ପର୍କରେ ସଚେତନ ହୋଇ କେତେକ ଦାବି ଉପସ୍ଥାପିତ କଲେ । ଏହି ଦାବିମାନ ଅଗ୍ରାହ୍ୟ କରାଯିବାରୁ ସେମାନେ ଧର୍ମଘଟ କରି ଆସାମକୁ ଯିବାପାଇଁ ପ୍ରବେଶପଥ ଚାନ୍ଦପୁରଠାରେ ଏକତ୍ର ହେଲେ । ଏହା ଗୋଟିଏ ରେଳ ଓ ଷ୍ଟିମର୍ ଜଂକ୍‍ସନ ହୋଇଥିଲେହେଁ ଶ୍ରମିକମାନେ ସେଠାରେ ପହଞ୍ଚି ଦେଖିଲେ ଯେ, ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଶହ ଶହ ସଂଖ୍ୟାରେ ସେମାନେ ରାସ୍ତା ଏବଂ ରେଳ ପ୍ଲାଟ୍‍ଫର୍ମ୍‍ରେ ଆଶ୍ରୟ ନେଲେ । ଦିନକର ରାତିରେ ପୋଲିସ୍ ଏବଂ ସୈନ୍ୟବାହିନୀର ଲୋକେ ସେମାନଙ୍କୁ ମାରି କ୍ଷତବିକ୍ଷତ ମଧ୍ୟ କରିଦେଲେ ।

 

ସରକାର ବୋଧହୁଏ ଭାବିଥିଲେ ଶ୍ରମିକମାନଙ୍କ ଉପରେ ଏଭଳି ଅତ୍ୟାଚାର ହେଲେ ସେମାନଙ୍କ ନୈତିକ ବଳ ଭାଙ୍ଗିଯିବ ଏବଂ ସେମାନେ ପୁଣି ଚାହାବଗିଚାରେ କାର୍ଯ୍ୟ କରିବାକୁ ନିଜେ ନିଜେ ଆସିବେ । କିନ୍ତୁ ଫଳ ଠିକ୍ ଓଲଟା ହେଲା ? ବଗିଚାର ଶ୍ରମିକମାନଙ୍କ ସହ ସହାନୁଭୂତି ପ୍ରକାଶ କରି ରେଳବାଇ ଓ ଷ୍ଟିମର୍ ଶ୍ରମିକମାନେ ଧର୍ମଘଟ ଆରମ୍ଭ କଲେ । ତା’ପରେ ଆସାମ–ବଙ୍ଗଳା ରେଳବାଇ ଡ୍ରାଇଭର ଓ କିରାଣିମାନେ ମଧ୍ୟ ଧର୍ମଘଟ କଲେ । ଜେ.ଏମ୍. ସେନ୍‍ଗୁପ୍ତ ଶ୍ରମିକ ଧର୍ମଘଟର ନେତାରୂପେ ଉପୁଜିଥିବା ଭୟାବହ ଅବସ୍ଥା ଚିତ୍ତରଞ୍ଜନଙ୍କୁ ଜଣାଇଲେ-

 

ଧର୍ମଘଟ ଯୋଗୁଁ ଷ୍ଟିମର୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଚିତ୍ତରଞ୍ଜନଙ୍କ ପକ୍ଷରେ ଚାନ୍ଦପୁରରେ ପହଞ୍ଚିବା କଷ୍ଟକର ହେଲା । ତାହା ଛଡ଼ା ସେ ସମୟରେ ବରାବର ଝଡ଼ତୋଫାନ ହେଉଥିବାରୁ ଡଙ୍ଗା ସାହାଯ୍ୟରେ ପଦ୍ମା ଓ ମେଘନା ପରି ବିରାଟ ନଦୀମାନ ପାରି ହେବାକୁ ପ୍ରାୟ କେହି ସାହସ କରୁ ନଥିଲେ । ବହୁ ଅସୁବିଧା ମଧ୍ୟରେ ଚିତ୍ତରଞ୍ଜନ ଶେଷକୁ ଚାନ୍ଦପୁରରେ ପହଞ୍ଚିବାରୁ ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ପ୍ରକାଶ ପାଇଲା । ଚିତ୍ତରଞ୍ଜନ ସେମାନଙ୍କ ପକ୍ଷରେ ଲଢ଼ିବେ ବୋଲି ପ୍ରତିଶ୍ରୁତି ଦେଇ ଏ ଧର୍ମଘଟ କେବଳ ଶ୍ରମିକବିବାଦ ନୁହେଁ, ଦେଶସାରା ବ୍ୟାପିଯାଉଥିବା ଜାତୀୟ ସଂଗ୍ରାମର ଏକ ଅଂଶ ବୋଲି ଘୋଷଣା କରିଥିଲେ । ଅତ୍ୟାଚାରିତ ଶ୍ରମିକମାନଙ୍କୁ ଦିଆଯାଉଥିବା ସାହାଯ୍ୟ ବ୍ୟବସ୍ଥା ପରିଦର୍ଶନ କରି ସେ ସେମାନଙ୍କ ମଧ୍ୟରେ ନୂତନ ଜୀବନ ସଞ୍ଚାର କଲେ ଓ ସେଠାରୁ ସେ ଚିଟାଗଙ୍ଗ ଗଲେ । ସେଠାରେ ରେଭରେଣ୍ଡ ସି.ଏଫ୍. ଏଣ୍ଡୃଜ୍ ଓ ଅନ୍ୟାନ୍ୟ ବନ୍ଧୁମାନେ ତାଙ୍କ ସହିତ ଯୋଗ ଦେଲେ ।

 

ଚିଟାଗଙ୍ଗରୁ ଫେରିବା ରାସ୍ତାରେ ଚିତ୍ତରଞ୍ଜନ ମଦାରିପୁରଠାରେ ଓହ୍ଲାଇଲେ । ସେଠାରେ କେତେକ ପ୍ରତିଷ୍ଠିତ ଆଇନଜୀବୀ ସେମାନଙ୍କ ଆଇନବ୍ୟବସାୟ ଛାଡ଼ିଦେବା ସଙ୍ଗେ ସଙ୍ଗେ ସରକାରୀ ପଦବୀ ମଧ୍ୟ ଫେରାଇ ଦେଇଥିଲେ । ଜୁନ୍ ୩୦ ତାରିଖ ଦିନ ସେ କଲିକତା ଫେରି ତିଳକସ୍ୱରାଜପାଣ୍ଠି ସକାଶେ ବଙ୍ଗଳାପାଇଁ ନିର୍ଦ୍ଦିଷ୍ଟ ଭାବ ୧୫ ଲକ୍ଷ ଚାନ୍ଦା ଉଠାଇଲେ । ତାଙ୍କର ସବୁଠାରୁ ବଡ଼ କୃତିତ୍ୱ ହେଉଚି ଯେ, ଏହି ପାଣ୍ଠିପାଇଁ ବଙ୍ଗଳାର ଧନୀଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକ ସେମାନଙ୍କ ପାରୁପର୍ଯ୍ୟନ୍ତ ଚାନ୍ଦା ଦେଇଥିଲେ ।

 

ଜେ.ଏସ୍. ସେନ୍‍ଗୁପ୍ତ ଏବଂ ଚିତ୍ତରଞ୍ଜନଙ୍କର ଅନ୍ୟାନ୍ୟ ସହକର୍ମୀମାନଙ୍କୁ ଗିରଫ୍ କରି ସରକାର ତାଙ୍କ ଦମନଲୀଳା ଆରମ୍ଭ କରିଦେଲେ । ଷ୍ଟିମର୍–ଧର୍ମଘଟରେ ଯେଉଁମାନେ ନେତୃତ୍ୱ ନେଇଥିଲେ, ସେମାନଙ୍କୁ ମଧ୍ୟ ଗିରଫ୍ କରାଗଲା । ସୁଭାଷଚନ୍ଦ୍ର ବୋଷ ଯେ କି ଆଇ.ସି.ଏସ୍.ରୁ ଇସ୍ତଫା ଦେବାକଥା ପୂର୍ବରୁ ଉଲ୍ଲେଖ କରାଯାଇଛି, ସେ ପହଞ୍ଚିଯିବା ଫଳରେ ଏହି ଗିରଫ୍‍ଦାରୀ ଯୋଗୁଁ କାର୍ଯ୍ୟରେ ଯେଉଁ ବାଧା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଗଲା ।

 

ସୁଭାଷଚନ୍ଦ୍ର ବୋଷ ୧୯୨୧ ମସିହା ଜୁଲାଇ ୧୬ ତାରିଖ ଦିନ ବମ୍ୱେରେ ପହଞ୍ଚିଲେ । ମହାତ୍ମା ଗାନ୍ଧିଙ୍କ ସହିତ ଦେଖାକରି ସେ ତାଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ । ଗୋଟିଏ ପ୍ରଶ୍ନ ସେ ବର୍ଷକ ମଧ୍ୟରେ ସ୍ୱରାଜ ଲାଭ କରିବାପାଇଁ ପ୍ରସ୍ତାବିତ କାର୍ଯ୍ୟ ସମ୍ପର୍କରେ ପଚାରିଥିଲେ; ମାତ୍ର ସେ ସମ୍ପର୍କରେ ଗାନ୍ଧିଜୀଙ୍କ ଉତ୍ତର ସ୍ପଷ୍ଟ ନ ହୋଇଥିବାରୁ ସୁଭାଷଚନ୍ଦ୍ର ଏକପ୍ରକାର ନିରାଶ ହେଲେ । ଯାହାହେଉ, ମହାତ୍ମା ଗାନ୍ଧିଙ୍କ ପରାମର୍ଶକ୍ରମେ ସେ ଚିତ୍ତରଞ୍ଜନଙ୍କୁ ସବୁ କଥା ଜଣାଇବାକୁ ନିଷ୍ପତ୍ତି କଲେ । କଲିକତାରେ ପହଞ୍ଚି ଷ୍ଟେସନ୍‍ରୁ ସେ ସିଧା ଚିତ୍ତରଞ୍ଜନଙ୍କ ଘରକୁ ଗଲେ ।

 

କିନ୍ତୁ ଚିତ୍ତରଞ୍ଜନ ସେତେବେଳେ ଘରେ ନ ଥାଇ ଗସ୍ତରେ ବାହାରେ ଥିଲେ । ସେ ଫେରିଲା ପରେ ଉଭୟଙ୍କ ମଧ୍ୟରେ ଦେଖା ହେଲା । ଉଭୟଙ୍କର ସେହି ଐତିହାସିକ ସାକ୍ଷାତ ସମ୍ପର୍କରେ ଲେଖିବାକୁ ଯାଇ ସୁଭାଷଚନ୍ଦ୍ର ତାଙ୍କ ନିଜ ଭାଷାରେ ଲେଖିଛନ୍ତି :–

 

‘‘ନିରାଶ ହୋଇ କ’ଣ କରିବି ବୋଲି ଭାବି ଦବିଗଲି । ମହାତ୍ମା ଗାନ୍ଧି କଲିକତାରେ ପହଞ୍ଚି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସହିତ ଦେଖାକରିବାକୁ ମୋତେ ପରାମର୍ଶ ଦେଇଥିଲେ । ମୁଁ ଭାରତୀୟ ସିଭିଲ ସର୍ଭିସ୍‍ରୁ ଇସ୍ତଫା ଦେବାକୁ ନିଷ୍ପତ୍ତି କରିଛି ଓ ରାଜନୈତିକ ଆନ୍ଦୋଳନରେ ଯୋଗଦେବାକୁ ସ୍ଥିର କରିଛି ବୋଲି କେମ୍ୱ୍ରିଜରୁ ତାଙ୍କ ନିକଟକୁ ପୂର୍ବରୁ ଲେଖିଥିଲି । ସେ ରଜା ପରି ଆୟ କରୁଥିବା ଓକିଲାତି ବ୍ୟବସାୟ ତ୍ୟାଗକରି ସ ତାଙ୍କର ନିଜର ସମସ୍ତ ସମ୍ପତ୍ତି ଜାତିକୁ ଦାନକରି ସବୁ ସମୟ ଦେଇ ରାଜନୈତିକ କାର୍ଯ୍ୟ କରୁଛନ୍ତି ବୋଲି ମୁଁ ପୂର୍ବରୁ ଶୁଣିଥିଲି । ଏହି ମହାନ୍ ବ୍ୟକ୍ତିଙ୍କୁ ଦେଖାକରିବାକୁ ଉତ୍କଣ୍ଠା ପ୍ରକାଶ କରି, ମହାତ୍ମା ଗାନ୍ଧିଙ୍କ ସହିତ କଥାବାର୍ତ୍ତା କରିବା ପରେ ଯେପରି ହତୋତ୍ସାହ ହୋଇ ପଡ଼ିଥିଲି, ତାହା ଆଉ ରହିଲା ନାହିଁ ଏବଂ ଯେଉଁ ଆଗ୍ରହ ଉତ୍ସାହ ସହିତ ବମ୍ୱେରେ ମୁଁ ପହଞ୍ଚିଥିଲି, ସେ ଆଗ୍ରହ ଉତ୍ସାହ ନେଇ ମୁଁ ବମ୍ୱେରୁ କଲିକତା ଆସିଲି । କଲିକତାରେ ପହଞ୍ଚି ସିଧା ଦେଶବନ୍ଧୁ ଦାସଙ୍କ ଘରକୁ ଗଲି । ମାତ୍ର ସେତେବେଳେ ପୁଣି ମୋତେ ହତୋତ୍ସାହ ହେବାକୁ ପଡ଼ିଲା; କାରଣ ସେତେବେଳେ ସେ ପ୍ରଦେଶର ମଫସଲ ଅଞ୍ଚଳରେ ଗସ୍ତ କରୁଥିବାରୁ ତାଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଛଡ଼ା ମୋ ପକ୍ଷରେ ଅନ୍ୟ କୌଣସି ଉପାୟ ନଥିଲା । ସେ କଲିକତା ଫେରିଛନ୍ତି ବୋଲି ଶୁଣି ମୁଁ ପୁଣି ତାଙ୍କ ଘରକୁ ଗଲି । ସେତେବେଳେ ସେ ଘରେ ନ ଥାଇ ବାହାରକୁ ଯାଇଥିବାରୁ ତାଙ୍କ ସ୍ତ୍ରୀ ଶ୍ରୀଯୁକ୍ତା ବାସନ୍ତୀ ଦେବୀ ମୋତେ ଅତି ଆଦର ସହକାରେ ସ୍ୱାଗତ ଜଣାଇ ବସାଇଲେ । ଖୁବ୍ ଅଳ୍ପ ସମୟ ପରେ ସେ ଘରକୁ ଫେରିଲେ । ଏହି ବିରାଟ ବ୍ୟକ୍ତି ଯେଭଳି ମୋ ନିକଟକୁ ଆସିଲେ ସେହି ଦୃଶ୍ୟ ଆଜି ମଧ୍ୟ ମୋ ଆଖି ଆଗରେ ନାଚିଯାଉଛି । ମୁଁ ଛାତ୍ର ହିସାବରେ ରାଜନୈତିକ କାରଣରୁ କଲିକତା ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ ହୋଇ ସେତେବେଳର କଲିକତା ବାର୍‍ର ନେତୃସ୍ଥାନୀୟ ଆଇନଜୀବୀ ହିସାବରେ ଯେଉଁ ମିଷ୍ଟର୍ ଦାସଙ୍କ ନିକଟକୁ ପରାମର୍ଶ ପାଇଁ ଯାଇଥିଲି, ଆଜିର ଦେଶବନ୍ଧୁ ଚିତ୍ତରଞ୍ଜନ ସେ ମିଷ୍ଟର୍ ଦାସ ନୁହନ୍ତି । ଯେଉଁ ମିଷ୍ଟର୍ ଦାସ ଦିନକୁ ହଜାର ହଜାର ଟଙ୍କା ଉପାର୍ଜନ କରି ଘଣ୍ଟାକ ମଧ୍ୟରେ ତାହା ଖର୍ଚ୍ଚ କରୁଥିଲେ, ସେହି ମିଷ୍ଟର୍ ଦାସ ଆଜିର ଚିତ୍ତରଞ୍ଜନ ନୁହନ୍ତି; ତାଙ୍କ ବାସସ୍ଥଳ ପୂର୍ବପରି ରାଜପ୍ରାସାଦ ନ ହୋଇଥିଲେ ସୁଦ୍ଧା ଯେଉଁ ମିଷ୍ଟର୍ ଦାସ ସବୁବେଳେ ଯୁବ ସମ୍ପ୍ରଦାୟର ବନ୍ଧୁ ହୋଇ ସେମାନଙ୍କର ଆଶାଆକାଂକ୍ଷା ଓ ଦୁଃଖ ହୃଦୟଙ୍ଗମ କରିପାରୁଥିଲେ, ଆଜିକାର ମିଷ୍ଟର୍ ଦାସ ମଧ୍ୟ ସେହି । ଆମ କଥାବାର୍ତ୍ତା ଫଳରେ ମୁଁ ହୃଦୟଙ୍ଗମ କଲି ଯେ, ଅନ୍ତତଃ ଏହି ଗୋଟିଏ ଲୋକ, ଯେ କି ସେ କ’ଣ ତାହା ଜାଣନ୍ତି ଏବଂ ନିଜର ସମସ୍ତ ତ୍ୟାଗ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ଯାହା ଦେଇପାରିବେ ତାହା ନିଅନ୍ତି । ତାହାଙ୍କ ଦୃଷ୍ଟିରେ ଯୁବସୁଲଭ ବାଚାଳତା କୌଣସି ଦୁର୍ବଳତା ନ ହୋଇ ଗୁଣରୂପେ ପ୍ରତିଭାତ ହୁଏ । ଆମ କଥାବାର୍ତ୍ତା ଶେଷବେଳକୁ ମୁଁ ଅତିମାତ୍ରାରେ ଉତ୍ସାହିତ ହେଲି ଏବଂ ଏତେ ଦିନକେ ମନମାନିବା ଭଳି ଜଣେ ନେତା ମିଳିଥିବାରୁ ଉପଲବ୍ଧି କଲି ।’’

 

ସୁଭାଷଚନ୍ଦ୍ର ତାଙ୍କ ଶିବିରରେ ଯୋଗଦେବା ଫଳରେ ଚିତ୍ତରଞ୍ଜନ ଅତିମାତ୍ରାରେ ଉତ୍ସାହିତ ହେଲେ । ତାଙ୍କ ପରେ କିରଣଶଙ୍କର ରାୟଙ୍କୁ ନିଜ ସାଙ୍ଗକୁ ଆଣିଲେ । ଚିତ୍ତରଞ୍ଜନ କଂଗ୍ରେସକାମକୁ ବିଭିନ୍ନ ଶାଖାରେ ବିଭକ୍ତ କରି ତାଙ୍କର ଜଣେ ଜଣେ ସହକର୍ମୀଙ୍କ ଦାୟିତ୍ୱରେ ଦେଲେ । ବୀରେନ୍ଦ୍ରନାଥ ସାସମଲ ପ୍ରାଦେଶିକ ଖିଲାଫତ କମିଟିର ସମ୍ପାଦକ ହେଲେ । ସୁଭାଷଚନ୍ଦ୍ର ବୋଷ ଜାତୀୟ କଲେଜର ଅଧ୍ୟକ୍ଷ ହେଲେ ଏବଂ ପ୍ରଚାର ବିଭାଗ ଦାୟିତ୍ୱରେ ରହିଲେ ।

 

ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନିଖିଳ ଭାରତ କଂଗ୍ରେସକମିଟି ଓ କାର୍ଯ୍ୟକାରୀ କମିଟିର ବୈଠକ ବମ୍ୱେରେ ବସି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କଲେ । ଏହି ବୈଠକରେ ଗାନ୍ଧିଜୀ ଓ ଚିତ୍ତରଞ୍ଜନ ଏକତ୍ର ସହଯୋଗ ସୂତ୍ରରେ ଅତି ଆନ୍ତରିକତା ସହିତ ଏକାଠି କାର୍ଯ୍ୟ କଲେ । ପ୍ରଥମ ପ୍ରସ୍ତାବରେ ଭାରତ ପରିଦର୍ଶନରେ ଆସୁଥିବା ବ୍ରିଟିଶ ଯୁବରାଜଙ୍କୁ କୌଣସି ପ୍ରକାର ଅଭ୍ୟର୍ଥନା ନ କରିବାପାଇଁ ଲୋକଙ୍କୁ କୁହାଯାଇଥିଲା । ଏହି ପ୍ରସ୍ତାବ ତଳେ ଦିଆଗଲା–

 

‘‘ଜନସାଧାରଣଙ୍କର ଦାବି ସରକାର ସ୍ୱୀକାର ନ କରିବା ଫଳରେ ଲୋକଙ୍କ ମଧ୍ୟରେ ଯେଉଁ ଅଶାନ୍ତି ଓ ଅସନ୍ତୋଷ ପ୍ରକାଶ ପାଉଛି, ସେ ଦୃଷ୍ଟିରୁ ଏହି କମିଟି ମତ ବ୍ୟକ୍ତ କରୁଛନ୍ତି ଯେ, ଭାରତ ବ୍ରିଟିଶ ଯୁବରାଜଙ୍କ ପ୍ରତି ବ୍ୟକ୍ତିଗତଭାବରେ କୌଣସି ଅଶ୍ରଦ୍ଧା ବା ଅସଦ୍‍ଭାବ ପୋଷଣ ନ କରୁଥିଲେ ସୁଦ୍ଧା ଜାତିର ସଂଗ୍ରାମ ବିରୁଦ୍ଧରେ ତାଙ୍କର ପରିଦର୍ଶନକୁ ଚାଲବାଜିସ୍ୱରୂପ ବ୍ୟବହାର କରାଯାଇ ଯେଉଁ ଅମଲାତନ୍ତ୍ର ଶାସନ ପଞ୍ଜାବ ଏବଂ ଖିଲାଫତ ଅନ୍ୟାୟପାଇଁ ଦାୟୀ ଓ ଯେଉଁ ଶାସନ ଭାରତକୁ ତା’ର ଜନ୍ମଗତ ଅଧିକାର ସ୍ୱରାଜରୁ ଏତେ ଦିନ ଧରି ବଞ୍ଚିତ କରିରଖିଛି, ତାକୁ ଶକ୍ତିଶାଳୀ କରିବାପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।’’

 

ଅନ୍ୟ ଗୋଟିଏ ପ୍ରସ୍ତାବରେ ବିଜୟୱାଡ଼ା କାର୍ଯ୍ୟକ୍ରମ ପୂରଣ ହୋଇଥିବାରୁ ଦେଶବାସୀଙ୍କୁ ନିଖିଳ ଭାରତ କଂଗ୍ରେସ କମିଟି ଅଭିବାଦନ ଜଣାଇଥିଲେ ଏବଂ ସେପ୍‍ଟେମ୍ୱର ୩୦ ତାରିଖ ମଧ୍ୟରେ ବିଦେଶୀ ବସ୍ତ୍ର ପୂରାପୂରି ବର୍ଜନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ବିଦେଶୀ ବସ୍ତ୍ର ସଂଗ୍ରହ କରି ସାଧାରଣରେ ପୋଡ଼ିବାପାଇଁ ଏ ପ୍ରସ୍ତାବରେ ମଧ୍ୟ ସୁପାରିସ୍ କରାଯାଇଥିଲା । ବ୍ୟବସାୟୀମାନଙ୍କୁ ବିଦେଶୀ ଲୁଗା ଓ ସୂତା ଆମଦାନୀ ନ କରି ଦେଶକୁ ବସ୍ତ୍ର ଦିଗରେ ସ୍ୱାବଲମ୍ୱୀ କରିବାପାଇଁ ସାହାଯ୍ୟ କରିବାକୁ କୁହାଯାଇଥିଲା ।

 

ମୌଲାନା ମହମ୍ମଦ ଅଲ୍ଲୀ ଏବଂ ଅନ୍ୟାନ୍ୟ ନେତାଙ୍କ ସହ ମହାତ୍ମାଗାନ୍ଧି ୧୯୨୧ ମସିହା ସେପ୍‍ଟେମ୍ୱର ୪ ତାରିଖ ଦିନ କଲିକତାରେ ପହଞ୍ଚିଲେ । ସେପ୍‍ଟେମ୍ୱର ୮ ତାରିଖ ଦିନ ଗିରୀଶ ପାର୍କ୍‍ରେ ହୋଇଥିବା ସଭାରେ ଚିତ୍ତରଞ୍ଜନ ଜନସାଧାରଣଙ୍କୁ ସେମାନଙ୍କ ବିଦେଶୀ ବସ୍ତ୍ର ମହାତ୍ମା ଗାନ୍ଧିଙ୍କୁ ପୋଡ଼ିବାପାଇଁ ଦେବାକୁ ନିବେଦନ କରିଥିଲେ । ପ୍ରଥମେ କେହି ନ ଦେଇଥିଲେ ସୁଦ୍ଧା ଚିତ୍ତରଞ୍ଜନ ଦ୍ୱିତୀୟ ଥର ନିବେଦନ କରିବା ଫଳରେ ଲୁଗା ପରେ ଲୁଗା ପାହାଡ଼ ଭଳି ଗଦାହେଲା ଏବଂ ମହାତ୍ମା ଗାନ୍ଧି ନିଜେ ସେଥିରେ ନିଆଁ ଲଗାଇଥିଲେ ।

 

ଏହି ସମୟରେ ଓକିଲାତି ଛାଡ଼ିଦେଇଥିବା ଚିତ୍ତରଞ୍ଜନ ଫୌଜଦାରି ଦଣ୍ଡବିଧି ଆଇନର ୧୦୮ ଦଫା ଅନୁଯାୟୀ ଗିରଫ୍ ହୋଇଥିବା ପୂର୍ବ–ବଙ୍ଗର ସୁପରିଚିତ ନେତା ପୀର୍ ମହମ୍ମଦଙ୍କ ସପକ୍ଷରେ ମୋକଦ୍ଦମା ଲଢ଼ିବାପାଇଁ ବାହାରିଲେ । ଆଉ ଜଣେ ଗିରଫ୍ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଭୟାଶ୍ରମର ସ୍ଥାପୟିତା ଏବଂ ପରବର୍ତ୍ତୀ କାଳରେ ଦେଶର ସୁପରିଚିତ ଶ୍ରମିକନେତା ଡକ୍ଟର ସୁରେଶଚନ୍ଦ୍ର ବାନାର୍ଜୀ । ପୀର ବାଦଶାହ ମିଆଁଙ୍କ ମୋକଦ୍ଦମା ସଂକ୍ରାନ୍ତରେ ଚିତ୍ତରଞ୍ଜନଙ୍କୁ ଫରିଦ୍‍ପୁର ଯିବାକୁ ପଡ଼ିଥିଲା ।

 

୧୯୨୧ ମସିହା ସେପ୍‍ଟେମ୍ୱର ୩୦ ତାରିଖ ଦିନ ମହାତ୍ମା ଗାନ୍ଧିଙ୍କ ଜନ୍ମଦିବସରେ ପ୍ରକାଶ ପାଇଥିବା ‘ବାଙ୍ଗ୍ଲାର କଥା’ ବା ‘‘Message of Bengal’’ ନାମକ ନୂତନ ସାପ୍ତାହିକ ପତ୍ରିକାରେ ଚିତ୍ତରଞ୍ଜନ ତାଙ୍କ କାର୍ଯ୍ୟର ଦାର୍ଶନିକ ଦିଗଟି ବିଶଦଭାବରେ ବୁଝାଇଥିଲେ । ୧୯୧୭ରେ ବଙ୍ଗ ପ୍ରାଦେଶିକ ସମ୍ମିଳନୀର ସଭାପତି ଭାବରେ ଚିତ୍ତରଞ୍ଜନ ଯେଉଁ ଅଭିଭାଷଣ ଦେଇଥିଲେ, ତା’ର ଶିରୋନାମା ଅନୁଯାୟୀ ଏହି ସାପ୍ତାହିକ ପତ୍ରିକାର ନାମକରଣ କରାଯାଇଥିଲା-। ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଥିବା ଚାରି ଗୋଟି ପ୍ରବନ୍ଧରୁ ତିନି ଗୋଟି ଚିତ୍ତରଞ୍ଜନ ନିଜେ ଲେଖିଥିଲେ । ପ୍ରଥମଟିରେ ପତ୍ରିକାର କାର୍ଯ୍ୟକ୍ରମ ଓ ନୀତି ବୁଝାଇ ଦିଆଯାଇଥିଲା-। ଦ୍ୱିତୀୟଟିର ଶିରୋନାମା ହେଉଛି ‘‘ସ୍ୱରାଜ–ସାଧନା’’ ଏବଂ ତୃତୀୟଟିର ଶିରୋନାମା ଥିଲା ‘‘ବସ୍ତ୍ରଯଜ୍ଞ’’-

 

ଲର୍ଡ଼ ରିଡ଼ିଂ ୧୯୨୧ ମସିହାରେ ବଡ଼ଲାଟ ହେଲେ । ବଡ଼ଲାଟ ଏବଂ ମହାତ୍ମାଗାନ୍ଧିଙ୍କ ମଧ୍ୟରେ ଦେଖାସାକ୍ଷାତ ପାଇଁ ପଣ୍ଡିତ ମଦନମୋହନ ମାଲବ୍ୟ ବ୍ୟବସ୍ଥା କରିଥିଲେ । ଏହି ଦେଖାସାକ୍ଷାତରେ ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ମୌଲାନା ମହମ୍ମଦ ଅଲ୍ଲି ଏବଂ ମୌଲାନା ସୌକତ ଅଲ୍ଲି ଉଭୟଙ୍କର କେତେକ ବକ୍ତୃତା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅଲ୍ଲି ଭାଇ ନୁହେଁ ଦେଇଥିବା କେତେକ ବକ୍ତୃତାରେ ସରକାର କ୍ଷୁଣ୍ଣ ହୋଇଥିଲେ ଏବଂ କେତେକ ବକ୍ତୃତାରେ ହିଂସାତ୍ମକ କାର୍ଯ୍ୟକୁ ଉତ୍ସାହିତ କରାଯାଇଥିଲା ବୋଲି ବଡ଼ଲାଟ ମତ ବ୍ୟକ୍ତ କରିଥିଲେ-। କରାଚୀରେ ହୋଇଥିବା ଖିଲାଫତ ସମ୍ମିଳନୀର ସଭାପତି ଅଭିଭାଷଣ ପାଇଁ ୱାଲଟିଅରରେ ମୌଲାନା ମହମ୍ମଦ ଅଲ୍ଲିଙ୍କୁ ଗିରଫ୍ କରାଯାଇଥିଲା । ସେମାନେ ଦେଇଥିବା ବକ୍ତୃତାଦ୍ୱାରା ହିଂସାକାଣ୍ଡକୁ ଉତ୍ସାହିତ କରାଯାଉଛି ବୋଲି ଅର୍ଥ କରାଯାଇପାରେ ବୋଲି ମହାତ୍ମା ଗାନ୍ଧି ଏକମତ ହେଲେ ଏବଂ ଅଲ୍ଲି ଭାଇଦ୍ୱୟଙ୍କୁ ସେହି ବକ୍ତୃତାଗୁଡ଼ିକ ପାଇ ଦୁଃଖପ୍ରକାଶ କରିବାକୁ ମଙ୍ଗାଇଲେ-। ଏହା ଫଳରେ କଂଗ୍ରେସ ଲୋକମାନଙ୍କ ମଧ୍ୟରେ ମତଭେଦ ଦେଖାଦେଲା । ଏହି ସମ୍ପର୍କରେ ଅଲ୍ଲି ଭାଇଦ୍ୱୟଙ୍କ କାର୍ଯ୍ୟକୁ ଏବଂ ସେଥିରେ ମହାତ୍ମା ଗାନ୍ଧି ଯେଉଁ ଭୂମିକା ନେଇଥିଲେ ତାକୁ କେତେକ କଂଗ୍ରେସ ଲୋକ ମଧ୍ୟ ପସନ୍ଦ କଲେ ନାହିଁ । ଦେଶବନ୍ଧୁ ଚିତ୍ତରଞ୍ଜନ ଏବଂ ପଣ୍ଡିତ ମୋତିଲାଲ ନେହେରୁ ଏହିପରି ମତପୋଷଣ କରିଥିଲେ ଏବଂ ବିଶ୍ୱାସ କରାଯାଏ ଯେ, ସେ ଦୁହେଁ ମହାତ୍ମା ଗାନ୍ଧିଙ୍କ ନିକଟକୁ ତାଙ୍କ କାର୍ଯ୍ୟର ବିରୋଧ କରି ଚିଠି ଲେଖିଥିଲେ ।

 

କଂଗ୍ରେସ କାର୍ଯ୍ୟକାରୀ କମିଟି ଅକ୍‍ଟୋବର ୫ ତାରିଖ ଦିନ ବମ୍ୱେରେ ବସି ୧୯୨୦ ମସିହା କଲିକତା କଂଗ୍ରେସର ବିଶେଷ ଅଧିବେଶନରେ ଗୃହୀତ ହୋଇଥିବା ପ୍ରସ୍ତାବର ପୁନରାବୃତ୍ତି ଛଡ଼ା ମୌଲାନା–ମହମ୍ମଦ ଅଲ୍ଲିଙ୍କ ବକ୍ତୃତା ଆଉ କିଛି ନୁହେଁ ବୋଲି ମତ ପ୍ରକାଶ କଲେ । ଆହୁରି ମଧ୍ୟ କାର୍ଯ୍ୟକାରୀ କମିଟି ପ୍ରସ୍ତାବ କଲେ ଯେ ‘‘ସାମରିକ ଓ ବେସାମରିକ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କର ସରକାରୀ ଚାକିରି ଛାଡ଼ିଦେବା ଉଚିତ । କଂଗ୍ରେସ କାର୍ଯ୍ୟକାରୀ କମିଟିଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରସ୍ତାବକୁ ଶହ ଶହ ସାଧାରଣସଭାରେ ଗ୍ରହଣ କରାଗଲା ।

 

ଏହି ପ୍ରସ୍ତାବ ଗ୍ରହଣ କରାଯିବାଦ୍ୱାରା ପ୍ରକାଶ୍ୟଭାବରେ ରାଜଦ୍ରୋହାତ୍ମକ କାର୍ଯ୍ୟ କରାଯାଉଛି ବୋଲି ସରକାର ଭାବିଲେ । ମହାତ୍ମା ଗାନ୍ଧିଙ୍କ ସମେତ ଦେଶବନ୍ଧୁ ଚିତ୍ତରଞ୍ଜନ, ପଣ୍ଡିତ ମୋତିଲାଲ ନେହେରୁ ଓ ଲାଲା ଲଜପତ ରାୟ ପ୍ରମୁଖ ବହୁ ବିଶିଷ୍ଟ ନେତୃସ୍ଥାନୀୟ ଲୋକେ ଏହି ପ୍ରସ୍ତାବ ଗ୍ରହଣ କଲେ । ଦେଶସାରା ଗୋଟାଏ ନୂତନ ବାତାବରଣ ସୃଷ୍ଟି ହେଲା । ଏହି ନୂତନ ବାତାବରଣ ଯେପରି ପୂର୍ଣ୍ଣଭାବରେ ଅହିଂସାତ୍ମକ ଓ ଶାନ୍ତିପୂର୍ଣ୍ଣ ହୁଏ, ସେଥିପାଇଁ ଚିତ୍ତରଞ୍ଜନ ବିଶେଷ ବ୍ୟଗ୍ରତା ପ୍ରକାଶ କଲେ । ନଭେମ୍ୱର ୧୭ ତାରିଖ ଦିନ ଯୁବରାଜ ବମ୍ୱେରେ ପହଞ୍ଚୁଥିବାରୁ ତାହା ପ୍ରକୃତ ପରୀକ୍ଷାର ସମୟ ବୋଲି ସେ ଘୋଷଣା କଲେ । ମହାତ୍ମା ଗାନ୍ଧି ସେଦିନ ବମ୍ୱେରେ ଥାଇ ଅକ୍ଳାନ୍ତ ପରିଶ୍ରମ କରିଥିଲେ ସୁଦ୍ଧା ଅବସ୍ଥା ଖରାପ ହୋଇ ସାମ୍ପ୍ରଦାୟିକ ଗଣ୍ଡଗୋଳ ଦେଖାଦେଲା । ଅଧିକାଂଶ ହିନ୍ଦୁ ଓ ମୁସଲମାନ ବର୍ଜନ ସପକ୍ଷରେ ଥିଲେ ସୁଦ୍ଧା କେତେକ ଖ୍ରୀଷ୍ଟିଆନ ଓ ପାର୍ଶୀ ବର୍ଜନକୁ ବିରୋଧ କଲେ ।

 

ଚିତ୍ତରଞ୍ଜନ ସେହିଦିନ କଲିକତାରେ ଥାଇ ଯୁବରାଜଙ୍କ ପରିଦର୍ଶନ ଯେପରି ପୂରାପୂରି ଶାନ୍ତିପୂର୍ଣ୍ଣଭାବରେ ବର୍ଜିତ ହୁଏ, ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ କଲେ । ସେଦିନ କଲିକତା ନଗରୀ ମରୁଭୂମି ପରି ଦେଖାଗଲା । ସମସ୍ତ ଦୋକାନ, ବଜାର, ସ୍କୁଲ୍ ଓ କଲେଜ ବନ୍ଦ ହୋଇଗଲା ଏବଂ କଚେରିରେ କୌଣସି କାର୍ଯ୍ୟ ହେଲା ନାହିଁ । ଯେଉଁ ମୋଟରଗାଡ଼ି ଓ ଅନ୍ୟାନ୍ୟ ଗାଡ଼ିରେ ଜାତୀୟ କାର୍ଯ୍ୟରେ ବୋଲି ସଙ୍କେତ ଥିଲା, କେବଳ ସେହିଗୁଡ଼ିକହିଁ ରାସ୍ତାରେ ଯା–ଆସ କରୁଥିବାର ଦେଖାଗଲା ।

 

କଲିକତାରେ ହରତାଳରେ ଏପରି ସଫଳ ଯେ, ଇଂଲିଶ୍‍ମ୍ୟାନ୍ ଓ ଷ୍ଟେଟ୍‍ସମ୍ୟାନ୍ ଭଳି ପତ୍ରିକାମାନେ ସହରରେ ଶାସନ ପୂରାପୂରି କଂଗ୍ରେସୀ ସ୍ୱେଚ୍ଛାସେବକଙ୍କ ହାତରେ ଛାଡ଼ିଦିଆଯାଇଛି ବୋଲି ସରକାରଙ୍କୁ ଦୋଷ ଦେଲେ ।

 

ନଭେମ୍ୱର ୧୮ ତାରିଖ ଦିନ କଲିକତା ଲାଟ କୋଠିରେ ପରିସ୍ଥିତିର ବିଚାର ପରାମର୍ଶ ଚାଲିଲା ଏବଂ ଏହା ପରେ ପରେ ଇଂରେଜ ବ୍ୟବସାୟୀମାନଙ୍କ ଅନୁଷ୍ଠାନ ବଙ୍ଗଳା ବଣିକ ସଂଘ ପକ୍ଷରୁ ଗୋଟିଏ ମୋକଦ୍ଦମା କରାଯାଇ ସେଥିରେ ଅଭିଯୋଗ କରାଗଲା ଯେ, ହରତାଳ କରିବାକୁ ଲୋକଙ୍କ ଉପରେ ଜୋର୍ ଜବରଦସ୍ତି କରାଯାଇଛି । ଏହି ଘଟଣା ସତ୍ୟ ହୋଇ ନଥିଲେ ସୁଦ୍ଧା ସରକାର ଏ ମକଦ୍ଦମାର ସୁଯୋଗ ନେବାକୁ ଠିକ୍ କଲେ । ୧୯ ତାରିଖ ସକାଳୁ ଦେଖାଗଲା ଯେ, ପୂର୍ବଦିନ ରାତିଅଧଠାରୁ ଭୋର ୩ଟା ମଧ୍ୟରେ ସହରର ସମସ୍ତ କଂଗ୍ରେସ ଓ ଖିଲାଫତ ଅଫିସ୍‍ମାନ ପୋଲିସ୍ ଘେରାଉ କରିଛନ୍ତି । ଏଥିରେ ଲୋକେ ଚମକି ଉଠିଲେ । କଲିକତା ସହର ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା କଂଗ୍ରେସ ଓ ଖିଲାଫତ ସ୍ୱେଚ୍ଛାସେବକ ଅନୁଷ୍ଠାନମାନଙ୍କୁ ବେଆଇନ ଘୋଷଣା କରାଯିବ ବୋଲି ‘ଇଂଲିଶ୍‍ମ୍ୟାନ୍’ ଓ ‘ଷ୍ଟେଟ୍‍ସମ୍ୟାନ୍’ରେ ସମ୍ବାଦ ପ୍ରକାଶ ପାଇଲା । ସାଧାରଣସଭାମାନ ନିଷେଧ କରାଯାଇ ଫୌଜଦାରି ଦଣ୍ଡବିଧି ସଂଶୋଧନ ଆଇନ ଜାରି କରାଗଲା ।

 

ଏହି ସମୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେବାପାଇଁ ଚିତ୍ତରଞ୍ଜନଙ୍କୁ ସୁରାଟ ଯିବାକୁ ପଡ଼ିଲା । ହରତାଳ ସଫଳ ହୋଇଥିବାରୁ ସରକାର ଦମନଲୀଳା ଆରମ୍ଭ କରିଛନ୍ତି ବୋଲି ସେ ସହକର୍ମୀମାନଙ୍କୁ କହିଲେ । ସରକାରଙ୍କ ଦମନଲୀଳା ଆହୁରି ଅଧିକମାତ୍ରାରେ ଚାଲିବ ଏବଂ ସାସମଲ, ସୁଭାଷଚନ୍ଦ୍ର ଓ ମଜିବୁର୍‍ଙ୍କୁ ହୁଏତ ଗିରଫ୍ କରାଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କଲେ । ବୀରେନ୍ଦ୍ରନାଥ ସାସମଲ କଂଗ୍ରେସ କମିଟି ଦାୟିତ୍ୱରେ, ସୁଭାଷଚନ୍ଦ୍ର ପ୍ରଚାର ବିଭାଗ ଦାୟିତ୍ୱରେ ଏବଂ ମଜିବୁର୍ ରହମନ୍ ଖିଲାଫତ କମିଟି ଦାୟିତ୍ୱରେ ରହିଥିଲେ ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି । ଚିତ୍ତରଞ୍ଜନ ଯିବା ପୂର୍ବରୁ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ମହାତ୍ମା ଗାନ୍ଧି ଏବଂ ଅନ୍ୟାନ୍ୟ ନେତୃସ୍ଥାନୀୟ ଲୋକଙ୍କ ସଙ୍ଗେ ପରାମର୍ଶ କରିବାକୁ ଚାହୁଁଥିବାରୁ ସେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ତାଙ୍କ ସହକର୍ମୀମାନଙ୍କୁ ପରାମର୍ଶ ଦେଲେ । ଚିତ୍ତରଞ୍ଜନ ଯିବା ପରେ କଲିକତା ପୋଲିସ୍ କମିଶନର ତିନି ମାସ ପର୍ଯ୍ୟନ୍ତ କୌଣସି ସାଧାରଣସଭା ବା ଶୋଭାଯାତ୍ରା କରାଯାଇପାରିବ ନାହିଁ ବୋଲି ନିଷେଧାଜ୍ଞା ଜାରି କଲେ ।

 

ନଭେମ୍ୱର ୨୨ ତାରିଖ ଦିନ ସୁରାଟରେ କାର୍ଯ୍ୟକାରୀ କମିଟି ବୈଠକ ହେବାର ଥିଲା । ନଭେମ୍ୱର ୧୭ ତାରିଖ ଦିନ ବମ୍ୱେରେ ଭୀଷଣ ଦଙ୍ଗାହଙ୍ଗାମା ଦେଖାଦେଲା । ଏହି ଦଙ୍ଗାହଙ୍ଗାମା ଫଳରେ ମହାତ୍ମା ଗାନ୍ଧି ତା’ର ପ୍ରାୟଶ୍ଚିତ୍ତସ୍ୱରୂପ ଅନଶନ କଲେ ଓ କାର୍ଯ୍ୟକାରୀ କମିଟି ବୈଠକ ବମ୍ୱେରେ ବସାଇବା ପାଇଁ ପ୍ରସ୍ତାବ ଦେଲେ । ନଭେମ୍ୱର ୨୨ ଓ ୨୩ ତାରିଖରେ ସେଠାରେ କାର୍ଯ୍ୟକାରୀ କମିଟି ବୈଠକ ହେଲା । ଆଲୋଚନା ଫଳରେ କାର୍ଯ୍ୟକାରୀ କମିଟି ପ୍ରତ୍ୟେକ ପ୍ରଦେଶକୁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବାକୁ କ୍ଷମତା ଦେଲେ । ଅବଶ୍ୟ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ କାୟମନୋବାକ୍ୟରେ ଅହିଂସା ପୂରାପୂରି ଭାବରେ ପାଳିତ ହୋଇପାରିବ ବୋଲି ଯେବେ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ଭାବରେ ଅନୁଭବ କରନ୍ତି, ତାହାହେଲେ ଆନ୍ଦୋଳନ ଆରମ୍ଭ ହେବ ବୋଲି ସର୍ତ୍ତ ରହିଲା ।

 

ନଭେମ୍ୱର ୨୭ ତାରିଖରେ ବଙ୍ଗପ୍ରଦେଶ କଂଗ୍ରେସ କମିଟିର ବୈଠକ ବସିଲା ଆଇନ–ଅମାନ୍ୟ ଆନ୍ଦୋଳନ ଚଳାଇବା ପାଇଁ ଦେଶବନ୍ଧୁଙ୍କୁ ଏହି ବୈଠକରେ ପୂର୍ଣ୍ଣ କ୍ଷମତା ଅର୍ପଣ କରାଗଲା । ଡିସେମ୍ୱର ୩ ତାରିଖ ଦିନ ସ୍ୱେଚ୍ଛାସେବକମାନେ ବଜାରରେ ଖଦି ବିକ୍ରି କରିବାକୁ ବାହାରିବେ ବୋଲି ନିଷ୍ପତ୍ତି କରାଗଲା । ସେମାନେ କୌଣସି ବ୍ୟାଜ୍ ନ ପିନ୍ଧି କେବଳ ଖଦିପୋଷାକ ପିନ୍ଧିବେ । ୫ଜଣ ଲେଖାଏଁ ସ୍ୱେଚ୍ଛାସେବକ ଗୋଟିଏ ଗୋଟିଏ ଦଳରେ ଯିବେ ଓ ସେମାନଙ୍କ ପଛରେ ଜଗିବାକୁ ଆଉ ଜଣେ ଥିବେ, ଯେକି ଉକ୍ତଦଳକୁ ଗିରଫ୍ କରାଗଲାମାତ୍ରେ ସେ ସମ୍ବାଦ କେନ୍ଦ୍ର–କାର୍ଯ୍ୟାଳୟକୁ ଜଣାଇଦେବେ ।

 

ଡିସେମ୍ୱର ୨୪ ତାରିଖ ଦିନ ଯୁବରାଜ କଲିକତାରେ ପହଞ୍ଚୁଥିବାରୁ ସେଦିନ ହରତାଳ କରାଗଲା ।

 

ଡିସେମ୍ୱର ୩ ଓ ୪ ଉଭୟ ଦଳଦଳ ହୋଇ ୧୦ଦଳ ସ୍ୱେଚ୍ଛାସେବକ ଖଦିବିକ୍ରୟ କରିବାକୁ ଯାଇଥିଲେ ସୁଦ୍ଧା କାହାରିକୁ ଗିରଫ୍ କରାଗଲା ନାହିଁ । ଚିତ୍ତରଞ୍ଜନ ଆନ୍ଦୋଳନକୁ ଜୋର୍‍ସୋର୍‍ରେ ଚଳାଇବାକୁ ନିଷ୍ପତ୍ତି କଲେ ଏବଂ ନିଜକୁ ଜେଲଜୀବନ ପାଇଁ ପ୍ରସ୍ତୁତ କଲେ । ସେ ବିନା ବିଛଣାରେ ଖଟରେ ଶୋଇଲେ ଏବଂ ପରିବାରର ଲୋକଙ୍କର ପ୍ରତିବାଦ ସତ୍ତ୍ୱେ ଜେଲରେ ଯେପରି ଖାଇବାକୁ ମିଳେ, ସେହିଭଳି ଖାଦ୍ୟ ଖାଇଲେ । ପରିବାର ଲୋକଙ୍କୁ ସେ ବୁଝାଇ କହିଲେ–ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ୍ କରାଯିବ ବୋଲି ସେ ଆଶଙ୍କା କରୁଛନ୍ତି । ତେଣୁ ଜେଲ୍ ଜୀବନ ପାଇ ଆଗର ନିଜକୁ ପ୍ରସ୍ତୁତ କରିନେବା ଦରକାର ।

 

ପଞ୍ଜାବରାଜ–ଦ୍ରୋହାତ୍ମକ ସଭାସମିତି ଆଇନ ଅନୁଯାୟୀ ଲାଲ ଲଜପତ ରାୟଙ୍କୁ ଗିରଫ୍ କରାଗଲା । ଚିତ୍ତରଞ୍ଜନ ଏହି ପ୍ରତ୍ୟକ୍ଷ ଆକ୍ରମଣକୁ ସ୍ୱାଗତ କରି ଜନସାଧାରଣଙ୍କୁ ସେମାନଙ୍କ କାର୍ଯ୍ୟାବଳୀରେ ପୂର୍ଣ୍ଣ ଅହିଂସ ରହିବାକୁ ନିବେଦନ କଲେ । ବମ୍ୱେରେ ଘଟିଯାଇଥିବା ଘଟଣା ଦୃଷ୍ଟିରୁ କାୟମନୋବାକ୍ୟରେ ଅହିଂସା ଆଚରଣ ଉପରେ ଜୋରଦେବା ଆବଶ୍ୟକ ବୋଲି ସେ ଭାବୁଥିଲେ । କଲିକତାରେ ପ୍ରାୟ ୫ ହଜାର ଲୋକ ସ୍ୱେଚ୍ଛାସେବକ ହେବେ ବୋଲି ନାମଦେଇ ପ୍ରତିଜ୍ଞାପତ୍ର ସ୍ୱାକ୍ଷର କରିଥିଲେ ସୁଦ୍ଧା, ସେମାନଙ୍କ ଭିତରୁ ଅନେକଙ୍କର ଆନ୍ଦୋଳନ କରିବାକୁ ଇଚ୍ଛା ନଥିଲା । ବେଶୀ ସଂଖ୍ୟାର ଲୋକ ସତ୍ୟାଗ୍ରହ କରିବାକୁ ବାହାରୁ ନଥିବାରୁ ଲୋକଙ୍କର ଆନ୍ଦୋଳନ ପାଇଁ ଥିବା ଆଗ୍ରହ ଉତ୍ସାହ କମିଗଲାଣି ବୋଲି ଚିତ୍ତରଞ୍ଜନ ଭାବିଲେ । ଏହି ସମୟରେ ତାଙ୍କ ନିଜପୁଅ ବାହାରି ଦଳେ ସତ୍ୟାଗ୍ରହୀଙ୍କର ନେତାରୂପେ ଗିରଫ୍ ହେଲେ ଓ ଜେଲ୍ ଗଲେ । ଚିତ୍ତରଞ୍ଜନଙ୍କର କେତେକ ବନ୍ଧୁ ତାଙ୍କ ପୁଅପାଇଁ ସ୍ୱତନ୍ତ୍ର ଖାଦ୍ୟ ଏବଂ ବିଛଣା ନେବାକୁ ବାହାରିବାରୁ, ଯେବେ ଅନ୍ୟ ଗିରଫ୍ ହୋଇଥିବା ସ୍ୱେଚ୍ଛାସେବକମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଓ ବିଛଣା ଦେବାର ବ୍ୟବସ୍ଥା କରାଯାଏ, ତାହାହେଲେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ଚିତ୍ତରଞ୍ଜନ ମତବ୍ୟକ୍ତ କଲେ ।

 

୧୯୨୧ ଡିସେମ୍ୱର ୭ ତାରିଖ ଦିନ ଗୋଟିଏ ନୂତନ ଘଟଣା ଘଟିଲା । ଦେଶବନ୍ଧୁଙ୍କ ସ୍ତ୍ରୀ ବାସନ୍ତୀ ଦେବୀ ଓ ଭଉଣୀ ଊର୍ମିଳା ଦେବୀ ଖଦଡ଼ ବିକ୍ରି କରିବାକୁ ବାହାରିଲେ । ସେମାନେ ଖଦଡ଼ ବିକ୍ରି କରୁଥିବାବେଳେ ଜଣେ ପୋଲିସ୍ ସାର୍ଜେଣ୍ଟ ବାସନ୍ତୀ ଦେବୀଙ୍କ ନିକଟକୁ ଆସି ‘‘ଆପଣମାନେ କ’ଣ କରୁଛନ୍ତି’’ ବୋଲି ପଚାରିଲେ । ସେ ଖଦି ବିକୁଛନ୍ତି ଏବଂ ଲୋକଙ୍କୁ ୨୪ ତାରିଖ ଦିନ ହରତାଳ କରିବାକୁ କହୁଛନ୍ତି ବୋଲି ବାସନ୍ତୀଦେବୀ ଉତ୍ତର ଦେଲେ । ଏହା ଶୁଣି ତାଙ୍କୁ ଗିରଫ୍ କରାଗଲା ବୋଲି ପୋଲିସ୍ ସର୍ଜେଣ୍ଟ କହି ତାଙ୍କୁ ଥାନାକୁ ଯିବାକୁ କହିଲେ । ବାସନ୍ତୀଦେବୀ ବିନା ଆପତ୍ତିରେ ଥାନାକୁ ଗଲେ । ବାସନ୍ତୀଦେବୀଙ୍କର ଗିରଫ୍‍ଦାରୀ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଇଲା । ସଙ୍ଗେ ସଙ୍ଗେ ସହସ୍ରାଧିକ ଯୁବକ ଗିରଫ୍ ହେବାପାଇଁ ପ୍ରସ୍ତୁତ ହୋଇଗଲେ । ସେମାନଙ୍କ ମଧ୍ୟରେ ନୂତନ ସାମରିକ ମନୋଭାବ ପ୍ରକାଶ ପାଇଲା । ସେମାନଙ୍କର କିଛି କହିବାର ଅଛି କି ନାହିଁ ବୋଲି ବିଚାର କରୁଥିବା ହାକିମ ପଚାରିବାରୁ ସେମାନେ ଦେଶସେବା କରିବାକୁ ଆସିଛନ୍ତି ଓ କୌଣସି ଦୋଷ କରିଛନ୍ତି ସେମାନେ ଭାବୁନାହାନ୍ତି ବୋଲି ଏହି ଉତ୍ତର ଦେଲେ । ଗିରଫ୍ ହୋଇଥିବା ଲୋକମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧିଙ୍କର ବଡ଼ପୁଅ ହୀରାଲାଲ ଗାନ୍ଧି ମଧ୍ୟ ଥିଲେ ।

 

ବାସନ୍ତୀଦେବୀଙ୍କ ଗିରଫ୍–ଫଳରେ ସମଗ୍ର ବଙ୍ଗଦେଶରେ ଉତ୍ତେଜନା ଖେଳିଗଲା । ମୁସଲମାନ ଓ ହିନ୍ଦୁ ସହସ୍ର ସହସ୍ର ସଂଖ୍ୟାରେ ଜାତୀୟ ଆନ୍ଦୋଳନରେ ଯୋଗଦେଲେ । ଏପରିକି ପୋଲିସ୍‍ମାନଙ୍କ ମଧ୍ୟରେ ସୁଦ୍ଧା ଉତ୍ତେଜନା ଦେଖାଦେଲା । ବାସନ୍ତୀଦେବୀ ଓ ତାଙ୍କର ସହକର୍ମୀମାନଙ୍କୁ ଜେଲକୁ ନିଆଯିବାବେଳେ ବହୁସଂଖ୍ୟକ ପୋଲିସ୍ କର୍ମଚାରୀ ସେମାନଙ୍କୁ ନମସ୍କାର କରି ଚାକିରିରୁ ଇସ୍ତଫା ଦେବେ ବୋଲି ପ୍ରତିଜ୍ଞା କଲେ । କଳକାରଖାନାର ଶ୍ରମିକ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବକଭାବେ ଯୋଗଦେଇ ଗିରଫ୍ ହେବାକୁ ବାହାରିଲେ । ଏହି ଘଟଣାରେ ସରକାର ବିଚଳିତ ହୋଇ ପୋଲିସ୍ କର୍ମଚାରୀମାନଙ୍କର ବେତନ ବୃଦ୍ଧି କରିବାକୁ ହୁକୁମ ଦେଲେ ।

 

ବାସନ୍ତୀଦେବୀଙ୍କ ଗିରଫ୍‍ଦାରୀ ବିଷୟ ଦେଶବନ୍ଧୁ ଶୁଣି କଂଗ୍ରେସଲୋକଙ୍କୁ ଅଧିକ ଦୃଢ଼ତାର ସହିତ ଜାତୀୟ କାର୍ଯ୍ୟକ୍ରମ ଅନୁଯାୟୀ କାମ କରିବାକୁ ପରାମର୍ଶ ଦେଲେ । ଭାରତର ନାରୀଜାତି ଯେଉଁ ସାହସ ଏବଂ ତ୍ୟାଗର ପରିଚୟ ଦେଇଛନ୍ତି ସେଥିପାଇଁ ସେ ତାଙ୍କ ନିଜ ହୃଦୟରେ ଆନନ୍ଦ ଓ ଗର୍ବ ଅନୁଭବ କଲେ । ସରକାରଙ୍କର ମୂଳଦୁଆ ଏଥର ଦୋହଲି ଯିବ ବୋଲି ସେ ଦୃଢ଼ତାର ସହିତ ତାଙ୍କର କେତେକ ବନ୍ଧୁଙ୍କ ଆଗରେ ମତ ବ୍ୟକ୍ତ କଲେ । ଏହି ନାରୀକର୍ମୀମାନଙ୍କୁ ଜେଲରେ ବେଶୀ ଦିନ ରଖିବାକୁ ସରକାର ଚାହୁଁ ନଥିଲେ । ରାତିଅଧରେ ସେମାନଙ୍କୁ ଖଲାସ କରାଯାଇ ନିଜ ନିଜ ଘରକୁ ପଠାଗଲା । ଏହାଦ୍ୱାରା ସେମାନଙ୍କୁ ଅପମାନିତ କରାଗଲା ବୋଲି ଚିତ୍ତରଞ୍ଜନ ଭାବିଲେ ଏବଂ ଆନ୍ଦୋଳନ ଅଧିକ ଜୋରରେ ଚଳାଇବା ପାଇଁ ସେ ଦୃଢ଼ତା ପ୍ରକାଶ କଲେ ।

 

ବାସନ୍ତୀଦେବୀ ଏବଂ ତାଙ୍କର ସହକର୍ମୀମାନେ ପୁଣି ପରଦିନ ସକାଳେ ଖଦି ବିକିବାକୁ ଗଲେ । ସହରର ଚାରିଆଡ଼େ ସାମରିକ ଲୋକ ଜଗି ରହିଥାନ୍ତି ଏବଂ ବହୁ ନିରୀହ ପଥିକଙ୍କୁ ନିର୍ମମ ଭାବରେ ପିଟୁଥାଆନ୍ତି । ପୋଲିସ୍‍ର ଏହି ଦମନଲୀଳାର ଶିକାର ହେଲେ ଅଧ୍ୟକ୍ଷ ହେରମ୍ୱଚନ୍ଦ୍ର ମୈତ୍ର । ସେ ଜଣେ ସମ୍ମାନାସ୍ପଦ ଅଧ୍ୟାପକ ଓ ନାଗରିକ ଥିଲେ । ସରକାରଙ୍କ ପ୍ରତି ତାଙ୍କ ଆନୁଗତ୍ୟରେ କେବେହେଲେ କୌଣସି ପ୍ରକାର ସନ୍ଦେହ କରିବାର ଅବକାଶ ନଥିଲା । କିନ୍ତୁ ବାସନ୍ତୀଦେବୀ ଏବଂ ତାଙ୍କର ସହକର୍ମୀମାନଙ୍କ କାର୍ଯ୍ୟରେ କୌଣସି ପ୍ରକାର ବାଧା ଦିଆଗଲା ନାହିଁ-

 

କିଛିଦିନ ପୂର୍ବରୁ ବଙ୍ଗଳାର ଲାଟ ଲର୍ଡ଼ ରୋନାଲ୍ଡ଼ସେ ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ପ୍ରତି ସମ୍ମାନ ଜ୍ଞାପନ କରି କହିଥିଲେ–

 

‘‘ବଙ୍ଗଳାର ଜଣେ ଅତି ଦକ୍ଷ ଏବଂ ଭଗବତଦତ୍ତ ବୁଦ୍ଧିଜୀବୀ ଭଦ୍ରଲୋକ ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ନାମ ବହୁଥିବା ଗୋଟିଏ ଅନୁଷ୍ଠାନର ସଭାରେ ସଭାପତିତ୍ୱ କରିବେ-। ସେ ଯେବେ ସଦିଚ୍ଛା ରୂପକ ଧର୍ମର ପୂଜାରୀ ହେବାକୁ ବାହାରନ୍ତେ, ତାହାହେଲେ ତାଙ୍କର ମାନସମ୍ମାନ ବହୁଗୁଣ ବଢ଼ନ୍ତା ଓ ସେ ଇତିହାସ–ପ୍ରସିଦ୍ଧ ବ୍ୟକ୍ତି ହୁଅନ୍ତେ । ସେ ତାହା କରିବେ କି-? ତାଙ୍କର ଦାୟିତ୍ୱ ଅତ୍ୟଧିକ । ଅନ୍ୟ ଦିଗରେ ସେ ଯେବେ ତାଙ୍କ ଅନୁଚରମାନଙ୍କୁ ସେମାନଙ୍କ ରାସ୍ତାରେ ଅର୍ଥାତ୍ ବିପ୍ଳବ–ପଥରେ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦିଅନ୍ତି, ତାହାହେଲେ ସରକାରଙ୍କ ପକ୍ଷରେ ସେହି ଆହ୍ୱାନର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ହେବା ଛଡ଼ା ଅନ୍ୟ ଉପାୟ ନାହିଁ ।’’

 

ଘଟୁଥିବା କେତେକ ଘଟଣାରେ ବ୍ୟଥିତ ହୋଇ ଲର୍ଡ଼ ରୋନାଲ୍ଡ଼ସେ ଗୋଟିଏ ମିଳାମିଶାର ସୂତ୍ର ବାହାର କରିବାପାଇଁ ଚିତ୍ତରଞ୍ଜନ ସହ ଆଲୋଚନା କରିବାକୁ ଚାହିଁଲେ । ଉଭୟଙ୍କ ମଧ୍ୟରେ ଡିସେମ୍ୱର ୮ ତାରିଖ ଦିନ ଦେଖା ହୋଇ ଘଣ୍ଟାକରୁ ଅଧିକ କାଳ ଆଲୋଚନା ହେଲା ।

 

ଲର୍ଡ଼ ରୋନାଲ୍ଡ଼ସେ ଯୁବରାଜଙ୍କର ପରିଦର୍ଶନ ଉପଲକ୍ଷେ କରାଯାଇଥିବା ପ୍ରସ୍ତାବିତ ହରତାଳ ବନ୍ଦ ରଖିବାକୁ କହିବାରୁ ତାହା ତାଙ୍କ ହାତରେ ନାହିଁ ଓ ସେ କେବଳ ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କାର୍ଯ୍ୟରେ ପରିଣତ କରୁଛନ୍ତି ବୋଲି ଚିତ୍ତରଞ୍ଜନ ଉତ୍ତର ଦେଲେ । ଲର୍ଡ଼ ରୋନାଲ୍ଡ଼ସେ ସ୍ୱେଚ୍ଛାସେବକମାନଙ୍କ ପ୍ରଶ୍ନ ଉଠାଇଥିବାରୁ ସେମାନେ ଶାନ୍ତିପୂର୍ଣ୍ଣଭାବେ ନିଜ ନିଜର କର୍ତ୍ତବ୍ୟ ପାଳନ କରିଥିବାଦୃଷ୍ଟିରୁ ସରକାରଙ୍କର ସ୍ୱେଚ୍ଛାସେବକମାନଙ୍କୁ ଗିରଫ୍ କରିବାର କୌଣସି କାରଣ ନାହିଁ ବୋଲି ସେ କହିଲେ । ଲର୍ଡ଼ ରୋନାଲ୍ଡ଼ସେ ଚିତ୍ତରଞ୍ଜନଙ୍କ ଉକ୍ତି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଏବଂ କେତେକ ଜାଗାରେ ଶାନ୍ତିଭଙ୍ଗ ହେଉଥିବାରୁ ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଦୃଢ଼ପ୍ରତିଜ୍ଞ ବୋଲି କହିଲେ । ଯଦିଚ କେତେକ ଘଟଣାରେ ଅହିଂସା ପଥରୁ ବିଚ୍ୟୁତି ଘଟିଥାଏ କେବେ ସୁଦ୍ଧା ଅଧିକାଂଶ ସ୍ୱେଚ୍ଛାସେବକ ଅହିଂସ ରହିଥିବାରୁ ବଙ୍ଗଳାର ସମସ୍ତ ସ୍ୱେଚ୍ଛାସେବକ ଅନୁଷ୍ଠାନମାନଙ୍କୁ ନିନ୍ଦା କରି ରାଜଦ୍ରୋହୀ ତଥା ହିଂସାତ୍ମକ ଅନୁଷ୍ଠାନ ବୋଲି ଚିତ୍ରଣ କରିବାର କୌଣସି କାରଣ ନାହିଁ ବୋଲି ଚିତ୍ତରଞ୍ଜନ ଯୁକ୍ତି କଲେ ।

 

ଲର୍ଡ଼ ରୋନାଲ୍ଡ଼ସେ ଥଟ୍ଟା କରି କହିଲେ, ସରକାର ଲୋକପ୍ରତିନିଧିମାନଙ୍କର ପରାମର୍ଶକ୍ରମେ ସମସ୍ତ କାର୍ଯ୍ୟ କରୁଛନ୍ତି । ସେମାନେ ଲୋକପ୍ରତିନିଧି ନୁହନ୍ତି ବୋଲି ଚିତ୍ତରଞ୍ଜନ ପ୍ରତିବାଦ କରିବାରୁ ଲର୍ଡ଼ ରୋନାଲ୍ଡ଼ସେ କହିଲେ–କଂଗ୍ରେସ ଯେତେବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିଛି, ସେତେବେଳେ ଯେଉଁମାନେ ନିର୍ବାଚିତ ହୋଇଛନ୍ତି, ସେମାନଙ୍କ ପ୍ରତିନିଧି ସମ୍ପର୍କରେ ସେ ପ୍ରଶ୍ନ ଉଠାଇ ନ ପାରେ । ଚିତ୍ତରଞ୍ଜନ ନିଜେ ବ୍ୟବସ୍ଥାପକ ସଭା ବର୍ଜନ କରିବାଦ୍ୱାରା ଭୁଲ ହୋଇଛି ବୋଲି ବିଶ୍ୱାସ କରୁଥିବାରୁ ଏ ବିଷୟରେ ଲର୍ଡ଼ ରୋନାଲ୍ଡ଼ସେଙ୍କ ସହିତ ଅଧିକ ଯୁକ୍ତି କଲେ ନାହିଁ ।

 

ତା’ପରେ ସ୍ୱେଚ୍ଛାସେବକମାନଙ୍କ ସମ୍ପର୍କରେ କହିବାକୁ ଯାଇ ଚିତ୍ତରଞ୍ଜନ ଲର୍ଡ଼ ରୋନାଲ୍ଡ଼ସେଙ୍କୁ କହିଲେ ଯେ, ଏପରି ବହୁ ଦୃଷ୍ଟାନ୍ତ ଅଛି ଯେଉଁଥିରେ ପୋଲିସ୍ ସ୍ୱେଚ୍ଛାସେବକମାନଙ୍କୁ ବାଡ଼େଇ ସେମାନଙ୍କଠାରୁ ଟଙ୍କାପଇସା ଛଡ଼ାଇ ନେଇ ଯାଇଛନ୍ତି । ଏପରିକି ଯେଉଁମାନେ ଆଇନରକ୍ଷକ, ସେମାନେ ଆଇନକୁ ପୂରାପୂରି ଭାଙ୍ଗିଛନ୍ତି । ଏ ସମ୍ପର୍କରେ ଲର୍ଡ଼ ରୋନାଲ୍ଡ଼ସେ କୌଣସି ଖବର ପାଇ ନାହାନ୍ତି ବୋଲି କହିଲେ ।

 

ସ୍ୱେଚ୍ଛାସେବକମାନଙ୍କ କାର୍ଯ୍ୟକଳାପ ବନ୍ଦ କରିବାକୁ ଲର୍ଡ଼ ରୋନାଲ୍ଡ଼ସେ ପୁଣି ଚିତ୍ତରଞ୍ଜନଙ୍କୁ ଅନୁରୋଧ କଲେ । ଏହାର ଉତ୍ତରରେ ଚିତ୍ତରଞ୍ଜନ ଜଣାଇଲେ ଯେ ସେମାନେ ସେମାନଙ୍କ କର୍ତ୍ତବ୍ୟ କରୁଛନ୍ତି । ଏହି କାର୍ଯ୍ୟ ସେମାନଙ୍କ ପକ୍ଷରେ ନିଜର ଧର୍ମସଦୃଶ ହୋଇଗଲାଣି-। ତେଣୁ ସ୍ୱେଚ୍ଛାସେବକମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ନ କରିବାପାଇଁ ସେ ସେମାନଙ୍କୁ ପରାମର୍ଶ ଦେଇପାରିବେ ନାହିଁ ।

 

ଲର୍ଡ଼ ରୋନାଲ୍ଡ଼ସେ ଉତ୍ତରଦେଇ କହିଲେ ଯେ ସରକାରଙ୍କ ଦୃଷ୍ଟିରେ ସ୍ୱେଚ୍ଛାସେବକମାନେ କରୁଥିବା କାର୍ଯ୍ୟ ଅବାଞ୍ଛନୀୟ ହୋଇଥିବାରୁ ଆଇନ ଶୃଙ୍ଖଳା ରକ୍ଷାକରିବା ପାଇଁ ସରକାରଙ୍କୁ ଆବଶ୍ୟକୀୟ କାର୍ଯ୍ୟ କରିବାକୁ ପଡ଼ିବ । ଚିତ୍ତରଞ୍ଜନ ଉତ୍ତରଦେଲେ, ସେ ବୟସ୍କ ହୋଇଯାଇଥିଲେ ସୁଦ୍ଧା ତାଙ୍କର ଶେଷ ନିଃଶ୍ୱାସ ବହୁଥିବା ପର୍ଯ୍ୟନ୍ତ ଯେଉଁ ଅନ୍ୟାୟ ଆଇନମାନ ଏହି ଦେଶରେ କାର୍ଯ୍ୟକାରୀ ହେଉଛି, ସେ ସବୁର ପ୍ରତିରୋଧ ସେ କରିବେ ।

 

ବାସନ୍ତୀ ଦେବୀଙ୍କ ଗିରଫ୍‍ପାଇଁ ଦୁଃଖ ପ୍ରକାଶ କରି ଲର୍ଡ଼ ରୋନାଲ୍ଡ଼ସେ ପରିଷ୍କାର ଜଣାଇଦେଲେ ଯେ ସମାଧାନ ହେବାର କୌଣସି ଆଶା ନଥିବାରୁ ଆନ୍ଦୋଳନକୁ ଦବାଇବା ପାଇଁ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରିବେ । ଚିତ୍ତରଞ୍ଜନ କଥାବାର୍ତ୍ତା ଶେଷକରି ଚାଲିଆସିଲେ ଏବଂ ତାଙ୍କର ଦୃଢ଼ ଧାରଣା ହେଲା ଯେ ଶୀଘ୍ର ତାଙ୍କୁ ଗିରଫ୍ କରାଯିବ । ତେଣୁ ତାଙ୍କ ଅନୁପସ୍ଥିତିରେ ଆନ୍ଦୋଳନ ଯେପରି ଚାଲୁ ରହେ, ସେଥିପାଇଁ ସେ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା କଲେ ।

 

୧୯୨୧ ମସିହା ଡିସେମ୍ୱର ୧୦ ତାରିଖ ଦିନ ଉପରବେଳା ୪ଟାବେଳେ ଚିତ୍ତରଞ୍ଜନ ତାଙ୍କ ଝିଅମାନଙ୍କ ସହ ଚାହା ଖାଉଥିବା ସମୟରେ ପୋଲିସ୍ ଅଫିସର ଭର୍ତ୍ତି ହୋଇଥିବା ଗୋଟିଏ ମଟର ଆସିବାରୁ ତାଙ୍କର ଗୋଟିଏ ଝିଅ ସାର୍ଜେଣ୍ଟ ଆସିଛନ୍ତି ବୋଲି ଜଣାଇଲେ । ଚିତ୍ତରଞ୍ଜନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ବାର୍ତ୍ତା ଲେଖି ତାଙ୍କ ଝିଅଙ୍କ ଜିମା ଦେଲେ ।

 

ସେତେବେଳେ ବୀରେନ୍ଦ୍ରନାଥ ସାସମଲ ଚିତ୍ତରଞ୍ଜନଙ୍କ ତଳମହଲା ବସିବା ଘରେ ବସିଥାଆନ୍ତି । ଜଣେ ପୋଲିସ୍ କର୍ମଚାରୀ ସେ ଘରକୁ ଆସି ତାଙ୍କ ନାମ ପଚାରିଥିଲେ । ସାସମଲ ତାଙ୍କ ନାମ କହିବାରୁ ତାଙ୍କୁ ଗିରଫ୍ କରାଯାଇଛି ବୋଲି ସେ କର୍ମଚାରୀ ଜଣକ ଜଣାଇ ଦେଲେ । ଦୁଇ ଜଣ ପୋଲିସ୍ ଡେପୁଟି କମିଶନର ଉପରମହଲାକୁ ଯିବାରୁ ଦେଶବନ୍ଧୁ ତାଙ୍କୁ ପଚାରିଲେ ‘‘ମୋତେ ଗିରଫ୍ କରିବାକୁ କ’ଣ ଆସିଛନ୍ତି ? ସେମାନେ ହଁ ବୋଲି କହିବାରୁ ସେ ଗିରଫ୍ ପରୁଆନା ମାଗିଲେ । ଗିରଫ୍ ପରୁଆନା ଛାଡ଼ିଦେଇ ଆସିଛନ୍ତି ଓ ତାଙ୍କୁ ଫୌଜଦାରି ଦଣ୍ଡବିଧି ସଂଶୋଧନ ଆଇନ ଅନୁଯାୟୀ ଗିରଫ୍ କରାଯାଇଛି ବୋଲି ଜଣେ କର୍ମଚାରୀ କହିଲେ । ତହୁଁ ଚିତ୍ତରଞ୍ଜନ କହିଲେ ‘‘ତାହାହେଲେ ମୋର ପିଲାମାନଙ୍କୁ ଯେଉଁ ଆଇନ ଅନୁଯାୟୀ ଗିରଫ୍ କରାଯାଉଛି, ମୋତେ ସେହି ଆଇନ ଅନୁଯାୟୀ ଗିରଫ୍ କରାଯାଉଛି’’ ।

 

ଚିତ୍ତରଞ୍ଜନଙ୍କୁ ଜେଲକୁ ନିଆଯିବା ସମୟରେ ସେ ତାଙ୍କର ଝିଅମାନଙ୍କୁ ତାଙ୍କପାଇଁ ଜେଲକୁ ଖାଦ୍ୟଜିନିଷ ନ ପଠାଇବା ପାଇଁ ବାରମ୍ୱାର କରି କହିଲେ । ତାଙ୍କର ଭଲ ଖାଦ୍ୟ ଖାଇବା ଅଭ୍ୟାସ ହୋଇଥିବାରୁ ତାଙ୍କର ଝିଅମାନେ ଏହା ଶୁଣି ଖୁବ୍ ବ୍ୟସ୍ତ ହେଲେ । କିନ୍ତୁ ତାହା ସତ୍ତ୍ୱେ ଅନ୍ୟ ବନ୍ଧୁମାନଙ୍କୁ ଯେଉଁ ଖାଦ୍ୟ ଦିଆଯାଉଛି, ସେ ସେହି ଖାଦ୍ୟ ଖାଇବେ ବୋଲି ପରିଷ୍କାର କରି କହିଗଲେ । ତାଙ୍କ ପୁଅ ଏବଂ ପୂର୍ବରୁ ଗିରଫ୍ ହୋଇଥିବା ବନ୍ଦୀମାନେ ଯେଉଁ ଖାଦ୍ୟ ଖାଇବାକୁ ହକ୍‍ଦାର ନୁହନ୍ତି, ସେ ତାହା ଖାଇବେ ନାହିଁ ବୋଲି ବାରମ୍ୱାର କହିଗଲେ ।

 

ପୋଲିସ୍ କାର୍‍ରେ ବସି ଯିବାପୂର୍ବରୁ ଚିତ୍ତରଞ୍ଜନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିମ୍ନଲିଖିତ ବାର୍ତ୍ତା ଦେଲେ;–

 

‘‘ଯେବେ ଆମର ଲକ୍ଷ୍ୟ ମହନୀୟ ହୋଇଥାଏ, ତାହାହେଲେ ପରିଣାମ ବିଷୟରେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏ ଦେଶରେ ଯେଉଁ ନିଆଁଲାଗିଛି, ତାହା ଲିଭିବା ସହଜ ନୁହେଁ-। ଫଳ ଭଗବାନଙ୍କ ହାତରେ । ପୂରାପୂରି ଅହିଂସ ରହିଲେ ଲକ୍ଷ୍ୟଲାଭ ନିଶ୍ଚୟ ହେବ ।

 

‘‘ଭାରତ ନରନାରୀମାନଙ୍କ ପ୍ରତି ମୋର ଏହାହିଁ ହେଉଛି ବାର୍ତ୍ତା । କଷ୍ଟ ସହ୍ୟ କରି ଆପଣମାନେ ଯେବେ ଲକ୍ଷ୍ୟଲାଭ ପାଇଁ ଦୃଢ଼ପ୍ରତିଜ୍ଞ, ତାହାହେଲେ ଶୀଘ୍ର ଲକ୍ଷ୍ୟଲାଭ ହେବ ।’’

 

ମଟରରେ ଚିତ୍ତରଞ୍ଜନ ଗଲାବେଳେ ବାଟରେ ପୁଷ୍ପବୃଷ୍ଟି ଏବଂ ଶଙ୍ଖଧ୍ୱନି ହେଲା ।

Image

 

ନବମ ଅଧ୍ୟାୟ

ବିଚାର ଏବଂ ବନ୍ଦୀଜୀବନ

 

୧୯୨୧ ମସିହା ଡିସେମ୍ୱର ୧୦ ତାରିଖ ଦିନ ଚିତ୍ତରଞ୍ଜନଙ୍କୁ ପ୍ରେସିଡ଼େନ୍‍ସି ଜେଲକୁ ନିଆଗଲା । ୧୨ ତାରିଖ ଦିନ ମିଷ୍ଟର୍ କିଡ଼୍ ବୋଲି ଜଣେ ଡେପୁଟି କମିଶନର ତାଙ୍କୁ ଦେଖିବାକୁ ଆସିଲେ । ଚିତ୍ତରଞ୍ଜନ ତାଙ୍କୁ ଗିରଫ୍ ପରୁଆନା ଦେଖାଇବାକୁ ପୁଣି କହିବାରୁ କୌଣସି ଗିରଫ୍ ପରୁଆନା ଅନୁଯାୟୀ ତାଙ୍କୁ ଗିରଫ୍ କରା ନ ଯାଇ ଫୌଜଦାରି ଦଣ୍ଡବିଧି ଆଇନର ୫୪ ଦଫା ଅନୁଯାୟୀ କେବଳ ସନ୍ଦେହରେ ଗିରଫ୍ କରାଯାଇଛି ବୋଲି ମିଷ୍ଟର୍ କିଡ଼୍ ଜବାବ ଦେଲେ ।

 

ସେ ଓକିଲାତି ଛାଡ଼ିବା ପରଠାରୁ ଫୌଜଦାରି ଦଣ୍ଡବିଧି ଆଇନରେ କୌଣସି ସଂଶୋଧନ ହୋଇଛି କି ନାହିଁ ବୋଲି ଚିତ୍ତରଞ୍ଜନ ଜାଣିବାକୁ ଚାହିଁଲେ । ଏହି ପ୍ରଶ୍ନ କାହିଁକି ପଚାରୁଛନ୍ତି ବୋଲି କିଡ଼୍ ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ଫୌଜଦାରି ଦଣ୍ଡବିଧି ଆଇନର ଏହି ୫୪ ଦଫା କେବଳ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ପ୍ରତି ପ୍ରଜୁଯ୍ୟ ହୋଇପାରିବ ଏବଂ ସ୍ୱେଚ୍ଛାସେବକମାନଙ୍କୁ ଏହି ଧାରା ଅନୁଯାୟୀ ଗିରଫ୍ କରାଯାଇପାରିବ ନାହିଁ ବୋଲି ଚିତ୍ତରଞ୍ଜନ ଉତ୍ତର ଦେବାରୁ ମିଷ୍ଟର୍ କିଡ଼୍ ଆଉ କିଛି କହିପାରିଲେ ନାହିଁ ।

 

ପରେ ସେହିଦିନ ଚିତ୍ତରଞ୍ଜନଙ୍କୁ ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଗଲା । ୧୯୨୨ ଜାନୁଆରୀ ୨୦ ତାରିଖକୁ ମୋକଦ୍ଦମା ତାରିଖ ଧାର୍ଯ୍ୟ କରାଗଲା । ତାହାଛଡ଼ା ବିଚାର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ରୁଣ୍ଡହୋଇ ଭିଡ଼ କରୁଥିବାରୁ ଜେଲ୍ ଭିତରେ ବିଚାର ହେବ ବୋଲି ହାକିମ ହୁକୁମ ଦେଲେ । ବିଚାର ଦେଖିବାକୁ ଏତେ ଲୋକ ରୁଣ୍ଡ ହୋଇଥିଲେ ଯେ, ପୋଲିସ୍ ସେମାନଙ୍କୁ ନିୟନ୍ତ୍ରଣ କରି ନ ପାରି ଅନେକ ସମୟରେ ଲୋକଙ୍କ ପ୍ରତି ଖରାପ ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ ।

 

ଚିତ୍ତରଞ୍ଜନଙ୍କର ଗିରଫ୍‍ଦାରୀର କିଛିଦିନ ପରେ ସରକାରଙ୍କ ପକ୍ଷରୁ ଏଭଳି ଗୋଟିଏ ଚେଷ୍ଟା କରାଗଲା, ଯାହା ଠିକ୍‍ଭାବେ କରାଯାଇପାରିଥିଲେ ଭାରତୀୟ ଇତିହାସର ଗତି ପୂର୍ଣ୍ଣଭାବରେ ବଦଳି ଯାଇଥାନ୍ତା । କଲିକତାର ହରତାଳ ଯେଭଳି ଆଶାତୀତଭାବରେ ସଫଳ ହେଲା, ତାହା ସରକାରଙ୍କ ଉପରେ ଗଭୀର ଛାୟାପାତ କରିଥିଲା । ସ୍ୱେଚ୍ଛାସେବକମାନେ ଯେଭଳି କାର୍ଯ୍ୟ କରୁଥିଲେ ଏବଂ ସର୍ବୋପରି ପୋଲିସ୍‍ବାହିନୀଙ୍କ ମଧ୍ୟରେ ଯେଭଳି ସରକାରଙ୍କ ପ୍ରତି ଅଶ୍ରଦ୍ଧା ପ୍ରକାଶ ପାଉଥିଲା, ସେଥିରେ ସରକାର ବିଶେଷଭାବରେ ହଡ଼ବଡ଼େଇ ଯାଇଥିଲେ । ଅନ୍ୟ ଦିଗରେ ଚିତ୍ତରଞ୍ଜନଙ୍କର ବଳିଷ୍ଠ ନେତୃତ୍ୱ ଯୋଗୁଁ ଦେଶରେ ନୂତନ ଆଶା ଏବଂ ଶକ୍ତିର ସଞ୍ଚାର ହେଲା । କଲିକତାରେ ଯୁବରାଜ ଡିସେମ୍ୱର ୨୪ ତାରିଖ ଦିନ ପହଞ୍ଚିବେ ବୋଲି ଠିକ୍ ହୋଇଥିବାରୁ ସେଦିନ ଯେପରି ହରତାଳ ନହୁଏ, ସେଥିପାଇଁ ସରକାର ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ ।

 

ଯୁବରାଜଙ୍କ ଆସିବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ଲର୍ଡ଼ ରିଡ଼ିଂ କଲିକତା ଗଲେ । ଯୁବରାଜଙ୍କର ଭାରତ–ପରିଦର୍ଶନକୁ ସଫଳ କରିବାପାଇଁ କଂଗ୍ରେସ ସହିତ ମିଳାମିଶା କରିବାକୁ ଚେଷ୍ଟା କରାଯିବା ଉଚିତ ବୋଲି ସେ ବୋଧହୁଏ ଭାବୁଥିଲେ । ପଣ୍ଡିତ ମଦନମୋହନ ମାଲବ୍ୟ (ସେଣ୍ଟ୍ରାଲ ପ୍ରେସିଡ଼େନ୍‍ସି ଜେଲ)କୁ ଆସି ଦେଶବନ୍ଧୁ ଚିତ୍ତରଞ୍ଜନ ଓ ମୌଲାନା ଆବୁଲ କାଲାମଆଜାଦଙ୍କ ସହିତ ଅନେକ ଥର କଥାବାର୍ତ୍ତା ହେଲେ । ଚିତ୍ତରଞ୍ଜନଙ୍କୁ ମଧ୍ୟ ତାଙ୍କ ବନ୍ଧୁମାନଙ୍କ ସହିତ, ବିଶେଷତଃ ମହାତ୍ମା ଗାନ୍ଧିଙ୍କ ସହିତ ଟେଲିଫୋନ୍‍ରେ କଥାବାର୍ତ୍ତା କରିବାପାଇଁ ଅନୁମତି ଦିଆଗଲା ।

 

୧୯୨୧ ଡିସେମ୍ୱର ୧୯ ତାରିଖ ଦିନ ଦେଶବନ୍ଧୁ ଚିତ୍ତରଞ୍ଜନ ଏବଂ ମୌଲାନା ଆଜାଦ୍ ଅସ୍ଥାୟୀ ଭାବରେ ନିମ୍ନଲିଖିତ ସର୍ତ୍ତରେ ସରକାରଙ୍କ ସହିତ ମିଳାମିଶା ହୋଇପାରେ ବୋଲି ରାଜି ହେଲେ–୧୯୨୧ ଡିସେମ୍ୱର ୨୪ ତାରିଖ ଦିନ ହରତାଳ କରିବାପାଇଁ କଂଗ୍ରେସ ଯେଉଁ ଆହ୍ୱାନ ଦେଇଛି, ତାହା ପ୍ରତ୍ୟାହାର କରିବେ ଏବଂ ପିକେଟିଂ କରିବାପାଇଁ ଯେଉଁ ସ୍ୱେଚ୍ଛାସେବକମାନଙ୍କୁ ପଠାଯାଇଛି, ତାହା ବନ୍ଦ ରଖିବେ । ସରକାର ତାଙ୍କ ପକ୍ଷରୁ ଫୌଜଦାରି ଦଣ୍ଡବିଧି ସଂଶୋଧନ ଆଇନ ବା ରାଜଦ୍ରୋହାତ୍ମକ ସଭା ଆଇନ ଅନୁଯାୟୀ ଗିରଫ୍ କରିଥିବା ସମସ୍ତ ବନ୍ଦୀଙ୍କୁ ଖଲାସ କରିଦେବେ । ସ୍ୱରାଜ, ଖିଲାଫତ ଏବଂ ପଞ୍ଜାବ ଅନ୍ୟାୟ ବିଷୟର ବିଚାରପାଇଁ ଗୋଲଟେବୁଲ ବୈଠକରେ ଆଲୋଚନା କରିବେ ।

 

ଦେଶବନ୍ଧୁ ଚିତ୍ତରଞ୍ଜନ ଏ ବିଷୟରେ ମହାତ୍ମା ଗାନ୍ଧିଙ୍କ ସହିତ ତା’ର ଆଦାନପ୍ରଦାନ କରି ଏହି ସର୍ତ୍ତମାନ ଚୂଡ଼ାନ୍ତ ହେବାପୂର୍ବରୁ ତାଙ୍କର ସ୍ୱୀକୃତି ଚାହିଁଲେ । ପ୍ରସ୍ତାବିତ ସମ୍ମିଳନୀ କେବେ ହେବ ଏବଂ ଏହି ସମ୍ମିଳନୀକୁ କାହାକୁ କାହାକୁ ଡକାହେବ, ତାହା ଜାଣିବାକୁ ମହାତ୍ମା ଗାନ୍ଧି ଚାହିଁଲେ । ତାହା ଛଡ଼ା ଆଲ୍ଲିଭାଇଦ୍ୱୟ ଏବଂ ଫତୁଆବନ୍ଦୀମାନଙ୍କୁ ଖଲାସ କରାଯିବା ଉଚିତ ବୋଲି ସେ ଜୋର ଦେଲେ । ସମ୍ମିଳନୀ ୧୯୨୨ ମସିହା ଜାନୁଆରୀ ମାସରେ ହେବ ଏବଂ ମହାତ୍ମା ଗାନ୍ଧି, ଦେଶବନ୍ଧୁ ଚିତ୍ତରଞ୍ଜନ, ଆଲ୍ଲିଭାଇ ଦ୍ୱୟ, ପଣ୍ଡିତ ମୋତିଲାଲ ନେହେରୁ ଏବଂ ମୌଲାନା ଆଜାଦଙ୍କ ସମେତ କଂଗ୍ରେସର ୨୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଭାଗନେବେ ବୋଲି ଚିତ୍ତରଞ୍ଜନ ମହାତ୍ମାଜୀଙ୍କୁ ଜଣାଇଲେ ଏବଂ ଫତୁଆ ବନ୍ଦୀମାନଙ୍କୁ ସମୟକ୍ରମେ ଖଲାସ କରାଯିବ ବୋଲି ମଧ୍ୟ ଜଣାଇଥିଲେ ।

 

ପ୍ରଥମେ ମହାତ୍ମା ଗାନ୍ଧି ଏଥିରେ ରାଜି ନ ହେବାରୁ ଉଭୟ ନେତାଙ୍କ ମଧ୍ୟରେ ତାର ଦିଆନିଆ ଚାଲିଲା । ଶେଷକୁ ଯେତେବେଳେ ମହାତ୍ମାଜୀ ରାଜିହେଲେ, ସେତେବେଳକୁ ସମୟ ଡେରି ହୋଇଯାଇଥିଲା । ବଡ଼ଲାଟ କଲିକତା ଛାଡ଼ି ଚାଲିଯିବା ପରେ ଏବଂ ବଡ଼ଲାଟଙ୍କ ପରିଷଦର ବୈଠକ କଲିକତାରେ ଶେଷ ହେବାପରେ ମହାତ୍ମା ଗାନ୍ଧିଙ୍କ ନିକଟରୁ ସ୍ୱୀକୃତିମୂଳକ ତାର ଆସିଲା । ଯୁବରାଜ କଲିକତାରେ ପହଞ୍ଚିଲାବେଳକୁ ସହରରେ ପୂରାପୂରି ହରତାଳ ହେଲା । ବର୍ଜନନୀତି ସଫଳ ହୋଇଥିବାରୁ ଦେଶବନ୍ଧୁ ଚିତ୍ତରଞ୍ଜନ ଆନନ୍ଦ ଅନୁଭବ କଲେ ସୁଦ୍ଧା ମିଳାମିଶା ପାଇଁ ଦେଖାଦେଇଥିବା ଗୋଟିଏ ସୁବର୍ଣ୍ଣସୁଯୋଗ ହରାଇଲେ ବୋଲି ଦୁଃଖ କଲେ ।

 

୧୯୨୨ ଜାନୁଆରୀ ୨୦ ତାରିଖରେ ଜେଲଭିତରେ ଦେଶବନ୍ଧୁଙ୍କର ବିଚାର ଆରମ୍ଭ ହେଲା । ବିଚାର ଦେଖିବାପାଇଁ ସାଧାରଣ ଲୋକଙ୍କୁ ଅନୁମତି ମିଳିଲା ନାହିଁ । ଏପରିକି, ସାମ୍ୱାଦିକମାନଙ୍କୁ ମଧ୍ୟ ଯିବାକୁ ଅନୁମତି ମିଳିଲା ନାହିଁ । କେବଳ ଆଇନଜ୍ଞମାନଙ୍କୁ ଯିବାକୁ ଛାଡ଼ି ଦିଆଯାଇଥିଲେ ସୁଦ୍ଧା ସେମାନେ ମଧ୍ୟ ଜେଲ୍ ମଧ୍ୟରୁ ପ୍ରବେଶ କରିବାପାଇଁ ଅସୁବିଧା ଅନୁଭବ କରିଥିଲେ । ବିଚାର ଆରମ୍ଭ ହେବାମାତ୍ରେ ପ୍ରଥମେ ଏହି ବିଚାର ସର୍ବସାଧାରଣରେ ହେଉଛି ବା ଗୁପ୍ତରେ (in Camera) ହେଉଛି ବୋଲି ଦେଶବନ୍ଧୁ ଜାଣିବାକୁ ଚାହିଁବାରୁ ବିଚାର ସର୍ବସାଧାରଣରେ ହେଉଛି ବୋଲି ବିଚାରକ ଜବାବ ଦେଲେ । ସର୍ବସାଧାରଣରେ ବିଚାର ହେଉଛି ବୋଲି କୁହାଯାଉଥିଲେ ସୁଦ୍ଧା ଓକିଲମାନଙ୍କୁ ମଧ୍ୟ ଆସିବାକୁ ଅନୁମତି ମିଳୁନାହିଁ ବୋଲି ଚିତ୍ତରଞ୍ଜନ ବିଚାରକଙ୍କର ଦୃଷ୍ଟି ଆକର୍ଷଣ କରିବାରୁ ଏହାର ସେ କୌଣସି ଜବାବ ଦେଇପାରି ନଥିଲେ ।

 

ଫୌଜଦାରି ଦଣ୍ଡବିଧି ବିରୁଦ୍ଧରେ ଆଇନର (୧୭) (୨) ଧାରା ଅନୁଯାୟୀ ଚିତ୍ତରଞ୍ଜନଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇ ପରଦିନ ସାଧାରଣରେ ବିଚାର ହେବ ବୋଲି ନିଷ୍ପତ୍ତି କରାଗଲା । ଜାନୁୟାରୀ ୨୪ ତାରିଖ ଦିନ ଦେଶବନ୍ଧୁଙ୍କୁ ଇନ୍‍ପ୍ଲୁଏଓ୍ୱା ଜ୍ୱର ହେଲା । କିଛିଦିନ ପରେ ଜ୍ୱର ଛାଡ଼ିଯାଇଥିଲେ ସୁଦ୍ଧା ସେ ବିଶେଷ ଦୁର୍ବଳ ଏବଂ ରକ୍ତହୀନ ହୋଇପଡ଼ିଲେ । ଫେବୃଆରୀ ୭ ତାରିଖ ଦିନ ମୁଖ୍ୟ ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କୁ ହାଜର କରାଗଲା ଏବଂ ସେ କିଛି କହିବାକୁ ଚାହାନ୍ତି, କି ନାହିଁ ବୋଲି ପଚରାଗଲା । ଦେଶବନ୍ଧୁ କିଛି କହିବାକୁ ବା ସାକ୍ଷୀମାନଙ୍କୁ ଜେରା କରିବାର କିଛି ନାହିଁ ବୋଲି କହିଲେ । ସେ ପୁଣି କହିଲେ, ବିଚାର ସମୟରେ ନିଜ ପକ୍ଷରୁ କୌଣସି ସାକ୍ଷ୍ୟ ଦେବାକୁ ସେ ଚାହାନ୍ତି ନାହିଁ । ଏହା ଫଳରେ ମାଜିଷ୍ଟ୍ରେଟ ତାଙ୍କୁ ୬ ମାସ ଅଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ।

 

ବିଚାରବେଳେ ଉପସ୍ଥିତ ଥିବା ଅସଂଖ୍ୟ ଜନତା ବିଶେଷ ଭାବରେ ଭାବପ୍ରବଣ ହୋଇ ଉଠିଥିଲେ ସୁଦ୍ଧା ଦେଶବନ୍ଧୁ ଧୀରସ୍ଥିର ଓ ଅବିଚଳିତ ରହିଥିଲେ ଏବଂ ତାଙ୍କ ଉପରେ ସବୁରି ନଜର ପଡ଼ିଥିଲା ।’’ ଏପରି ଅବସ୍ଥାରେ ରାୟ ଶୁଣାଇ ଦିଆଗଲା ପରେ ଦେଶବନ୍ଧୁ ଏକ ବିବୃତି ଦେଇ ମକଦ୍ଦମା ଲଢ଼ିବା ନିରର୍ଥକ ବୋଲି କହିଲେ । ଯେଉଁ ତିନି ଗୋଟି ଦସ୍ତଖତ ଯୋଗୁଁ ତାଙ୍କୁ ଦଣ୍ଡ ଦିଆଯାଉଛି, ସେଗୁଡ଼ିକ ତାଙ୍କର ଦସ୍ତଖତ ନୁହେଁ ଓ ବଣ୍ଟାଯାଇଥିବା ପ୍ରଚାରପତ୍ରମାନ ତାଙ୍କ ପରାମର୍ଶ କ୍ରମେ ବଣ୍ଟାଯାଇଥିଲା ବୋଲି ସେ ଜୋର ଦେଇ କହିଲେ । ସେ ଦସ୍ତଖତ ତାଙ୍କର ବୋଲି ହସ୍ତାକ୍ଷର ବିଶେଷଜ୍ଞ ଯେଉଁ ସାକ୍ଷ୍ୟ ଦେଇଥିଲେ, ତାକୁ ସେ ଦୃଢ଼ତାର ସହିତ ଅସ୍ୱୀକାର କରିଥିଲେ ଏବଂ ଏହି ଅମଲାତନ୍ତ୍ର ଶାସନ ଯାହାକୁ ଚାହିଁବେ, ତାକୁ କିପରି ଜେଲକୁ ପଠାଇ ଦେଇପାରିବେ, ଏହା ତାହାର ଗୋଟିଏ ଜ୍ୱଳନ୍ତ ପ୍ରମାଣ ବୋଲି ସେ କହିଥିଲେ ।

 

ଦେଶବନ୍ଧୁଙ୍କୁ କେନ୍ଦ୍ର ଜେଲକୁ ନିଆଗଲା ଓ ସେଠାରେ ତାଙ୍କର ବହୁ ପୁରାତନ ବନ୍ଧୁ ଓ ଅନୁଚରଙ୍କୁ ସେ ଭେଟିଲେ । ତାଙ୍କର ପୁଅ ଚିତ୍ତରଞ୍ଜନ ଦାସ, ସୁଭାଷଚନ୍ଦ୍ର ବୋଷ, ହେମନ୍ତ ସରକାର ଏବଂ ବୀରେନ୍ଦ୍ରନାଥ ସାସମଲ ପ୍ରଭୃତି ପୂର୍ବରୁ ସେଠାରେ ଥିଲେ । ମୌଲାନା ଆବୁଲ କାଲାମ ଆଜାଦ୍ ମଧ୍ୟ ସେହି ଜେଲରେ ଥିଲେ ଓ ତାଙ୍କୁ ଦେଖିବାକୁ ଆସିଥିଲେ ।

 

Unknown

ଏହିଠାରେ ଥିଲାବେଳେ ଦେଶବନ୍ଧୁ ଜ୍ୱରରେ ଆକ୍ରାନ୍ତ ହେଲେ ଓ ତାଙ୍କୁ ନିଦ ହେଲା ନାହିଁ । ମାର୍ଚ୍ଚ ୧୫ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରକାଶ ପାଉଥିବା ସରକାରୀ ଇସ୍ତାହାରରେ ଜଣାଇ ଦିଆଗଲା ଯେ, ସବୁ ଦିନ ସନ୍ଧ୍ୟାବେଳେ ତାଙ୍କୁ ଜ୍ୱର ହେଉଥିଲେ ସୁଦ୍ଧା ଅନ୍ୟ କୌଣସି ଜଟିଳତା ନାହିଁ । ସେତେବେଳର ଲାଟ୍ ସାହେବଙ୍କ ଏକ୍‍ଜିକ୍ୟୁଟିଭ କାଉନ୍‍ସିଲ୍ ସଭ୍ୟ ସାର୍ ଅବଦୁର ରହିମ୍ ହସ୍ତକ୍ଷେପ କରିବା ଫଳରେ ଦେଶବନ୍ଧୁଙ୍କୁ ତାଙ୍କ ଘର ତିଆରି ଖାଦ୍ୟଜିନିଷ ଦିଆଯିବ ଏବଂ ସହରର ବିଖ୍ୟାତ ହୋମିଓପାଥ ଡାକ୍ତର ଡି.ଏନ୍. ରାୟ ତାଙ୍କୁ ଚିକିତ୍ସା କରିବେ ବୋଲି ଆଦେଶ ହେଲା । ଏସବୁ ସତ୍ତ୍ୱେ ତାଙ୍କର ଓଜନ କମିବାକୁ ଲାଗିଲା ଏବଂ ବହୁମୂତ୍ର ରୋଗର ଲକ୍ଷଣ ପ୍ରକାଶ ପାଇଲା ।

 

ଅହମ୍ମଦାବାଦ କଂଗ୍ରେସ ଅଧିବେଶନରେ ସଭାପତିଭାବେ ଦେଶବନ୍ଧୁ ଚିତ୍ତରଞ୍ଜନ ନିର୍ବାଚିତ ହୋଇଥିଲେ । ଜେଲରେ ଥିବାରୁ ତାଙ୍କ ସଭାପତି ଅଭିଭାଷଣ ସେ ତାଙ୍କ ଭଉଣୀ ଊର୍ମିଳା ଦେବୀଙ୍କ ହାତରେ ପଠାଇଲେ । ତାଙ୍କର ସ୍ତ୍ରୀ ବାସନ୍ତୀ ଦେବୀ ମଧ୍ୟ ଗୋଟିଏ ସଂକ୍ଷିପ୍ତ ଏବଂ ମର୍ମସ୍ପର୍ଶୀ ବାର୍ତ୍ତା ପଠାଇଥିଲେ । ଖୋଲା ଅଧିବେଶନରେ ଦେଶବନ୍ଧୁଙ୍କର ସେହି ଅଭିଭାଷଣ ଶ୍ରୀମତୀ ସରୋଜିନୀ ନାଇଡ଼ୁ ପାଠ କରିଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ହାକିମ ଆଜମଲ ଖାଁ ଅଧିବେଶନର ସଭାପତି କାମ ଚଳାଇଥିଲେ ।

 

କଂଗ୍ରେସର ଏହି ଅଧିବେଶନ ପରେ ଗୁଜରାଟର ବର୍ଦ୍ଦୋଳୀରେ ଗଣଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ମହାତ୍ମା ଗାନ୍ଧି ପ୍ରସ୍ତାବ କଲେ । ଏହି ଆନ୍ଦୋଳନରେ ଲୋକେ ଭୂରାଜସ୍ୱ ଏବଂ ଅନ୍ୟାନ୍ୟ କର ଦେବେ ନାହିଁ ବୋଲି କାର୍ଯ୍ୟକ୍ରମ ରଖାଗଲା । ଆଇନଅମାନ୍ୟ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଗୋରଖପୁର ଜିଲ୍ଲାର ଚୌରୀଚୌରାଠାରେ ଏକ ଅବାଞ୍ଛିତ ଘଟଣା ଘଟିବା ଫଳରେ କେତେକ ପୋଲିସ୍‍ଙ୍କର ଜୀବନହାନି ଘଟିଲା । ମହାତ୍ମା ଗାନ୍ଧି ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କମିଟିର ବୈଠକ ଡାକି ବର୍ଦ୍ଦୋଳୀର ପ୍ରସ୍ତାବିତ ଆଇନଅମାନ୍ୟ ଆନ୍ଦୋଳନ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖିଲେ । ସମସ୍ତ ପ୍ରଦେଶର କଂଗ୍ରେସ ଅନୁଷ୍ଠାନମାନଙ୍କୁ ସ୍ୱେଚ୍ଛାସେବକମାନଙ୍କର କାର୍ଯ୍ୟାବଳୀ, ସମସ୍ତ ପ୍ରକାର ସଭା ଓ ଶୋଭାଯାତ୍ରା ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଲେ । ଏସବୁ କାର୍ଯ୍ୟ ପରିବର୍ତ୍ତେ କଂଗ୍ରେସ ଲୋକେ ସୂତା କାଟନ୍ତୁ ବୋଲି ସେ ପରାମର୍ଶ ଦେଲେ ।

 

ଏହି ନିଷ୍ପତ୍ତିରେ ଦେଶବନ୍ଧୁ ଦାସ ବିଶେଷ ବିଚଳିତ ହୋଇ ପଡ଼ିଲେ । ତାଙ୍କର ସହବନ୍ଦୀମାନଙ୍କୁ ସେ କହିଲେ, ‘ବର୍ଦ୍ଦୋଳୀର ଗଣଆଇନଅମାନ୍ୟ ବନ୍ଦ ରଖିବା ସପକ୍ଷରେ ମହାତ୍ମାଜୀଙ୍କର ଯାହା କିଛି ଯୁକ୍ତି ଥାଉ ପଛକେ, ବଙ୍ଗଳାର ସ୍ୱେଚ୍ଛାସେବକମାନଙ୍କ କାର୍ଯ୍ୟ ଯୋଗୁଁ ସରକାରୀ କଳ ପ୍ରାୟ ଅଚଳ ହୋଇ ଯାଇଛି । ତେଣୁ ସେମାନଙ୍କର କାର୍ଯ୍ୟ ସ୍ଥଗିତ ରଖିବାପାଇଁ କୌଣସି ଯୁକ୍ତି ନଥିଲା । ଏହା ହେଉଛି ଦ୍ୱିତୀୟ ଦୃଷ୍ଟାନ୍ତ, ଯେତେବେଳେକି ମହାତ୍ମାଜୀଙ୍କ ଯୋଗୁଁ ଅବସ୍ଥା ଗୋଳମାଳିଆ ହୋଇଗଲା ।

 

ଏହି ନିଷ୍ପତ୍ତି ଫଳରେ ଦେଶବନ୍ଧୁ କିପରି ବିଚଳିତ ହୋଇଥିଲେ, ତାହା ଚିତ୍ରଣ କରିବାକୁ ଯାଇ ସୁଭାଷଚନ୍ଦ୍ର ବୋଷ ଲେଖିଛନ୍ତି–ମହାତ୍ମାଜୀ ଯେପରି ଭାବରେ ଅବସ୍ଥାକୁ ବାରମ୍ୱାର ଦୂଷିତ କରୁଛନ୍ତି, ସେଥିପାଇଁ ଦେଶବନ୍ଧୁ କ୍ରୋଧ ଓ ରାଗରେ ପୂରି ରହିଥିଲେ । ବର୍ଦ୍ଦୋଳୀରେ ଯେପରି ପଛଘୁଞ୍ଚା ଦିଆଗଲା, ତାହା ପଛରୁ ଛୁରା ମାରିବା ପରି ହେଲା ବୋଲି ସେ ଭାବିଥିଲେ ।

 

ଦେଶବନ୍ଧୁଙ୍କ ଛଡ଼ା ଅନ୍ୟାନ୍ୟ ନେତୃସ୍ଥାନୀୟ ଲୋକେ ମଧ୍ୟ ମହାତ୍ମା ଗାନ୍ଧିଙ୍କ ନିଷ୍ପତ୍ତିରେ ଦୁଃଖ ପ୍ରକାଶ କଲେ । ସମଗ୍ର ଭାରତ ଅହିଂସ ହୋଇଯିବ, ଏହା ଆଶା କରିବା ବୃଥା ବୋଲି ମୌଲାନା ଆବୁଲ କାଲାମ ଆଜାଦ୍ ଏ ପୁସ୍ତକର ଲେଖକଙ୍କୁ କହିଥିଲେ । କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ରାମର ଦୋଷପାଇଁ ସମଗ୍ର ପ୍ରଦେଶକୁ ଦଣ୍ଡରେ ଦଣ୍ଡିତ କରିବା ଅନ୍ୟାୟ ବୋଲି ସେ ମତ ପ୍ରକାଶ କରିଥିଲେ ।

 

ପଣ୍ଡିତ ମୋତିଲାଲ ନେହେରୁ ଓ ଲାଲା ଲଜପତ ରାୟ ଏହି ନିଷ୍ପତ୍ତିର ପ୍ରତିବାଦ କଲେ-। ଲାଲା ଲଜପତ ରାୟ ଏ ସମ୍ପର୍କରେ ୭୦ ପୃଷ୍ଠାର ଗୋଟିଏ ଚିଠି ଲେଖି ସେଥିରେ କହିଥିଲେ ଯେ, ଏହି ନିଷ୍ପତ୍ତିଦ୍ୱାରା ସମଗ୍ର ଦେଶକୁ ଦଣ୍ଡ ଦିଆଯାଇଛି । କୁମାରିକା ଅନ୍ତରୀପରେ ବାସକରୁଥିବା ଲୋକମାନଙ୍କର ଦୁଷ୍କର୍ମପାଇଁ ହିମାଳୟ ସୀମାନ୍ତର ଲୋକମାନେ ଦଣ୍ଡଭୋଗ କରିବା କ’ଣ ଉଚିତ-?

 

କଂଗ୍ରେସନୀତିରେ ହଠାତ୍ ଏଭଳି ପରିବର୍ତ୍ତନ ଫଳରେ ସମଗ୍ର ଦେଶର ମନୋବଳ ଭାଙ୍ଗିଗଲା । ଏଣିକି ସରକାର ମହାତ୍ମା ଗାନ୍ଧିଙ୍କ ଉପରେ ପ୍ରତ୍ୟକ୍ଷ ଆକ୍ରମଣ କରିବାପାଇଁ ନିଜକୁ ବେଶ୍ ଶକ୍ତିଶାଳୀ ମନେକଲେ । ‘ୟଙ୍ଗ୍ ଇଣ୍ଡିଆ’ରେ ଲେଖିଥିବା କେତେକ ପ୍ରବନ୍ଧ ଯୋଗୁଁ ତାଙ୍କୁ ୧୯୨୨ ମାର୍ଚ୍ଚ ୧୦ ତାରିଖ ଦିନ ଗିରଫ୍ କରାଯାଇ ୬ ବର୍ଷ ଅଶ୍ରମ କାରାଦଣ୍ଡ ଦିଆଗଲା । ଏହିଥିରୁ ଦେଶର ଅବସ୍ଥା ଭଲଭାବେ ବୁଝିହେବ । ଅଳ୍ପଦିନ ପୂର୍ବରୁ ଦେଶସାରା ଅଦମ୍ୟ ଉତ୍ସାହ ଓ ଆଗ୍ରହ ଦେଖାଦେଇଥିଲେ ସୁଦ୍ଧା ବର୍ତ୍ତମାନ ନୈରାଶ୍ୟ ଓ ହତାଶ ଭାବ ଦେଖାଦେଲା ।

 

ଦେଶବନ୍ଧୁ ଚିତ୍ତରଞ୍ଜନଙ୍କୁ ଦଣ୍ଡ ଦିଆଯିବା ସମୟରେ ସେ ୟୁରୋପୀୟ ବନ୍ଦୀଭାବରେ ଶ୍ରେଣୀଭୁକ୍ତ ହେବାକୁ ଚାହାନ୍ତି କି ନାହିଁ ବୋଲି ଜେଲରେ ତାଙ୍କୁ ପଚରାଗଲା । ସେ ସମୟରେ ୟୁରୋପୀୟ ଶ୍ରେଣୀଭୁକ୍ତ ବନ୍ଦୀମାନଙ୍କୁ କେତେକ ସ୍ୱତନ୍ତ୍ର ସୁବିଧା ଦିଆଯାଉଥିଲା । ମୁହୂର୍ତ୍ତେ ମାତ୍ର ଚିନ୍ତା ନ କରି ଦେଶବନ୍ଧୁ ଦାସ ଜେଲର୍‍ଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ସେ ଭାରତୀୟ ବନ୍ଦୀଭାବରେ ରହିବାକୁ ଚାହାନ୍ତି ବୋଲି ଉତ୍ତର ଦେଇଥିଲେ ।

 

ବନ୍ଦୀ ଅବସ୍ଥାରେ ଥିଲାବେଳେ ସେ ତାଙ୍କ ସମୟତକ ପଢ଼ିବା, ଲେଖାଲେଖି କରିବା ଓ ବନ୍ଧୁମାନଙ୍କ ସହିତ ଆଲୋଚନା କରିବାରେ କଟାଉଥିଲେ । ଇତିହାସ, ରାଜନୀତି, ଦର୍ଶନ ଓ ଅର୍ଥନୀତି ସମ୍ପର୍କୀୟ ପୁସ୍ତକମାନ ସେ ଅଧ୍ୟୟନ କରୁଥିଲେ । ଭାରତୀୟ ଜାତୀୟତାବାଦର ଇତିହାସ ଓ ଦର୍ଶନ ସମ୍ପର୍କରେ ସେ ଲେଖୁଥିବା ଗୋଟିଏ ବହି ଲେଖାରେ ସବୁଦିନ ସକାଳ ଓଳାଟି ସେ ବିତାଉଥିଲେ ।

 

ଏହି ବନ୍ଦୀଜୀବନରେ ନାଟକ ଏବଂ ରଙ୍ଗମଞ୍ଚ ସମ୍ପର୍କରେ ଆଲୋଚନା କରି ସେ ବହୁ ସମୟରେ ଆନନ୍ଦ ଉପଭୋଗ କରୁଥିଲେ । ଲଣ୍ଡନ ରଙ୍ଗମଞ୍ଚରେ ସେ ଦେଖିଥିବା ସାର୍ ହେନରୀ ଆରଭିଂ ଓ ଇଲେନ୍‍ଟେରୀଙ୍କ ଅଭିନୟ କିପରି ତାଙ୍କୁ ଆନନ୍ଦ ଦେଇଥିଲା, ତାହା ତାଙ୍କର ମନେ ପଡ଼ୁଥିଲା । ଜେଲରେ ଥିବା ଅନ୍ୟାନ୍ୟ ରାଜନୈତିକ ବନ୍ଦୀମାନଙ୍କ ନିକଟରେ ଜେଲ ଭିତରେ ଗୋଟିଏ ନାଟକ ମଞ୍ଚସ୍ଥ କରିବାପାଇଁ ସେ ପ୍ରସ୍ତାବ ଦେଲେ । ସ୍ୱନାମଧନ୍ୟ ନାଟ୍ୟକାର ଶ୍ରୀ ଗିରୀଶଚନ୍ଦ୍ର ବୋଷଙ୍କର ସାମାଜିକ ନାଟକ ‘ପ୍ରଫୁଲ୍ଲ’କୁ ଏଥିପାଇଁ ବଛାଗଲା । ନାଟ୍ୟପ୍ରସ୍ତୁତି ଏବଂ ମଞ୍ଚନିର୍ମାଣ ପ୍ରଭୃତି କାର୍ଯ୍ୟରେ ସବୁ ରାଜନୈତିକ ବନ୍ଦୀ ବ୍ୟସ୍ତ ରହିଲେ । କିଛିଦିନ ପରେ ଠିକ୍ ସମୟରେ ନାଟକକୁ ମଞ୍ଚସ୍ଥ କରାଗଲା । ଭାରତୀୟ କାରାଗାର ମଧ୍ୟରେ ନାଟ୍ୟାଭିନୟର ଏହା ହେଉଛି ସର୍ବପ୍ରଥମ ପ୍ରଚେଷ୍ଟା ।

 

କାରାଗାର ମଧ୍ୟରେ ଥିବା ବନ୍ଧୁ ଏବଂ ସହକର୍ମୀମାନଙ୍କ ସହ ଆଲୋଚନାବେଳେ ବହୁ ସମୟରେ ଚିତ୍ତରଞ୍ଜନ ତାଙ୍କର ମନର କଥା ପ୍ରକାଶ କରୁଥିଲେ । ତାଙ୍କ ସମ୍ପର୍କରେ ଆସୁଥିବା ଲୋକମାନଙ୍କୁ ତାଙ୍କ ନିରାଡ଼ମ୍ୱରତା ଏବଂ ଆନ୍ତରିକତା ଅତ୍ୟନ୍ତ ଉଦ୍‍ବୁଦ୍ଧ କରୁଥିଲା । ତାଙ୍କର ରସିକତା ଓ ପରିହାସପୂର୍ଣ୍ଣ ସ୍ୱଭାବ ଯୋଗୁଁ ଆଲୋଚନା କରୁଥିବା ପ୍ରତ୍ୟେକ ବିଷୟକୁ ସେ ସାଧାରଣତଃ ସରସ କରିପାରୁଥିଲେ ।

 

ବ୍ୟବସ୍ଥାପକ ସଭାମାନଙ୍କରେ କଂଗ୍ରେସ ପ୍ରବେଶ କରିବା କଥା ଦିନେ ଆଲୋଚନା ହେଲା । କଂଗ୍ରେସ ଲୋକେ ବ୍ୟବସ୍ଥାପକ ସଭାକୁ ଗଲେ ଅସହଯୋଗ କାର୍ଯ୍ୟକ୍ରମରେ ବ୍ୟାଘାତ ସୃଷ୍ଟି ହେବ ବୋଲି ଜଣେ କର୍ମୀ ମତ ପ୍ରକାଶ କରିବାରୁ ଚିତ୍ତରଞ୍ଜନ ତାହା ଅସ୍ୱୀକାର କଲେ । ବ୍ୟବସ୍ଥାପକ ସଭା ଭିତରୁ ଓ ବାହାରୁ ଅସହଯୋଗ ସଫଳତାର ସହିତ କରାଯାଇପାରିବ ବୋଲି ସେ ଦୃଢ଼ଦାର ସହିତ କହିଲେ । କାର୍ଯ୍ୟତଃ ବ୍ୟବସ୍ଥାପକ ସଭା ମଧ୍ୟରେ ବିରୋଧ କରାଗଲେ ଶାସନସଂସ୍କାରକୁ ଭଣ୍ଡୁରକରିବା ଲକ୍ଷ୍ୟ ଅଧିକ ସଫଳ ହେବ ଏବଂ ତା’ ସଙ୍ଗେ ସଙ୍ଗେ ଅମଲାତନ୍ତ୍ର ଶାସନକୁ ମଧ୍ୟ ଅଧିକ ଅସହାୟ କରାଯାଇପାରିବ ।

 

ବ୍ୟବସ୍ଥାପକ ସଭାମାନଙ୍କରେ କଂଗ୍ରେସ ଲୋକମାନଙ୍କର କାର୍ଯ୍ୟକ୍ରମ କ’ଣ ହେବ ବୋଲି ପଚାରିବାରୁ ଚିତ୍ତରଞ୍ଜନ କହିଲେ–‘ସେମାନେ ସରକାରଙ୍କର ପ୍ରତ୍ୟେକ କାର୍ଯ୍ୟକୁ ବ୍ୟବସ୍ଥାପକ ସଭାରେ ବିରୋଧ କରିବେ-। ତାହା ଛଡ଼ା ଏହି ଶାସନସଂସ୍କାର ଫଳରେ କୌଣସି ମଙ୍ଗଳ ହୋଇନାହିଁ ବୋଲି ଦେଶ ତଥା ଦୁନିଆକୁ ଦେଖାଇଦେବା ଭଳି କାର୍ଯ୍ୟ କରିବେ । ପ୍ରଚଳିତ ଶାସନସଂସ୍କାରକୁ ହୁଏତ ସେମାନେ ବଦଳାଇବେ ବା ଅକାମୀ କରିଦେବେ ।

 

ଏ ଶାସନ–ସଂସ୍କାରରେ କିଛି ନ ଥିବା ଜଣାଶୁଣା କଥା ବୋଲି ଜଣେ ସମାଲୋଚକ ମତ ପ୍ରକାଶ କରିବାରୁ ଏପରି କହିବାର ଅର୍ଥ କିଛି ନାହିଁ ବୋଲି ଚିତ୍ତରଞ୍ଜନ କହିଥିଲେ । ଅମଲାତନ୍ତ୍ରୀ ଶାସନ ନିଜ ଇଚ୍ଛାନୁଯାୟୀ ସମସ୍ତ ପ୍ରକାର କାର୍ଯ୍ୟ କରିଥିଲେ ସୁଦ୍ଧା ଶାସନସଂସ୍କାର ଫଳରେ ବ୍ୟବସ୍ଥାପକ ସଭାର ସମ୍ମତିରେ ସମସ୍ତ କାର୍ଯ୍ୟ କରାଯାଇଛି ବୋଲି ସେମାନେ ଦେଖାଇଦେବେ । ସରକାର ଲୋକଙ୍କର ନିର୍ବାଚିତ ପ୍ରତିନିଧିମାନଙ୍କର ପରାମର୍ଶକ୍ରମେ ସମସ୍ତ କାର୍ଯ୍ୟ କରୁଥିବାରୁ ଏହି କାର୍ଯ୍ୟରେ ବ୍ରିଟିଶ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ ବୋଲି ଲର୍ଡ଼ ରୋନାଲ୍ଡ଼ସେ ତାଙ୍କୁ କହିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ । ବର୍ତ୍ତମାନର ବ୍ୟବସ୍ଥାପକ ସଭା ସଭ୍ୟମାନେ ଲୋକମାନଙ୍କର ପ୍ରକୃତ ପ୍ରତିନିଧି ନୁହନ୍ତି, ଏ କଥା ଦେଖାଇଦେବା ଦରକାର ବୋଲି ଦେଶବନ୍ଧୁ ମତ ପ୍ରକାଶ କଲେ ।

 

ତଥାପି ସମାଲୋଚକମାନେ ବୁଝିଲେ ନାହିଁ ବା ସେମାନଙ୍କର ହୃଦ୍‍ବୋଧ ହେଲା ନାହିଁ-। କଂଗ୍ରେସ ବ୍ୟବସ୍ଥାପକ ସଭାମାନଙ୍କରେ ପ୍ରବେଶ କଲେ ସରକାରଙ୍କର ଦମନନୀତି ବନ୍ଦ ହୋଇପାରିବ କି ନାହିଁ, ଏକଥା ସେମାନେ ଜାଣିବାକୁ ଚାହିଁଲେ ।

 

ଏପରି କିଛି ଘଟିବ ବୋଲି ଆଶା କରିବା ଅଧିକ ଆଶାବାଦିତା ହେବ ବୋଲି ଚିତ୍ତରଞ୍ଜନ କହିଲେ । ଅବଶ୍ୟ ସରକାରଙ୍କ ଉପରେ ଏହା ପ୍ରଭାବ ପଡ଼ିବ ଏବଂ ସରକାର କରୁଥିବା କାର୍ଯ୍ୟରେ ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ସମ୍ମତି ଅଛି ବୋଲି ବର୍ତ୍ତମାନ ଯାହା ଦାବି କରାଯାଉଛି, ସେ ଦାବି ସରକାର କରିପାରିବେ ନାହିଁ । ବ୍ୟବସ୍ଥାପକ ସଭାମାନଙ୍କରେ ଗୋଟିଏ ପକ୍ଷ ସରକାରୀ ଦଳ ଏବଂ ଅନ୍ୟ ପକ୍ଷଟି ଲୋକମତର ସମର୍ଥକ ଦଳ–ଏପରି ଦୁଇଟି ଦଳ ରହିବେ-। ତାହାହେଲେ ମଧ୍ୟ ଅମଲାତନ୍ତ୍ର ସରକାର ଯାହା ଇଚ୍ଛା କରିବେ, ତାହା କରିଯିବେ । ମାତ୍ର ସେତେବେଳେ ସୁଦ୍ଧା ଲୋକପ୍ରତିନିଧିମାନଙ୍କର ସମର୍ଥନରେ କାର୍ଯ୍ୟ କରାଯାଉଛି ବୋଲି ସେ ଆଉ କରିପାରିବେ ନାହିଁ । ଏହା ଫଳରେ ଲୋକଙ୍କ ମଧ୍ୟରେ ଅଧିକ ଜାଗରଣ ପ୍ରକାଶ ପାଇବ ଓ ଜାତୀୟ ସଂଗ୍ରାମର ପଥ ଅଧିକତର ସୁଗମ ହେବ ।

 

ବ୍ୟବସ୍ଥାପକ ସଭାର ସଭ୍ୟ ହେବା ଧର୍ମବିରୋଧୀ କାର୍ଯ୍ୟ ହେବ କି ନାହିଁ ବୋଲି ଜଣେ କର୍ମୀ ପଚାରିବାରୁ ଦେଶବନ୍ଧୁ ହସିଉଠି କହିଲେ–‘ଆଇନଅମାନ୍ୟ ଯେତେ ଦୂର ଧର୍ମବିରୁଦ୍ଧ, ବ୍ୟବସ୍ଥାପକ ସଭାରେ ପଶିବା ତା’ଠାରୁ ଅଧିକ ଧର୍ମବିରୁଦ୍ଧ ନୁହେଁ ।’

 

ବ୍ୟବସ୍ଥାପକ ସଭାରେ ପ୍ରବେଶ କଲେ ଦେଶ ଯାହା ପାଇଛି, ସରକାର ତାହା ନେଇଯିବାକୁ ସୁଯୋଗ ପାଇବେ ବୋଲି ଜଣେ କର୍ମୀ ମନ୍ତବ୍ୟ କରିବାରୁ ଉତ୍ତରରେ ଚିତ୍ତରଞ୍ଜନ କହିଲେ–ସରକାର ପ୍ରକୃତରେ କିଛି ଦେଇନାହାନ୍ତି ଏବଂ ଅମଲାତନ୍ତ୍ର ଶାସନରୁ କୌଣସି ଭଲ ଫଳ ମିଳିପାରିବ ନାହିଁ ।

 

ପ୍ରକୃତ କଥା କହିବାକୁ ଗଲେ ଦ୍ୱୈତ ଶାସନପ୍ରଣାଳୀରେ ଅମଲାତନ୍ତ୍ର ଶାସନ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରେ ନାହିଁ ଏବଂ ଯାହା କିଛି ବା ସାମାନ୍ୟ ଦିଆଯାଇଛି, ସରକାରଙ୍କ ପକ୍ଷରେ ତାହା ଦେବା ଛଡ଼ା ଅନ୍ୟ ଗତି କିଛି ନଥିଲା ବୋଲି ସେ ମତ ପ୍ରକାଶ କଲେ ।

 

ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ଭଲ ହେଉ ବା ମନ୍ଦ ହେଉ ତାହାର ବିରୋଧ କରିବା ଦେଶବନ୍ଧୁଙ୍କର ଇଚ୍ଛା କି ବୋଲି ଜଣେ ପ୍ରଶ୍ନ କଲେ । ଏହାର ଉତ୍ତରରେ ଅମଲାତନ୍ତ୍ର ଶାସନଦ୍ୱାରା କୌଣସି ଭଲ କାର୍ଯ୍ୟ ହେବ ବୋଲି ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଲେ । ହୁଏତ ଦାତବ୍ୟ ଚିକିତ୍ସାଳୟ ସ୍ଥାପନ ଭଳି କେତେକ କାମରେ ସାମୟିକ ଉପକାର ମିଳିପାରେ; ମାତ୍ର ସେସବୁ କାମ ଫଳରେ ଲୋକଙ୍କର ପ୍ରକୃତ ମଙ୍ଗଳ କରାଯାଇପାରିବ ନାହିଁ ବା ସ୍ୱରାଜ ମିଳିପାରିବ ନାହିଁ ବୋଲି ସେ କହିଲେ ।

 

ମନ୍ତ୍ରିପଦ ତାଙ୍କୁ ଦିଆଗଲେ ସେ ତାହା ଗ୍ରହଣ କରିବେ କି ନାହିଁ ବୋଲି ପ୍ରଶ୍ନ ହେବାରୁ ଚିତ୍ତରଞ୍ଜନ ଦୃଢ଼ତାର ସହିତ ମନା କରି କହିଲେ–ମନ୍ତ୍ରିତ୍ୱ ଗ୍ରହଣ କରିବାର ଅନ୍ୟ ନାମ ହେଉଛି ସହଯୋଗ । ଯେବେ ସମସ୍ତ ବିଭାଗର ଦାୟିତ୍ୱ ଲୋକପ୍ରତିନିଧିମାନଙ୍କ ହାତରେ ଦିଆଯାଏ, ତାହାହେଲେ ସେଭଳି ଅବସ୍ଥାରେ ସେ ମନ୍ତ୍ରିତ୍ୱ ଗ୍ରହଣ କରିବାକୁ ରାଜି ହେବେ । ବିଚକ୍ଷଣ ରାଜନୀତିଜ୍ଞ ହିସାବରେ ସେ ପୁଣି କହିଲେ–ଦେଶର ସଂସ୍କାର ପ୍ରାଦେଶିକ ସ୍ୱତନ୍ତ୍ରତା ସ୍ତରରୁହିଁ ଆରମ୍ଭ କରାଯିବା ଉଚିତ ।

ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବାଦ୍ୱାରା ସ୍ୱରାଜ ମିଳିପାରିବ କି ବୋଲି ପ୍ରଶ୍ନ ହେବାରୁ ଦେଶବନ୍ଧୁ ଚିତ୍ତରଞ୍ଜନ କହିଲେ–ଲୋକପ୍ରିୟ ରାଜନୈତିକ ଦଳମାନେ ବ୍ୟବସ୍ଥାପକ ସଭାମାନ ଦଖଲ କରି ଯଦି ସେଠାରେ ପ୍ରତି ସ୍ତରରେ ଲୋକମତ ପ୍ରକାଶ କରନ୍ତି, ତାହାହେଲେ ବ୍ରିଟିଶ ପାର୍ଲିଆମେଣ୍ଟ୍ ମିଳାମିଶା କଥା ଚିନ୍ତା କରିବାକୁ ବାଧ୍ୟହେବ । ଏହିପରି ଉପାୟରେ ହୁଏତ ବିନା ଆଇନଅମାନ୍ୟ–ଆନ୍ଦୋଳନରେ ଲକ୍ଷ୍ୟଲାଭ କରାଯାଇପାରେ ।

ଦେଶବନ୍ଧୁ ଏହିଭଳି ମତବ୍ୟକ୍ତ କରିବାରୁ ସେ ଆଇନଅମାନ୍ୟ ସପକ୍ଷରେ ନୁହନ୍ତି ବୋଲି ଜାଣିବାକୁ ଚାହୁଁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଚିତ୍ତରଞ୍ଜନ କହିଲେ ଯେ, ତାଙ୍କର ଗତ ବର୍ଷେ ଦୁଇବର୍ଷର କାର୍ଯ୍ୟାବଳୀରୁ ପରିଷ୍କାର ଜଣାଯାଇଛି ଯେ, ଏ ପ୍ରଶ୍ନ ଆଲୋଚ୍ୟ ବିଷୟର ଅନ୍ତର୍ଭୁକ୍ତ ନୁହେଁ । ଲୋକଙ୍କପାଇଁ ସ୍ୱରାଜଲାଭ କରିବା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ଏବଂ ଏଥିପାଇଁ ଆଇନଅମାନ୍ୟ ହେଉଛି ଗୋଟିଏ ମାତ୍ର ଉପାୟ । ଆଇନଅମାନ୍ୟ ଆରମ୍ଭ କରାଯିବା ପୂର୍ବରୁ ନିର୍ଦ୍ଦିଷ୍ଟ କାର୍ଯ୍ୟମାନଙ୍କୁ ବିରୋଧ କରି ଲୋକଙ୍କ ମଧ୍ୟରେ ପ୍ରତିରୋଧଶକ୍ତି ବୃଦ୍ଧିକରିବା ଦରକାର । ସେ ଆହୁରି ମଧ୍ୟ କହିଲେ ଯେ, ଲୋକସମର୍ଥନ ଫଳରେ ବ୍ୟବସ୍ଥାପକ ସଭା କାର୍ଯ୍ୟଦ୍ୱାରା ଯେବେ ପ୍ରାଦେଶିକ ସ୍ୱତନ୍ତ୍ରତା ମିଳିପାରେ, ତାହାହେଲେ ସେ ଆଇନଅମାନ୍ୟ–ଆନ୍ଦୋଳନ କରିବା ଉପରେ ଜୋର ଦେବେ ନାହିଁ । କାରଣ ତାହା ହେଉଛି ଶେଷ ଅସ୍ତ୍ର ।

ସେ ବ୍ୟବସ୍ଥାପକ ସଭାର ସଭ୍ୟ ହେଲେ ଶପଥ ଗ୍ରହଣ କରିବେ କି ନାହିଁ ବୋଲି କେତେକ କର୍ମୀ ପ୍ରଶ୍ନ କରିବାରୁ ସେଥିରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ଦେଶବନ୍ଧୁ ଜବାବ ଦେଲେ । ଏପରିକି, ଯେଉଁମାନେ ଅସହଯୋଗରେ ବିଶ୍ୱାସ କରନ୍ତି, ସେମାନେ ମଧ୍ୟ ସରକାରଙ୍କର ଡାକଟିକଟ ବ୍ୟବହାର କରୁଛନ୍ତି ଏବଂ ସରକାରଙ୍କର କାର୍ଯ୍ୟଫଳରେ ମିଳୁଥିବା ଅନ୍ୟାନ୍ୟ ସୁବିଧାର ସୁଯୋଗ ନେଉଛନ୍ତି । ମୁଖ୍ୟ ଉଦ୍ଦେଶ୍ୟ ହେଉଛି–ଦେଶରୁ ଅମଲାତନ୍ତ୍ରଶାସନ ଲୋପକରି ଶାସନପଦ୍ଧତିରେ ପରିବର୍ତ୍ତନ ଆଣିବା । ତାଙ୍କ ମତରେ ଅନ୍ୟ ଉପାୟରେ ଯେବେ ଏହି ଉଦ୍ଦେଶ୍ୟ ସାଧିତ ହୋଇପାରେ, ତାହାହେଲେ ରାଜା ବା ପାର୍ଲିଆମେଣ୍ଟ୍‍ଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ବାଧ୍ୟତାମୂଳକ ନୁହେଁ । ଏହି ଅବସ୍ଥାରେ ରଜାଙ୍କ ନାମରେ ଶପଥ ଗ୍ରହଣ କରିବାରେ କୌଣସି ଆପତ୍ତି ଥାଇପାରେ ବୋଲି ସେ ଭାବୁନାହାନ୍ତି ।

କେତେକ ଉଗ୍ରପନ୍ଥୀ ଏହି ଉତ୍ତରରେ ସନ୍ତୋଷ ଲାଭକରି ପାରିଲେ ନାହିଁ । ବ୍ରିଟିଶ ରାଜ୍ୟଗୋଷ୍ଠୀ ବାହାରେ ଭାରତର ସ୍ୱାଧୀନତା ସେ ଚାହାନ୍ତି କି ନାହିଁ ବୋଲି ସେମାନେ ଚିତ୍ତରଞ୍ଜନଙ୍କୁ ପଚାରିଲେ । ଉତ୍ତରରେ ଚିତ୍ତରଞ୍ଜନ କହିଲେ–ସେ ସ୍ୱାଧୀନତା ଚାହାନ୍ତି ଏବଂ ତା’ର ଆକାରପ୍ରକାର କ’ଣ ହେବ, ସେଥିରେ ତାଙ୍କର ବିଶେଷ କିଛି ଯାଏଁ ଆସେ ନାହିଁ । ସେ ସ୍ୱରାଜ ଚାହାନ୍ତି, ଯେଉଁଥିରେ କି ଭାରତର ଲୋକେ ନିଜ ଭାଗ୍ୟ ନିୟନ୍ତ୍ରଣ କରିବାପାଇଁ ପୂର୍ଣ୍ଣ ସ୍ୱାଧୀନତା ପାଇବେ । ବ୍ରିଟିଶ ରାଜ୍ୟଗୋଷ୍ଠୀ ସହ ସମ୍ପର୍କ ରହିବ କି ନାହିଁ, ଏହା ବର୍ତ୍ତମାନ ଜୀବନ୍ତ ପ୍ରଶ୍ନ ନୁହେଁ-। ତଥାପି କଂଗ୍ରେସ ଯେବେ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଏ, ତାହାହେଲେ ସେ ତାହାକୁ ସମର୍ଥନ କରିବେ ଓ ସେଥିପାଇଁ ଲଢ଼େଇ କରିବେ ।

ସେହି ବର୍ଷ ଶ୍ରୀମତୀ ବାସନ୍ତୀଦେବୀଙ୍କ ସଭାପତିତ୍ୱରେ ଚିଟାଗଙ୍ଗରେ ବଙ୍ଗଳା ପ୍ରାଦେଶିକ ସମ୍ମିଳନୀର ଅଧିବେଶନ ହେଲା । ତାଙ୍କ ଅଭିଭାଷଣରେ ବ୍ୟବସ୍ଥାପକ ସଭା ପ୍ରବେଶ ପ୍ରଶ୍ନ ଉପରେ ଆଖି ରଖି କଂଗ୍ରେସକୁ ହୁଏତ ତା’ର କାର୍ଯ୍ୟକ୍ରମ ବଦଳାଇ ବ୍ୟବସ୍ଥାପକ ସଭା ଭିତରୁ ଅସହଯୋଗ କରିବା ନୀତି ଗ୍ରହଣ କରିବାକୁ ପଡ଼ିପାରେ ବୋଲି ସେ ସୂତନା ଦେଇଥିଲେ । ଏଭଳି ସୂଚନା ଦେବାଦ୍ୱାରା ସେ ଚିତ୍ତରଞ୍ଜନଙ୍କର ମତ ପ୍ରକାଶ କରୁଛନ୍ତି ବୋଲି ଅର୍ଥ କରାଗଲା । ତେଣୁ ଏହି ସମ୍ପର୍କରେ ଜେଲ ଭିତରେ ଓ ବାହାରେ ବିବାଦ ଦେଖାଦେଲା । ଏପରିକି ଦେଶବନ୍ଧୁଙ୍କର କେତେକ ବନ୍ଧୁ ଓ ଅନୁଗାମୀ ମଧ୍ୟ ଏହାର ପ୍ରବଳ ବିରୋଧ କଲେ ।

Image

 

ଦଶମ ଅଧ୍ୟାୟ

ଗୟା–କଂଗ୍ରେସ

 

ଜେଲରେ ଥିବା ସମୟରେ ଦେଶବନ୍ଧୁଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଖଲାସ ହେବାପରେ ବିଶ୍ରାମ ନେବା ଦରକାର ହେଉଥିଲା; କିନ୍ତୁ ଜେଲରୁ ଆସିଲା ପରେ ବିଶ୍ରାମ ନେବା ପରିବର୍ତ୍ତେ ତାଙ୍କୁ କେତେକ ସାର୍ବଜନୀନ କାର୍ଯ୍ୟ କରିବାକୁ ପଡ଼ିଥିଲା । କଲିକତାର ବିଭିନ୍ନ ଅଞ୍ଚଳରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଅଭ୍ୟର୍ଥନାମାନଙ୍କରେ ଯୋଗଦେବାକୁ ପଡ଼ିଥିଲା । ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ହୋଇଥିବା ଗୋଟିଏ ସାଧାରଣସଭାରେ ଜାତୀୟ କାର୍ଯ୍ୟପାଇଁ ଛାତ୍ରସମାଜ ଯେଉଁ ତ୍ୟାଗ ସ୍ୱୀକାର କରି ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି, ଚିତ୍ତରଞ୍ଜନ ତା’ର ଭୂୟସୀ ପ୍ରଶଂସା କରିଥିଲେ । ଭାରତରେ ସ୍ୱାଧୀନତା ଅହିଂସା ଓ ସତ୍ୟ ପନ୍ଥାରେହିଁ ମିଳିବ ଏବଂ ସତ୍ୟ ଛଡ଼ା ଅନ୍ୟ କୌଣସି ପନ୍ଥା ନାହିଁ ବୋଲି ତାଙ୍କର ପୂର୍ବାପେକ୍ଷା ଅଧିକ ହୃଦ୍‍ବୋଧ ହୋଇଥିବାର ସେ ଘୋଷଣା କରିଥିଲେ ।

 

ଦେଶ ଆଇନଅମାନ୍ୟ ପାଇଁ ପ୍ରସ୍ତୁତ ହୋଇଛି କି ନାହିଁ, ଏ ବିଷୟରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିଖିଳ ଭାରତ କଂଗ୍ରେସ କମିଟି ଗୋଟିଏ କମିଟି ନିଯୁକ୍ତ କରିଥିଲେ । ଏହି କମିଟିର ବୈଠକମାନ ପାଟନାରେ ହେଉଥିଲା । ଦେଶବନ୍ଧୁ ଏ କମିଟିର ସଭ୍ୟମାନଙ୍କ ସହିତ କେତେକ ଆଲୋଚନା କରିବାକୁ ଚାହିଁଲେ; ତେଣୁ ସାର୍ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ନାତି ଭାସ୍କର ମୁଖାର୍ଜୀଙ୍କ ସହିତ ତାଙ୍କ ଝିଅର ବିବାହ ଉପଲକ୍ଷେ ଚିତ୍ତରଞ୍ଜନ କମିଟିର ସଭ୍ୟମାନଙ୍କୁ କଲିକତା ନିମନ୍ତ୍ରଣ କଲେ । ଏହି ଆଲୋଚନା ପ୍ରସଙ୍ଗରେ ରିପୋର୍ଟ ପ୍ରକାଶ ହେବା ପର୍ଯ୍ୟନ୍ତ କୌଣସି ମତାମତ ପ୍ରକାଶ ନ କରିବାପାଇଁ ପଣ୍ଡିତ ମୋତିଲାଲ ନେହେରୁ ଚିତ୍ତରଞ୍ଜନଙ୍କୁ ଅନୁରୋଧ କଲେ । ଅଗଷ୍ଟ ମାସ ଶେଷବେଳକୁ ଚିତ୍ତରଞ୍ଜନ ଦାର୍ଜିଲିଂ ଗଲେ । କିନ୍ତୁ ତାହା ଫଳରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେଲାନାହିଁ । ତେଣୁ କାଶ୍ମୀରରେ କିଛିଦିନ କଟାଇବା ପାଇଁ ସେ ନିଷ୍ପତ୍ତି କଲେ-। ଏହି କାଶ୍ମୀର–ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ପ୍ରକାର ଚିତ୍ରଣ କରାଗଲା-। ଏପରିକି ପ୍ରକୃତରେ କାଶ୍ମୀର ଯାତ୍ରାଟା ରାଜନୈତିକ ବା ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ହୋଇଛି, ସେ ସମ୍ପର୍କରେ କେତେକେ ଖୋଲାଖୋଲି ଭାବରେ ପ୍ରଶ୍ନ କଲେ । କାଶ୍ମୀର–ସୀମାନ୍ତରେ ପହଞ୍ଚିଲା ପରେ ସେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ବୋଲି କାଶ୍ମୀର ପୋଲିସ୍ ତାଙ୍କଠାରୁ ଜବାବ ଚାହିଁଲେ । ଏହି ଜବାବ ଲିଖିତ ଆକାରରେ ଦିଆ ନ ଗଲେ ତାଙ୍କୁ କାଶ୍ମୀର–ପ୍ରବେଶ ପାଇଁ ଅନୁମତି ମିଳିପାରିବ ନାହିଁ ବୋଲି ଜଣାଇ ଦିଆଗଲା ।

 

ପୋଲିସ୍‍ର ଏପରି ବ୍ୟବହାର ଅପମାନଜନକ ବୋଲି ଭାବି ଚିତ୍ତରଞ୍ଜନ ତାଙ୍କୁ କହିଲେ–ଆପଣମାନେ ଚୋରିକରିବେ ନାହିଁ ବୋଲି ନିଶ୍ଚିତଭାବେ ମୁଁ ଜାଣିଥିଲେ ସୁଦ୍ଧା ଯେବେ ଚୋରି କରିବି ନାହିଁ ବୋଲି ଲିଖିତ ଆକାରରେ ମୁଁ ଆପଣଙ୍କଠାରୁ ପ୍ରତିଶ୍ରୁତି ଚାହେଁ, ତାହା ଦେବାକୁ ଆପଣ ପ୍ରସ୍ତୁତ କି ?

 

ପୋଲିସ୍ କର୍ମଚାରୀମାନେ ଏଥିରୁ ଦେଶବନ୍ଧୁଙ୍କର ମନର ଅବସ୍ଥା ବୁଝୁଥିଲେ ସୁଦ୍ଧା ମହାରାଜାଙ୍କ ହୁକୁମରେ ଏହା କରୁଛନ୍ତି ବୋଲି କହିଲେ । ଏହା ଶୁଣି ମହାରାଜାଙ୍କର ଏପରି ହୁକୁମ ଦେବାର ସମସ୍ତ ପ୍ରକାର ଅଧିକାର ଥିଲେ ସୁଦ୍ଧା ସେ ଏହା ମାନିବେ ନାହିଁ ବୋଲି ଚିତ୍ତରଞ୍ଜନ ପୋଲିସ୍ କର୍ମଚାରୀଙ୍କୁ ଜଣାଇଦେଲେ । ଏହି କାରଣରୁ ସେ କାଶ୍ମୀରଯାତ୍ରା ପରିକଳ୍ପନା ପରିତ୍ୟାଗ କରି ମୁରୀ ଗଲେ ଏବଂ ସେଠାରେ ପ୍ରାୟ ମାସାଧିକ କାଳ ଅତିବାହିତ କଲେ ।

 

ସେହି ବର୍ଷ ଡେରାଡ଼ୁନ୍‍ଠାରେ ଉତ୍ତରପ୍ରଦେଶ ରାଜନୈତିକ ସମ୍ମିଳନୀ ହେଉଥିଲା । ଚିତ୍ତରଞ୍ଜନଙ୍କୁ ସେଥିରେ ସଭାପତିତ୍ୱ କରିବାକୁ ଆମନ୍ତ୍ରଣ କରାଯାଇଥିଲା । ସେ ତାଙ୍କର ସଭାପତି ଅଭିଭାଷଣରେ ୧୯୧୯ ଅପ୍ରେଲ ୬ ତାରିଖରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହଠାରୁ ରାଜନୈତିକ ଆନ୍ଦୋଳନର ସବିଶେଷ ଇତିହାସ ବର୍ଣ୍ଣନା କରି କହିଲେ–

 

‘‘ମୁଁ କେବଳ ମଧ୍ୟବିତ୍ତ ଶ୍ରେଣୀପାଇଁ ବା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀପାଇଁ ସ୍ୱରାଜ ନ ଚାହିଁ ଜନସାଧାରଣଙ୍କ ପାଇଁ ସ୍ୱରାଜ ଚାହେଁ ।’’

 

ବୋଧହୁଏ, ଏହା ହେଉଛି ପ୍ରଥମ ଥର, ଯେବେବେଳେ ଦେଶବନ୍ଧୁଙ୍କ ପରି ଜଣେ ନେତୃସ୍ଥାନୀୟ ବ୍ୟକ୍ତି କଂଗ୍ରେସ କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀପାଇଁ ସ୍ୱରାଜ ନ ଚାହିଁ ସମସ୍ତଙ୍କ ପାଇଁ ଚାହୁଁଛନ୍ତି ବୋଲି ରାଜନୈତିକ ସଭାରେ ଘୋଷଣା କଲେ । ସମ୍ମିଳନୀରେ ଉପସ୍ଥିତ ଥିବା ପଣ୍ଡିତ ମୋତିଲାଲ ନେହେରୁ ଓ ସରୋଜିନୀ ନାଇଡ଼ୁ ଏହି ବଳିଷ୍ଠ ଘୋଷଣାପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲେ ।

 

ଏହା ମଧ୍ୟରେ ଆଇନଅମାନ୍ୟ ଅନୁସନ୍ଧାନ କମିଟି ତାଙ୍କର କାର୍ଯ୍ୟ ଶେଷକରି ଦେଶ ଗଣଆଇନ ଅମାନ୍ୟପାଇଁ ପ୍ରସ୍ତୁତ ନୁହେଁ ବୋଲି ରିପୋର୍ଟ ଦେଇ ସାରିଥିଲେ । ଆବଶ୍ୟକୀୟ ସର୍ତ୍ତମାନ କୌଣସି ପ୍ରଦେଶରେ ପୂରଣ ହୋଇଛି ବୋଲି ଯେବେ ସେହି ପ୍ରଦେଶର କଂଗ୍ରେସ କମିଟିଙ୍କର ହୃଦ୍‍ବୋଧ ହୁଏ, ତାହାହେଲେ ସେ ଅବସ୍ଥାରେ କମିଟି ତାଙ୍କ ରାଜ୍ୟରେ ଆଇନଅମାନ୍ୟ ଆରମ୍ଭ କରିବାପାଇଁ ଏହି ଅନୁସନ୍ଧାନ କମିଟି କ୍ଷମତା ଦେଇଥିଲେ । ଏପରି କାର୍ଯ୍ୟକ୍ରମର କେବଳ ନିର୍ଦ୍ଦିଷ୍ଟ ଆଇନ ବା ହୁକୁମ ଅମାନ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ କର ନ ଦେବାପାଇଁ ଲୋକଙ୍କୁ ଆହ୍ୱାନ କରିବାପାଇଁ ଅନୁସନ୍ଧାନ କମିଟି ସୁପାରିସ୍ କରିଥିଲେ ।

 

ବ୍ୟବସ୍ଥାପକ ସଭାରେ ପ୍ରବେଶ ସମ୍ପର୍କରେ ଏ କମିଟିରେ ଦୁଇଟି ବିରୁଦ୍ଧାତ୍ମକ ମତ ପ୍ରକାଶ ପାଇଥିଲା । ପଣ୍ଡିତ ମୋତିଲାଲ ନେହେରୁ ଓ ବିଠଲଭାଇ ପଟେଲଙ୍କ ସମର୍ଥନ ପାଇ କମିଟିର ସଭାପତି ହାକିମ ଆଜମଲ ଖାଁ ବ୍ୟବସ୍ଥାପକ ସଭା ପ୍ରବେଶ ସପକ୍ଷରେ ମତ ପ୍ରକାଶ କରିଥିଲେ ଏବଂ ଡାଃ: ଆନସରୀ, ସି. ରାଜଗୋପାଳାଚାରୀ, ଓ କସ୍ତୁରୀ ରଙ୍ଗା ଆୟାଙ୍ଗାର ତା’ର ବିରୋଧ କରିଥିଲେ ।

 

ପୂର୍ବଲିଖିତମତେ ଅନୁସନ୍ଧାନ କମିଟି ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ଚିତ୍ତରଞ୍ଜନ ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ କିଛି କହିବେ ନାହିଁ ବୋଲି ପଣ୍ଡିତ ମୋତିଲାଲ ନେହେରୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ରିପୋର୍ଟ ପ୍ରକାଶିତ ହେବା ସମୟରେ ଚିତ୍ତରଞ୍ଜନ ଅମରାବତୀରେ ଥିବାରୁ ନଭେମ୍ୱର ୭ ତାରିଖ ଦିନ ସେ ତା’ ଉପରେ ନିମ୍ନଲିଖିତ ମତ ପ୍ରକାଶ କଲେ :–

 

‘‘ପ୍ରକୃତ ପକ୍ଷରେ ଶାସନସଂସ୍କାରରେ ପ୍ରସ୍ତାବିତ ବ୍ୟବସ୍ଥାପକ ସଭାଗୁଡ଼ିକ ଅମଲାତନ୍ତ୍ରଶାସନର ମୁଖାସ୍ୱରୂପ । ଏହି ମୁଖାଗୁଡ଼ିକୁ ତା’ ମୁହଁରୁ ଚିରି ନଷ୍ଟ କରିଦେବା ଆମ୍ଭମାନଙ୍କର ସୁସ୍ପଷ୍ଟ କର୍ତ୍ତବ୍ୟ । ଏହି ବ୍ୟବସ୍ଥାପକ ସଭାଗୁଡ଼ିକୁ ଭାଙ୍ଗିଦେଲେ ତାହାହିଁ ହେବ ତାକୁ ଠିକଣାଭାବରେ ବର୍ଜନ କରିବା ଆମେ ଯେବେ ବ୍ୟବସ୍ଥାପକ ସଭାରେ ସଂଖ୍ୟାଧିକ ସ୍ଥାନ ଲାଭକରୁ, ତେବେ ଯାଇ ଏହା ସମ୍ଭବପର ହୋଇପାରେ । ୧୯୨୩ ମସିହା ପ୍ରଥମ ଭାଗରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ଯେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରୁ ତାହାହେଲେ ତାହାର ଫଳାଫଳରୁ ଆମେ ଅନ୍ଧାରରେ ବାଡ଼ି ନ ବୁଲାଇ ପ୍ରକୃତ ବାସ୍ତବତା ଉପରେ କାର୍ଯ୍ୟ କରୁଛୁ ବୋଲି ପ୍ରମାଣିତ ହେବ । ସଂଖ୍ୟାଧିକ ନିର୍ବାଚିତ ଲୋକେ ଯେ ଆମ ମତାବଲମ୍ୱୀ ହେବେ, ଏ ବିଷୟରେ ମୁଁ ନିଶ୍ଚିତ ।’’

 

ନଭେମ୍ୱର ୧୦ ତାରିଖ ଦିନ ଚିତ୍ତରଞ୍ଜନ କଲିକତାରେ ପହଞ୍ଚିଲେ । ହାବଡ଼ା ଷ୍ଟେସନ୍‍ରେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଦିଆଗଲା । ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ ତାଙ୍କର ମତବାଦ କମିଟି ସର୍ବସମ୍ମତିକ୍ରମେ ଗ୍ରହଣ କରି ନଥିବାରୁ ସେ ଏଭଳି ସମ୍ବର୍ଦ୍ଧନା ଆଶାକରି ନଥିଲେ-। ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି ନଭେମ୍ୱର ୧୮ ଓ ୧୯ ତାରିଖରେ ବସି ପଞ୍ଜାବ ଏବଂ ଖିଲାଫତ ଅନ୍ୟାୟ ତଥା ଆଶୁ ସ୍ୱରାଜଲାଭ ପ୍ରଶ୍ନ ଉପରେ କଂଗ୍ରେସ ଲୋକେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ବୋଲି ପ୍ରସ୍ତାବ ଗ୍ରହଣ କରିଥିଲେ । ନଭେମ୍ୱର ୨୦ ତାରିଖ ଦିନ ଚିତ୍ତରଞ୍ଜନଙ୍କ ସଭାପତିତ୍ୱରେ ନିଖିଳ ଭାରତ କଂଗ୍ରେସ କମିଟିର ବୈଠକ ବସିଲା-

 

ପଣ୍ଡିତ ମୋତିଲାଲନେହୁରୁ, ହାକିମ ଆଜମଲ୍ଲ ଖାଁ, ବିଠଲଭାଇ ପଟେଲ, ଏନ.ସି. କେଲବାର, ଏମ.ଆର. ଜୟକାର, ବି.ଏସ. ମୁଞ୍ଜେ, ଅଭୟଙ୍କର, ଡକ୍ଟର ଆଲାମ, ଶେରୱାନୀ, ଅନୁଗ୍ରହ ନାରାୟଣସିଂହ, ଏସ. ସତ୍ୟମୂର୍ତ୍ତି, ରଙ୍ଗସ୍ୱାମୀ ଆୟାଙ୍ଗାର, ଅମ୍ୱାଲାଲ, ଲାଲା ଦୁନିଚାନ୍ଦ, ଶ୍ରୀମତୀ ଲଜ୍ଜାବତୀ ଦେବୀ, ଜେ.ଏମ୍. ସେନ୍‍ଗୁପ୍ତ, ବି.ଏନ. ସାସମଲ ଏବଂ ଅନ୍ୟମାନେ ବ୍ୟବସ୍ଥାପକ ସଭା–ପ୍ରବେଶ ସପକ୍ଷରେ ବକ୍ତୃତା ଦେଲେ । ରାଜଗୋପାଳଚାରୀ, ରାଜେନ୍ଦ୍ରପ୍ରସାଦ, ବଲ୍ଲଭଭାଇ ପଟେଲ, ଶ୍ରୀମତୀ ସରୋଜିନୀ ନାଇଡ଼ୁ, ଡାଃ ଆନ୍‍ସାରୀ, ମୌଲବୀ ଆବାସ ତୟାବଜୀ, ଟି. ପ୍ରକାଶମ୍, ଲାହୋରର ଲାଲା ଦୁନିଚାନ୍ଦ, ଜଗତ୍‍ଗୁରୁ ଶଙ୍କରାଚାର୍ଯ୍ୟ, ଗଙ୍ଗାଧର ରାଓ ଦେଶପାଣ୍ଡେ ଓ ଅନ୍ୟମାନେ ବିରୋଧରେ ବକ୍ତୃତା ଦେଲେ ।

 

ବ୍ୟବସ୍ଥାପକ–ସଭାପ୍ରବେଶକୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟ ଉତ୍ସାହୀ ଥିଲେ ଡାଃ ପଟ୍ଟାଭୀ ସୀତାରାମାୟା ଏବଂ ଯେକୌଣସି ଅବସ୍ଥାରେ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବା ଅସାଧୁ ବୋଲି ସେ ମତ ପ୍ରକାଶ କରିଥିଲେ । ଏକତା ବାଞ୍ଛନୀୟ ହେଲେ ସୁଦ୍ଧା ସାଧୁତା ତା’ଠାରୁ ଉତ୍କୃଷ୍ଟ ବୋଲି ସେ ଭାବୁଥିଲେ ।

 

କଂଗ୍ରେସର ଅହମ୍ମଦାବାଦ ଅଧିବେଶନରେ ଚିତ୍ତରଞ୍ଜନ ସଭାପତିଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ଜେଲ ଚାଲିଯିବାରୁ ଉକ୍ତ ଅଧିବେଶନରେ ସଭାପତିତ୍ୱ କରି ପାରି ନଥିଲେ; ତେଣୁ ତାଙ୍କୁ ପୁଣି ଥରେ କଂଗ୍ରେସ ସଭାପତିରୂପେ ନିର୍ବାଚିତ କରାଗଲା ଓ ଏହି ଅଧିବେଶନ ଗୟାରେ ହେବାର ଠିକ୍ ହେଲା । କଂଗ୍ରେସ ଅଧିବେଶନ ପୂର୍ବରୁ ଦେଶର ଜନମତ ଯେପରି ବ୍ୟବସ୍ଥାପକ ସଭା ପ୍ରବେଶ ସପକ୍ଷରେ ଯାଏଁ, ସେଥିପାଇଁ ସେ ଚାରିଆଡ଼େ ବୁଲି ପ୍ରଚାରକଲେ । ତାଙ୍କର ଅର୍ଥବଳ କମ୍ ଥିବାରୁ ଏବଂ ବହୁ ପୁରାତନ କର୍ମୀ ତାଙ୍କୁ ବିରୋଧ କରୁଥିବାରୁ ଏହି କାର୍ଯ୍ୟରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚପାଇଁ ଆବଶ୍ୟକ ହେଉଥିବା ଅର୍ଥ ଛଡ଼ା କଂଗ୍ରେସ ଅଫିସ୍‍ର ବାକିଥିବା ଭଡ଼ା ମଧ୍ୟ ତାଙ୍କୁ ତୁଲାଇବାକୁ ପଡ଼ୁଥିଲା । ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ମଧ୍ୟ ଭଲ ନଥିଲା ଓ ପ୍ରାୟ ସମସ୍ତ ଖବରକାଗଜ ବ୍ୟବସ୍ଥାପକ ସଭା ପ୍ରବେଶକାର୍ଯ୍ୟକ୍ରମକୁ ବିରୋଧ କରୁଥିଲେ । ଏହି କାର୍ଯ୍ୟକ୍ରମ ବିରୁଦ୍ଧରେ ପ୍ରତିବାଦସଭାମାନ କରାଯାଇ ବ୍ୟକ୍ତିଗତ ଗାଳିଗୁଲଜ ମଧ୍ୟ କରାଯାଉଥିଲା । ଏପରିକି କେତେକ ବିପ୍ଳବୀ ଲୋକ ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଉଥିଲେ । ସେ ନିଜେ ମନ୍ତ୍ରୀ ହେବାକୁ ଚାହୁଁଥିବାରୁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରୁଛନ୍ତି ବୋଲି ମଧ୍ୟ କେତେକେ କହି ବୁଲିଥିଲେ । ଏପରି କହୁଥିବା ଲୋକେ ଭୁଲିଯାଇଥିଲେ ଯେ ଦେଶବନ୍ଧୁ ତାଙ୍କର ରାଜକୀୟ ଆୟ ତ୍ୟାଗକରି ଜାତୀୟ କାର୍ଯ୍ୟପାଇଁ ଦାରିଦ୍ର୍ୟ ବରଣ କରିଥିଲେ । ଗାଳିଗୁଲଜ ଓ ଉଦ୍ଦେଶ୍ୟ ଆରୋପ, ଏସବୁ ତାଙ୍କ ଉପରେ କିଛି ପ୍ରଭାବ ପକାଇ ପାରିଲା ନାହିଁ ।

 

ଗୟା ଅଧିବେଶନର ସଭାପତିରୂପେ ତାଙ୍କ ଅଭିଭାଷଣରେ ସେ ଯେଉଁ ମତ ବ୍ୟକ୍ତ କରିଥିଲେ, ତାହା ଅତି ଉଚ୍ଚକୋଟୀର ହୋଇଥିଲା । କିନ୍ତୁ ବ୍ୟବସ୍ଥାପକ ସଭାପ୍ରବେଶ ସପକ୍ଷରେ ସେ ଯେଉଁ ପ୍ରସ୍ତାବକୁ ସମର୍ଥନ କରୁଥିଲେ, ତାହା ୧୯୨୨ ଡିସେମ୍ୱର ୩୧ ତାରିଖ ଦିନ ବିପକ୍ଷରେ ୧୭୪୮ ଏବଂ ସପକ୍ଷରେ ୮୦୯ ଭୋଟରେ ନାକଚ ହୋଇଗଲା । ସେ ସଙ୍ଗେ ସଙ୍ଗେ ନିଖିଳ ଭାରତ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଲେ ଓ ପଣ୍ଡିତ ମୋତିଲାଲ ନେହେରୁ ମଧ୍ୟ ସାଧାରଣ ସମ୍ପାଦକପଦରୁ ଇସ୍ତଫା ଦେଲେ । ସଂଖ୍ୟାଧିକ ଲୋକ ତାଙ୍କୁ ବିରୋଧ କରୁଥିଲେ ସୁଦ୍ଧା ଖୁବ୍ ଶୀଘ୍ର ସେମାନେ ତାଙ୍କର ମତକୁ ସମର୍ଥନ କରିବେ ବୋଲି ଦେଶବନ୍ଧୁ ତାଙ୍କ ଭାଷଣରେ ଆଶା ପ୍ରକାଶ କରିଥିଲେ । ୧୯୨୩ ଜାନୁଆରୀ ପହିଲା ଦିନ ଇସ୍ତଫା ଦେବା ପରେ ଦେଶବନ୍ଧୁ ଚିତ୍ତରଞ୍ଜନ ଓ ମୋତିଲାଲ ନେହେରୁ ସ୍ୱରାଜ–ଦଳ ଗଠନ କରିଥିଲେ ।

 

ଦେଶବନ୍ଧୁ ଚିତ୍ତରଞ୍ଜନଙ୍କର ପ୍ରଧାନ ବକ୍ତୃତାମାନଙ୍କ ମଧ୍ୟରୁ ଏହା ଗୋଟିଏ ହୋଇଥିବାରୁ ପରିଶିଷ୍ଟରେ ତାହା ପୂର୍ଣ୍ଣଭାବେ ଦିଆଯାଇଛି । ସେ ଅସହଯୋଗନୀତି ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରି ନିର୍ବାଚନ ବର୍ଜନର ନିଷ୍ଫଳତା ପ୍ରତିପାଦନ କରିଥିଲେ । ସେ କେବଳ ଭାରତ ଦୃଷ୍ଟିରୁ ଚିନ୍ତା ନ କରି ସମଗ୍ର ଏସିଆ ଦୃଷ୍ଟିରୁ ତାଙ୍କର ଭାବ ବ୍ୟକ୍ତ କରିଥିଲେ । ବିଶ୍ୱଶାନ୍ତି ପାଇଁ ଆବଶ୍ୟକ ହେଉଥିବା ଏସିଆବାସୀଙ୍କର ରାଷ୍ଟ୍ରସଙ୍ଘ ସମ୍ପର୍କରେ ମଧ୍ୟ ସେ କହିଥିଲେ । ବୋଧହୁଏ ପ୍ରଥମ ଥରପାଇଁ ଏସିଆରେ ‘ରାଷ୍ଟ୍ରସଙ୍ଘଭାବନା’ କଂଗ୍ରେସମଣ୍ଡପରୁ ସେ ଆଗତ କରିଥିବାରୁ ତାଙ୍କର ନିଜ ଭାଷାରେ ସେ କଥାକୁ ଏଠାରେ ଉଦ୍ଧାର କରାଯିବା ଆବଶ୍ୟକ :–

 

‘‘ଗଠିତ ହେବାକୁ ଯାଉଥିବା ଏସିଆ ରାଷ୍ଟ୍ରସଙ୍ଘରେ ଭାରତ ଅଂଶଗ୍ରହଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ । କେତେକ ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ଆରମ୍ଭ ହୋଇଥିବା ବା ବର୍ତ୍ତମାନ ଚାଲୁଥିବା ଇସଲାମିକ ଦୁନିଆର ଏକତ୍ରୀକରଣ ଆନ୍ଦୋଳନ ପରିବର୍ତ୍ତେ ସମଗ୍ର ଏସିଆ ଲୋକଙ୍କର ବିରାଟ ରାଷ୍ଟ୍ରସଙ୍ଘ ପାଇଁ ଆନ୍ଦୋଳନ ଯେ ହେବ, ଏ ବିଷୟରେ ମୋର କୌଣସି ସନ୍ଦେହ ନାହିଁ । ଏହା ହେବ ଏସିଆର ନିର୍ଯାତିତ ଜାତିମାନଙ୍କର ସଂଘ । ଭାରତ ଏହି ସଂଘରୁ ଅଲଗା ରହିପାରେ କି ? ମୁଁ ସ୍ୱୀକାର କରୁଛି ଯେ, ନିଜର ସ୍ୱାଧୀନତା ଆମକୁ ଲାଭକରିବାକୁ ପଡ଼ିବ; କିନ୍ତୁ ଭାରତ ଏବଂ ଏସିଆର ଅନ୍ୟ ଲୋକଙ୍କ ମଧ୍ୟରେ ସହଯୋଗ, ସଦ୍‍ଭାବ ଏବଂ ବନ୍ଧୁତା ଫଳରେ, ଏପରିକି ବିଶ୍ୱର ସମସ୍ତ ସ୍ୱାଧୀନତାକାମୀ ଲୋକଙ୍କର ଏକତା ଫଳରେହିଁ ବିଶ୍ୱଶାନ୍ତି ପ୍ରତିଷ୍ଠିତ ହେବ । ମୋ କଳ୍ପନାରେ ବିଶ୍ୱଶାନ୍ତିର ଅର୍ଥ ସବୁ ଜାତିର ସ୍ୱାଧୀନତା । ମୁଁ ଆଉ ଟିକିଏ ଆଗକୁ ଯାଇ କହୁଛି ଯେ, ଅନ୍ୟ ଜାତିମାନେ ଦାସତ୍ୱବନ୍ଧନରେ ସଢ଼ୁଥିବା ସମୟରେ ବିଶ୍ୱବକ୍ଷରେ କୌଣସି ନିର୍ଦ୍ଦିଷ୍ଟ ଜାତି ସ୍ୱାଧୀନତା ଭୋଗ କରି ନ ପାରେ । ଯେଉଁସବୁ କାର୍ଯ୍ୟ କରିଛୁ ବା କରିବୁ, ତାହା ପୂର୍ଣ୍ଣାଙ୍ଗ କରିବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସରଣ କରିଥିବା ନୀତି ଆବଶ୍ୟକ ହୋଇଥିବାରୁ ମୁଁ ପୂର୍ଣ୍ଣ ପ୍ରାଣରେ ତାହାକୁ ସମର୍ଥନ କରୁଛି । ସ୍ୱରାଜ ବା ସ୍ୱରାଜ ସମକକ୍ଷ ଆଉ କିଛି ଲାଭକରିବା ପାଇଁ ଏକାଗ୍ରଚିତ୍ତରେ କାର୍ଯ୍ୟ କରିବା ଆବଶ୍ୟକ । ସେହି କାର୍ଯ୍ୟପାଇଁ ବର୍ତ୍ତମାନ ଆବଶ୍ୟକ ସମୂହ ସହାନୁଭୂତି ଓ ବ୍ୟାପକ ଦୃଷ୍ଟିକୋଣ ।’’

Image

 

ଏକାଦଶ ଅଧ୍ୟାୟ

ସ୍ୱରାଜ ଦଳ

 

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଓ ପଣ୍ଡିତ ମୋତିଲାଲ ନେହେରୁ ଯେଉଁ ନୂତନ ଦଳ ଗଠନ କଲେ ପ୍ରଥମେ ତା’ର ନାମ ‘କଂଗ୍ରେସ ଖିଲାଫତ ସ୍ୱରାଜ ଦଳ’ ରଖାଯାଇଥିଲା । ପରେ କଂଗ୍ରେସ ଓ ଖିଲାଫତ ଶବ୍ଦ ବାଦ ଦିଆଯାଇ ଏହି ଦଳ ସ୍ୱରାଜ ଦଳ ନାମରେ ଭାରତବିଖ୍ୟାତ ହେଲା ।

 

ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ଅତି ବାସ୍ତବବାଦୀ ହୋଇଥିବାରୁ ଗୟା କଂଗ୍ରେସ ଅଧିବେଶନରେ ଯେଉଁ ନିଷ୍ପତ୍ତି କରାଯାଇଥିଲା, ତାହା ବାସ୍ତବ ଦୃଷ୍ଟିରୁ କରାଯାଇ ନାହିଁ ବୋଲି ସେମାନେ ଭାବୁଥିଲେ । ବ୍ୟବସ୍ଥାପକ ସଭା, କୋର୍ଟକଚେରି ଏବଂ ଶିକ୍ଷାନୁଷ୍ଠାନମାନ ବର୍ଜନ କରିବାପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା, ତାହା ବିଫଳ ହୋଇଛି ଏବଂ ଏହିସବୁ ଅନୁଷ୍ଠାନ ପୂର୍ବପରି ଚଳୁଥିବାରୁ ସମସ୍ତେ ହୃଦୟଙ୍ଗମ କରୁଥିଲେ । ଅନୁସନ୍ଧାନ କମିଟି ଦେଶରେ କୌଣସି ଆନ୍ଦୋଳନ ହେବାପାଇଁ ବାତାବରଣ ନାହିଁ ବୋଲି ପରିଷ୍କାର ରିପୋର୍ଟ ଦେଇଥିଲେ ସୁଦ୍ଧା ଗୟା କଂଗ୍ରେସ ସତ୍ୟାଗ୍ରହ ବା ଆଇନଅମାନ୍ୟ ଆନ୍ଦୋଳନ ଚାଲୁରଖିବା ପାଇଁ ନିଷ୍ପତ୍ତି କରିଥିଲେ । ଲୋକେ ‘ମହାତ୍ମାଗାନ୍ଧିଙ୍କୁ ଜୟଧ୍ୱନି ଦେଇ ମହାତ୍ମାଗାନ୍ଧି ବାହାରେ ଥିବା ଅପେକ୍ଷା ଜେଲରେ ରହିବା ଭଲ ହୋଇଛି ଓ ତାଙ୍କର ଶକ୍ତି ବଢ଼ିଛି ବୋଲି କହୁଥିଲେ ସୁଦ୍ଧା ଖୁବ୍ କମ୍ ସଂଖ୍ୟକ ଲୋକ ତାଙ୍କର ନୀତି ଅନୁସାରେ କାମ କରୁଥିଲେ । ଏହା ଫଳରେ ଦେଶସାରା ଗୋଳମାଳିଆ ଅବସ୍ଥା ଉପୁଜି ଜନସାଧାରଣଙ୍କ ଭିତରେ ଗୋଟାଏ ଅବସାଦ ଦେଖାଦେଲା । ବୁଦ୍ଧିଜୀବୀଶ୍ରେଣୀ କଂଗ୍ରେସ ଆଦର୍ଶ ଓ କାର୍ଯ୍ୟକ୍ରମକୁ ଅଧିକମାତ୍ରାରେ ସମାଲୋଚନା କରିବାକୁ ଆରମ୍ଭ କଲେ ।

 

ସୌଭାଗ୍ୟବଶତଃ ଠିକ୍ ଗୟା କଂଗ୍ରେସ ଅଧିବେଶନ ପରେ ପରେ ମୌଲାନା ଆବୁଲ କାଲାମ ଆଜାଦ୍ ଜେଲରୁ ଖଲାସ ହେଲେ । ଦେଶବନ୍ଧୁ ଚିତ୍ତରଞ୍ଜନଙ୍କ ପ୍ରତି ତାଙ୍କର ଅତିରିକ୍ତ ସମ୍ମାନ ଥିଲା ଓ ଉଭୟଙ୍କ ମଧ୍ୟରେ ବହୁବାର ଦେଖାସାକ୍ଷାତ୍ ହେଲା । ସ୍ୱରାଜଦଳ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲେ ସୁଦ୍ଧା ତାକୁ ଲୋକପ୍ରିୟ କରାଇବା ଦିଗରେ ସେ ବିଶେଷ କାର୍ଯ୍ୟ କରିଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନଙ୍କୁ ସେ ୧୯୨୩ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରି ସେହି ସମୟ ମଧ୍ୟରେ କଂଗ୍ରେସର ପୁରାତନପନ୍ଥୀମାନେ ଯେବେ ଗଣସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ନ କରନ୍ତି, ତାହାହେଲେ କଂଗ୍ରେସର ବିଶେଷ ଅଧିବେଶନ ଡକାଇ ବ୍ୟବସ୍ଥାପକ ସଭା ପ୍ରବେଶ କାର୍ଯ୍ୟକ୍ରମକୁ ସମର୍ଥନ କରାଇନେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ସେ ନିଜେ କରିବେ ବୋଲି ଜବାବ ଦେଲେ ।

 

ଦେଶବନ୍ଧୁ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିଙ୍କଦ୍ୱାରା ଗୃହୀତ ହୋଇଥିବା ମୌଲାନା ଆଜାଦ୍‍ଙ୍କ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ୧୯୩୦ ମସିହା ଫେବୃଆରି ୨୭ ତାରିଖ ଦିନ ଆହ୍ଲାବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଗୋଟିଏ ବୈଠକ ବସିଲା । ଏହି ବୈଠକରେ ଦେଶବନ୍ଧୁ ଚିତ୍ତରଞ୍ଜନ, ପଣ୍ଡିତ ମୋତିଲାଲ ଏବଂ ସ୍ୱରାଜଦଳର ଅନ୍ୟମାନେ ଯୋଗ ଦେଇଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ସର୍ବସମ୍ମତିକ୍ରମେ ସଭାପତି ନିର୍ବାଚିତ ହେଲେ ଏବଂ ସ୍ୱରାଜଦଳର ଲୋକେ ଓ ପରିବର୍ତ୍ତନ ବିରୋଧୀମାନଙ୍କ ମଧ୍ୟରେ ନିମ୍ନଲିଖିତ ସର୍ତ୍ତରେ ମିଳାମିଶା କରାଗଲା :–

 

୧ । ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ ଉଭୟ ପକ୍ଷରୁ କରାଯାଉଥିବା ପ୍ରଚାର ୧୯୨୩ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦରହିବ ।

 

୨ । ଏହା ମଧ୍ୟରେ ଉଭୟେ ପରସ୍ପର ମଧ୍ୟରେ ସଂଘର୍ଷକୁ ଏଡ଼ାଇ ଉକ୍ତ କାର୍ଯ୍ୟକ୍ରମ ଛଡ଼ା ନିଜ ନିଜର ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିବେ ।

 

୩ । ସଂଖ୍ୟାନ୍ୟୂନ ଗୋଷ୍ଠୀ ସଂଖ୍ୟାଧିକ ଗୋଷ୍ଠୀଙ୍କ ସହ ଗଠନମୂଳକ କାର୍ଯ୍ୟପାଇଁ ପାଣ୍ଠି ସଂଗ୍ରହକାର୍ଯ୍ୟରେ ସହଯୋଗ କରିବେ ।

 

ମୌଲାନା ଆଜାଦ୍‍ଙ୍କ ଛଡ଼ା ପଣ୍ଡିତ ଜବାହାରଲାଲ ନେହେରୁ ମଧ୍ୟ ଏହି ମିଳାମିଶା କରିବା ଦିଗରେ ବିଶେଷ ଭାଗ ନେଇଥିଲେ । ସବୁ ମିଳାମିଶା ପରି ଏହି ମିଳାମିଶାରେ ଉଭୟ ଦଳ ପୂର୍ଣ୍ଣ ସନ୍ତୋଷ ଲାଭ କରି ନଥିଲେ, ତଥାପି ନିଜ ନିଜର ଲାଭ ହୋଇଛି ବୋଲି ଉଭୟ ଦଳ ଭାବିଲେ । ବ୍ୟବସ୍ଥାପକ ସଭା ପ୍ରବେଶ ବିରୁଦ୍ଧରେ ପରିବର୍ତ୍ତନ ବିରୋଧୀମାନେ ଯେଉଁ ପ୍ରଚାର କରୁଥିଲେ, ତାହା ଆଉ କରିବେ ନାହିଁ ବୋଲି ସ୍ୱରାଜଦଳର ଲୋକେ ଖୁସି ହେଲେ । ସ୍ୱରାଜ ଦଳର ଲୋକେ ନିଜ ମତ ସପକ୍ଷରେ ପ୍ରଚାର କରିପାରିବେ ନାହିଁ ଓ ତାହା ଫଳରେ ନିର୍ବାଚନବେଳକୁ ଯଥେଷ୍ଟ ସମୟ ନଷ୍ଟ ହୋଇଯାଇଥିବ ବୋଲି ବିଚାର ପରିବର୍ତ୍ତନ ବିରୋଧୀମାନେ ମଧ୍ୟ ଖୁସି ହେଲେ ।

 

ଅପ୍ରେଲ ୨୪ ତାରିଖ ଦିନ ଗୋଟିଏ ମିଳାମିଶା କାର୍ଯ୍ୟକ୍ରମ ତିଆରି କରିବା ଉଦ୍ଦେଶ୍ୟରେ ଦିଲ୍ଲୀରେ ଉଭୟ ଦଳର ନେତୃସ୍ଥାନୀୟ ଲୋକଙ୍କର ଏକ ସମ୍ମିଳନୀ ବସିଲା । ଲୋକଙ୍କ ସମ୍ମୁଖରେ ଗୋଟିଏ ମିଳିତ କାର୍ଯ୍ୟକ୍ରମ ଉପସ୍ଥାପିତ କରିବାପାଇଁ ଦେଶବନ୍ଧୁ ଚିତ୍ତରଞ୍ଜନ, ପଣ୍ଡିତ ମୋତିଲାଲ ନେହେରୁ, ଡାଃ ଆନ୍‍ସରୀ, ରାଜଗୋପାଳଚାରୀ, ହାକିମ୍ ଆଜମଲ ଖାଁ ଏବଂ ଶ୍ରୀମତୀ ସରୋଜିନୀ ନାଇଡ଼ୁଙ୍କ ମଧ୍ୟରେ ବହୁ ଦିନ ଧରି ଆଲୋଚନା ଚାଲିଲା । କିନ୍ତୁ ପରିବର୍ତ୍ତନ–ବିରୋଧୀମାନେ ନିଜ କଥାରୁ ତିଳେହେଲେ ହଟିବାକୁ ପ୍ରସ୍ତୁତ ନ ହେବାରୁ କଂଗ୍ରେସର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକତା ଆଣିବାପାଇଁ ଶେଷ ଚେଷ୍ଟା ବ୍ୟର୍ଥ ହୋଇଛି ବୋଲି ଦେଶବନ୍ଧୁ ଚିତ୍ତରଞ୍ଜନ ଅତି କୁଣ୍ଠାର ସହିତ ଘୋଷଣା କଲେ । ସେ ସ୍ୱରାଜଦଳର ସଭ୍ୟମାନଙ୍କୁ ବ୍ୟବସ୍ଥାପକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ସେଥିପାଇଁ ଆପ୍ରାଣ ପ୍ରଚାର କରିବାକୁ ଆହ୍ୱାନ ଦେଲେ ।

 

କଂଗ୍ରେସ କାର୍ଯ୍ୟକ୍ରମରେ ସ୍ୱରାଜ ଦଳ ପରିବର୍ତ୍ତନ ଚାହୁଁଥିବାରୁ ସେମାନଙ୍କ ମତବାଦ ଲୋକଙ୍କୁ ବୁଝାଇବା ଆବଶ୍ୟକ ହେଲା । କଲିକତା ଏବଂ ବଙ୍ଗଳାର ପୁରପଲ୍ଲୀରେ ଚିତ୍ତରଞ୍ଜନ ବହୁ ସଭାରେ ସେ ସମ୍ପର୍କରେ ବକ୍ତୃତା ଦେଲେ । ମେ ୧୩ ତାରିଖ ଦିନ ବରିସାଲରେ ବସିଥିବା ବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟି ବୈଠକରେ ତାଙ୍କ ମତ ସେ ଗୃହୀତ କରାଇନେଲେ । ସ୍ୱରାଜଦଳର ମତବାଦ ଲୋକଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ସେ ଦେଶସାରା ଗସ୍ତ କଲେ । ୧୯୨୩ ମେ ୨୫ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ବମ୍ୱେରେ ହୋଇଥିବା ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ମିଃ: ଦାସ ସର୍ବସମ୍ମତିକ୍ରମେ ସଭାପତିଭାବରେ ନିର୍ବାଚିତ ହେଲେ ।

 

ଏହି ବୈଠକରେ ଦେଶର କୌଣସି ଅଞ୍ଚଳରେ ସତ୍ୟାଗ୍ରହ ବା ଆଇନଅମାନ୍ୟ ପାଇଁ ଆବଶ୍ୟକୀୟ ବାତାବରଣ ନାହିଁ ବୋଲି ସେ ଘୋଷଣା କରିଥିଲେ । ପ୍ରକୃତରେ କହିବାକୁ ଗଲେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ଲାବାଦ ବୈଠକ ପରଠାରୁ ଏପରି ଆନ୍ଦୋଳନ ପାଇଁ ଅନୁକୂଳ ବାତାବରଣ କମିଯାଇଛି । ପଞ୍ଜାବ ଓ ଉତ୍ତର–ପ୍ରଦେଶର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା ଦେଖା ଦେଲା । ଏପରି ଅବସ୍ଥାରେ ସତ୍ୟାଗ୍ରହ ବା ଗଣଆନ୍ଦୋଳନ ବିଷୟରେ ଚିନ୍ତା କରିବା ବିପଜ୍ଜନକ ବୋଲି ମନେ କରାଗଲା ।

 

ଏହି ବୈଠକରେ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କଦ୍ୱାରା ଆଗତ ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ୱାରା ସମର୍ଥିତ ଗୋଟିଏ ପ୍ରସ୍ତାବ ପାସ୍ ହେଲା । ଏହି ପ୍ରସ୍ତାବରେ କଂଗ୍ରେସ ଲୋକମାନେ ନିଜ ଭିତରେ ଥିବା ବିଭେଦ ଭୁଲିଯାଇ ଏକତା ପ୍ରତିଷ୍ଠା କରନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା । ତାହା ଛଡ଼ା କଂଗ୍ରେସର ଗୟା ଅଧିବେଶନ ପ୍ରସ୍ତାବ ଅନୁଯାୟୀ ନିର୍ବାଚନରେ ଭାଗ ନ ନେବାପାଇଁ ଲୋକଙ୍କ ମଧ୍ୟରେ କୌଣସି ପ୍ରଚାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଗଲା ।

 

ସ୍ୱରାଜଦଳ ବିରୁଦ୍ଧରେ କରାଯାଉଥିବା ପ୍ରଚାର ଏହି ପ୍ରସ୍ତାବ ଅନୁଯାୟୀ ବନ୍ଦ କରାଯାଇଥିବାରୁ ତାହା ସ୍ୱରାଜଦଳ ଦୃଷ୍ଟିରୁ ଅଧିକ ଅନୁକୂଳ ହେଲା । ଭୋଟରମାନଙ୍କୁ ସେମାନଙ୍କର ଇଚ୍ଛାନୁଯାୟୀ ପ୍ରାର୍ଥୀଙ୍କୁ ଭୋଟ ଦେବାର କ୍ଷମତା ଦିଆଗଲା । କିନ୍ତୁ କଂଗ୍ରେସ ଲୋକମାନଙ୍କୁ କଂଗ୍ରେସ ନାମରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ଅନୁମତି ଦିଆଯାଇ ନଥିବାରୁ ସ୍ୱରାଜଦଳର ଲୋକେ ଅସନ୍ତୋଷ ପ୍ରକାଶ କଲେ । କଂଗ୍ରେସକୁ ତାଙ୍କ ମତ ଗ୍ରହଣ କରାଇବା ପାଇଁ ଦେଶବନ୍ଧୁ ଦେଶସାରା ପ୍ରଚାର କରିବାରେ ଲାଗିଲେ ।

 

ନିଖିଳ ଭାରତ କଂଗ୍ରେସ କମିଟିର ବମ୍ୱେ ଅଧିବେଶନରେ କଂଗ୍ରେସ ଇତିହାସରେ ଗୋଟିଏ ଅଧ୍ୟାୟର ଅବସାନ ହେଲା । ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ଗୟା–କଂଗ୍ରେସ ଅଧିବେଶନ ସମୟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁଦ୍ଧା ସେମାନଙ୍କ ଇସ୍ତଫାପତ୍ର ଗୃହୀତ ହୋଇ ନଥିଲା । କେତେକ କଂଗ୍ରେସ ଲୋକଙ୍କ ବିରୋଧ ସତ୍ତ୍ୱେ, ସେମାନଙ୍କ ଇସ୍ତଫାପତ୍ର ଗୃହୀତ ହୋଇ ଏକମତବିଶିଷ୍ଟ ଗୋଟିଏ କାର୍ଯ୍ୟକାରୀ କମିଟି ଗଠିତ ହେବା ଉଚିତ ବୋଲି ଦେଶବନ୍ଧୁ ଦୃଢ଼ମତ ପ୍ରକାଶ କଲେ । ତଦନୁଯାୟୀ କାର୍ଯ୍ୟକାରୀ କମିଟିର କେତେକ ବିଶିଷ୍ଟ ପୁରାତନ ସଭ୍ୟ କମିଟିରୁ ଅଲଗା ହୋଇଗଲେ ।

 

ଦେଶବନ୍ଧୁ ଚିତ୍ତରଞ୍ଜନ ଭାରତସାରା ଗସ୍ତ କରିବାକୁ ଲାଗିଲେ । ପ୍ରଥମେ ମହାରାଷ୍ଟ୍ର ପ୍ରାଦେଶିକ ସମ୍ମିଳନୀରେ ଯୋଗଦେବା ପାଇଁ ବୁଲଦାନା ଗଲେ । ୧୯୨୧ ଡିସେମ୍ୱର ମାସରେ ବଡ଼ଲାଟ ଯେଉଁ ମିଳାମିଶା ପ୍ରସ୍ତାବ ଦେଇଥିଲେ, ତାହା ଗ୍ରହଣ ନ କରିବାଦ୍ୱାରା ଭୁଲହୋଇଛି ବୋଲି ପ୍ରଥମ ଥରପାଇଁ ସେ ସାଧାରଣରେ ଘୋଷଣା କଲେ । ସେତେବେଳେ ଅବସ୍ଥା ଯାହା ଥିଲା, ତା’ର ସୁଯୋଗ ନିଆ ନ ଯିବା ଫଳରେ ସବୁ ଖରାପ ହେଲା ଏବଂ କଂଗ୍ରେସ ଯେବେ ନୂତନ କର୍ମପନ୍ଥା ଗ୍ରହଣ ନ କରେ, ତାହାହେଲେ ପୁଣି ଭୁଲ ହେବ ବୋଲି ସେ କହିଲେ । ବ୍ୟବସ୍ଥାପକ ସଭା ଜରିଆରେ ଜାତୀୟଦାବୀ ଦୃଢ଼ତାର ସହିତ ଉପସ୍ଥାପିତ କରିବା ଲାଗି କଂଗ୍ରେସଲୋକମାନଙ୍କୁ ବ୍ୟବସ୍ଥାପକ ସଭା ପ୍ରବେଶ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସେ ନିବେଦନ କରିଥିଲେ ।

 

ତା’ପରେ ଚିତ୍ତରଞ୍ଜନ ମାନ୍ଦ୍ରାଜ ଯାଇ ବିଭିନ୍ନ ସ୍ଥାନରେ ବକ୍ତୃତା ଦେଲେ । ତାଙ୍କର ବାଗ୍ମିତା, ଏକାଗ୍ରତା ଏବଂ ଯୁକ୍ତି ଲୋକଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ମାସକ ମଧ୍ୟରେ ମାନ୍ଦ୍ରାଜର ଲୋକେ ତାଙ୍କ ବ୍ୟବସ୍ଥାପକ ସଭା ପ୍ରବେଶ କାର୍ଯ୍ୟକ୍ରମର ପ୍ରଧାନ ସମର୍ଥନ ହୋଇପଡ଼ିଲେ । ପ୍ରତ୍ୟେକ ବକ୍ତୃତାରେ ଲକ୍ଷ୍ୟ ସ୍ଥିର ରଖି ଅବସ୍ଥା ସଙ୍ଗେ ଖାପ ଖୁଆଇବା ଭଳି ଉପାୟ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଉଥିଲେ । ୧୯୨୧ ଡିସେମ୍ୱର ମାସରେ ସମାଧାନପାଇଁ କରାଯାଉଥିବା ଚେଷ୍ଟା ବିଫଳ ହେବା ଯୋଗୁଁ ଦେଶସାରା ଯେଉଁ ବିଷାଦ ଏବଂ ନୈରାଶ୍ୟ ଭାବ ଖେଳି ଯାଇଥିଲା, ତା’ ଉପରେ ସେ ଜୋର ଦେଉଥିଲେ । ଯେଉଁମାନେ ବ୍ୟବସ୍ଥାପକ ସଭା ପ୍ରବେଶକୁ ସମର୍ଥନ କରୁନାହାନ୍ତି, ସେମାନେ ତା’ ପରିବର୍ତ୍ତେ କୌଣସି ବୈପ୍ଳବିକ ଉପାୟ ଉପସ୍ଥାପିତ କରିନାହାନ୍ତି ବୋଲି ସେ କହିଲେ । ଆଇନଅମାନ୍ୟ ଆନ୍ଦୋନଳ ବନ୍ଦ ହୋଇଛି ଏବଂ ନିକଟଭବିଷ୍ୟତରେ ନୂତନ ଆନ୍ଦୋଳନ ହେବାର କୌଣସି ସମ୍ଭାବନା ନାହିଁ । ଏପରି ଅବସ୍ଥାରେ ଅହିଂସାତ୍ମକ ଅସହଯୋଗ ନୀତି ବଜାୟ ରଖି ବହୁ ସଂଖ୍ୟାରେ ବ୍ୟବସ୍ଥାପକ ସଭାରେ ପ୍ରବେଶ କରି ତା’ ମଧ୍ୟରୁ ଜାତୀୟ ଦାବି ଉପରେ ଜୋର ଦେବା ସର୍ବୋତ୍କୃଷ୍ଟ ନୀତି । ଯଦି ସରକାର ଦାବି ଗ୍ରହଣ କରନ୍ତି, ତାହାହେଲେ ବଡ଼ ବିଜୟ ହେବ । ଯେବେ ଦାବି ଗ୍ରହଣ ନ କରନ୍ତି, ଯାହାକି ଖୁବ୍ ସମ୍ଭବ, ତାହାହେଲେ ଲୋକଙ୍କ ଭିତରେ ନୂତନ ଉଦ୍ଦୀପନା ଦେଖାଦେଇ ବ୍ୟବସ୍ଥାପକ ସଭା ବାହାରେ ଓ ଭିତରେ ନୂତନ ଆଗ୍ରହ ଏବଂ ଉତ୍ସାହ ସୃଷ୍ଟିହେବ । ତାଙ୍କ ପରାମର୍ଶ ଗ୍ରହଣ କରାଗଲେ ଗଣଆଇନଅମାନ୍ୟ ସମ୍ଭବପର ହେବ ବୋଲି ଦେଶବନ୍ଧୁ ଯୁକ୍ତି କରୁଥିଲେ । ସେ ନିର୍ଦ୍ଦିଷ୍ଟ ନୀତି ଉପରେ କଂଗ୍ରେସ ସଭାପତିପଦରୁ ଇସ୍ତଫା ଦେଉଥିବାରୁ ଯେପର୍ଯ୍ୟନ୍ତ କଂଗ୍ରେସ ତାଙ୍କ ଯୁକ୍ତି ଗ୍ରହଣ ନ କରିଛି, ସେପର୍ଯ୍ୟନ୍ତ ସେ କଂଗ୍ରେସ ନାମ ନିର୍ବାଚନପ୍ରଚାରରେ ବ୍ୟବହାର କରିବେ ନାହିଁ ବୋଲି କହୁଥିଲେ । ପ୍ରତ୍ୟେକ ସ୍ଥାନରେ ଶ୍ରୋତାମାନେ ତାଙ୍କର ଯୁକ୍ତିର ଅକାଟ୍ୟତା ଏବଂ ତାଙ୍କ ନୀତିର ବଳିଷ୍ଠତା ହୃଦୟଙ୍ଗମ କରୁଥିଲେ ।

 

ତାଙ୍କ ବକ୍ତୃତାର ପ୍ରଭାବ ମାନ୍ଦ୍ରାଜ ଲୋକଙ୍କ ଉପରେ କିପରି ପଡ଼ିଥିଲା, ତାହା ଆଲୋଚନା କରିବାକୁ ଯାଇ ଗୋଟିଏ ବିଶିଷ୍ଟ ଦୈନିକ ସମ୍ୱାଦପତ୍ର ସେତେବେଳେ ଲେଖିଥିଲେ–

 

‘‘ଦେଶବନ୍ଧୁ ଚିତ୍ତରଞ୍ଜନଙ୍କର ପ୍ରଥମ ପରିଦର୍ଶନକୁ ମାନ୍ଦ୍ରାଜର ଲୋକେ ଅତି ଉତ୍କଣ୍ଠାର ସହିତ ଚାହିଁ ବସିଥିଲେ । ସେମାନଙ୍କର ଏହି ଉତ୍କଣ୍ଠା ଯେଉଁ ପରିମାଣରେ ପୂରଣ ହେବାର କଥା, ତାଙ୍କ ପ୍ରଥମ ବକ୍ତୃତାରେ ତା’ ଅପେକ୍ଷା ଅଧିକ ପୂରଣ ହୋଇଥିଲା । ବିରୋଧୀ ସମ୍ୱାଦପତ୍ରମାନଙ୍କ ଚିତ୍ରଣ ଯୋଗୁଁ ତାଙ୍କ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ନାନାପ୍ରକାର ଭୁଲ ଧାରଣା ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା; ମାତ୍ର ଶ୍ରୀଯୁକ୍ତ ଦାସଙ୍କ ଯୋଗୁଁ ତାହା ଦୂର ହୋଇଛି । ତାଙ୍କ ବକ୍ତୃତାର ଭାବଭଙ୍ଗୀ ଅତି ଆଦର୍ଶସ୍ଥାନୀୟ ଏବଂ ତାଙ୍କ ନେତୃତ୍ୱ ଖୁବ୍ ବଳିଷ୍ଠ । ଦେଶପାଇଁ ସେ ତାଙ୍କର ସର୍ବସ୍ୱ ତ୍ୟାଗ କରିଥିଲେ, ଯାହାକି ଅନ୍ୟ କେହି କରିନାହାନ୍ତି । ତାଙ୍କ କାର୍ଯ୍ୟକ୍ରମ ଦେଶ ଆଗରେ ଏକମାତ୍ର କାର୍ଯ୍ୟକାରୀ ପନ୍ଥା ବୋଲି ସେ ଭାବୁଛନ୍ତି । କଂଗ୍ରେସର ସଂଖ୍ୟାଧିକ ଲୋକେ କେବଳ ଅର୍ଥହୀନ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ବୋଲି ସେ ଭାବୁଛନ୍ତି । ସର୍ବୋପରି କଂଗ୍ରେସର ନିଷ୍କ୍ରିୟତା ଯୋଗୁଁ ଲୋକଙ୍କର ସର୍ବନାଶ ହୋଇଥିବା ସମୟରେ ଅମଲାତନ୍ତ୍ର ଶାସନ ଶକ୍ତିଶାଳୀ ହୋଇଛି ବୋଲି ସେ ବୁଝୁଛନ୍ତି । ଏହି ଜାତୀୟ ଧ୍ୱଂସାତ୍ମକ ନୀତିର ଅବସାନ ଘଟାଇବା ପାଇଁ ସେ ଦୃଢ଼ପ୍ରତିଜ୍ଞ । ସେ ଯେତେଦୂର ପାରନ୍ତି, ଲୋକଙ୍କ ଭିତରେ ଆଗ୍ରହ ଓ ଉତ୍ସାହ ସୃଷ୍ଟିକରି ବର୍ତ୍ତମାନର ବୀରପୂଜା ଏବଂ ମାୟାଜାଲରୁ ଲୋକଙ୍କୁ ସ୍ୱରାଜପଥରେ ଆଗେଇ ନେବାପାଇଁ ଅତୀବ ଆଗ୍ରହୀ । ତାଙ୍କ ବକ୍ତୃତାଗୁଡ଼ିକର ଏହାହିଁ ହେଉଛି ସାରକଥା । ସେ କଂଗ୍ରେସର ବିଦ୍ରୋହୀ ନୁହନ୍ତି ବା ତା’ର ବିପଥଗାମୀ ସନ୍ତାନ ନୁହନ୍ତି ବୋଲି ଦାବି କରନ୍ତି । ତଥାପି ତାକୁ ସେଭଳି ଚିତ୍ରଣ କରାଗଲେ ମଧ୍ୟ ସେଥିପ୍ରତି ସେ ଭ୍ରୂକ୍ଷେପ କରୁନାହାନ୍ତି । ତାଙ୍କର ଯୁକ୍ତି ହେଉଛି ଯେ–ସେ କଂଗ୍ରେସକୁ କମ୍ ଭଲପାଆନ୍ତି ନାହିଁ; ମାତ୍ର ତାହା ଅପେକ୍ଷା ଦେଶକୁ ଅଧିକ ଭଲପାଆନ୍ତି । ସେ ତାଙ୍କର ବ୍ୟବସ୍ଥାପକ ସଭା ପ୍ରବେଶ ସପକ୍ଷରେ ଅକାଟ୍ୟ ଯୁକ୍ତିମାନ ଉପସ୍ଥାପିତ କରି ସେଥିପାଇଁ ଯଥେଷ୍ଟ କାରଣ ଥିବାର ଦର୍ଶାଉଛନ୍ତି । ଦେଶର ବର୍ତ୍ତମାନ ଅବସ୍ଥାରେ ଆଇନ ଅମାନ୍ୟ କିପରି ଅସମ୍ଭବ ଏବଂ ସଂଖ୍ୟାଧିକ ଗୋଷ୍ଠୀ କିପରି ସେଥିରେ ଥରକୁଥର ବିଳମ୍ୱ ଘଟାଇ କାଳକ୍ଷେପଣ କରୁଛନ୍ତି, ତାହା ସେ ଲୋକଙ୍କୁ ବୁଝାଉଛନ୍ତି ।

 

‘‘ବ୍ୟବସ୍ଥାପକ ସଭା ପ୍ରବେଶ ଅସହଯୋଗ ନୀତିର କ’ଣ ପରିପନ୍ଥୀ ? ନା, ଏହା ଅସହଯୋଗ ନୀତିର ଆଉ ଗୋଟିଏ ରୂପ । ବ୍ୟବସ୍ଥାପକ ସଭା ବର୍ଜନ କ’ଣ ଏପରି ଗୋଟିଏ ପବିତ୍ର ନିଷ୍ପତ୍ତି ଯେ ସେଥିରେ ହାତ ଦିଆଯାଇପାରିବ ନାହିଁ ? ଶ୍ରୀ ଦାସ ଏହାର ଉତ୍ତରରେ କହୁଥିଲେ–‘‘ମୁଁ ଆପଣମାନଙ୍କୁ ଜବାବ ଦେଉଛି ଯେ ଆଉ ଗୋଟିଏ ଜିନିଷ ଅଛି, ଯାହାକି ଅଧିକ ପବିତ୍ର ଏବଂ ତାହା ହେଉଛି ଭାରତୀୟ ଲୋକଙ୍କର ସ୍ୱାଧୀନତା ।

 

‘‘ଶ୍ରୋତାମାନଙ୍କ ଉପରେ ତାଙ୍କର ଏହି ବକ୍ତୃତାର ଅତିରିକ୍ତ ପ୍ରଭାବ ପଡ଼ୁଛି ଏବଂ ଯେଉଁ କେତେକ ତାଙ୍କର ବିରୋଧ କରିବେ ବୋଲି ଠିକ୍ କରିଥିଲେ, ସେମାନେବି ଏଥିରେ ଭାସି ଯାଉଛନ୍ତି ।’’

 

ଦାକ୍ଷିଣାତ୍ୟରେ ତାଙ୍କର ଏହି ଆନ୍ଦୋଳନବେଳେ ଦେଶବନ୍ଧୁ ଥରେ ତାଙ୍କର ଗୋଟିଏ ଭାଷଣରେ କହିଥିଲେ–

 

‘‘ମୁଁ କ’ଣ ବିଦ୍ରୋହୀ ? ସ୍ୱରାଜ ଲାଭପାଇଁ ଯେବେ ଆବଶ୍ୟକ ବୋଲି ମୁଁ ଭାବେ, ତେବେ କଂଗ୍ରେସ ବା ଅନ୍ୟ ଯେକୌଣସି ଅନୁଷ୍ଠାନ ବିରୁଦ୍ଧରେ ମୁଁ ବିଦ୍ରୋହ କରିବି । ମୁଁ ସ୍ୱରାଜ ଚାହେଁ ଓ ମୋର ସ୍ୱାଧୀନତା ଚାହେଁ; ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ । ମୋ ଜୀବନରେ ମୁଁ କେବେହେଲେ କାପୁରୁଷ ହୋଇନାହିଁ । ଏଥିପାଇଁ ଜୀବନ ବଳିଦେବାକୁ ମୁଁ ପ୍ରସ୍ତୁତ । ଆଜିଠାରୁ ମୋତେ ପରୀକ୍ଷା କରାଯାଉ ଏବଂ ମୁଁ ଆପଣମାନଙ୍କ ସ୍ତରକୁ ଆସୁଛି କି ନାହିଁ, ତାହାର ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି ।’’

Image

 

ଦ୍ୱାଦଶ ଅଧ୍ୟାୟ

ଦିଲ୍ଲୀ–କଂଗ୍ରେସ

 

ମାନ୍ଦ୍ରାଜଗସ୍ତ ଫଳରେ ବହୁ କଂଗ୍ରେସଲୋକ ସ୍ୱରାଜଦଳର ମତବାଦ ଗ୍ରହଣ କଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ଯୋଗଦେବା ପାଇଁ ନାଗପୁର ଗଲେ । ଡାଃ. ଆନସରିଙ୍କ ସଭାପତିତ୍ୱରେ ଗଠିତ ହୋଇଥିବା କଂଗ୍ରେସର ନୂତନ କାର୍ଯ୍ୟକାରୀ କମିଟି ନାଗପୁର ବୈଠକରେ ଇସ୍ତଫା ଦେଲେ । କାରଣ ଦୁଇଗୋଟି ପ୍ରଦେଶ କଂଗ୍ରେସ କମିଟି ନିଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତିକୁ ଅବମାନନା କରିଥିଲେ ସୁଦ୍ଧା କାର୍ଯ୍ୟକାରୀ କମିଟି ତା’ ବିରୁଦ୍ଧରେ କିଛି କରି ନ ପାରିବାରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଏହି ଘଟଣାକୁ ବର୍ଣ୍ଣନା କରି ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି–

 

‘’ଗୁଜରାଟ ପ୍ରାଦେଶିକ କଂଗ୍ରେସ କମିଟି ଯେଉଁ ଶୃଙ୍ଖଳାଭଙ୍ଗ କଲେ, ଆମେ ତା’ର କୌଣସି ପ୍ରତିକାର କରିବାରେ ବିଫଳ ହେବା ଯୋଗୁଁ ଇସ୍ତଫା ଦେଲୁ । ଅଳ୍ପ ସମୟପାଇଁ ଦଳଗତ ରାଜନୀତିରେ ମୋର ଯେଉଁ ଅଭିଜ୍ଞତା ହେଲା, ସେଥିରେ ମୁଁ ବ୍ୟତିବ୍ୟସ୍ତ ହୋଇପଡ଼ିଲି ଏବଂ କେତେକ ବିଶିଷ୍ଟ କଂଗ୍ରେସ ଲୋକଙ୍କ ମାରପେଞ୍ଚ ନୀତିରେ ମୋ ପ୍ରାଣରେ ଚମକ ଲାଗିଥିଲା ।’’

 

କୋଣ୍ଡା ଭେଙ୍କଟାପାୟାଙ୍କ ସଭାପତିତ୍ୱରେ ଗୋଟିଏ ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚିତ ହେଲା ଏବଂ ପରିସ୍ଥିତିର ସମୀକ୍ଷାପାଇଁ ମୌଲାନା ଆବୁଲକାଲାମ ଆଜାଦ୍‍ଙ୍କ ସଭାପତିତ୍ୱରେ କଂଗ୍ରେସର ଗୋଟିଏ ବିଶେଷ ଅଧିବେଶନ ବସିବ ବୋଲି ଏହି ନୂତନ କାର୍ଯ୍ୟକାରୀ କମିଟି ସ୍ଥିରକଲେ ।

 

୧୯୨୩ ମସିହା ସେପ୍‍ଟେମ୍ୱର ମାସରେ କଂଗ୍ରେସର ଏହି ବିଶେଷ ଅଧିବେଶନ ବମ୍ୱେରେ ନ ବସି ଦିଲ୍ଲୀରେ ବସିଲା । ଅଭ୍ୟର୍ଥନା କମିଟିର ସଭାପତି ଡାଃ: ଆନସରି ଏକ ମିଳିତ ସାମ୍ମୁଖ୍ୟ ପ୍ରତିଷ୍ଠାପାଇଁ ନିବେଦନ କରିଥିଲେ । ମୌଲାନା ଆବୁଲକାଲାମ ଆଜାଦ୍ ଅବସ୍ଥାକୁ ବିଭିନ୍ନ ଦିଗରୁ ଆଲୋଚନା କରି ତାଙ୍କର ନିମ୍ନଲିଖିତ ମତ ପ୍ରକାଶ କଲେ–

 

‘‘ବିଭିନ୍ନ ଦିଗରୁ ପ୍ରଶ୍ନଟିର ବିଚାରକରି ମୁଁ ସ୍ଥିରକଲି ଯେ, ବର୍ତ୍ତମାନ ଅବସ୍ଥା ଦୃଷ୍ଟିରୁ ବ୍ୟବସ୍ଥାପକ ସଭା ବର୍ଜନ କରି ସେଥିରୁ ଅଲଗା ରହିବା ଆମ ପକ୍ଷରେ ନିରର୍ଥକ । ଗତ ନିର୍ବାଚନ ସମୟରେ ବ୍ୟବସ୍ଥାପକ ସଭା ବର୍ଜନ କରିବା ଆମ ପକ୍ଷରେ ଆବଶ୍ୟକ ଥିଲା; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ଯେତେ ଦୂର ସମ୍ଭବ ବ୍ୟବସ୍ଥାପକ ସଭାରେ ଅଧିକରୁ ଅଧିକ ସ୍ଥାନ ଦଖଲ କରିବା ଆମର ଦରକାର; କାରଣ ତଦ୍ଦ୍ୱାରା ଆମର ଲାଭ ହେବ ।’’

 

ଲୋକଙ୍କ ସମ୍ମୁଖରେ ମିଳିତ କାର୍ଯ୍ୟକ୍ରମ ରଖାଯାଇଥିଲେ, ଏବେ ଦେଖା ଦେଇଥିବା ହିନ୍ଦୁ ମୁସଲମାନ ତିକ୍ତତାକୁ ମଧ୍ୟ ଏଡ଼ି ଦିଆଯାଇଥାନ୍ତା ବୋଲି ମୌଲାନା ଆଜାଦ ମତ ପ୍ରକାଶ କଲେ । ଅନ୍ୟାୟ ସହିତ ଆମେମାନେ ସହଯୋଗ କରିବା ଅନୁଚିତ–ଏହି ବିଶ୍ୱାସର ଭିତ୍ତି ଉପରେ ଅହିଂସାତ୍ମକ ଅସହଯୋଗ ପ୍ରତିଷ୍ଠିତ ବୋଲି ସେ ବୁଝାଇଥିଲେ । କିନ୍ତୁ ସେଭଳି ଅସହଯୋଗକୁ ନିଷ୍କ୍ରିୟତା ବୋଲି ମନେ କରାଯାଇ ନ ପାରେ । ତା’ ଛଡ଼ା ଅବସ୍ଥା ବଦଳିବା ସଙ୍ଗେ ସଙ୍ଗେ କାର୍ଯ୍ୟପ୍ରଣାଳୀରେ ମଧ୍ୟ ସେହିଭଳି ପରିବର୍ତ୍ତନ ପ୍ରୟୋଜନ ହୁଏ ବୋଲି ସେ କହିଥିଲେ ।

 

କଂଗ୍ରେସଲୋକମାନଙ୍କୁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରାଇବା ପାଇଁ ଅନୁମତି ଦେଇ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲା, ତାହା ମୌଲାନା ମହମ୍ମଦ ଅଲ୍ଲୀ ଆଗତ କରିଥିଲେ ଓ ଡଃ କିଚୁଲୁ, ଆବାସ ତୟାବଜୀ, ଶ୍ରୀମତୀ ସରୋଜିନୀ ନାଇଡ଼ୁ ଏବଂ ଅନ୍ୟମାନେ ତାକୁ ସମର୍ଥନ କରିଥିଲେ । ମୌଲାନା ମହମ୍ମଦ ଅଲ୍ଲୀ ପ୍ରସ୍ତାବ ଆଗତ କରି କହିଥିଲେ–‘‘ଆତ୍ମଶକ୍ତି ବଳରେ ଓ କୌଣସି ଅଦୃଶ୍ୟ ବେତାରଦ୍ୱାରା ମହାତ୍ମା ଗାନ୍ଧି ମୋତେ ଆଦେଶ ଦେଲା ପରି ମୁଁ ଅନୁଭବ କରିଛି ଯେ ଦେଶର ଆବଶ୍ୟକତା ଦୃଷ୍ଟିରୁ ଯେବେ ଦରକାର ହୁଏ, ତାହାହେଲେ ବର୍ଜନକାର୍ଯ୍ୟକ୍ରମର ପରିବର୍ତ୍ତନ କରିବାକୁ ହେବ ।’’

 

ତାଙ୍କ କାର୍ଯ୍ୟକ୍ରମକୁ ସମର୍ଥନ କରି ଦେଶବନ୍ଧୁ ଚିତ୍ତରଞ୍ଜନ କହିଲେ–

 

‘‘ଏହି କାଉନ୍‍ସିଲ୍ ଓ ବ୍ୟବସ୍ଥାପକ ସଭାମାନ କ’ଣ ? ସେଗୁଡ଼ିକ ହେଉଛି ମିଥ୍ୟାର ପୀଠଭୂମି । ସେସବୁକୁ କ’ଣ ଆମେ ଘୁଞ୍ଚାଇ ଦେବା ନାହିଁ ? ମହାତ୍ମା ଗାନ୍ଧି ଶାସନସଂସ୍କାରକୁ ଚୂରମାର କରିଦେବାକୁ ଚାହାନ୍ତି । ମୁଁ ମଧ୍ୟ ବ୍ୟବସ୍ଥାପକ ସଭା ଭିତରେ ରହି ମୋ କାମଦ୍ୱାରା ତାକୁ ଭାଙ୍ଗିଦେବାକୁ ଚାହେଁ । ଏହା କରିବାକୁ ହେଲେ ବ୍ୟବସ୍ଥାପକ ସଭା ଭିତରେ ଥାଇ ଶାସନକୁ ଅଚଳ କରିଦେବା ହେଉଛି ଏକମାତ୍ର ପନ୍ଥା । ସାମାନ୍ୟ ପଦପଦବୀ ମୋହରେ ସାମାନ୍ୟ କ୍ଷମତାପାଇଁ ଯେଉଁମାନେ ବ୍ୟବସ୍ଥାପକ ସଭାକୁ ଆସନ୍ତି, ସେମାନଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ସେଭଳି କାମକୁ ଘୃଣାକରେ । ମୁଁ କହି ଦେବାକୁ ଚାହେଁ ଯେ, ସଂସ୍କାରରୂପୀ ଯେଉଁ ଦାନବ ଆମ ରକ୍ତ ଶୋଷଣ କରୁଛି, ତାକୁ ଧ୍ୱଂସକରିବା ପାଇଁ ମୁଁ ଯିବି; ନହେଲେ ବ୍ୟବସ୍ଥାପକ ସଭାକୁ ଆଦୌ ଯିବି ନାହିଁ । ଏହି ଯେଉଁ ଆପୋସ ପ୍ରସ୍ତାବ ଅଣାଯାଇଛି, ତାହା ଅହିଂସା–ଅସହଯୋଗ ନୀତି ଉପରେହିଁ ଗୁରୁତ୍ୱ ଦେଇଛି । ମୁଁ ସେଥିରେ ଆନନ୍ଦିତ ।

 

‘‘ମୁଁ ସଂଖ୍ୟାଲଘୁ ଅବସ୍ଥାରେ ରହିଲେ ସୁଦ୍ଧା ଅସହଯୋଗର କେତେଗୁଡ଼ିଏ ଜଳନ୍ତା ଦୀପ ପରି ସେହି ସ୍ଥାନଗୁଡ଼ିକୁ ଶୂନ୍ୟ ରଖିବି ।’’

 

‘‘କଂଗ୍ରେସର ସାଧାରଣ କାର୍ଯ୍ୟକ୍ରମରୂପେ ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ ସ୍ୱରାଜଦଳର ପ୍ରସ୍ତାବ ମୁଁ ଯଦି ଗ୍ରହଣ କରାଇ ନେଇପାରିଥାନ୍ତି, ତାହାହେଲେ ମୁଁ ପୂର୍ଣ୍ଣ ବିଜୟ ହାସଲ କରିପାରିଥାନ୍ତି; ମାତ୍ର ମୁଁ ତାହା କରିବାକୁ ଚାହେଁ ନାହିଁ । କାରଣ ସେଭଳି ବିଜୟ ଅପେକ୍ଷା ଏକତାବଦ୍ଧ କଂଗ୍ରେସ ଯଥେଷ୍ଟ ଭଲ ।’’

 

ଏହି ପ୍ରସ୍ତାବ ପ୍ରାୟ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଏବଂ ପଣ୍ଡିତ ମଦନମୋହନ ମାଲବ୍ୟ ତାହା ଘୋଷଣା କରିବା ସମୟରେ ଚାରିଆଡ଼େ ଆନନ୍ଦର ଉଚ୍ଛ୍ୱାସ ଖେଳିଗଲା ।

 

କଂଗ୍ରେସଲୋକେ ବ୍ୟବସ୍ଥାପକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ସ୍ଥିର କରାଯିବା ପରେ ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ନେହେରୁ ଉତ୍ତରପ୍ରଦେଶର କେତେକ ପ୍ରଧାନ ସହର ଗସ୍ତ କଲେ । ଦେଶବନ୍ଧୁ କଲିକତାକୁ ଫେରି ବଙ୍ଗଳା ପ୍ରଦେଶସାରା ଗସ୍ତକଲେ । ପ୍ରତ୍ୟେକ ସ୍ଥାନରେ ତାଙ୍କ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରି ସେ ଲୋକସମର୍ଥନ ପାଇଲେ । ସକାଳୁ ସନ୍ଧ୍ୟାଯାଏ କାର୍ଯ୍ୟ କରିବା ଫଳରେ ଖାଇବା ପିଇବା ଓ ଶୋଇବାକୁ ମଧ୍ୟ ତାଙ୍କୁ ବେଳ ମିଳିଲା ନାହିଁ ।

 

ଏହି କାର୍ଯ୍ୟ ଫଳରେ ବଙ୍ଗଳାରେ ନିର୍ବାଚନର ଯାହା ଫଳାଫଳ ହେଲା, ତାହା ବର୍ତ୍ତମାନ ଇତିହାସର ବିଷୟବସ୍ତୁ । ସାଧାରଣ ଜୀବନରେ ଖ୍ୟାତନାମା ବହୁ ବିଶିଷ୍ଟ ବ୍ୟକ୍ତି ଦେଶବନ୍ଧୁଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜଣାଅଶୁଣା ଲୋକଙ୍କଦ୍ୱାରା ପରାଜିତ ହେଲେ । ଭାରତ ଜାତୀୟ କଂଗ୍ରେସର ଜନୈକ ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତି ତଥା ଭାରତୀୟ ରାଜନୀତିର ବଡ଼ପଣ୍ଡା ବୋଲି କଥିତ ଶ୍ରୀ ସୁରେନ୍ଦ୍ରନାଥ ବାନାର୍ଜୀ ମଧ୍ୟ ସେ ସମୟରେ ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଜ୍ଞାତ ଡାଃ ବିଧାନଚନ୍ଦ୍ର ରାୟଙ୍କଦ୍ୱାରା ପରାଜିତ ହେଲେ ।

ଦେଶବନ୍ଧୁଙ୍କର ନିଜର ପିତୃବ୍ୟଙ୍କ ପୁତ୍ର ଏବଂ ବଙ୍ଗର ଆଡ଼୍‍ଭୋକେଟ ଜେନେରାଲ ଶ୍ରୀ ଏସ.ଆର. ଦାସ ତାଙ୍କ ତୁଳନାରେ ଅଜ୍ଞାତ ସାତକଡ଼ି ପତିରାୟଙ୍କଦ୍ୱାରା ପରାଜିତ ହେଲେ ଏବଂ ସୁନାମଧନ୍ୟ ଚିକିତ୍ସକ ସାର୍ ନୀଳରତନ ସରକାର ମଧ୍ୟ ବିଜୟକୃଷ୍ଣ ବୋଷଙ୍କଦ୍ୱାରା ପରାଜିତ ହୋଇଥିଲେ ।

ଦେଶବନ୍ଧୁଙ୍କର ଚେଷ୍ଟାଯୋଗୁଁ ଅସମ୍ଭବ ଏକପ୍ରକାର ସମ୍ଭବ ହୋଇଥିଲା । ପ୍ରାୟ ବର୍ଷକ ମଧ୍ୟରେ ସେ କଂଗ୍ରେସକୁ ନିଜ ମତବାଦରେ ଦୀକ୍ଷିତ କରାଇପାରିଥିଲେ । ବଙ୍ଗଳାରେ ସାଧାରଣ ସ୍ଥାନ ଅଧିକାର କରିବା ସଙ୍ଗେ ସଙ୍ଗେ ମୁସଲମାନଙ୍କ ପାଇଁ ସଂରକ୍ଷିତ ସ୍ଥାନମାନ ମଧ୍ୟ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ପରାଜିତ କରି ସେ ଦଖଲ କରିଥିଲେ । ଏହିଭଳି ସେ ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରିଥିଲେ ସତ୍ୟ; କିନ୍ତୁ ଏହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଚାପ ପଡ଼ିଲା । ତା’ଛଡ଼ା ତାଙ୍କର କେତେକ ଅନ୍ତରଙ୍ଗ ସହକର୍ମୀଙ୍କୁ ବରାବର ୧୮୧୮ ମସିହା ତୃତୀୟ ନିୟମ ଅନୁଯାୟୀ ଅଟକ କରାଯିବ ବୋଲି ଧମକ ଦିଆଯିବା ଫଳରେ ସେ ଏକ ନୂତନ ଉଦ୍‍ବେଗ ଭିତରେ ଗତିକଲେ ।

ବଙ୍ଗଳାର ତଦାନୀନ୍ତନ ରାଜ୍ୟପାଳ ଲର୍ଡ଼ ଲିଟନ୍ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଗଠନପାଇଁ ଦେଶବନ୍ଧୁଙ୍କୁ ଆମନ୍ତ୍ରଣ କଲେ । ବନ୍ଧୁମାନଙ୍କ ସହ ପରାମର୍ଶ କରି ଲାଟ୍ ସାହେବଙ୍କୁ ସେ ନିମ୍ନଲିଖିତ ଉତ୍ତର ଦେଲେ :–

 

‘‘ମାନ୍ୟବରେଷୁ,

ଆପଣ ଲେଖିଥିବା ବିଷୟ ଆମ ଦଳ ବୈଠକରେ ପକାଇ ବୁଝାଇଲି । ଆପଣ ଦୟାକରି ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହା ଅଗ୍ରାହ୍ୟ କରିବାକୁ ସେମାନେ ନିଷ୍ପତ୍ତି କରିଛନ୍ତି । ଏହି ଦଳର ସଭ୍ୟମାନେ ସମ୍ୱିଧାନରେ ଦିଆଯାଇଥିବା ସମସ୍ତ ପ୍ରକାର ଆଇନଗତ ଅଧିକାରକୁ ବ୍ୟବହାର କରି ସମ୍ୱିଧାନକୁ ଅକାମୀ କରିଦେବା ପାଇଁ ବଦ୍ଧପରିକର । ସେମାନେ ଯେବେ ମନ୍ତ୍ରିତ୍ୱ ଗ୍ରହଣ କରନ୍ତି, ତାହାହେଲେ ଏହି କର୍ତ୍ତବ୍ୟ ସେମାନେ ସମ୍ପାଦନ କରିପାରିବେ ନାହିଁ । ଦଳ ଅବଶ୍ୟ ଜାଣେ ଯେ, ମନ୍ତ୍ରିତ୍ୱ ଗ୍ରହଣ କଲେ ମଧ୍ୟ ସମ୍ୱିଧାନକୁ ଅକାମୀ କରି ଦିଆଯାଇପାରେ; କିନ୍ତୁ ବର୍ତ୍ତମାନ ଅବସ୍ଥାରେ ମନ୍ତ୍ରିତ୍ୱ ଗ୍ରହଣ କରିବା ଆପଣଙ୍କର ଦାନସ୍ୱରୂପ ହୋଇଥିବାରୁ ତାକୁ ଗ୍ରହଣ କରି ତା’ ଜରିଆରେ ବାଧା ସୃଷ୍ଟି କରିବା ଉଚିତ ହେବ ବୋଲି ସେମାନେ ଭାବୁନାହାନ୍ତି । ଏହି ଦେଶର ଜାଗ୍ରତ ଜନମତ ବର୍ତ୍ତମାନ ଦେଶର ଶାସନପଦ୍ଧତିରେ ପରିବର୍ତ୍ତନ ଚାହାନ୍ତି । ଯେପର୍ଯ୍ୟନ୍ତ ତାହା ନ ହୋଇଛି ବା ସରକାରଙ୍କ ହୃଦୟ ପରିବର୍ତ୍ତନ ହୋଇଛି ବୋଲି ସୂଚନା ମିଳିବା ଭଳି ସାଧାରଣ ଶାସନରେ କୌଣସି ପରିବର୍ତ୍ତନ ନ ଘଟିଛି, ସେପର୍ଯ୍ୟନ୍ତ ଏ ଦେଶର ଲୋକେ ସ୍ୱେଚ୍ଛାରେ ସହଯୋଗ କରିପାରିବେନାହିଁ । ଏହି କାରଣରୁ ‘ହସ୍ତାନ୍ତରିତ’ ବିଭାଗମାନଙ୍କର ଦାୟିତ୍ୱ ନେଇପାରିବି ନାହିଁ ବୋଲି ମୁଁ ଦୁଃଖର ସହିତ ଜଣାଉଛି । ସାମ୍ୱିଧାନିକ ଦୃଷ୍ଟିରୁ ଆପଣ ଯେପରି ପ୍ରସ୍ତାବ ଦେଇଛନ୍ତି ଏବଂ ଯାହାକୁ ଆମେ ଗ୍ରହଣ କରିପାରୁନାହୁଁ, ସେଥିପାଇଁ ମୋ ଦଳ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।’’

ବଶମ୍ୱଦ

ସି.ଆର. ଦାସ ।

 

ସ୍ୱରାଜ ଦଳ ଏପରିଭାବରେ ବଙ୍ଗଳାର ବ୍ୟବସ୍ଥାପକ ସଭାରେ ଶକ୍ତିଶାଳୀ ବିରୋଧୀଦଳରୂପେ ସରକାରଙ୍କୁ ବହୁବାର ପରାଜିତ କରିଛନ୍ତି । ରାଜନୈତିକ ଅଟକବନ୍ଦୀମାନଙ୍କୁ ଖଲାସ କରିବାପାଇଁ ଦାବି କରି ଅଧିକ ସଂଖ୍ୟାରେ ପ୍ରସ୍ତାବ ପାସ୍ ହୋଇଗଲା । ତିନୋଟି ମନ୍ତ୍ରିମଣ୍ଡଳ କ୍ରମାଗତ ପରାଜିତ ହେବାରୁ ବଙ୍ଗଳାରେ ଅମଲାତନ୍ତ୍ର ଶାସନର ସମାଧି ଘଟିଲା ।

Image

 

ତ୍ରୟୋଦଶ ଅଧ୍ୟାୟ

କଲିକତା କର୍ପୋରେସନ

 

୧୯୨୩ ମସିହା କଲିକତା ମ୍ୟୁନିସିପାଲ ଆଇନ ସାର୍ ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତିପାଇଁ ଏକ ବିରାଟ ଦାନ । ଏହି ଆଇନରେ ଭୋଟ ପ୍ରଥାର ପ୍ରସାର ଘଟାଯାଇ କଲିକତା କର୍ପୋରେସନକୁ ଏକ ଗଣତାନ୍ତ୍ରିକ ଅନୁଷ୍ଠାନ ରୂପରେ ପରିଣତ କରାଗଲା । ଏହି ଆଇନ ବଳରେ କଲିକତା କର୍ପୋରେସନର ୮୫ ଜଣ କାଉନ୍‍ସିଲର୍ ଏବଂ ୫ ଜଣ ଆଲଡ଼ରମାନ ରହିବାର ବ୍ୟବସ୍ଥା ହେଲା । ଏହାଦ୍ୱାରା ଚେଆରମେନ୍ ପଦବୀଟି ଉଠିଗଲା ଏବଂ ତା’ ବଦଳରେ କାଉନ୍‍ସିଲର୍ ଏବଂ ଆଲଡ଼ରମାନଙ୍କଦ୍ୱାରା ନିର୍ବାଚିତ ଜଣେ ମେୟର ରହିଲେ । ସେ କର୍ପୋରେସନର ସାଧାରଣ ବା ବିଶେଷ ଅଧିବେଶନରେ ସଭାପତିତ୍ୱ କରିବେ । ଚେଆରମେନ୍‍ଙ୍କ ଶାସନସଂକ୍ରାନ୍ତ ଦାୟିତ୍ୱକୁ କାର୍ଯ୍ୟକାରୀ କରିବାପାଇଁ ଜଣେ ମୁଖ୍ୟ ଏକ୍‍ଜିକ୍ୟୁଟିଭ ଅଫିସର ରହିଲେ, ଯେକି ମେୟରଙ୍କ ଅଧୀନରେ ଓ ତାଙ୍କ ସାଧାରଣ ତତ୍ତ୍ୱାବଧାନରେ କାମ କରିବେ ।

ବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟି ପକ୍ଷରୁ କର୍ପୋରେସନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାପାଇଁ ଦେଶବନ୍ଧୁ ଦୋଦୋପାଞ୍ଚ ହୋଇ ନିଷ୍ପତ୍ତି ନେଲେ । ନିର୍ବାଚନରେ ଅଧିକାଂଶ କଂଗ୍ରେସଲୋକ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେଲେ । ଯେଉଁଠାରେ ବା ପ୍ରତିଦ୍ୱନ୍ଦ୍ୱିତା ହେଲା, ସେଠାରେ ସାଧାରଣ ସ୍ଥାନ ଓ ମୁସଲମାନମାନଙ୍କ ପାଇଁ ସଂରକ୍ଷିତ ସ୍ଥାନରେ କଂଗ୍ରେସପ୍ରାର୍ଥୀ ଜିତିଲେ । କଲିକତାର ପ୍ରଥମ ମେୟରରୂପେ ଦେଶବନ୍ଧୁ ନିର୍ବାଚିତ ହୁଅନ୍ତୁ ବୋଲି ସବୁ ଶ୍ରେଣୀର ଲୋକେ ଇଚ୍ଛା ପ୍ରକାଶ କଲେ । ଏଥିରେ ପ୍ରଥମେ ସେ ଅନିଚ୍ଛା ପ୍ରକାଶ କରି ପରେ ରାଜିହେଲେ ମେୟର ହିସାବରେ ଚିତ୍ତରଞ୍ଜନ ତାଙ୍କ ପ୍ରଥମ ବକ୍ତୃତାରେ ନଗରପରିଚାଳନା ସମ୍ପର୍କରେ ନିଜର ଚିନ୍ତାଧାରା ପରିଷ୍କାରଭାବରେ ବୁଝାଇ ଦେଇଥିଲେ । ସେ ଯେଉଁ ଦୃଷ୍ଟିକୋଣରୁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିଥିଲେ, କର୍ପୋରେସନର ପ୍ରବେଶ ଉଦ୍ଦେଶ୍ୟ ତା’ଠାରୁ ସମ୍ପୂର୍ଣ୍ଣ ପୃଥକ୍ ବୋଲି ସେ ପରିଷ୍କାର ବୁଝାଇଥିଲେ । ସେ ଧ୍ୱଂସ ନ କରି ଗଠନ କରିବାକୁ ସେଠାକୁ ଆସିଥିଲେ । କର୍ପୋରେସନ କାର୍ଯ୍ୟ କରିବାପାଇଁ ସେ ନିମ୍ନଲିଖିତ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ କଲେ–ଅବୈତନିକ ପ୍ରାଥମିକ ଶିକ୍ଷାଦାନ, ଦୁଃସ୍ଥମାନଙ୍କର ଚିକିତ୍ସାପାଇଁ ବ୍ୟବସ୍ଥା, ସହରବାସୀଙ୍କୁ ଖାଣ୍ଟି ଓ ଶସ୍ତା ଖାଦ୍ୟ ଏବଂ ଦୁଗ୍ଧ ଯୋଗାଣ । ଉନ୍ନତ ଧରଣର ବିଶୋଧିତ (Filtered) ଏବଂ ଅଶୋଧିତ (Unfiltered) ଜଳ ଯୋଗାଣ, ବ୍ୟବସାୟ ଓ ଜନଗହଳି ଅଞ୍ଚଳରେ ଉନ୍ନତଧରଣର ସ୍ୱାସ୍ଥ୍ୟବ୍ୟବସ୍ଥା, ଦରିଦ୍ରଙ୍କ ପାଇଁ ଗୃହନିର୍ମାଣ, ସହରତଳି ଅଞ୍ଚଳର ବିକାଶ, ଗମନାଗମନର ଉନ୍ନତି ବ୍ୟବସ୍ଥା ଓ ଶାସନକାର୍ଯ୍ୟରେ କମ୍ ଖର୍ଚ୍ଚରେ ଅଧିକ ଦକ୍ଷତା ହାସଲ ।

ସେ ତାଙ୍କର ଉଦ୍‍ଘାଟନ ବକ୍ତୃତାରେ କହିଥିଲେ :–

‘‘ଭାରତର ଲୋକେ ଦରିଦ୍ରମାନଙ୍କୁ ଦରିଦ୍ରନାରାୟଣ ବୋଲି ଆଖ୍ୟା ଦିଅନ୍ତି । ସେମାନଙ୍କ ଦୃଷ୍ଟିରେ ଭଗବାନ ଦରିଦ୍ରରୂପେ ଦେଖାଦିଅନ୍ତି । ଭାରତ ଦୃଷ୍ଟିରେ ଦରିଦ୍ରସେବାହିଁ ହେଉଛି ଭଗବତ ସେବା । ତେଣୁ ମୁଁ ଆପଣଙ୍କର (ଦରିଦ୍ର ଲୋକ) ରେସେବା ଯେପରି ନିଜକୁ ନିୟୋଜିତ କରେ, ତାହାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିବି । ମୁଁ ଯେଉଁ କାର୍ଯ୍ୟକ୍ରମ ତିଆରି କରିଛି, ତାହା ଆପଣମାନେ ଦେଖିଥିବେ । ସେଥିରୁ ଅଧିକାଂଶ କାର୍ଯ୍ୟ ଦରିଦ୍ରସେବା ଉଦ୍ଦେଶ୍ୟରେହିଁ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ସଫଳ କରିବା ଦିଗରେ କର୍ପୋରେସନ ଯଦି ସୀମିତଭାବରେବି କୃତିତ୍ୱ ହାସଲ କରେ, ତାହାହେଲେ ସଭା ନିଜର ସ୍ୱାର୍ଥକତା ବଜାୟ ରଖିପାରିବ ।’’

 

କର୍ପୋରେସନର ଶାସନକ୍ଷେତ୍ରରେ କୃତିତ୍ୱ ହାସଲ କରିବାପାଇଁ ଦେଶବନ୍ଧୁ ସୁଭାଷଚନ୍ଦ୍ର ବୋଷଙ୍କୁ ମୁଖ୍ୟ ଏକ୍‍ଜିକ୍ୟୁଟିଭ ଅଫିସରଭାବେ ନିଯୁକ୍ତ କଲେ ।

 

ଦେଶବନ୍ଧୁ ମେୟର ହେବାପରେ କଲିକତା କର୍ପୋରେସନର ମେହେନ୍ତରମାନେ ଧର୍ମଘଟ ଆରମ୍ଭ କଲେ । ସେମାନଙ୍କୁ ଡାକି ସେ କହିଲେ, ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି, ତାହାହେଲେ ସେ ନିଜେ ସ୍ୱେଚ୍ଛାସେବକମାନଙ୍କ ସାହାଯ୍ୟରେ ସଫେଇ କାମ କରିବେ । ଯେବେ ସେମାନେ ବିନା ସର୍ତ୍ତରେ କାର୍ଯ୍ୟକୁ ଫେରନ୍ତି ତାହାହେଲେ ସେମାନଙ୍କର ନ୍ୟାୟସଙ୍ଗତ ଆପତ୍ତି ଓ ଦାବିମାନ ପୂରଣ କରି ଚେତନ ବୃଦ୍ଧ କରିବା ଦିଗରେ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା କରିବାପାଇଁ ସେ ନିଜେ ଦାୟିତ୍ୱ ନେବେ । ତାଙ୍କର ଏ ନିବେଦନ ଫଳରେ ମେହେନ୍ତରମାନେ ସଙ୍ଗେ ସଙ୍ଗେ ଧର୍ମଘଟ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେଲେ ।

 

ସମ୍ୱାଦପତ୍ର ସାହାଯ୍ୟରେ ତାଙ୍କ ମତ ପ୍ରଚାର କରି ସାଧାରଣ ଜନମତକୁ ମାର୍ଜିତ କରିବା ଦିଗରେ ଦେଶବନ୍ଧୁଙ୍କ ଚେଷ୍ଟା ଏଠାରେ ଉଲ୍ଲେଖଯୋଗ୍ୟ । ଗୋଟିଏ ଦିଗରୁ ଆଲୋଚନା କରିବାକୁ ଗଲେ ସାମ୍ୱାଦିକତା ତାଙ୍କର ଅସ୍ଥିମଜ୍ଜାଗତ ଥିଲା । ୧୯୦୧ ମସିହାରେ ପ୍ରକାଶିତ ହେଉଥିବା ‘ନିଉ ଇଣ୍ଡିଆ’ ସହ ସେ ଓତପ୍ରୋତ ଭାବରେ ଜଡ଼ିତ ଥିଲେ । ବଙ୍ଗଳାରେ ପ୍ରକାଶ ପାଉଥିବା ‘ନାରାୟଣ’ ଥିଲା ନୂତନ ଧରଣର ସାହିତ୍ୟିକ ଏବଂ ସାଂସ୍କୃତିକ ପତ୍ରିକା । ୧୯୨୨ ମସିହାରେ ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କୀୟ ତାଙ୍କ ମତବାଦ ପ୍ରଚାରପାଇଁ ସେ ଗୋଟିଏ ନୂତନ ବଙ୍ଗଳା ପାକ୍ଷିକ ପତ୍ରିକା ପ୍ରକାଶ କରିଥିଲେ ।

 

୧୯୨୩ ମସିହାରେ ଫରଓ୍ୟାର୍ଡ଼ ପବ୍ଲିଶିଂ କମ୍ପାନୀ ନାମକ ଏକ ଯୌଥ ପ୍ରତିଷ୍ଠାନ ସେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀରେ ତାଙ୍କ ସହ ପଣ୍ଡିତ ମୋତିଲାଲ ନେହେରୁ, ଶରତଚନ୍ଦ୍ର ବୋଷ, ତୁଳସୀ ଗୋସ୍ୱାମୀ ଓ ପ୍ରଭୁ ଦୟାଲ ହିମତ୍ ସିଂହକା ପ୍ରଭୃତି ଡିରେକ୍ଟର୍ ଥିଲେ । ୧୯୨୩ ଅକ୍ଟୋବର ୨୩ ତାରିଖ ଦିନ ଏହି ପ୍ରତିଷ୍ଠାନ ପକ୍ଷରୁ ‘ଫରଓ୍ୟାର୍ଡ଼’ ନାମକ ଗୋଟିଏ ଇଂରାଜୀ ଦୈନିକ ପତ୍ରିକା ପ୍ରକାଶ ପାଇଲା । ଏହି ସମ୍ୱାଦପତ୍ର ଭାରତୀୟ ସାମ୍ବାଦିକତାର ନୂତନ ମାନଦଣ୍ଡ ସୃଷ୍ଟିକଲା । ଅଧିକାଂଶ ସମ୍ପାଦକୀୟ ଦେଶବନ୍ଧୁଙ୍କ ନିର୍ଦ୍ଦେଶରେ ପ୍ରକାଶିତ ହେଉଥିଲା । ସେଗୁଡ଼ିକ ଯେପରି ଓଜସ୍ୱୀ ଥିଲା, ଭାଷା ଓ ଭାବରେ ସେହିପରି ଖୁବ୍ ସଂଯତ ଥିଲା । ଏହି ସମ୍ୱାଦପତ୍ର ନିରପେକ୍ଷ ଏବଂ ନିର୍ଭୀକ ସମାଲୋଚନା ଯୋଗୁଁ ସରକାରଙ୍କର ଓ ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।

 

ସୁଭାଷଚନ୍ଦ୍ର ବୋଷ ପ୍ରଥମରୁ ଏହି ପ୍ରତିଷ୍ଠାନର ଦାୟିତ୍ୱରେ ରହିଥିଲେ । କଲିକତା କର୍ପୋରେସନର ମୁଖ୍ୟ ଏକ୍‍ଜିକ୍ୟୁଟିଭ ଅଫିସର ହେବାପରେ ଏହି ଦାୟିତ୍ୱରୁ ସେ ଅବ୍ୟାହତି ନେଇଥିଲେ । ପ୍ରଥମରୁ ଦେଶବନ୍ଧୁ ନିୟମ କଲେ ଯେ, ଏ ପତ୍ରିକାରେ କେବଳ ରାଜନୈତିକ ମତବାଦର ଆଲୋଚନା ନ ହୋଇ କଳା, ସାହିତ୍ୟ, ବିଜ୍ଞାନ, ସ୍ଥାପତ୍ୟ, ଅଙ୍କନ, କ୍ରୀଡ଼ା, ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର ସମ୍ପର୍କୀୟ ବିଭିନ୍ନ ଲେଖା ପ୍ରକାଶିତ ହେବ । ବିଭିନ୍ନ ବିଷୟରେ ଆଗ୍ରହ ପ୍ରକାଶ କରି ନିର୍ଭୀକ ଭାବରେ ସ୍ୱାଧୀନ ସମାଲୋଚନା କରୁଥିବା ଯୋଗୁଁ ‘ଫରଓ୍ୟାର୍ଡ଼’ ଖୁବ୍ ଅଳ୍ପ ଦିନ ମଧ୍ୟରେ ଦେଶରେ ଶକ୍ତିଶାଳୀ ସମ୍ୱାଦପତ୍ର ଭାବରେ ପରିଗଣିତ ହେଲା ।

Image

 

ଚତୁର୍ଦ୍ଦଶ ଅଧ୍ୟାୟ

ବଙ୍ଗ ଚୁକ୍ତି

 

ଦେଶବନ୍ଧୁ ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭରୁ ବୁଝି ପାରିଥିଲେ ଯେ, ଯଦି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ବନ୍ଧୁତା ଓ ବୁଝାମଣା ସୃଷ୍ଟି ନହୁଏ, ତାହାହେଲେ ଭାରତର ସ୍ୱାଧୀନତା ପ୍ରାପ୍ତି କଷ୍ଟକର ହୋଇପଡ଼ିବ । ସ୍ୱାଭାବିକ ଅବସ୍ଥାରେ ସେମାନଙ୍କ ଭିତରେ ସମ୍ପର୍କ ଭଲ ରହିଥିଲେ ସୁଦ୍ଧା ସାମାନ୍ୟ ସାମାନ୍ୟ କାରଣରୁ ବେଳେବେଳେ ସମ୍ପର୍କ ତିକ୍ତ ହୋଇ ଉଠୁଥିବାର ସେ ଲକ୍ଷ୍ୟ କରିଥିଲେ । ଉତ୍ତର–ପ୍ରଦେଶ, ବିହାର ଓ ପଞ୍ଜାବରେ ବିଭିନ୍ନ ସମୟରେ ଯେଉଁ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହେଉଥିଲା, ସେଥିରେ ସେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ୁଥିଲେ । ବଙ୍ଗଳା ମୋଟାମୋଟି ଏଥିରୁ ମୁକ୍ତଥିଲେ ସୁଦ୍ଧା ୧୮୯୧ ମସିହାରେ ଏବଂ ୧୮୯୫ ମସିହାରେ ହୋଇଥିବା ଟାଲା ଦଙ୍ଗାହଙ୍ଗାମା ଏବଂ ୧୯୧୨ ମସିହାରେ ହୋଇଥିବା ଦଙ୍ଗାହଙ୍ଗାମାରୁ ଏହି ସୁସମ୍ପର୍କ କିପରି ସୂତାଖିଅକେ ଝୁଲୁଛି, ତାହା ସେ ବୁଝିଥିଲେ । ୧୯୦୫ ମସିହାରେ ବିଭିନ୍ନ ସମ୍ପ୍ରଦାୟକୁ ପରସ୍ପର ବିରୁଦ୍ଧରେ ଲଗାଇ ବ୍ରିଟିଶ ଅମଲାତନ୍ତ୍ର କିପରି ନିଜ ଆଇନ ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲେ, ତାହା ଦେଶବନ୍ଧୁଙ୍କ ମନରୁ ଅନ୍ତର୍ହିତ ହୋଇ ନଥିଲା । ପୂର୍ବବଙ୍ଗ ଓ ଆସାମକୁ ନେଇ ଗଠିତ ହୋଇଥିବା ନୂତନ ପ୍ରଦେଶର ଲାଟ ସାର୍ ବମ୍‍ଫାଇଲଡ଼ ଫୁଲର ଥରେ ପ୍ରକାଶ୍ୟରେ କହିଥିଲେ ଯେ, ଯେବେ ଜଣେ ହିନ୍ଦୁ ସ୍ତ୍ରୀ ତାଙ୍କ ପ୍ରତି ଖରାପ ବ୍ୟବହାର କଲା ତେବେ ସେ ନିଶ୍ଚୟ ମୁସଲମାନ ସ୍ତ୍ରୀପ୍ରତି ଆସକ୍ତ ହେବେ । ବ୍ରିଟିଶ ଶାସକଗୋଷ୍ଠୀର ମତିଗତି ଯେତେବେଳେ ଏହିପରି, ସେତେବେଳେ ୧୯୦୯ ମସିହାରେ ଇଣ୍ଡିୟାନ କାଉନ୍‍ସିଲ୍ ଆକ୍‍ଟରେ ଭାରତବର୍ଷରେ ପ୍ରଥମ ଥରପାଇଁ ସ୍ୱତନ୍ତ୍ର ନିର୍ବାଚନ ପ୍ରଥା ପ୍ରବର୍ତ୍ତିତ ହେଲା ।

 

ବହୁ ଦିନ ଧରି କଂଗ୍ରେସ ଏହି ସମସ୍ୟା ନେଇ ସଜାଗ ଥିଲା । ଉଭୟ ସମ୍ପ୍ରଦାୟ ମଧ୍ୟରେ ଥିବା ସମସ୍ତ ଅସଦ୍‍ଭାବର ସମାଧାନ ଉଦ୍ଦେଶ୍ୟରେ ୧୯୧୯ ମସିହାରେ କଂଗ୍ରେସ ଲିଗ ଚୁକ୍ତି ହୋଇଥିଲା । ପଞ୍ଜାବ ବ୍ୟବସ୍ଥାପକ ସଭାରେ ମୁସଲମାନଙ୍କ ପାଇଁ ଶତକଡ଼ା ୫୧ ସ୍ଥାନ ନିର୍ଦ୍ଦିଷ୍ଟ ରଖିବାକୁ କଂଗ୍ରେସ ରାଜି ହୋଇଥିଲା । ୧୯୨୩ ମସିହାରେ ହୋଇଥିବା କଲିକତା ମ୍ୟୁନିସିପାଲ ଆଇନ ଅନୁଯାୟୀ କେତେ ବର୍ଷପାଇଁ ମୁସଲମାନମାନଙ୍କୁ ସ୍ୱତନ୍ତ୍ର ସୁବିଧା ଦେବାର ବ୍ୟବସ୍ଥା କରାଯାଇଥିଲା । ଏହି ପରିସ୍ଥିତିରେ ଚିତ୍ତରଞ୍ଜନ ଉଭୟ ସମ୍ପ୍ରଦାୟ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାପାଇଁ ମିଳିତ ଦାବି ଉପସ୍ଥାପିତ କରି ସେଥିଲାଗି ମିଳିତଭାବରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କର ବିଖ୍ୟାତ ହିନ୍ଦୁ–ମୁସଲମାନ ଚୁକ୍ତି ଦେଶ ଆଗରେ ଉପସ୍ଥାପିତ କରିଥିଲେ ।

 

ଏହି ଚୁକ୍ତିରେ ବଙ୍ଗଳାର ବ୍ୟବସ୍ଥାପକ ସଭାରେ ଲୋକସଂଖ୍ୟା ଅନୁଯାୟୀ ପ୍ରତିନିଧି ସଂଖ୍ୟା ନିର୍ଣ୍ଣୟ କରାଯିବ ଓ ମିଳିତ ନିର୍ବାଚନ ପ୍ରଥାରେ ନିର୍ବାଚନ ହେବ ବୋଲି ବ୍ୟବସ୍ଥା କରାଯାଇଥିଲା । ଚାକିରି ପ୍ରଭୃତିରେ ମୁସଲମାନ ସମ୍ପ୍ରଦାୟର ଲୋକେ ସେମାନଙ୍କ ଲୋକସଂଖ୍ୟାଦୃଷ୍ଟିରୁ ଯାହା କମ୍ ଅଛି, ତାହା ପୂରଣ ହେଲା ପର୍ଯ୍ୟନ୍ତ ସୁବିଧା ପାଇବେ ବୋଲି ବ୍ୟବସ୍ଥା ହୋଇଥିଲା । ମସଜିଦ ଆଗରେ ସଙ୍ଗୀତ ଓ ବାଦ୍ୟ ବିଷୟ ଏବଂ ଗୋହତ୍ୟା ନିରୋଧପାଇଁ ଅନ୍ୟ ସମ୍ପ୍ରଦାୟ ମନରେ ଆଘାତ ଆସିବା ଭଳି କୌଣସି କାର୍ଯ୍ୟ ନ କରିବାକୁ କୁହାଯାଇଥିଲା ।

 

ଏହି ଚୁକ୍ତି ଅତି ଉଚ୍ଚ ଆଦର୍ଶସମ୍ପନ୍ନ ହୋଇଥିଲେ ସୁଦ୍ଧା ଏହା ହେଲା ରାଜନୈତିକ ବିବାଦର ମୂଳପିଣ୍ଡ । ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଥିବା ସାଂପ୍ରଦାୟିକଭାବାପନ୍ନ ଲୋକେ ଦେଶବନ୍ଧୁଙ୍କର କୁତ୍ସାରଟନା କଲେ ଓ ହିନ୍ଦୁମାନଙ୍କର ସମସ୍ତ ଅଧିକାରକୁ ସେ ଜଳାଞ୍ଜଳି ଦେଇଛନ୍ତି ବୋଲି ଚିତ୍ରଣ କଲେ । ହିନ୍ଦୁସମ୍ପ୍ରଦାୟ ମଧ୍ୟରେ ଥିବା ମାନ୍ଦାଦଳିଆ ଲୋକେ ମୁସଲମାନଙ୍କର ବିଶ୍ୱାସଭାଜନ ହେବାପାଇଁ ଦେଶବନ୍ଧୁ ବହୁଦୂର ଯାଇଛନ୍ତି ବୋଲି କହିଲେ । ମୁସଲମାନଙ୍କ ମଧ୍ୟରେ ସାଂପ୍ରଦାୟିକତାବାଦୀମାନେ ଏ ଚୁକ୍ତି ପୂରାମାତ୍ରାରେ ମହାକାଳଫଳ ଏବଂ ମୁସଲମାନ ନେତୃସ୍ଥାନୀୟ ଲୋକଙ୍କର ନିଜ ସମ୍ପ୍ରଦାୟ ମଧ୍ୟରେ ଥିବା ପ୍ରଭାବ କମାଇବା ଉଦ୍ଦେଶ୍ୟରେ ଦେଶବନ୍ଧୁ ଏହା କରିଛନ୍ତି ବୋଲି କହିଲେ । କିନ୍ତୁ ମୁସଲମାନ ସମ୍ପ୍ରଦାୟର ଅଧିକାଂଶ ଲୋକ ଏହି ଚୁକ୍ତିଦ୍ୱାରା ସେମାନଙ୍କର ଅଧିକାରକୁ ସ୍ୱୀକାର କରାଯାଇଛି ବୋଲି ଆନନ୍ଦିତ ହେଲେ ଓ ଦେଶବନ୍ଧୁ ହେଲେ ସେମାନଙ୍କର ଅପ୍ରତିଦ୍ୱନ୍ଦ୍ୱୀ ନେତା ।

 

ଉଭୟ ସମ୍ପ୍ରଦାୟ ମଧ୍ୟରେ ଥିବା ସମସ୍ତ ସନ୍ଦେହ ଦୂର କରିବା ଉଦ୍ଦେଶ୍ୟରେ ଦେଶବନ୍ଧୁଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ଏହି ଚୁକ୍ତି ମିଳିତ ଦାବି ଓ ମିଳିତ କାର୍ଯ୍ୟର ମୂଳଦୁଆ ବୋଲି ସେ ଚିତ୍ରଣ କରିଥିଲେ । ଦେଶ ଥରେ ସ୍ୱାଧୀନ ହେଲେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସନ୍ଦେହ ଓ ଅବିଶ୍ୱାସ ସୃଷ୍ଟି କରିବାପାଇଁ ଆଉ କେହି ନଥିବେ ଓ ବିଭିନ୍ନ ସମ୍ପ୍ରଦାୟ ପ୍ରତ୍ୟେକ ସମ୍ପ୍ରଦାୟକୁ ବିଶ୍ୱାସ କରିବାକୁ ଶିକ୍ଷା କରିବା ଫଳରେ ମିଳିତ କାର୍ଯ୍ୟ କରିବା ସମ୍ଭବପର ହେବ । ଅହିଂସାତ୍ମକ ଅସହଯୋଗ ବିନା ସ୍ୱରାଜ ଲାଭକରିବା ଅସମ୍ଭବ ଏବଂ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ମଧ୍ୟରେ ଏକତା ପ୍ରତିଷ୍ଠିତ ହେଲେ ଅହିଂସାତ୍ମକ ଅସହଯୋଗ ସକ୍ରିୟ ହୋଇପାରେ ।

 

ତାଙ୍କ ମତବାଦ ସପକ୍ଷରେ କଂଗ୍ରେସକୁ ରାଜି କରାଇବା ପ୍ରଥମେ ଆବଶ୍ୟକ ବୋଲି ଦେଶବନ୍ଧୁ ହୃଦୟଙ୍ଗମ କଲେ । ଜାତୀୟ ଏକତା ପ୍ରତିଷ୍ଠା କରି ସ୍ୱାଧୀନତା ଲାଭର ପଥ ପରିଷ୍କାର କରିବାପାଇଁ ସେ ଯେଉଁ ଭାବପ୍ରବଣ ନିବେଦନ କରିଥିଲେ, ସେଥିରେ ବଙ୍ଗଳାର ପ୍ରାଦେଶିକ କଂଗ୍ରେସ କମିଟି ତରଳିଯାଇ ଏହି ଚୁକ୍ତିକୁ ଗ୍ରହଣ କଲେ । ତା’ପରେ ତାଙ୍କ କାର୍ଯ୍ୟ ହେଲା ନିଖିଳ ଭାରତ କଂଗ୍ରେସ କମିଟିର ସ୍ୱୀକୃତି ଲାଭ କରିବା । ଏ ବିଷୟରେ କାକନାଡ଼ା କଂଗ୍ରେସ ଅଧିବେଶନରେ ଆଲୋଚନା କରାଗଲା । ଦିଲ୍ଲୀର ସ୍ୱତନ୍ତ୍ର ଅଧିବେଶନରେ ଭାରତୀୟ ସ୍ତରରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଚୁକ୍ତି କରିବାକୁ ଚେଷ୍ଟା କରାଯାଉଥିବାରୁ ବଙ୍ଗଳାଚୁକ୍ତି ବିଷୟରେ ବର୍ତ୍ତମାନ ଆଲୋଚନା କରା ନ ଯାଇ ସ୍ଥଗିତ ରହୁ ବୋଲି ଗୋଟିଏ ଚେଷ୍ଟା ହେଲା । କାକନାଡ଼ାରେ ଆଲୋଚନା ପ୍ରସଙ୍ଗରେ ଦେଶବନ୍ଧୁଙ୍କ କେତେକ ବିରୋଧୀ ଲୋକ ବଙ୍ଗଳା ଚୁକ୍ତି ନାକଚ କରାଯିବା ଉଚିତ ବୋଲି ଦାବି କରିଥିଲେ ।

 

ତାଙ୍କର ଚେଷ୍ଟା ପ୍ରତି ବିରୋଧ ପ୍ରକାଶ ପାଇବ ବୋଲି ସେ ଆଶଙ୍କା କରିଥିଲେ ସୁଦ୍ଧା ଯେତେ ଅଧିକ ପରିମାଣରେ ବିରୋଧ ପ୍ରକାଶ ପାଇଲା, ସେଥିରେ ଦେଶବନ୍ଧୁ ଆଶ୍ଚର୍ଯ୍ୟ ହୋଇଥିଲେ । କେତେକ ବକ୍ତା ବଙ୍ଗଳାର ଘଟନାବଳି ପୂରାପୂରି ଭୁଲିଯାଇ ବକ୍ତୃତା ଦେଇଥିବାରୁ ସେ କ୍ଷୁବ୍ଧ ହୋଇଥିଲେ । ଏଥିରେ ବିଚଳିତ ହୋଇ ସେ କହିଲେ :–

 

‘‘ଆପଣମାନେ ହୁଏତ ବଙ୍ଗଳାଚୁକ୍ତିକୁ ପ୍ରସ୍ତାବରୁ ବାଦ୍ ଦେଇପାରନ୍ତି; କିନ୍ତୁ ବଙ୍ଗଳାକୁ ଭାରତୀୟ ଜାତୀୟ କଂଗ୍ରେସରୁ ଅଲଗା କରିପାରିବେ ନାହିଁ । ବଙ୍ଗଳା–ପ୍ରସ୍ତାବ ଜାତୀୟ ବ୍ୟବସ୍ଥାପକ ସଭାରେ ଆଲୋଚିତ ହେଉ–ଏହାହିଁ ବଙ୍ଗଳା ଦାବି କରେ । ବଙ୍ଗଳାକୁ ତା’ର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରିବାରେ କାହାର ଅଧିକାର ଅଛି ? ବଙ୍ଗଳାକୁ ଏପରି ଧୋକା ଦେଇ ତା’ର ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଯେଉଁମାନେ ବଙ୍ଗଳା–ଚୁକ୍ତିକୁ ବାଦ୍ ଦିଆଯାଉ ବୋଲି ପାଟ କରୁଛନ୍ତି, ସେମାନଙ୍କ ଯୁକ୍ତି ମୁଁ ବୁଝିପାରୁ ନାହିଁ ।

 

‘‘ବଙ୍ଗଳା କ’ଣ ଅସ୍ପୃଶ୍ୟ ? ଏପରି ଗୋଟିଏ ଜୀବନମରଣ ସମସ୍ୟାରେ ପ୍ରସ୍ତାବ ଦେବା ଅଧିକାରରୁ ବଙ୍ଗଳାକୁ ଆପଣ କ’ଣ ବଞ୍ଚିତ କରିବେ ? ଯଦି କରନ୍ତି, ତାହାହେଲେ ବଙ୍ଗଳା ତା’ର ନିଜ କଥା ବୁଝିବାକୁ ସମର୍ଥ । ବଙ୍ଗଳାକୁ ପ୍ରସ୍ତାବଦେବା ଅଧିକାରରୁ କେହି ବଞ୍ଚିତ କରି ନ ପାରନ୍ତି-।’’

 

ପ୍ରଦେଶ କଂଗ୍ରେସ କମିଟିମାନେ ଏହି ପ୍ରସ୍ତାବ ବିଷୟରେ ମତ ପ୍ରକାଶ କରିସାରିବା ପରେ ନିଖିଳ ଭାରତ କଂଗ୍ରେସ କମିଟିଦ୍ୱାରା ନିଯୁକ୍ତ ନିଖିଳ ଭାରତ ଚୁକ୍ତି କମିଟି ନିଷ୍ପତ୍ତି କରିବେ ବୋଲି କାକନାଡ଼ା କଂଗ୍ରେସରେ ସିଦ୍ଧାନ୍ତ କରାଗଲା । ବଙ୍ଗଳା ପ୍ରଦେଶ କଂଗ୍ରେସ କମିଟିଦ୍ୱାରା ବଙ୍ଗଚୁକ୍ତି ଗୃହୀତ ହୋଇଯାଇଥିବାରୁ ଏହା ନିଖିଳ ଭାରତ ଚୁକ୍ତି କମିଟି ଗ୍ରହଣ କରିବାର କଥା, ତେଣୁ ଏ ପ୍ରସ୍ତାବରେ ଚିତ୍ତରଞ୍ଜନ ଖୁସି ହେଲେ । କାକନାଡ଼ା କଂଗ୍ରେସର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଅନୁଯାୟୀ କଂଗ୍ରେସ ସ୍ୱରାଜ ଦଳକୁ ସ୍ୱୀକାର କଲା ଏବଂ ସ୍ୱରାଜ ଦଳପକ୍ଷରୁ ବ୍ୟବସ୍ଥାପକ ସଭାକୁ ଯେଉଁ କଂଗ୍ରେସଲୋକେ ନିର୍ବାଚିତ ହୋଇଥିଲେ, ସେମାନଙ୍କୁ ମଧ୍ୟ ସ୍ୱୀକାର କଲା ।

 

୧୯୨୪ ମସିହା ମଇ ମାସରେ ସିରାଜଗଞ୍ଜଠାରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର ଗୋଟିଏ ବୈଠକ ବସିଲା । ଏହି ବୈଠକରେ ପୁଣି ଏ ଚୁକ୍ତି ପ୍ରଧାନ ଆଲୋଚ୍ୟ ବିଷୟ ହୋଇଥିଲା-। ଦେଶବନ୍ଧୁ ଦାସ ସମାଲୋଚନାର ଉତ୍ତରରେ ପ୍ରାୟ ୪ ଘଣ୍ଟା ଯାଏଁ ବକ୍ତୃତା ଦେବା ପରେ ଏହି ଚୁକ୍ତି ଆନନ୍ଦ ଧ୍ୱନି ମଧ୍ୟରେ ଗୃହୀତ ହୋଇଗଲା । ଦେଶବନ୍ଧୁ ଦାସଙ୍କର ଜୀବଦ୍ଦଶା ମଧ୍ୟରେ ଏହିଚୁକ୍ତି ବଙ୍ଗଳା କଂଗ୍ରେସର ଗୃହୀତ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରାଯାଇଥିଲା ।

 

ସିରାଜଗଞ୍ଜ ସମ୍ମିଳନୀରେ ଗୃହୀତ ହୋଇଥିବା ଆଉ ଗୋଟିଏ ପ୍ରସ୍ତାବ ଉପରେ ବିବାଦ ସୃଷ୍ଟି ହେଲା । ଗୋପୀନାଥ ସାହା ନାମକ ବଙ୍ଗଳାର ଜଣେ ଯୁବକ ବିପ୍ଳବୀ କଲିକତା ପୋଲିସ୍ କମିଶନର ସାର୍ ଚାର୍ଲସ୍ ଟେଗାର୍ଟ ବୋଲି ଭାବି ଅରନେଷ୍ଟ ଡ଼େ ନାମକ ଜଣେ ଇଂରେଜ ବଣିକଙ୍କୁ ହତ୍ୟା କରିଥିଲେ । ସାହାଙ୍କୁ ଗିରଫ୍ କରାଗଲା ଓ ମକଦ୍ଦମାର ବିଚାର ଶେଷରେ ଫାଶୀ ଦିଆଗଲା-। ଏ ସମ୍ପର୍କରେ ସିରାଜଗଞ୍ଜ ସମ୍ମିଳନୀରେ ନିମ୍ନଲିଖିତ ପ୍ରସ୍ତାବ ପାସ୍ ହେଲା :–

 

‘‘ଏହି ସମ୍ମିଳନୀ ହିଂସାକୁ ନିନ୍ଦାକରି ସେଥିରୁ ନିବୃତ୍ତ ରହିବା ସଙ୍ଗେ ସଙ୍ଗେ ଅହିଂସା ନୀତି ପ୍ରତି ଆନୁଗତ୍ୟ ପ୍ରକାଶ କରୁଛି । ଜାତିର ସମୂହ ସ୍ୱାର୍ଥ ଦୃଷ୍ଟିରୁ ଗୋପୀନାଥ ସାହାଙ୍କର ଆଦର୍ଶ ବିପଥଗାମୀ ହୋଇଥିଲେ ମଧ୍ୟ ଏ ସମ୍ମିଳନୀ ତାଙ୍କର ମହାନ୍ ଆତ୍ମତ୍ୟାଗ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି ।’’

 

ଏହି ପ୍ରସ୍ତାବର ଆଲୋଚନାକୁ ସମ୍ୱାଦପତ୍ରମାନେ ଯେପରି ଭାବରେ ପ୍ରକାଶ କଲେ, ସେଥିରେ ନାନାପ୍ରକାର ଭୁଲ ବୁଝାମଣା ହେଲା । ହିଂସାକୁ ନିନ୍ଦା ନ କରୁଥିବା ପ୍ରସ୍ତାବକୁ ଦେଶବନ୍ଧୁ ସମର୍ଥନ କରିଥିବା ଯୋଗୁଁ ତାଙ୍କୁ କେତେକ ଲୋକ ନିନ୍ଦା କଲେ । ଏହି ପ୍ରସ୍ତାବ ନିଖିଳ ଭାରତ କଂଗ୍ରେସ କମିଟିର ଅହମ୍ମଦାବାଦ ଅଧିବେଶନରେ ଦେଶବନ୍ଧୁଙ୍କର ସମର୍ଥନ କ୍ରମେ ଆଗତ ହୋଇଥିଲେ ସୁଦ୍ଧା ଗୃହୀତ ହୋଇପାରିଲା ନାହିଁ । ଦେଶବନ୍ଧୁ ଘୋଷଣା କଲେ ଯେ, ଯଦିଓ ତାଙ୍କର ପ୍ରସ୍ତାବ ପାସ୍ ହୋଇ ନ ପାରିଛି, ତଥାପି ଗୋପୀନାଥ ସାହାଙ୍କର ଆତ୍ମତ୍ୟାଗ ପ୍ରତି ମହାତ୍ମା ଗାନ୍ଧି ପ୍ରକାଶ୍ୟରେ ପ୍ରଶଂସା କରିଛନ୍ତି । ତେଣୁ ସେ ତାଙ୍କର ମତବାଦ ଗାନ୍ଧିଜୀଙ୍କଦ୍ୱାରା ଗୃହୀତ କରାଇପାରିଛନ୍ତି । ଦେଶବନ୍ଧୁଙ୍କ ସହିତ ମହାତ୍ମା ଗାନ୍ଧିଙ୍କର ଏହି ମତଭେଦ ପ୍ରେମିକର କଳହ ସଦୃଶ ବୋଲି ଦେଶବନ୍ଧୁଙ୍କ ମୃତ୍ୟୁପରେ ମହାତ୍ମାଜୀ ନିଜେ କହିଥିଲେ । ଏହି ସମ୍ପର୍କରେ ଏକ ଉଲ୍ଲେଖଯୋଗ୍ୟ ଘଟଣା ହେଉଛି ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସଭାପତିତ୍ୱ କରିଥିବା କଂଗ୍ରେସର କରାଚୀ ଅଧିବେଶନରେ ମହାତ୍ମା ଗାନ୍ଧିଙ୍କ ଉପସ୍ଥିତିରେ ଭଗତ ସିଂ, ଶୁକଦେବ ଏବଂ ରାଜଗୁରୁଙ୍କ କାର୍ଯ୍ୟ ସମ୍ପର୍କରେ ଅଧିକ ଶକ୍ତିଶାଳୀ ପ୍ରସ୍ତାବ ପାସ୍ ହୋଇଥିଲା । ମହାତ୍ମା ଗାନ୍ଧିଙ୍କର ବହୁ ସମୟରେ ସମାଲୋଚନା କରୁଥିବା ସୁଭାଷଚନ୍ଦ୍ର ବୋଷ ଏହି କରାଚୀ ପ୍ରସ୍ତାବ ପ୍ରସଙ୍ଗରେ କହିଛନ୍ତି–

 

‘‘କରାଚୀର ପାରିପାର୍ଶ୍ୱିକ ଅବସ୍ଥା ଏପରି ଥିଲା ଯେ ସାଧାରଣ ଅବସ୍ଥାରେ ଯେଉଁ ଲୋକମାନେ ଏହି ପ୍ରସ୍ତାବର ମାଇଲିକ ଦୂରରେ ଠିଆହେବାକୁ ମଧ୍ୟ ରାଜି ହୋଇ ନଥାନ୍ତେ, ସେମାନେ ଏହାକୁ ହଜମ କଲେ । ଏ ବ୍ୟାପାରରେ ମହାତ୍ମା ଗାନ୍ଧିଙ୍କ ଭୂମିକା ଆଲୋଚନା କଲେ ସେ ଅବସ୍ଥା ଦୃଷ୍ଟିରୁ ନିଜର ବିବେକକୁ ମଙ୍ଗାଇଲେ ବୋଲି କହିବାକୁ ହେବ ।’’

 

ବଡ଼ ଦୁଃଖର ବିଷୟ ଯେ ଦେଶବନ୍ଧୁଙ୍କ ମୃତ୍ୟୁ ପରେ ତାଙ୍କର କେତେକ ଅନୁଗାମୀ ଏହି ବଙ୍ଗଳା–ଚୁକ୍ତିର ବିରୋଧ କରିଥିଲେ । ମୌଲାନା ଆଜାଦ୍‍ଙ୍କ ମତରେ ନାନା କାରଣ ମଧ୍ୟରୁ ଏହି ଚୁକ୍ତିକୁ ଅସ୍ୱୀକାର କରିବା ହେଉଛି ଗୋଟିଏ କାରଣ, ଯେଉଁଥିପାଇଁକି ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଇ ଦେଶ ଭାଗ ଭାଗ ହେବାକୁ ଗଲା । ଇତିହାସର ଧାରାରେ କ’ଣ ହୋଇଥାନ୍ତା, ଏ ବିଷୟରେ ଆଲୋଚନା କରିବା ନିରର୍ଥକ; କିନ୍ତୁ ବିଶ୍ୱାସର ସହିତ କୁହାଯାଇପାରେ ଯେ ଦେଶବନ୍ଧୁ ଯଦି ବଞ୍ଚିଥାନ୍ତେ, ତାହାହେଲେ ୧୯୪୭ର ଯଥେଷ୍ଟ ପୂର୍ବରୁ ଅଖଣ୍ଡ ଭାରତବର୍ଷ ସ୍ୱାଧୀନତା ଲାଭ କରିଥାନ୍ତା ।

Image

 

ପଞ୍ଚଦଶ ଅଧ୍ୟାୟ

ତାରକେଶ୍ୱର ସତ୍ୟାଗ୍ରହ

 

ରାଜନୈତିକ ଘଟନାବଳିର ବର୍ଣ୍ଣନା କରିବା ଆଗରୁ ତାରକେଶ୍ୱର ଘଟଣା ବୋଲି ବିଖ୍ୟାତ ହୋଇଥିବା ବିଷୟ ଉଲ୍ଲେଖଯୋଗ୍ୟ । ବଙ୍ଗଳାରେ ତାରକେଶ୍ୱର ଆବହମାନକାଳରୁ ଏକ ବିଶିଷ୍ଟ ଧର୍ମପୀଠରୂପେ ଖ୍ୟାତ ଏବଂ ବର୍ତ୍ତମାନ ମଧ୍ୟ ତା’ର ସେହି ଖ୍ୟାତି ବିଦ୍ୟମାନ । ଏହି ଧର୍ମପୀଠର ପୂର୍ବମହନ୍ତମାନେ ଅତି ଶୁଦ୍ଧପୂତ ଓ ଧର୍ମପ୍ରାଣ ବୋଲି ଖ୍ୟାତିଲାଭ କରିଥିଲେ ସୁଦ୍ଧା ପରବର୍ତ୍ତୀ ମହନ୍ତମାନଙ୍କର ସାଧାରଣ ଜନତା ଦୃଷ୍ଟିରେ ବିଶେଷ ସୁନାମ ନଥିଲା । ପ୍ରାୟ ଏକଶତାବ୍ଦୀ ପୂର୍ବେ ମହନ୍ତ ମାଧବ ଗିରି ୧୮୭୨ ମସିହାରେ ଗୋଟିଏ ହତ୍ୟା–ମୋକଦ୍ଦମାରେ ସଂପୃକ୍ତ ହୋଇଥିଲେ । ଏଲୋକେଶୀନାମ୍ନୀ ଏକ ଯୁବତୀକୁ ତା’ର ସୀମା ନବୀନ ହତ୍ୟା କରିଥିଲେ ସୁଦ୍ଧା ପ୍ରକୃତ ହତ୍ୟାକାରୀ ମାଧବ ଗିରି ବୋଲି ବହୁଲୋକ ବିଶ୍ୱାସ କରନ୍ତି । ଏହି ମହନ୍ତମାନେ ସେମାନଙ୍କ କ୍ଷମତାର ଅପବ୍ୟବହାର କରୁଥିବାରୁ ମହାବୀର ଦଳପକ୍ଷରୁ ସ୍ୱାମୀ ସତ୍ୟାନନ୍ଦ ଏବଂ ସ୍ୱାମୀ ବିଶ୍ୱାନନ୍ଦ ସେମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭକଲେ ।

 

ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ମହନ୍ତ ଥିଲେ ସତୀଶ ଗିରି । ସେ ଅତି ଶକ୍ତିଶାଳୀ ଥିଲେ । ତେଣୁ ଆନ୍ଦୋଳନକାରୀମାନେ ଦେଶବନ୍ଧୁଙ୍କ ସାହାଯ୍ୟ ଚାହିଁଲେ ।

 

ତାରକେଶ୍ୱର ସମ୍ପର୍କରେ ନିଜେ ଶୁଣିଥିବା କେତେକ ଘଟଣା ଯୋଗୁଁ ଦେଶବନ୍ଧୁ ନିଜେ ମଧ୍ୟ ଅତି ବ୍ୟଥିତ ହୋଇଥିଲେ । ତେଣୁ ବଙ୍ଗଳାର ସମ୍ମାନରକ୍ଷା ପାଇଁ ସେ ନିଜେ ଆନ୍ଦୋଳନର ନେତୃତ୍ୱ ନେବେ ବୋଲି ଘୋଷଣା କଲେ । ତାଙ୍କ ପ୍ରରୋଚନାରେ ଶହ ଶହ ସଂଖ୍ୟାରେ ଯୁବକ ସମସ୍ତ ପ୍ରକାର ଦୁଃଖକଷ୍ଟ ସହ୍ୟକରି ଜେଲଯିବାକୁ ପ୍ରସ୍ତୁତ ହେଲେ । ଯେଉଁ ପ୍ରଥମ ସ୍ୱେଚ୍ଛାସେବକ ଦଳଙ୍କୁ ଗିରଫ୍ କରାଗଲା, ତା’ ମଧ୍ୟରେ ତାଙ୍କ ନିଜପୁତ୍ର ଚିତ୍ତରଞ୍ଜନ ଦାସ ଥିଲେ । ଏହି ଆନ୍ଦୋଳନ କ୍ଷିପ୍ରଗତିରେ ଚାଲିଲା । ତାରକେଶ୍ୱର ଆନ୍ଦୋଳନ ଯୋଗୁଁ ଅଯଥା ଶକ୍ତିକ୍ଷୟ କରାଯାଉଛି ବୋଲି ବଙ୍ଗଳାର ଲାଟ ଲର୍ଡ଼ ଲିଟନ୍ ତାଙ୍କ ଶ୍ରୀରାମପୁର ବକ୍ତୃତାରେ ପ୍ରକାଶ କଲେ । ଦେଶବନ୍ଧୁ କୌଣସି ସମାଲୋଚନାକୁ ଭ୍ରୂକ୍ଷେପ ନ କରି ଆନ୍ଦୋଳନ ଚାଲୁରଖିଲେ । ଏହାଦ୍ୱାରା ଅଯଥା ଶକ୍ତିକ୍ଷୟ କରା ନ ଯାଇ ପ୍ରକୃତ ଆନ୍ଦୋଳନ କରାଯାଉଛି ବୋଲି ପ୍ରମାଣିତ ହେଲା ।

 

ଦେଶବନ୍ଧୁ ସମସ୍ତ ପ୍ରକାର ଅବସ୍ଥାରେ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଲେ । ଏପରିକି ପୋଲିସ୍ ସ୍ୱେଚ୍ଛାସେବକମାନଙ୍କୁ ଗୁଳିଚାଳନା କରିବା ପରେ ମଧ୍ୟ ସେ ଆନ୍ଦୋଳନ ବନ୍ଦ କଲେ ନାହିଁ-। ପୋଲିସ୍ ମହନ୍ତଙ୍କୁ ସମର୍ଥନ କରିବାରୁ ସ୍ୱେଚ୍ଛାସେବକମାନେ ଅଧିକ ଦୃଢ଼ପ୍ରତିଜ୍ଞ ହେଲେ ଏବଂ ଆନ୍ଦୋଳନକୁ ସଫଳ କରିବାକୁ ଅଗଣିତ ଯୁବକ ଡେଇଁପଡ଼ିଲେ । ଶେଷରେ ମହନ୍ତ ଆଉ ମୁକାବିଲା କରିପାରିବେ ନାହିଁ ବୋଲି ହୃଦୟଙ୍ଗମ କରି ଗାଦି ଛାଡ଼ିଦେଲେ ।

 

ପୂର୍ବ ମହନ୍ତଙ୍କ ଶିଷ୍ୟ ଭାରତଗିରି ନାମକ ଜଣେ ଲୋକଙ୍କୁ ମହନ୍ତ ପଦରେ ଅଧିଷ୍ଠିତ କରାଗଲା । ସେ ସବୁବେଳେ କଂଗ୍ରେସର ସିଦ୍ଧାନ୍ତ ପ୍ରତି ଆନୁଗତ୍ୟ ପ୍ରକାଶ କରିବେ ବୋଲି ସମ୍ମତ ହେଲେ । ତାରକେଶ୍ୱରଙ୍କ ସମ୍ପତ୍ତିର ଆୟ ଏବଂ ଯାତ୍ରୀମାନଙ୍କଠାରୁ ଦାନରୂପେ ଗୃହୀତ ସମସ୍ତ ଅର୍ଥ ଯାତ୍ରୀମାନଙ୍କ ସେବାରେ ବ୍ୟୟିତ ହେବ ବୋଲି ଠିକ୍ କରାଗଲା । ଏହିସବୁ ଖର୍ଚ୍ଚ ବାଦ ଯଦି କିଛି ଅର୍ଥ ଅବଶିଷ୍ଟ ରହିଯାଏ, ତାହାହେଲେ ତାହା ଦେଶସେବା ପାଇଁ ବିଭିନ୍ନ ସାଧାରଣ କାର୍ଯ୍ୟରେ ବ୍ୟୟିତ ହେବ ।

 

ମାତ୍ର ବଙ୍ଗଳାର ବ୍ରାହ୍ମଣସଭା ଉକ୍ତ ଚୁକ୍ତିକୁ ରଦ୍ଦ କରିବାପାଇଁ ହସ୍ତକ୍ଷେପ କରିବାକୁ ହୁଗୁଳି କୋର୍ଟରେ ଗୋଟିଏ ମୋକଦ୍ଦମା ଦାଏର କଲେ । ଏହା ଫଳରେ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହି ମୋକଦ୍ଦମାର ରାୟ ଦେଶବନ୍ଧୁଙ୍କର ମୃତ୍ୟୁର ବହୁ କାଳ ପରେ ଦିଆଗଲା । କିନ୍ତୁ ବଙ୍ଗଳାର ପ୍ରାଦେଶିକ କଂଗ୍ରେସ କମିଟି ବ୍ରାହ୍ମଣସଭାର ଏହି ହସ୍ତକ୍ଷେପକୁ ନିନ୍ଦାକରି ଗୋଟିଏ ପ୍ରସ୍ତାବ ଗ୍ରହଣ କଲେ ।

Image

 

ଷୋଡ଼ଶ ଅଧ୍ୟାୟ

ବେଲଗାଓଁ କଂଗ୍ରେସ

 

ବ୍ୟବସ୍ଥାପକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା କଂଗ୍ରେସ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବାଦ୍ୱାରା ଦେଶବନ୍ଧୁଙ୍କର ପ୍ରଥମ ବିଜୟ ହୋଇଥିଲା । ଏହା ଫଳରେ ସ୍ୱରାଜ ଦଳ ଗଠନ କରାଯାଇ ବଙ୍ଗଳାରୁ ଦ୍ୱୈତ ଶାସନପ୍ରଣାଳୀର ଅବସାନ ଘଟିଲା । ପ୍ରଥମେ ଦେଶବନ୍ଧୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ । ତାଙ୍କର ଜଣେ ପ୍ରଧାନ ସହକାରୀ ବି.ଏନ. ସାସମଲ ଡାୟମଣ୍ଡହାରବାର୍ ଓ ମେଦିନୀପୁର ୨ଗୋଟି ନିର୍ବାଚନ ମଣ୍ଡଳୀରୁ ବଙ୍ଗବ୍ୟବସ୍ଥାସଭାକୁ ନିର୍ବାଚିତ ହୋଇଥିଲେ । ସେ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ବ୍ୟବସ୍ଥାପକ ସଭାର ସଭ୍ୟପଦରୁ ଇସ୍ତଫା ଦେଇଦେବାରୁ ଦେଶବନ୍ଧୁ ଉକ୍ତ ନିର୍ବାଚନ ମଣ୍ଡଳୀରୁ ସଭ୍ୟଭାବରେ ନିର୍ବାଚିତ ହୋଇ ବଙ୍ଗବ୍ୟବସ୍ଥାପକ ସଭାରେ ସ୍ୱରାଜଦଳର ପ୍ରଥମ ନେତା ହେଲେ ।

 

ପଣ୍ଡିତ ମୋତିଲାଲ ନେହେରୁଙ୍କ ନେତୃତ୍ୱରେ ଏହି ଦଳ କେନ୍ଦ୍ର ବ୍ୟବସ୍ଥାପକ ସଭା ନିର୍ବାଚନରେ ଅଧିକ ସଫଳତା ଲାଭ କଲେ । ଏହି ଦଳର ଜଣେ ବିଶିଷ୍ଟ ସଭ୍ୟ ବିଠଲଭାଇ ପଟେଲ କେନ୍ଦ୍ର ବ୍ୟବସ୍ଥାପକ ସଭାର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ । ଏସବୁ ଛଡ଼ା ଅନ୍ୟାନ୍ୟ ସାଫଲ୍ୟ ମଧ୍ୟ ଲାଭ କରାଗଲା । କେନ୍ଦ୍ର ବ୍ୟବସ୍ଥାପକ ସଭାରେ ସଂଖ୍ୟାଧିକ ଭୋଟରେ ଜନସ୍ୱାର୍ଥବିରୋଧୀ ବହୁ ଅପ୍ରୀତିକର ବ୍ୟବସ୍ଥାକୁ ନାକଚ କରାଯାଇ ଜାତୀୟ ଗଠନକାର୍ଯ୍ୟର ସହାୟକ ପ୍ରସ୍ତାବମାନ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହେଲା ।

 

୧୯୨୪ ଜାନୁୟାରୀ ୯ ତାରିଖରେ ଦେଶବନ୍ଧୁଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌଠାରେ ସ୍ୱରାଜଦଳର ବୈଠକ ବସି କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଦଳପକ୍ଷରୁ ନେତା ଉପସ୍ଥାପିତ କରିବାପାଇଁ ଜାତୀୟ ଦାବିମାନ ନିର୍ଦ୍ଧାରଣ କରାଗଲା ଏବଂ ସେଗୁଡ଼ିକ ଭାରତୀୟ ବ୍ୟବସ୍ଥାପକ ସଭାରେ ଦଳର ନେତାଙ୍କଦ୍ୱାରା ଉପସ୍ଥାପିତ କରାଯିବାର ସ୍ଥିର ହେଲା । ସେ ଦାବିଗୁଡ଼ିକ ହେଉଛି–

 

୧ । ସମସ୍ତ ରାଜନୈତିକ ଅଟକବନ୍ଦୀମାନଙ୍କୁ ଅବଶ୍ୟ ଖଲାସ କରାଯିବ ।

 

Unknown

୨ । ସମସ୍ତ ପ୍ରକାର ଅତ୍ୟାଚାରମୂଳକ ଆଇନ ଅବଶ୍ୟ ସଂଶୋଧନ କରାଯିବ ଏବଂ

 

୩ । ଭାରତର ଭାବୀ ସମ୍ବିଧାନର ନୀତି ସ୍ଥିର କରିବାପାଇଁ ଗୋଟିଏ ଜାତୀୟ ପରିଷଦ ଆହ୍ୱାନ କରାଯିବ ।

 

ଏହି ଦାବିମାନ ଉପସ୍ଥାପିତ କରି ପଣ୍ଡିତ ମୋତିଲାଲ ନେହେରୁ ବ୍ୟବସ୍ଥାପକ ସଭାରେ କହିଥିଲେ–

 

‘‘ଆମ ଦଳକୁ ଭଙ୍ଗାରୁଜାକାରୀ ଦଳ ବୋଲି କହି ଉଡ଼ାଇ ଦେଇହେବ ନାହିଁ । ଶାସକମାନଙ୍କ ସହିତ ସହଯୋଗ କରିବାକୁ ଆମେ ଏଠାକୁ ଆସିଛୁ । ସେମାନେ ଯଦି ଆମ ସାହାଯ୍ୟ ଗ୍ରହଣ କରନ୍ତି, ତାହାହେଲେ ସ୍ୱରାଜଦଳର ଲୋକ ଯେ ସେମାନଙ୍କର ଲୋକ, ଏହା ବୁଝିପାରିବେ । ଯଦି ସାହାଯ୍ୟ ଗ୍ରହଣ ନ କରନ୍ତି, ତାହାହେଲେ ସ୍ୱରାଜଦଳର ଲୋକ ନିଜ ଅଧିକାର ବଳରେ ଠିଆହୋଇ ଅସହଯୋଗ କରିବେ ଓ ବଜେଟର ବିରୋଧ କରି ସମ୍ପୂର୍ଣ୍ଣ ବାଧା ସୃଷ୍ଟି କରିବେ ।’’

 

ଏହି ଦାବିମାନ କ୍ରମପର୍ଯ୍ୟାୟରେ ସରକାର ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହି ସେତେବେଳକାର ଘରୋଇ ବିଭାଗ ମନ୍ତ୍ରୀ ସାର୍ ମାଲକମ ହେଲି, ଏ ଦାବିରେ ଜବାବ ଦେଇଥିଲେ । ଏହି ଦାବିମାନ ପ୍ରଚଳିତ ୧୯୧୯ ଭାରତଶାସନ ଆଇନ ଅନୁଯାୟୀ ବଡ଼ଲାଟଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର କ୍ଷମତା ସହ ଖାପ ଖାଉ ନଥିବାରୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଲେ । ସ୍ୱରାଜଦଳର ଲୋକେ ଏହି ନୀତି ଗ୍ରହଣ କଲେ ନାହିଁ ଏବଂ ଏହି ଦାବିରେ ବ୍ୟବସ୍ଥାପକ ସଭାରେ ଥିବା ଜାତୀୟତାବାଦୀ ଓ ସ୍ୱାଧୀନ ସଭ୍ୟମାନେ ସ୍ୱରାଜଦଳକୁ ସମର୍ଥନ କଲେ । ସ୍ୱରାଜଦଳର ଏହି ତିନି ଦାବିକୁ ଗ୍ରହଣ କରୁଥିବା କେନ୍ଦ୍ର ବ୍ୟବସ୍ଥାପକ ସଭାର ଅନ୍ୟ ସଭ୍ୟମାନଙ୍କ ସହ ସ୍ୱରାଜଦଳର ଗୋଟିଏ ଚୁକ୍ତି ହେଲା ।

 

ବ୍ୟବସ୍ଥାପକ ସଭାରେ ସ୍ୱରାଜଦଳର ସାଫଲ୍ୟରେ ଦେଶବନ୍ଧୁ ସନ୍ତୋଷ ପ୍ରକାଶ କରୁଥିଲେ ସୁଦ୍ଧା ଏ କାର୍ଯ୍ୟକ୍ରମ କଂଗ୍ରେସର ମୁଖ୍ୟ କାର୍ଯ୍ୟକ୍ରମସ୍ୱରୂପ ଗୃହୀତ ହେବା ଉଚିତ ବୋଲି ସେ ଭାବିଲେ । ଅସ୍ତ୍ରୋପଚାର ପରେ ମହାତ୍ମା ଗାନ୍ଧି ଏହା ଭିତରେ ଖଲାସ ହୋଇ ଆସିଥାନ୍ତି । ସେ ‘‘ୟଙ୍ଗ୍ ଇଣ୍ଡିଆ’’ର ସମ୍ପାଦକ ଦାୟିତ୍ୱ ନେଲେ ଏବଂ ପୂର୍ବପରି ବ୍ୟବସ୍ଥାପକ ସଭା ପ୍ରବେଶକୁ ସେ ବିରୋଧ କରୁଛନ୍ତି ବୋଲି ଜଣାଗଲା । ଭବିଷ୍ୟତ କାର୍ଯ୍ୟକ୍ରମ ଆଲୋଚନା ପାଇଁ ୧୯୨୪ ମେ ୧୮ ତାରିଖଦିନ ଦେଶବନ୍ଧୁ ଓ ପଣ୍ଡିତ ମୋତିଲାଲ ତାଙ୍କ ସହିତ ଜୁହୁଠାରେ ଦେଖାସାକ୍ଷାତ୍ କଲେ । କଂଗ୍ରେସର ଦିଲ୍ଲୀ ଓ କାକନାଡ଼ା ଅଧିବେଶନରେ ବ୍ୟବସ୍ଥାପକ ସଭା ପ୍ରବେଶ ସମ୍ପର୍କରେ ପାସ୍ ହୋଇଥିବା ପ୍ରସ୍ତାବ ନାପସନ୍ଦ କରି ମହାତ୍ମା ଗାନ୍ଧି ମତ ପ୍ରକାଶ କରିବାରୁ ଉଭୟ ନେତା ଆଲୋଚନା ପରେ ବିଶେଷ ଆନନ୍ଦିତ ହେଲେ ନାହିଁ । ତା’ପରେ ମହାତ୍ମା ଗାନ୍ଧିଙ୍କ ବିବୃତିରୁ ଉଭୟ ମତବାଦ ମଧ୍ୟରେ ମୌଳିକ ବିଭେଦ ଥିବାର ଜଣାଗଲା । ବ୍ୟବସ୍ଥାପକ ସଭାରେ ପ୍ରବେଶଦ୍ୱାରା ଅସହଯୋଗର ସର୍ବନାଶ କରାଯାଇଛି ବୋଲି ମହାତ୍ମା ଗାନ୍ଧି ବିଶ୍ୱାସ କରୁଥିଲେ ସୁଦ୍ଧା କଂଗ୍ରେସଲୋକେ ସ୍ୱରାଜଦଳର କାର୍ଯ୍ୟକ୍ରମରେ ବାଧାଦେବା ଉଚିତ ନୁହେଁ ବୋଲି ଭାବୁଥିଲେ । ଖଦି, ବିଦେଶୀଲୁଗା ବର୍ଜନ, ନିଶାନିବାରଣ ଓ ଖର୍ଚ୍ଚକାଟ ପ୍ରଭୃତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ କରିବା କଂଗ୍ରେସ ଲୋକମାନଙ୍କର ଉପଯୁକ୍ତ କାର୍ଯ୍ୟ ବୋଲି ସେ ଭାବୁଥିଲେ ।

 

ବ୍ୟବସ୍ଥାପକ ସଭା ବର୍ଜନ ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କର ମତ କାହିଁକି ଗ୍ରହଣ କରି ନ ପାରିଲେ ତାହା ବୁଝାଇ ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲ ନେହେରୁ ଗୋଟିଏ ବିବୃତି ଦେଲେ । ସ୍ୱରାଜଦଳର ଲୋକେ ଶାସନତନ୍ତ୍ରର ଅଚଳ ଅବସ୍ଥା ସୃଷ୍ଟିକରିବା ପାଇଁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରୁଥିବାରୁ ଏହା ଗୋଟିଏ ପ୍ରକାର ଅସହଯୋଗ ବୋଲି ସେମାନେ ମତ ପ୍ରକାଶ କଲେ ।

 

ଉକ୍ତ ଉଭୟ ନେତୃବୃନ୍ଦ ମହାତ୍ମା ଗାନ୍ଧିଙ୍କର ଗଠନମୂଳକ କାର୍ଯ୍ୟ ଉପରେ ଓ ତାଙ୍କ କଳ୍ପିତ ଆଇନ ଅମାନ୍ୟ ଉପରେ ପୂରାପୂରି ଆସ୍ଥା ପ୍ରକାଶ କଲେ । ସେମାନେ ବିବୃତିରେ କହିଥିଲେ–

 

‘‘ଯେଉଁ ମୁହୂର୍ତ୍ତରେ ଅମଲାତନ୍ତ୍ର ଶାସନ ସୃଷ୍ଟି ବାଧା ଯୋଗୁଁ କୌଣସି କାର୍ଯ୍ୟ ବିନା ଆଇନ ଅମାନ୍ୟରେ କରିବା ଅସମ୍ଭବ ବୋଲି ହୃଦୟଙ୍ଗମ କରିବୁ, ସେହି ମୁହୂର୍ତ୍ତରେ ବ୍ୟବସ୍ଥାପକ ସଭାରୁ ଚାଲି ଆସି ଦେଶକୁ ଆଇନ ଅମାନ୍ୟପାଇଁ ପ୍ରସ୍ତୁତ କରି ତାହା କରିବୁ । ଯେବେ ସେ ସମୟକୁ ଦେଶ ଆଇନଅମାନ୍ୟ ପାଇଁ ପ୍ରସ୍ତୁତ ହୋଇ ନଥିବ, ତାହାହେଲେ ଆମେ ପୂରାମାତ୍ରାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱ ଗ୍ରହଣ କରି ତାଙ୍କର ନିର୍ଦ୍ଦେଶରେ କଂଗ୍ରେସ ଜରିଆରେ ଆଇନଅମାନ୍ୟ କାର୍ଯ୍ୟକ୍ରମ ପାଇଁ ମିଳିତଭାବେ କାର୍ଯ୍ୟ କରିବୁ ।’’

 

ଦେଶବନ୍ଧୁ ଜୁହୁରେ ଥିବା ସମୟରେ ସାର୍ ଆଶୁତୋଷ ମୁଖାର୍ଜୀଙ୍କ ମୃତ୍ୟୁସମ୍ୱାଦ ପାଇଲେ । ସେ ତାଙ୍କ ମୃତ୍ୟୁରେ ଅତିରିକ୍ତ ମର୍ମାହତ ହେଲେ ଓ କଲିକତା ଫେରି ସାର୍ ଆଶୁତୋଷଙ୍କ ଅତୀତ ସେବାପାଇଁ ମେୟର ହିସାବରେ ତାଙ୍କୁ ଯେଉଁ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ତାହା ଅତି ମର୍ମସ୍ପର୍ଶୀ ହୋଇଥିଲା ।

 

ନିଖିଳ ଭାରତ କଂଗ୍ରେସକମିଟିର ପରବର୍ତ୍ତୀ ବୈଠକ ୧୯୨୪ ମସିହା ଜୁନ୍ ୨୭ ତାରିଖରେ ଅହମ୍ମଦାବାଦଠାରେ ହେଲା ।

 

ମହାତ୍ମା ଗାନ୍ଧି ସରକାରଙ୍କର ପଦବୀ, ବ୍ୟବସ୍ଥାପକ ସଭା, ସ୍କୁଲ୍, କଲେଜ, କଚେରି ଏବଂ ବିଦେଶୀ ବସ୍ତ୍ର ବର୍ଜନ ପ୍ରଭୃତି ଯେଉଁ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ, ତାହା ଉପରେ ଜୋର ଦେଲେ । ଯେଉଁମାନେ ଏହି ‘ପଞ୍ଚବର୍ଜନ’ ପ୍ରସ୍ତାବ ଗ୍ରହଣ କରିନାହାନ୍ତି, ସତ୍ୟ ଓ ଅହିଂସା ନୀତି ବିଷୟରେ ଯେଉଁମାନଙ୍କର କୌଣସି ସନ୍ଦେହ ଅଛି, ସେମାନେ କଂଗ୍ରେସ ଅନୁଷ୍ଠାନରେ କଂଗ୍ରେସର କର୍ମକର୍ତ୍ତାଭାବେ ରହିବା ଉଚିତ ନୁହେଁ ବୋଲି ସେ ଘୋଷଣା କଲେ ।

 

କଂଗ୍ରେସ ଅନୁଷ୍ଠାନର ସମସ୍ତ ନିର୍ବାଚିତ ସଭ୍ୟଙ୍କୁ ପ୍ରତିଦିନ ଚରଖାରେ ସୂତାକାଟି ମାସିକ ଅନ୍ତତଃ ୨ ହଜାର ଗଜ ହିସାବରେ ହାତକଟାସୂତା ନିଖିଳ ଭାରତ ଖଦିବୋର୍ଡ଼କୁ ପଠାଇବାକୁ ହେବ ବୋଲି ଗୋଟିଏ ପ୍ରସ୍ତାବ ଆଗତ ହେଲା । ଯେଉଁ ସଭ୍ୟ ଏହା ନ କରିବେ, ସେ ତାଙ୍କର ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି, ଏହା ଧରାଯିବ ବୋଲି ଗୋଟିଏ ଦଣ୍ଡନୀୟ ବ୍ୟବସ୍ଥା ରହିଲା ।

 

ପଣ୍ଡିତ ମୋତିଲାଲ ନେହେରୁ ଏହି ପ୍ରସ୍ତାବ ଆଲୋଚିତ ହୋଇ ପାରିବ ନାହିଁ ବୋଲି ଯୁକ୍ତିକଲେ । ଯେଉଁ ସଭ୍ୟମାନେ କଂଗ୍ରେସର ଗୃହୀତ ଲକ୍ଷ୍ୟ ଗ୍ରହଣ କରି ସଭ୍ୟ ହୋଇଛନ୍ତି, ସେମାନଙ୍କୁ ନୂତନ ପ୍ରବର୍ତ୍ତିତ ନିୟମବଳରେ ସଭ୍ୟପଦରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଯୁକ୍ତି ହେଲା । କଂଗ୍ରେସର ଭୂତପୂର୍ବ ସଭାପତିମାନେ ନିଜର ଅତୀତ ପଦବୀ ବଳରେ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟ ରହିବେ ବୋଲି ଯେଉଁ ଅଧିକାର ପାଇଥିଲେ, ସେଥିରୁ ବଞ୍ଚିତ କରିବାପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା, ତାହାର ମଧ୍ୟ ବିରୋଧ କରିଥିଲେ ।

 

ତତ୍କାଳୀନ କଂଗ୍ରେସସଭାପତି ମୌଲନା ମହମ୍ମଦ ଅଲ୍ଲି ପଣ୍ଡିତ ମୋତିଲାଲଙ୍କ ଆପତ୍ତି ସମ୍ପର୍କରେ କୌଣସି ମତ ନ ଦେଇ ଭୋଟ ଦେଲେ । ପଣ୍ଡିତ ମୋତିଲାଲଙ୍କ ମତ ସପକ୍ଷରେ ୬୭ ଓ ବିପକ୍ଷରେ ୮୩ ଭୋଟରେ ତାଙ୍କ ମତ ଅଗ୍ରାହ୍ୟ ହେଲା । ସ୍ୱରାଜଦଳର ଲୋକେ ବୈଠକରୁ ଚାଲିଯାଇ ପୁଣି ଅଧିକ ସଂଖ୍ୟାରେ ଆସି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିବେ ବୋଲି ସେ ଘୋଷଣା କଲେ ।

 

ସ୍ୱରାଜଦଳର ଲୋକେ ବୈଠକରୁ ଚାଲିଯିବା ପରେ ମୂଳ ପ୍ରସ୍ତାବ ଉପରେ ଭୋଟ ହେଲା । ସୂତା ନ ଦେଲେ ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି ବୋଲି ଧରାଯିବାର ଯେଉଁ ବ୍ୟବସ୍ଥା ଥିଲା, ତାହା ସପକ୍ଷରେ ୬୩ ଓ ବିପକ୍ଷରେ ୩୭ ଭୋଟରେ ଗୃହୀତ ହେଲା । ସ୍ୱରାଜଦଳର ଯେଉଁ ୬୭ ଜଣ ସଭା ଛାଡ଼ି ଚାଲିଯାଇଛନ୍ତି, ସେମାନେ ଯେବେ ଏହି ୩୭ ଜଣଙ୍କ ସହିତ ଭୋଟ ଦେଇଥାନ୍ତେ, ତାହାହେଲେ ପ୍ରକୃତରେ ଏହା ଅଗ୍ରାହ୍ୟ ହୋଇଥାନ୍ତା । ତେଣୁ ପ୍ରକୃତ ପକ୍ଷେ ଏହା ପରାଜୟ ବୋଲି ମହାତ୍ମା ଗାନ୍ଧି ମତ ପ୍ରକାଶ କରି ଏହି ବ୍ୟବସ୍ଥା ବାଦ ଦେବାପାଇଁ ପରାମର୍ଶ ଦେଲେ ।

 

ଉପରବେଳା ହୋଇଥିବା ଗୋଟିଏ ସମ୍ମିଳନୀରେ ଦେଶବନ୍ଧୁ ଚିତ୍ତରଞ୍ଜନ ଓ ପଣ୍ଡିତ ମୋତିଲାଲଙ୍କ ସହ ମହାତ୍ମା ଗାନ୍ଧିଙ୍କର ଦେଖାହେଲା । ଏହି ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ବ୍ୟବସ୍ଥାପକ ସଭା ବର୍ଜନ ସମ୍ପର୍କରେ ସଂଶୋଧନ କରି ‘ପଞ୍ଚବର୍ଜନ’ ପ୍ରସ୍ତାବକୁ ଦିଲ୍ଲୀ ଓ କାକନାଡ଼ା କଂଗ୍ରେସ ଅଧିବେଶନରେ ପ୍ରସ୍ତାବ ସଙ୍ଗେ ସାମଞ୍ଜସ୍ୟ ରଖିବା ଭଳି ପ୍ରସ୍ତାବ ଖୋଲା ଅଧିବେଶନରେ ଆଗତ ହେବ । ଏହି ମିଳାମିଶା ଫଳରେ ପ୍ରସ୍ତାବ ଖୋଲା ଅଧିବେଶନରେ ଆଗତ ହେଲା ଏବଂ ସ୍ୱରାଜଦଳର ଲୋକେ ସେମାନଙ୍କ କଥା ବଜାୟ ରଖିଲେ ।

 

୧୯୨୪ ଅଗଷ୍ଟ ୧୩ ତାରିଖ ଦିନ କଲିକତାରେ ନିଖିଳ ଭାରତ ସ୍ୱରାଜଦଳ ସମ୍ମିଳନୀ ହେଲା । ଦଳର ସମସ୍ତ ମୁଖ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ଭାଷଣଦେଇ ଦେଶବନ୍ଧୁ କହିଲେ–

 

‘‘ଆପଣମାନେ ଏହାକୁ ଅସହଯୋଗ, Responsive ଅସହଯୋଗ ବା Responsive ସହଯୋଗ ଯାହା କିଛି ନାମ ଦିଅନ୍ତୁ ପଛକେ ମୁଁ ମୋର କାର୍ଯ୍ୟକ୍ରମ ପରିଷ୍କାରଭାବେ ଉପସ୍ଥାପିତ କରିବାକୁ ଚାହେଁ । ଆମର ପ୍ରଚାରିତ ପ୍ରଥା ବିରୁଦ୍ଧରେ ଯାହା ଅନ୍ତରାୟ ତାକୁ ଦୂର କରିବାପାଇଁ ଟିକିଏ ହେଲେ ଆମେ ପଶ୍ଚାତ୍‍ପଦ ହେବୁନାହିଁ । ଆପଣମାନେ ଆମର ନ୍ୟାଯ୍ୟ ଅଧିକାର ସ୍ୱୀକାର ନ କଲେ ଆମେ ଆପଣଙ୍କ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚେଷ୍ଟା କରିବୁ ଏବଂ ତାହା ନ କଲେ ଆମର ବ୍ୟବସ୍ଥା ତିଆରି କରିପାରିବୁ ନାହିଁ ବୋଲି ସରକାରଙ୍କୁ ପରିଷ୍କାର କହିବାକୁ ଆମେ ପଶ୍ଚାତ୍‍ପଦ ହେବୁ ନାହିଁ । ଧ୍ୱଂସରେ କୌଣସି ଆନନ୍ଦ ଅଛି ବୋଲି ଯେ ଆମେ ଧ୍ୱଂସ କରିବୁ, ତାହା ନୁହେଁ; ଆମ ପଥରେ ଅନ୍ତରାୟ ହୋଇଥିବା ଜିନିଷକୁ ନଷ୍ଟ ନ କଲେ ନିଜ ଜିନିଷ ଗଢ଼ିପାରିବୁ ନାହିଁ ।’’

 

ଦଳପାଇଁ ସମର୍ଥନ କରିବାକୁ ନିବେଦନ କରି ସେ କହିଥିଲେ–

 

‘‘ମୁଁ ଭାରତମନ୍ତ୍ରୀ ବା ଅମଲାତନ୍ତ୍ରୀ ସରକାରଙ୍କୁ କୌଣସି ନିବେଦନ ନ କରି ଆପଣମାନଙ୍କୁ କରୁଛି । ଦେଶର ସମ୍ମୁଖରେ ସ୍ୱରାଜଦଳ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ରଖାଯାଇଛି, ତାହାକୁ ସମର୍ଥନ କରନ୍ତୁ । ଆମେ କାର୍ଯ୍ୟ କରିବୁ । କିନ୍ତୁ ସେଥିପାଇଁ ଆବଶ୍ୟକୀୟ ସମୟ ଦିଅନ୍ତୁ । ସମାଲୋଚନା ଏବଂ ପ୍ରଶ୍ନ କରି ଆମକୁ ଅଥୟ କରନ୍ତୁ ନାହିଁ । ମୋ ଜୀବନରେ ଗତ ୨୦ ବର୍ଷ ଧରି ଏ ବିଷୟରେ ଚିନ୍ତା କରିଛି ଏବଂ ଜୀବନର ବାକି ସମୟତକ ଦେଶସେବାରେ ନିୟୋଗ କରିବି ବୋଲି ସ୍ଥିର କରିଛି । ଭଗବାନ ଯେବେ ଇଚ୍ଛାକରନ୍ତି, ମୋର ଉଦ୍ଦେଶ୍ୟ ପୂର୍ଣ୍ଣ ହେବା ପୂର୍ବରୁ ମରିବି ନାହିଁ ବୋଲି ଯାହା କହୁଛି, ତାହା ଆପଣମାନେ ବିଶ୍ୱାସ କରନ୍ତୁ ।’’

 

ନିଖିଳ ଭାରତ କଂଗ୍ରେସ କମିଟିର ଅହମ୍ମଦାବାଦ ବୈଠକ ପରେ ମହାତ୍ମା ଗାନ୍ଧି ଦେଶର ଅବସ୍ଥା ଅନୁଧ୍ୟାନ କଲେ । ଦିଲ୍ଲୀ, ସାହାଜାହାନପୁର, ଲକ୍ଷ୍ନୌ, ଆହ୍ଲାବାଦ, ଜବଲପୁରରେ ଯେପରି ସାଂପ୍ରଦାୟିକ ଦଙ୍ଗା ଲାଗିଥିଲା, ସେଥିରେ ସେ ଅତିରିକ୍ତ ମର୍ମାହତ ହୋଇଥିଲେ । ସବୁଠାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା, ମାଲବାରର ମୋପଲାମାନେ ବାସକରୁଥିବା ଜିଲାମାନଙ୍କରେ, ଯେଉଁଠାରେ କି ପ୍ରାୟ ୪ ହଜାର ଲୋକ ଗୃହଶୂନ୍ୟ ହୋଇଥିଲେ ।

 

ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ମୌଲାନା ସୌକତ୍ ଅଲ୍ଲୀଙ୍କୁ ନେଇ ଏହି ବିଷୟ ତଦନ୍ତ କରିବାପାଇଁ ଗୋଟିଏ କମିଟି ଗଠିତ ହେଲା । ସେମାନେ ଗଣ୍ଡଗୋଳର କାରଣ ସମ୍ପର୍କରେ ବିଭିନ୍ନ ମତ ପୋଷଣ କରୁଥିବାରୁ ଏକମତ ହୋଇପାରିଲେ ନାହିଁ ଏବଂ କେଉଁ ସମ୍ପ୍ରଦାୟ କେତେ ଦୂର ଦାୟୀ ଏହା ମଧ୍ୟ ଠିକ୍ କରିପାରିଲେ ନାହିଁ । ୧୯୧୯ ମସିହାରୁ ସୌକତ୍ ଅଲ୍ଲୀ ମହାତ୍ମା ଗାନ୍ଧିଙ୍କର ଜଣେ ଅନ୍ତରଙ୍ଗ ଅନୁଗାମୀ ଥିଲେ । କିନ୍ତୁ ମହାତ୍ମା ଗାନ୍ଧି ତାଙ୍କ ସହିତ ଏକମତ ନ ହେଉଥିବାରୁ ସେ ତାଙ୍କର ନେତୃତ୍ୱକୁ ଅସ୍ୱୀକାର କଲେ ।

 

ସାଂପ୍ରଦାୟିକ ଗଣ୍ଡଗୋଳ ସମୟରେ ବହୁ ଭାରତୀୟ ଯେଭଳି ବର୍ବରୋଚିତ କାର୍ଯ୍ୟ କରିଥିଲେ, ତହିଁରେ ମହାତ୍ମା ଗାନ୍ଧି ଅତିଶୟ ମର୍ମାହତ ହୋଇ ୨୧ ଦିନ ଅନଶନ କରିବାକୁ ସ୍ଥିର କଲେ । ଏହା ଫଳରେ ଅବସ୍ଥାର ସମାଧାନ ପାଇଁ ଭାରତର ନେତୃସ୍ଥାନୀୟ ଲୋକେ ଏକତ୍ର ହେଲେ । ଦିଲ୍ଲୀରେ ଏହି ଏକତା ସମ୍ମିଳନୀ ବସିଲା ଏବଂ ଭାରତବର୍ଷରେ ଥିବା ପ୍ରଧାନ ଇଂରେଜ ଧର୍ମଯାଜକ ଏବଂ କେତେକ ଇଂରେଜ ପ୍ରତିନିଧି ମଧ୍ୟ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ସମ୍ମିଳନୀର ଆଲୋଚନାରେ ଦେଶବନ୍ଧୁ ମୁଖ୍ୟ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଯେଉଁ କେତେକ ନିଷ୍ପତ୍ତି କରାଗଲା, ତାହା ହେଉଛି–(୧) ପ୍ରତ୍ୟେକଙ୍କର ଧର୍ମଗତ ପୂର୍ଣ୍ଣ ସ୍ୱାଧୀନତା ରହିବ, (୨) ବଳପୂର୍ବକ ବା ଆଇନ ସାହାଯ୍ୟରେ ଗୋହତ୍ୟା ବନ୍ଦ ହୋଇପାରିବ ବୋଲି ହିନ୍ଦୁମାନେ ଆଶା ପୋଷଣ କରିବା ଅନ୍ୟାୟ ଏବଂ ପରସ୍ପରର ସଦ୍‍ଭାବ ଏବଂ ବିଶ୍ୱାସ ଉପରେ ତାହା ନିର୍ଭର କରେ (୩) ସେହିପରି ବଳପୂର୍ବକ ବା ଆଇନ ସାହାଯ୍ୟରେ ମସଜିଦ ସାମନାରେ ହିନ୍ଦୁମାନଙ୍କୁ ବାଜା ବଜାଇବାରୁ ନିବୃତ୍ତ କରାଯିବ ବୋଲି ମୁସଲମାନମାନେ ମଧ୍ୟ ଆଶା ପୋଷଣ କରିବା ଉଚିତ ନୁହେଁ ଏବଂ ତାହା କେବଳ ପରସ୍ପରର ସଦ୍‍ଭାବ ଓ ବିଶ୍ୱାସ ଉପରେ ନିର୍ଭର କରେ ।

 

ଜାତୀୟ ସ୍ତର ଓ ସ୍ଥାନୀୟ ସ୍ତରରେ ପଞ୍ଚାୟତ ଗଠନ କରିବାପାଇଁ ସମ୍ମିଳନୀରେ ସୁପାରିସ୍ କରାଯାଇଥିଲା । ଜାତୀୟ ପଞ୍ଚାୟତରେ ମହାତ୍ମା ଗାନ୍ଧି ସଭାପତି ହେଲେ ଏବଂ ସଭ୍ୟମାନଙ୍କ ମଧ୍ୟରେ ରହିଲେ ହାକିମ୍ ଆଜମଲ ଖାଁ, ଲାଲା ଲଜପତ ରାୟ ଏବଂ ଅନ୍ୟ ୩ ଜଣ । ସାଂପ୍ରଦାୟିକ ସଦ୍‍ଭାବ ପ୍ରତିଷ୍ଠାପାଇଁ କେନ୍ଦ୍ର କମିଟି ବିଭିନ୍ନ ଉପାୟ ସ୍ଥିର କଲେ । ତାହା ଛଡ଼ା ଯେଉଁଠାରେ ସାଂପ୍ରଦାୟିକ ଅସଦ୍‍ଭାବ ଦେଖାଯିବାର ସୂଚନା ମିଳିବ, ସେଠାରେ ହସ୍ତକ୍ଷେପ କରି ଆବଶ୍ୟକୀୟ ବ୍ୟବସ୍ଥା କରିବାପାଇଁ ସ୍ଥିର କରାଗଲା ।

 

ସମ୍ମିଳନୀ ପରେ ଦେଶବନ୍ଧୁ ସିମଳା ଗଲେ । ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସ୍ୱାସ୍ଥ୍ୟକର ସ୍ଥାନରେ କିଛିଦିନ ରହି ବିଶ୍ରାମ ନେବା ଆବଶ୍ୟକ ହେଉଥିଲା; କିନ୍ତୁ ତାହା ହୋଇପାରିଲା ନାହିଁ । ସିମଳାରେ ଥିବା ଅବସ୍ଥାରେ ସୁଭାଷଚନ୍ଦ୍ର ବୋଷ ଏବଂ ତାଙ୍କର ଅନ୍ୟ କେତେକ ସହକର୍ମୀ ଗିରଫ୍ ହୋଇଥିବାର ସମ୍ୱାଦ ସେ ପାଇଲେ । ସଙ୍ଗେ ସଙ୍ଗେ ଏହା ଶୁଣି ସେ କଲିକତା ଆସିଲେ । କର୍ପୋରେସନର ହୋଇଥିବା ଗୋଟିଏ ସଭାରେ ସେ ବକ୍ତୃତା ଦେଇ କହିଲେ–

 

‘‘ଦେଶର ପ୍ରତ୍ୟେକ ସଚ୍ଚୋଟ ଲୋକ କହିବେ ଯେ ମୁଁ ମୋର ଦେଶ ଓ ସ୍ୱାଧୀନତାକୁ ଭଲ ପାଉଥିବାରୁ ନିଜ ଦେଶର ଶାସନ କରିବାର ଅଧିକାର ମୋର ନିଜର ରହିବ ।

 

‘‘ଯେବେ ଏହା ଦୋଷାବହ ହୁଏ, କେବେ ମୁଁ ମଧ୍ୟ ଏହି ଦୋଷରେ ଦୋଷୀ । ଯେବେ ଏହା ଦୋଷ ବୋଲି ବିବେଚିତ ହୁଏ, ତେବେ ଏହି ମତପୋଷଣ କରିବା ଆଜିର ପ୍ରତ୍ୟେକ ଭାରତୀୟର ଏକମାତ୍ର କର୍ତ୍ତବ୍ୟ ହୋଇଥିବାରୁ ମୁଁ ଏଥିପାଇଁ ଫାଶୀ ପାଇବାକୁ ବରଣ କରୁଛି ।

 

‘‘ମୁଁ ଏତିକି କହିବାକୁ ଚାହେଁ ଯେ ସୁଭାଷ ମୋ ଅପେକ୍ଷା ଅଧିକ ବିପ୍ଳବୀ ନୁହେଁ । ତାହାହେଲେ ସରକାର ମୋତେ କାହିଁକି ଗିରଫ୍ କରିନାହାନ୍ତି ? ମୁଁ ଏହାର କାରଣ କ’ଣ ଜାଣିବାକୁ ଚାହେଁ । ସୁଭାଷ ଯଦି ଦୋଷୀ ହେଲା, ତାହାହେଲେ ମୁଁ ମଧ୍ୟ ଦୋଷୀ । କର୍ପୋରେସନର Chief Executive Officer କେବଳ ଦୋଷୀ ନ ହୋଇ ମେୟର ମଧ୍ୟ ଦୋଷୀ ।’’

 

‘‘ମୁଁ ଏତିକି କହିପାରେ ଯେ ଆମର ସମସ୍ତ ପ୍ରକାର ଆଇନଗତ ସଂଗଠନ ବିରୁଦ୍ଧରେ ଏହି ଅର୍ଡ଼ିନାନ୍‍ସଗୁଡ଼ିକ ଉଦ୍ଦିଷ୍ଟ ।

 

‘‘ସୁଭାଷ ବୋଷଙ୍କୁ ୧୮୦୩ ମସିହାର ୩ୟ ଆଇନବଳରେ ଗିରଫ୍ କରିବାଦ୍ୱାରା ଅମଲାତନ୍ତ୍ର ଶାସନର ପାଶବିକତା ନଗ୍ନଭାବରେ ପ୍ରକାଶ ପାଇଛି । କର୍ପୋରେସନର Chief Executive Officer ଭାବରେ କାର୍ଯ୍ୟରେ ଯୋଗଦେବାକୁ ସେ ସକାଳୁ ଅଫିସ୍‍କୁ ଯାଇଥିଲେ-। କାର୍ଯ୍ୟସାରି ଘରକୁ ଫେରିବାବେଳେ ଦେଖନ୍ତି ଯେ, ଘରେ ପୋଲିସ୍‍ବାହିନୀ ଉପସ୍ଥିତ-। ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରାଯାଇ ନାହିଁ ବା କୌଣସି କୈଫିୟତ ମଗାଯାଇ ନାହିଁ-। ତାଙ୍କୁ କୌଣସି କାରଣ ଦର୍ଶା ନ ଯାଇ କେବଳ କୁହାଗଲା ଯେ, ‘ଆମର ପାଶବିକ ବଳ ଅଛି ଏବଂ ଆପଣଙ୍କୁ ଜେଲ୍‍ଖାନାକୁ ନେଇଯିବୁ । ’ଏହାହିଁ କ’ଣ ଆଇନ ? ଏହାହିଁ କ’ଣ ନ୍ୟାୟବିଚାର ?’’

 

ଦେଶବନ୍ଧୁ କଲିକତାରେ ପହଞ୍ଚି ସରକାର ଏହି ଯେଉଁ ନୂତନ ଆକ୍ରମଣ ଆରମ୍ଭ କଲେ, ସେ ବିଷୟ ଜଣାଇ ମହାତ୍ମା ଗାନ୍ଧି ପଣ୍ଡିତ ମୋତିଲାଲ ନେହେରୁ, ଶ୍ରୀମତୀ ସରୋଜିନୀ ନାଇଡ଼ୁ ଓ ଅନ୍ୟାନ୍ୟ ନେତୃସ୍ଥାନୀୟ ଲୋକଙ୍କୁ ତା’ର କଲେ । ଭାରତବର୍ଷର ପ୍ରାୟ ସମସ୍ତ ନେତୃସ୍ଥାନୀୟ ଲୋକ କଲିକତାକୁ ଆସିଲେ ଏବଂ ଏହି ଆକ୍ରମଣ ବିରୁଦ୍ଧରେ ଭାରତସାରା ପ୍ରତିବାଦ କରାଗଲା । ବଙ୍ଗଳାରେ ଅଦ୍ଭୁତ ପ୍ରତିକ୍ରିୟା ସୃଷ୍ଟି ହେଲା । ସରକାରଙ୍କର ଏହି କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରିବାପାଇଁ ଅକ୍ଟୋବର ୩୧ ତାରିଖ ଦିନ ସଭା ହୋଇଥିଲା । ସେଥିରେ ପ୍ରାୟ ଦେଢ଼ ଲକ୍ଷ୍ୟରୁ ଅଧିକ ଲୋକ ଯୋଗ ଦେଇଥିଲେ । ନଭେମ୍ୱର ପ୍ରଥମ ସପ୍ତାହରେ ମହାତ୍ମା ଗାନ୍ଧି, ପଣ୍ଡିତ ମୋତିଲାଲ ନେହେରୁ ଓ ଅନ୍ୟମାନେ ଦେଶବନ୍ଧୁଙ୍କୁ ସାହାଯ୍ୟ କରିବାପାଇଁ କଲିକତା ଆସିଲେ । ବଙ୍ଗଳା ବ୍ୟବସ୍ଥାପକ ସଭା ଏବଂ କଲିକତା କର୍ପୋରେସନ ନିର୍ବାଚନରେ ସ୍ୱରାଜଦଳ ଯେପରି ସାଫଲ୍ୟ ଲାଭ କରିଥିଲେ ତାହାର ପ୍ରତିକ୍ରିୟାସ୍ୱରୂପ ସରକାର ଏଭଳି ଦମନମୂଳକ କାର୍ଯ୍ୟ କରୁଛନ୍ତି ବୋଲି ମହାତ୍ମା ଗାନ୍ଧିଙ୍କର ହୃଦ୍‍ବୋଧ ହେଲା । ମୁଖ୍ୟକର୍ମୀମାନଙ୍କୁ ଜେଲରେ ରଖି ସ୍ୱରାଜଦଳର କାର୍ଯ୍ୟକ୍ରମ ପଙ୍ଗୁ କରିଦେବା ଥିଲା ସରକାରଙ୍କ ଉଦ୍ଦେଶ୍ୟ ।

 

ଦେଶର ନେତୃସ୍ଥାନୀୟ ଲୋକେ ନିଜ ମଧ୍ୟରେ ଥିବା ମତଭେଦ ଦୂର କରି ସମୂହଭାବରେ ଆନ୍ଦୋଳନ କରିବାର ଆବଶ୍ୟକତା ଅନୁଭବ କଲେ । ମହାତ୍ମା ଗାନ୍ଧି, ଦେଶବନ୍ଧୁ ଓ ପଣ୍ଡିତ ମୋତିଲାଲ ନେହେରୁ ଗୋଟିଏ ମିଳିତ ବିବୃତିରେ ବ୍ୟବସ୍ଥାପକ ସଭାମାନଙ୍କରେ ବିଶେଷତଃ ବଙ୍ଗଳା ଓ କେନ୍ଦ୍ରରେ ସ୍ୱରାଜଦଳ ଲାଭ କରିଥିବା ସାଫଲ୍ୟ ଉଲ୍ଲେଖ କରି ସ୍ୱରାଜଦଳର କାର୍ଯ୍ୟକ୍ରମ କଂଗ୍ରେସର ମୁଖ୍ୟ କାର୍ଯ୍ୟକ୍ରମ ହେଉ ବୋଲି ଦାବି କଲେ । ଅନ୍ୟାନ୍ୟ ଭିତରେ ସେମାନେ ପ୍ରସ୍ତାବ କଲେ ଯେ (୧) କେବଳ ବିଦେଶୀ ଲୁଗା ବ୍ୟବହାର କରିବାକୁ ଅସ୍ୱୀକାର କରିବା ଛଡ଼ା ଜାତୀୟ କାର୍ଯ୍ୟକ୍ରମରେ ଅସହଯୋଗ ସ୍ଥଗିତ ରହିବା ଉଚିତ (୨) ସମସ୍ତେ ଗଠନମୂଳକ କାର୍ଯ୍ୟ କରିବେ, (୩) ସ୍ୱରାଜ ଦଳ କଂଗ୍ରେସ ପକ୍ଷରୁ ବ୍ୟବସ୍ଥାପକ ସଭାରେ କାର୍ଯ୍ୟ କରିବ ଏବଂ (୪) କଂଗ୍ରେସ ସଭ୍ୟମାନେ ବାର୍ଷିକ ଟ ୦ । ସଭ୍ୟ ଚାନ୍ଦା ଦେବା ପରିବର୍ତ୍ତେ ନିଜ ହାତକଟା ସୂତା ୨ ହଜାର ଗଜ ଦେବେ ।

 

ମହାତ୍ମା ଗାନ୍ଧି ତାଙ୍କର ବ୍ୟବସ୍ଥାପକ ସଭା ବର୍ଜନ କାର୍ଯ୍ୟକ୍ରମ ପରିବର୍ତ୍ତେ ବ୍ୟବସ୍ଥାପକ ସଭା ପ୍ରବେଶକୁ କଂଗ୍ରେସର ମୁଖ୍ୟ କାର୍ଯ୍ୟକ୍ରମଭାବେ ଗ୍ରହଣ କରିବାଦ୍ୱାରା ନିଜର ଖୋଲାମନ ଓ ରାଜନୈତିକ ବିଚକ୍ଷଣତାର ପରିଚୟ ଦେଇଥିଲେ । ୧୯୨୪ ନଭେମ୍ୱର ୨୩ ତାରିଖ ଦିନ ବମ୍ୱେରେ ବସିଥିବା ନିଖିଳ ଭାରତ କଂଗ୍ରେସ କମିଟି ବୈଠକରେ ୩ ଜଣ ନେତୃସ୍ଥାନୀୟ ଲୋକ ଦେଇଥିବା ଉକ୍ତ ମିଳିତ ବିବୃତିକୁ ପୂର୍ଣ୍ଣଭାବେ ସମର୍ଥନ କରାଗଲା ।

 

ଦେଶବନ୍ଧୁ ଚିତ୍ତରଞ୍ଜନ ଗାଁଗହଳରେ ଗଠନମୂଳକ କାର୍ଯ୍ୟ ଆଗେଇନେବା ଦିଗରେ ଅଧିକ ଦୃଷ୍ଟି ଦେଲେ ଏବଂ ଏହି ସମ୍ପର୍କରେ ନିମ୍ନଲିଖିତ ବିବୃତି ଦେଲେ–

 

‘‘ବଙ୍ଗଳା ସ୍ୱରାଜଦଳର କାର୍ଯ୍ୟ ନିର୍ବାହିକାସମିତି ଡିସେମ୍ୱର ପ୍ରଥମ ସପ୍ତାହରେ କଲିକତା ଓ ହାବୁଡ଼ାରେ ସ୍ୱରାଜପାଇଁ ପୂରାପୂରିଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି କରିଛନ୍ତି । ସଭାମାନ କରାଯାଇ ତହିଁରେ ବର୍ତ୍ତମାନ ଅବସ୍ଥା, ସରକାରଙ୍କର ଦମନମୂଳକ ନୀତି ଏବଂ ତାହା ଫଳରେ ହୋଇଥିବା ଗିରଫ୍‍ଦାରୀ, ୩ୟ ଆଇନର ପୁନରୁଦ୍ଧାର ଏବଂ ଜାରୀ ହୋଇଥିବା ଅର୍ଡ଼ିନାନ୍‍ସ ପ୍ରଭୃତି ସମ୍ପର୍କରେ ବୁଝାଇବାକୁ ପଡ଼ିବ । ତାହାଛଡ଼ା ବମ୍ୱେରେ ବର୍ତ୍ତମାନ ହେଉଥିବା ସର୍ବଦଳ ସମ୍ମିଳନୀର ନିଷ୍ପତ୍ତି ବ୍ୟବସ୍ଥାପକ ସଭାର ଭିତରେ ଓ ବାହାର ସ୍ୱରାଜଦଳର ନୀତି ସମ୍ପର୍କରେ ବୁଝାଇ ପାଣ୍ଠି ସଂଗ୍ରହ କରିବାକୁ ହେବ । ବର୍ତ୍ତମାନ ଅବସ୍ଥାରେ ସରକାରଙ୍କ ସମ୍ମୁଖୀନ ହୋଇ ସର୍ବସମ୍ମତିକ୍ରମେ ସେଥିପାଇଁ ଆବଶ୍ୟକୀୟ ଜନବଳ ଓ ଅର୍ଥବଳ ସଂଗ୍ରହର ଚରମ ଆବଶ୍ୟକତା ସମ୍ପର୍କରେ ଦେଶବାସୀଙ୍କୁ ବିଶେଷଭାବେ ବୁଝାଇବା ନିଷ୍ପ୍ରୟୋଜନ । ଦେଶର କାର୍ଯ୍ୟପାଇଁ ସମସ୍ତେ ନିଜ ନିଜର ଶକ୍ତି ଅନୁସାରେ ଦାନକରିବା ପାଇଁ ମୁଁ ନିବେଦନ କରୁଛି । ଆମର ସ୍ୱେଚ୍ଛାସେବକମାନେ ମୁଦା ବାକ୍‍ସ ଧରି ଘର ଘର ଚାନ୍ଦା ମାଗି ବୁଲିବେ । କଲିକତା ଓ ହାବୁଡ଼ାର ପ୍ରତ୍ୟେକ ଲୋକ ଅନ୍ତତଃପକ୍ଷେ ଟଙ୍କାଏ ହିସାବରେ ଦେବେ ବୋଲି ମୋର ଆଶା । ମଫସଲ ଅଞ୍ଚଳପାଇଁ ମଧ୍ୟ ସ୍ୱରାଜ ସପ୍ତାହପାଳନ କରାଯିବ ଏବଂ ତାହାର ନିର୍ଦ୍ଦିଷ୍ଟ ତାରିଖ ଶୀଘ୍ର ଘୋଷିତ ହେବ । ଦେଶର ମୁକ୍ତି ଗ୍ରାମାଞ୍ଚଳ ଉପରେ ନିର୍ଭର କରୁଥିବାରୁ ମୁଁ ସମସ୍ତଙ୍କୁ ଗାଁଗହଳରେ କାର୍ଯ୍ୟ କରିବାକୁ ନିବେଦନ କରୁଛି ।’’

 

ତାଙ୍କର ପ୍ରଧାନ ସହକର୍ମୀ ସୁଭାଷଚନ୍ଦ୍ରଙ୍କ ଗିରଫ୍ ଫଳରେ ବିଶ୍ରାମ ନେବାକୁ ସିମଳା ଯାଇଥିବା ଦେଶବନ୍ଧୁ ବାଧ୍ୟ ହୋଇ ଯେତେ ଦିନ ରହିବା କଥା, ସିମଳାରେ ସେତେ ଦିନ ନ ରହି କଲିକତା ଫେରି ଆସିବାଟା ତାଙ୍କୁ ଭଲ ଲାଗୁ ନଥିଲା । ପ୍ରାୟେ ମାସେ କାଳ ସ୍ୱରାଜ ପାଣ୍ଠିପାଇଁ ଲକ୍ଷେ ଟଙ୍କା ସଂଗ୍ରହ କରି ଦେଶସାରା ସଙ୍ଗଠନ କାର୍ଯ୍ୟରେ ଜୋର୍‍ସୋର୍‍ରେ ଲାଗିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ଓ ସେ ଅତିଶୟ ବେମାର ହୋଇପଡ଼ିଲେ । ତାହା ସତ୍ତ୍ୱେ ବେଲଗାଁଓରେ ମହାତ୍ମା ଗାନ୍ଧିଙ୍କ ସଭାପତିତ୍ୱରେ ହେବାକୁ ଯାଉଥିବା ଆସନ୍ତା କଂଗ୍ରେସ ଅଧିବେଶନରେ ବ୍ୟବସ୍ଥାପକ ସଭା ପ୍ରବେଶ କାର୍ଯ୍ୟକ୍ରମ ଆଲୋଚିତ ହେବାକୁ ଥିବାରୁ ସେ ଉକ୍ତ ଅଧିବେଶନରେ ଯୋଗଦେବାକୁ ବାଧ୍ୟ ହେଲେ ।

 

ବେଲଗାଁଓରେ ମହାତ୍ମା ଗାନ୍ଧି ଓ ଦେଶବନ୍ଧୁଙ୍କ ମଧ୍ୟରେ ପୂର୍ଣ୍ଣ ସଦ୍‍ଭାବ ପ୍ରତିଷ୍ଠା ହେଲା । ଦେଶବନ୍ଧୁ ଏହି ସମ୍ପର୍କରେ ମନ୍ତବ୍ୟ ପ୍ରକାଶ କରିବାକୁ ଯାଇ କହିଥିଲେ :–

 

‘‘ମହାତ୍ମା ଗାନ୍ଧି ଖଲାସ ହେବାପରେ ଆମ ଭିତରେ ଥିବା ମତଭେଦ ଦୂର ହୋଇଯାଇ ଏକତା ପ୍ରତିଷ୍ଠିତ ହେବ ବୋଲି ମୁଁ ଜାଣିଥିଲି ଏବଂ ମୋର ବିଶ୍ୱାସ ଠିକ୍ ବୋଲି ପ୍ରମାଣିତ ହୋଇଛି-। ଅମଲାତନ୍ତ୍ର ଶାସନ ଭାରତବର୍ଷକୁ ବଙ୍ଗଳାରେ ଯେଉଁ ଆହ୍ୱାନ ଦେଇଥିଲା, ତା’ର ଉତ୍ତର ହେଉଛି–ବିଦେଶୀବସ୍ତ୍ର ବର୍ଜନ । ବେଲଗାଁଓରେ କଂଗ୍ରେସ ଭିତରେ କଳହ ଲାଗିବ ବୋଲି ଅମଲାତନ୍ତ୍ର ଶାସନ ଆଶା କରୁଥିଲା । କିନ୍ତୁ ମହାତ୍ମା ଗାନ୍ଧି ସରକାରଙ୍କୁ ସେ ବ୍ୟାପାରରେ ନିରାଶ କରିଛନ୍ତି । ମୁଁ ଗଠନମୂଳକ କାର୍ଯ୍ୟରେ ପୂର୍ଣ୍ଣ ବିଶ୍ୱାସ କରୁଥିଲେ ସୁଦ୍ଧା ଶତ୍ରୁକୁ ମୂଳପୋଛ କରିବାପାଇଁ କୌଣସି ପ୍ରକାର ସାହାଯ୍ୟ ନ ଦେବାରେ ମଧ୍ୟ ବିଶ୍ୱାସ କରେ । ବ୍ୟବସ୍ଥାପକ ସଭା ଜରିଆରେ ସ୍ୱରାଜ ଆସିପାରିବ ନାହିଁ ବୋଲି ମୁଁ ବିଶ୍ୱାସ କରୁଥିଲେ ସୁଦ୍ଧା ସେସବୁ ଅନୁଷ୍ଠାନଦ୍ୱାରା ଆମ ଅଗ୍ରଗତି ବାଧା ପାଇବାର ସମ୍ଭାବନା ଥିବାରୁ ସେସବୁର ଧ୍ୱଂସସାଧନ କରାଯିବା ଦରକାର-। ଆମର ଜୀବନୀଶକ୍ତି ବଢ଼ାଇବା ପାଇଁ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନ ଦଖଲ କରିବା ଉଚିତ । ବ୍ୟବସ୍ଥାପକ ସଭାକାର୍ଯ୍ୟ ସ୍ୱରାଜଦଳ ଲୋକଙ୍କର ସ୍ଥାୟୀ କାର୍ଯ୍ୟ ନୁହେଁ; ସେସବୁ ଅନୁଷ୍ଠାନକୁ ଧ୍ୱଂସ କରି ଆମେ ଚାଲିଆସିବୁ ।’’

 

ବେଲଗାଁଓ କଂଗ୍ରେସର ବ୍ୟବସ୍ଥାପକ ସଭା ପ୍ରବେଶ କଂଗ୍ରେସର ମୁଖ୍ୟ କାର୍ଯ୍ୟକ୍ରମରୂପେ ଗୃହୀତ ହୋଇଥିବାରୁ ଏହା ଦେଶବନ୍ଧୁ ଏବଂ ମୋତିଲାଲ ନେହେରୁଙ୍କର ବ୍ୟକ୍ତିଗତ ବିଷୟ ବୋଲି କୁହାଯାଇପାରେ । କେବଳ ବିଦେଶୀ ବସ୍ତ୍ରବର୍ଜନ ଛଡ଼ା ଅନ୍ୟାନ୍ୟ ବର୍ଜନମାନ ଉଠାଇ ନିଆଗଲା । ତେଣୁ ବର୍ଷଶେଷ ଆଡ଼କୁ କଂଗ୍ରେସ ମଧ୍ୟରେ ସ୍ୱରାଜଦଳ ମୁଖ୍ୟଗୋଷ୍ଠୀଭାବେ ଦେଖାଦେଲା ଏହା ହେଉଛି ଦେଶବନ୍ଧୁ ଯୋଗଦେଇଥିବା ଶେଷ କଂଗ୍ରେସ ଅଧିବେଶନ ।

Image

 

ସପ୍ତଦଶ ଅଧ୍ୟାୟ

ଅନ୍ତିମ ଇଚ୍ଛା

 

ଦେଶବନ୍ଧୁ ଆଇନ ବ୍ୟବସାୟ ଛାଡ଼ିଦେବା ପରେ ରାତିକ ଭିତରେ କଲିକତାର ଜଣେ ସର୍ବୋଚ୍ଚ ଧନଶାଳୀ ବ୍ୟକ୍ତି ପରିବର୍ତ୍ତେ ସେ ହେଲେ ଜଣେ ଦରିଦ୍ରତମ ବ୍ୟକ୍ତି । ଏହା ସତ୍ତ୍ୱେ ବହୁସଂଖ୍ୟକ କର୍ମୀଙ୍କୁ ସେ ସାହାଯ୍ୟ କରୁଥିବାରୁ ସେମାନଙ୍କ ପ୍ରତି ତାଙ୍କର ପୂର୍ବପରି ଦାୟିତ୍ୱ ରହିଲା । ତାଙ୍କର ବର୍ତ୍ତମାନ ଏକମାତ୍ର ସମ୍ପତ୍ତି ରହିଲା ଭବାନୀପୁରରେ ଥିବା ତାଙ୍କର ରାଜପ୍ରାସାଦତୁଲ୍ୟ ଘର । ବହୁ କର୍ମୀଙ୍କୁ ସାହାଯ୍ୟ କରିବାପାଇଁ ଏହି ଏକମାତ୍ର ଘର ମଧ୍ୟ ବନ୍ଧକ ପଡ଼ିଥିଲା । ଏହାସତ୍ତ୍ୱେ ଏହି ଘରକୁ ଜାତିକୁ ଦାନ କରିବାକୁ ଦେଶବନ୍ଧୁ ନିଷ୍ପତ୍ତି କଲେ । ଏହି ସମ୍ପତ୍ତିର ମୂଲ୍ୟ ୩ ଲକ୍ଷ ୨୬ ହଜାର ଟଙ୍କା ସ୍ଥିର ହେଲା । କିନ୍ତୁ ବନ୍ଧକ ବାବଦ ଲକ୍ଷାଧିକ ଟଙ୍କା ଏଥିରୁ ଦିଆଯିବାର କଥା । ତେଣୁ ବନ୍ଧକ ବାବଦ ଟଙ୍କା ସୁଝା ଯିବା ପରେ ଅବଶିଷ୍ଟ ଟଙ୍କାରୁ ନିମ୍ନଲିଖିତ ଉଦ୍ଦେଶ୍ୟରେ ଗୋଟିଏ ଟ୍ରଷ୍ଟ୍ ବା ପାଣ୍ଠି କରିବାକୁ ସେ ସ୍ଥିର କଲେ :–

 

୧ । ଶିକ୍ଷାପ୍ରଚାର

 

୨ । ଗୋଟିଏ ମନ୍ଦିର ତିଆରି କରି ସେଠାରେ ସ୍ଥାପନ କରାଯିବା ବିଗ୍ରହଙ୍କର ଦୈନିକ ପୂଜାବ୍ୟବସ୍ଥା ।

 

୩ । ହିନ୍ଦୁ ବାଳକମାନଙ୍କ ପାଇଁ ଧର୍ମଶିକ୍ଷାର ବ୍ୟବସ୍ଥା ।

 

୪ । ଅନାଥ ପିଲା ଏବଂ ସବୁ ସମ୍ପ୍ରଦାୟର ଅସହାୟା ବାଳିକାମାନଙ୍କ ପାଇଁ ମାତୃମନ୍ଦିର ପ୍ରତିଷ୍ଠା ।

 

୫ । ଦରିଦ୍ର ଏବଂ ଦୁଃସ୍ଥମାନଙ୍କୁ ସାହାଯ୍ୟ–ଏହି ପାଣ୍ଠିର ରକ୍ଷଣାବେକ୍ଷଣ ପାଇଁ ଟ୍ରଷ୍ଟି ବା ନ୍ୟାସୀରୂପେ ଦେଶବନ୍ଧୁ ତୁଳସୀଚନ୍ଦ୍ର ଗୋସ୍ୱାମୀ, ନିର୍ମଳଚନ୍ଦ୍ର ଚନ୍ଦର, ନଳିନୀରଞ୍ଜନ ସରକାର, ସତ୍ୟମୋହନ ଘୋଷାଲ ଏବଂ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କୁ ବାଛିଲେ ଓ ନିଜେ ମଧ୍ୟ ସେଥିରେ ରହିଲେ । ଦେଶବନ୍ଧୁଙ୍କ ମୃତ୍ୟୁ ପରେ ସାର୍ ନୀଳରତନ ସରକାର ଏବଂ ଏସ.ଆର. ଦାସ ଦୁଇଜଣ ଅଧିକା ଟ୍ରଷ୍ଟି ହେଲେ । ତାଙ୍କର ମୃତ୍ୟୁ ପରେ ମହାତ୍ମା ଗାନ୍ଧି ଏଥିରେ ଆଗ୍ରହ ପ୍ରକାଶ କରି ନ୍ୟାସୀମାନଙ୍କ ପରାମର୍ଶକ୍ରମେ ଦେଶବନ୍ଧୁ ସ୍ମାରକପାଣ୍ଠିରୂପେ ୮ ଲକ୍ଷ ଟଙ୍କାର ଗୋଟିଏ ପାଣ୍ଠି ସଂଗ୍ରହ କଲେ । ଦେଶବନ୍ଧୁଙ୍କ ଘର ଯେଉଁମାନଙ୍କ ନିକଟରେ ବନ୍ଧକ ଥିଲା, ସେମାନଙ୍କ ମଧ୍ୟରୁ ଅନେକ ସ୍ୱେଚ୍ଛାକ୍ରମେ ନିଜ ନିଜର ପ୍ରାପ୍ୟ ଛାଡ଼ିଦେବାରୁ ନ୍ୟାସୀମଣ୍ଡଳୀ ସେହି ମହିଳାମାନଙ୍କ ପାଇଁ ଚିତ୍ତରଞ୍ଜନ ସେବାସଦନ ନାମକ ଗୋଟିଏ ଚିକିତ୍ସାଳୟ ଖୋଲିଲେ । ଏହି ଅନୁଷ୍ଠାନ ଆଜି ଶହ ଶହ ମହିଳାଙ୍କୁ ବିନା ପଇସାରେ ବା ଅଳ୍ପ ପଇସାରେ ଚିକିତ୍ସାର ସୁଯୋଗ ଦେଉଥିବାରୁ ଗୋଟିଏ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି । ଏହାର ସଫଳତା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଡାକ୍ତର ବି.ସି. ରାୟଙ୍କର ଯଥେଷ୍ଟ ଅବଦାନ ଅଛି ।

 

ଦେଶବନ୍ଧୁ ଜ୍ୱରରେ ବେଲଗାଁଓରୁ ଫେରିଲେ । ତାଙ୍କର ପେଟକୁ ମାରୁଥିଲେ ସୁଦ୍ଧା ସେଥିପ୍ରତି ନଜର ନ ଦେଇ ସେ ବଙ୍ଗଳାରେ ଜାରି ହୋଇଥିବା ଅର୍ଡ଼ିନାନ୍‍ସମାନ ଆଲୋଚିତ ହେଉଥିବା ଦୃଷ୍ଟିରୁ ବ୍ୟବସ୍ଥାପକ ସଭା ବୈଠକରେ ଯୋଗଦେଲେ । ୧୯୨୫ ଜାନୁୟାରୀ ୭ ତାରିଖ ଦିନ ଭୟଙ୍କର ଅସୁସ୍ଥ ଥାଇ ସୁଦ୍ଧା ସେ ବିଛଣାରୁ ଘୋଷଣା କଲେ, ‘‘କଳାବିଲ୍ ଆଲୋଚିତ ହେବାକୁ ଯାଉଥିବାରୁ ମୁଁ ଯେକୌଣସିମତେ ବ୍ୟବସ୍ଥାପକ ସଭାରେ ଯୋଗଦେଇ ତା’ର ବିରୋଧ କରିବି ।’’ ତାଙ୍କୁ ଷ୍ଟ୍ରେଚର୍ ସାହାଯ୍ୟରେ ବ୍ୟବସ୍ଥାପକ ସଭାକୁ ନିଆଗଲା । ବ୍ୟବସ୍ଥାପକ ସଭ୍ୟ ଥିବା ଦୁଇ ଜଣ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟ ଏବଂ ଡାକ୍ତର ଜେ.ଏମ୍. ଦାସଗୁପ୍ତ ତାଙ୍କ ପାଖେପାଖେ ରହିଥାନ୍ତି । ବିଲ୍‍ଟି ନାକଚ ହୋଇଯିବାରୁ ଦେଶବନ୍ଧୁଙ୍କ ମନ ଖୁସି ହୋଇଗଲା ଏବଂ ତା’ ଫଳରେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଫେରି ଆସିଲା । ଡାକ୍ତରମାନେ ତାଙ୍କୁ ଅନ୍ତତଃ ୩ ମାସ ପୂର୍ଣ୍ଣ ବିଶ୍ରାମ ନେବାପାଇଁ ପରାମର୍ଶ ଦେବାରୁ ଜାନୁୟାରୀ ୨୭ ତାରିଖ ଦିନ ସେ ପାଟନା ଗଲେ ।

 

ପାଟଣାରୁ ସେ ଗଲେ ରାଜଗିରି । ତାଙ୍କର ରକ୍ତହୀନତାଜନିତ ଦୁର୍ବଳତା ବୃଦ୍ଧି ପାଇବାକୁ ଲାଗିଲା । ଠିକ୍ ଏହି ସମୟରେ ପାଟଣାର ଜଣେ ହୋମିଓପାଥିକ୍ ଡାକ୍ତର ତାଙ୍କୁ ଚିକିତ୍ସା କରିବାରୁ ସେ ଟିକିଏ ଉପଶମ ଲାଭକଲେ । ମାର୍ଚ୍ଚ ମାସର ବ୍ୟବସ୍ଥାପକ ସଭା ବୈଠକରେ ଯୋଗଦେବା ପାଇଁ ତାଙ୍କୁ କଲିକତା ଆସିବାକୁ ପଡ଼ିଲା । ଏହି ଅଧିବେଶନରେ ପ୍ରଦେଶମନ୍ତ୍ରିମଣ୍ଡଳର ଭବିଷ୍ୟତ ଆଲୋଚିତ ହେଲା ଏବଂ ସେ ଏହି ବୈଠକରେ ଯେଉଁ ଭାଷଣ ଦେଲେ, ତାହା ହେଉଛି ବଙ୍ଗଳା ବ୍ୟବସ୍ଥାପକ ସଭାରେ ତାଙ୍କର ଶେଷ ଭାଷଣ ।

 

ମନ୍ତ୍ରିମଣ୍ଡଳ ସପକ୍ଷରେ ସମସ୍ତ ଯୁକ୍ତିର ଉତ୍ତର ଦେଇ ସେ ତାଙ୍କ ସ୍ୱଭାବସୁଲଭ ଭଙ୍ଗୀରେ କହିଲେ :–

 

‘‘ଆମେ ଗୋଟିଏ ଜୀବନ୍ତ ଓ ମୁକ୍ତ ସମ୍ୱିଧାନ ଚାହୁଁ, ଯେଉଁଥିରେ କି ସମ୍ମାନସ୍ପଦ ବ୍ୟକ୍ତିମାନେ ସମ୍ମାନଜନକ ବନ୍ଧୁ ଭାବରେ କାର୍ଯ୍ୟ କରିପାରିବେ ଏବଂ ଗୋଟିଏ ପ୍ରକୃତ ସମ୍ୱିଧାନ ଅନୁଯାୟୀ କାର୍ଯ୍ୟ କରାଯାଉଛି ବୋଲି ଆମ୍ଭେମାନେ ଦାବି କରିପାରିବୁ ।

 

‘‘ଏହି ପ୍ରଚଳିତ ଦ୍ୱୈତଶାସନ ପ୍ରଣାଳୀ ଧ୍ୱଂସ ହେବାପରେ ମୁଁ ଉପରେ ବର୍ଣ୍ଣନା କରିଥିବା ସୁନ୍ଦର ଅଟ୍ଟାଳିକା ତିଆରି କରାଯାଇପାରିବ ।

 

‘‘ସରକାରର ଅର୍ଥ ଯେବେ ଲୋକଙ୍କଦ୍ୱାରା ଲୋକଙ୍କ ମଙ୍ଗଳପାଇଁ କାର୍ଯ୍ୟ କରୁଥିବା ସରକାର ବୋଲି ବୁଝାଯାଏ, ତାହାହେଲେ ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ନିଯୁକ୍ତ ହୋଇଥିବା ମନ୍ତ୍ରୀମାନେ ଯେ କିଛି କରିପାରିବେ ନାହିଁ, ଏହା ହୃଦୟଙ୍ଗମ କରିବା ବିଶେଷ କଷ୍ଟକର ନୁହେଁ ।’’

 

ମୁଁ ବର୍ତ୍ତମାନ ଭାବୁଛି ଯେ ରକ୍ଷଣଶୀଳ ବା ଶ୍ରମିକ ମାନ୍ଦା ବା ଦଳର ଯେକୌଣସି ସରକାର ଭାରତ ପରି ବିରାଟ ଦେଶର ଲୋକଙ୍କର ଇଚ୍ଛାବିରୁଦ୍ଧରେ କିଛି କହିବାକୁ ସାହସ କରି ନ ପାରନ୍ତି ।’’

 

ତୃତୀୟ ଥରପାଇଁ ୧୯୨୫ ମାର୍ଚ୍ଚ ୨୩ ତାରିଖ ସୋମବାର ଦିନ ବଙ୍ଗଳା ବ୍ୟବସ୍ଥାପକ ସଭାରେ ମନ୍ତ୍ରୀମାନଙ୍କ ଦରମା ପାସ୍ ହୋଇପାରିଲା ନାହିଁ । ଏହିପରି ଭାବରେ ବଙ୍ଗଳାରେ ଦ୍ୱୈତଶାସନର ଅବସାନ ଘଟିଲା ଏବଂ ଦେଶବନ୍ଧୁଙ୍କ ଜୀବିତାବସ୍ଥାରେ ତାହା ପୁନରୁଦ୍ଧାର ହୋଇପାରିଲା ନାହିଁ । କଲିକତାର ଷ୍ଟେଟ୍‍ସମ୍ୟାନ୍ କାଗଜ ଦେଶବନ୍ଧୁଙ୍କୁ ‘‘ଭାରତର ବୁଦ୍ଧିଜୀବୀ ଅରାଜକତାର ପୂଜାରୀ ହୋଇଥିବାରୁ ସାଧାରଣ ଘୃଣାର କେନ୍ଦ୍ରସ୍ଥଳ ଏବର ମସ୍କୋ ତାଙ୍କର ଆଧ୍ୟାତ୍ମିକ ବାସସ୍ଥାନ’’ ବୋଲି ଚିତ୍ରଣ କରିଥିଲେ ।

 

ବଙ୍ଗଳାର ଦ୍ୱୈତଶାସନର ଅବସାନ ଘଟାଇବାରେ ସଫଳତା ଲାଭ କରିଥିବାରୁ ଦେଶବନ୍ଧୁଙ୍କ ଭିତରେ ନୂଆ ଆଗ୍ରହ ଓ ଉତ୍ସାହ ସୃଷ୍ଟିକଲା । ବ୍ରିଟିଶ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଦ୍ୱାରା ଭାରତ ଯେପରି ଅର୍ଥନୈତିକ ବନ୍ଧନରେ ଆବଦ୍ଧ ହୋଇଛି, ତାହା ଛିନ୍ନ କରିବା ଦିଗରେ ସେ ଏଣିକି ମନ ବଳାଇଲେ । ଏହି ସମୟରେ ଏକ ସଭାରେ ଭାଷଣ ଦେଉଥିଲାବେଳେ ସେ କୃଷକମାନଙ୍କ ଅବସ୍ଥାର ଉନ୍ନତିପାଇଁ ଖର୍ଚ୍ଚ କରିବାକୁ ୩୦ କୋଟି ଟଙ୍କା ମୂଳଧନରେ ଗୋଟିଏ ଜାତୀୟ ବ୍ୟାଙ୍କ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଲେ । ମୂଳରୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସେ ଆଗ୍ରହୀ ଥିଲେ-। ସେ ଓକିଲାତି କରୁଥିବା ସମୟରେ ଭାରତୀୟ ନାଭିଗେସନ କମ୍ପାନୀରେ ଯଥେଷ୍ଟ ଟଙ୍କା ଖଟାଇଥିଲେ । ଯଶୋର–ଝିନା ଦାହା ଲାଇଟ୍ ରେଳଲାଇନ୍ ତିଆରି ହେବା ସମୟରେ ସେ ତହିଁରେ ଅତିରିକ୍ତ ଆଗ୍ରହ ପ୍ରକାଶ କରିଥିଲେ । ସେ ବାରମ୍ୱାର କହୁଥିଲେ, ‘‘ସୁଭାଷ, ତୁଳସୀ ଏବଂ ଅନ୍ୟମାନେ ରାଜନୈତିକ କାର୍ଯ୍ୟକ୍ରମ ଠିକ୍ ଭାବରେ ଦେଖାଦେଖି କରିବେ ଏବଂ ମୁଁ ଲୋକଙ୍କ ଅର୍ଥନୈତିକ ଦାସତ୍ୱ ଦୂର କରିବା ଦିଗରେ ସମସ୍ତ ସମୟ ଦେବି ।’’

 

ଠିକ୍ ଏହି ସମୟରେ କଲିକତାର କେତେକ ବ୍ରିଟିଶ ନାଗରିକ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ମିଳାମିଶା କରିବାପାଇଁ ଗୋଟିଏ ଚେଷ୍ଟା କରିବାରୁ ତହିଁରେ ଦେଶବନ୍ଧୁ ବିଶେଷ ଉତ୍ସାହୀ ହୋଇ ପଡ଼ିଲେ । ମିଷ୍ଟର୍ ଥର୍ଣ୍ଣ ଓ ରାମକୃଷ୍ଣ ଏବଂ ବିବେକାନନ୍ଦଙ୍କର ଭକ୍ତ ହୋଇଥିବା ଜଣେ ଇଂରେଜ ଭଦ୍ରମହିଳାଙ୍କ ଚେଷ୍ଟା ଫଳରେ ଦେଶବନ୍ଧୁ ଓ ଲର୍ଡ଼ ଲିଟନ୍‍ଙ୍କ ମଧ୍ୟରେ ଦେଖାସାକ୍ଷାତ୍ ହେଲା । ମନ୍ତ୍ରୀମାନଙ୍କର ବେତନ ବିଲ୍ ପାସ୍ ହୋଇପାରି ନଥିବାରୁ ଦ୍ୱୈତଶାସନ ଅଧିକ ଦିନ ଚାଲି ପାରି ନଥିଲା । ଅନ୍ୟ ଦିଗରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାଣ୍ଡମାନ ଘଟୁଥାଏ-। ପୋଲିସ୍‍ର ଲୋକଙ୍କ ଉପରେ ଅତ୍ୟାଚାର ଚଳାଇ ଅଟକ କରିବା ଏବଂ ଜେଲ ଦେବା ଯେତେ ବୃଦ୍ଧି ପାଉଥାଏ, ସେତିକି ପରିମାଣରେ ସନ୍ତ୍ରାସବାଦୀମାନଙ୍କ କାର୍ଯ୍ୟପରିସର ମଧ୍ୟ ବୃଦ୍ଧି ପାଉଥାଏ-। ଏହିପରି ଅବସ୍ଥାରେ ସରକାରୀ ଶାସନ କଳ ଯେପରି ଲୋକଙ୍କର ମଙ୍ଗଳପାଇଁ ନିୟୋଜିତ ହୁଏ, ସେହି ଦୃଷ୍ଟିରୁ ଭାରତୀୟ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଦେଶବନ୍ଧୁ ବରାବର ଉତ୍କଣ୍ଠା ପ୍ରକାଶ କଲେ । ତାହା ଛଡ଼ା ‘‘ଅହିଂସା ମାର୍ଗରେ ହୁଏତ ସମ୍ଭବ ହେଲେ ହୋଇପାରେ; କିନ୍ତୁ ହିଂସା ମାର୍ଗରେ ସ୍ୱରାଜ କେବେହେଲେ ଆସି ପାରିବ ନାହିଁ’’ ବୋଲି ସେ ବିଶ୍ୱାସ କରୁଥିଲେ-। ସରକାର ମଧ୍ୟ ପରିସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିଲେ । ଏହିସବୁ ଦୃଷ୍ଟିରୁ ସେ ରାଜନୈତିକ ଉଦ୍ଦେଶ୍ୟରେ ହିଂସାକାଣ୍ଡର ନିନ୍ଦା କରି ବିବୃତି ଦେବାକୁ ଲର୍ଡ଼ ଲିଟନ୍ ଯେଉଁ ପ୍ରସ୍ତାବ ଦେଲେ, ତହିଁରେ ସେ ରାଜି ହୋଇଗଲେ ।

 

୧୯୨୫ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ଦେଶବନ୍ଧୁ ଏହିଭଳି ଏକ ବିବୃତି ଦେଲେ–

 

‘‘ମୁଁ ପରିଷ୍କାରଭାବେ କହିଛି ଏବଂ ବର୍ତ୍ତମାନ ମଧ୍ୟ କହୁଛି ଯେ, ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଓ ହିଂସାତ୍ମକ କାର୍ଯ୍ୟକୁ ମୁଁ ବିରୋଧ କରେ । ଏହା ମୋ ପକ୍ଷରେ ଏବଂ ମୋ ଦଳ ପକ୍ଷରେ ସମ୍ପୂର୍ଣ୍ଣଭାବେ ଅସହଣୀୟ । ଏହା ଆମର ରାଜନୈତିକ ପ୍ରଗତି ପଥରେ ଘୋର ଅନ୍ତରାୟ ବୋଲି ମୁଁ ଭାବେ । ଏହା ମଧ୍ୟ ଆମ ଧର୍ମଶିକ୍ଷାର ବିରୋଧୀ । ମୁଁ ଏ ବିଷୟରେ ନିଶ୍ଚିତ ଯେ, ଆମ ଦେଶର ରାଜନୈତିକ ଜୀବନରେ ଯେବେ ହିଂସା ସ୍ଥାନ ପାଏ ତାହାହେଲେ ସବୁ ସମୟପାଇଁ ଆମର ସ୍ୱରାଜ ଅନ୍ଧକାରାଚ୍ଛନ୍ନ ହୋଇ ପଡ଼ିବ । ତେଣୁ ଏହି ମାରାତ୍ମକ ଜିନିଷ ଯେପରି ଅଧିକ ନ ବ୍ୟାପେ ବା ଦେଶର ରାଜନୈତିକ ଅସ୍ତ୍ରରୂପେ ପରିଗଣିତ ନହୁଏ, ସେଥିପାଇଁ ମୁଁ ଅତୀବ ବ୍ୟଗ୍ର ।

 

‘‘ମୁଁ ପୂର୍ବରୁ ମଧ୍ୟ କହିଛି ଏବଂ ବର୍ତ୍ତମାନ ମଧ୍ୟ ପରିଷ୍କାର ଭାବରେ କହୁଛି ଯେ ରାଜନୈତିକ କାରଣରେ ହିଂସାତ୍ମକ ବ୍ୟବହାର ମୋ ପକ୍ଷରେ ଯେତେ ଦୂର ଅସହଣୀୟ ସରକାରଙ୍କ ଅତ୍ୟାଚାର ମଧ୍ୟ ସେତିକି ଦୂର ଅସହଣୀୟ । ଅତ୍ୟାଚାର ଫଳରେ ରାଜନୈତିକ ହତ୍ୟାର କେବେହେଲେ ଅବସାନ ନ ହୋଇ ବରଂ ତାହା ବୃଦ୍ଧି ପାଇ ସତେଜ ହେବ ।

 

ଆମେମାନେ ସ୍ୱରାଜ ଲାଭ କରି ସାମ୍ରାଜ୍ୟରେ ସମ୍ମାନଜନକ ଅଂଶୀଦାରରୂପେ ଭାରତର ରାଜନୈତିକ ମୁକ୍ତି ଓ ସମାନତା ହାସଲ କରିବାକୁ ଦୃଢ଼ପ୍ରତିଜ୍ଞ ।

 

‘‘ଏହି ଆନ୍ଦୋଳନ ହୁଏତ ବହୁ ଦିନ ଧରି ଚାଲିପାରେ ଏବଂ କଷ୍ଟକର ମଧ୍ୟ ହୋଇପାରେ; କିନ୍ତୁ ଶେଷ ପର୍ଯ୍ୟନ୍ତ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ ।

 

‘‘ବଙ୍ଗଳାର ଯୁବସମ୍ପ୍ରଦାୟକୁ ମୁଁ ଏତିକି କହୁଛି ଯେ ସ୍ୱରାଜପାଇଁ ଶୁଦ୍ଧପୂତ ଭାବରେ କାର୍ଯ୍ୟ କର । ଆମର ନ୍ୟାୟୋଚିତ ଦାବି ଉପରେ କୌଣସି କଳାଦାଗ ଯେପରି ନ ପଡ଼େ, ନିରବଚ୍ଛିନ୍ନଭାବେ କଷ୍ଟ ସହ୍ୟକରି ସଂଗ୍ରାମ କର । ଆଗୁସାର ହୋଇ ସ୍ୱରାଜପଥରେ ଥିବା ସମସ୍ତ କଣ୍ଟକ ନିଷ୍କାସନ କର ।

 

ୟୁରୋପୀୟମାନଙ୍କୁ ଆମକୁ ଭୁଲ ନ ବୁଝିବାପାଇଁ କହୁଛି । ତୁମର ଆମ ଉପରେ ଯେଉଁ ଅଯଥା ସନ୍ଦେହ ରହିଛି, ତାହା ଦୂର କର । ସରକାର ଯେଉଁ ଅତ୍ୟାଚାରର ତାଣ୍ଡବ ଲୀଳା ଚଳାଇଛନ୍ତି, ତାକୁ ସମର୍ଥନ କର ନାହିଁ । କାରଣ ତାକୁ ସମର୍ଥନ କରିବାଦ୍ୱାରା ଅଜାଣତରେ ଆପଣମାନେ ଆମର ରାଜନୈତିକ ଜୀବନରେ ହିଂସାତ୍ମକ ପ୍ରଥାକୁ ସ୍ଥାୟୀ କରିବାରେ ସହାୟତା କରିବେ ।’’

 

ଏହି ଯେଉଁ ବିବୃତି ଦିଆଗଲା ସେତେବେଳର ଭାରତ ମନ୍ତ୍ରୀ ଲର୍ଡ଼ ବର୍କନ୍‍ହେଡ଼ ସାଙ୍ଗେ ସାଙ୍ଗେ ଏହାର ଉତ୍ତର ଦେଲେ । ବଙ୍ଗଳାର ଅର୍ଡ଼ିନାନ୍‍ସ ଆଲୋଚନା ହେବା ସମୟରେ ଲର୍ଡ଼ ସଭାରେ ସେ ତାଙ୍କ ମନରୁ ସମସ୍ତ ପ୍ରକାର ସନ୍ଦେହ ଦୂର କରିବାକୁ ଚାହାନ୍ତି ବୋଲି ଘୋଷଣା କଲେ । ଦେଶବନ୍ଧୁଙ୍କର ନିବେଦନ ଦୃଷ୍ଟିରୁ ଅଗ୍ରସର ହୋଇ ରାଜନୈତିକ ଜୀବନରୁ ହିଂସା ଏବଂ ସନ୍ତ୍ରାସବାଦର ମୂଳୋତ୍ପାଟନ କରିବାପାଇଁ ସେ ଭାରତୀୟ ନାଗରିକମାନଙ୍କୁ ନିବେଦନ କଲେ ।

 

ଅପ୍ରେଲ ୩ ତାରିଖ ଦିନ ଦେଶବନ୍ଧୁ ଏହାର ଜବାବ ଦେଇ ପାଟଣାରେ କହିଲେ–

 

ଲର୍ଡ଼ ବର୍କନହେଡ଼୍ ଯାହା କହିଛନ୍ତି, ତାହା ଅତି ସ୍ପଷ୍ଟ ଏବଂ ସାହସର ପରିଚୟ ଦିଏ । ଭାରତମନ୍ତ୍ରୀ ସମସ୍ତ ପ୍ରକାର ଅଯଥା ସନ୍ଦେହ ଦୂର କରି ଘଟନାବଳିକୁ ପର୍ଯ୍ୟବେକ୍ଷଣ କରିବାକୁ କହିଥିବାରୁ ମୁଁ ଆନନ୍ଦିତ ।

 

‘‘ଏହି ଘୋଷଣା କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

 

‘‘ମୁଁ ୧୯୨୨ ମସିହା ଗୟା ବକ୍ତୃତାରେ ମୋର ଅବସ୍ଥା ପରିଷ୍କାର କରି ଦେଇଛି । ସ୍ୱରାଜ ପ୍ରତିଷ୍ଠାପାଇଁ ଅନ୍ତରାୟଭାବେ ଦଣ୍ଡାୟମାନ ହୋଇଥିବା ବାଧା ବିରୁଦ୍ଧରେ ମୁଁ ସକ୍ରିୟ କାର୍ଯ୍ୟ କରିବାକୁ ଯେ ଇଚ୍ଛୁକ, ସେତିକି ନୁହେଁ; ମୁଁ ଆଗ୍ରହୀ ମଧ୍ୟ । କିନ୍ତୁ ସରକାରଙ୍କ ପକ୍ଷରୁ ଅନୁକୂଳ ବାତାବରଣ ସୃଷ୍ଟି ନହେଲେ ଏ ଦିଗରେ ମୋର ସମସ୍ତ କାର୍ଯ୍ୟ ବୃଥା ହେବା ଅନିବାର୍ଯ୍ୟ ।

 

‘‘ବଙ୍ଗଳା ଅର୍ଡ଼ିନାନ୍‍ସ ଅନୁଯାୟୀ କ୍ଷମତାରେ ଥିବା ବ୍ୟକ୍ତିମାନଙ୍କୁ ଆଇନ ଅଦାଲତର କ୍ଷମତା ଅପହରଣ କରି ଲୋକଙ୍କର ଗତିବିଧି ନିୟନ୍ତ୍ରଣ କରିବାପାଇଁ ମନମୁଖୀଭାବେ ଯଥେଷ୍ଟ କ୍ଷମତା ଦିଆଯାଇଛି ।

 

ବିଲାତରେ ଏକଦା ଲର୍ଡ଼ ଚାନ୍‍ସେଲର ଥିବା ବର୍କନ ଥରେ କହିଥିଲେ, ‘‘ରାଜଦ୍ରୋହାତ୍ମକ କାର୍ଯ୍ୟ ଅବରୋଧ କରିବାର ଏକମାତ୍ର ଉପାୟ ହେଉଛି ତାହା ମୁଣ୍ଡ ଟେକିବାକୁ ଯେପରି ସୁବିଧା ନ ପାଏ ସେହିପରି ଅବସ୍ଥା ସୃଷ୍ଟି କରିବା । କାରଣ ଦୀପରେ ଯେବେ ଦୀପେ ତେଲ ରଖାଯାଏ, ତାହାହେଲେ ନିଆଁ କେତେବେଳେ ଜଳି ଉଠିବ ତାହା କହିବା ମୁସ୍କିଲ୍ ।’’ ରାଜଦ୍ରୋହ ଦୁଇଟି କାରଣରୁ ଦେଖାଦିଏ–(୧) ଅତ୍ୟଧିକ ଦାରିଦ୍ର୍ୟ (୨) ଅତ୍ୟଧିକ ଅସନ୍ତୋଷ । ମୁଁ ଦୃଢ଼ଭାବେ ବିଶ୍ୱାସ କରେ ଯେ, କେବଳ ଅହିଂସାଦ୍ୱାରାହିଁ ଭାରତର ସ୍ୱାଧୀନତା ହାସଲ କରାଯାଇପାରିବ ।

 

କେଉଁ ଅବସ୍ଥା ଯୋଗୁଁ ଭାରତବର୍ଷରେ ବିପ୍ଳବାତ୍ମକ ଆନ୍ଦୋଳନ ମୁଣ୍ଡ ଟେକିଛି ଏବଂ ତାହାର ପ୍ରକୃତ ଉପାୟ କ’ଣ ଯାହା ଫଳରେ କି ରୋଗର ମୂଳୋତ୍ପାଟନ ହୋଇ ପାରିବ ତାହାର କାରଣ ଅନୁଧ୍ୟାନ କରିବାପାଇଁ ଲର୍ଡ଼ ବର୍କନ ହେଡ଼ଙ୍କୁ ମୁଁ ଅନୁରୋଧ କରୁଛି । କେବଳ ବାହାରର ଉପସର୍ଗ ଦେଖି ଚିକିତ୍ସା କଲେ କିଛି ଫଳ ନାହିଁ । ଯେଉଁ ମୁହୂର୍ତ୍ତରେ ସରକାର ସ୍ୱାଧୀନତାର ମୂଳଦୁଆ ପକାଇବେ ଠିକ୍ ସେହି ମୁହୂର୍ତ୍ତରୁ ବିପ୍ଳବ ଅତୀତର ବିଷୟ ହୋଇଯିବ ବୋଲି ମୁଁ ସାହାସର ସହିତ କହୁଛି । ଅଧିକ ଆଲୋଚନା କରିବାପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ବୋଲି ଭାବୁଥିଲେ ସୁଦ୍ଧା ସରକାରଙ୍କର ବର୍ତ୍ତମାନ ଅତ୍ୟାଚାରମୂଳକ ନୀତିରେ ସହଯୋଗ କରିବାକୁ ମୁଁ ଅକ୍ଷମ ।

 

‘‘ମୁଁ ବିପ୍ଳବୀମାନଙ୍କର ହିଂସାତ୍ମକ କାର୍ଯ୍ୟ ଏବଂ ଆଉ ଗୋଟିଏ ହିଂସାତ୍ମକ କାର୍ଯ୍ୟଭାବେ ଦେଖାଦେଉଥିବା ସରକାରଙ୍କର ଅତ୍ୟାଚାର ଏହି ଉଭୟକୁ ନିନ୍ଦା କରୁଛି । ସମ୍ମାନାସ୍ପଦ ବ୍ୟକ୍ତିମାନେ କେଉଁ ଅବସ୍ଥାରେ ସହଯୋଗ କରିପାରିବେ ତାହା ମଧ୍ୟ ମୁଁ କହିଛି ।

 

‘‘ବର୍ତ୍ତମାନ ୟୁରୋପୀୟ ଲୋକ ଏବଂ ସରକାରଙ୍କ ପକ୍ଷରେ ପରବର୍ତ୍ତୀ କାର୍ଯ୍ୟ କରିବା ନିର୍ଭର କରେ ।

 

ଦି ଟାଇମ୍‍ସ ଏବଂ ଦି ଡେଲି ହେରାଲଡ଼ ପରି ବିଲାତୀ ଖବରକାଗଜମାନେ ଏହି ଘୋଷଣାକୁ ସ୍ୱାଗତ କଲେ ଏବଂ ସରକାର ମଧ୍ୟ ଦେଶବନ୍ଧୁଙ୍କ ଘୋଷଣାକୁ ସ୍ୱାଗତ କରୁଛନ୍ତି ବୋଲି ସହକାରୀ ଭାରତମନ୍ତ୍ରୀ ହାଉସ୍ ଅଫ୍ କମନ୍‍ସରେ କହିଲେ ।

 

ଠିକ୍ ଏହା ପରେ ପରେ ୧୯୨୫ ମସିହା ମେ ୨ ତାରିଖ ଦିନ ଫରିଦପୁରଠାରେ ଚିଫ୍ ପ୍ରାଦେଶିକ ସମ୍ମିଳନୀର ବୈଠକ ବସିଲା । ମହାତ୍ମା ଗାନ୍ଧିଙ୍କ ପରାମର୍ଶକ୍ରମେ ଦେଶବନ୍ଧୁ ସମ୍ମିଳନୀର ତାରିଖ ସ୍ଥିର କରିଥିଲେ । ତାଙ୍କର ନିଜର ଶେଷ ସମୟ ନିକଟ ହୋଇ ଆସିଲାଣି; ଏହାର ସୂଚନା ସେ ପାଇଥିଲେ କି ନାହିଁ ଏହା ଜଣାଯାଉ ନଥିଲେ ସୁଦ୍ଧା ସମ୍ମିଳନୀ ପାଇଁ ସେ ଯେଉଁ ବକ୍ତୃତା ପ୍ରସ୍ତୁତ କରିଥିଲେ ତାହା ଅତି ସାବଧାନତାର ସହ କରିଥିଲେ । ସେ ବନ୍ଧୁମାନଙ୍କ ସହିତ ପରାମର୍ଶ କରି ସେମାନେ ସମସ୍ତେ ତାଙ୍କର ବିଶ୍ଳେଷଣ ଓ ଚିନ୍ତାଧାରା ସହ ଏକମତ ହେଉଥିବାର ଜାଣି ଅତ୍ୟନ୍ତ ଖୁସି ହୋଇଥିଲେ । ମହାତ୍ମା ଗାନ୍ଧି ମେ ପହିଲା ତାରିଖରେ କଲିତକାରେ ପହଞ୍ଚିଲେ ଓ ତାଙ୍କୁ ଯେବେବେଳେ ଦେଶବନ୍ଧୁଙ୍କ ଘରକୁ ନିଆଗଲା, ସେ ଅତିମାତ୍ରାରେ ଭାବପ୍ରବଣତା ପ୍ରକାଶ କଲେ । କାରଣ ଦେଶବନ୍ଧୁ ତାଙ୍କ ଘରକୁ ଜାତିକୁ ଦାନ କରିଥିବା କଥା ଜାଣିଥିଲେ ଓ ସେହିଦିନ ଉପରଓଳି ମିର୍ଜାପୁର ପାର୍କ୍‍ରେ ବକ୍ତୃତା ଦେଇ ତାଙ୍କ ଭାବ ପ୍ରକାଶ କରି ମହାତ୍ମାଗାନ୍ଧି କହିଲେ–

 

‘‘ମୁଁ ଯେତେବେଳେ ଆଜି ସେହି ଘରକୁ ଗଲି ଦୁଃଖରେ ଅତିରିକ୍ତ ବିହ୍ୱଳ ହୋଇ ପଡ଼ିଲି-। ସେହି ସୁନ୍ଦର ଅଟ୍ଟାଳିକା ଆଉ ଦେଶବନ୍ଧୁଙ୍କର ନୁହେଁ । ସେ ଦୁନିଆରେ ଥିବା ତାଙ୍କର ସମ୍ପଦର ଶେଷକ୍ରାନ୍ତି ପର୍ଯ୍ୟନ୍ତ ଦାନକରି ଏହାକୁ ଜାତୀୟ ସେବା ଉଦ୍ଦେଶ୍ୟରେ ନ୍ୟାସୀମାନଙ୍କ ହସ୍ତରେ ଅର୍ପଣ କରିଛନ୍ତି । ମୁଁ ତାଙ୍କ ବିଷୟ ଚିନ୍ତା କଲାବେଳେ ଆଖିରୁ ଲୁହ ନ ଗଡ଼ାଇ ରହିପାରିଲିନାହିଁ । ତାଙ୍କ ଭଗ୍ନସ୍ୱାସ୍ଥ୍ୟ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହିଁ । ଏହି ଭଗ୍ନସ୍ୱାସ୍ଥ୍ୟରେ ସେ ଆଗରୁ ଫରିଦ୍‍ପୁର ଯାଇଛନ୍ତି । ମଣିଷ ନିଜର ବୋଲି ଦାବି କରୁଥିବା ସମସ୍ତ ଦ୍ରବ୍ୟ ଏପରି ପାଗଳଭାବେ ତ୍ୟାଗ କରିବା ଦୃଷ୍ଟାନ୍ତ ଅତି ବିରଳ ।

 

‘‘ତାଙ୍କର ଯାହା କିଛି ଦୁନିଆରେ ଥିଲା, ସମସ୍ତ ଜିନିଷ ଯେତେବେଳେ ନ୍ୟାସୀମାନଙ୍କ ଦାୟିତ୍ୱରେ ଛାଡ଼ିଦେଲେ ସେତେବେଳେ ତ୍ୟାଗର ଚରମ ସୀମା ପହଞ୍ଚିଲା । ହୁଏତ ଏହା ଶେଷ ନ ହୋଇ ଆଉ କିଛି ତ୍ୟାଗ କରିପାରନ୍ତି ।’’

 

ଦେଶବନ୍ଧୁ ବାସନ୍ତୀ ଦେବୀଙ୍କ ସହ ୧୯୨୫ ମେ ପହିଲା ତାରିଖରେ ଫରିଦ୍‍ପୁରରେ ପହଞ୍ଚିଲେ । ମହାତ୍ମା ଗାନ୍ଧି ପରଦିନ ସକାଳେ ପହଞ୍ଚିଲେ । ଉଭୟ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ରାଜୋଚିତ ଅଭ୍ୟର୍ଥନା କରାଗଲା ।

 

ତାଙ୍କର ବକ୍ତୃତା ପାଠ କରିବା ପୂର୍ବରୁ ମହାତ୍ମାଗାନ୍ଧିଙ୍କୁ ସମ୍ୱୋଧନ କରି ଦେଶବନ୍ଧୁ କହିଲେ–

 

‘‘ମହାତ୍ମାଜୀ, ବଙ୍ଗ ପ୍ରାଦେଶିକ ସମ୍ମିଳନୀର ସଭାପତିଭାବେ ଆପଣଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇ ନିଜେ ଗର୍ବ ବୋଧ କରୁଛି । ଅସହଯୋଗର ପ୍ରାତଃକାଳରୁ ମୁଁ ଆପଣଙ୍କର ଯେଉଁ ଅନୁଗତ ହୋଇ ଆସିଛି, ଆଜି ମଧ୍ୟ ସେହି ଅନୁଗତ ଓ ସହକର୍ମୀ, ଏହିଠାରେ ଆପଣଙ୍କର ଗୁଣଗାନ କରିବା ମୋର କାର୍ଯ୍ୟ ନୁହେଁ । ଆପଣଙ୍କର ଗୁଣଗାନ ଦୁନିଆ କରିବ ଏବଂ ଭାରତ ଯେପରି କରୁଛି ସେହିପରି ଦୁନିଆ ଯେ ଆପଣଙ୍କର ଗୁଣଗାନ କରିବ ଏ ବିଷୟରେ ମୁଁ ସୁନିଶ୍ଚିତ । ଆମେ ଚାହୁଁ ଆପଣଙ୍କର ଉତ୍ସାହ ଓ ନେତୃତ୍ୱ । ଅସହଯୋଗର ପ୍ରଥମାବସ୍ଥାରେ ଆପଣଙ୍କର ଉତ୍ସାହ ଓ ବାଣୀ ଯେପରି ଆବଶ୍ୟକ ଥିଲା ଆଜି ତାହାଠାରୁ ଅଧିକ ଦରକାର । କାରଣ ଆନ୍ଦୋଳନ ବିଫଳ ହୋଇଛି ବୋଲି ମୁଁ ମୁହୂର୍ତ୍ତକ ପାଇଁ ସୁଦ୍ଧା କଳ୍ପନା କରିପାରେ ନାହିଁ । ବରଂ ଅନ୍ୟ ଦିଗରେ ଆମେ ସ୍ୱରାଜର ନିକଟବର୍ତ୍ତୀ ହୋଇଥିବାରୁ ଓ ସଂଗଠନ ବିନା ସ୍ୱରାଜ ଅସମ୍ଭବ ହୋଇଥିବାରୁ ସେହି ଉଦ୍ଦେଶ୍ୟରେ କାର୍ଯ୍ୟ କରିବାର ଆବଶ୍ୟକତା ଅନୁଭବ କରୁଛି । ଆଜି ବା କୌଣସି ସମୟରେ ଆପଣଙ୍କ ବିନା ନେତୃତ୍ୱରେ ଭାରତ କିଛି କରିବା ଅସମ୍ଭବ । ଭଗବାନ ଆମକୁ ପରିଚାଳିତ କରି ସ୍ୱରାଜ ହାସଲ ପର୍ଯ୍ୟନ୍ତ ଯେପରି ଉତ୍ସାହ ପାଉଁ ସେଥିପାଇଁ ଏବଂ ଆପଣଙ୍କ ଦୀର୍ଘାୟୁପାଇଁ ପ୍ରାର୍ଥନା କରୁଛୁ ।’’

 

ଦେଶବନ୍ଧୁଙ୍କର ଫରିଦ୍‍ପୁର ବକ୍ତୃତା ଜାତି ପ୍ରତି ହେଉଛି ତାଙ୍କର ଶେଷବାଣୀ ଏବଂ ଯୁଗଯୁଗକୁ ତାହା ଭାରତୀୟ ଶାସନତାନ୍ତ୍ରିକ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ-। ସେହି ବକ୍ତୃତାର ଇଂରେଜୀ ଅନୁବାଦ ପୂର୍ଣ୍ଣଭାବେ ଏହି ବହିର ପରିଶିଷ୍ଟରେ ଦିଆଯାଉଥିଲେ ସୁଦ୍ଧା ବକ୍ତୃତାର ସାରଗର୍ଭକ ବିଷୟମାନ ସଂକ୍ଷେପରେ ଏହିଠାରେ ଆଲୋଚନା କରାଯାଉଛି-। ଯେବେ ଇଂରେଜ ସାମ୍ରାଜ୍ୟ ଭାରତବର୍ଷ ଉପରେ ନିଜର ଆଧିପତ୍ୟ ବଜାୟ ରଖିବାକୁ ଇଚ୍ଛା କରେ, ତାହାହେଲେ ଭାରତବର୍ଷକୁ ସାମ୍ରାଜ୍ୟର ଶିକୁଳିରୁ ଛିନ୍ନକରିବା ପାଇଁ ତାଙ୍କ ଜୀବନର ଶେଷନିଃଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ସେ ଘୋଷଣା କରିଥିଲେ । ଅନ୍ୟ ଦିଗରେ ଇଂରେଜ ଲୋକେ ଭାରତର ନ୍ୟାୟୋଚିତ ଅଧିକାର ଯେବେ ସ୍ୱୀକାର କରନ୍ତି ତାହାହେଲେ ସେ ଆନନ୍ଦର ସହ ଭାରତ ବ୍ରିଟିଶ କମନ୍ ଓ୍ୱେଲ୍‍ଥର ସଭ୍ୟ ଭାବରେ ରହିବାକୁ ସମର୍ଥନ କରିବେ ବୋଲି ଜଣାଇଥିଲେ-। ବ୍ରିଟିଶ କମନ୍‍ଓ୍ୱେଲ୍‍ଥର ସଭ୍ୟଭାବରେ ରହିବା ଫଳରେ ବିଶ୍ୱଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରୁଥିବାରୁ ସେ ତାହା ଅଧିକ ପସନ୍ଦ କରୁଥିଲେ । ଏହି ଲକ୍ଷ୍ୟ ଲାଭପାଇଁ ସମ୍ମାନଜନକ ଭାବରେ ବ୍ରିଟିଶ ସରକାରଙ୍କ ସହ ସମାଧାନ କରିବାପାଇଁ କାର୍ଯ୍ୟ କରିବାକୁ ସେ ଇଚ୍ଛୁକ ଥିଲେ-। ବ୍ରିଟିଶ ସରକାର ଯେବେ ଏହି ବନ୍ଧୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରନ୍ତି ତାହାହେଲେ ଦେଶକୁ ଗଣଆଇନ ଅମାନ୍ୟପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ଏହାର ପ୍ରାଥମିକ କାର୍ଯ୍ୟରୂପେ ମହାତ୍ମାଗାନ୍ଧିଙ୍କ ପ୍ରଚାରିତ ଗଠନମୂଳକ କାର୍ଯ୍ୟ ଉପରେ ଜୋର ଦେବାକୁ ହେବ ।

 

କମନ୍‍ୱେଲ୍‍ଥରୁ ଅଲଗା ହେବାର ଅଧିକାର ସହ ସ୍ୱେଚ୍ଛାକୃତ ସଭ୍ୟ ହେବା ପ୍ରସ୍ତାବ ଦେଶବନ୍ଧୁ ଉଲ୍ଲେଖ କରିଥିଲେ । ଆଜିକାଲି ଦୁନିଆରେ କୌଣସି ଜାତି ସ୍ୱତନ୍ତ୍ରଭାବେ ରହିବା ଅସମ୍ଭବ ହୋଇଥିବାରୁ କମନ୍‍ଓ୍ୱେଲ୍‍ଥ ଥିଲା ତାଙ୍କ ପକ୍ଷରେ ଗୋଟିଏ ବିଶେଷ ଆକର୍ଷଣ । ସେ କହିଥିଲେ–

 

‘‘ମୋ ପକ୍ଷରେ ବ୍ରିଟିଶ ରାଜ୍ୟଗୋଷ୍ଠୀ ଗୋଟିଏ ଅତି ଆକର୍ଷଣୀୟ ପଦାର୍ଥ । ମୁଁ ବିଶ୍ୱଶାନ୍ତିରେ ବିଶ୍ୱାସ କରୁଥିବାରୁ ଶେଷକୁ ପୃଥିବୀର ସମସ୍ତ ଦେଶକୁ ରାଷ୍ଟ୍ରସଙ୍ଘ ପ୍ରତିଷ୍ଠା ହେବାଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋର ବିଶ୍ୱାସ । ସେହି ଦୃଷ୍ଟିରୁ ଜୀବନ, ସଭ୍ୟତା, ଜାତି ଏବଂ ନୈତିକ ଦୃଷ୍ଟିକୋଣ ମଧ୍ୟରେ ନୈତିକ ବିଭିନ୍ନତା ତଥା ସ୍ୱାତନ୍ତ୍ର୍ୟ ଥିଲେ ସୁଦ୍ଧା ସବୁଦେଶର ଶାସନର ସର୍ବୋଚ୍ଚ ଅଧିକାରୀଭାବେ ଯେବେ ରାଷ୍ଟ୍ରନୀତିଜ୍ଞମାନେ ରହିନ୍ତି ତାହାହେଲେ ବିଶ୍ୱର ବୃହତ୍ତମ ରାଷ୍ଟ୍ରସଙ୍ଘ ପ୍ରତିଷ୍ଠିତ ହୋଇ ବିଭିନ୍ନ ଜାତି ଏକତାବଦ୍ଧ ହୋଇପାରିବେ-। ଏହି ଏକତାବଦ୍ଧ ହେବାପାଇଁ ରାଷ୍ଟ୍ରସଙ୍ଘର ଅଙ୍ଗମାନଙ୍କୁ ନିଜ ନିଜର ସାର୍ବଭୌମ ଯେଭଳି ଭାବରେ କ୍ଷୁଣ୍ଣ କରିବାକୁ ପଡ଼ିବ ସେଥିପାଇଁ ଯେପରି କୌଣସି ଦେଶର ଲୋକେ କ୍ଷୁଣ୍ଣବୋଧ ନ କରନ୍ତି ସେଥିପାଇଁ ଏହି ରାଷ୍ଟ୍ରସଙ୍ଘର ଦାୟିତ୍ୱରେ ସେହିଭଳି ରାଷ୍ଟ୍ରନୀତିଜ୍ଞ ରହିବା ଦରକାର-। ମୁଁ ଭାବେ, ଭାରତ ତଥା ବ୍ରିଟିଶ ରାଜ୍ୟଗୋଷ୍ଠୀ ତଥା ବିଶ୍ୱର ମଙ୍ଗଳପାଇଁ ଭାରତ ସବୁ ସ୍ୱାଧୀନ ଦେଶ ଓ ଜାତିର ରାଜ୍ୟଗୋଷ୍ଠୀ ବା ରାଷ୍ଟ୍ରସଙ୍ଘ ଗଠନପାଇଁ ଚେଷ୍ଟା କରିବା ଉଚିତ ।’’

 

ଚାଲିଥିବା ନୃଶଂସ ଦମନଲୀଳା ସମ୍ୱନ୍ଧରେ, ଦେଶବନ୍ଧୁ କହିଲେ–

 

‘‘ଏହି ଦମନଲୀଳା ହେଉଛି ଏକଛତ୍ରବାଦ କ୍ଷମତା ଶାସକଗୋଷ୍ଠୀଙ୍କ ଆଙ୍ଗୁଠି ଅଗରେ କେନ୍ଦ୍ରୀଭୂତ କରିବାର ପ୍ରାଥମିକ ଚେଷ୍ଟାସ୍ୱରୂପ । ଦମନମୂଳକ କାର୍ଯ୍ୟ ସବୁଠାରୁ ବଡ଼ ହିଂସାତ୍ମକ କାର୍ଯ୍ୟ ହୋଇଥିବାରୁ ରାଜନୈତିକ ସ୍ୱାଧୀନତା ହାସଲ କରିବାପାଇଁ ହିଂସାତ୍ମକ ଉପାୟ ଅବଲମ୍ୱନ କରିବା ନୀତିକୁ ମୁଁ ଯେତିକି ଦୃଢ଼ତାର ସହିତ ନିନ୍ଦା କରିଛି ସରକାରଙ୍କର ଏହି ନୃଶଂସ ଅତ୍ୟାଚାରକୁ ମଧ୍ୟ ସେହିପରିଭାବେ ନିନ୍ଦା କରୁଛି ।’’

 

ସଂସ୍କାର ସମ୍ପର୍କରେ ସେ କହିଥିଲେ–

 

‘‘୧୯୧୯ ମସିହା ଭାରତ ଶାସନ ଆଇନରେ କିପରି କିଛି ଦିଆଯାଇନାହିଁ ତାହା ୧୯୨୧ ମସିହା ଅହମ୍ମଦାବାଦ ବକ୍ତୃତାରେ ମୁଁ ଭଲଭାବେ ବୁଝାଇ ଦେଇଛି । ତାହାଛଡ଼ା ମୁଡ଼ିମ୍ୟାନ କମିଟିଙ୍କ ସମ୍ମୁଖରେ ମାନ୍ଦାଦଳର ଯେଉଁମାନେ ସାକ୍ଷ୍ୟ ଦେଇଥିଲେ ତହିଁରୁ ଏହି ସଂସ୍କାର କିପରି ନିରର୍ଥକ ତାହା ପ୍ରମାଣିତ ହୋଇଛି । ଏହି ସବୁ ଦୁର୍ବଳତା ସତ୍ତ୍ୱେ ଯଦି ପୂର୍ଣ୍ଣ ଅର୍ଥରେ ସ୍ୱରାଜ ଆମକୁ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଏ ଏବଂ ତାହାର ନିଦର୍ଶନସ୍ୱରୂପ ବର୍ତ୍ତମାନ ଲୋକପ୍ରତିନିଧିମାନଙ୍କ ହାତକୁ ପ୍ରକୃତ କିଛି ଦାୟିତ୍ୱ ଦିଆଯାଇ ଶାସକଗୋଷ୍ଠୀଙ୍କ ହୃଦୟ ପରିବର୍ତ୍ତନ ହୋଇଛି ବୋଲି ସୂଚନା ମିଳେ, ତାହାହେଲେ ସରକାରଙ୍କ ସହିତ ଆମେମାନେ କାହିଁକି ସହଯୋଗ ନ କରିବୁ ତାହାର କୌଣସି କାରଣ ନାହିଁ । ମୁଁ ବରାବର ମତ ପୋଷଣ କରି ଆସିଛି ଯେ ସଙ୍ଗେ ସଙ୍ଗେ ଗଠନମୂଳକ କାର୍ଯ୍ୟ କରିବାର ସୁବିଧା ପାଇବା ଉଦ୍ଦେଶ୍ୟରେ ଆମେମାନେ ଯଥେଷ୍ଟ ତ୍ୟାଗ କରିବା ଉଚିତ ।

 

‘‘ଯେବେ ଆମ୍ଭମାନଙ୍କର ଏହି ସମାଧାନ ପ୍ରସ୍ତାବ ସରକାର ଗ୍ରହଣ ନ କରନ୍ତି ତାହାହେଲେ ଗତ ଦୁଇବର୍ଷ ହେଲା ଯେଉଁପରି ଭାବରେ ଜାତୀୟ କାର୍ଯ୍ୟ ଆମ୍ଭେମାନେ କରି ଆସିଅଛୁ ତହିଁରେ ଅଗ୍ରସର ହେବାକୁ ହେବ; ଯେପରିକି ସରକାରଙ୍କ ପକ୍ଷରେ ଜରୁରୀ କ୍ଷମତାର ବିନା ସାହାଯ୍ୟରେ ଦେଶର ଶାସନ ଚଳାଇବା ଅସମ୍ଭବ ହୋଇପଡ଼ିବ... ।’’

 

ସ୍ୱରାଜ ସଂଗ୍ରାମର ଅସ୍ତ୍ର ସମ୍ପର୍କରେ କହିବାକୁ ଯାଇ ଦେଶବନ୍ଧୁ କହିଲେ–

 

‘‘ସ୍ୱାଧୀନତାକାମୀ ଜନସାଧାରଣଙ୍କର ଶେଷଅସ୍ତ୍ର ହୋଇଥିବା ଜାତୀୟ ଆଇନ ଅମାନ୍ୟପାଇଁ ଆବଶ୍ୟକ ବାତାବରଣ ସୃଷ୍ଟି କରିବାକୁ ମୁଁ ଚାହେଁ... । କିନ୍ତୁ ଆଇନ ଅମାନ୍ୟପାଇଁ ଆବଶ୍ୟକ ଅତି ଉଚ୍ଚ ଧରଣର ସଂଗଠନ; ଅନ୍ତିମ ତ୍ୟାଗ କରିବାପାଇଁ ପ୍ରସ୍ତୁତି ଏବଂ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ପ୍ରକାର ବ୍ୟକ୍ତିଗତ ତଥା ସାଂପ୍ରଦାୟିକ ସ୍ୱାର୍ଥର ଜଳାଞ୍ଜଳି । ଭାରତ ଯେ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧିଙ୍କ ପ୍ରବର୍ତ୍ତିତ ଗଠନମୂଳକ କାର୍ଯ୍ୟକୁ ପୂର୍ଣ୍ଣଭାବେ କାର୍ଯ୍ୟକାରୀ ନ କରିଛି ସେ ପର୍ଯ୍ୟନ୍ତ ଆଇନ ଅମାନ୍ୟପାଇଁ ଦେଶ ପ୍ରସ୍ତୁତ ହେବାର ଆଶା ଖୁବ୍ କମ୍ ।

 

‘‘କିନ୍ତୁ ବର୍ତ୍ତମାନ ସବୁ କ୍ଷେତ୍ରରେ ସଦ୍‍ଭାବ ପ୍ରତିଷ୍ଠାର ଲକ୍ଷଣ ମୁଁ ଦେଖୁଛି । ଭାରତର ଗୋଟିଏ ବିଶେଷ ବାର୍ତ୍ତା ଦେବାକୁ ଥିବାରୁ ସେ ଏହି ବାର୍ତ୍ତାକୁ ମୁଁ ପୂର୍ବରୁ କହିଥିବା ରାଷ୍ଟ୍ରପୁଞ୍ଜରେ ଦେବାକୁ ବ୍ୟଗ୍ର । ବ୍ରିଟିଶ ରାଷ୍ଟ୍ରନୀତିଜ୍ଞମାନେ ଏହି ସୁଯୋଗ ଦେବେ କି ? ଉଭୟଙ୍କ ପକ୍ଷରେ ଅର୍ଥାତ୍ ବ୍ରିଟିଶ ଓ ଭାରତ ଦୁହିଁଙ୍କ ଦୃଷ୍ଟିରୁ ସମ୍ମାନଜନକ ସମାଧାନ ଇଂରେଜ ସରକାର ଇଚ୍ଛା କଲେ ହୋଇପାରେ ।

 

ଦେଶର ଜନସାଧାରଣଙ୍କୁ ମୁଁ ଏତିକି କହିବି ଯେ, ଆପଣମାନେ ରାଜନୈତିକ ସ୍ୱାଧୀନତା ଲାଭ କରିବାପାଇଁ ଯଥେଷ୍ଟ ତ୍ୟାଗ କରି ସରକାରୀ ଅତ୍ୟାଚାର ସହ୍ୟ କରିଛନ୍ତି । ଆପଣଙ୍କର ରାଜନୈତିକ ଅସ୍ତ୍ରତ୍ୟାଗ କରିବାର ସମୟ ଆସିନାହିଁ । ଆପଣମାନେ ଉତ୍ସାହର ସହିତ ଲଢ଼େଇ କରନ୍ତୁ ଏବଂ ଯେତେବେଳେ ସମାଧାନର ସମୟ ଆସିବ; ଯାହାକି ଆସିବା ଅନିବାର୍ଯ୍ୟ ସେତେବେଳେ ଔଦ୍ଧତ୍ୟର ସହ ଶାନ୍ତି ସମ୍ମିଳନୀରେ ଯୋଗଦାନ ନ କରି ନମ୍ରତାର ସହ ଯୋଗଦାନ କରନ୍ତୁ । ଯେପରିକି ଲୋକେ ଆପଣ ବିପଦରେ ପଡ଼ିଥିବା ସମୟ ଅପେକ୍ଷା ଲକ୍ଷ୍ୟ ଲାଭ ପରେ ଆପଣଙ୍କର ଶ୍ରେଷ୍ଠତାର ପରିଚୟ ଦେଇଛନ୍ତି ବୋଲି କହିବେ । ଏତଦ୍‍ବ୍ୟତୀତ ଶାନ୍ତିର ସର୍ତ୍ତମାନ ଆଲୋଚନା ହେଉଥିବା ସମୟରେ ଆପଣମାନେ ମାନବ ଜାତିର ଦାବିକୁ ଉପେକ୍ଷା କରନ୍ତୁ ନାହିଁ । କାରଣ ତାହାହିଁ ହେଉଛି ଅନ୍ତିମ ଲକ୍ଷ୍ୟ ।

 

ମୁଁ ଯାହା କହିବାର କଥା, ତାହା ପରିଷ୍କାରଭାବେ କହିଛି । ଭାରତର ବିଭିନ୍ନ ରାଜ୍ୟର ନୀତି, ନିଜର ସ୍ୱାତନ୍ତ୍ର୍ୟ, ସଂସ୍କୃତି ଏବଂ ଐତିହ୍ୟ ପରମ୍ପରା ବଜାୟ ରଖି ଯାହାକି ବଜାୟ ରଖିବା ଅନିବାର୍ଯ୍ୟ, ସମସ୍ତଙ୍କ ମଙ୍ଗଳ ଦୃଷ୍ଟିରୁ ରାଷ୍ଟ୍ରସଙ୍ଘ ଗଠନ କରିବା ମୁଁ ଚାହେଁ । ଏହି ରାଷ୍ଟ୍ରସଙ୍ଘ ବିଶାଳ ବିଶ୍ୱର ମୁକ୍ତ ରାଜ୍ୟଗୋଷ୍ଠୀର ରାଷ୍ଟ୍ରସଙ୍ଘର ଅଙ୍ଗ ହେବ ଏବଂ ସେହି ରାଷ୍ଟ୍ରସଙ୍ଘରେହିଁ ବିଶ୍ୱମାନବ ଗୋଷ୍ଠୀର ଆଶା ଓ ଆକାଂକ୍ଷାର ଶାନ୍ତି ନିହିତ ଅଛି ।’’

Image

 

ଅଷ୍ଟାଦଶ ଅଧ୍ୟାୟ

ଶେଷ ସମୟ

 

୧୯୨୫ ମେ ୫ ତାରିଖ ଦିନ ଦେଶବନ୍ଧୁ କଲିକତାରେ ପହଞ୍ଚିବା ସମୟରେ ତାଙ୍କୁ ଜ୍ୱର ହୋଇଥିଲା । ଏଥର ସେ ନିଜ ଘରେ ନ ରହି ଜଣେ ବନ୍ଧୁଙ୍କ ଘରେ ରହିଥିଲେ । ଏହି ସମୟରେ ତାଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ଲୋକ ତାଙ୍କ ମତିଗତିରେ ପରିବର୍ତ୍ତନ ହୋଇଥିବାର ଲକ୍ଷ୍ୟ କରୁଥିଲେ । ଏହି ପୁସ୍ତକର ଲେଖକ ପ୍ରତିଦିନ ତାଙ୍କ ସହିତ ଦେଖା କରୁଥିଲେ-। ଦେଶବନ୍ଧୁ ସବୁ ସମୟରେ ଯୋଦ୍ଧା ମନୋବୃତ୍ତିର ଲୋକ ହୋଇଥିବାରୁ ସେ ଆଜି ଯାହା କରିବାର କଥା କାଲିକୁ କେବେ ସ୍ଥଗିତ ରଖୁ ନଥିଲେ । ଏ ସବୁ ମନୋଭାବ ପରିବର୍ତ୍ତନ ହୋଇ ଯାଇଥିଲା । ଯେବେ କୌଣସି ଲୋକ ତାଙ୍କୁ କିଛି କହିବାକୁ ଚାହୁଁଥିଲା ସେ ବରାବର ଜବାବ ଦେଉଥିଲେ, ‘‘କିଛିଦିନ ଅପେକ୍ଷା କର, ମୁଁ ଦାର୍ଜିଲିଂରୁ ଫେରି ତୁମ କାମ କରିବି ।’’

 

ଦିନେ ତାଙ୍କର ଜଣେ ବନ୍ଧୁଙ୍କୁ କହିଲେ ଯେ ମହାତ୍ମାଗାନ୍ଧିଙ୍କର କେହି ଶତ୍ରୁ ନଥିଲେ ସୁଦ୍ଧା ତାଙ୍କର ବହୁତ ଶତ୍ରୁ ଅଛନ୍ତି । ବୋଧହୁଏ ଏହାର ଏକମାତ୍ର କାରଣ ମହାତ୍ମାଗାନ୍ଧିଙ୍କର କାହାରି ପ୍ରତି ଅଶ୍ରଦ୍ଧା ନଥିଲେ ସୁଦ୍ଧା ସେ ନିଜେ ସେହି ଦୁର୍ବଳତାରୁ ପାର ହୋଇନାହାନ୍ତି ବୋଲି ଭାବୁଛନ୍ତି । ଲୋକମାନଙ୍କ ମଧ୍ୟରେ ଯେଉଁ ମତଭେଦ ଯୋଗୁଁ ତିକ୍ତତା ବୃଦ୍ଧି ପାଉଥିଲା ତାହା ତାଙ୍କୁ ଅଧିକରୁ ଅଧିକମାତ୍ରାରେ ମର୍ମାହତ କରୁଥିବାରୁ ସେ ପ୍ରତ୍ୟେକ ବିଷୟକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବାକୁ ଚାହାନ୍ତି ବୋଲି କହୁଥିଲେ । ତାହାଛଡ଼ା ଜୀବନ ଓ କାର୍ଯ୍ୟ ପ୍ରତି ବିତୃଷ୍ଣା ତାଙ୍କର ବୃଦ୍ଧି ପାଇବାକୁ ଲାଗିଲା । ତାଙ୍କ ଚିନ୍ତାଧାରା ଅଧିକ ଦାର୍ଶନିକ ହେବାକୁ ଲାଗିଲା; ଯାହା ଫଳରେ କି ନିର୍ବାଣ ବା ଭଗବତ ପ୍ରାପ୍ତି ତୁଳନାରେ ସମ୍ମାନ ଓ ଲୋକପ୍ରିୟତା ତୁଚ୍ଛ ବୋଲି ସେ ଭାବିବାକୁ ଲାଗିଲେ ।

 

ଦେଶବନ୍ଧୁ ଅଧିକରୁ ଅଧିକମାତ୍ରାରେ ଭୋଗବିଳାସ ପ୍ରତି ତୁଚ୍ଛଜ୍ଞାନ କଲେ । ସେ ତାଙ୍କର ସମସ୍ତ ପାର୍ଥିବ ସମ୍ପଦର ମୋହ ତ୍ୟାଗ କରିଛନ୍ତି ବୋଲି ବଙ୍ଗପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ସାତକଡ଼ି ପତିରାୟଙ୍କୁ କହିଥିଲେ । ସ୍ୱାଧୀନତାପ୍ରାପ୍ତି ପରେ ସେ ଅଜସ୍ର ପାର୍ଥିବ ସମ୍ପଦର ଅଧିକାରୀ ହେବେ ବୋଲି ସାତକଡ଼ି ପତିରାୟ କହିବାରୁ ସେ ତହିଁରେ ଅତିରିକ୍ତ କ୍ଷୁଣ୍ଣ ହେଉଥିଲେ । କାରଣ ରାୟ କେବଳ ପାର୍ଥିବ ଧନସମ୍ପଦରେ ଏପର୍ଯ୍ୟନ୍ତ ସବୁ ଚିନ୍ତା କରୁଛନ୍ତି । ତାଙ୍କର ଯାହା କିଛି ଅଳ୍ପ ଜିନିଷ ଏପର୍ଯ୍ୟନ୍ତ ଅଛି କଂଗ୍ରେସ ଯେବେ ତାଙ୍କୁ ସାଧାସିଧା ଭାବରେ ଚଳିବାକୁ ଗୋଟିଏ ଛୋଟ ଘର କରିଦିଏ, ତାହାହେଲେ ସେ ସମସ୍ତ ଜିନିଷ ଦାନ କରିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ ।

 

ଦେଶବନ୍ଧୁଙ୍କର ନିଜର ବ୍ୟକ୍ତିଗତ ଜୀବନ ପ୍ରତି ବୀତସ୍ପୃହା ପ୍ରକାଶ ପାଉଥିଲେ ସୁଦ୍ଧା ତାଙ୍କର ଦେଶାତ୍ମବୋଧ ପୂର୍ବପରି ଅକ୍ଷୁଣ୍ଣ ରହିଥିଲା । ସରକାର ଯେବେ ଜାତୀୟ ଦାବି ଗ୍ରହଣ କରିବାକୁ ଅସ୍ୱୀକାର କରନ୍ତି, ତାହାହେଲେ କ’ଣ ହେବ ବୋଲି ସତ୍ୟରଞ୍ଜନ ବକ୍‍ସି ଓ ସରୋଜ ପତି ତାଙ୍କୁ ପଚାରିବାରୁ ଜାତୀୟ ସ୍ୱାଧୀନତା ପ୍ରାପ୍ତିର ଏକମାତ୍ର ଉପାୟ ଜନତା ମଧ୍ୟରେ ଜାତୀୟତା ବୋଧ ବୃଦ୍ଧି କରିବା ବୋଲି ସେ ଜବାବ ଦେଲେ । ଏହି ପ୍ରଶ୍ନ ଉପରେ ପରବର୍ତ୍ତୀ ବର୍ଷ ହେବାକୁ ଯାଉଥିବା ନିର୍ବାଚନ ଲଢ଼େଇ କରିବାକୁ ସେ ଚାହୁଁଥିଲେ । ଲୋକଙ୍କ ମଧ୍ୟରେ ଥରେ ଜାଗରଣ ଦେଖା ଦେଲେ ଆଇନ ଅମାନ୍ୟ ଆନ୍ଦୋଳନ ଅନିବାର୍ଯ୍ୟ ହୋଇ ପଡ଼ିବ । ଯେବେ ସମୂହଭାବେ ବିସ୍ତୃତ ଆକାରରେ ଆଇନ ଅମାନ୍ୟ କରାଯାଏ, ତାହାହେଲେ କୌଣସି ସଭ୍ୟ ସରକାର ଏହି ଆନ୍ଦୋଳନକୁ ରୋକିପାରିବ ନାହିଁ ।

 

ମେ ୧୧ ତାରିଖ ଦିନ ଦେଶବନ୍ଧୁ ପାବନା ଯାତ୍ରା କଲେ । ପୂର୍ବେ ସେ ଯିବା ଆସିବା କଲାବେଳେ ଚାକର ଏବଂ ପ୍ରାଇଭେଟ ସେକ୍ରେଟେରୀମାନଙ୍କୁ ସଙ୍ଗରେ ନେଉଥିବାରୁ ସେମାନେ ଜିନିଷପତ୍ର ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ଦେଖାଦେଖି କରୁଥିଲେ । ବର୍ତ୍ତମାନ ସଙ୍ଗରେ ଅନ୍ୟ କାହାକୁ ନ ନେଇ କେବଳ ତାଙ୍କ ସ୍ତ୍ରୀଙ୍କୁ ନେଇଥିବାରୁ ତାଙ୍କର ଯଥେଷ୍ଟ ଅସୁବିଧା ହେଲା । ସେହି ଟ୍ରେନ୍‍ରେ ‘‘ଫରଓ୍ୟାର୍ଡ଼’’ କାଗଜର ପ୍ରଫୁଲ୍ଲ ଚକ୍ରବର୍ତ୍ତୀ ନାମକ ଜଣେ ସମ୍ପାଦକ ଯାଉଥିବାରୁ ସେ ଦେଶବନ୍ଧୁଙ୍କର ଜିନିଷପତ୍ରର ଦାୟିତ୍ୱ ନେଇ ତାଙ୍କୁ ବାଟରେ ଦେଖାଶୁଣା କଲେ । ପାବନାର ପଦ୍ମାନଦୀକୂଳରେ ୩।୪ ଦିନ ରହି ଦେଶବନ୍ଧୁ ଯଥେଷ୍ଟ ଆନନ୍ଦ ଉପଭୋଗ କରିଥିଲେ । ସେ ସହରର ଦୂରରେ ରହିଥିଲେ ସୁଦ୍ଧା ବହୁସଂଖ୍ୟକ ଲୋକ ତାଙ୍କ ନିକଟକୁ ଆସୁଥିବାରୁ ସେ ସମସ୍ତଙ୍କୁ ଗ୍ରାମ ସଂଗଠନର ଆବଶ୍ୟକତା ସମ୍ପର୍କରେ ବୁଝାଉଥିଲେ । ୩।୪ ଦିନ ବିଶ୍ରାମ ନେବା ପରେ ମେ ୧୫ ତାରିଖ ଦିନ ସେ ଦାର୍ଜିଲିଂ ଅଭିମୁଖେ ଯାତ୍ରା କଲେ ।

 

୧୬ ତାରିଖ ଦିନ ସକାଳେ ଦାର୍ଜିଲିଂ ରେଳଷ୍ଟେସନ୍‍ରେ ତାଙ୍କୁ ଅଭ୍ୟର୍ଥନା କରିବାପାଇଁ ନାରାଜୋଲର ରାଜା ପ୍ରମୁଖ ବହୁସଂଖ୍ୟକ ଲୋକ ଅପେକ୍ଷା କରି ରହିଥିଲେ । କିନ୍ତୁ ଦେଶବନ୍ଧୁ ଦିଘାପତିଆ ରାଜା ତାଙ୍କପାଇଁ ପଠାଇଥିବା କାର୍‍ରେ ଆସିବାରୁ ଷ୍ଟେସନ୍‍ରେ ଅପେକ୍ଷା କରିଥିବା ଲୋକେ ନିରାଶ ହୋଇ ଫେରିଗଲେ । ଦାର୍ଜିଲିଂରେ ସେ ବଡ଼ଲାଟଙ୍କ ଏକ୍‍ଜିକ୍ୟୁଟିଭ କାଉନ୍‍ସିଲର୍ ଭୂତପୂର୍ବ ସଭ୍ୟ ସାର୍ ନୃପେନ୍ଦ୍ରନାଥ ସରକାରଙ୍କର ଥିବା ‘‘ଷ୍ଟିପ ଏସିଡ଼’’ ନାମକ ଘରେ ରହିଲେ । ସାର୍ ନୃପେନ୍ଦ୍ରନାଥ ୧୯୧୬ ଫେବୃଆରୀ ୧୯ ତାରିଖ ଦିନ ଏହି ବହିର ଲେଖକଙ୍କୁ ନିମ୍ନଲିଖିତ ପତ୍ର ଲେଖିଥିଲେ–

 

ଶ୍ରୀଯୁକ୍ତ ଦାସଙ୍କ ମତରେ ମୋ ମତ ସମ୍ପୂର୍ଣ୍ଣ ବିରୋଧୀ ଜାଣି ସୁଦ୍ଧା ସେ ସବୁବେଳେ ମୋ ପ୍ରତି ସଦ୍ଦିଚ୍ଚା ପ୍ରକାଶ କରି ଆସିଛନ୍ତି । ଦିନେ ତାଙ୍କର ଅବସ୍ଥା ଦେଖି ମୁଁ ଅତିମାତ୍ରାରେ ମର୍ମାହତ ହୋଇ ପଡ଼ିଲି । ଗୋଡ଼ଗୁଡ଼ିକ ଅତି ସରୁ ଏବଂ ସେ ନିସ୍ତେଜ ଦେଖାଯାଉଥାନ୍ତି; ତେଣୁ ସେ କିଛିଦିନ ଦାର୍ଜିଲିଂରେ ମୋର ଅତିଥିଭାବେ କଟାଇବାକୁ ପ୍ରସ୍ତାବ କଲି । ମୋର ଗୋଟିଏ ଘର ତାଙ୍କ ରହିବାପାଇଁ ଛାଡ଼ିଦେବାକୁ ପ୍ରସ୍ତୁତ ଅଛି ବୋଲି କହିଲି । ସେ ଏଥିପାଇଁ ମୋତେ ଧନ୍ୟବାଦ ଦେଇ ନିଜ ଖର୍ଚ୍ଚ ନିଜେ କରିବେ ବୋଲି କହିଲେ । ଯେବେ ମୁଁ ତାଙ୍କ ଘରେ ଅତିଥିଭାବେ ରହିଥାନ୍ତି ତାହାହେଲେ ମୋର ଖର୍ଚ୍ଚ ମୋତେ କରିବାକୁ ସେ ଦେଇଥାନ୍ତେ କି ବୋଲି ପଚାରିଲି । ଶେଷକୁ ସେ ରାଜି ହୋଇ ଗୋଟିଏ ମର୍ମସ୍ପର୍ଶୀ ଚିଠି ମୋ ନିକଟକୁ ଲେଖିଲେ ଯାହା କି ବିଷୟବସ୍ତୁ ମୁଁ ସାଧାରଣରେ ପ୍ରକାଶ କରିବାକୁ ଅସମର୍ଥ । ଦାର୍ଜିଲିଂରେ ଥିବା ସମୟରେ ସେ ନିୟମିତଭାବେ ମୋ ପାଖକୁ ପତ୍ର ଲେଖୁଥିଲେ । ତାଙ୍କର ଶେଷ ଚିଠିଗୁଡ଼ିକ ଅତି ଆନନ୍ଦପ୍ରଦ ।’’

 

ଦାର୍ଜିଲିଂରେ ଦେଶବନ୍ଧୁ ଯେପରି ସୁବିଧାରେ ରହନ୍ତି ସେଥିପାଇଁ ସାର୍ ନୃପେନ୍ଦ୍ର ସମସ୍ତ ପ୍ରକାର ଆୟୋଜନ କରିଥିଲେ । ସେଠାରେ ରହିବା ଫଳରେ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଦେଖାଦେଲା । ପ୍ରଥମାବସ୍ଥାରେ ସେ ରିକ୍ସାରେ ଚଲାବୁଲା କରୁଥିଲେ । ପରେ କିଛି ଅଳ୍ପ ଅଳ୍ପ ଚାଲିକରି ବୁଲିଲେ । କାଶ୍ମୀରର ଲୋକେ ବ୍ୟବହାର କରୁଥିବା ଓଭର୍‍କୋଟ୍ ଓ ନାଲି ସିଲ୍କର ଟୋପି ମୁଣ୍ଡରେ ପିନ୍ଧି ବରାବର ଜଣେ ସନ୍ନ୍ୟାସୀଙ୍କ ପରି ତାଙ୍କର ଚେହେରା ଦେଖାଯାଉଥିଲା । ତାଙ୍କର ଦେଖାଶୁଣା କରିବାକୁ ସାର୍ ନୃପେନ୍ଦ୍ରନାଥଙ୍କ ପକ୍ଷରୁ ଥିବା ଅନୁପ ଗୋସ୍ୱାମୀ ଦେଶବନ୍ଧୁଙ୍କର ଯୋଡ଼ିଏ ଗୁଣ ତାଙ୍କୁ ଅଭିଭୂତ କରିଥିବାରୁ ଲେଖକଙ୍କୁ କହିଛନ୍ତି । ପ୍ରଥମତଃ ହେଉଛି–ତାଙ୍କର ଅସୀମ ତ୍ୟାଗ ଶକ୍ତି ଏବଂ ଦ୍ୱିତୀୟଟି ହେଉଛି ମିଷ୍ଟହାସ୍ୟ ଓ ଚାହାଣି । ତାଙ୍କ ସ୍ୱରରେ ମଧ୍ୟ ଅଦ୍ଭୁତ ଆକର୍ଷଣ ଶକ୍ତି ଥିଲା । ତାଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଲୋକ ଅତିରିକ୍ତ ଅଭିଭୂତ ହୋଇଯାଉଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିଲେ ସୁଦ୍ଧା ଜ୍ୱର ପୂରାପୂରି ଉପଶମ ନ ହୋଇ ପ୍ରତି ସପ୍ତାହରେ ହେଉଥିଲା ।

 

ମେ ଶେଷ ସପ୍ତାହରେ ତାଙ୍କ ସହିତ ଦେଖାକରିଥିବା ପ୍ରଫୁଲ୍ଲ ଚକ୍ରବର୍ତ୍ତୀ ତାଙ୍କ ବିଷୟରେ ଲେଖିଛନ୍ତି–

 

‘‘Step Aside’ର ସୋଫା ଉପରେ କଣରେ ଆଉଜି ବସି ତାଙ୍କ ନିକଟକୁ ଦେଖା କରିବାକୁ ଯାଉଥିବା ପ୍ରତ୍ୟେକଙ୍କୁ ମୃଦୁହାସ୍ୟରେ ଆଲିଙ୍ଗନ କରି ମିଷ୍ଟକଥା କହୁଥିବା ଦେଶବନ୍ଧୁଙ୍କର ଚେହେରା ମୁଁ କେବେହେଲେ ଭୁଲିପାରିବି ନାହିଁ । ତାଙ୍କ ମନରେ ଏକମାତ୍ର ବିଷୟ ଥିଲା–ଦେଶଚିନ୍ତା । ମେ ୨୬ ତାରିଖ ଦିନ ମୁଁ ତାଙ୍କ ସହିତ ଶେଷ ଥରପାଇଁ ଦେଖାକରିଥିଲି । ବିଛଣାରେ ତକିଆ ଉପରେ ଭରାଦେଇ ସେ ବିଶ୍ରାମ କରୁଥାନ୍ତି । ତାଙ୍କର ମୋତେ ଶେଷକଥା ହେଉଛି–ପ୍ରଫୁଲ୍ଲ, ମୁଁ ଟିକିଏ ପୂଜା କରିବି । ତୁମେ ଯାଅ । (ଆମି ଏକଟୁ ନାମୋ କରବୋ)’’ ।

 

ମେ ୨୯ ତାରିଖ ଦିନ କମନ୍ ୱେଲ୍‍ଥବିଲ୍ ଅଫ୍ ଇଣ୍ଡିଆ ସମ୍ପର୍କରେ ମିସେସ୍ ବେଶାନ୍ତ ତାଙ୍କ ସହିତ ଦେଖା କରିଥିଲେ । ସେ ମିସେସ୍ ବେଶାନ୍ତଙ୍କ ସହିତ ପ୍ରତ୍ୟେକ ଧାରା ପଢ଼ି ଆଲୋଚନା କରିଥିଲେ ଏବଂ କଲିକତା ଯିବା ପରେ ତାଙ୍କ ବନ୍ଧୁମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହିଭଳି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଆଲୋଚନା ଯୋଗୁଁ ସେ ଟିକିଏ ଦୁର୍ବଳତା ଅନୁଭବ କଲେ । ତାଙ୍କର ପ୍ରକୃତି ଏପରି ଥିଲା ଯେ ସେ ଥରେ ଭାବପ୍ରବଣ ହୋଇଗଲେ ପ୍ରକୃତିସ୍ଥ ହେବାକୁ ତାଙ୍କୁ ବହୁ ଦିନ ଲାଗୁଥିଲା । ତାଙ୍କୁ କୀର୍ତ୍ତନ ଶୁଣିବାକୁ ଭଲ ଲାଗେ ବୋଲି ସେ ବରାବର କହୁଥିଲେ । ଥରେ କୀର୍ତ୍ତନ ଶୁଣିଲେ ଏପରି ଭାବପ୍ରବଣ ହୋଇଯାଉଥିଲେ ଯେ ବହୁ ଦିନ ପର୍ଯ୍ୟନ୍ତ ତାଙ୍କୁ ରାତିରେ ନିଦ ହେଉ ନଥିଲା ।

 

ସେ ସମୟରେ ବଙ୍ଗଳାରେ ଗସ୍ତକରୁଥିବା ମହାତ୍ମା ଗାନ୍ଧିଙ୍କୁ ସେ ଲେଖିଲେ;–

 

‘‘ମୁଁ ଅଭ୍ୟର୍ଥନା ସମିତିର ସଭାପତି ଏବଂ ଆପଣ ମୋ ପ୍ରଦେଶରେ ଗସ୍ତ କରୁଛନ୍ତି ବୋଲି ସ୍ମରଣ ରଖନ୍ତୁ । ଗସ୍ତକ୍ରମରେ ଆପଣଙ୍କୁ ଦାର୍ଜିଲିଂ ଆସିବାକୁ ହେବ । ଏହା ହେଉଛି ମୋର ହୁକୁମ ।’’

 

୧୯୦୬ କଲିକତା କଂଗ୍ରେସ ଅଧିବେଶନବେଳେ ବାଳ ଗଙ୍ଗାଧର ତିଳକଙ୍କ ସମ୍ମାନାର୍ଥେ ଦେଶବନ୍ଧୁଙ୍କ ବାସଭବନଠାରେ ଆୟୋଜିତ ସମ୍ୱର୍ଦ୍ଧନାରେ (ବାମରୁ ଡାହାଣକୁ ବସିଛନ୍ତି) ଲାଲା ଲଜପତ ରାୟ, ବାଳ ଗଙ୍ଗାଧର ତିଳକ, ବିପିନଚନ୍ଦ୍ର ପାଲ, ଏନ୍.ସି. ଘେଲବାର (ବାମରୁ ଡାହାଣକୁ ଠିଆ ହୋଇଛନ୍ତି) ଚିତ୍ତରଞ୍ଜନ ଦାସ (ତିଳକଙ୍କ ପଛରେ), ସୁରେନ୍ଦ୍ରନାଥ ଠାକୁର, ବି.ଏସ୍. ମୁଞ୍ଜେ ।

 

ମହାତ୍ମାଗାନ୍ଧି ଉତ୍ତର ଦେଲେ–

 

‘‘କଲିକତାରେ କାର୍ଯ୍ୟକାରୀ କମିଟିର ବୈଠକ ହେବ, ଅନ୍ୟାନ୍ୟ ଜାଗାପାଇଁ ଗସ୍ତକ୍ରମ ଠିକ୍ ହୋଇଯାଇଥିବାରୁ ଦାର୍ଜିଲିଂ ଯିବା ସମ୍ଭବପର, ନୁହେଁ । ଆଶାକରେ କିଛି ମନେ କରିବେ ନାହିଁ-।’’

 

ଦେଶବନ୍ଧୁ ପୁଣି ଜବାବଦେଲେ–

 

ତାହାହେଲେ କାର୍ଯ୍ୟକାରୀ କମିଟିର ବୈଠକ ଏଠାରେ କରାଯାଉ । ସଭ୍ୟମାନଙ୍କର ରହିବା ବ୍ୟବସ୍ଥା ମୁଁ କରିବି । ସେମାନଙ୍କ ଯିବାଆସିବା ଖର୍ଚ୍ଚ ବଙ୍ଗ ପ୍ରଦେଶ କଂଗ୍ରେସ କମିଟି ଦେବ । ମୁଁ ଏ ସମ୍ପର୍କରେ ସାତକଡ଼ିଙ୍କୁ ଲେଖୁଛି ।’’

 

ଆଉ କୌଣସି ଉପାୟ ନ ଦେଖି ମହାତ୍ମାଗାନ୍ଧି କାର୍ଯ୍ୟକାରୀ କମିଟି ବୈଠକପରେ ଦାର୍ଜିଲିଂ ଯିବାକୁ ଠିକ୍ କଲେ । ସେ ଦୁଇ ଦିନ ରହିବେ ବୋଲି ଲେଖି ଜଣାଇଲେ । ତାଙ୍କର ସମସ୍ତ ବ୍ୟବସ୍ଥା ଦେଶବନ୍ଧୁ କଲେ ଓ ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିଲେ ସୁଦ୍ଧା ପ୍ରତ୍ୟେକ ବିଷୟ ସେ ବ୍ୟକ୍ତିଗତଭାବେ ଦେଖୁଥିଲେ ।

 

ଜୁନ୍ ୪ ତାରିଖ ଦିନ ମହାତ୍ମା ଗାନ୍ଧି ଦାର୍ଜିଲିଂରେ ପହଞ୍ଚିଲେ । ସେ ପହଞ୍ଚିବା ପରେ ଦେଶବନ୍ଧୁ ଏପରି ଖୁସି ହୋଇଗଲେ ଯେ ତାଙ୍କର ସୁବିଧା ଅସୁବିଧା ଦେଖିବାର ଦାୟିତ୍ୱ ସେ ନିଜେ ବହନ କଲେ । ଏପରି କି ମହାତ୍ମା ଗାନ୍ଧିଙ୍କ ପାଇଁ ଛେଳିଦୁଧ ବ୍ୟବସ୍ଥା କରିବାପାଇଁ ଜଳପାଇଗୁଡ଼ିରୁ ପାଞ୍ଚଟି ଛେଳି ଆଣିଥିଲେ । ଉଭୟ ୪ ଦିନ ଏକତ୍ର କଟାଇଲେ ଏବଂ ଦେଶବନ୍ଧୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବା ଦେଖି ମହାତ୍ମାଗାନ୍ଧି ଖୁସି ହେଲେ । ଦାର୍ଜିଲିଂରେ ଦୁଇ ଦିନ ରହିବେ ବୋଲି ଠିକ୍ କରିଥିଲେ ସୁଦ୍ଧା ଦେଶବନ୍ଧୁଙ୍କର କଥାରେ ପାଞ୍ଚଦିନ ରହିଥିଲେ ।

 

ଉଭୟ ବନ୍ଧୁଙ୍କ ମଧ୍ୟରେ ଭାରତ ପ୍ରତି ବ୍ରିଟିଶ ସରକାରଙ୍କ ମତିଗତି ସମ୍ପର୍କରେ ପ୍ରାୟ ଆଲୋଚନା ହେଉଥିଲା । ଭାରତମନ୍ତ୍ରୀ ଲର୍ଡ଼ ବର୍କନ୍ ହେଡ଼୍ ଭାରତ ପ୍ରତି ଯେଉଁ ସଦ୍ଦିଚ୍ଛା ପ୍ରକାଶ କରିଥିଲେ, ତାହା ଦେଶବନ୍ଧୁଙ୍କୁ ଅତିମାତ୍ରାରେ ସ୍ପର୍ଶ କରିଥିଲା ଏବଂ ସେତେବେଳେ ଲର୍ଡ଼ ରିଡ଼ିଂଙ୍କର ବିଲାତରେ ଉପସ୍ଥିତି ଯୋଗୁଁ ଭାରତର ମଙ୍ଗଳ ହେବ ବୋଲି ସେ ଭାବୁଥିଲେ । ମୁଡ଼ିମ୍ୟାନ୍ କମିଟିର ସଂଖ୍ୟାନ୍ୟୂନତା ସମ୍ପର୍କୀୟ ରିପୋର୍ଟ ଯେପରି ପାର୍ଲିଆମେଣ୍ଟ୍‍ରେ ଗୃହୀତ ହୁଏ, ସେଥିପାଇଁ ଲର୍ଡ଼ ରିଡ଼ିଂ ବିଲାତରେ ଚେଷ୍ଟା କରୁଥିଲେ ବୋଲି ସମସ୍ତେ ବିଶ୍ୱାସ କରୁଥିଲେ । ଲର୍ଡ଼ ବର୍କନ୍‍ହେଡ଼ ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ସେ ଭାରତପାଇଁ କିଛି କରିବେ ବୋଲି ଦେଶବନ୍ଧୁ ଆଶା ପୋଷଣ କରୁଥିଲେ ଏବଂ ସେଥିପାଇଁ ସେ ସବୁବେଳେ ସବଳ ଲୋକଙ୍କ ସଙ୍ଗେ କଥାବାର୍ତ୍ତା କରି ସମାଧାନ କରିବାକୁ ପସନ୍ଦ କରନ୍ତି ବୋଲି କହୁଥିଲେ ।

 

ମହାତ୍ମା ଗାନ୍ଧି ବ୍ରିଟିଶ ସରକାରଙ୍କର ଆନ୍ତରିକତାରେ ଅତିରିକ୍ତ ସନ୍ଦେହ କରୁଥିବାରୁ ସେ ଦେଶବନ୍ଧୁଙ୍କ ସହ ଏକମତ ହେଉ ନଥିଲେ । ସେ କହୁଥିଲେ–ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ନାହିଁ । ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଉଭୟ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗାହଙ୍ଗାମା ଲାଗି ରହିଛି । ବଙ୍ଗଳାରେ ନାନା ଦଳ ଓ ମତବାଦ ଦେଖାଦେଉଛି । ଏ ଅବସ୍ଥାରେ ବ୍ରିଟିଶ ସରକାର କିଛି କରିବା ସୁଦୂରପରାହତ ବୋଲି ମହାତ୍ମା ଗାନ୍ଧି କହୁଥିଲେ । ବ୍ରିଟିଶ ସରକାର କେବେହେଲେ ଦୁର୍ବଳମାନଙ୍କ ଦାବି ଗ୍ରହଣ କରୁ ନଥିବାରୁ ଭାରତୀୟମାନେ ନିଜକୁ ସବଳ କରିବା ଉଚିତ ବୋଲି ମହାତ୍ମାଗାନ୍ଧି ବରାବର କହୁଥିଲେ ।

 

ଦେଶବନ୍ଧୁ ମହାତ୍ମା ଗାନ୍ଧିଙ୍କର ଏହି ସବୁ ସନ୍ଦେହମାନ ବୃଥା ବୋଲି ଚିତ୍ରଣ କରି ସେ ତର୍କବାଦୀମାନଙ୍କ ପରି ଯୁକ୍ତି କରୁଥିବାର କହୁଥିଲେ । ସେ ନିଜେ ତାଙ୍କର ନିଜ ଧରଣରେ ଚାଳିତ ହେଉଛନ୍ତି ଓ କିଛି ଗୋଟାଏ ବଡ଼ ଜିନିଷ ଶୀଘ୍ର ଘଟିବ ବୋଲି ତାଙ୍କର ଦୃଢ଼ବିଶ୍ୱାସ ହେଉଥିବାର ସେ ଅନୁଭବ କରୁଥିଲେ ।

 

ଦେଶବନ୍ଧୁଙ୍କର ଯେତେବେଳେ ଏଭଳି ଦୃଢ଼ ଧାରଣା ଓ ବିଶ୍ୱାସ ଥିଲା, ତାକୁ କୌଣସି ପ୍ରକାର ବାଧା ଦେବା ଉଚିତ ନୁହେଁ ବୋଲି ମହାତ୍ମାଜୀ ଭାବି ଚୁପ୍‍ଚାପ୍ ରହିଲେ । ଦେଶବନ୍ଧୁଙ୍କର ଦୃଢ଼ବିଶ୍ୱାସ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବାରୁ ସେ ତାଙ୍କ ସହିତ ଏ ବିଷୟରେ କୌଣସି ଯୁକ୍ତି କରି ନଥିଲେ ବୋଲି କହୁଥିଲେ । ତାହାଛଡ଼ା ଦେଶବନ୍ଧୁଙ୍କର ଆଶା ନିରାଶାରେ ପରିଣତ କରିବାଦ୍ୱାରା ଇଂରେଜମାନେ ସେମାନଙ୍କ କେତେକ ହିତାକାଂକ୍ଷୀଙ୍କୁ ହରାଇଛନ୍ତି, ତାହା ସେମାନେ ପରେ ହୃଦୟଙ୍ଗମ କରିବେ ବୋଲି ମହାତ୍ମାଜୀ ଭାବୁଥିଲେ ।

 

ତାହା ଛଡ଼ା ଦେଶବନ୍ଧୁ ନିଜର ଦୃଢ଼ବିଶ୍ୱାସ ଯୋଗୁଁ ଅତୀତରେ ବହୁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରୁଥିବାରୁ ମହାତ୍ମାଜୀ ତାଙ୍କ ବିଶ୍ୱାସରେ କୌଣସି ବାଧା ଦେବାକୁ ଚାହୁଁ ନଥିଲେ । ପରେ ସେ ଲେଖିଲେ–‘‘ମୁଁ ଇଂରେଜ ଲୋକମାନେ ସେ ଅବସ୍ଥାରେ କିଛି କରିବେ ନାହିଁ ବୋଲି ଭଲଭାବରେ ଜାଣିଥିଲେ ସୁଦ୍ଧା ଏବଂ ବର୍କନ୍‍ହେଡ଼ଙ୍କ ସଦିଚ୍ଛାପୂର୍ଣ୍ଣ କଥା ଛଡ଼ା ଆଶା କରିବାର ଅନ୍ୟ କିଛି ନଥିଲେ ସୁଦ୍ଧା ଯେଉଁ ବ୍ୟକ୍ତିଙ୍କ ଚେଷ୍ଟା ଫଳରେ ଇଂରେଜ ରାଷ୍ଟ୍ରନୀତିଜ୍ଞମାନେ ପୂର୍ବାପେକ୍ଷା ଭାରତବର୍ଷ ସମ୍ପର୍କରେ ଅଧିକ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି, ସେହି ସ୍ୱର୍ଗୀୟ ଦେଶବନ୍ଧୁଙ୍କ ପ୍ରତି ଆମ୍ଭମାନଙ୍କର ଯଥେଷ୍ଟ କର୍ତ୍ତବ୍ୟ ଅଛି ବୋଲି ମୁଁ ଭାବେ ।’’

 

ମହାତ୍ମା ଗାନ୍ଧି ଓ ଦେଶବନ୍ଧୁ ଏକମତ ହେବାପରେ ଦେଶବନ୍ଧୁ ରାଜ୍ୟଗୋଷ୍ଠୀ ବିଲ୍ ସମ୍ପର୍କରେ ସେମାନଙ୍କର ମତ ଜଣାଇ ମିସେସ୍ ବେଶାନ୍ତଙ୍କୁ ଚିଠି ଲେଖିଥିଲେ । ସରକାର ଯେବେ ଏହି ବିଲ୍‍କୁ ଗ୍ରହଣ ନ କରନ୍ତି, ତାହାହେଲେ କ’ଣ କରିବାକୁ ସେ ଭାବୁଛନ୍ତି, ବୋଲି ଜଣାଇବାକୁ ଅନୁରୋଧ କଲେ । ଦେଶବନ୍ଧୁଙ୍କ ମୃତ୍ୟୁପରେ ମିସେସ୍ ବେଶାନ୍ତ ଲେଖିଲେ, ‘‘ତାଙ୍କର ଚିକିତ୍ସକମାନେ ଶୀତଦିନ ପରେ ୟୁରୋପ ଯିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ଦାର୍ଜିଲିଂରେ ମେ ୨୯ ତାରିଖ ଓ ୩୦ ତାରିଖ ଦିନ ୩ଥର ତାଙ୍କ ସହିତ ଦେଖା କରି ବହୁ ସମୟ ଆଲୋଚନା କରିଥିଲି । ତାଙ୍କର ଫରିଦ୍‍ପୁର ବକ୍ତୃତା ପରଠାରୁ ତାଙ୍କର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀରେ ଯଥେଷ୍ଟ ପରିବର୍ତ୍ତନ ଲକ୍ଷ୍ୟ କରିଥିଲି । ତାଙ୍କ ପୂର୍ବ ଔଦ୍ଧତ୍ୟ ପରିବର୍ତ୍ତେ ସେ ଅତିରିକ୍ତ ଶାନ୍ତଶିଷ୍ଟ ହୋଇ ଯାଇଥିଲେ ।’’

 

ଦେଶବନ୍ଧୁ ମହାତ୍ମା ଗାନ୍ଧିଙ୍କ ସହିତ ଭାରତୀୟ ରାଜନୀତି ସମ୍ପର୍କରେ ସବୁ ବିଷୟ ବିଷଦଭାବେ ଆଲୋଚନା କରିଥିଲେ । ବିଶେଷତଃ ଚରଖା, ଖଦି ଓ ଗ୍ରାମସଂଗଠନ ବିଷୟରେ ବିଶଦଭାବେ ଆଲୋଚନା କରିଥିଲେ । ଦେଶବନ୍ଧୁ ଗ୍ରାମସଂଗଠନ ପାଇଁ ପୂର୍ବରୁ ଗୋଟିଏ ଯୋଜନା ତିଆରି କରିଥିଲେ ଓ ସେଥିପାଇଁ ଲକ୍ଷ୍ୟାଧିକ ଟଙ୍କା ମଧ୍ୟ ସଂଗ୍ରହ କରିଥିଲେ । ସମସ୍ତ ଗ୍ରାମସଂଗଠନ କାର୍ଯ୍ୟର କେନ୍ଦ୍ର ଚରଖା ହେବା ଉଚିତ ବୋଲି ମହାତ୍ମା ଗାନ୍ଧି ତାଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟରେ ରାଜନୀତି ସହ କୌଣସି ସମ୍ପର୍କ ନ ରହି ଜଣେ ବିଶେଷଜ୍ଞଙ୍କ ଦାୟିତ୍ୱରେ ଦିଆଯିବା ଆବଶ୍ୟକ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟର ଦାୟିତ୍ୱ ବହନ କରିବାପାଇଁ ମହାତ୍ମା ଗାନ୍ଧି ସତୀଶଚନ୍ଦ୍ର ଦାସଗୁପ୍ତଙ୍କ ନାମ ସୁପାରିସ୍ କରିଥିଲେ । ଦେଶବନ୍ଧୁ ସବୁ ବିଷୟରେ ଏକମତ ହୋଇ ସତୀଶଚନ୍ଦ୍ର ଦାସଗୁପ୍ତ, ସାତକଡ଼ି ପତିରାୟ ଓ ଅନ୍ୟ ଜଣଙ୍କୁ ନେଇ ଗୋଟିଏ ଛୋଟ କମିଟି ଏଥିପାଇଁ ଗଠନ କରାଯିବ ବୋଲି ନିଷ୍ପତ୍ତି ହେଲା । ଦେଶବନ୍ଧୁ ୩ୟ ସଭ୍ୟଙ୍କ ନାମ ଘୋଷଣା ନ କରି କିଛି ସମୟ ପରେ ଚିନ୍ତା କରି ଘୋଷଣା କରିବେ ବୋଲି ଜଣାଇଲେ ।

 

ଦେଶବନ୍ଧୁ ପାଟଣାରେ ଥିବା ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପଠାଇଥିବା ଜଣେ ଶିକ୍ଷକଙ୍କଠାରୁ ସୂତାକଟା ଶିକ୍ଷା କରିଥିଲେ । ସେ ସେତେବେଳେ ବିଶେଷ ଶିକ୍ଷା କରିପାରି ନଥିବାରୁ ପରେ ଦାର୍ଜିଲିଂରେ ଭଲ ରକମ ସୂତା କାଟିଲେ । ସେ ହସି ହସି ମହାତ୍ମା ଗାନ୍ଧିଙ୍କୁ କହିଲେ–ତାଙ୍କୁ ସୂତାକଟା ଆସୁ ନଥିବାରୁ ସେ କିପରି ଅସହାୟ ବୋଧ କରୁଥିଲେ ତାହାର ସାକ୍ଷୀ ହେଉଛନ୍ତି ତାଙ୍କର ସ୍ତ୍ରୀ ବାସନ୍ତୀ ଦେବୀ । ବାସନ୍ତୀ ଦେବୀ ମଧ୍ୟ ତାଙ୍କ ସହିତ ଏକମତ ହୋଇ କହିଲେ ଯେ ଦେଶବନ୍ଧୁଙ୍କୁ ଅରଟ ବାକ୍‍ସ ଫିଟାଇ ଆସୁ ନଥିବାରୁ ସେ ତାଙ୍କୁ ବରାବର ଫିଟାଇବାକୁ ଡାକୁଥିଲେ । ମହାତ୍ମାଗାନ୍ଧି ହସି ହସି କହିଲେ, ଏହା ହେଉଛି ସ୍ତ୍ରୀଲୋକମାନଙ୍କ କାର୍ଯ୍ୟ ଏବଂ ତାଙ୍କର ଯେପରି ଦେଶବନ୍ଧୁଙ୍କ ଉପରେ ଆଧିପତ୍ୟ ନିଖୁଣ ରହେ ସେଥିପାଇଁ ସେ ବୋଧହୁଏ ବାକ୍‍ସ ଫିଟାଇବା ତାଙ୍କୁ ଶିଖାଉ ନଥିଲେ ।

 

ଏହି ଘଟଣାକୁ ଲକ୍ଷ୍ୟ କରି ମହାତ୍ମା ଗାନ୍ଧି ପରେ ଲେଖିଥିଲେ, ‘‘ଦେଶବନ୍ଧୁଙ୍କ ହସରେ ସମଗ୍ର ଘରଟି ଝଙ୍କାରିତ ହେଉଥିଲା ପରି ଜଣାଗଲା । ତାଙ୍କର ହୃଦୟର ସହିତ କାନ୍ଦିବାର ଓ ହସିବାର ଅଦ୍ଭୁତଶକ୍ତି ଅଛି । ସେ ଯେତେବେଳେ କାନ୍ଦନ୍ତି, ଚୁପ୍‍ଚାପ୍ ଲୋକଗୋଚର ବାହାରେ କାନ୍ଦନ୍ତି ଓ ହସିଲାବେଳେ ଶହ ଶହ ଲୋକଙ୍କ ଆଗରେ ହସି ସେମାନଙ୍କୁ ହସାନ୍ତି ।’’

 

ଦିନେ ସେ ଚାଷୀପରି ଛୋଟିଆ କୁଡ଼ିଆ ଘରେ ରହିବାକୁ ଚାହାନ୍ତି ବୋଲି ଦେଶବନ୍ଧୁ ମହାତ୍ମା ଗାନ୍ଧିଙ୍କୁ କହିଲେ । ଏହା ଶୁଣି ତାଙ୍କର ରାଜନୀତିରେ ପୂର୍ବାପେକ୍ଷା ବର୍ତ୍ତମାନ ତାଙ୍କୁ ଧର୍ମ ଅଧିକ ପ୍ରଭାବିତ କରୁଛି ବୋଲି ମହାତ୍ମା ଗାନ୍ଧି କହିଲେ । ଏହା ଶୁଣି ରାଜନୀତିକୁ ଧର୍ମର ଅଂଶସ୍ୱରୂପ ଗ୍ରହଣ କରିଛନ୍ତି ବୋଲି ଦେଶବନ୍ଧୁ ଉତ୍ତର ଦେଲେ । ହୁଏତ ତାହା ହୋଇପାରେ; କିନ୍ତୁ ତାଙ୍କର ବର୍ତ୍ତମାନ ଭାବଭଙ୍ଗୀରେ ଆଧ୍ୟାତ୍ମିକତା ଅଧିକମାତ୍ରାରେ ପ୍ରକାଶ ପାଉଛି ବୋଲି ମହାତ୍ମା ଗାନ୍ଧି କହିଲେ ।

 

ସେ ସମୟରେ ଦାର୍ଜିଲିଂରେ ଥିବା ପ୍ରମଥ ଚୌଧୁରୀ ଏହିସବୁ ଘଟଣା ସମ୍ପର୍କରେ ଲେଖିଛନ୍ତି–

 

‘‘ମୋର ନିଜ ବ୍ୟକ୍ତିଗତ ଅଭିଜ୍ଞତାରୁ ମହାତ୍ମା ଗାନ୍ଧିଙ୍କ କହିଥିବା କଥା କେତେ ଦୂର ସତ୍ୟ ତାହାର ପ୍ରମାଣ ପାଇଛି । ଦାର୍ଜିଲିଂରେ ତାଙ୍କ (ଦେଶବନ୍ଧୁ) ସମ୍ପର୍କରେ ଆସିଥିବା ଯେକୌଣସି ଲୋକ ତାଙ୍କର ପ୍ରକୃତରେ ଯେଉଁ ନୂତନତା ଆସିଥିଲା, ଯାହା ଫଳରେ କି ତାଙ୍କର ସ୍ୱଭାବସୁଲଭ ସୁମିଷ୍ଟ ଚରିତ୍ର ଅଧିକମାତ୍ରାରେ ପରିସ୍ଫୁଟ ହୋଇଥିଲା, ତାହା ନ ଜାଣି ରହି ପାରି ନଥିଲେ । ସେ କେବେ ତିକ୍ତ କଥା କହିବା ମୁଁ ଶୁଣି ନାହିଁ । ଆମ ଉଭୟଙ୍କର ବିଭିନ୍ନ ବିଷୟରେ ମତଭେଦ ଥିଲେ ସୁଦ୍ଧା ଏସବୁ ବିଷୟରେ ଆଲୋଚନା କଲାବେଳେ ଅତିରିକ୍ତ ଆନନ୍ଦ ଉପଭୋଗ କରୁଥିଲେ ।’’

 

କଲିକତା କର୍ପୋରେସନରେ ଏ ସମୟରେ ଘଟୁଥିବା ଘଟଣା ସମ୍ପର୍କରେ ଦେଶବନ୍ଧୁ ଅତିରିକ୍ତ ବ୍ୟଥିତ ହୋଇଥିଲେ । ମ୍ୟୁନିସିପାଲ ମାର୍କେଟରେ ଜଣେ ମୁସଲମାନ ପୀରଙ୍କର ଶବଦାହ ସମ୍ପର୍କରେ ମତଭେଦ ପ୍ରକାଶ ପାଇଥିଲା । ଏ ବିଷୟରେ ଦେଶବନ୍ଧୁ ମହାତ୍ମାଗାନ୍ଧିଙ୍କୁ କହିଲେ, ‘‘ପୀର ଘଟଣା ନେଇ ମୁଁ ଅତିରିକ୍ତ ବିଚଳିତ ହୋଇଛି । ଏପରିଭାବେ ହଗ୍ ମାର୍କେଟରେ ଶବଦାହ ହେବାପାଇଁ ଅନୁମତି ଦେବାକୁ ସୁରାବର୍ଦ୍ଦି ବା ସୁଭାଷ କାହାରି ହେଲେ କ୍ଷମତା ନଥିଲା । ଗୋଟିଏ ଭୁଲ୍ ହୋଇଥିଲେ ସୁଦ୍ଧା ମୁସଲମାନମାନଙ୍କ ମନରେ ଆଘାତ ଆମେ ଦେଇପାରିବା ନାହିଁ-। ଗୋଟିଏ ଭୁଲ ଯେ ହୋଇଛି, ଏ ବିଷୟରେ ସନ୍ଦେହ ନାହିଁ; କିନ୍ତୁ ଅଧିକ ଭୁଲ କରାଯିବା ଉଚିତ ନୁହେଁ ।’’

 

‘ତାରକେଶ୍ୱର’ ସମ୍ପର୍କରେ ମହାତ୍ମା ଗାନ୍ଧିଙ୍କ ସହିତ ସେ ଆଲୋଚନା କରିଥିଲେ । ସେମାନେ ଉଭୟେ ଗୋଟିଏ ମିଳିତ ବିବୃତି ଦେଇଥିଲେ । ପରେ ଦେଶବନ୍ଧୁ ମହାତ୍ମା ଗାନ୍ଧିଙ୍କୁ ବଙ୍ଗଳା ସ୍ୱରାଜଦଳର ପାଣ୍ଠି ହିସାବ ସେ ନିଜେ ଦେଖନ୍ତୁ ବୋଲି କହିଥିଲେ । ସେ ନିଜେ ହିସାବ ଦେଖିଛନ୍ତି ଓ ପ୍ରଧାନ ଅଭିଯୋଗକାରୀ ସାର୍ ସୁରେନ୍ଦ୍ରନାଥ ବାନାର୍ଜୀ ବୋଲି ମହାତ୍ମା ଗାନ୍ଧି କହିବାରୁ ବଙ୍ଗଳାର ସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ମଧ୍ୟରେ ଅତିରିକ୍ତ ଈର୍ଷା ଅଛି ବୋଲି ଦେଶବନ୍ଧୁ ଦୁଃଖର ସହିତ କହିଥିଲେ । ମହାତ୍ମା ଗାନ୍ଧିଙ୍କୁ ସାର୍ ସୁରେନ୍ଦ୍ରନାଥ ଓ ଶ୍ୟାମସୁନ୍ଦର ଚକ୍ରବର୍ତ୍ତୀଙ୍କ ସହ ଦେଖା କରି ବଙ୍ଗଳାର ବିଭିନ୍ନ କଂଗ୍ରେସଲୋକଙ୍କ ମଧ୍ୟରେ ଥିବା ତିକ୍ତତା ଦୂର କରି ସମାଧାନ କରିବାପାଇଁ ସେ ଅନୁରୋଧ କରିଥିଲେ । ଯେବେ ସଫଳ ହୁଅନ୍ତି, ତାହାହେଲେ ସେ ବଙ୍ଗଳାର ପ୍ରଭୂତ ସେବା କରିପାରିବେ ବୋଲି କହିଥିଲେ ।

 

ଉଭୟ ନେତାଙ୍କ ମଧ୍ୟରେ ବହୁ ଖୁସି ଗପ ହୋଇଥିଲା । ଥରେ ଦେଶବନ୍ଧୁ ଆଉଜିକରି ବସିଥିବା ତକିଆ ପାଖ ଚୌକିରେ ମହାତ୍ମାଗାନ୍ଧି ବସିଥିଲେ । ମହାତ୍ମା ଗାନ୍ଧି ଗୋଡ଼ ଉପରେ ଗୋଡ଼ ପକାଇ ବସିବାକୁ ପସନ୍ଦ କରନ୍ତି ବୋଲି ସେ ଜାଣିଥିଲେ । ତେଣୁ ମହାତ୍ମା ଗାନ୍ଧିଙ୍କପାଇଁ ଗଦି କରିବାକୁ ହାତକଟା ସୂତାର ଗୋଟିଏ କମ୍ୱଳ ତକିଆ ପରି କରି ବିଛଣାରେ ରଖିଲେ ଓ ତାଙ୍କୁ ବସିବାକୁ କହିଲେ ।

Unknown

 

ମହାତ୍ମା ଗାନ୍ଧି ଦେଶବନ୍ଧୁଙ୍କୁ ପଚାରିଲେ, ‘‘ଏହା ଦେଖି ମୋର କ’ଣ ମନେପଡ଼ୁଛି ଜାଣିଛ ?’’

 

ଚିତ୍ତରଞ୍ଜନ–‘‘କ’ଣ ?’’

 

ମହାତ୍ମା ଗାନ୍ଧି–‘‘୪୦ ବର୍ଷ ପୂର୍ବେ ମୁଁ ଓ ମୋର ସ୍ତ୍ରୀ ବିଭାହେବାବେଳେ ବସିଥିବା କଥା ମୋର ମନେପଡ଼ୁଛି । କେବଳ ହାତ ଧରାଧରି ଯାହା ନାହିଁ ।’’

 

ଏହା କହି ବାସନ୍ତୀ ଦେବୀଙ୍କ ଆଡ଼କୁ ଚାହିଁ କହିଲେ, ‘‘ଏ ସବୁ ବିଷୟରେ ବାସନ୍ତୀ ଦେବୀ କ’ଣ ଭାବିବେ ଅବଶ୍ୟ ମୁଁ ଜାଣେ ନାହିଁ ।’’

 

ଘରେଥିବା ଲୋକେ ଖୁବ୍ ହସିଲେ ।

 

ଆଉ ଦିନେ ମହାତ୍ମା ଗାନ୍ଧିଙ୍କୁ ନିୟମିତ ଛେଳିଦୁଧ ଯୋଗାଇବା ପାଇଁ ଅଣାଯାଇଥିବା ୫ ଗୋଟି ଛେଳି ଦୁଧ ଦେଇଛନ୍ତି କି ନାହିଁ ଦେଶବନ୍ଧୁ ପଚାରିଲେ । ଗାନ୍ଧିଜୀଙ୍କ ଖାଇବା ଦାୟିତ୍ୱରେ ଥିବା ଗୋସ୍ୱାମୀ କହିଲେ, ‘‘୫ ଗୋଟି ଛେଳିରୁ ୨ ଗୋଟି ଛେଳି ଦୁଧ ଦେଉଛନ୍ତି ଓ ଅନ୍ୟ ୩ ଗୋଟି ଦେବାକୁ ଅସ୍ୱୀକାର କରୁଛନ୍ତି । ଆମେ ବେଶୀ ଲାଗିଲେ ସେମାନେ ଭୂଇଁରେ ଶୋଉଛନ୍ତି ।’’

 

ଏହି ଛେଳିଗୁଡ଼ିକଙ୍କର ଆତ୍ମସମ୍ମାନ ଜ୍ଞାନଥିବା ଜାଣି ସେ ଖୁସି ବୋଲି ମହାତ୍ମା ଗାନ୍ଧି ଶୁଣି କହିଲେ । ଯେଉଁ ୩ ଗୋଟି ଛେଳି ଅସହଯୋଗ କରିଛନ୍ତି ସେମାନଙ୍କୁ ଜେଲରେ ରଖି ଦୁଧ ଦେଇ ଆନୁଗତ୍ୟ ପ୍ରକାଶ କରୁଥିବା ୨ଟି ଛେଳିଙ୍କୁ ମହାତ୍ମା ଗାନ୍ଧି ପଦବୀ ଦେବା ଦରକାର ବୋଲି ଦେଶବନ୍ଧୁ କହିଲେ । ଉଭୟ ଅତିମାତ୍ରାରେ ହସିଲେ ।

 

ମହାତ୍ମା ଗାନ୍ଧି, ମହାଦେବ ଦେଶାଇ ଓ ଅନ୍ୟମାନେ ବହୁ ସମୟ ସୂତା କାଟୁଥିବାରୁ ଯେଉଁ ୫ ଦିନ ସେମାନେ ଦାର୍ଜିଲିଂରେ ଥିଲେ ଚରଖାର ଶବ୍ଦରେ ଘର ଝଙ୍କାରିତ ହୋଇ ଉଠୁଥିଲା-। ଦେଶବନ୍ଧୁ ସମୟ ସମୟରେ ସୂତା କାଟୁଥିଲେ ଏବଂ ବାସନ୍ତୀଦେବୀ ମଧ୍ୟ ଥିଲେ ଜଣେ ଭଲ ସୂତାକଟାଳି । ସେମାନେ ସମସ୍ତେ ସୂତା କାଟୁଥିବା ସମୟରେ ଗୋଟିଏ ଫଟୋ ନିଆଗଲେ ଭଲ ହେବ ବୋଲି ଦେଶବନ୍ଧୁ କହିଲେ । ବହୁ ଫଟୋ ନେବାବାଲା ଆସି ଉପସ୍ଥିତ ହେଲେ । ଏତେ ଲୋକଙ୍କୁ ଦେଖି ଗାନ୍ଧିଜୀ କହିଲେ, ‘‘ବହୁ ଲୋକରେ ମୂଷା ନ ମଲା ଭଳି ଏହା ହେବ, ‘‘ଷ୍ଟେପ ଏସାଇଡ଼’’ ଘରଟିକୁ ପୂରାପୂରି ସୂତାକଟା ଶ୍ରେଣୀରେ ପରିଣତ କଲେ ଭଲ ହୁଅନ୍ତା-।’’

 

ମହାତ୍ମା ଗାନ୍ଧି ଓ ଦେଶବନ୍ଧୁ ମହାଦେବ ଦେଶାଇଙ୍କ ସହ ପ୍ରାୟ ବୁଲି ଯାଉଥିଲେ । ମହାତ୍ମା ଗାନ୍ଧି ତାଙ୍କର ଆଣ୍ଠୁଲୁଚା ଧୋତି ଓ ଗରବ ଚାଦର; ମହାଦେବ ଦେଶାଇ ତାଙ୍କର ଖଦର ଟୋପି ଓ ଦେଶବନ୍ଧୁ ତାଙ୍କର ଲମ୍ୱା କୋଟ୍ ଓ ମୁଣ୍ଡରେ ସିଲ୍କ ପଗଡ଼ି ପିନ୍ଧି ବଡ଼ କୌତୂହଳଜନକ ଦେଖା ଯାଉଥାନ୍ତି ।

 

ସେ ସମୟର ଘଟଣା ବର୍ଣ୍ଣନା କରିବାକୁ ଯାଇ ଇନ୍ଦିରାଦେବୀ ଚୌଧୁରାଣୀ ଲେଖିଛନ୍ତି–

 

‘‘ଚିତ୍ତରଞ୍ଜନ ଦାର୍ଜିଲିଂରେ ଥିବା ସମୟରେ ଆମେ ବରାବର ତାଙ୍କ ଘରେ ବାହାରେ ତାଙ୍କ ସାଙ୍ଗେ ଦେଖାକରୁ । ମହାତ୍ମା ଗାନ୍ଧି ସେତେବେଳେ ତାଙ୍କ ସହିତ ରହୁଥିଲେ । ଚିତ୍ତରଞ୍ଜନ ବରାବର କିପରି ଗରମ କମ୍ୱଳ ଘୋଡ଼ାଇ ହେଉଥିଲେ ଓ ତାଙ୍କ କାନ୍ଧରୁ ତାହା ପଡ଼ିଯାଉଥିଲା; ପରେ ତାହା ଟେକି ପୁଣି ଘୋଡ଼ାଇ ଦେଉଥିଲେ । ସେ ନିଜେ ଗୋଟାଏ ପ୍ରକାର ଲମ୍ୱା ଆଚକନ୍ ପିନ୍ଧୁଥିଲେ । ଯେଉଁ ବେଶଭୂଷା ହୁଏତ ସେ ନିଜେ ବାହାର କରିଥିଲେ ବା ଅନ୍ୟ କୌଣସି ଭାରତୀୟ ବେଶଭୂଷାରୁ ଅନୁକରଣ କରିଥିଲେ ।’’

 

ମହାତ୍ମା ଗାନ୍ଧି ଜୁନ୍ ୯ ତାରିଖ ଦିନ ଦାର୍ଜିଲିଂରୁ ଗଲେ ଓ ଉଭୟ ବନ୍ଧୁଙ୍କର ଆଉ ଦେଖା ହୋଇନାହିଁ ।

 

ଦେଶବନ୍ଧୁ ଡାକ୍ତର ଡି.ଏନ୍. ରାୟଙ୍କ ଚିକିତ୍ସାରେ ରହିବା ଫଳରେ ତାଙ୍କର ଉପକାର ହୋଇଥିଲା ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି । ଜୁନ୍ ୯ ତାରିଖ ଦିନ ରାତିରେ ତାଙ୍କୁ ଜ୍ୱର ହେବାରୁ ପରଦିନ ଅର୍ଥାତ୍ ୧୨ ତାରିଖ ଦିନ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ରାୟ ଜ୍ୱର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିବାରୁ ଆଉଥରେ ଜ୍ୱର ହେବାଦ୍ୱାରା ସେ ଅଧିକ ଦୁର୍ବଳ ହୋଇ ଯାଇଛନ୍ତି ବୋଲି ଦେଶବନ୍ଧୁ କହିଲେ । ତାହା ଛଡ଼ା ଏଲୋପାଥିକ୍ ଔଷଧର ବିଷାକ୍ତ ଦୋଷ ଦୂର ହେବାପରେ ହୋମିଓପାଥିକ୍ ଔଷଧ ଗୁଣ କରିବ ବୋଲି ମଧ୍ୟ କହିଲେ । ସେହି ଦିନ ସେ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କ ନିକଟକୁ ଯାଇଥିଲେ । ସାର୍ ଜଗଦୀଶଚନ୍ଦ୍ରଙ୍କ ସ୍ତ୍ରୀ ତାଙ୍କର ସମ୍ପର୍କୀୟ ଭଉଣୀ ଥିଲେ ଏବଂ ତାଙ୍କ ଅନୁରୋଧରେ ସଂକୀର୍ତ୍ତନ କିଛି ସମୟପାଇଁ ଶୁଣିଥିଲେ ।

 

ଠିକ୍ ଏହି ସମୟରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ ଏବଂ ସାଧାରଣ କ୍ଷେତ୍ରରେ ବନ୍ଧୁ ପଣ୍ଡିତ ମୋତିଲାଲ ନେହେରୁଙ୍କ ନିକଟକୁ ଗୋଟିଏ ଚିଠି ଲେଖିଲେ; ବୋଧହୁଏ ଏହି ଚିଠି ହେଉଛି ଶେଷ ଚିଠି ଯେଉଁଥିରେ କି ଭାରତୀୟ ରାଜନୈତିକ ସମସ୍ୟା ସମ୍ପର୍କରେ ଦେଶବନ୍ଧୁ ତାଙ୍କର ଚିନ୍ତା ପ୍ରକାଶ କରିଥିଲେ । ବ୍ୟକ୍ତିଗତ ବିଷୟ ଲେଖିବା ପରେ ସେ ଲେଖିଥିଲେ–

 

‘‘ମୋ ଦେହ ଆସ୍ତେ ଆସ୍ତେ ଭଲ ଆଡ଼କୁ ଆସୁଥିଲେ ସୁଦ୍ଧା ବିଶେଷ ସମୟ ଲାଗୁଛି । ବର୍ତ୍ତମାନ ଏକମାତ୍ର ବିଷୟ ହେଉଛି ଯେ ସପ୍ତାହକୁ ଥରେ ଅର୍ଥାତ୍ ୬ଷ୍ଠ ଦିନ ଜ୍ୱର ହେଉଛି । ତାହା ଛଡ଼ା ସାଧାରଣ ଦୁର୍ବଳତା ମଧ୍ୟ ଅଛି । ସୁସ୍ଥ ହେବା ପର୍ଯ୍ୟନ୍ତ ମୁଁ ଏଠାରେ ରହିବାକୁ ବଦ୍ଧପରିକର ।

 

‘‘ଆମର ଇତିହାସରେ ସଙ୍କଟଜନକ ସମୟ ଆସୁଛି । ଏହି ବର୍ଷ ଶେଷ ଏବଂ ଆସନ୍ତା ବର୍ଷ ଆରମ୍ଭରେ କେତେକ ବଳିଷ୍ଠ କାର୍ଯ୍ୟ କରାଯିବା ଦରକାର । ସମସ୍ତ ଶକ୍ତି ଦେଇ କାର୍ଯ୍ୟ କରିବା ଦରକାର; କିନ୍ତୁ ଆମେ ଉଭୟେ ରୁଗ୍‍ଣ । କ’ଣ ହେବ, ଭଗବାନ ଜାଣନ୍ତି ।

 

‘‘ଆସନ୍ତା ଜୁଲାଇ ବା ଅଗଷ୍ଟ ମାସରେ ବା ତା’ପରେ କିଛି ଘଟିପାରେ । ବରକନ ହେଡ଼–ରିଡ଼ିଂ କଥାବାର୍ତ୍ତା ଫଳରେ ହୁଏତ କିଛି ହୋଇପାରେ ବୋଲି ମୋର ବିଶ୍ୱାସ... । ମୋ ମନରେ କିପରି ଗୋଟିଏ ଧାରଣା ହୋଇଛି ଯେ ହୁଏତ ତାହା ଆମ ପକ୍ଷରେ ଗ୍ରହଣଯୋଗ୍ୟ ହେବ କି ନାହିଁ ତାହା ସ୍ୱତନ୍ତ୍ର । ଏହା ଭିତରେ କମନ୍‍ଓ୍ୱେଲ୍‍ଥ ବିଲ୍ ବା ଅନ୍ୟ କୌଣସି ସେହିପରି ବିଷୟ ନେଇ ଅବସ୍ଥା ଜଟିଳ ହେବା ମୁଁ ଚାହେଁ ନାହିଁ । ଯେବେ ଗ୍ରହଣଯୋଗ୍ୟ ପ୍ରସ୍ତାବ ନ ଆସେ, ତାହାହେଲେ କଂଗ୍ରେସର ଆସନ୍ତା କାନପୁର ଅଧିବେଶନରେ ସଠିକ ରାଜନୈତିକ ନେତୃତ୍ୱ ଦିଆଯିବା ଦରକାର ।’’

 

ଏହି ସମୟରେ ପଣ୍ଡିତ ମୋତିଲାଲ ନେହେରୁ ଲେଖିଲେ–

 

‘‘ଜୁନ୍ ୧୨ ତାରିଖ ଦିନ ଚମ୍ୱାରୁ ଡେଲହାଉସି ଫେରି ଦେଖେ ଯେ ତାଙ୍କ ହାତରେ ଲେଖା ହୋଇଥିବା ୫ ପୃଷ୍ଠାର ଗୋଟିଏ ଲମ୍ୱା ଚିଠି ଆସି ପହଞ୍ଚିଛି । ଏପ୍ରିଲ ମାସରେ ଯେତେବେଳେ ଆମର ଦେଖାହୋଇଥିଲା ଯାହାକି ଶେଷଦେଖାରେ ପରିଣତ ହୋଇଛି, ସେତେବେଳେ ଆମେ ଉଭୟେ ବିଶ୍ରାମ ନେବାକୁ ଠିକ୍ କରିଥିବାରୁ ଏହା ମଧ୍ୟରେ ରାଜନୈତିକ ବିଷୟରେ ପରସ୍ପରକୁ ଚିଠି ଲେଖିବୁ ନାହିଁ ବୋଲି ଠିକ୍ କରିଥିଲୁ ଏବଂ କୌଣସି ଚିଠି ଆମ ଭିତରେ ଦିଆନିଆ ହୋଇ ନାହିଁ । ଆମର ସ୍ୱର୍ଗତ ନେତାଙ୍କର ଶେଷଇଚ୍ଛା ଏହି ଚିଠିରେ ପ୍ରକାଶ ପାଉଥିବାରୁ ଏହା ମୋ ପକ୍ଷରେ ମୂଲ୍ୟବାନ ।’’

 

ଲେଖକକୁ ଜୁନ୍ ୧୩ ତାରିଖ ଦିନ ଦେଶବନ୍ଧୁ ଡକାଇ ପଠାଇଲେ । ୧୪ ତାରିଖ ସକାଳ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖରେ ଥିଲି । ସନ୍ଧ୍ୟାରେ ଖାଇବା ସମୟରେ ଦେଶବନ୍ଧୁ କଳା, ରାଜନୀତି ଏବଂ ଅର୍ଥନୀତି ସମ୍ପର୍କରେ କଥାବାର୍ତ୍ତା କରିଥିଲେ । ପ୍ରକୃତରେ କଳାବିତ୍ ପ୍ରକୃତିର ଉପାସକ ବୋଲି ସେ କହିଥିଲେ । ତା’ପରେ ଗୋଟିଏ ବଙ୍ଗଳା ବହି ଆଣି ତହିଁରୁ ଚଣ୍ଡୀଦାସ ଓ ବିଦ୍ୟାପତିଙ୍କ ପଦ୍ୟାବଳିମାନ ତନ୍ମୟ ହୋଇ ବୋଲିଲେ । ଶ୍ରୀ ଚୈତନ୍ୟଙ୍କ ସମ୍ପର୍କରେ ପଢ଼ିଲାବେଳକୁ ସେ ଏତେ ଭାବାବିଷ୍ଟ ହୋଇ ଯାଇଥିଲେ ଯେ ତାଙ୍କ ଆଖିରୁ ଲୁହ ଗଡ଼ି ସ୍ୱର କ୍ଷୀଣ ହୋଇଗଲା ।

 

ତା’ପରେ ସେଦିନ ଜ୍ୱର ଆସିବା ପାଳି ହୋଇଥିବାରୁ ଅଳ୍ପ ଖାଇବେ ବୋଲି କହିଲେ । ପ୍ରତି ୫ ମିନିଟରେ ମୋତେ ନାଡ଼ି ଦେଖିବାକୁ କହୁଥାନ୍ତି । ଜ୍ୱରର କୌଣସି ଲକ୍ଷଣ ନାହିଁ ବୋଲି ମୁଁ ଯେତେବେଳେ କହୁଥାଏ, ସେ ଭାରି ଖୁସି ହୋଇ ଯାଉଥାନ୍ତି । ରାତି ୧୦ଟାବେଳକୁ ତାଙ୍କ ନାଡ଼ିର ଉତ୍ତାପ ବୃଦ୍ଧି ପାଇଲା । ସେଦିନ ସନ୍ଧ୍ୟାବେଳ ବା ସେତେବେଳେ ସୁଦ୍ଧା ଜ୍ୱର ଆସି ନଥିବାରୁ ଦେଶବନ୍ଧୁ ଓ ଘରର ଅନ୍ୟାନ୍ୟ ସମସ୍ତେ ଖୁସି ହେଲେ । ଅନ୍ୟମାନେ ଖାଇସାରି ଉପରକୁ ଶୋଇବାକୁ ଗଲେ । ମୋ ସହିତ କେତେକ ଆଲୋଚନା ଥିବାରୁ ମୋତେ ପାଖରେ ରହିବାକୁ କହିଲେ । ସେ କହିଲେ, ‘‘ମୁଁ ତୁମ ସାଙ୍ଗରେ କାମ ଆଗେ ସାରିଦିଏଁ । ଏହି ପୀର ପ୍ରଶ୍ନ ସମ୍ପର୍କରେ ମୁଁ ଅତିମାତ୍ରାରେ ମର୍ମାହତ ହୋଇଛି । ଗୋଟିଏ ଭୁଲ କାମ ହୋଇଗଲା । ମୁଁ ସାଧାରଣ ମତ ବିରୁଦ୍ଧରେ ଯାଇପାରିବି ନାହିଁ ବା ମୁସଲମାନମାନଙ୍କ ମନରେ ଆଘାତ ଆସିବା ଭଳି କିଛି କରିପାରିବି ନାହିଁ । କର୍ପୋରେସନର ଅନ୍ୟ ସଭ୍ୟମାନେ ଯେବେ ଶବଦାହ କରିବାକୁ ପ୍ରସ୍ତାବ କରନ୍ତି, ତାହାହେଲେ ମୁସଲମାନ ସଭ୍ୟମାନେ ଇସ୍ତଫା ଦେବେ । ସେମାନେ ଇସ୍ତଫା ଦେଲେ ମୁଁ ମଧ୍ୟ ଦେବି । ମୁସଲମାନମାନଙ୍କ ମଧ୍ୟରୁ ଯେବେ କୌଣସି ସମ୍ପ୍ରଦାୟ ଶବ ନେଇ ଆଉ କୌଣସି ଜାଗାରେ କବର ଦିଅନ୍ତି, ତାହାହେଲେ ସବୁ ଗୋଳମାଳ ଦୂର ହୋଇଯିବ । ତୁମେ ଯାଇ ଶରତକୁ ଦେଖାକରି ତାକୁ ସୁରାବର୍ଦ୍ଦିଙ୍କୁ କହିବାକୁ କୁହ । ତାହାହେଲେ ହୁଏତ ସବୁ ଠିକ୍ ହୋଇଯିବ । ଏ ବିଷୟ ସମାଧାନ ନହେଲେ ମୁଁ ଶାନ୍ତି ପାଇପାରିବି ନାହିଁ ।’’ ଏହି ସବୁ ସମ୍ପର୍କରେ ସେ ଶରତଚନ୍ଦ୍ର ବୋଷଙ୍କୁ ମଧ୍ୟ ଚିଠି ଲେଖିଲେ ।

 

ରାତିଅଧ ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥାନ୍ତି । ସେ ଦିନ ତାଙ୍କ ମନ ଅତିମାତ୍ରାରେ ଖୁସି ଥିଲା ପରି ବୋଧ ହେଉଥିଲା ଏବଂ ରାତିଅଧରେ ବାସନ୍ତୀ ଦେବୀ ଉପରକୁ ଯାଇ ରାତିଅଧ ହେଲାଣି; ଯାଅ ଶୋଇବ ବୋଲି କହିବାରୁ ଜ୍ୱର ହୋଇନାହିଁ ଏବଂ ଆଉ ହେବନାହିଁ; ତେଣୁ ତାଙ୍କର ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ତାହା ଛଡ଼ା ତାଙ୍କ ମନ ଅତିଶୟ ଖୁସି ଏବଂ ଫୂର୍ତ୍ତି ଅଛି ବୋଲି କହିଲେ । କିଏ ଜାଣିଥିଲା ଯେ ଠିକ୍ ଦୀପ ଲିଭିଲା ପୂର୍ବରୁ ଯେପରି ଦାଉଦାଉ ହୋଇ ଜଳିଉଠେ, ଠିକ୍ ସେହିପରି ହେବ !

 

ମୁଁ ତଳମହଲାରେ ଠିକ୍ ଦେଶବନ୍ଧୁ ଉପରେ ଶୋଇଥିବା ଘରର ତଳେଥିବା ତଳମହଲା ଘରେ ଶୋଇଥିଲି । ଖୁବ୍ ବଡ଼ିଭୋରୁ ଉଠିଲାବେଳକୁ ମୁଁ ଉପରେ ଶବ୍ଦ ଶୁଣିଲି । ଲୋକ ଚଲାବୁଲା କରୁଥିବାର ଓ ଗଁଗଁ ଶବ୍ଦ ହେଉଥିବାର ଶୁଣିଲି । ଭୋର ୫ଟାବେଳେ ଶୁଣିଲି ଯେ ରାତି ୩ଟାବେଳେ ଦେଶବନ୍ଧୁଙ୍କୁ ପ୍ରବଳ ଜ୍ୱର ହୋଇଥିବାରୁ ସେ ଶୀତରେ ଥରୁଛନ୍ତି ଓ କମଳ ଉପରେ କମଳ ଘୋଡ଼ାଇ ହେଲେ ମଧ୍ୟ କମ୍ପ ରହୁନାହିଁ । ମୁଁ ଦଉଡ଼ି ଗଲାବେଳକୁ ‘‘କିଏ’’ ବୋଲି ସେ କ୍ଷୀଣସ୍ୱରରେ କହୁଥିବାର ମୁଁ ଶୁଣିଲି ।

 

ମୁଁ ମଧ୍ୟ କ୍ଷୀଣସ୍ୱରରେ ‘‘ହେମେନ୍ଦ୍ର’’ ବୋଲି କହିବାରୁ ସେ କହିଲେ, ‘‘ହେମେନ୍ଦ୍ର, ମୋତେ ଆଉ ଜ୍ୱର ହେବନାହିଁ ବୋଲି ତୁମେ କହୁଥିଲ ।’’

 

ତାଙ୍କର ସ୍ୱର ଏବଂ କଥା ଶୁଣି ମୋର ହୃଦୟ ଫାଟିଗଲା । ମୁଁ ଆଉ କିଛି ଅଧିକ କହିପାରିଲି ନାହିଁ । ତାଙ୍କ ନିକଟରେ ବସି ଗୋଡ଼ହାତ ଚିପି ଦେଲି । ତାଙ୍କର ହାତରେ କେବଳ ଯନ୍ତ୍ରଣା ନ ହୋଇ ଗୋଡ଼ରେ ଏବଂ ଅଣ୍ଟାରେ ଯନ୍ତ୍ରଣା ହେଉଥିବାର ସେ କହିଲେ । ଆମେ ଗରମ ପାଣି ଦେବାରୁ କିଛି ମଧ୍ୟ ହେଲା ନାହିଁ ।

 

ହଠାତ୍ କହିଲେ, ‘‘ମୁଁ ଆଉ ବୋଧହୁଏ ଚିଠି ଲେଖିପାରିବି ନାହିଁ । ତେଣୁ ମୋର ଅବସ୍ଥା ମହାତ୍ମା ଗାନ୍ଧିଙ୍କୁ ଜଣାଅ ।’’

 

ଆଉ କିଛି ସମୟ ପରେ ମୋତେ ପୁଣି କହିଲେ, ‘‘ତୁମେ ବର୍ତ୍ତମାନ କଲିକତା ଫେରିଯାଇ ଶରତ ବୋଷ ଏବଂ ସୁରାବର୍ଦ୍ଦିଙ୍କୁ କହ ।’’ ତା’ପରେ ସେ ତାଙ୍କ ସ୍ତ୍ରୀଙ୍କୁ ଖାଇବା ଜିନିଷ ତିଆରି ହୋଇଛି କି ନାହିଁ ବୋଲି ପଚାରିଲେ ।

 

ମୁଁ ଏ ଅବସ୍ଥାରେ ଦାର୍ଜିଲିଂ ଛାଡ଼ି ଯିବାକୁ ଅନିଚ୍ଛୁକ ଥିଲି । କିନ୍ତୁ ନିଉମାର୍କେଟରେ ପୀରଙ୍କ ଶବଦାହ ସମ୍ପର୍କରେ ଦେଶବନ୍ଧୁ କେତେ ଦୂର ବ୍ୟଥିତ ତାହା ମୁଁ ଜାଣିଥିବାରୁ କଲିକତା ଯିବା ଛଡ଼ା ମୋର ଅନ୍ୟ ଉପାୟ ନଥିଲା । ବାହାରିଲାବେଳକୁ ସେ ମୋତେ ପଚାରିଲେ, ‘‘କଲିକତା ଯିବା ବାଟରେ ତୁମେ ପାବନା ଯାଇପାରିବ ?’’ ମୁଁ କିଛି ଜବାବ ଦେବା ପୂର୍ବରୁ ସେ କହିଲେ, ‘‘ନା, ତୁମେ ସିଧା କଲିକତା ଯିବା ଦରକାର ।’’ ସେ ବୋଧହୁଏ ମୋତେ ପାବନାଯାଇ ତାଙ୍କ କଥା ପୁଅକୁ କହିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଜୀବନରେ ବ୍ୟକ୍ତିଗତ ବିଷୟ ଅପେକ୍ଷା ସାଧାରଣ ଘଟଣାକୁ ଅଧିକ ଗୁରୁତ୍ୱ ଦେବା ତାଙ୍କର ପ୍ରକୃତି । ଅତି ଅନିଚ୍ଛା ଓ ଦୁଃଖରେ ଜୁନ୍ ୧୫ ତାରିଖ ସକାଳ ୯ଟା ବେଳେ ତାଙ୍କଠାରୁ ବିଦାୟ ନେଇ ଦାର୍ଜିଲିଂ ତ୍ୟାଗ କଲି ।

 

ମୋର ତାଙ୍କ ସହିତ ଆଉ ଦେଖା ହେବ ନାହିଁ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ତାଙ୍କୁ ପ୍ରତି ସପ୍ତାହରେ ଅନ୍ୟମାନଙ୍କ ପରି ଜ୍ୱର ହୁଏ । ସୋମବାର ଦିନ ଜ୍ୱର ଓହ୍ଲାଇ ଯିବ ବୋଲି ମୁଁ ଭାବୁଥିଲି । ତାଙ୍କ ଅବସ୍ଥା ସଙ୍କଟଜନକ ହେବ ବୋଲି ଅନ୍ୟ କେହି ସୁଦ୍ଧା ଭାବୁ ନଥିଲେ । ମୁଁ ଗଲାବେଳେ ଦେଶବନ୍ଧୁ ମୋତେ କହିଲେ, ‘‘କଲିକତାରେ ପହଞ୍ଚି ମୋତେ ତାର କରିବ ।’’

 

ପରେ ଶୁଣିଲି ଯେ ଉପରବେଳା ତାଙ୍କ ବାମଗୋଡ଼ ଫୁଲିଗଲା । ପରେ ପରେ ଡାହାଣ ଗୋଡ଼ ଫୁଲିଯାଇ ଭୀଷଣ ଜ୍ୱର ହେଲା । ଗୋଡ଼ଗଣ୍ଠି ଉପରେ ଭୀଷଣ ବ୍ୟଥା ହେବାରୁ ବାତଜ୍ୱର ହେଲା ବୋଲି ଚିକିତ୍ସକ ଭାବିଲେ । ରାତି ୯ଟା ପରେ ରକ୍ତପରୀକ୍ଷା କରାଯିବାରୁ ବାତଜ୍ୱରର କୌଣସି ଲକ୍ଷଣ ବାହାରିଲା ନାହିଁ । ଜ୍ୱର ଓ ଉତ୍ତାପ କମିଗଲେ ସୁଦ୍ଧା ସେ କଷ୍ଟରେ ଶୋଇ ନ ପାରି ଆସ୍ତେ ଆସ୍ତେ ଦୁର୍ବଳ ହୋଇପଡ଼ିଲେ ।

 

ଜୁନ୍ ୧୬ ତାରିଖ ମଙ୍ଗଳବାର ଦିନ ଦେହର ଉତ୍ତାପ ଯେତେ ରହିବା କଥା ତାହା ଅପେକ୍ଷା ଅଧିକ କମିବାକୁ ଲାଗିଲା । ଚିକିତ୍ସକ ଥିବା ହୋମିଓପାଥ ଡକ୍ଟର ରାୟ ଅତିରିକ୍ତ ଭୟଭୀତ ହୋଇ ଏଲୋପାଥିକ୍ ଡାକ୍ତରଙ୍କୁ ଡାକିବାକୁ ମିସେସ୍ ଦାସଙ୍କୁ କହିଲେ ।

 

ଏହା ଶୁଣି ଦେଶବନ୍ଧୁ ଚିକିତ୍ସକ ପରିବର୍ତ୍ତନ କରିବାକୁ ଚାହାନ୍ତିନାହିଁ ବୋଲି ପରିଷ୍କାର କହିଲେ ।

 

କିଛି ସମୟପରେ ତାଙ୍କୁ ଅକ୍ସିଜେନ୍ ଦିଆଗଲା । ତହିଁରେ ମଧ୍ୟ କିଛି ଉପକାର ମିଳିଲା ନାହିଁ । ଅପରାହ୍ନ ଗୋଟାଏବେଳେ ତାଙ୍କର ଅବସ୍ଥା ଅଧିକ ଖରାପ ହେଲା । ତାଙ୍କ ଆଖିର ତେଜ କମିଗଲା ଓ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ । ଆସ୍ତେ ଆସ୍ତେ ଅଜ୍ଞାନ ହୋଇଗଲେ-

 

କଲିକତାରେ ଥିବା ତାଙ୍କର ଜ୍ୱାଇଁଙ୍କୁ ଡାକ୍ତର ଆଣି ସାଙ୍ଗେ ସାଙ୍ଗେ ଆସିବାକୁ ତାର କରାଗଲା । ଡାକ୍ତର ରାୟ ଉପରବେଳା ୪ଟାବେଳ ପର୍ଯ୍ୟନ୍ତ ରହି ତା’ପରେ ଚାଲିଗଲେ । ଦେଶବନ୍ଧୁଙ୍କର ପୂରାଜ୍ଞାନ ଆଉ ଫେରିଲା ନାହିଁ । ପ୍ରାୟ ଉପରବେଳା ଘ୪।୪୫ ମିନିଟରେ ସେ ଭଗବତ ନାମନେଲେ ଓ ତାଙ୍କ ଜୀବନର ସାଙ୍ଗ ହୋଇଗଲା ।

 

ଏହି ଖବର ଦାର୍ଜିଲିଂସାରା ବ୍ୟାପିଗଲା । ଏହି ମହାନ୍ ନେତାଙ୍କୁ ସେମାନଙ୍କ ଶେଷ ସମ୍ମାନ ଜଣାଇବାକୁ ଜାତିଧର୍ମ ନିର୍ବିଶେଷରେ ଆବାଳବୃଦ୍ଧବନିତା ତଥା ବନ୍ଧୁମାନେ ଆସିଲେ । ଜନସମାଗମ ଅତିରିକ୍ତ ବୃଦ୍ଧିପାଇ ସ୍ରୋତ ପରି ଲାଗିଲା । ପାହାଡ଼ିଆ ଅଞ୍ଚଳର ଲୋକେ ପ୍ରାୟ ୧୫ମାଇଲ ବାଟ ଚାଲିଚାଲି ଶେଷ ଦର୍ଶନପାଇଁ ଆସିଲେ । ଅନ୍ଧାର ରାତି, ପବନଦେଇ ପାଇନ୍ ଗଛସବୁ ଦୋଳି ଖେଳିଲାପରି ହେଉଥାନ୍ତି । ସେ ରହୁଥିବା ଘର ମଧ୍ୟ ଅନ୍ଧାର । ବାସନ୍ତୀଦେବୀ ତାଙ୍କ ସ୍ୱାମୀଙ୍କ ଶବପାଖରେ ପାହାନ୍ତା ପର୍ଯ୍ୟନ୍ତ ଚୁପ୍ ହୋଇ ବସିଥାନ୍ତି ।

 

ସାର୍ ଜଗଦୀଶଚନ୍ଦ୍ର ବୋଷ ଶବକୁ ଶେଷକୃତ୍ୟ ପାଇଁ କଲିକତା ନେବାକୁ ପରାମର୍ଶ ଦେଲେ । ଏହା ଭିତରେ କଲିକତାରୁ ଡାକ୍ତର ଜେ.ଏମ. ଦାସଗୁପ୍ତ ଏବଂ ସୁରେନ୍ଦ୍ରନାଥ ହାଲଦାର ଆସି ପହଞ୍ଚିଲେ ।

 

ଶବକୁ କଲିକତା ଆଣିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବଙ୍ଗଳା ସରକାର ରେଳବାଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ । ଦାର୍ଜିଲିଂ ଷ୍ଟେସନ୍ ଲୋକାରଣ୍ୟ ହୋଇଗଲା । ଶବ କଲିକତାରେ ପହଞ୍ଚିଲାବେଳକୁ ବିପୁଳ ଜନସମାଗମ ହୋଇଗଲା । ଷ୍ଟେସନ୍‍ଠାରୁ ଶ୍ମଶାନ ପର୍ଯ୍ୟନ୍ତ ଲୋକ ଗହଳି ସମୁଦ୍ର ପରି ହୋଇଗଲା । ଦାର୍ଜିଲିଂଠାରୁ ସିଆଲଦା ପର୍ଯ୍ୟନ୍ତ ପ୍ରତ୍ୟେକ ଷ୍ଟେସନ୍‍ରେ ସ୍ୱର୍ଗତଃ ନେତାଙ୍କୁ ଶେଷ ସମ୍ମାନ ଦେବାପାଇଁ ଲୋକେ ରୁଣ୍ଡ ହୋଇଥାନ୍ତି ।

 

ଶବ କଲିକତାରେ ପହଞ୍ଚିବା ଦିନ ସେଠାରେ ମହାତ୍ମା ଗାନ୍ଧି ଥିଲେ । ଯେଉଁ କେତେକ ଲୋକ ଶବକୁ ନିଜ କାନ୍ଧରେ ନେଇଥିଲେ ସେମାନଙ୍କ ଭିତରେ ଥିଲେ ମହାତ୍ମା ଗାନ୍ଧି । ଲୋକ ଗହଳି ଏପରି ହୋଇଥିଲା ଯେ ସେ ଲୋକ ଗହଳିରେ ଚକଟି ହୋଇଗଲେ । ସ୍ୱେଚ୍ଛାସେବକମାନେ ତାଙ୍କୁ ଧରି ଭିଡ଼ରୁ କାଢ଼ି ନଥିଲେ ହୁଏତ ସେ ଚକଟି ହୋଇଯାଇଥାନ୍ତେ । ଖାଲି ଯେ ରାସ୍ତା ଲୋକାରଣ୍ୟରେ ପୂର୍ଣ୍ଣ ହୋଇଥିଲା, ସେତିକି ନୁହେଁ । ରାସ୍ତାକଡ଼ରେ ଥିବା ପ୍ରତ୍ୟେକ ଛାତ, ଖିଡ଼ିକି ଓ ଦରଜାରେ ସ୍ତ୍ରୀ ଓ ପିଲା ଖୁନ୍ଦି ହୋଇଥାନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଇଥାଏ ଓ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ହୋଇଥାଏ । ସାରା କଲିକତା ସହର ନିଃଶବ୍ଦ ହୋଇଗଲା । ଦେଶସାରା ଦୁଃଖର ଛାୟା ଘୋଟିଗଲା । ଶହ ଶହ ସଂଖ୍ୟାରେ ୟୁରୋପୀୟ ଲୋକେ ଦେଶବନ୍ଧୁଙ୍କୁ ଶେଷ ସମ୍ମାନ ଦେବାକୁ ଯେପରି ରୁଣ୍ଡ ହେଲେ ତହିଁରୁ ତାଙ୍କୁ ଦଳ, ମତ, ଜାତି ଓ ଶ୍ରେଣୀ ନିର୍ବିଶେଷରେ ସମସ୍ତେ କରୁଥିବା ସମ୍ମାନର ପ୍ରମାଣ ମିଳେ ।

 

କଲିକତାର କେତରତାଲା ଶ୍ମଶାନଠାରେ ମହାତ୍ମା ଗାନ୍ଧି ଦେଶବନ୍ଧୁଙ୍କ ଶବ ଶୋଭାଯାତ୍ରାକୁ ଅପେକ୍ଷା କରୁଥିବା ସମୟରେ ତାଙ୍କର ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାପାଇଁ ଦେଶବନ୍ଧୁଙ୍କ ସମ୍ପର୍କରେ ମୃତ୍ୟୁ ସମ୍ୱନ୍ଧୀୟ ସମ୍ମାନସୂଚକ ବିବରଣୀ ଲେଖୁଛନ୍ତି ।

 

ଶବସହ ଶୋଭାଯାତ୍ରା ବିରାଟ ପାରାଭାଡ଼ିପରି ଦୁଃଖରେ ଚାଲିଥାଏ । ଷ୍ଟେସନ୍‍ରୁ ଶ୍ମଶାନ କେତରତାଲାରେ ପହଞ୍ଚିବାକୁ ୮ ଘଣ୍ଟା ଲାଗିଲା । ଶବଦାହ ହେଲାବେଳକୁ ପ୍ରାୟ ସନ୍ଧ୍ୟା ହୋଇଯାଇଥାଏ । ଦେଶବନ୍ଧୁଙ୍କ ଶବର ଅଗ୍ନିଶିଖା ଉଠିବା ସମୟରେ ମହାତ୍ମାଗାନ୍ଧି ଅଶ୍ରୁପୂର୍ଣ୍ଣ ନେତ୍ରରେ ନୀରବଭାବେ ବସିଥାନ୍ତି ।

 

ଶୋକସଭା ହେଲା । ତହିଁରେ ଏକମାତ୍ର ବକ୍ତା ଥିଲେ ମହାତ୍ମା ଗାନ୍ଧି । ବହୁ କଷ୍ଟ ସହକାରେ ନିଜର ଭାବପ୍ରବଣତାକୁ ଚାପିରଖି ମହାତ୍ମା ଗାନ୍ଧି କହିଲେ–

 

‘‘ଦେଶବନ୍ଧୁ ଥିଲେ ଜଣେ ସର୍ବଶ୍ରେଷ୍ଠ ମାନବ । ଗତ ୬ ବର୍ଷ ଧରି ମୁଁ ତାଙ୍କୁ ଅତି ଘନିଷ୍ଠଭାବେ ଜାଣିବାପାଇଁ ସୁବିଧା ପାଇଥିଲି । ଗତ କିଛିଦିନ ତଳେ ମୁଁ ଯେତେବେଳେ ଦାର୍ଜିଲିଂରେ ତାଙ୍କୁ ଛାଡ଼ି ଆସିଲି, ସେତେବେଳେ ମୁଁ ତାଙ୍କ ସମ୍ପର୍କରେ ଯେତେ ଅଧିକ ଆସୁଛି, ତାଙ୍କ ପ୍ରତି ମୋର ଶ୍ରଦ୍ଧା ସେହି ପରିମାଣରେ ବୃଦ୍ଧି ପାଉଥିବାର ଜଣେ ବନ୍ଧୁଙ୍କୁ ମୁଁ କହିଲି । ମୁଁ ଅଳ୍ପ ସମୟପାଇଁ ଦାର୍ଜିଲିଂରେ ଥିବା ସମୟରେ ଭାରତର ମଙ୍ଗଳ ଛଡ଼ା ଅନ୍ୟ କୌଣସି ବିଷୟ ସେ ଭାବୁଥିବାର ମୁଁ ଜାଣି ନାହିଁ । ସେ ଭାରତର ସ୍ୱାଧୀନତା ବିଷୟ ସ୍ୱପ୍ନ ଦେଖୁଥିଲେ, ଭାବୁଥିଲେ ଏବଂ କହୁଥିଲେ ଓ ତାହା ଛଡ଼ା ତାଙ୍କର ଅନ୍ୟ କୌଣସି ଚିନ୍ତା ନଥିଲା । ମୁଁ ଯେ କେତେ ଦିନ ତାଙ୍କ ପାଖରେ ଦାର୍ଜିଲିଂରେ ଥିଲି, ସେ ବରାବର ମୋତେ ବଙ୍ଗଳାରେ ଆଉ କିଛି ବେଶୀ ଦିନ ରହି ସମସ୍ତ ଦଳ ଓ ମତବାଦର ଲୋକେ ଯେପରି ସ୍ୱାଧୀନତା ପାଇଁ କାର୍ଯ୍ୟ କରନ୍ତି ସେଥିପାଇଁ ସେମାନଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ବରାବର କହୁଥିଲେ । ସେ ଥିଲେ ନିର୍ଭୀକ ଓ ସାହସୀ । ବଙ୍ଗଳାର ଯୁବସମ୍ପ୍ରଦାୟଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ଅସୀମ ଏବଂ ବଙ୍ଗଳାରେ ତାଙ୍କର ସ୍ଥାନ ନେବାକୁ ଆଉ କେହି ନାହାନ୍ତି ବୋଲି ତାଙ୍କର ବିରୋଧୀ ଲୋକ ମଧ୍ୟ ସ୍ୱୀକାର କରିବେ । ତାଙ୍କ ହୃଦୟରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ସେ ଦେଖୁ ନଥିଲେ ଏବଂ ଇଂରେଜ ଲୋକମାନଙ୍କ ପ୍ରତି ତାଙ୍କର କୌଣସି ଅସଦ୍‍ଭାବ ନଥିଲା ବୋଲି ମୁଁ ସେମାନଙ୍କୁ କହିପାରେ ।

 

‘‘ଦେଶବନ୍ଧୁଙ୍କର ଶରୀର ଚାଲିଯାଇଥିଲେ ସୁଦ୍ଧା ତାଙ୍କ ଆତ୍ମା ଅମର । ଏପରିକି କେବଳ ଆତ୍ମା ନ ହୋଇ ତାଙ୍କର ବହୁ ତ୍ୟାଗ ଯୋଗୁଁ ତାଙ୍କର ନାମ ମଧ୍ୟ ଅମର ହୋଇ ରହିବ । ତାଙ୍କର ସେବା ଓ ତ୍ୟାଗର ପଟାନ୍ତର ନାହିଁ । ତାଙ୍କର ଆତ୍ମା ଚିରଦିନ ଆମ ପାଖରେ ଦୃଷ୍ଟାନ୍ତସ୍ୱରୂପ ରହି ସତ୍‍କାର୍ଯ୍ୟ କରିବାକୁ ପ୍ରେରଣା ଦେଉ । ଲୋକେ ତାଙ୍କୁ ଯେତେ କମ୍‍ମାତ୍ରରେ ଅନୁକରଣ କଲେ ସୁଦ୍ଧା ତାହା ତାଙ୍କର ସ୍ମୃତିରକ୍ଷାରେ ସାହାଯ୍ୟ କରିପାରିବ ଓ ତଦ୍ଦ୍ୱାରା ତାଙ୍କର ଆତ୍ମା ଶାନ୍ତି ଲାଭ କରିବ ।’’

 

ଦେଶବନ୍ଧୁ ରବର୍ଟ ବ୍ରାଉନିଂଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ଓ ତାଙ୍କର ନିମ୍ନଲିଖିତ କବିତା ବରାବର ଗାଉଥିଲେ ।

 

“One who never turned his back, but

marched breast forward,

Never doubted clouds would break;

Never dreamed thought right were worsted,

wrong would triumph

Held we fall to rise, are bafflled to fight better,

Sleep to wake.”

 

ଏହାହିଁ ହେଉଛି ଦେଶବନ୍ଧୁଙ୍କର ଶ୍ରେଷ୍ଠ ସ୍ମାରକ ।

Image

 

ପ୍ରଥମ ପରିଶିଷ୍ଟ

ବଙ୍ଗର ସଂସ୍କୃତି

 

୧୯୧୭ ମସିହା ଅପ୍ରେଲ ୨୩ ତାରିଖରେ ଭବାନୀପୁରଠାରେ ହୋଇଥିବା ବଙ୍ଗ ପ୍ରାଦେଶିକ ସମ୍ମିଳନୀର ସଭାପତି ଅଭିଭାଷଣରେ ଚିତ୍ତରଞ୍ଜନ କହିଥିଲେ :–

 

ଏହି ଅନ୍ଧକାର ଏବଂ ନୈରାଶ୍ୟପୂର୍ଣ୍ଣ ସମୟରେ ଭାରତବର୍ଷକୁ ଆସିଲେ ଇଂରେଜ ବଣିକ ସମ୍ପ୍ରଦାୟ । ଧ୍ୱଂସାବଶେଷ ଉପରେ ସେମାନେ ଗଢ଼ିଲେ ନିଜର ସାମ୍ରାଜ୍ୟ ଏବଂ ନିଜର କ୍ଷମତା ବିସ୍ତାର କରି ସେମାନଙ୍କର ଅଦ୍ଭୁତ ଶକ୍ତି ଓ ସାହସର ପରିଚୟ ଦେଲେ । ସମସ୍ତ ଦୁର୍ବଳ ଲୋକଙ୍କ ପକ୍ଷରେ ଯାହା ହୋଇଥାଏ ଆମ ପକ୍ଷରେ ତାହାହିଁ ହେଲା । ଆମେ ଇଂରେଜ ସରକାରଙ୍କୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଇଂରେଜ ଜାତି ସେମାନଙ୍କର ସଂସ୍କୃତି, ସେମାନଙ୍କର ସଭ୍ୟତା, ସେମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଏବଂ ସେମାନଙ୍କ ସମସ୍ତ ଦୁର୍ବଳତାକୁ ଗ୍ରହଣ କଲ । ବାଟୋଇ ବାଟବଣା ହୋଇ ଯେପରି ସିଧା ଏବଂ ଭଲ ରାସ୍ତା ବଦଳରେ ବୁଲାଣିଆ ରାସ୍ତାରେ ଯାଏଁ, ସେହିପରି ଆମର ଦୁର୍ଭାଗ୍ୟକୁ ଆମେ ନିଜର ପୁରାତନ ଇତିହାସ, ସଂସ୍କୃତି, ଆଇନ ଏବଂ ଦର୍ଶନକୁ ଭୁଲିଯାଇ ଇଂରେଜ ଲୋକଙ୍କର ସାହିତ୍ୟ, ବିଜ୍ଞାନ ଏବଂ ଦର୍ଶନ ପଛରେ ପଥଭ୍ରଷ୍ଟ ହୋଇ ଗୋଡ଼ାଇଲୁ । ବୋଧହୁଏ ଏହି ବିଦେଶୀ ଦ୍ରବ୍ୟର ମୋହ କମିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୂରାପୂରି ଛାଡ଼ିଛୁ ବୋଲି ଆମେ କହିପାରିବା ନାହିଁ ।

 

‘‘ବିଜ୍ଞାନକୁ ରାମମୋହନ ଜାତୀୟ ଜୀବନର ମୂଳମନ୍ତ୍ର ବୋଲି ଘୋଷଣା କଲେ । ଆମେ ତାହା ଶୁଣିଲ, କିମ୍ୱା ଶୁଣିଲୁ ବୋଲି ଭାବିବାକୁ ଲାଗିଲୁ; କିନ୍ତୁ ଯେଉଁ ଅଗାଧ ଶାସ୍ତ୍ର ପଢ଼ି ତହିଁରେ ରାମମୋହନ ନିଜକୁ ମଜ୍ଜାଇ ଦେଇଥିଲେ ସେଥିପ୍ରତି ବିଶେଷ ଧ୍ୟାନ ଦେଲୁନାହିଁ । ରାମମୋହନ ଯେ ଆମର ଜାତୀୟ ସଂସ୍କୃତି ଓ ସଭ୍ୟତାର ମାଧ୍ୟମରେ ଆମ ମୁକ୍ତିର ଉପାୟ ବତାଉଛନ୍ତି ସେକଥା ଆମେ ବୁଝି ନ ପାରି ସେଥିପ୍ରତି ବିଶେଷ ଦୃଷ୍ଟିଦେଲୁ ନାହିଁ । ସମୟ ଆସ୍ତେ ଆସ୍ତେ ବହିଗଲା । ସ୍କୁଲ୍ ଏବଂ କଲେଜମାନ ପ୍ରତିଷ୍ଠିତ ହେଲା । ପାଶ୍ଚାତ୍ୟ ସଭ୍ୟତା ପ୍ରତି ଆମର ମୋହ ବଢ଼ିବାକୁ ଲାଗିଲା । ବହୁଦିନ ପରେ ଆବିର୍ଭାବ ହେଲା ବଙ୍କିମଚନ୍ଦ୍ରଙ୍କର । ସେ ଆରମ୍ଭ କଲେ ମାତୃଭୂମିକୁ ମାତାରୂପେ ପୂଜା କରିବା । ସେ ମାତାଙ୍କୁ ମୂର୍ତ୍ତ କରି ତାଙ୍କୁ ଜୀବନ୍ୟାସ ଦେଲେ ଏବଂ ସେହିହିଁ ଯେ କି ମାଆଙ୍କୁ ପ୍ରଥମେ ଚିହ୍ନିପାରିଥିଲେ । ସେ ଜନତାଙ୍କୁ ଆହ୍ୱାନ ଦେଲେ–

 

‘‘ଏ ହିଁ ହେଉଛନ୍ତି ଆମ୍ଭମାନଙ୍କର ଜନନୀ, ତାଙ୍କୁ ପୂଜା କର ଏବଂ ନିଜ ନିଜ ଗୃହରେ ତାଙ୍କୁ ପ୍ରତିଷ୍ଠିତ କର ।’’ ସେ ଯେଉଁ ସଙ୍ଗୀତ ଗାଇଥିଲେ ତାହା ହେଉଛି ‘‘ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ମାଆର ଗୀତ ।’’ କିନ୍ତୁ ତାଙ୍କର ସେ ସଙ୍ଗୀତ ପ୍ରତି ଆମେ କର୍ଣ୍ଣପାତ କଲୁନାହିଁ ବା ସେ ଯେଉଁ ମୂର୍ତ୍ତିର ସନ୍ଧାନପାଇଁ ଆରାଧନା ଆରମ୍ଭ କରିଥିଲେ ସେଥିପ୍ରତି ଆମ୍ଭେ ଦୃଷ୍ଟିପାତ କଲୁନାହିଁ । ତହୁଁ ବଙ୍କିମଚନ୍ଦ୍ର ଦୁଃଖରେ କହିଲେ, ‘‘ମୁଁ ଅରଣ୍ୟରୋଦନ କରୁଛି ।’’

 

ଆହୁରି ସମୟ ବିଗତ ହେଲା । ୧୯୦୫ ମସିହାରେ ସ୍ୱଦେଶୀ ପ୍ରତିଧ୍ୱନି ଶୁଣାଗଲା । ବଙ୍ଗଳାର ଲୋକେ ତାହା ହୃଦୟଙ୍ଗମ କରି ନିଜକୁ ବୁଝିବାକୁ ଲାଗିଲେ । ରବୀନ୍ଦ୍ରନାଥ ଗାଇଲେ, ‘‘ବଙ୍ଗଳାର ମାଟି, ବଙ୍ଗଳାର ଜଳ, ତାହା ନିଜର ପରିଚୟ ଦିଅନ୍ତୁ ।’’ କବିଙ୍କର ଏହି କବିତାର ଆହ୍ୱାନରେ ବଙ୍ଗଳା ମାଟି ଓ ଜଳ ନିଜର ପରିଚୟ ଦେବାକୁ ଆରମ୍ଭ କଲେ ।

 

‘‘ଆମ ଭିତରେ ଏପରି ଅନେକ ମାନ୍ୟାସ୍ପଦ ଲୋକ ଅଛନ୍ତି ଓ ବୁଦ୍ଧିଜୀବୀ ଲୋକ ଅଛନ୍ତି, ଯେଉଁମାନେ କି ସ୍ୱଦେଶୀ ଆନ୍ଦୋଳନ ପୂରାପୂରି ବିଫଳ ହୋଇଛି ବୋଲି କହୁଥିବାର ମୁଁ ଶୁଣିଛି । ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଆମ ଭିତରେ ଏଭଳି ଗୋଟିଏ ନିର୍ଜୀବ ସଂସ୍କୃତି ଦେଖାଦେଇଛି ଯାହାର କି କୌଣସି ଭଲ କରିବାର ଶକ୍ତି ନଥିଲେ ସୁଦ୍ଧା ତାହା ଫଳରେ ଲୋକଙ୍କ ମଧ୍ୟରେ ଅତିରିକ୍ତ ଆଶା ଉଦ୍ରେକ ହୁଏ । ଯେଉଁ ଲୋକେ ଏହି ସଂସ୍କୃତିର ପୂଜାରୀ ସେମାନେ ପ୍ରତ୍ୟେକ ଜିନିଷକୁ ନିକିତିରେ ତଉଲିଲାପରି ବିଚାର କରନ୍ତି । ସେମାନେ ଗଣିତ ଶାସ୍ତ୍ରରେ ଅଭିଜ୍ଞ ବୋଲି ନିଜକୁ ଭାବୁଥିବାରୁ ପ୍ରତ୍ୟେକ ଜିନିଷକୁ ଗଣିତ ଦୃଷ୍ଟିରୁ ଚିନ୍ତା କରନ୍ତି । କିନ୍ତୁ ଜୀବନର ଯେଉଁ ବନ୍ୟା ତାହା ଗଣିତକୁ ଖାତିର କରେ ନାହିଁ ଓ ମାପିବା ଯନ୍ତ୍ରକୁ ଭସାଇ ନିଏ । ସ୍ୱଦେଶୀ ଆନ୍ଦୋଳନ ଠିକ୍ ଏହିପରି । ପ୍ରବଳ ବନ୍ୟାପରି ଏହା ଆସିଥିଲା । ଯେତେବେଳେ ଆତ୍ମାର ଜାଗରଣ ହୁଏ ସେ କେଭେ ଭାବିଚିନ୍ତି ଜାଗରିତ ହୁଏନାହିଁ । ମଣିଷ ଯେତେବେଳେ ଜନ୍ମ ହୁଏ ସେ କୌଣସି ଯୋଜନା କରି ବା ଭାବିଚିନ୍ତି ଜନ୍ମ ହୁଏ ନାହିଁ । ତା’ର ଜନ୍ମହେବାକୁ ଥିବାରୁ ସେ ଜନ୍ମ ହୁଏ । ଆତ୍ମା ଯେତେବେଳେ ଜାଗରିତ ହୁଏ ତାହାର ଜାଗରଣ ହେବାର କଥା ବୋଲି ସେ ହୁଏ । ଜୀବନର ଯେଉଁ ବନ୍ୟାକୁ ଆମ୍ଭେମାନେ ସ୍ୱଦେଶୀ ଆନ୍ଦୋଳନ ବୋଲି ଆଖ୍ୟା ଦେଇଛୁ ସେ ଆମକୁ ଏତେ ପ୍ଳାବିତ କଲା ଯାହା ଫଳରେ କି ବଙ୍ଗଳାର ଜୀବନ୍ତ ଆତ୍ମାର ସଂସ୍ପର୍ଶରେ ଆମେ ଆସିଲୁ । ଏହାର ପ୍ରଭାବ ଯୋଗୁଁ ବଙ୍ଗଳାର ହୃଦୟତନ୍ତ୍ରୀରେ ଆବହମାନ କାଳରୁ ଯେଉଁ ସଂସ୍କୃତି ଓ ସଭ୍ୟତାର ସ୍ରୋତ ପ୍ରବାହିତ ହୋଇ ଆସୁଅଛି, ତାହାର ସନ୍ଧାନ ପାଇଲୁ । ଆମର ଜାତୀୟ ଇତିହାସ ଯେ ନିରବଚ୍ଛିନ୍ନ ତାହାର ନିଦର୍ଶନ ପାଇଲୁ । ସ୍ୱଦେଶୀ ଆନ୍ଦୋଳନ ଯୋଗୁଁ ବୌଦ୍ଧ, ଶୈବ, ଶାକ୍ତ ଏବଂ ବୈଷ୍ଣବ ଧର୍ମର ମୂଳମନ୍ତ୍ର ଆମେ ବୁଝିପାରିଲୁ । ଏହି ଆନ୍ଦୋଳନ ଚଣ୍ଡୀଦାସ ଓ ବିଦ୍ୟାପତିଙ୍କର ସୁଲଳିତ ପଦ୍ୟାବଳି ଆମକୁ ସ୍ମରଣ କରାଇଦେଲା । ଚୈତନ୍ୟଙ୍କର ବିରାଟ ଜୀବନର ମାଧୁର୍ଯ୍ୟ ଆମେ ବୁଝିବାକୁ ଏହାରିଯୋଗୁଁ ସମର୍ଥ ହେଲୁ । ଜ୍ଞାନଦାସ, ଗୋବିନ୍ଦ ଦାସ, ଲୋଚନ ଦାସ ଏବଂ ଅନ୍ୟ ପୁରାତନ କବିମାନଙ୍କର କବିତାବଳୀ ଆମ ହୃଦୟରେ ପୁନର୍ବାର ପ୍ରତିଧ୍ୱନିତ ହେଲା । ରାମପ୍ରସାଦଙ୍କର ଭକ୍ତିମୂଳକ କବିତାବଳୀ ପୁନର୍ବାର ଆମକୁ ଶୁଣାଗଲା । ରାମମୋହନଙ୍କର ଅଗାଧ ଶୃଙ୍ଖଳାଜ୍ଞାନର ବୈଶିଷ୍ଟ୍ୟ ଆମେ ବୁଝିପାରିଲୁ । ଯେଉଁ ପ୍ରତିମା ବଙ୍କିମ ପୂଜା କରିଥିଲେ ଏବଂ ଯାହାକୁ ଲକ୍ଷ୍ୟ କରି ‘‘ତୁ ସଂସ୍କୃତି, ତୁ ଆଇନ, ତୁ ହୃଦୟ, ତୁ ଆତ୍ମା, ତୁ ଶରୀର’’ ବୋଲି ଗାଇଥିଲେ ତାକୁ ଆମେ ଚିହ୍ନିପାରିଲୁ । ସେ ପୁଣି ଗାଇଥିଲେ ‘‘ହାତରେ ତୁ ଶକ୍ତି, ହୃଦୟରେ ତୁ ଭକ୍ତି, ତୋର ମୂର୍ତ୍ତିରେହିଁ ମାଆ, ଆମର ମନ୍ଦିର ଆମେ ତିଆରି କରୁ’’ । ବଙ୍କିମଙ୍କର ଏହି ସଙ୍ଗୀତ ଆମର କାନରେ ପ୍ରତିଧ୍ୱନିତ ହୋଇ ହୃଦୟକୁ କମ୍ପାଇ ଦେଇ । ରାମକୃଷ୍ଣ କ’ଣ ଖୋଜୁଥିଲେ ଓ କ’ଣ ପାଇଲେ ତାହା ଆମେ ବୁଝିପାରିଲୁ । କେଶବଚନ୍ଦ୍ର ଏହି ବାହ୍ୟଜଗତରୁ ଯାଇ ପ୍ରକୃତ ଜଗତର କିପରି ସନ୍ଧାନ ପାଇଥିଲେ ତାହା ବୁଝିପାରିଲୁ । ବିବେକାନନ୍ଦଙ୍କର ବକ୍ତୃତାବଳୀ ଆମ ଜୀବନରେ ନୂତନ ପ୍ରାଣ ଆଣିଦେଲା । ବଙ୍ଗାଳୀ, ସେ ହିନ୍ଦୁ ହେଉ ବା ମୁସଲମାନ ହେଉ ବା ଖ୍ରୀଷ୍ଟିଆନ ହେଉ, ଯାହାହେଉ ପଛେ ସେ ବଙ୍ଗାଳୀ ଏବଂ ତାହାର ସ୍ୱାତନ୍ତ୍ର୍ୟ ଓ ବ୍ୟକ୍ତିତ୍ୱ ଅଛି । ଏହି ଜଗତରେ ବଙ୍ଗାଳୀର ନିଜର ସ୍ଥାନ ଅଛି, ତାହାର ସଂସ୍କୃତି ଅଛି ଏବଂ ତାହାର କର୍ତ୍ତବ୍ୟ ଅଛି । ବଙ୍ଗାଳୀକୁ ଯେବେ ନିଜର କର୍ତ୍ତବ୍ୟ କରିବାକୁ ହେବ ତାକୁ ପ୍ରକୃତ ବଙ୍ଗାଳୀ ହେବାକୁ ହେବ । ଭଗବାନଙ୍କର ଅସୀମ ଜାତିର ସୃଷ୍ଟି ମଧ୍ୟରେ ବଙ୍ଗାଳୀ ଗୋଟିଏ ସ୍ୱତନ୍ତ୍ର ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବାରୁ ସେ ତାହାର ପ୍ରତିମୂର୍ତ୍ତି ଓ ପ୍ରତୀକ । ଅଧିକନ୍ତୁ ସେ ହେଉଛି ଜୀବନ ଓ ଆତ୍ମା । ଏହି ସଦ୍ଜ୍ଞାନ ଆମେ ବୁଝିପାରିବା ପରେ ମାଆର ଅସୀମ ଶକ୍ତି ଓ ସୌନ୍ଦର୍ଯ୍ୟର ପରିଚୟ ପାଇଲୁ । ଏହି ସୌନ୍ଦର୍ଯ୍ୟରେ ଆମର ହୃଦୟ ପ୍ଳାବିତ ହୋଇଗଲା । ମାଆ ଏକ ଅଥଚ ଅନେକ, ନିର୍ଦ୍ଦିଷ୍ଟ ଅଥଚ ଅନିର୍ଦ୍ଦିଷ୍ଟ ବୋଲି ବୁଝିପାରିଲୁ । ଅନ୍ୟମାନେ ଏହି ସୌନ୍ଦର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଯୁକ୍ତି କରିପାରନ୍ତି । କିନ୍ତୁ ଏହି ଯେଉଁ କମନୀୟତା ଓ ଚମତ୍କାରିତା, ତାହା ସ୍ମରଣରେ ମୁଁ ଅଭିଭୂତ ହୋଇ ଯାଉଛି ।

 

ସ୍ୱଦେଶୀ ଆନ୍ଦୋଳନ ହଠାତ୍ ଆସିଲା ଏବଂ ହଠାତ୍ ଚାଲିଗଲା । ଭାବିଚିନ୍ତି କାର୍ଯ୍ୟ କରିବାର ସମୟ ବର୍ତ୍ତମାନ ଆସିଛି । ମାଆ ତାହାର ଉପସ୍ଥିତି ପ୍ରକାଶ କରିଛି ଏବଂ ତାକୁ ପୂଜା କରିବା ଆମମାନଙ୍କର କର୍ତ୍ତବ୍ୟ । ଏହି ପୂଜାପାଇଁ ଆମ୍ଭେମାନେ ପ୍ରସ୍ତୁତ ହୋଇ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରିବା ଦରକାର । ଏହି ଭୂମିରେ ଗୋଟିଏ ପ୍ରବଳ ବନ୍ୟା ଆସି ପହଞ୍ଚିଛି । ସେଥିପାଇଁ ଭୂମିକୁ କର୍ଷଣ କରି ଏହାଭିତରେ ଲୁଚି ରହିଥିବା ସୁନାକୁ କାଢ଼ିବା ଦରକାର । ବିଶ୍ୱାସ କରନ୍ତୁ ଆପଣମାନେ, ସୁନାହିଁ ବାହାରିବ ।

 

ତେଣୁ ବଙ୍ଗଳାର ଜାଗ୍ରତ ଜାତୀୟ ଜୀବନକୁ କିପରି ପୂରାମାତ୍ରାରେ ଜାଗରିତ କରିବାକୁ ହେବ ତାହାହିଁ ଆଜି ଆମମାନଙ୍କର ପ୍ରଧାନ ଆଲୋଚ୍ୟ ବିଷୟ ।

 

X X X

 

‘‘ପ୍ରତ୍ୟେକ ଜାତିକୁ ନିଜ ମଧ୍ୟରେ ଭ୍ରାତୃତ୍ୱ ଓ ସଦ୍‍ଭାବ ପ୍ରତିଷ୍ଠା କରି ଜାତି ହିସାବରେ ତିଷ୍ଠି ରହିବାକୁ ପଡ଼ିବ । ...ପ୍ରତ୍ୟେକ ବ୍ୟକ୍ତିର ବିକାଶ ନହେଲେ ପରିବାରର ବିକାଶ ଯେପରି ହୋଇ ନ ପାରେ ସେହିପରି ପ୍ରତ୍ୟେକ ସମାଜ ମଧ୍ୟରେ ଥିବା ପରିବାର ତଥା ଗୋଷ୍ଠୀଙ୍କର ବିକାଶ ନହେଲେ ସମାଜର ଉନ୍ନତି ଅସମ୍ଭବ । ସେଥିଯୋଗୁଁ ଜାତି ମଧ୍ୟରେ ଥିବା ପ୍ରତ୍ୟେକ ସମ୍ପ୍ରଦାୟର ବିକାଶ ନହେଲେ ଜାତିର ବିକାଶ ସମ୍ଭବପର ନୁହେଁ । ତେଣୁ ବିଭିନ୍ନ ଜାତିରେ ଥିବା ବିଭିନ୍ନ ବୈଶିଷ୍ଟ୍ୟ ଓ ସଭ୍ୟତାର ବିକାଶ ନହେଲେ ମାନବ ଗୋଷ୍ଠୀର ବିକାଶ ଅସମ୍ଭବ । ଆମମାନଙ୍କ ଧମନୀରେ ଆର୍ଯ୍ୟ ବା ଅନାର୍ଯ୍ୟ ଯେକୌଣସି ରକ୍ତ ପ୍ରବାହିତ ହେଉ ପଛେ ପୂର୍ବକାଳର ସତ୍ୟକାମୀ ପରି ବଙ୍ଗାଳୀ ସତ୍ୟକୁ କେବେହେଲେ ଲୁଚାଇ ରଖିବ ନାହିଁ; ଅର୍ଥାତ୍ ସେ ବଙ୍ଗାଳୀ, ପ୍ରଥମ ଓ ବଙ୍ଗାଳୀ ଶେଷ; ସେ ବଙ୍ଗଳାର ମାଟି ଓ ପାରିପାର୍ଶ୍ୱିକ ଅବସ୍ଥାସହିତ ଓତପ୍ରୋତଭାବେ ସଂଶ୍ଳିଷ୍ଟ । ଏକଥା କେବେହେଲେ ଭୁଲିପାରିବନାହିଁ । ସତ୍ୟ, ସ୍ଥାୟୀ ଓ ମୌଳିକ ସମ୍ପର୍କ ଉପରେହିଁ ଭୌତିକ ସମ୍ପର୍କ ପ୍ରତିଷ୍ଠିତ ଏବଂ ବଙ୍ଗାଳୀର ଜାତୀୟତା ସେହିପରି ସତ୍ୟ, ଶାଶ୍ୱତ, ଚିରନ୍ତନ ତଥା ମୌଳିକ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏପରିକି ଅନ୍ୟାନ୍ୟ ଦେଶମାନଙ୍କ ସହିତ ଆମର ଯେଉଁ ବାଣିଜ୍ୟଗତ ଓ ସାଂସ୍କୃତିକ ସମ୍ପର୍କ ପ୍ରତିଷ୍ଠିତ ହେଉଛି ତାହା ଫଳରେ ଏହି ସ୍ୱତନ୍ତ୍ର ଜାତୀୟତା ହେବ ସମୃଦ୍ଧ । କାରଣ ଏହି ଜାତୀୟତାରେ ଅଛି ମୌଳିକ ସ୍ୱତନ୍ତ୍ରତା । ବିଭିନ୍ନ ଜାତୀୟତା ମଧ୍ୟରେ ସଂଘର୍ଷର ଅନିବାର୍ଯ୍ୟତା ସମ୍ପର୍କରେ ଯାହା କୁହାଯାଏ ସେ ବିଷୟରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଜାତୀୟବାଦର କ୍ରମବିକାଶ ଫଳରେ ବିଭିନ୍ନ ଜାତି ମଧ୍ୟରେ ସଂଘର୍ଷ ଦେଖା ଦେବନାହିଁ ବୋଲି କହିବା ଅସମ୍ଭବ । କିନ୍ତୁ ଜାତି ଜାତି ମଧ୍ୟରେ ସଂଘର୍ଷ ବା ଯୁଦ୍ଧ ହେବ ବୋଲି ଆମେ କ’ଣ ନିଜର ଜାତୀୟତାକୁ ଭୁଲିଯିବା ? ସେହି ଯୁକ୍ତିରେ ବିଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ କଜିଆ ବା ଅସଦ୍‍ଭାବ ହେଉଛି ବୋଲି କ’ଣ ଆମେ ଆମର ବ୍ୟକ୍ତିଗତ ବୈଶିଷ୍ଟ୍ୟକୁ ଭୁଲିଯିବା ? ଏଭଳି ଯୁକ୍ତି ଅତି ନିର୍ବୋଧ । ମଣିଷ ତା’ର ମାନବିକତାର ଭାବ ବୁଝିପାରି ମତଭେଦ ଓ ସଂଘର୍ଷ ସତ୍ତ୍ୱେ ଶାନ୍ତିର ପଥ ଆବିଷ୍କାର କରିବ । ମଣିଷ ପକ୍ଷରେ ଯାହା ସତ୍ୟ ଜାତି ପକ୍ଷରେ ମଧ୍ୟ ତାହା ସତ୍ୟ । ଶତ ଶତ ଯୁଦ୍ଧ ଓ ସଂଘର୍ଷର ମାଧ୍ୟମ ଦେଇ ବିଶ୍ୱଜାତି ସମୂହ ଭଗବତ୍ ନିର୍ଦ୍ଦିଷ୍ଟ ଶାନ୍ତିର ମନ୍ଦିରକୁ ଗତିକରି ସେଠାରେ ପହଞ୍ଚିବେ ।

 

‘‘ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ କୌଣସି ମିଶ୍ରଣ ହେବନାହିଁ ବା ପ୍ରାକୃତିକ ବା ଅପ୍ରାକୃତିକ ମିଶ୍ରଣ ଅସମ୍ଭବ ବୋଲି ଜଣାଯାଉଥିଲେ ସୁଦ୍ଧା ଉଭୟଙ୍କ ମଧ୍ୟରେ ଦୃଢ଼ ମିଶ୍ରଣ ହେବ ବୋଲି ମୋ ପରି ଅନେକଙ୍କର ବିଶ୍ୱାସ । ଏହି ମିଶ୍ରଣ କିଭଳି ହେବ ? ଏହି ପ୍ରଶ୍ନ ଦୁଇ ଦିଗରୁ ବିଚାର କରାଯାଇପାରେ ଅର୍ଥାତ୍ ଜାତୀୟତା ଏବଂ ସରକାର ତଥା ଶାସନ ଦୃଷ୍ଟିରୁ । ଦ୍ୱିତୀୟ ପ୍ରଶ୍ନ ଦିଗରୁ ଚିନ୍ତାକଲେ କୁହାଯାଇପାରେ ଯେ ବଙ୍ଗାଳୀ ଓ ଇଂରେଜ ଉଭୟ ନିଜ ନିଜର ସ୍ୱତନ୍ତ୍ର ଜାତୀୟ ଚରିତ୍ର ବଜାୟ ରଖି ଶାସନଗତ ତଥା ସରକାରୀ କାର୍ଯ୍ୟ ଏଭଳି ଚଳାଇବେ ଯଦ୍ଦ୍ୱାରା କି ଶେଷକୁ ଉଭୟଙ୍କ ମଧ୍ୟରେ ବଜାୟ ରଖି ଶାସନଗତ ତଥା ସରକାରୀ କାର୍ଯ୍ୟ ଏଭଳି ଚଳାଇବେ ଯଦ୍ଦ୍ୱାରା କି ଶେଷକୁ ଉଭୟଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ପ୍ରତିଷ୍ଠିତ ହୋଇପାରେ ।

 

X X X

 

‘ମୁଁ ଯାହା କହିଲି ତାହା ସଂକ୍ଷେପରେ କହିବାକୁ ଗଲେ ଦେଶର ପ୍ରକୃତ ମଙ୍ଗଳ କରିବାପାଇଁ ନୂତନ ହୋଇ ଜାଗ୍ରତ ହୋଇଥିବା ଜାତୀୟ ଜୀବନ ପ୍ରତି ଦୃଷ୍ଟି ଦେବାକୁ ହେବ । ଆମର ଜାତୀୟ ଇତିହାସର ଅବିଚ୍ଛିନ୍ନ ଧାରାପ୍ରତି ଦୃଷ୍ଟିଦେବାକୁ ହେବ । ତାହା ସଙ୍ଗେ ସଙ୍ଗେ ଏଭଳି ଭାବରେ କାର୍ଯ୍ୟ କରିବାକୁ ହେବ ଯେ ଯଦ୍ଦ୍ୱାରା କି ଆମର ଜାତୀୟ ଜୀବନ ତଥା ଜାତୀୟ ଇତିହାସର ଅବିଚ୍ଛିନ୍ନତା ଉପରେ କୌଣସି ବାଧା ଆସି ଆମର ଏ ଅବସ୍ଥାରେ ଉନ୍ନତି ହୋଇ ପାରିବ ।

 

X X X

 

ଆମେ ପ୍ରତ୍ୟେକ ଜିନିଷରେ ନିଜର ଖରାପ ଦେଖିବା ପ୍ରକୃତିଗତ ହୋଇଗଲାଣି । ଆମ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଆମେ ଖରାପହିଁ ଦେଖୁଛୁ । ମନ୍ଦିର ଅପେକ୍ଷା ସଭାଗୃହକୁ ବେଶୀ ଆଦର କରୁଛୁ । ଦାନ କରିବାକୁ ଯାଇ ଅଭିନୟ କରି ଆମୋଦପ୍ରମୋଦ କରୁଛୁ । ଅନାଥାଶ୍ରମକୁ ସାହାଯ୍ୟ କରିବା ବାହାନାରେ ଲଟେରି କରୁଛୁ । ଆମ ସ୍ୱାସ୍ଥ୍ୟ ପକ୍ଷରେ ଉପକାରୀ ହୋଇଥିବା ଜାତୀୟ ଖେଳ କସରତ ବଦଳରେ ବିଦେଶୀ ଖେଳ କସରତକୁ ଅଧିକ ପସନ୍ଦ କରୁଛୁ । ପୋଷାକ ପରିଚ୍ଛଦ, ଚିନ୍ତା, ଭାବ ଓ ସଂସ୍କୃତିରେ ଖେଚଡ଼ି ହୋଇ ନିଜର ରକ୍ତକୁ ଖେଚଡ଼ି କରିବାକୁ ଚେଷ୍ଟା କରୁଛୁ । ପାଶ୍ଚାତ୍ୟର ଏହି ନୂତନ ମୋହରେ ପଇସା ଯେ କେବଳ ଗୋଟିଏ ମାତ୍ର ଉପାୟ ଏବଂ ଏହା ସର୍ବସ୍ୱ ନୁହେଁ ଏହା ଭୁଲି ଯିବାରେ କୌଣସି ଆଶ୍ଚର୍ଯ୍ୟ ଅଛି କି ? ଆମେ ବର୍ତ୍ତମାନ ସଚେତ ହୋଇ ବଙ୍କିମଙ୍କର ସେହି ସାବଧାନତା ପ୍ରତି ଦୃଷ୍ଟିଦେବା ଦରକାର ଯାହା ପ୍ରତି ପ୍ରଥମରେ ଆମେ ଦୃଷ୍ଟି ଦେଇନାହୁଁ ।

 

X X X

 

ଏକତା ଭାବରେ ଶାକ୍ତିପୂର୍ଣ୍ଣ ବାତାବରଣରେ କାର୍ଯ୍ୟ କରିବା ଆମର ଧ୍ୟେୟ ହେବା ଦରକାର । ଆମର କାର୍ଯ୍ୟ କ’ଣ ? ଆପଣମାନଙ୍କ ସମ୍ମତିରେ ମୁଁ ତିଆରି କରୁଥିବା ଗୋଟିଏ ଯୋଜନା ଏଠାରେ ଉପସ୍ଥାପିତ କରିବି । ସରକାରୀ କାର୍ଯ୍ୟ ସୁବିଧା ଦୃଷ୍ଟିରୁ ପ୍ରଦେଶକୁ ବିଭିନ୍ନ ଜିଲାରେ ବିଭକ୍ତ କରିଥିବାରୁ ଆମର କାର୍ଯ୍ୟପାଇଁ ଏହି ଜିଲା ଭିତ୍ତିରେ କାର୍ଯ୍ୟ କରାଯିବା ବାଞ୍ଛନୀୟ-। ପ୍ରତ୍ୟେକ ଜିଲାର ସମସ୍ତ ଗ୍ରାମକୁ କେତେଗୁଡ଼ିଏ ଅଞ୍ଚଳରେ ପ୍ରଥମେ ବିଭକ୍ତ କରିବା ଦରକାର-। ଯେଉଁ ଗ୍ରାମ ବିସ୍ତୃତ ତଥା ଲୋକସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ ହୋଇଥିବ ସେ ଗ୍ରାମଟିକୁ ଗୋଟିଏ ଅଞ୍ଚଳ ବୋଲି ଧରାଯିବ । ଛୋଟ ଛୋଟ ଗ୍ରାମମାନଙ୍କୁ ନେଇ ଗୋଟିଏ ଗୋଟିଏ ଅଞ୍ଚଳ ଗଠନ କରାଯିବ । ତା’ପରେ ପ୍ରତ୍ୟେକ ଅଞ୍ଚଳରେ ସାବାଳକ ପୁରୁଷ ଲୋକଙ୍କ ସଂଖ୍ୟା ଗଣାଯିବା ପରେ ସେମାନେ ନିଜ ଭିତରୁ ୫ ଜଣ ବିଶିଷ୍ଟ ଗୋଟିଏ ପଞ୍ଚାୟତ ନିର୍ବାଚିତ କରିବେ । ଏହି ପଞ୍ଚାୟତର ସମ୍ପୂର୍ଣ୍ଣ ଅଞ୍ଚଳର ଶାସନପାଇଁ ପୂରା କ୍ଷମତା ରହିବ । ଏହା ଅଞ୍ଚଳର ସଫେଇ କାମ ଦେଖିବେ, ପାଣି ଯୋଗାଇବାର ବ୍ୟବସ୍ଥା କରିବେ । ନୈଶ ବିଦ୍ୟାଳୟ ସ୍ଥାପନ କରିବେ; ଶିଳ୍ପୀ ଓ କୃଷି ସମ୍ୱନ୍ଧୀୟ ଶିକ୍ଷାର ବ୍ୟବସ୍ଥା କରିବେ ଏବଂ ସଂକ୍ଷେପରେ ଗ୍ରାମର ଅର୍ଥନୀତି ସମ୍ପୂର୍ଣ୍ଣରୂପେ ପଞ୍ଚାୟତର ନିୟନ୍ତ୍ରଣରେ ରହିବ । ପ୍ରତ୍ୟେକ ପଞ୍ଚାୟତ ଅଞ୍ଚଳରେ ଗୋଟିଏ ଲେଖା ଗୋଲାଘର ରହିବ । ପଞ୍ଚାୟତ ଇଲାକାଧୀନ ପ୍ରତ୍ୟେକ ଚାଷୀ ତା’ର ଜମି ଅନୁପାତରେ ଏହି ଗୋଲାଘରେ ଶସ୍ୟ ଜମା ଦେବ ଏବଂ ଅଭାବ ଓ ଅନାଟନ ପଡ଼ିଲେ ଏହି ଗୋଲାଘରୁ ଲୋକେ ନେଇ ଚଳିବେ-

 

‘‘ଛୋଟ ଛୋଟ ଦେଓ୍ୟାନୀ ଓ ଫୌଜଦାରି ମୋକଦ୍ଦମାପାଇଁ ପଞ୍ଚାୟତର ନିଷ୍ପତ୍ତି କରିବା ପୂରା କ୍ଷମତା ରହିବ । ବଡ଼ବଡ଼ ମୋକଦ୍ଦମା ସେମାନେ ଜିଲାର ଦେଓ୍ୟାନୀ ଓ ଫୌଜଦାରି କୋର୍ଟଙ୍କ ଦୃଷ୍ଟିକୁ ଆଣିବେ । ପ୍ରତ୍ୟେକ ମୋକଦ୍ଦମାପାଇଁ ସେମାନଙ୍କ ରିପୋର୍ଟ ଏକମାତ୍ର ଅଭିଯୋଗ ବୋଲି ଧରାଯିବ ।

 

‘‘ଆମେ ଆମର ଅଧିକାର ଦାବି କରୁ । ଆପଣମାନେ ଆଗଭର ହୋଇ ଏ ଦିଗରେ କାର୍ଯ୍ୟ କରନ୍ତୁ । ଆମେ ଏହି ଅଧିକାର ଦାବି କରୁଥିବାରୁ ଲୋକଙ୍କର ସମବେତ ଦାବିକୁ ପ୍ରତିରୋଧ ପାଇଁ କୌଣସି ଶାସକ ଗୋଷ୍ଠୀର କ୍ଷମତା ନାହିଁ ବୋଲି ମୋର ଦୃଢ଼ବିଶ୍ୱାସ । ଆପଣମାନେ ଆଗଭର ହୋଇ ସମସ୍ୱରରେ ଦାବି କରନ୍ତୁ ।’’

Image

 

ଦ୍ୱିତୀୟ ପରିଶିଷ୍ଟ

ସ୍ୱାଧୀନତାର ଅର୍ଥ

 

୧୯୨୧ ମସିହାରେ ହୋଇଥିବା ଅହମ୍ମଦାବାଦ କଂଗ୍ରେସ ଅଧିବେଶନ

 

(ଅହମ୍ମଦାବାଦ କଂଗ୍ରେସ ଅଧିବେଶନର ନିର୍ବାଚିତ ସଭାପତି ଦେଶବନ୍ଧୁ ଚିତ୍ତରଞ୍ଜନଙ୍କୁ ଅଧିବେଶନର ଅଳ୍ପ କେତେକ ଦିନ ପୂର୍ବରୁ ଗିରଫ୍ କରି ନିଆଯିବାର ସେ ଅଧିବେଶନରେ ଯୋଗ ଦେଇ ନଥିଲେ ଏବଂ ତାଙ୍କ ବକ୍ତୃତାକୁ ଶ୍ରୀମତୀ ସରୋଜିନୀ ନାଇଡ଼ୁ ଅଧିବେଶନରେ ପାଠ କରିଥିଲେ । ମହାତ୍ମାଗାନ୍ଧି ପ୍ରଥମେ ଭାଷଣ ଦେବାକୁ ଯାଇ କହିଲେ–

 

‘‘ଗତ ବର୍ଷର କାର୍ଯ୍ୟର ବିଷଦଆଲୋଚନା କରି ଅସହଯୋଗ ସମ୍ପର୍କରେ ତାଙ୍କର ନିର୍ଦ୍ଦିଷ୍ଟ ମତ ପ୍ରକାଶ କରିବା ଥିଲା ଦେଶବନ୍ଧୁଙ୍କର ଇଚ୍ଛା । ତାଙ୍କର ଛପା ହୋଇଥିବା ବକ୍ତୃତାରୁ ତାଙ୍କର ମତ ଆମେମାନେ ଜାଣିବାପାଇଁ ଯଥେଷ୍ଟ । ସେ ଜେଲ ଯିବା ପୂର୍ବରୁ ତାଙ୍କର ମତ ଯେଭଳି ଦୃଢ଼ଭାବେ ପ୍ରକାଶ କରିଛନ୍ତି ତହିଁରୁ ମଧ୍ୟ ତାହା ଆମେ ଜାଣିଛୁ । ବକ୍ତୃତା ଶୁଣିଲେ ପାଠକମାନେ ଜାଣିବେ ଯେ ସେ ଠିକ୍ ଗିରଫ୍ ହେବା ପୂର୍ବରୁ ଏହା ତିଆରି କରିଥିଲେ । ତାହାଛଡ଼ା ଯେଭଳି ସଂଯତଭାବେ ସେ ତିଆରି କରିଛନ୍ତି ଏବଂ ମୋଟଉପରେ ଅହିଂସା ଉପରେ ଦେଶବନ୍ଧୁ ଯେଭଳି ଆସ୍ଥା ସ୍ଥାପନ କରିଛନ୍ତି ତାହା ପାଠକଗଣ ନ ବୁଝି ରହିପାରିବେ ନାହିଁ ବୋଲି ଆଶା । ଏଭଳି ଲୋକଙ୍କୁ ଆଉ କୌଣସି ପ୍ରକାର କାମରେ ନ ଲଗାଇ ସରକାର ଯେ ତାଙ୍କୁ ଏକମାତ୍ର ଜେଲରେ ରଖିପାରନ୍ତି ଏହା ହେଉଛି ସରକାରଙ୍କ ପକ୍ଷରେ ସବୁଠାରୁ ବଡ଼ ନିନ୍ଦାର ବିଷୟ ।’’)

 

ସଭାପତି ଭାଷଣର କେତେକାଂଶ

 

‘‘......ମୁଁ ଏପରି ଗୋଟିଏ ସହରର ଲୋକ ଯେଉଁ ସହର ଉପରେ ସରକାର ସମସ୍ତ ପ୍ରକାର ଦମନ କରିଛନ୍ତି । ଲୋକେ ଯେପରି ମହାମାନ୍ୟ ପ୍ରିନସ୍ ଅଫ୍ ଓ୍ୱେଲସଙ୍କୁ ସ୍ୱାଗତ କରନ୍ତି ସେଥିପାଇଁ ରାଜନୈତିକ ଜୀବନକୁ ପଙ୍ଗୁ କରିବାପାଇଁ ସମସ୍ତ ପ୍ରକାର କାର୍ଯ୍ୟ ସେଠାରେ କରାଯାଇଛି ବୋଲି ମୋର ବିଶ୍ୱାସ । କିନ୍ତୁ ଏହିସବୁ ସତ୍ତ୍ୱେ ଡିସେମ୍ୱର ୨୪ ତାରିଖ ଦିନ ମହାମାନ୍ୟ ଯୁବରାଜଙ୍କୁ କଲିକତା ନଗରୀର କାରାରୁଦ୍ଧ ଆତ୍ମାହିଁ ସ୍ୱାଗତ କରିବ । କଲିକତା ନଗରୀରେ ଆରମ୍ଭ ହୋଇଥିବା ଆନ୍ଦୋଳନ ପରେହିଁ ମୁଁ ଆସିଛି ଏବଂ ମୋର ଆପଣମାନଙ୍କୁ ଅର୍ପଣ କରିବାର ଆଖିଦୁରୁଶିଆ ଭଳି କିଛି ନଥିଲେ ସୁଦ୍ଧା ସେଠାରେ ଯେଉଁ ଅସୀମ ଆଗ୍ରହ ଓ ଉତ୍ସାହ ଏ ଆନ୍ଦୋଳନକୁ ସଫଳ କରିବାପାଇଁ ଆପ୍ରାଣ ପ୍ରତିଜ୍ଞା ଦେଖାଦେଇଛି ତାହାହିଁ ମୁଁ ଆପଣମାନଙ୍କୁ ଅର୍ପଣ କରୁଛି ।

 

X X X

 

ସ୍ୱାଧୀନତାର ଅର୍ଥ ପ୍ରଥମତଃ ସମସ୍ତ ପ୍ରକାର ସଂଯମହୀନତା ନୁହେଁ । ...ଦ୍ୱିତୀୟତଃ ସ୍ୱାଧୀନତାର ଅର୍ଥ କେବଳ ପରାଧୀନ ମନୋବୃତ୍ତିର ଅଭାବ ନୁହେଁ । ...କିନ୍ତୁ ସ୍ୱାଧୀନତା ଏବଂ ସଂଯମ ଓ ସ୍ୱାଧୀନତା ଏବଂ ପରାଧୀନତା ମଧ୍ୟରେ କୌଣସି ପ୍ରକାର ବିରୋଧ ନଥିଲେ ସୁଦ୍ଧା ଏକଥା ମନେରଖିବା ଦରକାର ଯେ କେବଳ ଯେଉଁ ସଂଯମ ପଛରେ ଲୋକସମର୍ଥନ ଅଛି ତାହା ସ୍ୱାଧୀନତାକୁ କେବେହେଲେ ଅସ୍ୱୀକାର କରେନାହିଁ ବା ତାହା ସ୍ୱାଧୀନତାର ପରିପନ୍ଥୀ ନୁହେଁ । ସେହିପରି ପରାଧୀନତା ଏତିକି ଦୂର ପର୍ଯ୍ୟନ୍ତ ସ୍ୱାଧୀନତା ସଙ୍ଗେ ଖାପ ଖାଇପାରିବ ଯାହାର ରକ୍ଷାପାଇଁ ଲୋକେ ସ୍ୱଇଚ୍ଛାରେ କଷ୍ଟ ବରଣ କରିପାରିବେ ।

 

ତାହାହେଲେ ସ୍ୱାଧୀନତାର ଅର୍ଥ କ’ଣ ? ସ୍ୱାଧୀନତା ଶବ୍ଦର ଅର୍ଥ କରିବା ଅସମ୍ଭବ । ଏହାର ଅର୍ଥ ଯେଉଁ ଅବସ୍ଥାରେ ଜାତିପକ୍ଷରେ ନିଜର ବ୍ୟକ୍ତିତ୍ୱ ଉପଲବ୍ଧି କରି ନିଜର ଭାଗ୍ୟ ନିୟନ୍ତ୍ରଣ କରାଯାଇପାରେ ତାହାହିଁ ଏହାର ଅର୍ଥ ବୋଲି କୁହାଯାଇପାରେ । ବିଭିନ୍ନ ଜାତି ନିଜର ଜାତୀୟତା ଏବଂ ବ୍ୟକ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାପାଇଁ କିପରି ବୀରତ୍ୱପୂର୍ଣ୍ଣ କାର୍ଯ୍ୟମାନ କରିଛନ୍ତି ସେ ସମ୍ପର୍କରେ ମାନବଜାତିର ଇତିହାସରେ ନାନା ଉଦାହରଣ ମିଳେ । ଏହି ସମ୍ପର୍କରେ ଆଧୁନିକ ଘଟଣା ଉପରେ ଆଖି ପକାଇବାକୁ ବସିଲେ ଫିନ୍‍ଲ୍ୟାଣ୍ଡ, ପୋଲାଣ୍ଡ, ଆୟରଲ୍ୟାଣ୍ଡ, ଇଜିପ୍‍ଟ ଓ ଭାରତ ଉପରେ ଆଖି ପଡ଼େ । ଏହିସବୁ ଜାତି ନିଜ ଉପରେ ଚପାଇ ଦିଆଯାଉଥିବା ବୈଦେଶିକ ସଂସ୍କୃତିକୁ ପ୍ରାଣପଣେ ପ୍ରତିରୋଧ କରିଛନ୍ତି ।

 

ତେଣୁ ପାଶ୍ଚାତ୍ୟ ସଭ୍ୟତାର ଶିକ୍ଷା ତଥା ପାଶ୍ଚାତ୍ୟଦ୍ୱାରା ଆମ ଉପରେ ଲଦାଯାଇଥିବା ଅନୁଷ୍ଠାନମାନଙ୍କର ବିନା ସାହାଯ୍ୟରେ ଆମେ ଆମର ବ୍ୟକ୍ତିତ୍ୱ ବିକାଶ କରିବାପାଇଁ ଚାହୁଁଥିବାରୁ ଆମେ ସ୍ୱାଧୀନତା ଦାବି କରୁଛୁ । ଏହି ଦାବିକରିବା ସମୟରେ ଭାରତର ଶ୍ରେଷ୍ଠ କବି–ରବୀନ୍ଦ୍ରନାଥଙ୍କର କହିଥିବା ବାଣୀ ମୋର କର୍ଣ୍ଣକୁହରରେ ଝଙ୍କାରିତ ହେଉଛି । ସେ କହିଛନ୍ତି, ‘‘ଆମର ଦ୍ୱାରଦେଶରେ ପାଶ୍ଚାତ୍ୟ ସଂସ୍କୃତି ଦଣ୍ଡାୟମାନ । ଆମେ ଏହା ପ୍ରତି ନିଜର ଆତିଥ୍ୟ ପ୍ରକାଶ କରି ପ୍ରାଣ ଏବଂ ପାଶ୍ଚାତ୍ୟ ସଂସ୍କୃତିର ମିଳନରେ ବିଶ୍ୱର ମୁକ୍ତି ନିହିତ ବୋଲି ସ୍ୱୀକାର କରିବା କ’ଣ ଉଚିତ ନୁହେଁ କି ? ମୁଁ ସ୍ୱୀକାର କରୁଛି ଯେ ଭାରତର ଜାତୀୟତାକୁ ବଞ୍ଚି ରହିବାକୁ ହେଲେ ଅନ୍ୟ ଜାତିମାନଙ୍କଠାରୁ ସ୍ୱତନ୍ତ୍ର ଭାବରେ ରହିପାରିବ ନାହିଁ; କିନ୍ତୁ ରବୀନ୍ଦ୍ରନାଥଙ୍କ ବକ୍ତବ୍ୟର ସମାଲୋଚନା ଛଳରେ ମୁଁ ଦୁଇଗୋଟି କଥା କହିବି । ପ୍ରଥମତଃ କୌଣସି ଅତିଥିକୁ ନିଜ ଘରକୁ ସ୍ୱାଗତ କରିବା ପୂର୍ବରୁ ନିଜ ଘରକୁ ଠିକ୍ କରିବା ଦରକାର । ଦ୍ୱିତୀୟତଃ ପାଶ୍ଚାତ୍ୟ ସଂସ୍କୃତିକୁ ନିଜର କରିବା ପୂର୍ବରୁ ନିଜକୁ ନିଜେ ବୁଝିବା ଦରକାର । ତେଣୁ ମୋ ମତରେ ଭାରତର ପାଶ୍ଚାତ୍ୟ ସଂସ୍କୃତିକୁ ଦାସଭାବେ ଅନୁକରଣ କରିବା ଛଡ଼ା ସ୍ୱାଧୀନତା ପୂର୍ବରୁ ଉଭୟ ସଂସ୍କୃତି ମଧ୍ୟରେ ପ୍ରକୃତ ସମ୍ମିଶ୍ରଣ ହୋଇପାରିବ ନାହିଁ । ରାଜନୈତିକ ପରାଧୀନତା ଫଳରେ ଯାହା ହେବା ନିଶ୍ଚିତ ତାହା ଅର୍ଥାତ୍ ଭାରତର ସାଂସ୍କୃତିକ ପରାଧୀନତା ସମ୍ପୂର୍ଣ୍ଣ ହୋଇଛି । ଭାରତକୁ ଏହାର ପ୍ରତିରୋଧ କରିବାକୁ ପଡ଼ିବ । ତାହାକୁ ନିଜର ଜାତୀୟ ଜୀବନ ବିଷୟରେ ମୁଖରିତ କରିବାକୁ ପଡ଼ିବ ଏବଂ ତାହା ପରେ ଯାଇ ଉଭୟ ସଭ୍ୟତାର ସମ୍ମିଶ୍ରଣ ବିଷୟରେ ଆମେ ଆଲୋଚନା କରିପାରୁ ।

 

ମୋର ମାନ୍ଦାଦଳର ବନ୍ଧୁମାନେ କରୁଥିବା ଯୁକ୍ତିର ମୁଁ ଉତ୍ତର ଦେବି । ସେମାନେ କହୁଥିବାର ମୁଁ ଶୁଣୁଛି ଯେ ‘‘ତୁମେ କହୁଛ, ସ୍ୱାଧୀନତା ଏକମାତ୍ର ଲକ୍ଷ୍ୟ ନୁହେଁ ଏବଂ ଲକ୍ଷ୍ୟଲାଭ ପାଇଁ ଏହା ଗୋଟିଏ ଉପାୟ ମାତ୍ର ଏବଂ ଉଦ୍ଦେଶ୍ୟ ହେଲା ନିଜର ଭାଗ୍ୟ ନିୟନ୍ତ୍ରଣ କରିବାର ଅଧିକାର । ତାହାହେଲେ ବ୍ରିଟିଶ ସାମ୍ରାଜ୍ୟ ବାହାରେ କାହିଁକି ନିଜର ଭାଗ୍ୟନିୟନ୍ତ୍ରଣ କରିବା ଦାବି କରୁନାହିଁ ?’’ ମୋର ଉତ୍ତର ହେଉଛି, ଯେ ପର୍ଯ୍ୟନ୍ତ ଭାରତ ବ୍ରିଟିଶ ସାମ୍ରାଜ୍ୟର ଅଧୀନସ୍ଥ ହୋଇ ରହିଥିବ ସେ ପର୍ଯ୍ୟନ୍ତ ଏ ଦିଗରେ କିଛି କରାଯାଇପାରିବ ନାହିଁ । ଭାରତର ହୃଦୟସ୍ୱରୂପ ଗ୍ରାମମାନଙ୍କୁ ଯାଇ ସାଧାରଣ ଭାରତୀୟମାନେ କିଭଳି ରହୁଛନ୍ତି ତାହା ଦେଖି ଆସ । ସେମାନେ ହେଉଛନ୍ତି ହୃଷ୍ଟପୁଷ୍ଟ ନିର୍ଭୀକ ଲୋକ ଯେଉଁମାନଙ୍କ ପାଇଁ ଯେକୌଣସି ଦେଶ ଗର୍ବିତ ହେବାର ଯଥେଷ୍ଟ ଅଛି । କିନ୍ତୁ ବହୁଦିନ ପରାଧୀନ ହେବା ଫଳରେ ସେମାନଙ୍କ ମଧ୍ୟରେ ଜାତିଗତ ଭାବ, ଛୋଟ ଛୋଟ ବିଷୟରେ କଳିକଜିଆ ଏବଂ ବୃଥାଟାରେ ମାଲିମୋକଦ୍ଦମା କରିବାର ମନୋଭାବ ଦେଖା ଦେଇ ଅଧୋଗତି ପରିଲକ୍ଷିତ ହେଉଛି । ଯେଉଁ ଅନୁଷ୍ଠାନମାନଙ୍କ ଯୋଗୁଁ ଏହି ଲୋକେ ଆତ୍ମବିଶ୍ୱାସୀ ତଥା ଆତ୍ମନିର୍ଭରଶୀଳ ହୋଇଥିଲେ ସେସବୁ ଅନୁଷ୍ଠାନ କାହିଁ ? ଯେପରି ଜୀବନଧାରଣ କରି ସେମାନେ ନିଜର ଜୀବନଧାରଣ କରିବା ସଙ୍ଗେ ସଙ୍ଗେ ସ୍ୱାଧୀନଭାବେ ନିଜର ପୂର୍ବପୁରୁଷମାନଙ୍କର ଦେବତାମାନଙ୍କୁ ପୂଜା କରୁଥିଲେ ସେ ଜୀବନ କାହିଁ ? ମୁଁ ଭାବୁଛି କଂଗ୍ରେସର ପ୍ରକାଶ୍ୟ ଅଧିବେଶନରେ ଆମ୍ଭେମାନେ ଘୋଷଣା କରିବା ଉଚିତ ଯେ ସ୍ୱାଧୀନତା ପ୍ରତ୍ୟେକ ଜାତିର ଜନ୍ମଗତ ଦାବି ଏବଂ ଭାରତକୁ ନିଜକୁ ପ୍ରକାଶ କରି ବ୍ରିଟିଶ ପାର୍ଲିଆମେଣ୍ଟ୍ ଆମପାଇଁ କରୁଥିବା ନିଷ୍ପତ୍ତିର ବିନା ସାହାଯ୍ୟରେ ନିଜର ଭାଗ୍ୟ ନିୟନ୍ତ୍ରଣ କରିବାର ଅଧିକାର ଅଛି । ମୁଁ ଭାବୁଛି, ଆମ୍ଭେମାନେ ସ୍ୱୀକାର କରିବା ଉଚିତ ଯେକୌଣସି ଶକ୍ତି ଯେବେ ଭାରତୀୟ ଜାତିର ଆକାଂକ୍ଷା ପୂରଣ କରିବା ଦିଗରେ ବା ଜାତିର ଭାଗ୍ୟ ନିୟନ୍ତ୍ରଣ କରିବା ଦିଗରେ ପ୍ରତିବନ୍ଧକ ହୁଏ ସେ ହେଉଛି ଭାରତର ଶତ୍ରୁ ଏବଂ ଆମେ ତାହାର ପାରୁପର୍ଯ୍ୟନ୍ତ ପ୍ରତିରୋଧ କରିବା ଦରକାର । ଭାରତର ଜନ୍ମଗତ ଅଧିକାର ବିଲାତ ଯେବେ ସ୍ୱୀକାର କରେ ସେହି ସର୍ତ୍ତରେ ମୁଁ ବିଲାତ ସହିତ ସହଯୋଗ କରିବାକୁ ପ୍ରସ୍ତୁତ । ଭାରତୀୟ ଶାସନ ଆଇନରେ ଏଭଳି କୌଣସି ଅଧିକାର ସ୍ୱୀକୃତ ହେବାର ଦେଖାଯାଉ ନଥିବାରୁ ଭାରତବର୍ଷରେ ଇଂରେଜ ସାମ୍ରାଜ୍ୟ ସ୍ଥାୟୀ ହେବା ଦିଗରେ ମୁଁ ନିଜକୁ ପକ୍ଷଭୁକ୍ତ କରିପାରିବିନାହିଁ । ମୋର ମାନ୍ଦାଦଳର ବନ୍ଧୁମାନେ ଯୁକ୍ତି କରୁଛନ୍ତି ଯେ ଭାରତୀୟ ଲୋକଙ୍କର ସ୍ୱାଧୀନତାର ଆମେ ଯେଉଁ ଅର୍ଥକରୁ ତାହା ପାର୍ଲିଆମେଣ୍ଟ୍‍ଦ୍ୱାରା ଧାର୍ଯ୍ୟ ହୋଇଥିବା ଆଇନରେ ସ୍ୱୀକାର କରାଯାଇ ନଥିଲେ ସୁଦ୍ଧା ଆମେ ଯେବେ ସଂସ୍କାରକୁ କାର୍ଯ୍ୟକାରୀ କରୁ ତାହାହେଲେ ଆମ ସ୍ୱାଧୀନତା ଅସ୍ୱୀକାର କରିବାର କ୍ଷମତା ପାର୍ଲିଆମେଣ୍ଟ୍‍ର ନଥିବ । ମୋର ବନ୍ଧୁମାନଙ୍କର ବିଜ୍ଞତାରେ ମୁଁ ସନ୍ଦେହ କରୁନାହିଁ ବା ସେମାନଙ୍କର ଦେଶପ୍ରେମ ଅସ୍ୱୀକାର କରୁନାହିଁ; କିନ୍ତୁ ମୋ ମନରେ ଏ ପ୍ରଶ୍ନ ପୂରାପୂରି ଅବାନ୍ତର । ମୋର କହିବାର କଥା ହେଉଛି ଯେ ବିଲାତ ସରକାରଙ୍କ ସହିତ ସବିଶେଷ ଘଟଣା ସମ୍ପର୍କରେ ମିଳାମିଶା କରିବାପାଇଁ ମୁଁ ଯେତେ ଇଚ୍ଛୁକ ହେଲେ ସୁଦ୍ଧା ଏବଂ ସେଥିପାଇଁ ମୋର ସ୍ୱାର୍ଥ ଯେତେ ଅଧିକ ପରିମାଣରେ ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା ମୁଁ ଯେଉଁ ବିଷୟକୁ ମୌଳିକ ଦାବି ବୋଲି ବିବେଚନା କରେ ସେ ବିଷୟରେ କୌଣସି ସମାଧାନ କରିପାରିବି ନାହିଁ । ସ୍ୱାଧୀନତା ହେଉଛି ମୋର ଜନ୍ମଗତ ଦାବି ଏବଂ ଏହି ଅଧିକାରକୁ ଥରଥର କରି ସ୍ୱୀକାର ନ କରି ଏକାଥରକେ ପୂରାପୂରି ସ୍ୱୀକାର କରିବାକୁ ମୁଁ ଚାହେଁ । ଆମର ଯେ ବିଜୟ ହେବ ଏଥିରେ ସନ୍ଦେହ ନଥିଲେ ସୁଦ୍ଧା ଧର ଯେବେ ଆମେ ବିଫଳ ହେଉ ତାହାହେଲେ ଆମେ ଅନ୍ତତଃ ଆମ ଜାତୀୟ ସମ୍ମାନ ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିପାରିବୁ-। ଅନ୍ତତଃ ଆଉ କିଛି ନହେଲେ ଯେଉଁ ଅପମାନ ଉପରେ ଭାରତର ଶାସନ ଆଇନ ପ୍ରତିଷ୍ଠିତ ତାହାର ଏହାଦ୍ୱାରା ଆମେମାନେ ଉତ୍ତର ଦେବାକୁ ସମର୍ଥ ହେବୁ । ଭାରତୀୟ ଜାତୀୟ କଂଗ୍ରେସ ଏବଂ ଶାସନ ସଂସ୍କାରକୁ କାର୍ଯ୍ୟକାରୀ କରୁଥିବା ମନ୍ତ୍ରୀମାନଙ୍କ ଦୃଷ୍ଟିକୋଣ ମଧ୍ୟରେ ଥିବା ପ୍ରଭେଦ ହେଉଛି ମୌଳିକ । ଭାରତ ଜାତୀୟ କଂଗ୍ରେସ ତାହାର ଅନ୍ତିମ ଲକ୍ଷ୍ୟ ଉପରେ ଦୃଷ୍ଟି ରଖି ଭାରତୀୟ ଲୋକଙ୍କର ସ୍ୱାଧୀନତା ପକ୍ଷରେ ପ୍ରତିବନ୍ଧକ ହେଉଥିବା ପ୍ରତ୍ୟେକ ବିଷୟକୁ ଅସ୍ୱୀକାର କରୁଥିବାବେଳେ ମନ୍ତ୍ରୀମାନେ, ସେମାନେ ଯେଉଁ ବିଭାଗମାନଙ୍କ ଦାୟିତ୍ୱରେ ଅଛନ୍ତି କେବଳ ତାହାରି ପ୍ରତି ଦୃଷ୍ଟି ରଖି ସେ ସବୁ ବିଭାଗ ସଫଳତାର ସହିତ କାର୍ଯ୍ୟକାରୀ କରିପାରିଲେ ସ୍ୱାଧୀନତା ଲାଭ ହେବ ବୋଲି ଆଶା କରୁଛନ୍ତି ।

 

X X X

 

ମନ୍ତ୍ରୀମାନେ ଏହି ଧରଣର କାର୍ଯ୍ୟ କରୁଛନ୍ତି ଏବଂ ଏହି ଉପାୟରେ ସ୍ୱରାଜ ମିଳିବ ବୋଲି ମାନ୍ଦାଦଳର ବନ୍ଧୁମାନେ ଆମ୍ଭଙ୍କୁ କହୁଛନ୍ତି । ସମସ୍ତ ପ୍ରକାର ଅନାବଶ୍ୟକ ତିକ୍ତତାର ଅବସାନ ମୁଁ ଚାହୁଁଥିଲେ ସୁଦ୍ଧା ଏହି ଭାରତ ଶାସନ ଆଇନକୁ ଗ୍ରହଣ କରି ସେହି ଭିତ୍ତି ଉପରେ ସରକାରଙ୍କ ସହ ସହଯୋଗ କରିବାକୁ ମୁଁ କେବେହେଲେ ଆପଣମାନଙ୍କୁ ପରାମର୍ଶ ଦେଇପାରୁନାହିଁ । ମୁଁ ଅସମ୍ମାନର ବିନିମୟରେ ଶାନ୍ତି କିଣିବାକୁ ଚାହେଁନା । ଯେ ପର୍ଯ୍ୟନ୍ତ ପ୍ରଚଳିତ ଭାରତଶାସନ ଆଇନର ମୁଖବନ୍ଧ ଲିପିବଦ୍ଧ ହୋଇରହିଛି ଏବଂ ଆମ୍ଭମାନଙ୍କର ନିଜର ବ୍ୟବସ୍ଥା ନିଜେ କରି ନିଜର ବ୍ୟକ୍ତିତ୍ୱ ବିକାଶ କରି ଏବଂ ନିଜର ଭାଗ୍ୟ ନିୟନ୍ତ୍ରଣ କରିବାର ଜନ୍ମଗତ ଅଧିକାର ସ୍ୱୀକାର କରା ନ ଯାଇଛି ସେ ପର୍ଯ୍ୟନ୍ତ ମୁଁ କୌଣସି ସର୍ତ୍ତରେ ଶାନ୍ତି ପ୍ରସ୍ତାବ ବିଚାର କରିବାକୁ ଅସ୍ୱୀକାର କରୁଛି ।

 

ଆମ୍ଭମାନଙ୍କ ସମ୍ମୁଖରେ ଯୁଦ୍ଧ କରିବାର ଏକମାତ୍ର ପନ୍ଥା ହେଉଛି ଅସହଯୋଗ । ଏହି କାର୍ଯ୍ୟକ୍ରମ କଂଗ୍ରେସର ଗତ ଦୁଇ ଅଧିବେଶନରେ ଗୃହୀତ ହୋଇ ଆସିଛି । ଆମ୍ଭେମାନେ ଏହି ଅସହଯୋଗ କାର୍ଯ୍ୟକ୍ରମର ନୀତି ଗ୍ରହଣ କରି ନେଇଥିବାରୁ ତାହା କେତେଦୂର ଯୁକ୍ତିଯୁକ୍ତ ଓ କାର୍ଯ୍ୟକାରୀ ସେ ବିଷୟରେ ମୁଁ ଆଲୋଚନା କରିବାପାଇଁ ଆପଣମାନେ ଆଶା କରିବା ଅନୁଚିତ । ଯେଉଁ ଜାତୀୟତାର ରକ୍ଷାପାଇଁ ଲୋକେ ସେମାନଙ୍କ ଜୀବନବଳୀ ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ତାହାର ଏହାହିଁ ହେଉଛି ମୂଳମନ୍ତ୍ର । ଜାତୀୟତାର ଅର୍ଥ ଅନ୍ୟ ଜାତିମାନଙ୍କଠାରୁ ପୃଥକ୍‍ଭାବେ କୌଣସି ପ୍ରକାର ବଳପୂର୍ବକ ବ୍ୟକ୍ତିଗତ ଅଧିକାର ବଜାୟ ରଖିବା ନୁହେଁ । ଏହାର ଅର୍ଥ ହେଉଛି ଯେଉଁ ସର୍ବବାଦୀସମ୍ମତ ବିଶ୍ୱର ମଙ୍ଗଳ କରିବା ମାନବ ସମାଜର ଉଦ୍ଦେଶ୍ୟ ସେହି ଉଦ୍ଦେଶ୍ୟରେ ନିଜର ଆତ୍ମନିୟନ୍ତ୍ରଣ ତଥା ଆତ୍ମବିକାଶ କରି ନିଜକୁ ଠିକ୍‍ରୂପେ ବୁଝିବା । ତେଣୁ ଅସହଯୋଗ ଇଂରେଜମାନେ କେବଳ ଇଂରେଜ ହୋଇଥିବାରୁ ସେମାନଙ୍କ ସହିତ ସହଯୋଗ କରିବାକୁ ଅସ୍ୱୀକାର ନ କରି ଯେଉଁ ଶକ୍ତି ବା ଅନୁଷ୍ଠାନ ଭାରତ ଜାତିର ବ୍ୟକ୍ତିତ୍ୱର ବିକାଶ ପଥରେ ଅନ୍ତରାୟ ହେଉଛି ବା ହେବ ତାହା ସହିତ କୌଣସି ପ୍ରକାର ସହଯୋଗ କରିବାକୁ ଅସ୍ୱୀକାର କରୁଛି ଏବଂ କରିବି । ତାହା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟର ସଂସ୍କୃତି କେବଳ ପାଶ୍ଚାତ୍ୟର ସଂସ୍କୃତି ହୋଇଥିବା ଯୋଗୁଁ ଅସହଯୋଗ ତାହା ପ୍ରତ୍ୟାଖ୍ୟାନ କରୁନାହିଁ । ଏହି ପାଶ୍ଚାତ୍ୟର ସଂସ୍କୃତିକୁ ଯେପରି ପୂର୍ଣ୍ଣମାତ୍ରାରେ ହାର୍ଦ୍ଦିକ ଗ୍ରହଣ କରାଯାଇପାରେ ସେହି ଉଦ୍ଦେଶ୍ୟରେହିଁ ତାହାକୁ ପ୍ରତ୍ୟାଖ୍ୟାନ କରାଯାଉଛି ।

 

X X X

 

ଅସହଯୋଗ କ’ଣ ? ଏହି ସମ୍ପର୍କରେ ମିଷ୍ଟର୍ ଷ୍ଟୋକ୍ କହିଥିବା କଥା ଉଦ୍ଧୃତ କରିବା ଛଡ଼ା ମୁଁ ବିଶେଷ କିଛି କହି ପାରିବି ନାହିଁ । ମିଷ୍ଟର୍ ଷ୍ଟୋକ୍ କହିଛନ୍ତି, ‘‘ଏହାର ଅର୍ଥ ହେଉଛି ଯେଉଁ ଅନ୍ୟାୟକୁ ପ୍ରତିରୋଧ କରାଯାଇପାରିବ ତାହାକୁ ସମର୍ଥନ କରିବାକୁ ଅସ୍ୱୀକାର କରିବା । କୌଣସି ଅନ୍ୟାୟକୁ ଗ୍ରହଣ କରିବା ବା ସମର୍ଥନ କରିବାକୁ ଅସ୍ୱୀକାର କରିବା । ଯେଉଁ ଅନ୍ୟାୟ ଠିକ୍ ହୋଇ ପାରିବ ତାହାକୁ ଗ୍ରହଣ କରିବାପାଇଁ ଅସ୍ୱୀକାର କରିବା ବା ଯେଉଁ ଅବସ୍ଥା ନ୍ୟାୟର ପରିପନ୍ଥୀ ବା ଅନ୍ୟାୟ ସହ୍ୟ ନ କରିବା । ତାହା ସଙ୍ଗେ ସଙ୍ଗେ ଯେଉଁମାନେ ସେମାନଙ୍କ ନିଜର ସ୍ୱାର୍ଥ ଦୃଷ୍ଟିରୁ ଅନ୍ୟାୟ କରୁଛନ୍ତି ସେମାନଙ୍କ ସହିତ ସହଯୋଗ କରିବାକୁ ଅସ୍ୱୀକାର କରିବ ।’’

 

ଯୁକ୍ତି କରାଯାଉଛି ଯେ ଏହି ମନୋଭାବ ପୂରାପୂରି ନାସ୍ତିମୂଳକ ଚିନ୍ତା ଉପରେ ପ୍ରତିଷ୍ଠିତ ବା ନିରାଶର ଚିନ୍ତା । ମୁଁ ଏକମତ ହେଉଛି ଯେ ଏହା ନାସ୍ତିମୂଳକ ଚିନ୍ତାଧାରା । ତାହା ସଙ୍ଗେ ସଙ୍ଗେ ମୁଁ କହୁଛି ଯେ ଏହା ଗୋଟିଏ ପ୍ରକାର ଆସ୍ତିମୂଳକ । ଆମେ ଗଢ଼ିବାକୁ ଭାଙ୍ଗୁଛୁ । ଆମେ ତୋଳିବାପାଇଁ ଧ୍ୱଂସ କରୁଛୁ ଏବଂ ଆମେ ଗ୍ରହଣ କରିବାପାଇଁ ପ୍ରତ୍ୟାହାର କରୁଛୁ । ଏହାହିଁ ହେଉଛି ମାନବ ସମାଜ ଚେଷ୍ଟା କରି ଆସିଥିବାର ପୂର୍ଣ୍ଣ ଇତିହାସ । ଯେବେ ପରାଧୀନତା ଅନ୍ୟାୟ ବୋଲି ବିବେଚିତ ହୁଏ ତାହାହେଲେ ଆମକୁ ପରାଧୀନ ରଖିବାରେ ଯେଉଁମାନେ ସାହାଯ୍ୟ କରୁଛନ୍ତି ସେମାନଙ୍କ ସହ ପୂରାପୂରି ଅସହଯୋଗ କରିବାକୁ ଆମେ ବାଧ୍ୟ । ଏହା ହେଉଛି ନାସ୍ତିମୂଳକ ମନୋଭାବ; ତାହା ସଙ୍ଗେ ସଙ୍ଗେ ଯେକୌଣସି ଉପାୟରେ ଆମର ସ୍ୱାଧୀନତା ଲାଭ କରିବାପାଇଁ ଆମର ଦୃଢ଼ପ୍ରତିଜ୍ଞ ପ୍ରକାଶ କରୁଛି । ତାହା ସଙ୍ଗେ ସଙ୍ଗେ ଏହା ନିରାଶ ଭାବ ବୋଲି ମୁଁ ଏକମତ ହେଉ ନାହିଁ । ଏହା ହେଉଛି ଆଶାର ଚିନ୍ତା ଏବଂ ପୂର୍ଣ୍ଣ ବିଶ୍ୱାସର ନିଦର୍ଶନ । ଯେଉଁମାନେ ନିର୍ଯାତିତ ସେମାନଙ୍କର ବିଜୟ ସୁନିଶ୍ଚିତ ବୋଲି ବିଶ୍ୱାସ ରଖି କାରାଗାରକୁ ସେମାନେ ଚାଲିଛନ୍ତି । ସେମାନଙ୍କର ମୁଖମଣ୍ଡଳ ସମସ୍ତ ଦେଖିବା ଦରକାର । ମହମ୍ମଦ ଅଲ୍ଲୀ ଓ ସୌକତ୍ ଅଲ୍ଲିଙ୍କ ଭଳି ବୀର ଓ ସାହସୀ ଲୋକେ ବିନା କାରଣରେ ନିର୍ଯାତନା ଭୋଗ କରୁନାହାନ୍ତି-। ଏପର୍ଯ୍ୟନ୍ତ ଦୁନିଆରେ ଜନ୍ମଗ୍ରହଣ କରିଥିବା ସର୍ବଶ୍ରେଷ୍ଠ ସାହସୀ ଲୋକଙ୍କ ମଧ୍ୟରେ ଜଣେ ଲଜପତ ରାୟ ବିନାକାରଣରେ ଅମଲାତନ୍ତ୍ର ଶାସନର ସମ୍ମୁଖୀନ ହୋଇ ସାହସର ସହିତ ବୃଥାରେ ଜେଲ ଯାଉନାହାନ୍ତି ।

 

X X X

 

ଏହି ଦର୍ଶନ ଉପରେ ଅସହଯୋଗହିଁ ପ୍ରତିଷ୍ଠିତ । ଏହା ହେଉଛି ପୂର୍ଣ୍ଣ ସଂଯମ ସହ ଆମ ଜାତୀୟ ଆଶା ଓ ଆକାଂକ୍ଷା ପୂରଣ ହେବା ଦିଗରେ ଅନ୍ତରାୟ ହେଉଥିବା ଶକ୍ତିକୁ ଅମାନ୍ୟ କରିବା ଓ ଅନ୍ୟାୟକୁ ଘୃଣା ନ କରି ଅସ୍ୱୀକାର କରିବା ।

 

ଗଣ୍ଡଗୋଳ ହୋଇଛି ବୋଲି ଆଳ ଦେଖାଇ ଆମର ଆନ୍ଦୋଳନରେ ସତ୍ୟତା ବିରୁଦ୍ଧରେ ଯୁକ୍ତି କରାଯାଇ ନ ପାରେ । ଏହି ଗଣ୍ଡଗୋଳ ଯେପରି ପୁନର୍ବାର ଦେଖା ନ ଦିଏ ସେଥିପାଇଁ ସାହସର ସହିତ ଏହାର ସମ୍ମୁଖୀନ ହୋଇ ଉପାୟ ନିର୍ଦ୍ଧାରଣ କରିବାକୁ ହେବ; କିନ୍ତୁ ଏହା ବୋଲି ମୁଁ ଆପଣମାନଙ୍କୁ ଅସହଯୋଗ ନ କରିବାକୁ ପରାମର୍ଶ ଦେଇପାରିବି ନାହିଁ । ନିକଟରେ ହୋଇଥିବା ଏତେ ଗିରଫ୍‍ଦାରୀ ସତ୍ତ୍ୱେ ଯେ ଭାରତୀୟ ଲୋକେ ଶାନ୍ତିପୂର୍ଣ୍ଣଭାବେ ଅଛନ୍ତି ତାହା ପ୍ରମାଣ କରୁଛି ଯେ ବମ୍ୱେ ଶିକ୍ଷା ଲୋକେ ଉପଲବ୍ଧି କରିଛନ୍ତି । ଲୋକଙ୍କର ସାହସ, ସହନଶୀଳତା ଏବଂ ଅଦ୍ଭୁତ ସଂଯମଶକ୍ତି ଯେଭଳି ପ୍ରକାଶ ପାଉଛି ମୋ ମତରେ ଅହିଂସା ଓ ଅସହଯୋଗର ଆବଶ୍ୟକତା ଏବଂ କାର୍ଯ୍ୟକାରିତା ଅଧିକମାତ୍ରାରେ ପ୍ରକାଶ କରୁଛନ୍ତି । ଏହି ମନୋଭାବ ଯେବେ ଶେଷ ପର୍ଯ୍ୟନ୍ତ ପ୍ରକାଶ ପାଏ ତାହାହେଲେ ଆମର ଅଗ୍ରଗତି କେହି ଅଟକାଇପାରିବେ ନାହିଁ ।

 

X X X

 

କଲିକତା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ବର୍ତ୍ତମାନ କରାଯାଉଥିବା ଗିରଫ୍‍ଦାରୀମାନ ସାଧାରଣ ପ୍ରଚଳିତ ଆଇନ ଅନୁଯାୟୀ କରାଯାଉଛି ବୋଲି ଲର୍ଡ଼ ରିଡ଼ିଂ ଯାହା କହିଛନ୍ତି ତାହା ଭୁଲ । ସେ ଏହିପରି ଭୁଲ କଥା ବରାବର କହି ଆସୁଛନ୍ତି । ଠିକ୍ ହେଉ ବା ଭୁଲ ହେଉ ଆମ ସମ୍ମୁଖରେ ଏକମାତ୍ର ବିଧାନସମ୍ମତ ରାଜନୈତିକ ଅସ୍ତ୍ରରୂପେ ଅସହଯୋଗ ନୀତି ଥିବାରୁ କଂଗ୍ରେସ ତାହା ଗ୍ରହଣ କରିଛି । ତାହାର ଅର୍ଥ ଆଇନଭଙ୍ଗ କରିବା ନୁହେଁ । ଠିକ୍ ହେଉ ବା ଭୁଲ ହେଉ, କଂଗ୍ରେସ ବିଦେଶୀ ଦ୍ରବ୍ୟ ବିଶେଷତଃ ବିଦେଶୀ ଲୁଗା ବର୍ଜନ କରିବାକୁ ନିଷ୍ପତ୍ତି କରିଛି-। ତାହା ଆଇନଭଙ୍ଗ ନୁହେଁ । ଯାହାହେଉ ପଛକେ ମହାମାନ୍ୟ ଯୁବରାଜ ବା ପ୍ରିନ୍‍ସ ଅଫ୍ ଓ୍ୱେଲସ୍‍ଙ୍କ ପରିଦର୍ଶନ ବର୍ଜନ କରିବାକୁ କଂଗ୍ରେସ ନିଷ୍ପତ୍ତି କରିଛି । ତାହା ଆଇନଭଙ୍ଗ ନୁହେଁ-। ଯେଉଁ ସ୍ୱେଚ୍ଛାକୃତ ଅନୁଷ୍ଠାନମାନଙ୍କ ସାହାଯ୍ୟରେ କଂଗ୍ରେସ କାର୍ଯ୍ୟ କରନ୍ତି, ସେ ସବୁକୁ ତୁମେମାନେ (ସରକାର) ଭାରତୀୟ ସଂଶୋଧିତ ଦଣ୍ଡବିଧି ଆଇନ ଅନୁଯାୟୀ ବେଆଇନ ଘୋଷଣା କରିଥିବାରୁ କଂଗ୍ରେସ କିପରି କାର୍ଯ୍ୟ କରିବ ? କଂଗ୍ରେସର ପ୍ରଚାର ବେଆଇନମୂଳକ ହେଉଛି ବୋଲି ତୁମେ କେବେହେଲେ ସ୍ୱୀକାର କରି ପାରୁ ନଥିବା ସ୍ଥଳେ ଏହି ଅନୁଷ୍ଠାନମାନଙ୍କ ମୂଳରେ କୁଠାରାଘାତ କାହିଁକି କରୁଛ ? ଆପଣଙ୍କର (ବଡ଼ଲାଟଙ୍କୁ ଲକ୍ଷ୍ୟକରି) ଯେଉଁ ପରିମାଣରେ ଦେଶପ୍ରେମ ଯୋଗୁଁ ଆମେ ଯେବେ ଆପଣଙ୍କର ହୁକୁମ ଅମାନ୍ୟ କରି କାରାବରଣ କରିବାକୁ ନିଷ୍ପତ୍ତି କରିଥାଉଁ ତାହାହେଲେ ତହିଁରେ ଆପଣଙ୍କର ଏଭଳି ଅସ୍ଥିର ହେବାର କ’ଣ ଅଛି-? ମୁଁ ପୁଣି ଦୃଢ଼ତାର ସହିତ କହୁଛି ଯେ ଆଇନ ଆମେ ଭଙ୍ଗ ନ କରି ଆପଣ ଭଙ୍ଗ କରିଛନ୍ତି । ଯେଉଁ ଆଇନ ପ୍ରତ୍ୟେକ ଲୋକକୁ ତାହାର ବକ୍ତୃତା ଓ କାର୍ଯ୍ୟ ଫଳରେ ସାଧାରଣ ଆଇନ ବିପନ୍ନ ନ ହେବା ପର୍ଯ୍ୟନ୍ତ ବକ୍ତୃତା ଏବଂ କାର୍ଯ୍ୟର ସ୍ୱାଧୀନତା ଦେଇଛି ତାହାକୁ ତୁମେହିଁ ସଂକୁଚିତ କରିଛ-। ଯେ ପର୍ଯ୍ୟନ୍ତ କୌଣସି ବେଆଇନମୂଳକ କାର୍ଯ୍ୟ କରା ନ ଯିବ ସେ ପର୍ଯ୍ୟନ୍ତ ଲୋକେ ସଭା କରିପାରିବେ ବୋଲି ଦିଆଯାଇଥିବା ଆଇନଗତ ଅଧିକାର ଉପରେ ତୁମେହିଁ ହସ୍ତକ୍ଷେପ କରିଛ-। ଏହିସବୁ ଲୋକଙ୍କର ସାଧାରଣ ଆଇନଗତ ଅଧିକାରକୁ ତୁମେମାନେ ସଂକୁଚିତ କରିଛ ଏବଂ ମୁଁ ଆପଣଙ୍କୁ ଏହି ସମ୍ପର୍କରେ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଏହିସବୁ ସାଧାରଣ ଆଇନର କାର୍ଯ୍ୟକାରିତା ଉପରେ ଲୋକଙ୍କର ସରକାରଙ୍କ ପ୍ରତି ଆନୁଗତ୍ୟ ନିର୍ଭର କରେ ।

 

ଏହି ଅନୁଷ୍ଠାନମାନେ ଦେଶର ଶାସନ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ହସ୍ତକ୍ଷେପ କରୁଥିବାରୁ ତାହା ବିପନ୍ନ ହେଉଛି ବୋଲି କୁହାଯାଉଛି । ଯେବେ ସେମାନେ ତାହା କରୁଥାନ୍ତି ତାହାହେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବାପାଇଁ ଦେଶର ପ୍ରଚଳିତ ଫୌଜଦାରି ଆଇନ ଯଥେଷ୍ଟ । କଲିକତାରେ କୌଣସି ହିଂସାତ୍ମକକାଣ୍ଡ ଘଟିଥିବାର ତ ମୁଁ ଜାଣି ନାହିଁ ଏବଂ ପୋଲିସ୍‍କୁ ଘଟିଥିବାର କୌଣସି ଖବର ଯେ ଦିଆଯାଇ ନାହିଁ ଏହା ନିଶ୍ଚିତ । କୌଣସି ହିଂସାତ୍ମକକାଣ୍ଡ ଘଟିଲେ ତାହା ଅନୁସନ୍ଧାନ ହେବ ବୋଲି ଆଇନ ବ୍ୟବସ୍ଥା ଥିବାରୁ ଏଭଳି କୌଣସି ଅଭିଯୋଗ କରାଯାଇ ନାହିଁ । କିନ୍ତୁ ଡରାଉଛନ୍ତି ବା ଧମକାଉଛନ୍ତି ବୋଲି ଯେବେ ଅଭିଯୋଗ କରାଯାଏ ତାହାହେଲେ ତହିଁରେ ଅନୁସନ୍ଧାନ କରିବାର କିଛି ନଥିବାରୁ ଏଭଳି ଅଭିଯୋଗମାନ କରିବା ସହଜ-। ମୁଁ ସରକାରଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । ଡରାଉଛନ୍ତି ବା ଧମକାଉଛନ୍ତି ବୋଲି ପୋଲିସ୍ ପାଖରେ କୌଣସି ଅଭିଯୋଗ କରାଯାଇଛି କି ? ସ୍ଥାନୀୟ ସରକାର ସାଧାରଣ ଏଭଳି ଅଭିଯୋଗକୁ ଛାଡ଼ିଦେଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଅସହଯୋଗୀମାନେ କଲିକତାରେ ସରକାରୀ ଅନୁଗତ ଲୋକମାନଙ୍କୁ ଧମକାଉଛନ୍ତି ବା ଡରାଉଛନ୍ତି ବୋଲି ଅନୁସନ୍ଧାନ କରି ପ୍ରମାଣ ପାଇଛନ୍ତି କି ? ଜଣେ ଇଂରେଜ ସାମ୍ୱାଦିକ ନମ୍ୱିର ଅସ୍ତ୍ରା ଗୋଟିଏ ଇଂରେଜ ଖବରକାଗଜରେ ମତ ପ୍ରକାଶ କରିଛନ୍ତି ଯେ ଲୋକେ ରାଜିହୋଇ ହରତାଳ କରିଛନ୍ତି । ଗତ ନଭେମ୍ୱର ୨୪ ତାରିଖ ‘‘କ୍ୟାପିଟାଲ’’ରେ ‘A Dictetor’s Diary’ ନାମକ ଶିରୋନାମାରେ ଲେଖିଛନ୍ତି’’ ଲୋକେ ସ୍ୱଇଚ୍ଛାରେ ରାଜି ହୋଇଥିଲେ କିନ୍ତୁ ଯେକୌଣସି ଲୋକେ ଭଲଭାବେ ଲକ୍ଷ୍ୟକଲେ ଜାଣିବା ଅସମ୍ଭବ ହେଉ ନଥିଲା ଯେ ସେମାନେ ସ୍ୱଇଚ୍ଛାରେ ଯେ କେବଳ ଏହି ଜୁଲମର ଶିକାର ହେଉଥିଲେ ଖାଲି ସେତିକି ନୁହେଁ । ତାହା ସଙ୍ଗେ ସଙ୍ଗେ ସରକାର ଯେଭଳି ଅସୁବିଧାରେ ପଡ଼ିଥିଲେ ସେଥିରେ ଆନନ୍ଦ ମଧ୍ୟ ଅନୁଭବ କରୁଥିଲେ । ଯେବେ ଅବସ୍ଥା ଏହା ହୋଇଥାଏ ତାହାହେଲେ ଭାରତୀୟ ସଂଶୋଧିତ ଦଣ୍ଡବିଧି ଆଇନର ୧୬ ଦଫା ଅନୁଯାୟୀ ଘୋଷଣା କରିବାର ଆବଶ୍ୟକତା କ’ଣ ? ବିଲାତରେ କୌଣସି ବଡ଼ ଧରଣର ଧର୍ମଘଟ ଚାଲିଥିବା ସମୟରେ ଅବସ୍ଥା ଯେଭଳି ଖରାପ ହୁଏ ନଭେମ୍ୱର ୧୭ ତାରିଖ ଦିନ କଲିକତା ଅବସ୍ଥା କ’ଣ ତାହାଠାରୁ ଅଧିକ ଖରାପ ହୋଇଥିଲା ? ବିଲାତ ମନ୍ତ୍ରିମଣ୍ଡଳର ଧର୍ମଘଟ ଦବାଇ ପିକେଟିଂ ବନ୍ଦ କରିବାପାଇଁ କ୍ଷମତା ଥିବାର ଏହାଦ୍ୱାରା କ’ଣ ଦେଖାଇ ଦିଆଯାଉଛି ? ନା, ଭାରତୀୟ ସଂଶୋଧିତ ଦଣ୍ଡବିଧି ଆଇନ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ଅସହଯୋଗୀମାନଙ୍କର ଧମକ ଏବଂ ଅତ୍ୟାଚାରରୁ ସମାଜକୁ ରକ୍ଷା କରିବା ନ ହୋଇ ଏହା ପ୍ରକୃତ ଉଦ୍ଦେଶ୍ୟ ହେଉଛି କଂଗ୍ରେସ ଏବଂ ଅସହଯୋଗ ଆନ୍ଦୋଳନକୁ ଦବାଇବା । ଏହା ଧମକର ଜବାବ ଆପଣମାନଙ୍କୁହିଁ ଦେବାକୁ ହେବ-

 

ସରକାରଙ୍କର ଆଉ ମଧ୍ୟ ଗୋଟିଏ ଉଦ୍ଦେଶ୍ୟ ଅଛି । ତାହା ହେଉଛି ଧମକାଇ ଚମକାଇ ଓ ବାଧ୍ୟ କରି ମହାମାନ୍ୟ ପ୍ରିନ୍‍ସ ଅଫ୍ ଓ୍ୱେଲସ୍‍ଙ୍କର କଲିକତା ପରିଦର୍ଶନ ସଫଳ କରିବା-। ମୁଁ ଆପଣମାନଙ୍କ ପକ୍ଷରୁ ମହାମାନ୍ୟ ଯୁବରାଜଙ୍କୁ ବ୍ୟକ୍ତିଗତଭାବେ ଆମର ସଦିଚ୍ଛା ସମ୍ମାନର ସହିତ ଜଣାଉଛି । ବିଲାତର ରାଜପରିବାର ସହିତ ଆମର କୌଣସି ଅସଦ୍‍ଭାବ ନାହିଁ; କିନ୍ତୁ ଯେଉଁ ଶକ୍ତି ସଙ୍ଗରେ ସହଯୋଗ କରିବୁନାହିଁ ବୋଲି ନିଷ୍ପତ୍ତି କରିଛୁ ସେହି ଶକ୍ତିର ଦୂତସ୍ୱରୂପ ସେ ଆଜି ଆସୁଥିବାରୁ ଆମେ ତାଙ୍କୁ ସ୍ୱାଗତ କରିପାରୁନାହୁଁ ବା ଏ ଘଟଣାରେ ଆନନ୍ଦ ଅନୁଭବ କରିପାରୁନାହୁଁ । ଆମେ ଆମର ଜାତୀୟତାର ରକ୍ଷାପାଇଁ ଆମ ନିଜର ଭାଗ୍ୟ ନିୟନ୍ତ୍ରଣ କରିବାର ଆମର ଥିବା ମୌଳିକ ଅଧିକାର ସ୍ୱୀକୃତ କରାଇବା ପାଇଁ ଆଜି ଲଢ଼ାଇ କରୁଛୁ । ତେଣୁ ଯେଉଁ ଶକ୍ତି ଆମର ମୌଳିକ ଅଧିକାରରୁ ଆମକୁ ବଞ୍ଚିତ କରିଛି ତାହାର ଦୂତସ୍ୱରୂପ ଆସୁଥିବା ବ୍ୟକ୍ତିଙ୍କୁ ଯେବେ ଜାତି ପକ୍ଷରୁ ସ୍ୱାଗତ ଜଣାଉ ତେବେ ତାହା ଆମ ପକ୍ଷରେ ହେବ କପଟତା । ମହାମାନ୍ୟ ଯୁବରାଜଙ୍କୁ ଜାତୀୟ ସ୍ୱାଗତ କରିବାକୁ ଅସ୍ୱୀକାର କରିବାଦ୍ୱାରା ତାଙ୍କ ପ୍ରତି ବ୍ୟକ୍ତିଗତ ଭାବ ବା ବିଲାତର ରାଜପରିବାର ପ୍ରତି କୌଣସି ପ୍ରକାର ଅସମ୍ମାନ ପ୍ରଦର୍ଶନ କରିବା ଆମ ଚିନ୍ତାର ବହୁଦୂରରେ । ଆମର ଏକମାତ୍ର ଲକ୍ଷ୍ୟ ହେଉଛି, ଅମଲାତନ୍ତ୍ର ଶାସନସହ କୌଣସି ପ୍ରକାର ସହଯୋଗ ନ କରିବା ।

Image

 

ତୃତୀୟ ପରିଶିଷ୍ଟ

 

୧୯୨୨ ମସିହା ଡିସେମ୍ୱର ମାସରେ ହୋଇଥିବା ଗୟା କଂଗ୍ରେସ ଅଧିବେଶନର ସଭାପତି ଭାଷଣ

 

ଭଉଣୀ ଓ ଭାଇମାନେ,

 

ଆପଣମାନଙ୍କ ସମ୍ମୁଖରେ ମୁଁ ଆଜି ଦଣ୍ଡାୟମାନ ହେବାବେଳକୁ ଗୋଟିଏ ପ୍ରକାର ଚିନ୍ତା ମୋ ମନକୁ ଆସୁଛି ଏବଂ ଆମମାନଙ୍କ ମନରେ ଯେଉଁ ଚିନ୍ତା ଆଜି ଦେଖା ଦେଇଛି ତାହା ପ୍ରକାଶ କରିବାକୁ ମୁଁ ଅସମର୍ଥ । ଅମଲାତନ୍ତ୍ର ଶାସନ ସହିତ ସ୍ମରଣୀୟ ଯୁଦ୍ଧ କରିବା ଫଳରେ ତାଙ୍କୁ ବର୍ତ୍ତମାନ ବନ୍ଦିଶାଳାରେ ରଖାଇଥିବାରୁ ଏହି କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧିଙ୍କ ପରାମର୍ଶ ଏବଂ ନେତୃତ୍ୱ ପାଇବାରୁ ଆମ୍ଭେମାନେ ହେବୁ ବଞ୍ଚିତ । କିନ୍ତୁ ଶତ୍ରୁର ଦୁର୍ଗରେ ସେ ଯେଉଁ ଶେଷମତ ପ୍ରକାଶ କରି ଅମଲାତନ୍ତ୍ରର କର୍ମଚାରୀ ବୃନ୍ଦଙ୍କୁ ଯେଭଳି ଅବମାନନା କରିଛନ୍ତି ତାହା ଆମ୍ଭମାନଙ୍କ ମଧ୍ୟରେ ପ୍ରେରଣା ହୋଇ ରହିଥିବ । ଏହି ଘଟଣାର ସାମଞ୍ଜସ୍ୟ ଥିବା ଉଦାହରଣ ଖୋଜିବାକୁ ହେଲେ ଦୁଇ ହଜାରରୁ ଅଧିକ ବର୍ଷ ପୂର୍ବେ ନାଜାରେଥ୍‍ର ଯୀଶସ୍ ବିଦେଶୀ ବିଚାରାଳୟର ସମ୍ମୁଖୀନ ହୋଇଥିବା ଘଟଣା ଉପରେ ଆଖି ପକାଇବାକୁ ପଡ଼ିବ ।

 

‘‘ଯିଶୁ ଶାସନକର୍ତ୍ତାଙ୍କ ସମ୍ମୁଖରେ ଠିଆ ହେଲେ । ଶାସନକର୍ତ୍ତା ପ୍ରଶ୍ନ କଲେ, ଆପର ଇହୁଦୀମାନଙ୍କର ରାଜା ଅଟନ୍ତି କି ? ଯିଶୁ ହଁ ବୋଲି କହିଲେ ।

 

‘‘ତା’ପରେ ତାଙ୍କୁ ପ୍ରଧାନ ପୁରୋହିତ ଏବଂ ବୟସ୍କମାନଙ୍କର ବିରୁଦ୍ଧାଚରଣ କରିଥିବା କଥା ଅଭିଯୋଗ କରାଯିବାରୁ ସେ କିଛି କହିଲେନାହିଁ ।

 

X X X

 

ମହାତ୍ମାଗାନ୍ଧି ଅଲଗାପନ୍ଥା ଗ୍ରହଣ କରିଛନ୍ତି । ସେ ଦୋଷ କରିଛନ୍ତି ଓ ତାଙ୍କ ଦୋଷ ଯାହା ବୋଲି ସରକାରୀ ଓକିଲ ଅଭିଯୋଗ କରିଛନ୍ତି ତାଙ୍କ ଦୋଷ ତାହା ଅପେକ୍ଷା ଯଥେଷ୍ଟ ହୋଇଥିବାରୁ ସେ ଦୋଷୀ ବୋଲି ନିଜେ ସ୍ୱୀକାର କରିଥିଲେ । କିନ୍ତୁ ତାହା ସଙ୍ଗେ ସଙ୍ଗେ ସେ କହିଥିଲେ ଯେ ସେ ଅମଲାତନ୍ତ୍ର ଶାସନର ଆଇନ ଅମାନ୍ୟ କରି ଭାରତ ଆଇନକୁ ସମ୍ମାନ ଦେଖାଇ ତଦନୁଯାୟୀ କାର୍ଯ୍ୟ କରିଛନ୍ତି । ଯେଉଁ ବିଚାରପତି ତାଙ୍କର ବିଚାର କରୁଥିଲେ ତାଙ୍କୁ ଜେଲ ଦଣ୍ଡଦେଇ ପଣ୍ଟିଅସ୍ ପିଲେଟଙ୍କର ଯେଉଁ ଭାବପ୍ରକାଶ ପାଇଥିଲା ତାଙ୍କର ମଧ୍ୟ ସେହି ଭାବ ପ୍ରକାଶ ପାଇଥିଲା ।

 

ତାଙ୍କର ନିଷ୍ପତ୍ତିଗୁଡ଼ିକ ବିରାଟ ଏବଂ ସେ ତାଙ୍କର ନିଷ୍ପତ୍ତିକୁ ଯେଭଳି କାର୍ଯ୍ୟକାରୀ କରନ୍ତି ତାହା ବିରାଟ ହୋଇଥିବାରୁ ମହାତ୍ମାଗାନ୍ଧି ଦେଶ ପକ୍ଷରୁ ଯେଉଁ ମତପ୍ରକାଶ କରିଛନ୍ତି ତା’ର ପଟାନ୍ତର ନାହିଁ । ପୃଥିବୀରେ ଏପର୍ଯ୍ୟନ୍ତ ଜନ୍ମଗ୍ରହଣ କରିଥିବା ମହାପୁରୁଷମାନଙ୍କ ମଧ୍ୟରେ ସେ ଜଣେ ଯେ ଶ୍ରେଷ୍ଠ ବ୍ୟକ୍ତି ଏ ବିଷୟରେ କୌଣସି ସନ୍ଦେହ ନାହିଁ । ପୃଥିବୀରେ ତାଙ୍କର ଆବଶ୍ୟକ ଥିଲା ଏବଂ ତାଙ୍କୁ ଖ୍ରୀଷ୍ଟଙ୍କ ସମୟରେ ମସୀଜୀବୀ ଓ ସ୍ୱୟଂମନ୍ୟ ନ୍ୟାୟପରାୟଣ ଲୋକଙ୍କ ପରି ‘‘ବଡ଼ଲୋକମାନେ’’ ‘‘ଯେଉଁମାନଙ୍କ ଯୋଗୁଁ ଦେଶ ତିଷ୍ଠି ରହିଛି’’, ସେମାନେ ଉପହାସ କଲେ ସୁଦ୍ଧା, ଆଜି ଏବଂ ସବୁକାଳେ ଗୋଟିଏ ଜାତି ତାଙ୍କୁ କୃତଜ୍ଞ ଭାବରେ ସ୍ମରଣ କରିବ ।

 

ଆଇନ ଏବଂ ଶୃଙ୍ଖଳା

 

ଭାଇମାନେ, ବର୍ତ୍ତମାନ ସମୟ ଅତିରିକ୍ତ ସଙ୍କଟଜନକ ହୋଇପଡ଼ିଥିବାରୁ କେଉଁ କାରଣରୁ ଏକ ଦିଗରେ ଦେଶର ଜନସାଧାରଣ ଏବଂ ଅନ୍ୟ ଦିଗରେ ଅମଲାତନ୍ତ୍ର ସରକାରୀ ତଥା ସେମାନଙ୍କର ସମର୍ଥକମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇ ଦେଶବାସୀ ସେମାନଙ୍କଠାରୁ ଅଲଗା ହୋଇ ଯାଉଛନ୍ତି ତାହା ବୁଝିବା ଦରକାର । ଗତବର୍ଷ ଏହି ଦିନଠାରୁ ଦେଶରେ ସରକାରଙ୍କ ଅତ୍ୟାଚାରର ସ୍ରୋତ ବହିଚାଲିଛି ଏବଂ ଏହା ହୋଇଛି ଆମ୍ଭମାନଙ୍କ ସମ୍ମୁଖରେ ପ୍ରଧାନ ସମସ୍ୟା । ସରକାରଙ୍କର ଏହି ଅତ୍ୟାଚାର ନୀତିକୁ ସରକାରୀ କ୍ଷମତାରେ ଥିବା ମାନ୍ଦାଦଳର ନେତାମାନେ ସମର୍ଥନ କରୁଛନ୍ତି ଏବଂ ଏପରି କି ବହୁ ସମୟରେ ସେମାନେ ଉସ୍କାଉଛନ୍ତି । ଯେଉଁମାନେ ସରକାରଙ୍କୁ ସମର୍ଥନ କରୁଛନ୍ତି ସେମାନେ ଅସୁବିଧା ବା ସେମାନଙ୍କର ଦେଶପ୍ରେମ ନାହିଁ ବୋଲି ମୁଁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁନାହିଁ । ମୁଁ କହୁଛି ଯେ ଯୁଦ୍ଧଡ଼ାକରା ବୋଲି ଶୁଣାଯାଉଥିବା ଆଇନ ଓ ଶୃଙ୍ଖଳା ପଛରେ ସେମାନେ ଗୋଡ଼ାଉଛନ୍ତି । ଏହି ଆଇନ ଓ ଶୃଙ୍ଖଳା ପୃଥିବୀବ୍ୟାପୀ ସମସ୍ତ ଅମଲାତନ୍ତ୍ର ସରକାରଙ୍କର ଆଶ୍ରୟ ସ୍ଥଳ ହୋଇଥିବାରୁ ଏହି ମନୋଭାବ ପଛରେ ଯେଉଁ ବିଭ୍ରାଟକାରକ ଚିନ୍ତା ଅଛି ବୋଲି ମୁଁ ଭାବୁଛି ତାହା ଏଠାରେ ଆଲୋଚନା କରିବାକୁ ଚାହେଁ ।

 

କେବଳ ସ୍ୱେଚ୍ଛାଚାରୀ ସରକାର ନ ହୋଇ ସେମାନଙ୍କର ସମର୍ଥକ ହୋଇଥିବା ମାନ୍ଦାଦଳର ଲୋକେ ଦୃଢ଼ତାର ସହିତ ଯୁକ୍ତି କରନ୍ତି ଯେ ଯେକୌଣସି ଦେଶର ଲୋକଙ୍କ ପକ୍ଷରେ ସବୁଠାରୁ ବଡ଼ ଆବଶ୍ୟକ ହେଉଛି ସ୍ଥାୟୀ ଶାସନ ଏବଂ ବୈଧାନିକ ଉପାୟ ଛଡ଼ା ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇବା ପାଇଁ ପରାଧୀନ ଲୋକଙ୍କ ପକ୍ଷରେ ଅନ୍ୟ କୌଣସି ଉପାୟ ନାହିଁ । ଏଠାରେ ମୁଁ ବୈଧାନିକ ବୋଇଲେ ସମ୍ୱିଧାନଦ୍ୱାରା ସ୍ୱୀକୃତ ହୋଇଥିବା ଯେକୌଣସି ପନ୍ଥା ବୋଲି ବୁଝେ । ସେମାନେ କୁହନ୍ତି ଯେବେ ଦେଶର ପ୍ରଚଳିତ ଆଇନ ରକ୍ଷାଦିଗରେ ସକ୍ରିୟଭାବେ ସାହାଯ୍ୟ ନ କରିପାର ତାହାହେଲେ ଦାୟିତ୍ୱପୂର୍ଣ୍ଣ ନାଗରିକ ହିସାବରେ ଅନ୍ତତଃ ନୀରବରେ ଆଇନକୁ ମାନିବା ଦରକାର । ଆଇନ ଅମାନ୍ୟ ନ କରିବା ବା ଆଇନ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ତୁମଠାରୁ ସରକାର ଆଶା କରନ୍ତିନାହିଁ । ଏହାହିଁ ହେଉଛି ସ୍ୱେଚ୍ଛାଚାର ଶାସନର ପୂରାପୂରି ରାଜନୈତିକ ଦର୍ଶନ ବା ଭିତ୍ତି ଅର୍ଥାତ୍ ସରକାରଙ୍କ କାର୍ଯ୍ୟ ହେଉଛି ଆଇନ ଓ ଶୃଙ୍ଖଳା ରକ୍ଷାକରିବା ଏବଂ ପ୍ରଜା ସାଧାରଣଙ୍କର କର୍ତ୍ତବ୍ୟ ହେଉଛି ବିନା ଆପତ୍ତିରେ ତାହା ମାନି ଚଳିବା । ଉଇଲିୟମଙ୍କଠାରୁ ଦ୍ୱିତୀୟ ଜେମସ୍‍ଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଇଂରେଜ ରାଜାଙ୍କର ଏହାହିଁ ରାଜନୈତିକ ଦର୍ଶନ ହୋଇ ଆସି ନାହିଁ କି ? ସେମାନାଫ ହୋହେନ୍ ଜୋଲାର୍ଣ୍ଣସ୍ ଏବଂ ବୋରବନ୍‍ସଙ୍କର ଏହାହିଁ ରାଜନୈତିକ ଦର୍ଶନ ନଥିଲାକି ? ଏହାସତ୍ତ୍ୱେ ସ୍ୱାଧୀନତା ଆସିଛି ଏବଂ ଆଇନ ଶୃଙ୍ଖଳା ନାମରେ ପ୍ରଚଳନ କରାଯାଉଥିବା ଆଇନମାନ ଅମାନ୍ୟ କରି ସ୍ୱାଧୀନତା ଲାଭ କରାଯାଇଛି । ଯେଉଁ କ୍ଷେତ୍ରରେ ସରକାର ମନମୁଖୀ ଓ ସ୍ୱେଚ୍ଛାଚାରୀ ଏବଂ ଅନ୍ୟ ଦିଗରେ ଲୋକଙ୍କର ମୌଳିକ ଅଧିକାର ସ୍ୱୀକାର କରା ନ ଯାଏଁ ସେଠରେ ଆଇନ ଓ ଶୃଙ୍ଖଳାର ଦ୍ୱାହି ଦେବା ନିରର୍ଥକ ।

 

ଏହି ନୀତି ବୋଧହୁଏ ଏ ଦେଶକୁ ବିଲାତରୁ ଆସିଛି । ତେଣୁ ଏହାର ସତ୍ୟତା କେତେଦୂର ଯଥାର୍ଥ ତାହା ଆଲୋଚନା କରିବାପାଇଁ ବିଲାତ ଇତିହାସର ଉଦାହରଣ ଦେବି । ସେହି ଇତିହାସରୁ ଦେଖିବାକୁ ମିଳେ ଯେ ବିଲାତର ଅଧିକାଂଶ ସ୍ୱେଚ୍ଛାଚାରୀ ରାଜା ଶାନ୍ତି ଓ ଶୃଙ୍ଖଳା ବାହାନାରେ ଲୋକଙ୍କ ମଙ୍ଗଳ ଦୃଷ୍ଟିରୁ କରାଯାଇଛି ବୋଲି କହି ନାନାପ୍ରକାର ଏକାଧିପତ୍ୟ ଶାସନ ଚଳାଉଥିଲେ । ନରମାନ୍ ବଂଶୀୟ ରାଜାମାନଙ୍କଠାରୁ ଆରମ୍ଭ କରି ଷ୍ଟୁଆର୍ଟ ବଂଶୀୟ ରାଜାମାନଙ୍କ ପର୍ଯ୍ୟନ୍ତ ଏକାଧିପତ୍ୟ ମନୋଭାବାପନ୍ନ ରାଜାମାନେ ଏହି ଆଇନ ଓ ଶୃଙ୍ଖଳାର ଆଳ ଦେଖାଇ ସେମାନେ କରୁଥିବା କାର୍ଯ୍ୟ ସମ୍ୱିଧାନସମ୍ମତ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ । ରାଜା ପ୍ରଥମ ଚାର୍ଲସଙ୍କୁ ଯେତେବେଳେ ନିର୍ମମଭାବେ ହତ୍ୟାକରାଗଲା ସେତେବେଳେ ସେ କହିଥିବା କଥା ଫଳରେ ଏହି ନୀତି କିପରି ନିରର୍ଥକ ତାହା ସ୍ପଷ୍ଟଭାବେ ପ୍ରତୀୟମାନ ହେଲା । ସେ କହିଥିଲେ, ଲୋକଙ୍କପାଇଁ ଯାହା ମନ ତାହା ହେଉ ପଛକେ ଏବଂ ଯେକୌଣସି ଲୋକ ହୁଅନ୍ତୁ ପଛକେ ସମସ୍ତେ ସ୍ୱାଧୀନତା ଏବଂ ଅଧିକାର ପାଇବା ମୁଁ ଚାହେଁ । ମୁଁ ଆହୁରି ମଧ୍ୟ କହିବାକୁ ଚାହେଁ ଯେ ଯେଉଁ ଆଇନମାନଙ୍କୁ କାର୍ଯ୍ୟକାରୀ କରି ଲୋକଙ୍କର ଧନଜୀବନ ନିରାପଦ ରହିପାରିବ ତାହାର ଦାୟିତ୍ୱ ସରକାରଙ୍କ ଉପରେ ଛାଡ଼ି ଦେବାରେ ସେମାନଙ୍କ ମଙ୍ଗଳ ନିହିତ । ଶାସନରେ ଅଂଶଗ୍ରହଣ କରିବାରେ ଏହାସଙ୍ଗେ କୌଣସି ସମ୍ପର୍କ ନାହିଁ । ପ୍ରଜା ଏବଂ ସାର୍ବଭୌମତା ଦୁଇଟି ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଜିନିଷ । ଆଇନ ଓ ଶୃଙ୍ଖଳାକୁ ଏହାଠାରୁ ଅଧିକ ଭଲଭାବେ ବୁଝାଯାଇ ନ ପାରେ । ବିଲାତର ରାଜାମାନେ ପୂର୍ବର ପରମ୍ପରା ଅନୁସାରେ ସମ୍ୱିଧାନସମ୍ମତ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ଅଧୀନ ଲୋକମାନେ ସେମାନଙ୍କ ମୌଳିକ ଅଧିକାର ବଜାୟ ରଖିବାକୁ ଦାବି କରି ଆସିଛନ୍ତି । ବାଧ୍ୟତାମୂଳକଭାବେ ବା ବିପ୍ଳବଦ୍ୱାରା ଏହି ଅଧିକାରମାନ ରାଜା ଶାସକମାନଙ୍କଠାରୁ ଅପହରଣ କରି ଆସୁଛନ୍ତି । ୧୨୧୫ ମସିହା ଜୁନ୍ ୧୫ ତାରିଖ ଦିନ ଯେତେବେଳେ ରାଜା ଜନ୍ ମାଗ୍ନା–ଚାର୍ଟରରେ ନିଜର ସମ୍ମତି ଦେବାକୁ ବାଧ୍ୟ ହେଲେ ସେଦିନ ଏହି ଆଇନ ଓ ଶୃଙ୍ଖଳାର କଥା ଗୋଟିଏ ବଡ଼ ଧକ୍କା ପାଇଲା । ଏହି ଚାର୍ଟର ୬୧ ଧାରାରେ ରାଜା ଯେପରି ଏହା ମାନି ଚଳନ୍ତି ସେଥିପାଇଁ ବାଧ୍ୟକରିବାକୁ ପ୍ରଜାମାନଙ୍କୁ ବିପ୍ଳବ କରିବାର ଅଧିକାର ଦିଆଯାଇଥିବାରୁ ଏହା ଆମ୍ଭମାନଙ୍କ ପକ୍ଷରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଖ୍ୟାତ ଇଂରେଜ ଶାସନତନ୍ତ୍ରଜ୍ଞ ଐତିହାସିକ ଆଡ଼ାନ୍‍ସଙ୍କ ମତରେ ଏହି କେତେକ ସର୍ତ୍ତରେ ବିପ୍ଳବ କରିବାର ଅଧିକାର ୧୨୧୫ ମସିହାରେ ଇଂରେଜ ସମ୍ୱିଧାନର ଯେପରି ମୂଳଭିତ୍ତି ଥିଲା ଆଜି ମଧ୍ୟ ସେହିପରି ଅଛି । ଆଇନ ଓ ଶୃଙ୍ଖଳାର ଦୁଆ ପ୍ରବଳ ଧକ୍କା ପାଇଥିଲେ ସୁଦ୍ଧା ଏହାର ପୂରାପୂରି ଅବସାନ ହୋଇ ନଥିଲା । କାରଣ ଏହାପରେ ମଧ୍ୟ ବିଲାତର ରାଜା କେବଳ ପରୋକ୍ଷ ଟିକସଦ୍ୱାରା ଟଙ୍କା ପଠାଇବାପାଇଁ ତାଙ୍କର ଅଧିକାର ବଜାୟ ନ ରଖି ବାଧ୍ୟତାମୂଳକ କରଜ କରି ଓ ଅନ୍ୟାନ୍ୟ ଉପାୟରେ ଅର୍ଥ ସଂଗ୍ରହ କଲେ ଏବଂ ବହୁ ସମୟରେ ଆଇନ ଅନୁଯାୟୀ ବ୍ୟବସ୍ଥାପକ ସଭା ସାହାଯ୍ୟରେ କାର୍ଯ୍ୟ ନ କରି ଆଦେଶନାମା ସାହାଯ୍ୟରେ ତାଙ୍କର କାର୍ଯ୍ୟମାନ କଲେ । ହାଲାନ୍‍ସଙ୍କ ମତରେ ରାଜା କେବଳ ପ୍ରଚଳିତ ଆଇନର ନିର୍ଯ୍ୟାସ ଅନୁଯାୟୀ କାର୍ଯ୍ୟ କଲେ ନାହିଁ, ସେତିକି ନୁହେଁ; ତାହା ସଙ୍ଗେ ସଙ୍ଗେ ରାଜାଙ୍କର ସାର୍ବଭୌମ କ୍ଷମତା ପାଇଥିବା କ୍ଷମତାମାନ ଯାହାକି ଆଇନରେ ଲିପିବଦ୍ଧ ହୋଇନାହିଁ ତାହାସବୁ କାର୍ଯ୍ୟକାରୀ କରି ସାଧାରଣଙ୍କ ନିରାପତ୍ତା ପାଇଁ କରାଯାଉଛି ବୋଲି ଯାହାଇଚ୍ଛା ତାହା କଲେ । ଷ୍ଟୁଆର୍ଟ ବଂଶୀୟ ରାଜାମାନଙ୍କ ସମୟକୁ ରାଜା ଯେଉଁସବୁ କ୍ଷମତା ବ୍ୟବହାର କରୁଥିଲେ ତାହା ଆଇନଗତ ବୋଲି ବିଚାରାଳୟ ସ୍ୱୀକାର କଲେ ଏବଂ ଆଡ଼ାନ୍‍ସଙ୍କ ଭାଷାରେ ଆଇନ ଯେପରି ଭାବରେ ସ୍ୱୀକୃତ ହେବାକୁ ଲାଗିଲା ତାହା ଫଳରେ ଆଇନର ହତ୍ୟା କରାଗଲା । ଏହି ସମ୍ପର୍କରେ ସ୍ମରଣ ରଖିବା ଉଚିତ ଯେ ଆଇନ ଏବଂ ଶୃଙ୍ଖଳାର ଦ୍ୱାହି ଦିଆଯାଇ ରାଜାଙ୍କର କ୍ଷମତା ବୃଦ୍ଧି କରାଯାଇଥିଲା । ରାଜଦରବାରର ଅର୍ଥ ବିଭାଗ ବାରମ୍ୱାର ଦାବି କଲେ ଯେ, ଟିକସ ବସାଇବାର ଅଧିକାର ରାଜାଙ୍କରହିଁ ଅଛି ଏବଂ ସେ ବସାଉଥିବା ଟିକସ ଲୋକଙ୍କର ମଙ୍ଗଳପାଇଁହିଁ ବସାଯାଉଛି । ଆଡ଼ାନ୍‍ସ କହିଛନ୍ତି ଯେ ଷ୍ଟୁଆର୍ଟଙ୍କ ପ୍ରତ୍ୟେକ କାର୍ଯ୍ୟ, ସେ ଆଇନ ଦୃଷ୍ଟିରୁ କରୁଛନ୍ତି ବୋଲି ପ୍ରମାଣ କରୁଥିଲେ ଏବଂ ମୋଟଉପରେ ରାଜା କରୁଥିବା ପ୍ରତ୍ୟେକ କାର୍ଯ୍ୟହିଁ ହେଉଥିଲା ଇତିହାସ ।

 

ଏହି ଆଇନ ଓ ଶୃଙ୍ଖଳାର ଦ୍ୱାହିକୁ ସାଧାରଣଲୋକେ କିପରି ସମ୍ମୁଖୀନ ହେଲେ ? ପାର୍ଲିଆମେଣ୍ଟ୍ ମଧ୍ୟରୁ ଓ ବାହାରୁ ସେମାନେ ପୂରାପୂରି ଅସହଯୋଗ କଲେ । ସେମାନଙ୍କର ଅଭିଯୋଗମାନ ସମାଧାନ ନହେଲେ ରାଜାଙ୍କର କାର୍ଯ୍ୟକୁ ସମର୍ଥନ କରି ଭୋଟ ଦେବେନାହିଁ ବୋଲି ପାର୍ଲିଆମେଣ୍ଟ୍‍ରେ ବାରମ୍ୱାର ଭୋଟ ଦେବାକୁ ଅସ୍ୱୀକାର କଲେ । ରାଜା ନିଜର କ୍ଷମତା ବଳରେ ବାଣିଜ୍ୟ ଶୁଳ୍କହାର ବଢ଼ାଇଲେ ଏବଂ ଆଇନ ଅଦାଲତମାନ ମଧ୍ୟ ତାଙ୍କ କାର୍ଯ୍ୟକୁ ସମର୍ଥନ କଲେ । କମନସ୍ ସଭାରେ ଗୋଟିଏ ପ୍ରସ୍ତାବ ପାସ୍ କରାଗଲା ଯେ ‘‘ଯେଉଁ ଲୋକ ଏହି ଟିକସ ଦେବ ସେ ବିଲାତର ସ୍ୱାଧୀନତାର ବିଶ୍ୱାସଘାତକ ଏବଂ ଶତ୍ରୁ’’ ବୋଲି (ବମ୍ୱେରେ ବାସନ୍ତୀ ଦେବୀଙ୍କ ସହିତ–୧୯୨୧) ବିବେଚିତ ହେବ । ଏହା ଫଳରେ ଦେଶରେ ବିପ୍ଳବ ଦେଖାଦେଲା । ସେତେବେଳେ ଶାସନଗାଦିରେ ଥିବା ରାଜା ଚାଲସ୍ ଅବସ୍ଥା ସମ୍ଭାଳି ପାରିବେ ନାହିଁ ବୋଲି ଦେଖି ୧୬୨୬ ଜୁନ୍ ୧୭ ତାରିଖ ଦିନ ଅଧିକାର ବିଲ୍‍କୁ ଗ୍ରହଣ କରି ତହିଁରେ ନିଜର ସମ୍ମତି ଦେଲେ । ଏହି ଅଧିକାର ବିଲ୍‍ଦ୍ୱାରା ଅସହଯୋଗୀମାନଙ୍କର ଗୋଟିଏ ବଡ଼ ବିଜୟ ହେଲା । କାରଣ ସରକାରଙ୍କ ସହିତ ଦେଶର ଶାସନ କ୍ଷେତ୍ରରେ ସେମାନେ କୌଣସି ପ୍ରକାର ସହଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି କରିବା ଫଳରେ ସାଧାରଣ ଲୋକେ ରାଜାଙ୍କୁ ସେମାନଙ୍କ ଅଧିକାର ସ୍ୱୀକାର କରିବାପାଇଁ ବାଧ୍ୟ କରିବା ଭଳି ଅବସ୍ଥା ସୃଷ୍ଟି କଲେ । ୧୬୨୯ ଠାରୁ ୧୬୪୦ ପର୍ଯ୍ୟନ୍ତ ଘଟିଯାଇଥିବା ଘଟଣାମାନଙ୍କ ଫଳରେ ବିଲାତରେ ଇତିହାସ ନୂତନଭାବେ ତିଆରି ହେଲା । ଏହି ଅଧିକାର ବିଲ୍ ଆଇନରେ ପରିଣତ ହେବା ସତ୍ତ୍ୱେ ପ୍ରଜା ଶୁଳ୍କ କର ଆଦାୟ କରିବାରେ ଲାଗିଲେ ଏବଂ ଇଲିୟଟ ଓ ତାଙ୍କ ବନ୍ଧୁମାନଙ୍କୁ ବିଚାରାଳୟର ସମ୍ମୁଖୀନ ହେବାକୁ ପଡ଼ିଲା । ସେମାନେ ମୋକଦ୍ଦମା ଲଢ଼ିବାକୁ ଅସ୍ୱୀକାର କରିବାରୁ ଏବଂ ପ୍ରଜାଙ୍କର ଅଖଣ୍ଡକ୍ଷମତା ଥିବାରୁ ଅବସ୍ଥା ବଡ଼ ବିଷମୟ ହେଲା । ରାଜା ଜାହାଜ କର ଦେଶରୁ ଆଦାୟ କଲେ । ବିଭିନ୍ନ ସ୍ଥାନରେ ଥିବା ଲୋକେ ଖବର ଦେଲେ ଯେ ପାର୍ଲିଆମେଣ୍ଟ୍‍ଙ୍କ ବିନା ସମ୍ମତିରେ କୌଣସି ଟିକସ ଧାର୍ଯ୍ୟ କରିବାର ଅଧିକାର ସରିଫ୍‍ମାନଙ୍କର ନାହିଁ । ଲୋକେ ଟିକସ ନ ଦେବାରୁ ସେମାନଙ୍କ ଗୋରୁଗାଡ଼ି ଜବତ କରାଯାଇ ଅନ୍ୟ ଲୋକମାନଙ୍କୁ ନିଲାମ କରିଦିଆଗଲା । ତେଣୁ ରଜା ତାଙ୍କ ଦରକାରୀ ଅର୍ଥ ବିଭାଗର ମତ ନେଲେ ଯେ ଯେତେବେଳେ ରାଜ୍ୟର ନିରାପତ୍ତା ଏବଂ ମଙ୍ଗଳ ସଂପୃକ୍ତ ଏବଂ ସମଗ୍ର ରାଜ୍ୟ ବିପନ୍ନ, ସେତେବେଳେ ରାଜ୍ୟରେ ଥିବା ତାଙ୍କର ସମସ୍ତ ପ୍ରଜାଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଜାହାଜ, ମଣିଷ ଓ ଅସ୍ତ୍ରଶସ୍ତ୍ର ପ୍ରଭୃତି ସେହି ବିପଦରୁ ରାଜ୍ୟ ରକ୍ଷା ପାଇବା ପର୍ଯ୍ୟନ୍ତ ଦେବାକୁ ହୁକୁମ ଦେଇପାରିବେ କି ନାହିଁ । ଏହିଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଭାରତ ଶାସନ ଆଇନରେ ଠିକ୍ ଏହି ବାକ୍ୟ ବ୍ୟବହାର କରାଯାଇଛି । ତାହାଛଡ଼ା ଏଠାରେ ପ୍ରଶ୍ନ ହେଉଛି, ଏପରି ଅବସ୍ଥାରେ ପ୍ରକୃତ ବିପଦ ଦେଖା ଯାଇଛି କି ନାହିଁ ଏବଂ ତାହା କିପରି ରୋକି ହେବ ତାହାର ବିଚାରକର୍ତ୍ତା କ’ଣ ରାଜା ? ବିଚାରପତିମାନେ ସେମାନେ ବିଚାର କରୁଥିବା ବିଖ୍ୟାତ ଶାମ୍ଡ଼େନଙ୍କ ମୋକଦ୍ଦମାରେ ରହି ପ୍ରଶ୍ନର ଆସ୍ତିମୂଳକ ଜବାବ ଦେଉଛି ।

 

ମୁଁ ଗୋଟିଏ ବିଷୟ ଉପରେ ଜୋର ଦେଉଛି ଯେ ଷ୍ଟୁଆର୍ଟ ବଂଶୀୟ ରାଜାମାନେ ଏବଂ ପାର୍ଲିଆମେଣ୍ଟ୍ ମଧ୍ୟରେ ଯେଉଁ ସଂଘର୍ଷ ଚାଲିଥିଲା ସେଥିରେ ଷ୍ଟୁଆର୍ଟ ବଂଶୀୟ ରାଜାମାନେ ଆଇନ ଓ ଶୃଙ୍ଖଳା ରକ୍ଷାପାଇଁ ବରାବର କାର୍ଯ୍ୟ କରୁଛନ୍ତି ବୋଲି ଦାବି କରୁଥିଲେ ଏବଂ ଆଇନପ୍ରଥା ଇତିହାସ ଯେ ସେମାନଙ୍କୁ ସାହାଯ୍ୟ କରିଥିଲା ଏ ବିଷୟରେ କୌଣସି ସନ୍ଦେହନାହିଁ । ବିଲାତରେ ଦେଖାଦେଇଥିବା ବିପ୍ଳବପୂର୍ବରୁ ଯେଉଁ ବିଷୟରେ ପ୍ରତିଷ୍ଠିତ ଦଳମାନଙ୍କ ସମ୍ପର୍କରେ ମତଭେଦ ଦେଖା ଦେଇଥିଲା ତାହା ହେଉଛି–ଆଇନ ଏବଂ ଶୃଙ୍ଖଳାର ଦ୍ୱାହି ଦେଇ ରାଜା ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ପ୍ରଜାମାନଙ୍କର ନିରବ ସମର୍ଥନ ପାଇବାକୁ ହକ୍‍ଦାର କିମ୍ୱା ସେହି କାର୍ଯ୍ୟ ଫଳରେ ବିଶୃଙ୍ଖଳା ଏବଂ ବେଆଇନ କାର୍ଯ୍ୟ ଯାହାର ପରିଣତିସ୍ୱରୂପ ଦେଖା ଦେବାର ସମ୍ଭାବନା ଥିଲେ ସୁଦ୍ଧା ପ୍ରଜା ସାଧାରଣଙ୍କର ଏଭଳି ଆଇନକୁ ପ୍ରତିରୋଧ କରିବାର ଶକ୍ତି ଅଛି କି ନାହିଁ ? ପାର୍ଲିଆମେଣ୍ଟ୍ ଅଧିକାରକୁ ଯେଉଁମାନେ ସମର୍ଥନ କରୁଥିଲେ ସେମାନେ ଲୋକଙ୍କର କ୍ଷମତା ଏବଂ ଆଧିପତ୍ୟ ପାର୍ଲିଆମେଣ୍ଟ୍‍ର ସ୍ୱାଧୀନତା ତଥା କ୍ଷମତା ବ୍ୟକ୍ତିବିଶେଷଙ୍କ ସ୍ୱାଧୀନତା ପ୍ରତିରୋଧ କରିବାର ଅଧିକାର ଏବଂ ରାଜା ଯେବେ ଅନ୍ୟାୟ କାର୍ଯ୍ୟ କରନ୍ତି ସେପରି କ୍ଷେତ୍ରରେ ତାଙ୍କୁ ଲୋକଙ୍କର ରାଜଗାଦିରୁ ବାଧ୍ୟକରି ବହିଷ୍କୃତ କରିଦେବାର କ୍ଷମତା ଅଛି ବୋଲି ଦାବି କଲେ । ସଂକ୍ଷେପରେ ସେମାନେ ରାଜ ସରକାରଙ୍କର ଅତ୍ୟାଚାରମୂଳକ କ୍ଷମତା ବିରୁଦ୍ଧରେ ବ୍ୟକ୍ତିବିଶେଷଙ୍କ କ୍ଷମତାକୁ ସମର୍ଥନ କଲେ । ଯେଉଁମାନେ ରାଜାଙ୍କ ସମର୍ଥକ ଥିଲେ ସେମାନେ ରାଜାଙ୍କର ସାର୍ବଭୌମ କ୍ଷମତା ଥିବାରୁ ଆଇନ ଓ ଶୃଙ୍ଖଳା ବଜାୟ ରଖିବାପାଇଁ କରାଯାଉଥିବା କାର୍ଯ୍ୟରେ ଲୋକେ ଯେପରି କୌଣସି ବାଧା ନ ଦିଅନ୍ତି ଏବଂ ରାଜାଙ୍କର ସମସ୍ତ ହୁକୁମ ନୀରବରେ ମାନନ୍ତି ସେଥିପାଇଁ ବ୍ୟବସ୍ଥା କରିବାର ଅଧିକାର ଅଛି ବୋଲି ଯୁକ୍ତି କଲେ । ସଂକ୍ଷେପରେ ବ୍ୟକ୍ତି ବିଶେଷଙ୍କ ସ୍ୱାଧୀନତା ବିରୁଦ୍ଧରେ ରାଜ–ସରକାରଙ୍କର ବାଧ୍ୟକରି ଲୋକଙ୍କର ସହଯୋଗ ପାଇବାର ଅଧିକାର ଅଛି ବୋଲି ସେମାନେ ଯୁକ୍ତି କଲେ ।

 

ଏହି ବିବାଦ ପାର୍ଲିଆମେଣ୍ଟ୍ ସପକ୍ଷରେ ନିଷ୍ପତ୍ତି ହେଲା । ସବୁ ସଂଘର୍ଷରେ ଯାହା ହୁଏ ଏଠାରେ ମଧ୍ୟ ସେହିପରି ବ୍ୟକ୍ତିଗତ ସ୍ୱାଧୀନତାର ବିଜୟ ହେଲା ଅସ୍ଥାୟୀ । ବ୍ୟକ୍ତିଗତ ସ୍ୱାଧୀନତା ଦୃଷ୍ଟିରୁ ଗୃହଯୁଦ୍ଧର ଫଳ ହେଲା ବିଷମୟ ଏବଂ ଏଥିପାଇଁ ଆଉ ଗୋଟିଏ ବିପ୍ଳବର ହେଲା ଆବଶ୍ୟକ । ବ୍ୟକ୍ତିଗତ ସ୍ୱାଧୀନତାକୁ ଦୃଢ଼ୀଭୂତ କରିବାପାଇଁ ପ୍ରଜାମାନଙ୍କର ରାଜାଙ୍କର ସମକକ୍ଷଭାବେ ତାଙ୍କ କାର୍ଯ୍ୟର ଭଲମନ୍ଦ ବିଚାର କରିବାର ଅଧିକାର ଅଛି ଏବଂ ସେମାନେ ଯେଭଳି ପୁରାତନ ପ୍ରଥାର ଶିକୁଳିରେ ନିଜକୁ ଆବଦ୍ଧ କରି ରଖିଥିଲେ ତାହା ଆଉ ବେଶୀଦିନ ନ ରଖି ନିଜକୁ ମୁକ୍ତ ଓ ସ୍ୱାଧୀନ କରିବାକୁ ଚାହାନ୍ତି । ଏହା ସାବ୍ୟସ୍ତ କରିବାପାଇଁ ଗୋଟିଏ ଅହିଂସାତ୍ମକ ବିଦ୍ରୋହ ଦେଖାଦେଲା ।

 

୧୬୮୮ ମସିହା ବିଲାତରେ ହୋଇଥିବା ଶାନ୍ତିପୂର୍ଣ୍ଣ ବିପ୍ଳବ ଯୋଗୁଁ ଲୋକେ ଆଇନ ଓ ଶୃଙ୍ଖଳାର ମୂଳପିଣ୍ଡ ବା ମୂଳଭିତ୍ତି ହୋଇଥିବା ସାମ୍ୱିଧାନିକ ଶାସନର ଅଧିକାର ପାଇଲେ । ଏହା ଫଳରେ ବହୁଦିନ ଧରି ପାର୍ଲିଆମେଣ୍ଟ୍ ଯେଉଁ ଅଧିକାର ସ୍ୱୀକୃତ କରାଇବା ପାଇଁ ଚେଷ୍ଟାକରି ଆସିଥିଲେ ସୁଦ୍ଧା ପ୍ରଥମ ଚାର୍ଲସଙ୍କ ଫାଶୀଯୋଗୁଁ ଯେଉଁ କାର୍ଯ୍ୟରେ ବ୍ୟାଘାତ ଦେଖାଦେଇଥିଲା ସେହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ୧୬୮୮ ମସିହାରେ ହୋଇଥିବା ଶାନ୍ତିପୂର୍ଣ୍ଣ ବିପ୍ଳବ କିପରି ସମ୍ଭବପର ହେଲା ? ମନମୁଖୀ ଏବଂ ଯଥେଚ୍ଛାଚାରର ଶାସନକୁ ପ୍ରତିରୋଧ କରିବା ପ୍ରଜାସାଧାରଣଙ୍କର ଜନ୍ମଗତ ଅଧିକାର ହୋଇଥିବାରୁ ତାହା ବଜାୟ ରଖିବାପାଇଁ କ୍ଷମତାରେ ଥିବା ଲୋକଙ୍କୁ ଅମାନ୍ୟ କରାଯିବାଦ୍ୱାରା ଏହା ସମ୍ଭବପର ହେଲା ।

 

ଯେଉଁ ନୀତିପାଇଁ ୧୬୮୮ ମସିହାର ବିପ୍ଳବ ଦେଖାଦେଇଥିଲା ଡାକ୍ତର ସଚେତ୍ତେରଲଙ୍କ ବିଖ୍ୟାତ ମୋକଦ୍ଦମାରେ ସେହି ନୀତି ସଗୌରବେ ଗୃହୀତ ହେଲା । ସେ ପ୍ରଚାର କରିଥିବା ବାଣୀରେ ନିମ୍ନଲିଖିତ ବିଷୟମାନ ଲିପିବଦ୍ଧ କରିଥିଲେ । ଆମର ସରକାର ତଥା ରାଜ୍ୟର ନିରାପତ୍ତା ଏବଂ ଯେଉଁ ସ୍ତମ୍ଭ ଉପରେ ଏହା ଦଣ୍ଡାୟମାନ ତାହାର ନିରାପତ୍ତା ସର୍ବଶକ୍ତିମାନଙ୍କର ସବୁ ଆଇନଗତ ବିଷୟରେ ପ୍ରଜାମାନଙ୍କର ଆଦେଶ ମାନି ଚଳିବା ଏବଂ କୌଣସି ପ୍ରକାର ଆଇନ ଦେଖାଇ କରାଯାଉଥିବା ପ୍ରତିରୋଧକୁ ବେଆଇନ ବୋଲି ଭାବିବାରେହିଁ ନିହିତ । ଦେଶରେ ବିଦେଶୀ ହୁଅନ୍ତୁ ତା’ ସ୍ୱଦେଶୀ ହୁଅନ୍ତୁ ଯେକୌଣସି ସ୍ୱେଚ୍ଛାଚାରୀ ସରକାରମାନେ ଶାନ୍ତି ଓ ଶୃଙ୍ଖଳା ନାମରେ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି, ଯେଉଁଥିପାଇଁକି ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ କରାଯାଉଥିବା କାର୍ଯ୍ୟକୁ ବିନା ପ୍ରତିରୋଧରେ ମାନିଯିବା ପାଇଁ କୁହାଯାଉଛି ତାହାର ମୂଳଭିତ୍ତି ହେଉଛି ଏହି ଚିନ୍ତାଧାରା । ଏହି ସମସ୍ୟାକୁ ୧୭୧୦ ମସିହାରେ କିପରି ବିଲାତରେ ସମାଧାନ କରାଯାଇଥିଲା...ତାହା ଦେଖିବାର ବିଷୟ । ଡାକ୍ତର ସଚତ୍ତେରେଲ୍ ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆଞ୍ଚ ଆସିଲା ଭଳି ମତପ୍ରକାଶ କରିଥିବାରୁ ପାର୍ଲିଆମେଣ୍ଟ୍‍ର କମନ୍‍ସ ସଭା ତାଙ୍କୁ ଦଣ୍ଡ ଦେଇଥିଲେ ଏବଂ ସେ ଦୋଷ କରିଛନ୍ତି ବୋଲି ଲର୍ଡ଼ସଭା ସଂଖ୍ୟାଧିକ ଭୋଟରେ ନିଷ୍ପତ୍ତି କରିଥିଲେ । ତାଙ୍କର ବିଚାର ସମୟରେ ଯେଉଁସବୁ ବକ୍ତୃତା ଦିଆଯାଇଥିଲା ତାହା ସବୁ ଅତିରିକ୍ତ କୌତୂହଳୋଦ୍ଦୀପକ । ସେହି ବକ୍ତୃତାମାନଙ୍କ ମଧ୍ୟରୁ କେତେକ ମୁଁ ଏଠାରେ ଉଦ୍ଧାର କରୁଛି । ସାର୍ ଯୋସେଫ୍ ଜାକିଲ୍ ବକ୍ତୃତା ପ୍ରସଙ୍ଗରେ କହିଥିଲେ, ‘‘ଆଇନ ରାଜାଙ୍କର ଏକାଧିପତ୍ୟ କ୍ଷମତା ତଥା ପ୍ରଜାସାଧାରଣଙ୍କର ଦାସତ୍ୱର ମାପକାଠି ହୋଇଥିଲେ ସୁଦ୍ଧା ସାଧାରଣ ଲୋକଙ୍କର ସମ୍ମତି ବା ସ୍ୱୀକୃତିରେହିଁ ଆଇନର ଯଥାର୍ଥତା ନିହିତ । ପ୍ରଜାସାଧାରଣଙ୍କର ସ୍ୱୀକୃତି ନ ନେଇ ଆଇନ କରିବାର ଅର୍ଥ ହେଉଛି କର୍ତ୍ତବ୍ୟ ପାଳନ ନ କରିବା । ଏହି ନୀତି ଅର୍ଥାତ୍ ଆଇନ ପ୍ରଣୟନ କଲାବେଳେ ଶାସିତ ତଥା ଶାସକଙ୍କ ସମ୍ମତିରେ ଏହା ହେବାପାଇଁ ବାଞ୍ଛନୀୟ ନୀତି; ଯେବେ ଏହା ଗ୍ରହଣ କରାଯାଏ ତାହାହେଲେ ରାଜା ଓ ପ୍ରଜା ଉଭୟ ଏହା ମାନି ଚଳିବାରେ କୌଣସି ପ୍ରତିବନ୍ଧକ ଦେଖା ଦେବନାହିଁ । ମହାମାନ୍ୟ ବିଚାରପତି, ବିପ୍ଳବ ହେବାଦ୍ୱାରା ଲୋକଙ୍କର ଆଇନକୁ ପ୍ରତିରୋଧ କରିବାର କ୍ଷମତା ନାହିଁ ବୋଲି କୁହାଯାଉଥିବା କଥା ଯେପରି ଜଳାଞ୍ଜଳି ଦିଆଗଲା ସେହିପରି ପାର୍ଲିଆମେଣ୍ଟ୍‍ରେ ଆଇନମାନ ପାସ୍ ହୋଇ ଲୋକଙ୍କର ଅଧିକାର ପ୍ରତିଷ୍ଠା କରାଗଲା । ......ତେଣୁ ମୁଁ ଏତିକି କହିପାରେ ଯେ ଯେଉଁ ସରକାରଙ୍କର କାର୍ଯ୍ୟ ହେଉଛି ଆଇନ ତିଆରି କରି ତାହା କାର୍ଯ୍ୟକାରୀ କରିବା ସେହି ସରକାରଙ୍କୁ ଧ୍ୱଂସ କରିବା କେବେହେଲେ ଆଇନର ଉଦ୍ଦେଶ୍ୟ ହୋଇ ନ ପାରେ । ମିଷ୍ଟର୍ ୱାଲ୍‍ପୋଲ୍ ସମଗ୍ର ଯୁକ୍ତିକୁ ସଂକ୍ଷେପରେ କହିବାକୁ ଯାଇ କହିଥିଲେ, ‘‘ଅଖଣ୍ଡଭାବେ ବିନା ସର୍ତ୍ତରେ ସରକାରଙ୍କ କଥାକୁ ନୀରବଭାବେ ମାନିବା କଥା ପ୍ରଥମେ ମନମୁଖୀ ଏକଛତ୍ର ଶାସନକୁ ସମର୍ଥନ କରିବାପାଇଁ ଆବିଷ୍କାର କରାଗଲା ଏବଂ ଯେଉଁ ସରକାର ଏଭଳି କ୍ଷମତା କୌଣସି ନା କୌଣସି ସମୟରେ ବ୍ୟବହାର କରିବାକୁ ଚାହୁଁ ନଥିଲେ ସେମାନେ ଏଭଳି କ୍ଷମତାର ପକ୍ଷପାତୀ ହୋଇ ନଥାନ୍ତେ ।’’ ତାଙ୍କ କହିବା ଅନୁସାରେ ଆଇନ ଓ ଶୃଙ୍ଖଳାର ଦ୍ୱାହି ଦେଇ ଏକଛତ୍ର ଶାସକମାନେ ସେମାନଙ୍କ ହାତମୁଠା ଟାଣକରିବାକୁ ଚାହୁଁ ନଥିବାରୁ ଏହି ଦୁଆ ଅସତ୍ ଉଦ୍ଦେଶ୍ୟରେ ଉଠାଯାଉ ନଥିବ ବୋଲି ଏହି ଯେଉଁ ଯୁକ୍ତି କରାଯାଇଛି ତାହାଠାରୁ ବଳି ବଳିଷ୍ଠ ଯୁକ୍ତି କରାଯାଇ ନ ପାରେ । ମୁଁ ଏହି ସମ୍ପର୍କରେ ମେଜର୍ ଜେନେରାଲ ଷ୍ଟାନ୍‍ଫୋନ୍‍ଙ୍କ କହିଥିବା କଥା ଉଦ୍ଧାର କରିବି । ସେ କହିଥିଲେ ଯେ, ‘‘ଏହି ଯେକୌଣସି ଅବସ୍ଥାରେ କ୍ଷମତାରେ ଥିବା ସରକାରଙ୍କ ଆଦେଶକୁ କୌଣସି ପ୍ରକାର ପ୍ରତିରୋଧ ନ କରି ବିନା ଆପତ୍ତିରେ ମାନିଯିବା ଉଚିତ ବୋଲି ଯାହା କୁହାଯାଉଛି ତାହା ଯେ ଅଯୌକ୍ତିକ ଏବଂ ଆଇନର ପ୍ରକୃତିବିରୁଦ୍ଧ ଓ ସମସ୍ତ ପ୍ରକାର ଯୁଗ ଏବଂ ଦେଶରେ ପ୍ରଚଳିତ ହୋଇଆସିଥିବା ରୀତିନୀତି ବିରୁଦ୍ଧ ଏ ବିଷୟରେ କୌଣସି ଯୁକ୍ତି କରିବା ନିଷ୍ପ୍ରୟୋଜନ । ପୃଥିବୀର ସମସ୍ତ ଦେଶର ଲୋକେ ଓ ସବୁ ଧର୍ମସଂସ୍ଥାମାନ ସେମାନଙ୍କର ନିଜ ନିଜର ବ୍ୟକ୍ତିଗତ ମୌଳିକ ତଥା ଧର୍ମଗତ ଅଧିକାର ଉପରେ ଆଞ୍ଚ ଆସିବା ସମୟରେ ତାହାର ସେମାନେ କିପରି ପ୍ରତିରୋଧ କରି ଆସିଛନ୍ତି ଏହା ପ୍ରତ୍ୟେକ ଲୋକ ଅନୁସନ୍ଧାନ କଲେ ଜାଣିପାରିବେ ।’’

 

ଏହାହିଁ ହେଉଛି ବିଲାତରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନର ଇତିହାସ । ଏହା ଆଲୋଚନା କଲେ ଯେକୌଣସି ଲୋକ ବୁଝି ପାରିବ ଯେ, ତଥାକଥିତ ଆଇନ ଓ ଶୃଙ୍ଖଳା ଦୁଆକୁ ସ୍ୱୀକାର କରି ବା ମାନିଯାଇ ବିଲାତର ଲୋକେ ସେମାନଙ୍କର ମୌଳିକ ଅଧିକାର ସ୍ୱୀକୃତ କରାଇନାହାନ୍ତି ବା ପାଇନାହାନ୍ତି । ମୁଁ ଯେଉଁ ଆଲୋଚନା କରି ଆସିଲି ତହିଁରୁ ପରିଷ୍କାର ବୁଝାଯାଉଛି ଯେ ପ୍ରଥମତଃ କୌଣସି ନିମୟ ଆଇନରେ ପରିଣତ ହୋଇ ପାରିବ ନାହିଁ ଯେପର୍ଯ୍ୟନ୍ତ ତହିଁରେ ଜନସାଧାରଣଙ୍କ ସମ୍ମତି ବା ସମର୍ଥନ ନାହିଁ । ଦ୍ୱିତୀୟତଃ ଲୋକଙ୍କର ବିନା ସମର୍ଥନରେ କରାଯାଇଥିବା ଆଇନକୁ ମାନିବାପାଇଁ ଲୋକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ତୃତୀୟତଃ ଯେଉଁଠାରେ କରାଯାଇଥିବା ଆଇନ କେବଳ ଯେ ଲୋକଙ୍କର ବିନା ସମ୍ମତିରେ କରାଯାଇଛି ସେତିକି ନୁହେଁ, ତାହା ସଙ୍ଗେ ସଙ୍ଗେ କରାଯାଇଥିବା ଆଇନଦ୍ୱାରା ଯେବେ ଜନସାଧାରଣଙ୍କର ମୌଳିକ ଅଧିକାର ଉପରେ ଆଞ୍ଚ ଆସୁଥାଏ ତାହାହେଲେ ସେହି ଆଇନ ଯେପରି ପ୍ରତ୍ୟାହୃତ ହୁଏ ସେଥିପାଇଁ ଶାସକ ଗୋଷ୍ଠୀକୁ ବାଧ୍ୟ କରିବାକୁ ଲୋକଙ୍କର ବିପ୍ଳବ କରିବାର ଅଧିକାର ଅଛି । ଚତୁର୍ଥରେ ଆଇନ ଓ ଶୃଙ୍ଖଳାର ଆଶ୍ରୟ ସବୁ ସମୟରେ ଏକଛତ୍ର ଶାସକ ଗୋଷ୍ଠୀ ନେଇ ଆସିଛନ୍ତି ଓ ନେଉଛନ୍ତି ଏବଂ ଶେଷରେ ପ୍ରକୃତରେ ଆଇନସମ୍ମତ ଶାସନ ସମ୍ମୁଖରେ ଆଇନ ବା ଶୃଙ୍ଖଳାର ଦ୍ୱାହିର କୌଣସି ମୂଲ୍ୟ ନାହିଁ ।

 

ଏହି ବିଷୟ ପ୍ରଧାନ ଜୀବନ୍ତ ଆଲୋଚ୍ୟ ବିଷୟ ହୋଇଥିବାରୁ ଏବଂ ପ୍ରତ୍ୟେକ ଲୋକଙ୍କର ଆଇନ ଓ ଶୃଙ୍ଖଳା ବଜାୟ ରଖିବା ଦିଗରେ ସରକାରଙ୍କୁ ସାହାଯ୍ୟ କରିବା କର୍ତ୍ତବ୍ୟ ବୋଲି ବହୁ ମାନ୍ଦାଦଳର ଲୋକେ କହୁଥିବାରୁ ମୁଁ ଏ ସମ୍ପର୍କରେ ବିଷଦଭାବେ ଆଲୋଚନା କଲି । ଆଜି କ୍ଷମତାରେ ଥିବା ଲୋକଙ୍କୁ ଦିଆଯାଇଥିବା ଏକଛତ୍ର କ୍ଷମତାର ସେମାନେ କିପରି ବ୍ୟବହାର କରୁଛନ୍ତି ତାହା ଉପରେ ପ୍ରତ୍ୟେକ ଭାରତୀୟର ବ୍ୟକ୍ତିଗତ ସ୍ୱାଧୀନତା ନିର୍ଭର କରୁଛି । ଯେଉଁଠାରେ ଏହି ଅଖଣ୍ଡ କ୍ଷମତା ବ୍ୟବହାର କରାଯାଉଛି ସେହି କ୍ଷେତ୍ରରେ ଆଇନଗତ ଶାସନକୁ ଅସ୍ୱୀକାର କରାଯାଉଛି । ଏହି ଆଇନ ଓ ଶୃଙ୍ଖଳାର ଦ୍ୱାହି ଧୀରସ୍ଥିର ବିଜ୍ଞଲୋକମାନଙ୍କୁ କେତେଦୂର ପ୍ରଭାବିତ କରିଛି ସେଥିପାଇଁ ଆପଣମାନେ ଅତ୍ୟାଚାରମୂଳକ ଆଇନମାନଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାପାଇଁ ନିଯୁକ୍ତ କରାଯାଇଥିବା କମିଟି ରିପୋର୍ଟ ପ୍ରତି ଦୃଷ୍ଟି ଦିଅନ୍ତୁ । ସେହି ରିପୋର୍ଟରେ ଆପଣମାନେ ଦେଖିବାକୁ ପାଇବେ ଯେ ଦେଶପ୍ରେମୀ ରାଷ୍ଟ୍ରନୀତିଜ୍ଞମାନଙ୍କର ବିଜ୍ଞତା ସମ୍ପର୍କରେ କିଛି ଉଲ୍ଲେଖ କରା ନ ଯାଇ କେବଳ ଭୁଲ ଭାବରେ ଅର୍ଥ କରାଯାଉଥିବା ‘‘ଆଇନ ଓ ଶୃଙ୍ଖଳା’’ର ଅତିରିକ୍ତ ସ୍ତୁତି କରାଯାଇଛି । ୧୮୧୮ ମସିହାରେ ହୋଇଥିବା ତୃତୀୟ ଆଇନ ସଂଶୋଧନ କରାଯାଇ ଚାଲୁ ରଖିବାର ଆବଶ୍ୟକତା କ’ଣ ? ଭାରତର ସୀମାନ୍ତ ରକ୍ଷାକରି ଭାରତୀୟ ଗଡ଼ଜାତମାନଙ୍କ ପ୍ରତି ଭାରତ ସରକାରଙ୍କର ଥିବା ଦାୟିତ୍ୱ ପୂରଣ କରିବା ଦିଗରେ ବାଧା ସୃଷ୍ଟି କରୁଥିବା ଲୋକେ ଯେଉଁମାନଙ୍କ ବିରୁଦ୍ଧରେ କି ପ୍ରଚଳିତ ଦଣ୍ଡବିଧି ଆଇନ ଅନୁଯାୟୀ କିଛି କରାଯାଇପାରିବ ନାହିଁ । ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସ୍ୱତନ୍ତ୍ର ଆଇନର ଦରକାର ହେଉଥିବାରୁ ଏହା କରାଯାଇଛି । ଭାରତୀୟ ଫୌଜଦାରି ସଂଶୋଧିତ ଦଣ୍ଡବିଧି ଆଇନ ୧୯୦୮ ଏବଂ ରାଜଦ୍ରୋହ ସଭା ନିରାକରଣ ଆଇନ ୧୯୧୧ ଏପର୍ଯ୍ୟନ୍ତ କାହିଁକି ଚାଲୁ ରଖାଯାଇଛି ? ଆଇନ ଓ ଶୃଙ୍ଖଳା ରକ୍ଷାପାଇଁ ଏହା ରଖାଯାଇଛି ବୋଲି କୁହାଯାଇଛି-। ଏହି ରିପୋର୍ଟ ତିଆରି କରିଥିବା ଭଦ୍ରବ୍ୟକ୍ତିମାନେ ଭୁଲିଯାଉଛନ୍ତି ଯେ ଏହି ଆଇନମାନଙ୍କଦ୍ୱାରା ଶାସକମାନଙ୍କୁ ଏଭଳି ଅଖଣ୍ଡକ୍ଷମତା ଦିଆଯାଇଛି ଯାହା ଫଳରେ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପକ୍ଷରେ ଉକ୍ତ ଆଇନମାନ ପ୍ରତିରୋଧ କରି ଏହିଭଳି ଅରାଜକତା ସୃଷ୍ଟିକରୁଥିବା ଆଇନମାନ ଅମାନ୍ୟ କରିବା କର୍ତ୍ତବ୍ୟ ହୋଇ ପଡ଼ିଛି । ଆଇନ ଏବଂ ଶୃଙ୍ଖଳା ବୋଇଲେ ଯାହା ବୁଝାଯାଏ ଆଇନସମ୍ମତ ଶାସନ ତାହାର ମୂଳଦୁଆ ହୋଇଥିବାରୁ ଏହି ଆଇନମାନଙ୍କଦ୍ୱାରା ଆଇନ ଓ ଶୃଙ୍ଖଳାଭଙ୍ଗ କରାଯାଇଚି । ଯେଉଁ କ୍ଷେତ୍ରରେ ତୁମେ ଆଇନସମ୍ମତ ଆଇନକୁ ସ୍ୱୀକାର କରୁନାହଁ ସେଠାରେ ‘‘ଆଇନ ମାନୁଥିବା ନାଗରିକ ହିସାବରେ ତୁମର ଆଇନ ମାନିବା କର୍ତ୍ତବ୍ୟ’’ ବୋଲି କହି ନ ପାର ।

 

ଆମର ଜାତୀୟ ଇତିହାସରେ ଗତ କେତେ ବର୍ଷ ଧରି ଶାନ୍ତି ଓ ଶୃଙ୍ଖଳାର ଯଥେଷ୍ଟ ଉଦାହରଣ ଆମେ ପାଇଲୁଣି । ସଂଶୋଧିତ ଫୌଜଦାରି ଦଣ୍ଡବିଧି ଆଇନ ଅନୁଯାୟୀ କଂଗ୍ରେସ ସ୍ୱେଚ୍ଛାସେବକମାନେ କରୁଥିବା ସାଧାରଣ ଆଇନଗତ କାର୍ଯ୍ୟକୁ ବେଆଇନ ଓ ଦୋଷାବହ ବୋଲି ଘୋଷଣା କରିବାପାଇଁ ଯେଉଁ ଆଦେଶ ପ୍ରବର୍ତ୍ତନ କରାଯାଇଛି ତାହା ହେଉଛି ଆମକୁ ଦିଆଯାଇଥିବା ଶେଷ ଉପହାର । ଆଇନ ମାନୁଥିବା ନାଗରିକମାନଙ୍କର ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ଉଚିତ ବୋଲି ଯୁକ୍ତିକରି ଆମର ମାନ୍ଦାଦଳର ବନ୍ଧୁମାନେ ଏହାକୁ ସମର୍ଥନ କରୁଛନ୍ତି । ଏହି ଶାନ୍ତି ଓ ଶୃଙ୍ଖଳା ଦ୍ୱାହି ଇଂଲଣ୍ଡ ଉପକୂଳରୁ ଆରମ୍ଭ ହୋଇ ଯେଭଳି ପ୍ରସାର ଲାଭ କରିଛି ତାହା ମୁଁ ପୂର୍ବରୁ ଆଲୋଚନା କରିଛି । ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । ଆଜି ଅମଲାତନ୍ତ୍ରର ଶାସକଗୋଷ୍ଠୀ ଏବଂ ତାଙ୍କର ସମର୍ଥକମାନେ ଯେଉଁସବୁ ଯୁକ୍ତି କରୁଛନ୍ତି ତହିଁରେ ଏଭଳି ଭଲା ଗୋଟିଏ ହେଲେ ଯୁକ୍ତି ଅଛି ଯାହାକି ଷ୍ଟୁଆର୍ଟ ବଂଶୀୟ ରାଜାମାନେ କରି ନଥିଲେ, ଯେତେବେଳେ ଷ୍ଟୁଆର୍ଟ ବଂଶର ରାଜାମାନେ ଦରବାରଙ୍କୁ ଅମାନ୍ୟ କରୁଥିବା ସମସ୍ତ ଲୋକଙ୍କୁ ବନ୍ଦୀ କରିବା ଭଳି ଅଖଣ୍ଡ କ୍ଷମତା ଜାତିର ନିରାପତ୍ତା ନାଁରେ ନିଜହାତରେ ରଖି ତାକୁ ପ୍ରୟୋଗ କଲେ ତାହା ବିରୁଦ୍ଧରେ ବିଲାତରେ ଯେଉଁ ପ୍ରତିରୋଧ ହେଲା ତାହା ଉକ୍ତ କ୍ଷମତା ଜାତିର ନିରାପତ୍ତା ପାଇଁ କେବେହେଲେ ବ୍ୟବହୃତ ନ ହୋଇ ବ୍ୟକ୍ତିଗତ ସ୍ୱାଧୀନତାର ଅନ୍ତରାୟ ହୋଇଥିବାରୁ ତାହାକୁ ପ୍ରତିରୋଧ କରାଗଲା । ଯେତେବେଳେ ଷ୍ଟୁଆର୍ଟ ବଂଶୀୟ ରାଜାମାନେ ହୁକୁମ ବଳରେ ଆଇନ କରିବା କ୍ଷମତା ଚାହିଁଲେ ଏବଂ ବିନା ସଂକୋଚରେ ତାହା ବ୍ୟବହାର କଲେ, ସେତେବେଳେ ସାଧାରଣଙ୍କ ନିରାପତ୍ତା ପାଇଁ ଏହା ଆବଶ୍ୟକ ବୋଲି ଯୁକ୍ତି କରାଯାଇଥିଲା । ଏହି ଅଧିକାର ଶାସକଗୋଷ୍ଠୀକୁ ଦେବାକୁ ଇଂରେଜ ଲୋକେ ଯେ ଅସ୍ୱୀକାର କଲେ ଏହାର କାରଣ ନୁହେଁ ଯେ ସେପରି କ୍ଷମତା ଅନାବଶ୍ୟକ । ଏହାର କାରଣ ହେଉଛି, ଦେଶର ଶାସନପାଇଁ ଲୋକଙ୍କର ଆଇନ କରିବାର ଯେଉଁ ମୌଳିକ ଅଧିକାର ଅଛି ତାହା ସହିତ ଏଭଳି କ୍ଷମତା ଖାପଖାଇ ପାରୁ ନଥିବାରୁ ଲୋକେ ଏହାର ପ୍ରତିରୋଧ କଲେ । ଆଜି ବ୍ରିଟିଶ ଭାରତର ନିରାପତ୍ତା ଓ ଶାନ୍ତିପାଇଁ ଆଇନ କରିବାକୁ ବଡ଼ଲାଟଙ୍କର ସ୍ୱତନ୍ତ୍ର କ୍ଷମତା ଦରକାର ବୋଲି ଯାହା ଦାବି କରାଯାଉଛି, ତାହା ଷ୍ଟୁଆର୍ଟ ବଂଶୀୟ ରାଜାମାନେ ଦାବି କରୁଥିବା କ୍ଷମତାଠାରୁ କ’ଣ ଭିନ୍ନ ? ବରଂ ଆଜି ବଡ଼ଲାଟ ଏବଂ ପ୍ରାଦେଶିକ ଲାଟମାନଙ୍କୁ ଯେଉଁ କ୍ଷମତା ଦିଆଯାଇଛି ଟିଉଡ଼ର ଓ ଷ୍ଟୁଆର୍ଟ ବଂଶୀୟ ରାଜାମାନେ ଦାବି କରୁଥିବା କ୍ଷମତା ସମୂହ ସହିତ ସେ ସବୁର ଯଥେଷ୍ଟ ସାମଞ୍ଜସ୍ୟ ଅଛି । ଯେତେବେଳେ ଷ୍ଟୁଆର୍ଟ ବଂଶୀୟ ରାଜାମାନେ ନିଜ ଇଚ୍ଛାନୁସାରେ ଲୋକଙ୍କଠାରୁ ରାଜସ୍ୱ ଆଦାୟ କରିବାର ଅଧିକାର ଦାବିକଲେ ସେତେବେଳେ ସେମାନେ ବାରମ୍ୱାର ପ୍ରତିଶ୍ରୁତି ଦେଇଥିଲେ ଯେ, ‘‘କେବଳ ରାଜ୍ୟର ସମୂହ ମଙ୍ଗଳପାଇଁ ଏବଂ ରାଜ୍ୟ ଯେବେ କୌଣସି ବିପଦର ସମ୍ମୁଖୀନ ହୁଏ, କେବଳ ସେତେବେଳେହିଁ ଏହି ଅଧିକାର ପ୍ରୟୋଗ କରାଯିବ ଏବଂ କେତେବେଳେ ଏହା ପ୍ରୟୋଗ କରାଯିବ ନାହିଁ ।’’ ରାଜ୍ୟର ମଙ୍ଗଳପାଇଁ ଯେ କର ଆଦାୟ ଅନାବଶ୍ୟକ ବୋଲି ରାଜାଙ୍କର ଏହି କ୍ଷମତାକୁ ପ୍ରତିରୋଧ କରାଗଲା ତାହା ନୁହେଁ । ଏହି ଅଧିକାର ପ୍ରତିରୋଧ କରାଯିବାର ଏକମାତ୍ର କାରଣ ହେଲା, ଲୋକେ ସେମାନଙ୍କ ପ୍ରତିନିଧିମାନଙ୍କଦ୍ୱାରା ନିର୍ଦ୍ଧାରିତ ଟିକସ ଦେବେ ବୋଲି ସେମାନଙ୍କର ଯେଉଁ ମୌଳିକ ଅଧିକାର ଅଛି ତାହା ସହିତ ରାଜାଙ୍କର ଏହି ଅଧିକାର ଖାପ ଖାଉ ନଥିବାରୁ ବରଂ ବିରୁଦ୍ଧାତ୍ମକ ହୋଇଥିବାରୁ ବିରୋଧ କରାଯାଇଥିଲା । ପ୍ରଚଳିତ ସମ୍ୱିଧାନ ଅନୁଯାୟୀ ଯେଉଁ ଖର୍ଚ୍ଚ ବ୍ୟବସ୍ଥାପକ ସଭାରେ ପାସ୍ ହୋଇ ନ ପାରିଛି ତାକୁ ନିଜର ଅଖଣ୍ଡ କ୍ଷମତା ବଳରେ ପାସ୍ କରିବାପାଇଁ ଲାଟମାନଙ୍କୁ ଯେଉଁ କ୍ଷମତା ଦିଆଯାଇଛି, ଷ୍ଟୁଆର୍ଟ ବଂଶୀୟ ରାଜାମାନେ ଦାବି କରୁଥିବା କ୍ଷମତାଠାରୁ ତାହା କ’ଣ କୌଣସି ପ୍ରକାରେ ଭିନ୍ନ ? ଏଥିରୁ ପରିଷ୍କାର ସମସ୍ତେ ଜାଣିବା ଉଚିତ ଯେ ଆମେ କୌଣସି ଆଇନସମ୍ମତ ଶାସନ ଅଧୀନରେ ନାହୁଁ । ବିଲାତର ଇତିହାସରୁ ପରିଷ୍କାରଭାବେ ଜଣାଯାଇଛି ଯେ ଯେଉଁ କ୍ଷେତ୍ରରେ ଶାସକଗୋଷ୍ଠୀଙ୍କ ହାତରେ ମନଇଚ୍ଛା କାର୍ଯ୍ୟ କରିବାକୁ ଅଖଣ୍ଡ କ୍ଷମତା ଦିଆଯାଇଥାଏ, ସେଠାରେ ଆଇନ ଓ ଶୃଙ୍ଖଳା କଥା ଉଠାଇବା ନିରର୍ଥକ । ଏହି ‘‘ଆଇନ ଓ ଶୃଙ୍ଖଳା’’ର ଦ୍ୱାହିକୁ ବିଲାତର ଜନସାଧାରଣ ପ୍ରବଳ ପ୍ରତିରୋଧ କରି ସେଥିରେ ବିଜୟ ହାସଲ କରିଛନ୍ତି । ଆଜି ଯେବେ ଭାରତବର୍ଷରେ ମାନବିକତା ବୋଲି କିଛି ଥାଏ ତାହାହେଲେ ଭାରତୀୟ ଅମଲାତନ୍ତ୍ର ଶାସକଗୋଷ୍ଠୀ ଯେଉଁ ଦ୍ୱାହି ଦେଉଛି ତାକୁ ସେମାନେ ସଫଳଭାବରେ ପ୍ରତିରୋଧ କରିବେ ।

 

ଯେଉଁ ଲୋକେ ‘‘ଆଇନ ଓ ଶୃଙ୍ଖଳା’’ର ଦ୍ୱାହି ଦେଉଛନ୍ତି ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଭାରତବର୍ଷ ଭଳି ବିଶାଳ ଦେଶ ଓ ଜାତି ଇଂରେଜ ଇତିହାସର ପଦାଙ୍କ ଅନୁସରଣ କରିବା ଉଚିତ । ସେମାନେ ଭଲ ଭାବରେ ହୃଦୟଙ୍ଗମ କରି ଅବସ୍ଥା ଯେପରି ବୁଝନ୍ତି, ସେଥିପାଇଁ ମୁଁ ବିଲାତର ଇତିହାସରୁ ଦୃଷ୍ଟାନ୍ତମାନ ବିଶଦଭାବେ ଏଠାରେ ଦେଇଛି । ଏହି ଯେଉଁ ‘‘ଆଇନ ଓ ଶୃଙ୍ଖଳା’’ର ଦ୍ୱାହି ଦିଆଯାଉଛି ମୁଁ କେବଳ ଐତିହାସିକ କାରଣରୁ ତା’ର ବିରୋଧ ନ କରି ପ୍ରତ୍ୟେକ ବ୍ୟକ୍ତିବିଶେଷ ତଥା ଜାତିର ସତ୍ୟ ଓ ନ୍ୟାୟ ପ୍ରତି ଦୃଷ୍ଟିରଖି ପ୍ରତ୍ୟେକ ଅନ୍ୟାୟ ଆଇନକୁ ପ୍ରତିରୋଧ କରିବା କର୍ତ୍ତବ୍ୟ ହୋଇଥିବାରୁ ମୁଁ ଏହାକୁ ବିରୋଧ କରୁଛି । ଖ୍ରୀଷ୍ଟଙ୍କ ସମୟରେ ଗୋଟିଏ ଆଇନ ଥିଲା, ଯେଉଁଥିରେ କି ଲୋକେ ସାବାଥ ଦିନ ଖାଇ ପାରିବେ ନାହିଁ ବୋଲି ନିୟମ ଥିଲେ ସୁଦ୍ଧା ପୁରୋହିତମାନଙ୍କ ପ୍ରତି ଏହି ନିୟମ ପ୍ରଯୁଜ୍ୟ ହେଉ ନଥିଲା । ଏ ସମ୍ପର୍କରେ ଯିଶୁଖ୍ରୀଷ୍ଟ ଆଇନଟିକୁ କିପରି ପାଳନ କଲେ ତାହା ନ୍ୟୁ ଟେଷ୍ଟାମେଣ୍ଟରେ ବର୍ଣ୍ଣନା କରାଯାଇଛି ।

 

‘‘ଏକଦା ଯିଶୁଖ୍ରୀଷ୍ଟ ସାବ୍‍ବାଥ ଦିବସରେ ଶସ୍ୟକ୍ଷେତ୍ର ମଧ୍ୟଦେଇ ଯାତ୍ରା କରୁଥିଲେ । ତାଙ୍କ ସହିତ ତାଙ୍କର ଶିଷ୍ୟମାନେ ମଧ୍ୟ ଥିଲେ ଏବଂ ସେମାନେ ସମସ୍ତେ କ୍ଷୁଧାର୍ତ୍ତ । ସେମାନେ ଶସ୍ୟକ୍ଷେତ୍ରରୁ ଶସ୍ୟ ଆହରଣ କରି ଭକ୍ଷଣ କରିବାକୁ ଲାଗିଲେ । କିନ୍ତୁ ଯେତେବେଳେ ଫାରିସୀମାନେ ତାହା ଦେଖିଲେ, ସେମାନେ ଯିଶୁଖ୍ରୀଷ୍ଟଙ୍କୁ କହିଲେ, ‘ଆପଣଙ୍କର ଶିଷ୍ୟମାନେ ପବିତ୍ର ସାବାଥ ଦିବସରେ ନିୟମବିରୁଦ୍ଧ କାର୍ଯ୍ୟ କରୁଛନ୍ତି ।’

 

‘‘କିନ୍ତୁ ସେ (ଯିଶୁଖ୍ରୀଷ୍ଟ) ସେମାନଙ୍କୁ ଉତ୍ତର ଦେଲେ, ଡେଭିଡ଼ ଓ ତାଙ୍କ ଶିଷ୍ୟମାନେ କ୍ଷୁଧାର୍ତ୍ତ ଅବସ୍ଥାରେ କ’ଣ କରିଥିଲେ ତୁମେମାନେ କ’ଣ ତାହା ପଢ଼ିନାହଁ ?

 

ସେ (ଡେଭିଡ଼) କିପରି ଦେବମନ୍ଦିର ମଧ୍ୟକୁ ପ୍ରବେଶ କରି କେବଳ ପୁରୋହିତମାନଙ୍କ ପାଇଁ ଉଦ୍ଦିଷ୍ଟ ରୁଟି ଭକ୍ଷଣ କଲେ ?

 

‘‘କିମ୍ୱା, ତୁମ୍ଭେମାନେ କ’ଣ ପଢ଼ିନାହଁ ଯେ, ମନ୍ଦିର ପୁରୋହିତମାନେ ସାବ୍‍ବାଥ ଦିବସରେ ଆଇନବିରୁଦ୍ଧ କାର୍ଯ୍ୟ କରି ସୁଦ୍ଧା ଦୋଷମୁକ୍ତ ଥିଲେ ?’’

 

ସତ କହିବାକୁ ଗଲେ ମଣିଷପାଇଁ ‘ଆଇନ ଓ ଶୃଙ୍ଖଳା’ ଦରକାର । ଆଇନ ଓ ଶୃଙ୍ଖଳାପାଇଁ ମଣିଷ ତିଆରି ହୋଇନାହିଁ । ତେଣୁ ମଣିଷର ସୁବିଧା ଅନୁଯାୟୀ ଆଇନ ଶୃଙ୍ଖଳା ତିଆରି ହେବା ଉଚିତ । ଜାତୀୟତାର ବିକାଶ ଗୋଟିଏ ବିରାଟ ଓ ମହତ୍ ଜିନିଷ ଏହାର ବିକାଶ ପଥରେ ଅନ୍ତରାୟ ହେଉଥିବା ଯେକୌଣସି ଶକ୍ତିକୁ ଚୂର୍ଣ୍ଣୀଭୂତ କରିଦେବାର ଶକ୍ତି ଜାତୀୟତାର ଅଛି-। ଏହି ଜାତୀୟତାର ଅନ୍ତରାୟ ହେବାଭଳି ଯେବେ କୌଣସି ନୀତି ନିର୍ଣ୍ଣୟ କରାଯାଉଥାଏ ତାହା କାହିଁକି କରାଯାଉଛି ? ଏହା ଅତି ଶୀଘ୍ର ଦୂରୀଭୂତ ହେବା ଦରକାର । ଯେବେ ଆଇନସମ୍ମତ ନିୟମ କାନୁନକୁ ପ୍ରତିଷ୍ଠା କରି ରକ୍ଷାକରିବା ପାଇଁ ଆଇନ ଓ ଶୃଙ୍ଖଳାର ଆଶ୍ରୟ ତୁମେ ନେଉଥାଅ, ତାହାହେଲେ ପ୍ରତ୍ୟେକ ଆଇନ ମାନୁଥିବା ନାଗରିକ ସେ ସବୁ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହେଉଛି କର୍ତ୍ତବ୍ୟ । କିନ୍ତୁ ଯେଉଁ ମୁହୂର୍ତ୍ତରେ ଆଇନସମ୍ମତ ବ୍ୟବସ୍ଥାକୁ ରକ୍ଷା କରିବାପାଇଁ ଆଇନ ଓ ଶୃଙ୍ଖଳାର ଆଶ୍ରୟ ନ ନେଇ ତାହା ଧ୍ୱଂସ କରିବାପାଇଁ ତା’ର ଆଶ୍ରୟ ନିଆଯିବ ସେପରି ବ୍ୟବସ୍ଥାରେ ଆଇନ ଶୃଙ୍ଖଳା ମାନିବାକୁ କେହି ହେଲେ ବାଧ୍ୟ ନୁହନ୍ତି । କାରଣ ତାହାଠାରୁ ଊର୍ଦ୍ଧ୍ୱରେ ଥିବା ଆଇନ ଅର୍ଥାତ୍ ଭଗବାନଙ୍କ ଆଇନ ଏଭଳି ଆଇନକୁ ଦୃଢ଼ତାର ସହିତ ପ୍ରତିରୋଧ କରିବାକୁ ଆମକୁ ବାଧ୍ୟ କରୁଛି । ଯେବେ ମୋ ଦୃଷ୍ଟିକୁ ଏଭଳି କୌଣସି ଆଇନ ଆସେ, ଯାହାକି ଆଇନ ଓ ଶୃଙ୍ଖଳାର ମହତ୍ ନାମ ନେଇ ଜାତିର ବିକାଶ ତଥା ଆତ୍ମୋନ୍ନତି ପଥରେ କୁଠାରାଘାତ କରୁଛି ସେହିପରି ଅବସ୍ଥାରେ ସେ ‘‘ଆଇନ ଓ ଶୃଙ୍ଖଳା’’ ଯାହା କିଛି ହେଉ ପଛେ ତାହା ମଣିଷ ଉପରେ ବଳପ୍ରୟୋଗ ତଥା ଭଗବାନଙ୍କ ପ୍ରତି ଅପମାନ ବୋଲି କହିବାକୁ ମୁଁ କୁଣ୍ଠାବୋଧ କରିବି ନାହିଁ-

 

ଆମର ମାନ୍ଦାଦଳର ବନ୍ଧୁମାନେ ‘‘ଆଇନ ଓ ଶୃଙ୍ଖଳା’’ର ଯୁଦ୍ଧଧ୍ୱନି ଶୁଣି ଆତଙ୍କିତ ହେଉଥିବାବେଳେ ମୁଁ ତାହା ଶୁଣି ଆନନ୍ଦ ଅନୁଭବ କରୁଛି । ଏହି ଧ୍ୱନି ଦିଆଯିବାର ଅର୍ଥ ହେଉଛି ଅମଲାତନ୍ତ୍ର ଶାସନ ବିପଦାପନ୍ନ ଏବଂ ନିଜର ବିପଦକୁ ସେ ହୃଦୟଙ୍ଗମ କରୁଛି । ବିନା କାରଣରେ ବୃଥା କଥା ଉଠେ ନାହିଁ । ବୃଥା କଥା ଉଠୁଥିବାରୁ ମୋ ମନରେ ଆଶା ଏବଂ ସାହସ ପୂରି ଯାଉଛି । ମୁଁ ମୋର ଦେଶବାସୀଙ୍କୁ ଧୈର୍ଯ୍ୟ ଧରି କାମ କରିବାକୁ ଆହ୍ୱାନ କରୁଛି । ଆଇନ ଓ ଶୃଙ୍ଖଳାର ଦୁନ୍ଦୁଭି ଶୁଣାଯିବା ସମୟରୁ ସ୍ୱାଧୀନତା ଆସନ୍ନ ପ୍ରାୟ ହେଲାଣି । ଏହାହିଁ ହେଉଛି ପୃଥିବୀବ୍ୟାପୀ ଅମଲାତନ୍ତ୍ର ଶାସନର ଇତିହାସ ।

 

ଏହି ମୁହୂର୍ତ୍ତରେ ନିଜର ଆଦର୍ଶ ନିଖୁଣ ରଖିବା ହେଉଛି ଆମମାନଙ୍କର କର୍ତ୍ତବ୍ୟ । ଆମେ ଯେ ବିରାଟ ପରିବର୍ତ୍ତନର ଦ୍ୱାରଦେଶରେ ଉପସ୍ଥିତ ଏବଂ ସମଗ୍ର ବିଶ୍ୱ ଆମ ପ୍ରତି ଅନାଇ ରହିଥିବା ସ୍ଥଳେ ଆମର ସ୍ୱାଧୀନତା ଯୁଦ୍ଧ ଯେ ଶେଷ ହୋଇନାହିଁ ଏହା ଆମେ ଭୁଲିଯିବା ଉଚିତ ନୁହେଁ ।

 

ଜାତୀୟତା ହେଉଛି ଆଦର୍ଶ

 

ଆମ ସମ୍ମୁଖରେ ଆଜି ଆଦର୍ଶ କ’ଣ ? ଆମର ପ୍ରଧାନ ଏବଂ ମୁଖ୍ୟ ଆଦର୍ଶ ହେଉଛି ଜାତୀୟତା । ଜାତୀୟତା କ’ଣ ? ମୁଁ ଜାତୀୟତାର ଏହି ଅର୍ଥ କରେ ଯେ ଯେଉଁ ଚିନ୍ତାଧାରାଦ୍ୱାରା ଜାତି ଅନ୍ୟମାନଙ୍କଠାରୁ ଭିନ୍ନ ନ ହୋଇ ବା ସେମାନଙ୍କର ବିରୋଧାଚରଣ ନ କରି ନିଜର ଆତ୍ମପ୍ରକାଶ କରେ ଓ ତାହା ସଙ୍ଗେ ସଙ୍ଗେ ଅନ୍ୟ ଜାତିମାନଙ୍କ ସହ ସହଯୋଗମୂଳକଭାବେ ନିଜର ଭୌତିକ ବିକାଶ କରିପାରେ, ତାହାହିଁ ହେଉଛି ‘‘ଜାତୀୟତା ।’’ ବିଭିନ୍ନତାହିଁ ହେଉଛି ପ୍ରକୃତ ଏକତା-। ପୃଥିବୀରେ ଏକତା ପ୍ରତିଷ୍ଠା କରିବାପାଇଁ ପ୍ରଧାନ ଆବଶ୍ୟକ ହେଉଛି ପ୍ରତ୍ୟେକ ଜାତି ନିଜର ଆତ୍ମପ୍ରକାଶ ଏବଂ ଆତ୍ମୋନ୍ନତି ପାଇଁ ସୁବିଧା ଓ ସୁଯୋଗ ପାଇବା । ମୁଁ ଯେଉଁ ଜାତୀୟତା କଥା କହୁଛି, ତାହାକୁ ଆଜି ଇଉରୋପରେ ଯେଉଁ ଜାତୀୟତାର ଚିତ୍ର କରାଯାଉଛି ତାହା ସହିତ ମିଶାଇବା ଉଚିତ ନୁହେଁ । ଆଜି ଇଉରୋପରେ ଯେଉଁ ଜାତୀୟତାର ଚିତ୍ର ଦେଖିବାକୁ ମିଳେ ତାହା ହେଉଛି ଆକ୍ରମଣକାରୀ ଜାତୀୟତା ବା ସ୍ୱାର୍ଥପର ଓ ଲାଭକ୍ଷତି ଉପରେ ପ୍ରତିଷ୍ଠିତ ବ୍ୟବସାୟଗତ ଜାତୀୟତା । ଫ୍ରାନ୍‍ସର ଲାଭ ହେଲେ ଜର୍ମାନୀର କ୍ଷତି ଏବଂ ଜର୍ମାନୀର ଲାଭହେଲେ ଫ୍ରାନ୍‍ସର କ୍ଷତି, ଏହି ଦୃଷ୍ଟିକୋଣରୁହିଁ ଉକ୍ତ ଜାତୀୟତା ମପାଯାଏ । ତେଣୁ ଜର୍ମାନୀର ଘୃଣା ଉପରେ ଫ୍ରାନ୍‍ସର ଜାତୀୟତାବାଦ ବିକଶିତ ହୁଏ ଏବଂ ଫ୍ରାନ୍‍ସ ପ୍ରତି ଘୃଣା ଉପରେ ଜର୍ମାନୀର ଜାତୀୟତାବାଦ ବିକାଶ ଲାଭ କରେ । ମାନବସମାଜର କ୍ଷତି କରା ନହେଲେ ଜର୍ମାନୀର ଯେ କ୍ଷତି ହୋଇପାରିବ ନାହିଁ ତାହା ଏପର୍ଯ୍ୟନ୍ତ କେହି ବୁଝୁନାହାନ୍ତି । ମାନବଜାତିର କ୍ଷତି ମଧ୍ୟରେ ଫ୍ରାନ୍‍ସର କ୍ଷତି ମଧ୍ୟ ସଂଶ୍ଳିଷ୍ଟ । ସେହିପରି ସମଗ୍ର ମାନବଜାତିର କ୍ଷତି କରା ନ ଯାଇ ଜର୍ମାନୀର କ୍ଷତି କରାଯାଇ ନ ପାରେ । ସମଗ୍ର ମାନବ ଜାତିର କ୍ଷତି ମଧ୍ୟରେ ଜର୍ମାନୀର କ୍ଷତି ମଧ୍ୟ ସଂଶ୍ଳିଷ୍ଟ-। ଏହାହିଁ ହେଉଛି ଇଉରୋପୀୟ ଜାତୀୟତାବାଦ । ମୁଁ ଆଜି ଯେଉଁ ଜାତୀୟତାବାଦ କଥା କହୁଛି ତାହା ଏହି ଧରଣର ଜାତୀୟତାବାଦ ନୁହେଁ । ମୁଁ ଆହୁରି ମଧ୍ୟ କହୁଛି ଯେ, ପ୍ରତ୍ୟେକ ଜାତୀୟତାରେ ନିଜର ବୈଶିଷ୍ଟ୍ୟ ଥିବାଭଳି ଜିନିଷ ଥିଲେ ସୁଦ୍ଧା ବିଶ୍ୱର ମାନବିକ ଜାତୀୟତାର ସ୍ରୋତ ସହିତ ନିଜକୁ ନ ମିଶାଇଲେ କୌଣସି ଜାତୀୟତା ପୂର୍ଣ୍ଣତା ଲାଭ କରିପାରିବ ନାହିଁ-। ଜାତୀୟତାର ପ୍ରଧାନ ସମସ୍ୟା ହେଲା ସେହି ଲକ୍ଷ ଲାଭ କରିବା । ଯେବେ ଆପଣମାନେ ସ୍ରୋତ ଅନୁସରଣ କରି ଅତୀତ ସହିତ ତାହାର ସାମଞ୍ଜସ୍ୟ ପ୍ରତିଷ୍ଠା କରିପାରନ୍ତି ତାହାହେଲେ ଆପେଆପେ ଆତ୍ମ–ପ୍ରକାଶ ଲାଭ କରାଯାଇପାରିବ ଏବଂ ତାହା ଫଳରେ ଜାତୀୟତାର ଉତ୍ପତ୍ତି କେହି ରୋକି ପାରିବେ ନାହିଁ ।

 

ଭାରତର ଇତିହାସସାରା ମୁଁ ଏହି ଚିତ୍ର ଦେଖିବାକୁ ପାଏ । ଏହି ବିରାଟ ଦେଶରେ ପଞ୍ଝାଙ୍କ ପରେ ପଞ୍ଝାଏ ଲୋକ ସ୍ରୋତଭଳି ଆସି ବସବାସ କରି ରହି ନିଜ ନିଜ ଭିତରେ ଶତ୍ରୁତା ଓ ଅସଦ୍‍ଭାବ ଦେଖାଇଥିଲେ ସୁଦ୍ଧା ଶେଷକୁ ସମସ୍ତେ ଗୋଟିଏ ସ୍ରୋତରେ ଲୀନ ହେବା ଫଳରେ ଏହି ବିରାଟ ଜାତୀୟତା ସୃଷ୍ଟି ହୋଇଛି । ଆର୍ଯ୍ୟ ଏବଂ ଅନାର୍ଯ୍ୟ ଉଭୟଙ୍କର ଦେଖା ହେବାପରେ ସେମାନେ ଗୋଟିଏ ସମ୍ପ୍ରଦାୟ ହୋଇଗଲେ । ବ୍ରାହ୍ମଣ୍ୟ ବା ବୈଦିକ ଧର୍ମ ନିଜର ବିରାଟ ସଂସ୍କୃତି ସାହାଯ୍ୟରେ ସମଗ୍ର ଭାରତକୁ ଏକତାବଦ୍ଧ କରି ନିଜେ ଏକତାର ଦୂତ ହୋଇଥିଲା । ବୌଦ୍ଧଧର୍ମ ବ୍ରାହ୍ମଣ୍ୟ ଧର୍ମ ପ୍ରତି ବୈରଭାବ ସତ୍ତ୍ୱେ ଏହି ଐତିହାସିକ ଉଦ୍ଦେଶ୍ୟ ଅର୍ଥାତ୍ ସମସ୍ତଙ୍କୁ ଏକୀଭୂତ କରିପାରିଥିଲା । ମଗଧଠାରୁ ତକ୍ଷଶିଳା ପର୍ଯ୍ୟନ୍ତ ବିରାଟ ବୌଦ୍ଧ ସାମ୍ରାଜ୍ୟ ବିସ୍ତାର ଲାଭ କରିବା ଫଳରେ କେବଳ ଭାରତୀୟ ଏକତାର ପରିସର ବୃଦ୍ଧି ନ ପାଇ ହିମାଳୟର ଅପର ପାର୍ଶ୍ୱ, ଏପରିକି ସମୁଦ୍ର ସେପାରି ଅଞ୍ଚଳମାନଙ୍କୁ ବୃହତ୍ତର ଭାରତର ଅନ୍ତର୍ଭୁକ୍ତ କରିବା ଫଳରେ ସେହି ସବୁ ଅଞ୍ଚଳରେ ଥିବା ନଗରମାନ କୋଟି କୋଟି ସଂଖ୍ୟାରେ ଏସିଆବାସୀମାନଙ୍କଦ୍ୱାରା ଏପର୍ଯ୍ୟନ୍ତ ତୀର୍ଥସ୍ଥାନରୂପେ ପରିଣତ ହୋଇ ଆସୁଅଛି । ଏହା କମ୍ କଥା ନୁହେଁ । ତା’ପରେ ବିଭିନ୍ନ ଜାତିରେ ବିଭକ୍ତ ହୋଇଥିଲେ ସୁଦ୍ଧା ଗୋଟିଏ ସଂସ୍କୃତି ଏବଂ ଐତିହ୍ୟ ଥିବା ମୁସଲମାନମାନେ ଭାରତକୁ ଆସିଲେ । ପ୍ରଥମାବସ୍ଥାରେ କିଛି ସମୟପାଇଁ ଭାରତୀୟ ଜାତୀୟତାର ଶତ୍ରୁରୂପେ ଏକତା ନଷ୍ଟ କରିବାକୁ ଆସିଥିବା ଶକ୍ତିରୂପେ ସେମାନଙ୍କୁ ମନେ କରାଯାଇଥିଲେହେଁ ପରେ ସେମାନେ ଭାରତବର୍ଷକୁ ନିଜର ଘର ବୋଲି ଜ୍ଞାନ କଲେ । ନୂତନ ଦୃଷ୍ଟିକୋଣ ଓ ଅଗାଧ ପାଣ୍ଡିତ୍ୟ ତଥା ଅଦ୍ଭୁତ ଜୀବନୀ ଶକ୍ତିଘେନି ସେମାନେ ଭାରତୀୟ ଜୀବନ ସହ ମିଶିଥିଲେ ସୁଦ୍ଧା ଯେଉଁ ଗ୍ରାମ୍ୟ ଜୀବନରେ ପ୍ରକୃତ ଭାରତବର୍ଷର ଚିତ୍ର ଦେଖିବାକୁ ମିଳେ ସେହି ସବୁର ବିକାଶ ପଥରେ ଯେତେଦୂର ପାରନ୍ତି ସେମାନେ କମ୍ ଅନ୍ତରାୟ ସୃଷ୍ଟି କଲେ । ଭାରତବର୍ଷ ପାଇଁ ନୂତନ ଦୃଷ୍ଟିକୋଣ ଆବଶ୍ୟକ ଥିବାରୁ ଏହି ଦୁଇ ସ୍ରୋତ କେବଳ ଭାରତର ଇତିହାସର ଭାଗ୍ୟରେ ଯାହା ଥିଲା ତାହା ପୂରଣ କରିବା ଉଦ୍ଦେଶ୍ୟରେ ପରସ୍ପର ସହିତ ମିଶିଲା । ତାହାପରେ ଇଂରେଜମାନେ ସେମାନଙ୍କର ବିଦେଶୀ ସଂସ୍କୃତି ଓ ରୀତିନୀତି ସହ ଆସି ପହଞ୍ଚିବା ଫଳରେ କ୍ରମବର୍ଦ୍ଧମାନ ଭାରତୀୟ ଜାତୀୟତା ଗୋଟିଏ ପ୍ରବଳ ଧକ୍କାର ସମ୍ମୁଖୀନ ହେଲା । ଏହି ଧକ୍କା ଫଳରେ ଏକତାର ଯେଉଁ ସ୍ରୋତ ବହିଥିଲା ତାହା ପୂର୍ଣ୍ଣହେବା ଦିଗରେ ଇତିହାସର ଉଦ୍ଦେଶ୍ୟ ସଫଳ ହୋଇଛି । ବିରାଟ ଭାରତୀୟ ଜାତୀୟତା ଆଜି ଦେଖିବାକୁ ମିଳୁଛି । ଏହି ଜାତୀୟତା ନିଜର ହାତ କେବଳ ହିମାଳୟର ଅପର ପାର୍ଶ୍ୱକୁ ନ ବଢ଼ାଇ ବା କେବଳ ଏସିଆକୁ ନ ବଢ଼ାଇ କୌଣସି ଆକ୍ରମଣ ବା ଅନ୍ୟ ଦେଶକୁ ପରାଧୀନ କରିବାର ଉଦ୍ଦେଶ୍ୟ ନ ରଖି ସମଗ୍ର ବିଶ୍ୱକୁ ନିଜର କରିନେବା ପାଇଁ ବା ଅନ୍ୟମାନଙ୍କଦ୍ୱାରା ସ୍ୱୀକୃତ ପାଇବାପାଇଁ ଏବଂ ଅନ୍ୟମାନଙ୍କୁ ମହତ୍ ଦାନ ଦେବା ପାଇ ବଢ଼ାଇଛି । ମୁଁ ପୁଣି ଜୋର ଦେଇ କହୁଛି ଯେ, ଜାତୀୟତା ଏବଂ ବିଶ୍ୱଶାନ୍ତି ମଧ୍ୟରେ କୌଣସି ବୈରଭାବ ନାହିଁ । ଜାତୀୟତା ହେଉଛି ଏକମାତ୍ର ପନ୍ଥା, ଯଦ୍ଦ୍ୱାରା ବିଶ୍ୱଶାନ୍ତି ସମ୍ଭବ । ଜାତୀୟତାର ବିକାଶପାଇଁ ବିନା ବାଧାରେ ବ୍ୟକ୍ତିଗତ ବିକାଶ ଯେପରି ଆବଶ୍ୟକ ସେହିପରି ବିଶ୍ୱଶାନ୍ତି ପାଇଁ ବିନା ବାଧାରେ ଜାତୀୟତାର ପୂର୍ଣ୍ଣ ବିକାଶ ଆବଶ୍ୟକ । ୟୁରୋପରେ ଦେଖାଦେଇଥିବା ଆକ୍ରମଣମୂଳକ ଜାତୀୟତାବାଦ ବା ଯେଉଁ ଜାତୀୟତାବାଦ ଅନ୍ୟ ଜାତୀୟତାବାଦର କ୍ଷତିରେ ନିଜର ଉନ୍ନତି ବା ବିକାଶ ସମ୍ଭବ ବୋଲି ବିଶ୍ୱାସ କରେ ତାହା ହେଉଛି ବିଶ୍ୱ ଶାନ୍ତିର ଅନ୍ତରାୟ । କିନ୍ତୁ ଗୋଟିଏ ଜାତି ନିଜର କ୍ଷତି ନ କଲେ ଅନ୍ୟ ଜାତିର କ୍ଷତି କରିପାରିବ ନାହିଁ । ଏହି ଧ୍ରୁବ ସତ୍ୟ ହୃଦୟଙ୍ଗମ କଲେ ମାନବସମାଜର ସମସ୍ତ ସମସ୍ୟା ସମାଧାନ ହୋଇପାରିବ । ସମଗ୍ର ମାନବ–ସମାଜ ଯେପରି ନିଜର ଆତ୍ମ–ବିକାଶ କରି ନିଜକୁ ପ୍ରକାଶ କରି ବୁଝିପାରିବ ସେଥିପାଇଁ ପ୍ରତ୍ୟେକ ଜାତି ନିଜର ବିକାଶ କରି ନିଜକୁ ବୁଝିପାରି ନିଜେ ପ୍ରକାଶ କରିପାରିବା ଦରକାର । ଏହାହିଁ ହେଉଛି ଜାତୀୟତାର ମୂଳଭିତ୍ତି । ବିଭିନ୍ନ ଜାତି ମଧ୍ୟରେ ବର୍ତ୍ତମାନବି ବୈରଭାବ ପ୍ରକୃତ ଉଦ୍ଦେଶ୍ୟ ହୃଦୟଙ୍ଗମ ନ କରି କ୍ଷଣକପାଇଁ ଦେଖା ଦେଉଥିଲେ ସୁଦ୍ଧା ଜାତୀୟତାର ଏହି ସତ୍ୟ ନିଶ୍ଚୟ ପ୍ରକାଶ ପାଇବ ବୋଲି ମୋର ଦୃଢ଼ବିଶ୍ୱାସ । ମୁଁ ଯେବେ ଭୁଲ ନ କହୁଥାଏ ନିଜର ସ୍ୱାର୍ଥଦୃଷ୍ଟିରୁ ଏବଂ ନିଜକୁ ରକ୍ଷା କରିବାପାଇଁ ବିଭିନ୍ନ ଜାତି ଏହି କ୍ଷୁଦ୍ର ଦୃଷ୍ଟିକୋଣ ଭିତରେ ନିଜକୁ ଆବଦ୍ଧ ନ ରଖି ବା କ୍ଷୁଦ୍ରପରିସର ମଧ୍ୟରେ ଚିନ୍ତା ନ କରି ସେମାନଙ୍କର ବୁଦ୍ଧିବଳରେ ନିଶ୍ଚୟ ହୃଦୟଙ୍ଗମ କରିବେ ଯେ, ନିଜର ପଡ଼ୋଶୀ ଦେଶକୁ ପରାଧୀନ କରି ରଖିବାରେ ସେମାନଙ୍କର ନିଜର ସର୍ବନାଶ ନିହିତ ।

 

ତେଣୁ ଜାତୀୟତାବାଦ ଉପରେ ପ୍ରତିଷ୍ଠିତ ଚିନ୍ତାଧାରା ଯେପରି ପ୍ରକାଶ ପାଏ ସେ ଦିଗରେ ଆମ୍ଭେମାନେ କାର୍ଯ୍ୟ କରିବା ଦରକାର । ଭାରତ ଜାତିର ପ୍ରକୃତ ବିକାଶ ସ୍ୱରାଜରେହିଁ ନିହିତ ରହିଛି । ସ୍ୱରାଜ କ’ଣ ବୋଲି ଅନେକ ସମୟରେ ପ୍ରଶ୍ନ ଉଠେ । ସ୍ୱରାଜ ଏପରି ଗୋଟିଏ ଜିନିଷ ଯାହାର କି ସ୍ପଷ୍ଟ ବ୍ୟାଖ୍ୟା କରାଯିବା ସମ୍ଭବପର ନୁହେଁ ଏବଂ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ସରକାର ବୋଲି ଏହାକୁ କହିବା ମଧ୍ୟ ଅନ୍ୟାୟ । ପୃଥିବୀରେ ସ୍ୱରାଜ ଓ ସମରାଜ ମଧ୍ୟରେ ସମସ୍ତ ପ୍ରକାର ପ୍ରଭେଦ ଦେଖିବାକୁ ମିଳେ । ସ୍ୱରାଜ ହେଉଛି ଜାତୀୟ ଚିନ୍ତାଧାରାର ସ୍ୱାଭାବିକ ଅଭିବ୍ୟକ୍ତି-। ତାହାର ସମସ୍ତ ପ୍ରକାର ବାହ୍ୟ ଭାବ ପ୍ରକାଶ ହେଉଛି ଗୋଟିଏ ଜାତିର ପୂରାପୂରି ଇତିହାସ-। ଏହା ସତ୍ତ୍ୱେ ସ୍ୱରାଜ ହେଉଛି ଜାତୀୟ ଚିନ୍ତାଧାରାର ଅଭିବ୍ୟକ୍ତି ବୋଲି ମୁଁ ପୂର୍ବରୁ ଯାହା କହିଛି ତଦନୁଯାୟୀ ଜାତିର ପ୍ରକୃତ ବିକାଶ ଆରମ୍ଭ ହେଲେ ସ୍ୱରାଜ ଆରମ୍ଭ ହୁଏ । ତେଣୁ ସ୍ୱରାଜକୁ ଯେଉଁ ଦୃଷ୍ଟିକୋଣରୁ ଦେଖାଯାଉଛି ଜାତୀୟତାବାଦକୁ ସେହିପରି ଅନ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ପଡ଼ିବ-। ଆଜି ଭାରତବର୍ଷର ମୁଖ୍ୟ ପ୍ରଶ୍ନ ହେଉଛି ସ୍ୱରାଜ ଲାଭ ।

 

ଅହିଂସାତ୍ମକ ଅସହଯୋଗ

 

ମୁଁ ବର୍ତ୍ତମାନ ଉପାୟ ସମ୍ପର୍କରେ ଆଲୋଚନା କରିବି । ମୁଁ ପୁଣି କହୁଛି ଯେ, ସ୍ୱରାଜର ବାସ୍ତବ ମୂଳଭିତ୍ତି ପକାଇବା ପାଇଁ ଆବଶ୍ୟକ ହେଉଥିବା ସରକାର ଯେପରି ପ୍ରତିଷ୍ଠା କରାଯାଇପାରେ ସେଥିପାଇଁ ‘ଅହିଂସାତ୍ମକ ଅସହଯୋଗ’ ଯେ ଏକମାତ୍ର ଉପାୟ ଏହି ସମ୍ପର୍କରେ କୌଣସି ବିବାଦ ବା ପ୍ରଶ୍ନ ଉଠି ନ ପାରେ । ଅସହଯୋଗର ଦର୍ଶନ ଆଲୋଚନା କରିବା ନିଷ୍ପ୍ରୟୋଜନ । କେଉଁ ବିଭିନ୍ନ ଦୃଷ୍ଟିକୋଣରୁ ଏହି ପ୍ରଶ୍ନ ଆଲୋଚନା କରାଯାଇପାରେ, ତାହାହିଁ କେବଳ ମୁଁ କହିବି । ଜାତୀୟ ଦୃଷ୍ଟିକୋଣରୁ ଚିନ୍ତାକଲେ ଏହି ଅସହଯୋଗର ଅର୍ଥ ହେଉଛି ନିଜର ଶକ୍ତି ଓ ସାମର୍ଥ୍ୟକୁ ଠୁଳ କରି କାର୍ଯ୍ୟ କରିବା । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ଅସହଯୋଗର ଅର୍ଥ ହେଉଛି ନିଜକୁ ଶୁଦ୍ଧପୂତ କରି ତତ୍ପରେ ଅନିଷ୍ଟକର ହେଉଥିବା ସମସ୍ତ ପ୍ରକାର ଜିନିଷକୁ ତ୍ୟାଗ କରି ମାନବ ସମାଜର ମଙ୍ଗଳପାଇଁ କାର୍ଯ୍ୟକରିବା । ଆହୁରି ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିରୁ ସ୍ୱରାଜର ଅର୍ଥ ହେଉଛି ପ୍ରତ୍ୟାହାର କରିବା ଅର୍ଥାତ୍ ଆମର ଐତିହ୍ୟ ସଙ୍ଗେ ଖାପ ଖାଉ ନଥିବା ସମସ୍ତ ପ୍ରକାର ବୈଦେଶିକ ଜିନିଷ ତ୍ୟାଗ କରିବା ଯାହାକି ଆମର ଆତ୍ମା ମଧ୍ୟରେ ଲୁକ୍କାୟିତଭାବେ ଥିବା ଶକ୍ତିର ପୂର୍ଣ୍ଣବିକାଶ ପାଇଁ ଆବଶ୍ୟକ । ଏହି ସମ୍ପର୍କରେ ମୁଁ ଅଧିକ ଆଲୋଚନା କରିବାକୁ ଚାହେଁନା । ପ୍ରତ୍ୟେକ ଦୃଷ୍ଟିରୁ ଚିନ୍ତାକଲେ ଦେଖାଯିବ ଯେ ସ୍ୱରାଜଲାଭ ପାଇଁ ଅହିଂସାତ୍ମକ ଅସହଯୋଗ ହେଉଛି ଏକମାତ୍ର ପ୍ରକୃଷ୍ଟ ପନ୍ଥା ।

 

Unknown

ବଳପ୍ରୟୋଗ ଏବଂ ହିଂସା

 

ଅହିଂସା ନୀତିର କାର୍ଯ୍ୟକାରିତା ସମ୍ପର୍କରେ କେତେକ ମହଲରେ ସନ୍ଦେହ ପ୍ରକାଶ ପାଉଛି । ମୁଁ ଏକଥା ଅସ୍ୱୀକାର କରିବି ନାହିଁ ଯେ ଭାରତବର୍ଷରେ ଏବଂ ବାହାରେ ଏପରି ଗୋଟିଏ ମତର ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି କି ଅହିଂସା ଗୋଟିଏ ନାସ୍ତି ସଚକ ଆଦର୍ଶ ହୋଇଥିବାରୁ ତଦ୍ଦ୍ୱାରା ଲକ୍ଷ୍ୟଲାଭ ହୋଇପାରିବ ନାହିଁ ଏବଂ ସ୍ୱରାଜ ଲାଭର ଏକମାତ୍ର ପନ୍ଥା ହେଉଛି ବଳପ୍ରୟୋଗ ଏବଂ ହିଂସାତ୍ମକ ନୀତି ଗ୍ରହଣ କରିବା । ଯେଉଁମାନେ ଏହିମତ ପୋଷଣ କରନ୍ତି ସେମାନଙ୍କର ସାହସ, ତ୍ୟାଗ ଏବଂ ଦେଶ ପ୍ରେମକୁ ମୁଁ ମୁହୂର୍ତ୍ତକ ପାଇଁ ସୁଦ୍ଧା ସନ୍ଦେହ କରୁନାହିଁ । ମୁଁ ଜାଣେ ସେମାନଙ୍କ ଭିତରୁ ଅନେକେ ନିଜର ବିଶ୍ୱାସ ଯୋଗୁଁ ଯଥେଷ୍ଟ ଯନ୍ତ୍ରଣା ଭୋଗ କରିଛନ୍ତି; କିନ୍ତୁ ମୁଁ ଏହି ସମ୍ପର୍କରେ ଗୋଟିଏ ବିଷୟରେ ଉଲ୍ଲେଖ ନ କରି ରହିପାରୁନାହିଁ ଯେ, ନୀତିଗତ ପ୍ରଶ୍ନ ବାଦଦେଲେ ମଧ୍ୟ ବଳପ୍ରୟୋଗ ଏବଂ ହିଂସାତ୍ମକ ଉପାୟରେ ଏପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ବିପ୍ଳବ ବିଫଳ ହୋଇଥିବାରୁ ଭୂୟସୀ ପ୍ରମାଣ ଇତିହାସରୁ ମିଳେ ନାହିଁକି ? ଯେଉଁମାନେ ଅହିଂସା ନୀତିରେ ବିଶ୍ୱାସ କରନ୍ତି ସେମାନଙ୍କ ମଧ୍ୟରୁ ମୁଁ ଜଣେ; କିନ୍ତୁ କାର୍ଯ୍ୟକାରୀ ଉପାୟ କ’ଣ ତାହା ବର୍ତ୍ତମାନ ଆଲୋଚନା କରାଯାଉ । ଅହିଂସାତ୍ମକ ଉପାୟରେ ସ୍ୱରାଜଲାଭ ସମ୍ଭବପର କି ? ଏହାର ଉତ୍ତର ଇତିହାସ ଦୃଢ଼ଭାବରେ ‘‘ନାହିଁ’’ ବୋଲି ଦେଉଛି । ବର୍ତ୍ତମାନ ପୃଥିବୀର ସମସ୍ତ ବିପ୍ଳବ ବିଷୟ ଆଲୋଚନା କରାଯାଉ ।

 

ଫରାସୀ ବିପ୍ଳବ

 

ପୃଥିବୀରେ ପ୍ରଥମ ଥରପାଇଁ ଏକ ଦିଗରେ ରାଜା ଏବଂ ସାମନ୍ତ ଗୋଷ୍ଠୀ ଓ ଅନ୍ୟ ଦିଗରେ ସୈନ୍ୟବାହିନୀର ସମର୍ଥନକ୍ରମେ ପ୍ରତିନିଧିମୂଳକ ବ୍ୟବସ୍ଥାପକ ସଭାମଧ୍ୟରେ ଦେଖା ଦେଇଥିବା ସଂଘର୍ଷର ଇତିହାସ ହେଉଛି ଫରାସୀ ବିପ୍ଳବର ଇତିହାସ । ଉଭୟ ପକ୍ଷ ହିଂସାର ସାହାଯ୍ୟ ନେଲେ । ଗୋଟିଏ ପକ୍ଷ ବନ୍ଧୁକର ଆଶ୍ରୟ ନେବା ସମୟରେ ଅନ୍ୟ ପକ୍ଷ ବର୍ଚ୍ଛା ସାହାଯ୍ୟରେ ସଂଘର୍ଷ ଚଳାଇଲେ । ବନ୍ଧୁକ ସାହାଯ୍ୟରେ ଯେଉଁମାନେ ଲଢ଼ୁଥିଲେ ସେମାନେ ତାହାର ବ୍ୟବହାର ଠିକ୍‍ଭାବେ ଜାଣି ନଥିବାରୁ ବର୍ଚ୍ଛାଧାରୀମାନେ କୃତିତ୍ୱ ହାସଲ କଲେ । ଯାହା ହେବା ସ୍ୱାଭାବିକ ତାହାହିଁ ହେଲା । ହିଂସା ସାହାଯ୍ୟରେ ଯେଉଁ ଦଳ ବିଜୟ ହାସଲ କରିଥିଲେ ସେମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟିହେଲା ଏବଂ ଗିରୋନ୍ଦିନ୍ ଓ ଯ୍ୟାକୋବିନ୍ ଏପରି ଦୁଇଭାଗରେ ଦଳ ବିଭକ୍ତ ହେଲା । ତାହାପରେ ପୁଣି ସଂଘର୍ଷ ଦେଖା ଦେଲା । ଗିରୋନ୍ଦିନ୍‍ମାନେ ପ୍ରଦେଶମାନଙ୍କୁ ବିପ୍ଳବ କରିବାକୁ ଆହ୍ୱାନ ଦେଲେ ଏବଂ ଯାକୋବିନ୍‍ମାନେ ସୈନ୍ୟବାହିନୀକୁ ବିପ୍ଳବ କରିବାକୁ କହିଲେ । ସୈନ୍ୟବାହିନୀର ଲୋକେ ଅଧିକ ଶକ୍ତିଶାଳୀ ହୋଇଥିବାରୁ ଗିରୋନ୍ଦିନ୍‍ମାନେ ପରାଜିତ ହେବାପରେ ସେମାନଙ୍କୁ ହତ୍ୟା କରାଯାଇ ଯାକୋବିନ୍‍ମାନେ କ୍ଷମତା ନିଜ ହାତକୁ ନେଲେ । ଅଳ୍ପଦିନ ଭିତରେ ମଧ୍ୟ ସେମାନଙ୍କ ମଧ୍ୟରେ ବିଭେଦ ଦେଖାଦେଲା । ପ୍ରଥମେ ରବେସ୍‍ପିଅର ଏବଂ ଡ୍ୟାଣ୍ଟନ୍ ହାରର୍ବଟ ଓ ଚମେଟଙ୍କୁ ହତ୍ୟାକରିବାକୁ ଚେଷ୍ଟା କରିବା ପରେ ରବେସ୍‍ପିଅର ଡ୍ୟାଣ୍ଟନଙ୍କୁ ହତ୍ୟାକଲେ । ରବେସ୍‍ପିରଙ୍କୁ କୋଲଟ ବିଲଡ଼୍ ଏବଂ ଟାଲିନ୍ ହତ୍ୟା କଲେ । ସେମାନଙ୍କୁ ମଧ୍ୟ ଅନ୍ୟ ଲୋକେ ସୁଦୂର ଦକ୍ଷିଣ ଆମେରିକାକୁ ବହିଷ୍କାର କରିଦେଲେ । ଗିରୋନ୍ଦିନ୍ ଓ ଯ୍ୟାକୋବିନ୍‍ଙ୍କ ମଧ୍ୟରେ ଖୁବ୍ କମ୍ ମତଭେଦ ଥିଲେ ସୁଦ୍ଧା ଯ୍ୟାକୋବିନ୍‍ର ଲୋକମାନଙ୍କ ମଧ୍ୟରେ କହିବାକୁ ଗଲେ କିଛି ମତଭେଦ ନଥିଲା । ଅସଲ ପ୍ରଶ୍ନ ହେଲା କେଉଁ ଗୋଷ୍ଠୀ ଫ୍ରାନ୍‍ସର ଶାସକ ହେବେ ? ବଳପ୍ରୟୋଗ ଫଳରେ ଯାହାର ବଳ ଅଧିକ ହେଲା ସେ ଶାସନକୁ ହାତକୁ ନେଲା ଏବଂ ଶେଷକୁ ନେପୋଲିୟନଙ୍କ ଅଧୀନରେ ଚତୁର୍ଦ୍ଦଶ ଲୁଇଙ୍କ ନିର୍ବାସନ ଭଳି ଘଟଣା ଘଟିଲା । ସ୍ୱାଧୀନତା ଅଧିକାର ଦୃଷ୍ଟିରୁ ଚିନ୍ତାକଲେ ଜଣାଯାଏ ଯେ, ଫ୍ରାନ୍‍ସରେ ସାଧାରଣ ନିରାପତ୍ତା କମିଟି ଏବଂ ନେପାଲିଅନଙ୍କ ଅଧୀନରେ ଚତୁର୍ଦ୍ଦଶ ଓ ପଞ୍ଚଦଶ ଲୁଇଙ୍କ ସମୟ ଅପେକ୍ଷା ଅଧିକ ସ୍ୱାଧୀନତା ନଥିଲା ।

 

ବିଲାତର ବିପ୍ଳବ

 

ଇଂଲଣ୍ଡର ଇତିହାସ ପ୍ରତି ଦୃଷ୍ଟିଦେଲେ ଏହି ସତ୍ୟତାହିଁ ପ୍ରତିପାଦିତ ହୁଏ । ୧୨୧୫ ମସିହାରେ ସେଠିକାର ଜମିଦାର ବା ସାମନ୍ତବାଦୀ ଗୋଷ୍ଠୀଙ୍କର ବିପ୍ଳବ ଫଳରେ ଶାସକଙ୍କର କ୍ଷମତା ଲୋପ ପାଇଥିଲେ ସୁଦ୍ଧା ଏହା ସାମନ୍ତବାଦୀମାନଙ୍କର ହସ୍ତଗତ ହେବାରୁ ଜମିଦାରମାନଙ୍କର ଏହି ବିଷୟରେ ଗଣତନ୍ତ୍ରର ବିଜୟ ହେଲାନାହିଁ । ଜଣେ ବିଖ୍ୟାତ ଐତିହାସିକଙ୍କର ମତାନୁଯାୟୀ ବିଖ୍ୟାତ ସନନ୍ଦରେ କେବଳ ଗୋଟିଏ ସ୍ୱାଧୀନତା ନ ମିଳି ବହୁ ସ୍ୱାଧୀନତା ମିଳିଲା । ପ୍ରଥମ ଚାର୍ଲସଙ୍କ ରାଜତ୍ୱ କାଳରେ ଯେଉଁ ବିପ୍ଳବ ଦେଖାଦେଲା ତାହା ଫଳରେ ସ୍ୱାଧୀନତାକୁ ପୂର୍ଣ୍ଣମାତ୍ରାରେ ଦମନ କରୁଥିବା ଜଣେ ଏକଛତ୍ରବାଦୀଙ୍କର ହେଲା ଆବିର୍ଭାବ-। ବହୁଦିନ ଧରି ପାର୍ଲିଆମେଣ୍ଟ୍ କରି ଆସୁଥିବା କାର୍ଯ୍ୟ ଏହି ବିପ୍ଳବ ଫଳରେ ବାଧା ପାଇଲା ଏବଂ ରାଜାଙ୍କୁ ହତ୍ୟା କରାଗଲା । ଆରମ୍ଭ କରାଯାଇଥିବା କାର୍ଯ୍ୟ ପୂରଣ କରିବାପାଇଁ ଆଉ ଗୋଟିଏ ବିପ୍ଳବ କରିବାର ଆବଶ୍ୟକତା ପଡ଼ିଲା ଏବଂ ଏହା ହେଲା ରକ୍ତହୀନ ଶାନ୍ତିପୂର୍ଣ୍ଣ ବିପ୍ଳବ-। ବିପ୍ଳବ ଶେଷ ହୋଇଛି ବୋଲି ଏପର୍ଯ୍ୟନ୍ତ ମୁଁ ଅସ୍ୱୀକାର କରୁଛି । ବରାବର ଲାଗି ରହିଥିବା ଶ୍ରେଣୀ ସଂଘର୍ଷ ଏବଂ ଦେଖା ଦେଇଥିବା ଅର୍ଥନୈତିକ ବୈଷମ୍ୟ ଯୋଗୁଁ ବିଲାତ ଯେଉଁ ସ୍ୱାଧୀନତା ଦାବି କରୁଥିଲା ତାହା ମିଳିଛି ବୋଲି କହିହେବ ନାହିଁ । କୌଣସି ଜନତା ବଳ ଏବଂ ହିଂସା ସାହାଯ୍ୟରେ ଏପର୍ଯ୍ୟନ୍ତ ସ୍ୱାଧୀନତା ଲାଭ କରିବାରେ ସଫଳ ହୋଇନାହିଁ ବୋଲି ମୁଁ ଦୃଢ଼ତାର ସହିତ କହୁଛି-। ସତ୍ୟକଥା ହେଉଛି, କ୍ଷମତାର ମୋହ ଗୋଟିଏ ଅତି ବଡ଼ ବିପଜ୍ଜନକ ଜିନିଷ ଏବଂ ଯେଉଁମାନେ ହିଂସା ସାହାଯ୍ୟରେ ତାହା ପାଇଥାନ୍ତି, ତାହାରି ସାହାଯ୍ୟରେ ତାହା ନିଜ ହାତରେ ରଖନ୍ତି-। ଯେଉଁମାନେ କ୍ଷମତା ନିଜ ହାତରେ ରଖିବାକୁ ହିଂସାର ବ୍ୟବହାର କରନ୍ତି ତାହା ଫଳରେ ସେମାନଙ୍କର ନିଜର ଅଧୋଗତି ହୁଏ ଏବଂ ଥରେ କ୍ଷମତା ପାଇଲେ ତାକୁ ପ୍ରତ୍ୟାହାର କରିବା ସହଜସାପେକ୍ଷ ନୁହେଁ । ସେମାନଙ୍କ ପୂର୍ବବର୍ତ୍ତୀ ଲୋକମାନେ କରିଥିବା କାର୍ଯ୍ୟ ଚାଲୁରଖିବା ସହଜସାପେକ୍ଷ ବୋଲି ମନେ କରନ୍ତି । ହିଂସାତ୍ମକ ଉପାୟରେ ଯେଉଁ ଅଧୋଗତି ଅନିବାର୍ଯ୍ୟ, ଅହିଂସାତ୍ମକ ଉପାୟରେ ତାହା ନୁହେଁ ।

 

ଇଟାଲୀ ଓ ରୁଷର ବିପ୍ଳବ

 

ଇଟାଲୀ ଓ ରୁଷର ବିପ୍ଳବ ପ୍ରତି ଦୃଷ୍ଟିଦେଲେ ତାହାହିଁ ଦେଖିବାକୁ ମିଳେ । ମେଜିନିଙ୍କଦ୍ୱାରା ଉତ୍ସାହିତ ହୋଇ ଗାରିବାଲ୍ଡ଼ି ଏବଂ କ୍ୟାଭର ଇଟାଲୀରେ ଯେଉଁ ବିପ୍ଳବ କରିଥିଲେ ତାହା ଫଳରେ ସ୍ୱରାଜ୍ୟ ଲାଭ ହେଲାନାହିଁ । ଏପର୍ଯ୍ୟନ୍ତ ସ୍ୱାଧୀନତା ମିଳି ନଥିବାରୁ ଇଟାଲୀର ନରନାରୀ ଅନ୍ୟ ଗୋଟିଏ ବିପ୍ଳବର ଅପେକ୍ଷାରେ ରହିଛନ୍ତି । ଏହା ଫଳରେ ଯେବେ ପୁଣି ହିଂସାତ୍ମକ ଯୁଦ୍ଧ କରିବାକୁ ପଡ଼େ ତାହାହେଲେ ପ୍ରକୃତ ଉଦ୍ଦେଶ୍ୟ ପଣ୍ଡ ହୋଇଯିବ । ଅହିଂସାତ୍ମକ ଉପାୟରେ ମିଳୁଥିବା ସ୍ୱାଧୀନତା ଲାଭରେହିଁ ଏକମାତ୍ର ଉଦ୍ଦେଶ୍ୟ ସାଧିତ ହେବ ।

 

ଋଷିଆରେ ନିକଟରେ ଦେଖାଦେଇଥିବା ବିପ୍ଳବ ହେଉଛି ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ଋଷର ଲୋକମାନଙ୍କର ଐତିହ୍ୟ ଅସ୍ୱୀକାର କରୁଥିବା ମାର୍କସମତବାଦକୁ ସେମାନଙ୍କ ଉପରେ ଚାପିବାପାଇଁ ଚେଷ୍ଟା କରାଯାଉଥିବାର ଏହା ଏପରି ଆକାର ଧାରଣ କରିଛି । ହିଂସା ପୁଣି ବିଫଳ ହେବ । ମୁଁ ସେଠାକାର ଅବସ୍ଥା ଅତି ସତର୍କତାର ସହିତ ଅନୁସନ୍ଧାନ କରି ଯାହା ଜାଣିଛି ଆଉ ଗୋଟିଏ ବିପ୍ଳବ ହେବା ଅନିବାର୍ଯ୍ୟ । କାର୍ଲମାର୍କସଙ୍କର ସାମ୍ୟବାଦରୂପକ ଶୃଙ୍ଖଳାରୁ ମୁକ୍ତିଲାଭ କରିବାପାଇଁ ଋଷ ଲୋକଙ୍କର ଆପ୍ରାଣ ସଂଗ୍ରାମ କରିବା ଅନିବାର୍ଯ୍ୟ । ହୁଏତ ଏହା ଏକ ସ୍ୱତନ୍ତ୍ର ଆନ୍ଦୋଳନ ହୋଇପାରେ ବା ବର୍ତ୍ତମାନ ଚାଲିଥିବା ଆନ୍ଦୋଳନ ମଧ୍ୟରେ ଏହି ସ୍ୱାଧୀନତା ଉଦ୍ଦେଶ୍ୟରେ ଏହା ଚାଲୁ ରହିପାରେ । ଏପରି ଅବସ୍ଥାରେ ରୁଷର ଭାଗ୍ୟ ନିକିତିରେ ଝୁଲୁଛି ।

 

ଅହିଂସାତ୍ମକ ଅସହଯୋଗ ହେଉଛି ଏକମାତ୍ର ପନ୍ଥା

 

ମୁଁ ବିପ୍ଳବରେ ବିଶ୍ୱାସ କରୁଥିଲେ ସୁଦ୍ଧା ପୁଣି କହୁଛି ଯେ, ହିଂସା ସ୍ୱାଧୀନତାର ଉଦ୍ଦେଶ୍ୟକୁ ପଣ୍ଡ କରେ । ଅହିଂସାତ୍ମକ ବିପ୍ଳବ ସମୟସାପେକ୍ଷ ହୋଇଥିଲେ ସୁଦ୍ଧା ତହିଁରେ ବିଜୟ ସୁନିଶ୍ଚିତ । ଏହାଦ୍ୱାରା କ୍ରମଶଃ ଜାତିର ଆତ୍ମା ଜାଗରିତ ହେବା ସଙ୍ଗେ ସଙ୍ଗେ ଏହା ସ୍ୱରାଜ୍ୟ ପଥରେ ଅଗ୍ରସର ହୁଏ । ଭାରତର ସ୍ୱାଧୀନତା ଲାଭ କରିବାର ଏକମାତ୍ର ଉପାୟ ହେଉଛି ଅହିଂସାତ୍ମକ ଅସହଯୋଗ । ଏହି ପନ୍ଥା ଅବାସ୍ତବ ଏବଂ କାର୍ଯ୍ୟକାରୀ ନୁହେଁ ବୋଲି ଯେଉଁମାନେ ଭାବନ୍ତି ସେମାନେ ଅକାଳି ଆନ୍ଦୋଳନ ପ୍ରତି ଦୃଷ୍ଟିଦେଲେ ଭଲ ହେବ । ଯେତେବେଳେ ଅମୃତସରରେ କ୍ଷତବିକ୍ଷତ ହୋଇଥିବା ଲୋକେ ଚରମ ପ୍ରତାରଣା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଜଣେହେଲେ ହିଂସାର ସାହାଯ୍ୟରେ ହିଂସାର ସମ୍ମୁଖୀନ ହେବାକୁ ଇଚ୍ଛା କରି ନଥିଲେ ବୋଲି ସେମାନଙ୍କ ନିଜ ମୁହଁରୁ ଶୁଣିଲି ସେତେବେଳେ ଭାବିଲି, ‘‘ଅହିଂସାର ଏହିଠାରେହିଁ ବିଜୟ ହୋଇଛି-।’’

 

ଅହିଂସା ଆଳସ୍ୟର ସ୍ୱପ୍ନ ନୁହେଁ । ‘‘ତୁମେ ଖଡ଼୍‍ଗ ରଖିଦିଅ’’ ବୋଲି ଯେତେବେଳେ ମହାତ୍ମାଗାନ୍ଧି କହିଥିଲେ ସେତେବେଳେ ସେ ତାହା ବିନା କାରଣରେ କହି ନଥିଲେ । ଦୁଇହଜାର ବର୍ଷ ପୂର୍ବେ ସତ୍ୟର ପୂଜାରିମାନେ ସତ୍ୟର ବାଣୀ ଶୁଣିଥିବା ପରି ଆଜିକାର ସତ୍ୟର ପୂଜାରିମାନେ ତାଙ୍କ ବାଣୀ ଶୁଣନ୍ତୁ ।

 

ଭାରତୀୟ ଜାତି ଏହି ଉପାୟରେ ସ୍ୱରାଜ୍ୟ ଲାଭପାଇଁ ଯେଉଁ ଚେଷ୍ଟା କରୁଛି ସେଥିପାଇଁ ତାହାକୁ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ୁଛି । ଆମର ସଫଳତା ଓ ବିଫଳତା ସମ୍ପର୍କରେ ଆଲୋଚନା କରିବାର ସମୟ ଆସିଛି । ଅତ୍ୟାଚାର ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେବା ସହଜ । ଏହି ଆନ୍ଦୋଳନକୁ ନିଶ୍ଚିହ୍ନ କରିବାପାଇଁ ଯେଉଁ ଅତ୍ୟାଚାର ଆରମ୍ଭ କରାଯାଇଥିଲା, ତାହାର ସମ୍ମୁଖୀନ ହେବା ଦିଗରେ ଜାତି ଯେ ସଫଳତା ଲାଭ କରିଛି ଏ ବିଷୟରେ ମୋର କୌଣସି ସନ୍ଦେହ ନାହିଁ ।

 

ଅହିଂସାତ୍ମକ ଅସହଯୋଗର ସଫଳତା

 

ଅହିଂସାତ୍ମକ ବିପ୍ଳବରେ ଆମେ ସଫଳତା ଲାଭ କରିଛୁ କି ନାହିଁ ତାହା ଆଜି ଅଧିକାଂଶଙ୍କ ମନରେ ପ୍ରଶ୍ନ ଉଠୁଛି । ବଡ଼ ଦୁଃଖରସହ ମୋତେ କହିବାକୁ ହେଉଛି ଯେ ଏହି ପ୍ରଶ୍ନ ଯେଉଁମାନଙ୍କ ମନରେ ଉଠୁଛି ସେମାନେ ପ୍ରକୃତ ବିଷୟଟି ଉପଲବ୍ଧି କରି ନଥିବା ଫଳରେ ତହିଁରୁ ଉପୁଜିଥିବା ଗୋଳମାଳିଆ ମନୋଭାବ ହେଉଛି ଏହି ପ୍ରଶ୍ନର କାରଣ । ଧରି ନିଆଯାଉଛି ଯେ, ଗୋଟିଏ ଆନ୍ଦୋଳନ ହୁଏତ ସଫଳ ହେବ, ନହେଲେ ବିଫଳ ହେବ; କିନ୍ତୁ ପ୍ରକୃତ ବିଷୟ ହେଉଛି ଯେ, ମାନବ ସମାଜ କୌଣସି ପ୍ରକୃତ ଆନ୍ଦୋଳନରେ ପୂରାପୂରିଭାବେ ସଫଳତା ବା ବିଫଳତା ଲାଭ କରେ ନାହିଁ । ପ୍ରତ୍ୟେକ ପ୍ରକୃତ ଆନ୍ଦୋଳନ ନିର୍ଦ୍ଦିଷ୍ଟ ଆଦର୍ଶରୁ ଆରମ୍ଭ ହୁଏ ଏବଂ ଆନ୍ଦୋଳନରେ ଯାହା ହାସଲ କରାଯାଏ ତାହାଠାରୁ ଆଦର୍ଶ ସବୁବେଳେ ଉଠି ରହିଥାଏ । ଫରାସୀ ବିପ୍ଳବ କଥା ଧରାଯାଉ । ଏହା ସଫଳ ହୋଇଛି କି ? ଯେବେ ସଫଳ ନ ହୋଇଥାଏ ତେବେ କ’ଣ ବିଫଳ ହୋଇଛି କି ? ପୂରାପୂରି ସଫଳ ହୋଇଛି ବା ବିଫଳ ହୋଇଚି ବୋଲି ଯେବେ କୁହାଯାଏ, ତାହାହେଲେ ଐତିହାସିକ ଦୃଷ୍ଟିରୁ ଘୋର ତ୍ରୁଟି ରହିଯିବ । ଭାରତବର୍ଷର ଅହିଂସାତ୍ମକ ଅସହଯୋଗ ଆନ୍ଦୋଳନ ସଫଳ ହୋଇଛି କି ? ହଁ, ଏହି ବିରାଟ ଦେଶର ଚାରିଆଡ଼େ ସ୍ୱରାଜପାଇଁ ଇଚ୍ଛା ଯେଭଳି ଭାବରେ ପ୍ରକାଶ ପାଇଛି ସେହି ଦୃଷ୍ଟିରୁ ଚିନ୍ତାକଲେ ଏହି ଆନ୍ଦୋଳନ ଅପୂର୍ବ ସାଫଲ୍ୟ ଲାଭ କରିଛି । ଏହି ଜାଗରଣ ଫଳରେ ଅର୍ଥ ଦୃଷ୍ଟିରୁ ଚିନ୍ତାକଲେ ଭାରତ ଜାତୀୟ କଂଗ୍ରେସର ସଭ୍ୟ ସଂଗ୍ରହ ଫଳରେ ଯେଉଁ ଅର୍ଥ ସଂଗୃହୀତ ହୋଇପାରିଛି ଏବଂ ବିଦେଶୀ ବସ୍ତୁ ବର୍ଜନ ଫଳରେ ଯେଉଁ ନୂତନ ଉଦ୍ଦୀପନା ଦେଖାଦେଇଛି ସେହି ଦୃଷ୍ଟିରୁ ଚିନ୍ତାକଲେ ଏହି ଆନ୍ଦୋଳନ ଯେ ଅପୂର୍ବ ସାଫଲ୍ୟ ଲାଭ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆଉ ଟିକିଏ ଆଗକୁ ଯାଇ କହିବାକୁ ଚାହେଁ ଯେ, ଦେଶସାରା ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ, ବିଚାରାଳୟ ଏବଂ ବ୍ୟବସ୍ଥାପକ ସଭାମାନଙ୍କର ସମ୍ମାନ ଉପରେ ଏହି ଆନ୍ଦୋଳନ ଯୋଗୁଁ ଯେଉଁ ଆଞ୍ଚ ଆସିଛି ତାହାଫଳରେ ଯଥେଷ୍ଟ ଲାଭ ହୋଇଛି । ଏହା ସତ୍ତ୍ୱେ ଏ ସବୁ ଅନୁଷ୍ଠାନ ଯେ, ଆମ ଦେଶରେ ତିଷ୍ଠିରହିଛି ଏହାର ଏକମାତ୍ର କାରଣ ହେଉଛି ଆମର ଦୁର୍ବଳତା । ଦେଶର ଏହିସବୁ ଅନୁଷ୍ଠାନମାନଙ୍କର ମୂଳୋତ୍ପାଟନ କରିବାପାଇଁ ଦୃଢ଼ମତ ପ୍ରକାଶ କରିଥିଲେ ସୁଦ୍ଧା ଏହା ସ୍ୱୀକାର୍ଯ୍ୟ ଯେ, ଆମେ କେତେଦୂର ଏ ଦିଗରେ ସଫଳତା ଲାଭ କରିଛୁ, ବୋଲି ଯେବେ ଚିନ୍ତା କରୁ ତାହାହେଲେ ଦେଖିପାରିବା ଯେ ଆମେ ଏ ଦିଗରେ ଯଥେଷ୍ଟ କରିଥିଲେ ସୁଦ୍ଧା ତାହା ଅପେକ୍ଷା ଖୁବ୍ ବେଶି କରିବାକୁ ବାକି ଅଛି । ଅହିଂସାକୁ ଦୃଢ଼ଭାବେ ପ୍ରତିଷ୍ଠା କରିବାକୁ ହେବ । ଅସହଯୋଗ କାର୍ଯ୍ୟକୁ ଅଧିକ ଶକ୍ତିଶାଳୀ କରି ଏହାର ପରିସର ବୃଦ୍ଧି କରିବାକୁ ପଡ଼ିବ । ଆମେ ଆମ ନିଜକୁ ଦୃଢ଼ କରିବା ସଙ୍ଗେ ସଙ୍ଗେ ଅଧିକ ଯୁକ୍ତିଯୁକ୍ତ ମନୋଭାବ ପ୍ରକାଶ କରିବାକୁ ହେବ । ତ୍ୟାଗର ମନୋଭାବ ଅଧିକ ଶକ୍ତିଶାଳୀ କରିବା ସଙ୍ଗେ ସଙ୍ଗେ ଧ୍ୱଂସ ଏବଂ ପୁନର୍ଗଠନ କାର୍ଯ୍ୟ ପୂର୍ବାପେକ୍ଷା ଅଧିକ ଦୃଢ଼ଭାବେ କରିବାକୁ ପଡ଼ିବ । ମୁଁ ଆମର ସମାଲୋଚକମାନଙ୍କୁ କହିବାକୁ ଚାହେଁ ଯେ, ‘‘ଆମର ଯେ ବହୁଦିଗରେ ବିଫଳତା ହୋଇଛି ଏହା ମୁଁ ସ୍ୱୀକାର କରୁଥିଲେ ସୁଦ୍ଧା ଯେଉଁ କ୍ଷେତ୍ରମାନଙ୍କରେ ଆମେ ସଫଳତା ଲାଭ କରିଛୁ ତାହା କ’ଣ ସେମାନେ ସ୍ୱୀକାର କରିବେ ନାହିଁ ?’’

 

ଯୁବକମାନଙ୍କୁ ବିପଥଗାମୀ କରୁଥିବାର ଅଭିଯୋଗ

 

ଆମେ ଦେଶର ଯୁବକ ସମ୍ପ୍ରଦାୟଙ୍କୁ ବିପଥଗାମୀ କରିଛୁ ବୋଲି ମାନ୍ଦାଦଳର ଲୋକେ ଅଭିଯୋଗ କରୁଛନ୍ତି । ପୁଅ ବାପକୁ, ଛାତ୍ର ଶିକ୍ଷକଙ୍କୁ ଏବଂ ପ୍ରଜା ସରକାରଙ୍କୁ ଅମାନ୍ୟ କରିବାପାଇଁ ଆମେ ଶିକ୍ଷା ଦେଇଛୁ ବୋଲି କୁହାଯାଉଛି । ମୁଁ ଏହି ଅଭିଯୋଗକୁ ମାନିଯିବା ସଙ୍ଗେ ସଙ୍ଗେ ଆଜି ପର୍ଯ୍ୟନ୍ତ ହୋଇ ଆସିଥିବା ପ୍ରତ୍ୟେକ ଆଧ୍ୟାତ୍ମିକ ଆନ୍ଦୋଳନ ଯେ ଆମ କାର୍ଯ୍ୟକୁ ସମର୍ଥନ କରୁଛି ତାହା କହିବାକୁ ଚାହେଁ । ଲୋକଙ୍କୁ ଅସତ୍‍ପଥରେ ଚଳାଇଥିବା ଅଭିଯୋଗରେ ଯେତେବେଳେ ମହାପୁରୁଷ ଯିଶୁଖ୍ରୀଷ୍ଟଙ୍କର ବିଚାର କରାଯାଉଥିଲା ସେତେବେଳେ ସେ ଯେଉଁ ଜବାବ ଦେଇଥିଲେ ତାହା ଯେପରି ଦୃଢ଼ ସେହିପରି ଉପଦେଶାତ୍ମକ । ସେ କହିଥିଲେ, ‘‘ମୁଁ ପୃଥିବୀରେ ଶାନ୍ତିର ପ୍ରଚାର କରିବାକୁ ଆସିଛି ବୋଲି ଭାବନାହିଁ, ମୁଁ ଶାନ୍ତି ପ୍ରଚାର ନ କରି ଖଡ଼୍‍ଗ ପ୍ରଚାର କରିବାକୁ ଆସିଛି । କାରଣ ମୋର କାର୍ଯ୍ୟ ହେଉଛି ପ୍ରତ୍ୟେକଙ୍କୁ ନିଜ ବାପ ବିରୁଦ୍ଧରେ, ଝିଅକୁ ମାଆ ବିରୁଦ୍ଧରେ ଏବଂ ବୋହୂକୁ ଶାଶୁ ବିରୁଦ୍ଧରେ ଲଗାଇବା ।

 

ଭଣ୍ଡାମିର ଅଭିଯୋଗ

 

ମୌଖିକଭାବେ ପ୍ରେମର ପ୍ରଚାର କରି ପ୍ରକୃତପକ୍ଷେ ଆମେ ଘୃଣାର ପ୍ରଚାର କରୁଛୁ ବୋଲି କୁହାଯାଉଛି । ଏପରି ନିର୍ଲଜ୍ଜ ମିଥ୍ୟାର ଅବତାରଣା ଆଉ କେବେହେଲେ କରାଯାଇ ନଥିଲା-। ହୋଇପାରେ, ଆମେ ପ୍ରକୃତ ପ୍ରେମ କରିପାରି ନ ଥାଉ ବା ଆମ ଭିତରୁ କେହି କେହି ଘୃଣାଭାବ ପୋଷଣ କରିପାରିଥାନ୍ତି । ତାହା ହେଉଛି, ଆମର ଦୁର୍ବଳତା ଓ ଅଯୋଗ୍ୟତାର ଲକ୍ଷଣ-। ଆମକୁ ଆମ କାର୍ଯ୍ୟ ଦୃଷ୍ଟିରୁ ବିଚାର କରା ନ ଯାଇ ଆଦର୍ଶ ଦୃଷ୍ଟିରୁ ବିଚାର କରାଯାଉ-। ଯେଉଁଠି ଆମମାନଙ୍କର ଆଦର୍ଶରୁ ଆମେ ବିଚ୍ୟୁତ ହୋଇଛୁ ତାହା ଆମର ଦୁର୍ବଳତା ବୋଲି ଧରାଯାଉ-। ମୁଁ ଭାରତ ଜାତୀୟ କଂଗ୍ରେସ ପକ୍ଷରୁ ଏ ଶଠତା ଅଭିଯୋଗକୁ ପୂରାପୂରି ଅସ୍ୱୀକାର କରୁଛି-। ଯେଉଁମାନେ ଆମର ଦୁର୍ବଳତା ଦେଖାଇ ଦେବାକୁ ଅତିରିକ୍ତ ବ୍ୟଗ୍ର, ସେମାନଙ୍କୁ ସବୁ ପ୍ରକାର ସମ୍ମାନର ସହିତ ମୁଁ ଅନୁରୋଧ କରୁଛି, ‘‘ବନ୍ଧୁଗଣ ! ଆମେ ଯେବେ ଦୁର୍ବଳ ହୋଇଥାଇଁ ତାହାହେଲେ ଆପଣମାନେ ଆସି ଆମ ସାଙ୍ଗରେ ଯୋଗ ଦେଇ ଆମକୁ ସବଳ କରନ୍ତୁ । ଯେବେ ନେତୃବର୍ଗ ଅକର୍ମଣ୍ୟ ହୋଇଥାନ୍ତି ତାହାହେଲେ ଆପଣମାନେ ଆସି ନେତୃତ୍ୱ ଦେଲେ ନେତୃବର୍ଗ ଆପେଆପେ ଅପସରି ଯିବେ । ଯେବେ ଆପଣମାନେ ଆଦର୍ଶରେ ବିଶ୍ୱାସ କରନ୍ତି ନାହିଁ ତାହାହେଲେ ସେହି ଆଦର୍ଶ ଦୃଷ୍ଟିରୁ ସମାଲୋଚନା କରିବାର ଅର୍ଥ କ’ଣ ?’’ ଆମର କୌଣସି ଆଦର୍ଶରୁ ଯେଉଁଠାରେ କେତେଦୂର ବିଚ୍ୟୁତି ହୋଇଛି ତାହା କୌଣସି ସମାଲୋଚକ ଆମକୁ ଦେଖାଇଦେବା ଆମେ ଚାହୁଁ ନାହିଁ, ମୁଁ ଯେଉଁ ଦିଗକୁ ଦୃଷ୍ଟି ଦେଉଛି ସବୁ ଦିଗରୁ ଦୁର୍ବଳତାର ପ୍ରମାଣ ମୋତେ ମିଳୁଛି । ଆମର ଦୋଷ ଦୁର୍ବଳତା ସତ୍ତ୍ୱେ ମୁଁ ଦୃଢ଼ତାର ସହିତ କହୁଛି ଯେ ଆମର ବିଜୟ ସୁନିଶ୍ଚିତ ଏବଂ ଆମର ବିଜୟ ଯେ ସୁନିଶ୍ଚିତ ଏହା ଅମଲାତନ୍ତ୍ର ଶାସନ ଭଲଭାବେ ଜାଣେ ।

 

ଅହିଂସାତ୍ମକ ଅସହଯୋଗ ପ୍ରଣାଳୀକୁ କିଭଳି କାର୍ଯ୍ୟକାରୀ କରିବାକୁ ହେବ

 

ଅହିଂସାତ୍ମକ ଅସହଯୋଗ ନିଶ୍ଚିତ ଏବଂ ପ୍ରକୃଷ୍ଟ ଉପାୟ ହୋଇଥିଲେ ସୁଦ୍ଧା ଦେଶର ବର୍ତ୍ତମାନ ଅବସ୍ଥାରେ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ହେଉଛି ଆମମାନଙ୍କ ପକ୍ଷରେ ଭାବିବାର ବିଷୟ । ଜାତିର ଆତ୍ମା ମରିଯାଇଥିବାରୁ ଅହିଂସାତ୍ମକ ଅସହଯୋଗ ସମ୍ଭବପର ନୁହେଁ ବୋଲି ଯେଉଁମାନେ କହୁଛନ୍ତି ମୁଁ ସେମାନଙ୍କ ସହିତ ଏକମତ ନୁହେଁ । ମୁଁ ଏ ସମ୍ପର୍କରେ ବିଶବଭାବେ ଚିନ୍ତା କରି ଦେଖିଛି ଯେ ଏଭଳି ସନ୍ଦେହ ବା ନୈରାଶ୍ୟ ଭାବ ପ୍ରକାଶ କରିବାର ଆଦୌ କୌଣସି କାରଣ ନାହିଁ । ବାହାରକୁ ଲୋକଙ୍କ ଅବସ୍ଥା ଦେଖିଲେ ଅବଶ୍ୟ କେତେକାଂଶରେ ଶିଥିଳ ଜଣାଯାଉଛି । କ୍ଳାନ୍ତି ଯୋଗୁଁ ସେମାନେ କେତେକାଂଶରେ ହାଲିଆ ହୋଇ ପଡ଼ିଥିବାର ଏହା ହେଉଛି ଲକ୍ଷଣ । କିନ୍ତୁ ଏହି କ୍ଳାନ୍ତି ଭିତରେ ଜାତିର ନାଡ଼ି ପୂର୍ବପରି ଦୃଢ଼ଭାବେ ଚାଲିଛି ଏବଂ ଏହି ଆନ୍ଦୋଳନ ଆରମ୍ଭ ସମୟରେ ଅବସ୍ଥା ଯେଭଳି ଆଶାଜନକ ଥିଲା ତାହା ଆଜି ମଧ୍ୟ ଅଛି । ଜାତିର ଏହି ଶକ୍ତିକୁ ଏକୀଭୂତ କରି ଠୁଳ କରିବାକୁ ହେବ । ଜାତିର ସମସ୍ତ ଶକ୍ତି ଯେଭଳି ସ୍ୱରାଜ୍ୟ ପ୍ରାପ୍ତି ଦିଗରେ ଆମକୁ ଅଧିକ ଅଗ୍ରସର କରାଇପାରେ ସେଥିପାଇଁ ଯୋଜନା କରିବାକୁ ହେବ । ଜାତି ସମ୍ମୁଖରେ କାର୍ଯ୍ୟକାରୀ କରିବାପାଇଁ ଭାରତ ଜାତୀୟ କଂଗ୍ରେସ ଯେଉଁ ସବୁ କାର୍ଯ୍ୟ କରିବା ଉଚିତ ତାହା ଗୋଟି ଗୋଟି କରି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରୁଛି ।

 

ବିଭିନ୍ନ ସମ୍ପ୍ରଦାୟର ଅଧିକାର ଘୋଷଣା

 

ଭାରତର ସ୍ୱରାଜ ସରକାର ଅଧୀନରେ ଦେଶରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଅଧିକାର କ’ଣ ରହିବ ତାହା ପରିଷ୍କାରଭାବେ ଘୋଷିତ ହେବା ଉଚିତ । ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟଙ୍କ ସମ୍ପର୍କରେ ଦୃଢ଼ ଓ ପରିଷ୍କାରଭାବେ ଲକ୍ଷ୍ନୌ ଚୁକ୍ତି ବୋଲି ଯାହାକୁ କୁହାଯାଏ ତାହା ପୂରାପୂରି ସ୍ୱୀକାର ଓ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯିବା ସଙ୍ଗେ ସଙ୍ଗେ ଉଭୟ ପରସ୍ପରର ଅଧିକାରକୁ ସ୍ୱୀକାର କରିବା ବ୍ୟତୀତ ପ୍ରତ୍ୟେକ ଅନ୍ୟ ସମ୍ପ୍ରଦାୟ ପାଇଁ ଉଚିତ । ମୁଁ ଯାହା କହୁଛି ତାହା ପରିଷ୍କାରଭାବେ ବୁଝାଇବାକୁ ଯାଇ ଗୋଟିଏ ଉଦାହରଣ ଦେଉଛି । ପ୍ରତ୍ୟେକ ଧର୍ମପ୍ରାଣ ମୁସଲମାନ ମସଜିଦ ସାମନାରେ କୌଣସି ବାଜା ଓ ସଙ୍ଗୀତକୁ ବିରୋଧ କରେ ଏବଂ ଧର୍ମପ୍ରାଣ ହିନ୍ଦୁମାନେ ମଧ୍ୟ ଗୋହତ୍ୟାକୁ ବିରୋଧ କରନ୍ତି । ତେଣୁ କୌଣସି ମସଜିଦ ସାମନାରେ ବାଜା ବାଜିବ ନାହିଁ ଏବଂ ଗୋହତ୍ୟା କରାଯିବ ନାହିଁ ବୋଲି ଭାରତର ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ କ’ଣ ଚୁକ୍ତି ହେବା ସମ୍ଭବପର ନୁହେଁ ? ଏହିପରି ଅନ୍ୟାନ୍ୟ ଉଦାହରଣମାନ ମଧ୍ୟ ଦିଆଯାଇପାରେ । ସ୍ୱରାଜ ପଥରେ ବିଭିନ୍ନ ସମ୍ପ୍ରଦାୟ ଏକ ହୋଇ ଯେଭଳି ଅଗ୍ରସର ହୋଇ ପାରନ୍ତି, ସେଥିପାଇଁ ସବୁ ସମ୍ପ୍ରଦାୟଙ୍କୁ କିଛି କିଛି ତ୍ୟାଗ କରିବାକୁ ପଡ଼ିବ ଏବଂ କ’ଣ ତ୍ୟାଗ କରିବେ ତାହା ଠିକ୍ କରାଯିବା ଉଚିତ । ଶିଖ, ଖ୍ରୀଷ୍ଟିଆନ ଏବଂ ପାର୍ଶି ସମ୍ପ୍ରଦାୟ ଅତି ଅଳ୍ପ ହୋଇଥିବାରୁ ଦେଶର ଜନତା ମଧ୍ୟରେ ବହୁସଂଖ୍ୟାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଲୋକଙ୍କୁ ଉକ୍ତ ତିନି ସମ୍ପ୍ରଦାୟ ଲୋକଙ୍କର ସ୍ୱରାଜ ଶାସନରେ ଲୋକସଂଖ୍ୟା ଅନୁପାତରେ ଯେତେ ଅଧିକାର ରହିବାର କଥା, ତାହା ଅପେକ୍ଷା ବେଶି ଦେବାକୁ ପଡ଼େ । ମୁଁ ପ୍ରସ୍ତାବ କରୁଛି ଯେ ଏହି ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ରହିଥିବା ସମସ୍ତ ଭୟ ଓ ଆଶଙ୍କା ଦୂର ହୋଇଯାଇ ସବୁ ସମ୍ପ୍ରଦାୟଙ୍କର ଅଧିକାର ଯେପରି ସ୍ୱୀକୃତ ହୋଇ ପାରିବ ସେହି ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ଗୋଟିଏ ବାସ୍ତବ ଚୁକ୍ତି କରିବାପାଇଁ କଂଗ୍ରେସ ଚେଷ୍ଟା କରିବା ଉଚିତ । ମୋର କହିବା ନିଷ୍ପ୍ରୟୋଜନ ଯେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ମୁଁ କେବଳ ଭାରତୀୟମାନଙ୍କୁ ଅନ୍ତର୍ଭୁକ୍ତ ନ କରି ଆଙ୍ଗ୍ଲୋ ଇଣ୍ଡିୟାନ୍ ଏବଂ ଅନ୍ୟାନ୍ୟ ଲୋକେ ଯେଉଁମାନେ ଭାରତବର୍ଷକୁ ନିଜର ଘର କରିପାରିଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଅନ୍ତର୍ଭୁକ୍ତ କରୁଛି । ମୁଁ ଯେଉଁ ଚୁକ୍ତି ବିଷୟ ଉପରେ କହିଲି ତାହାର ଆବଶ୍ୟକତା ସବୁ ସମୟରେ ଥିଲା; କିନ୍ତୁ ଆଜି ଆମେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛେ, ସେ ଦୃଷ୍ଟିରୁ ତାହା ଅଧିକ ପ୍ରୟୋଜନ ହୋଇ ଉଠିଛି ।

 

ବିଦେଶରେ ପ୍ରଚାର

 

ମୁଁ ଆଉ ମଧ୍ୟ ଭାବୁଛି ଯେ ଗତ ଦୁଇବର୍ଷଧରି ସମସ୍ତଙ୍କଠାରୁ ଅଲଗା ହୋଇ ଏକୁଟିଆ ଭାବରେ ରହିବାର ଯେଉଁ ନୀତି ଆମେ ଧରିଛୁ ତାହା ଛାଡ଼ିବା ଉଚିତ । ପ୍ରତ୍ୟେକ ଦେଶରେ ସ୍ୱାଧୀନତାପ୍ରେମୀ ବହୁ ନିଃସ୍ୱାର୍ଥ ଲୋକ ଅଛନ୍ତି, ଯେଉଁମାନେ ପ୍ରତ୍ୟେକ ଦେଶ ସ୍ୱାଧୀନ ହେବା ଇଚ୍ଛା କରନ୍ତି । ସେମାନଙ୍କର ସହାନୁଭୂତି ଏବଂ ସହଯୋଗ ଆମ ପକ୍ଷରେ ଆବଶ୍ୟକ ନୁହେଁ ୟୁରୋପର ପ୍ରତ୍ୟେକ ଦେଶରେ କଂଗ୍ରେସ ପକ୍ଷରୁ ସଂସ୍ଥା ରହିବା ଉଚିତ । ଆମମାନଙ୍କୁ ପୃଥିବୀର ବିଭିନ୍ନ ଆନ୍ଦୋଳନ ସହିତ ସମ୍ପର୍କ ରଖି ପୃଥିବୀସାରା ସ୍ୱାଧୀନତା ପ୍ରେମୀମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାକୁ ହେବ ।

 

ବିରାଟ ଏସୀୟ ରାଷ୍ଟ୍ରସଙ୍ଘ

 

ଏହାଠାରୁ ଅଧିକ ଗୁରୁତର ବିଷୟ ହେଉଛି, ବର୍ତ୍ତମାନ ଗଠିତ ହେବାକୁ ଯାଉଥିବା ବିରାଟ ଏସୀୟ ରାଷ୍ଟ୍ରସଙ୍ଘରେ ଭାରତ ଅଂଶଗ୍ରହଣ କରିବା । ଯେଉଁ ମୁସଲମାନ ଭ୍ରାତୃବୃନ୍ଦଙ୍କୁ ଏକତ୍ର କରିବାପାଇଁ କ୍ଷୁଦ୍ର ଦୃଷ୍ଟିକୋଣରୁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ସ୍ଥାନରେ ବୃହତ୍ ଦୃଷ୍ଟିକୋଣରୁ ଏସିଆର ଲୋକ ସମୂହର ରାଷ୍ଟ୍ରସଙ୍ଘ ପରିକଳ୍ପନା ବାହାରିଛି ବା ବାହାରିବାକୁ ଯାଉଛି । ଏ ବିଷୟରେ ମୋର କୌଣସି ସନ୍ଦେହ ନାହିଁ । ଏସିଆର ସମସ୍ତ ଦଳିତ ଜାତିମାନଙ୍କର ଏହା ହେବ ସଂଘ ବା ଏକତ୍ର ହେବା ସ୍ଥାନ । ଭାରତବର୍ଷ ଏହି ସଂଘରୁ ଅଲଗା ରହିପାରେ କି ? ଆମ ସ୍ୱାଧୀନତା ଆମକୁ ହାସଲ କରିବାକୁ ହେବ ବୋଲି ମୁଁ ସ୍ୱୀକାର କରୁଥିଲେ ସୁଦ୍ଧା ଭାରତ ଏବଂ ଏସିଆର ଅନ୍ୟାନ୍ୟ ଜାତିମାନଙ୍କ ମଧ୍ୟରେ ଏପରିକି ଭାରତ ଏବଂ ବିଶ୍ୱର ସ୍ୱାଧୀନତାପ୍ରେମୀ ଲୋକମାନଙ୍କ ମଧ୍ୟରେ ଏହି ବନ୍ଧୁତା ଓ ସଦ୍‍ଭାବ ଫଳରେ ବିଶ୍ୱଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ମୋର ଆଶା । ମୋ ଦୃଷ୍ଟିରେ ବିଶ୍ୱଶାନ୍ତିର ଅର୍ଥ ପ୍ରତ୍ୟେକ ଜାତିର ସ୍ୱାଧୀନତା ଏବଂ ଏହି କଥାକୁ ମୁଁ ଆଉ ଟିକିଏ ସ୍ପଷ୍ଟ କରିବାକୁ ଯାଇ କହିବାକୁ ଚାହେଁ ଯେ ପୃଥିବୀବକ୍ଷରେ ଅନ୍ୟାନ୍ୟ ଜାତି ଦାସତ୍ୱରେ ସଢ଼ୁଥିବା ସମୟରେ କୌଣସି ଜାତି ସ୍ୱାଧୀନତା ଉପଭୋଗ କରିପାରେ କି ? ଏପର୍ଯ୍ୟନ୍ତ ଆମେ ଯେଉଁ ନୀତି ଗ୍ରହଣ କରି ଆସିଛୁ ତାହା ଆମେ ଯେଉଁ କାର୍ଯ୍ୟ କରିବାର ଦାୟିତ୍ୱ ନେଇଥିଲୁ ତହିଁରେ ମନପ୍ରାଣ ଢାଳି କାର୍ଯ୍ୟ କରିବାର ଦରକାର ଥିବା ଦୃଷ୍ଟିରୁ ଏହି ନୀତି ଆମେ ଗ୍ରହଣ କରିଥିଲୁ ଏବଂ ମୁଁ ଅନ୍ତରରସହ ତାହା ସମର୍ଥନ କରିଥିଲି । ସ୍ୱରାଜ ବା ସ୍ୱରାଜ୍ୟର ଭିତ୍ତି ବର୍ଷକ ଭିତରେ ମିଳିବ ବୋଲି ଆଶା ଥିବାରୁ ସେଭଳି କାର୍ଯ୍ୟ କରିବାର ମଧ୍ୟ ଆବଶ୍ୟକତା ଥିଲା । ଆଜି ପରିବର୍ତ୍ତିତ ଅବସ୍ଥା ଦୃଷ୍ଟିରୁ ଅଧିକ ଲୋକଙ୍କର ସହାନୁଭୂତି ଏବଂ ସାହାଯ୍ୟ ସେହି କାର୍ଯ୍ୟପାଇଁ ଆବଶ୍ୟକ ।

 

ପଞ୍ଜାବ ଅନ୍ୟାୟର ପ୍ରତିକାର ଦାବି, ଖିଲାଫତ୍‍ ଓ ସ୍ୱରାଜ ପ୍ରଭୃତି

 

ଆଜି ଆମ୍ଭେମାନେ ବିରାଟ ପରିବର୍ତ୍ତନର ପାଦଦେଶରେ ଏବଂ ବିଶ୍ୱର ଘଟନାବଳି ଆମମାନଙ୍କୁ ସେଥିପାଇଁ ପ୍ରସ୍ତୁତ ହେବାକୁ ବାଧ୍ୟ କରୁଛି । କାମାଲପାସାଙ୍କର ବିଜୟ ଫଳରେ ଏସିଆର ଦାସତ୍ୱ ଶିକୁଳି ଭାଙ୍ଗିଯିବା ସଙ୍ଗେ ସଙ୍ଗେ ତାହା ମଧ୍ୟରେ ନୂତନ ଜୀବନର ସଞ୍ଚାର ହୋଇ ଉଠିଛି । ପ୍ରମେଥିୟସ୍ ଏସିଆ ସମ୍ପର୍କରେ କହିବାକୁ ଯାଇ ଯାହା କହିଥିଲେ, ‘ଏସିଆର ଚିନ୍ତାଧାରା ଠିକ୍ । ଉପତ୍ୟକାରେ ଥିବା ଜଙ୍ଗଲ ସମୂହପରି ଯେଉଁଥିରେ କି ନଦୀସ୍ରୋତ ଏବଂ ବର୍ଷା ବହିଯାଏ’ ଠିକ୍ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ୟୁରୋପୀୟ ଦେଶ ସମୂହର ଲୋକମାନଙ୍କ ମଧ୍ୟରେ ପ୍ରକୃତ ସ୍ୱାଧୀନତା ପାଇଁ ଯେଉଁ ଆକାଂକ୍ଷା ଓ ଆଶା ଦେଖା ଦେଇଛି ତାହା ଫଳରେ ପରାଧୀନ ଜାତିମାନଙ୍କ ମନୋଭାବରେ ଅଦ୍ଭୁତ ପରିବର୍ତ୍ତନ ଦେଖା ଦେଇଛି, ଯାହା ଆଦର୍ଶ ବୋଲି ଲୋକେ ଭାବୁଥିଲେ ତାହା ବାସ୍ତବ ରାଜନୀତି କ୍ଷେତ୍ରରେ ଲାଭ କରାଯାଇପାରିବ ବୋଲି ଜଣାଗଲାଣି । ଭାରତ ଜାତି ନିଜର ଅଧିକାର ବୁଝିଲେଣି । ଏଭଳି ସମୟରେ ପୂରାପୂରି ପୁନର୍ବିଚାର କରି ଆମ ଦାବି ସମୂହକୁ ପୁନର୍ବାର ଉପସ୍ଥାପିତ କରିବାକୁ ହେବ । ପଞ୍ଜାବରେ କରାଯାଇଥିବା ଅନ୍ୟାୟ ସମ୍ପର୍କରେ ଆମେ ଯେଉଁ ଦାବି କରିଥିଲୁ ତହିଁରୁ କେତେକ ପୂରଣ ହୋଇଥିବାରୁ ସେହି ଦାବିକୁ ପୁନର୍ବିଚାର କରି ଉପସ୍ଥାପିତ କରିବାକୁ ହେବ । ଖିଲାଫତ୍‍ ସମ୍ପର୍କରେ ଆମେ ଯେଉଁ ଦାବି କରିଥିଲୁ ତହିଁରୁ କେତେକ କାର୍ଯ୍ୟକାରୀ ହୋଇଥିବାରୁ ଏବଂ ଲାଲସେନ୍ କମିଶନ ତାଙ୍କ କାର୍ଯ୍ୟ ଶେଷ କରିବାବେଳକୁ ଏହି ସମ୍ପର୍କୀୟ ଦାବିକୁ ମଧ୍ୟ ପୁନର୍ବିଚାର କରାଯିବା ଦରକାର । ସ୍ୱରାଜ ସମ୍ପର୍କୀୟ ଆମ ଦାବିକୁ ବର୍ତ୍ତମାନ ଅଧିକ ସ୍ପଷ୍ଟଭାବେ ଉପସ୍ଥାପିତ କରିବା ଦରକାର । ସ୍ୱରାଜର ପ୍ରକୃତ ମୂଳଭିତ୍ତି କିପରି ସରକାର ହେଲେ ପଡ଼ି ପାରିବ ସେହି ସରକାରର ରୂପରେଖ ପ୍ରକାଶ କରି କଂଗ୍ରେସ ବାସ୍ତବ ଯୋଜନା କରିବା ଉଚିତ । ଏପର୍ଯ୍ୟନ୍ତ ଏଭଳି ସରକାରର ରୂପରେଖ ଜାଣିଶୁଣି ଆମେ ଦେଶ ଆଗରେ ଉପସ୍ଥାପିତ କରିନାହୁଁ । କାରଣ ସ୍ୱରାଜପାଇଁ ମନୋଭାବ ସୃଷ୍ଟି କରିବା ଦିଗରେ ଆମେ ଆମର ସମସ୍ତ ଶକ୍ତି ଦେଇ ଆସିଛୁ । କିନ୍ତୁ ଆଜିକାର ଅବସ୍ଥା ପୂରାପୂରି ବଦଳିଗଲାଣି । ଆମେ ଅଧୈର୍ଯ୍ୟ ହୋଇ ପଡ଼ିଲୁଣି । ତେଣୁ ଆମେ କେଉଁ ପ୍ରକାର ସରକାର ଚାହୁଁ ତାହାର ନିର୍ଦ୍ଦିଷ୍ଟ ରୂପରେଖ ଦେଶ ଆଗରେ ଉପସ୍ଥାପିତ କରିବା ଅତ୍ୟନ୍ତ ପ୍ରୟୋଜନ ହୋଇ ପଡ଼ିଲାଣି । ମୁଁ ପୂର୍ବରୁ ଯାହା କହିଛି ସ୍ୱରାଜ ଗୋଟିଏ ଅନିର୍ଦ୍ଦିଷ୍ଟ ବସ୍ତୁ ହୋଇଥିବାରୁ ତାକୁ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ସରକାର ସହିତ ତୁଳନା କରିବା ବା ମିଶାଇବା ଉଚିତ ନୁହେଁ । ଏହା ସତ୍ତ୍ୱେ ଜାତୀୟ ଚିନ୍ତାଧାରା ପୂରାପୂରି ପ୍ରକାଶ ପାଇବା ଉଚିତ ଏବଂ ସ୍ୱରାଜର ବାହ୍ୟ ପ୍ରକୃତିର ଅନ୍ତର୍ଭୁକ୍ତ ଜାତିର ପୂରାପୂରି ଇତିହାସ ହୋଇଥିଲେ ସୁଦ୍ଧା ଏହାକୁ ନିର୍ଦ୍ଦିଷ୍ଟ ରୂପରେଖ ଦେବାପାଇଁ ଯେଉଁ ଦାବି କରାଯାଉଛି ତାହା ଅଧିକ ବିଳମ୍ୱ ହେବା ଉଚିତ ନୁହେଁ ।

 

ସରକାରର ଗଠନ ପ୍ରଣାଳୀ ଏବଂ ଗ୍ରାମ ସଂଗଠନ

 

ଏହି ସରକାରଙ୍କର ନିର୍ଦ୍ଦିଷ୍ଟ ରୂପରେଖ କ’ଣ ହେବ ତାହାର ଚିତ୍ରଦେବା ଏ ବକ୍ତୃତାର ବାହାରେ; କିନ୍ତୁ ଏ ସରକାରର ରୂପରେଖ ବିଷୟରେ ମୋର ନିଜର ଚିନ୍ତାଧାରା ପ୍ରକାଶ କରିବାର ଏହି ସୁଯୋଗ ଛାଡ଼ିବାକୁ ମୁଁ ଚାହେଁ ନାହିଁ । ଯେଉଁ ସରକାର ଲୋକଙ୍କର ନୁହେଁ ବା ଲୋକଙ୍କଦ୍ୱାରା ନୁହେଁ, ତାକୁ କେବେହେଲେ ସ୍ୱରାଜର ପ୍ରକୃତ ମୂଳଦୁଆ ବୋଲି ଚିତ୍ରଣ କରାଯାଇ ନ ପାରେ । ମୁଁ ଏ ବିଷୟରେ ଦୃଢ଼ ଯେ, ପାର୍ଲାମେଣ୍ଟାରୀ ସରକାର ଲୋକଙ୍କର ବା ଲୋକଙ୍କପାଇଁ ସରକାର କେବେହେଲେ ହୋଇ ନ ପାରେ । ଆମଭିତରୁ ଅନେକେ ବିଶ୍ୱାସ କରନ୍ତି ଯେ, ମଧ୍ୟବିତ୍ତ ଶ୍ରେଣୀ ଜନତାପାଇଁ ସ୍ୱରାଜ ହାସଲ କରିବେ । କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀର ଆନ୍ଦୋଳନ ସ୍ୱରାଜ ଆନ୍ଦୋଳନରେ ପରିଣତ ହୋଇପାରେ ବୋଲି ମୁଁ ବିଶ୍ୱାସ କରେ ନାହିଁ । ଆଜି ଯେବେ ବ୍ରିଟିଶ ପାର୍ଲିଆମେଣ୍ଟ୍ କେନ୍ଦ୍ର ସରକାରରେ ଦାୟିତ୍ୱସହ ପ୍ରାଦେଶିକ ସ୍ୱତନ୍ତ୍ରତା ପ୍ରଦେଶମାନଙ୍କୁ ଦିଅନ୍ତି ତାହାହେଲେ ମୁଁ ଏହାର ବିରୋଧ କରିବି । କାରଣ ଏହା ଫଳରେ ମଧ୍ୟବିତ୍ତ ଶ୍ରେଣୀ ହାତରେ କ୍ଷମତା ଠୁଳ ହୋଇଯିବ ଏବଂ ସେମାନେ ଲୋକଙ୍କୁ କ୍ଷମତା ଛାଡ଼ିଦେବେ ବୋଲି ମୋର ବିଶ୍ୱାସ ନାହିଁ । ଭାରତବର୍ଷରେ ବର୍ତ୍ତମାନ ଶାସନ କରୁଥିବା ଗୋରା ଅମଲାତନ୍ତ୍ର ସ୍ଥାନରେ ଯେବେ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀର ଅମଲାତନ୍ତ୍ର ଶାସନ ପ୍ରତିଷ୍ଠିତ ହୁଏ, ତାହାହେଲେ ଭାରତବର୍ଷର କି ଲାଭ ହେବ ? ଅମଲାତନ୍ତ୍ରହିଁ ଅମଲାତନ୍ତ୍ର ଏବଂ ମୋର ବିଶ୍ୱାସ ଅମଲାତନ୍ତ୍ର ଯେଉଁଠାରେ ଥିବ ସ୍ୱରାଜ କେବେହେଲେ ତିଷ୍ଠି ପାରିବ ନାହିଁ । ସ୍ୱରାଜ ଲାଭପାଇଁ ଜନସାଧାରଣ ଯେପର୍ଯ୍ୟନ୍ତ ସହଯୋଗ ନ କରିଛନ୍ତି ସେପର୍ଯ୍ୟନ୍ତ ମୋ ପରିକଳ୍ପିତ ସ୍ୱରାଜ ଲାଭ କରାଯାଇପାରିବ ନାହିଁ । ଅନ୍ୟ କୌଣସି ଚେଷ୍ଟା ଫଳରେ ୟୁରୋପୀୟ ସାମ୍ୟବାଦୀମାନେ କହୁଥିବା ବୁର୍ଜୁଆ ଶାସନହିଁ ପ୍ରତିଷ୍ଠିତ ହେବ । ଫ୍ରାନ୍‍ସ, ବିଲାତ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କରେ ମଧ୍ୟବିତ୍ତ ଶ୍ରେଣୀ ସ୍ୱାଧୀନତା ଆନ୍ଦୋଳନ କରିଥିବା ଫଳରେ ଏପର୍ଯ୍ୟନ୍ତ ଶାସନ ଏହି ଶ୍ରେଣୀ ଲୋକଙ୍କ ହାତରେ ଅଛି-। ଥରେ କ୍ଷମତା ପାଇଗଲେ ତାହା ଛାଡ଼ିବାକୁ ସେମାନେ ଚାହାନ୍ତି ନାହିଁ । ଆଜି ସମଗ୍ର ଇଉରୋପରେ ପ୍ରକୃତ ସ୍ୱାଧୀନତା ପାଇଁ ଯୁଦ୍ଧକରିବାକୁ ଚେଷ୍ଟା କରାଯାଉଥିବା ଯାହା ଦେଖାଯାଉଛି ତାହାର ଅର୍ଥ ହେଉଛି ଯେ, ମଧ୍ୟବିତ୍ତ ଶ୍ରେଣୀ କବଳରୁ କ୍ଷମତା ଛଡ଼ାଇବା ପାଇଁ ୟୁରୋପୀୟ ସମସ୍ତ ଜାତି ସେମାନଙ୍କ ଶକ୍ତିକୁ ଠୁଳ କରୁଛନ୍ତି । ଇଉରୋପୀୟ ଇତିହାସର ଏହି ଅଧ୍ୟାୟହିଁ ଭାରତବର୍ଷରେ ପୁନରାବୃତ୍ତି ହେବା ମୁଁ ଚାହେଁ ନାହିଁ । ବିଶ୍ୱକୁ ଆଲୁଅ ଦେଖାଇବା ଦାୟିତ୍ୱ ଭାରତବର୍ଷର ଏବଂ ଏହା ହେଉଛି ଅହିଂସା ଉପାୟରେ ଜନତାର ସ୍ୱରାଜ ଲାଭ କରିବା ।

 

ମୋ ମତରେ ଗ୍ରାମ୍ୟଜୀବନ ସଂଗଠନ ଏବଂ ଛୋଟ ଛୋଟ ଅଞ୍ଚଳକୁ ସ୍ୱାତନ୍ତ୍ର୍ୟ ଦେବା ପ୍ରାଦେଶିକ ସ୍ୱତନ୍ତ୍ରତା ବା କେନ୍ଦ୍ରରେ ଦାୟିତ୍ୱମୂଳକ ଶାସନ ପ୍ରତିଷ୍ଠାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଉଭୟଙ୍କ ମଧ୍ୟରୁ କେଉଁଟି ଦରକାର ବୋଲି ଯେବେ କହିବାକୁ ପଡ଼େ ତାହାହେଲେ ସ୍ଥାନୀୟ ଅଞ୍ଚଳକୁ କେନ୍ଦ୍ରକରି ସ୍ୱାତନ୍ତ୍ର୍ୟ ଦେବା ସର୍ବାଗ୍ରେ ବାଞ୍ଛନୀୟ ବୋଲି ବିନା ଦ୍ୱିଧାରେ ମୁଁ କହିବି । ଗ୍ରାମ୍ୟ କେନ୍ଦ୍ରଗୁଡ଼ିକର କାହାରି କାହା ସଙ୍ଗେ ସମ୍ପର୍କ ରହିବ ନାହିଁ ବୋଲି ମୁଁ କହିଥିବା କେହି ବୁଝିବା ଉଚିତ ମୋର ଏହି ମତରୁ ନୁହେଁ । ସମସ୍ତ ସ୍ଥାନୀୟ ଗ୍ରାମ୍ୟକେନ୍ଦ୍ରଗୁଡ଼ିକୁ ନିଜନିଜର ସ୍ୱାତନ୍ତ୍ର୍ୟ ଉପଭୋଗ କରିବା ସଙ୍ଗେ ସଙ୍ଗେ ପରସ୍ପର ସହିତ ସହଯୋଗ କରି ଏକ ସୂତ୍ରରେ ଆବଦ୍ଧ ହୋଇ ରହିବେ । ବର୍ତ୍ତମାନ ପାଇଁ ପ୍ରାଦେଶିକ ସରକାର ଏବଂ ଭାରତ ସରକାରଙ୍କ ହାତରେ କ୍ଷମତା ରହୁଥିଲେ ସୁଦ୍ଧା ଗୋଟିଏ ନୀତି ସବୁଦିନ ପାଇଁ ଗ୍ରହଣ କରାଯିବା ଉଚିତ ଯେ, ଭାରତ ସରକାର ତଥା ପ୍ରାଦେଶିକ ସରକାରଙ୍କର କ୍ଷମତା କେବଳ ପରାମର୍ଶ ଦେବା କ୍ଷମତା ହୋଇ ରହିବ ଏବଂ ଦୁଇ ସରକାରଙ୍କ ହାତରେ ସ୍ଥାନୀୟ ସଂସ୍ଥାମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାପାଇଁ ଯେଉଁ କ୍ଷମତା ରହିବ ତାହା ଖୁବ୍ ସାବଧାନତାର ସହିତ ଯେପରି ବ୍ୟବହୃତ ହେବ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ । ମୁଁ ପୁଣି କହୁଛି ଯେ, ସ୍ଥାନୀୟ ଅଞ୍ଚଳମାନଙ୍କୁ ଶାସନକ୍ଷମତା ଦେବାଦ୍ୱାରାହିଁ ପ୍ରକୃତ ସ୍ୱରାଜ ପ୍ରତିଷ୍ଠିତ ହୋଇ ପାରିବ । ଏହି ଉଦ୍ଦେଶ୍ୟରେ ଜାତିଦ୍ୱାରା ଗ୍ରହଣ ହେବା ଭଳି ଗୋଟିଏ ସବିଶେଷ ସମ୍ୱିଧାନ ତିଆରି କରିବା ନିମିତ୍ତ କଂଗ୍ରେସ ଗୋଟିଏ କମିଟି ନିଯୁକ୍ତ କରିବା ଉଚିତ ।

 

ଇଉରୋପର ସଂସ୍କୃତି ଏବଂ ରାଜନୈତିକ ସଂସ୍ଥାମାନ ବ୍ୟକ୍ତିକୁ କେନ୍ଦ୍ର କରି ପ୍ରତିଷ୍ଠିତ ହୋଇ ଆସିଥିଲେ ସୁଦ୍ଧା ପ୍ରଗତିଶୀଳ ଇଉରୋପୀୟ ଚିନ୍ତାଧାରା ବର୍ତ୍ତମାନ ତାହାପ୍ରତି ବିତୃଷ୍ଣା ପ୍ରକାଶ କରି ଭାରତରେ ପୁରାତନ ଗ୍ରାମ୍ୟଜୀବନର ଯେଉଁ ଆଦର୍ଶ ଥିଲା, ସେଥିପ୍ରତି ଆକୃଷ୍ଟ ହେଉଥିବା ପରି ବୋଧ ହେଉଛି । ଏହି ଚିନ୍ତାଧାରା ଅନୁଯାୟୀ ଆଧୁନିକ ବ୍ୟାଲଟ୍ ବାକ୍‍ସ ଏବଂ ବିରାଟ ଜନସମାଗମ ବିଫଳ ହୋଇଛି; କିନ୍ତୁ ସୁଦ୍ଧା ପ୍ରକୃତ ଗଣତନ୍ତ୍ରର ଏପର୍ଯ୍ୟନ୍ତ ପରଖ କରାଯାଇ ନାହିଁ । ଆଧୁନିକ ଇଉରୋପୀୟ ଚିନ୍ତାଧାରା ଅନୁଯାୟୀ ପ୍ରକୃତ ଗଣତନ୍ତ୍ର କ’ଣ ?

 

ଛୋଟ ଛୋଟ ସୀମାବଦ୍ଧ ଅଞ୍ଚଳକୁ କେନ୍ଦ୍ରକରି ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ପଡ଼ିବ । କ୍ରମଶଃ ବିକେନ୍ଦ୍ରୀକରଣ ନ କରି ବିଭିନ୍ନ ଅଞ୍ଚଳରେ ଥିବା ସ୍ୱୟଂଶାସିତ ଛୋଟ ଛୋଟ ଅଞ୍ଚଳଗୁଡ଼ିକ ଏକାଠି କରି ସେମାନଙ୍କୁ ଗୋଟିଏ ଜୀବନ୍ତ ଓ ସଦ୍‍ଭାବପୂର୍ଣ୍ଣ ଅନୁଷ୍ଠାନରେ ପରିଣତ କରିବାକୁ ହେବ । ଏହା ନ କରି ଯେବେ କ୍ରମଶଃ ବିକେନ୍ଦ୍ରୀକରଣ କରାଯାଏ ତାହାହେଲେ ତହିଁରୁ ବୁଝିବା ସ୍ୱାଭାବିକ ଯେ କେନ୍ଦ୍ରୀଭୂତ ଅନୁଷ୍ଠାନକୁ ଆସ୍ତେ ଆସ୍ତେ କେନ୍ଦ୍ରୀଭୂତ କରାଯାଉଛି; ଯାହାକି ବାଞ୍ଛନୀୟ ନୁହେଁ । ବର୍ତ୍ତମାନ କୌଣସି ଯାନ୍ତ୍ରିକ ପ୍ରଣାଳୀ ବା ଅନୁଷ୍ଠାନ ଦରକାର ନ ହୋଇ ଦରକାର ହେଉଛି ମାନବିକତା ଉପରେ ପ୍ରତିଷ୍ଠିତ ରାଜ ସରକାର । ଆମେ କେନ୍ଦ୍ରୀଭୂତ ରାଜ ସରକାର ଉପରେ ପ୍ରତିଷ୍ଠିତ ହୋଇଥିବା ସ୍ଥାଣୁ ଅନୁଷ୍ଠାନ ନ ଚାହିଁ ଚାହୁଁ ପ୍ରକୃତ ଜୀବନ୍ତ ଅନୁଷ୍ଠାନ ଏବଂ ସଙ୍ଗଠନର ବିକାଶ ।

 

ହେଗେଲ୍ ଯେତେବେଳେ ‘‘ମାନବିକ ଅନୁଷ୍ଠାନ କୌଣସି ବାହ୍ୟଶକ୍ତିର ସୀମାର ବଶୀଭୂତ ନ ହୋଇ ଏହା ହେଉଛି ନିର୍ଦ୍ଦିଷ୍ଟ ଅଞ୍ଚଳର ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତଥା ମନୋଭାବରେ କାର୍ଯ୍ୟ କରୁଥିବାରୁ ଏହା ଜୀବନ୍ତ ଏବଂ ସ୍ୱୟଂ ବିକଶିତ’’ ବୋଲି କହିଥିଲେ, ତଦ୍ଦ୍ୱାରା ସେ ଇଉରୋପୀୟ ଚିନ୍ତାଧାରାର ବ୍ୟର୍ଥତା ପ୍ରକାଶ କରିଥିଲେ ।

 

ଆଧୁନିକ ଇଉରୋପୀୟ ଚିନ୍ତାଧାରା ଏହା ପରିଷ୍କାର କରି ଦେଇଛି ଯେ, ବ୍ୟକ୍ତିବିଶେଷଠାରୁ ଏକୀଭୂତ ରାଜସରକାର ପର୍ଯ୍ୟନ୍ତ ଏହା ଗୋଟିଏ ବାସ୍ତବ ଏବଂ ସ୍ୱାଭାବିକ ବିକାଶ । ସାର୍ବଭୌମତା ହେଉଛି ଗୋଟିଏ ଆପେକ୍ଷିକ ବସ୍ତୁ । ବ୍ୟକ୍ତିବିଶେଷ ନିଜ ଉପରେ ସାର୍ବଭୌମ ହୋଇଥିବାରୁ ସେ ନିଜ ଇଚ୍ଛା ଅନୁସାରେ ବିକାଶ ଲାଭକରି, ନିୟନ୍ତ୍ରଣ ଓ ନିଜର ବିଭିନ୍ନ ପ୍ରକୃତିକୁ ଏକତାବଦ୍ଧ କରି ସ୍ୱରାଜ ଲାଭ କରିପାରେ । ବ୍ୟକ୍ତିବିଶେଷଠାରୁ ଆମେ ତା’ର ନିକଟବର୍ତ୍ତୀ ସାଇପଡ଼ିଶାଙ୍କ ପ୍ରତି ସେ ଯେଭଳି ନିଜକୁ ଏକତାବଦ୍ଧ କରିପାରେ ସେଥିପ୍ରତି ଦୃଷ୍ଟି ଦେଉ, ଯାହାକି ଏକତାବଦ୍ଧ ରାଜସରକାରର ହୋଇଛି ପ୍ରକୃତ ମୂଳଦୁଆ ଏବଂ ଏଥିରୁହିଁ ବାସ୍ତବ ବିଶ୍ୱ ରାଜସରକାରର ଉତ୍ପତ୍ତି । ଏହି ଯେଉଁ ଏକତାବଦ୍ଧ ହୋଇ ରହିବାର ପ୍ରବୃତ୍ତି ଏହା ସାଇପଡ଼ିଶାଭାବେ ଏକା ଅଞ୍ଚଳରେ ରହିବାଠାରୁ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆବଶ୍ୟକ ଯାହାକୁ କି କୁହାଯାଏ ଏକାଠି ରହିବାର ପ୍ରବୃତ୍ତିର ବିକାଶ । ଅନ୍ୟ ଭାଷାରେ ପ୍ରଶ୍ନ ହେଉଛି, ‘‘ଏକାଠି ରହିବାର ଶକ୍ତି ବିକଶିତ ହେବା ଫଳରେ ଆମର ସମଗ୍ର ଜୀବନ ଏବଂ ଜାତୀୟ ଜୀବନର ଏହା କିଭଳି ଅଂଶବିଶେଷ ହୋଇ ପାରିବ ?’’ ଏହି ପ୍ରଶ୍ନର ସମାଧାନ ହେଉଛି, ଗଣତନ୍ତ୍ରର ପ୍ରଧାନ କାର୍ଯ୍ୟ ।

 

ଉପରେ ଯେଉଁ ବିଷୟ ବର୍ଣ୍ଣନା କରାଗଲା ତାହା ସମବେତ ଇଚ୍ଛା ପ୍ରକାଶ କରିବା ପ୍ରଣାଳୀ । ଆଜି ଯେଉଁ ଗଣତନ୍ତ୍ର ଦେଖିବାକୁ ମିଳେ ଗୋଟି ଗୋଟି କରି ଏକାଧିକଙ୍କର ଇଚ୍ଛା ଯେପରି ଏକ ହୋଇ ପାରିବ ତାହାହିଁ ଲାଭ କରିବାପାଇଁ ଏହାଦ୍ୱାରା ଚେଷ୍ଟା କରାଯାଉଥିବା ଜଣାଯାଉଛି । ଅନ୍ୟ ଅର୍ଥରେ ଏହାର ଅର୍ଥ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପ୍ରକାଶ ପାଉଥିବା ପରସ୍ପର ବିରୋଧୀ ଇଚ୍ଛା ମଧ୍ୟରେ ସଂଘର୍ଷ ଦେଖାଦେଇ ଯାହାର ଅଧିକ ସଂଖ୍ୟାରେ ଭୋଟ ହେବ ତାହାହିଁ ନିଷ୍ପତ୍ତି ହେବ । ଯେଉଁ ନୂତନ ଗଣତନ୍ତ୍ରର କଳ୍ପନା କରାଯାଇଛି ତାହା ଏହି ସଂଖ୍ୟାଦ୍ୱାରା ନିଷ୍ପତ୍ତି ପ୍ରଣାଳୀକୁ ଅସ୍ୱୀକାର କରି ଏଭଳି ନୂତନ ସବିଶେଷ ପ୍ରଣାଳୀ ଆବିଷ୍କାର କରେ, ଯଦ୍ଦ୍ୱାରା କି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଇଚ୍ଛା ମଧ୍ୟରେ ସ୍ୱତଃ ସମନ୍ୱୟ ଆସି ଗୋଟିଏ ସାଧାରଣ ମତ ପ୍ରକାଶ କରିପାରିବ । ଏହି ପ୍ରଣାଳୀ ଫଳରେ ସଂଖ୍ୟା ଯୋଗ ବା ବିଯୋଗ କରା ନ ଯାଇ ଆପେଆପେ ସମନ୍ୱୟ ପ୍ରକାଶ ପାଇବା ଫଳରେ ଯେଉଁ ଆଞ୍ଚଳିକ ମନୋବୃତ୍ତି ଜାଗ୍ରତ ହେବ ତାହା ଫଳରେ ନିର୍ଦ୍ଦିଷ୍ଟ ଅଞ୍ଚଳର ସମସ୍ତଙ୍କର ସାଧାରଣ ମତ ପ୍ରକାଶ ପାଇ ପାରିବ । ବିଭିନ୍ନ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରକାଶ ପାଉଥିବା ସାଧାରଣ ମତ ଏହି ସମନ୍ୱୟ ପ୍ରଣାଳୀରେ ଏକତ୍ର ହୋଇ ସମଗ୍ର ଜାତିର ମତ ବା ଇଚ୍ଛା ପ୍ରକାଶ ପାଇବ । ଏହିପରି ସମନ୍ୱୟ ପ୍ରଣାଳୀରେ ବିଭିନ୍ନ ଜାତିର ମତ ପ୍ରକାଶପାଇଁ ବାସ୍ତବ ଜାତିସଂଘ ପ୍ରତିଷ୍ଠିତ ହେବ ଏବଂ ବିଶ୍ୱସରକାର ପ୍ରତିଷ୍ଠା ହୋଇପାରିବ ।

 

ଏହି ଦର୍ଶନ ବ୍ୟକ୍ତିବିଶେଷଙ୍କର କ୍ରମବିକାଶ ଉପରେ ପୂରାପୂରି ପ୍ରତିଷ୍ଠିତ । ଏହାର ମୂଳକଥା ହେଲା ବ୍ୟକ୍ତିବିଶେଷଙ୍କର ଇଚ୍ଛା ବା କ୍ଷମତାକୁ ବିକଶିକ କରିବା । ସାଧାରଣତଃ ରାଜ୍ୟସରକାରର ଯେଉଁ ପରିକଳ୍ପନା କରାଯାଏ ତାହାର ବ୍ୟକ୍ତିବିଶେଷ ସହିତ କିଛି ସମ୍ପର୍କ ରହିବା କଥା ନୁହେଁ । ଅର୍ଥାତ୍ ବ୍ୟକ୍ତିବିଶେଷ ତା’ ନିଜର ଜୀବନପାଇଁ ଦାୟୀ ବୋଲି କୁହାଯାଏ । ଏହି ମତବାଦ ଅନୁଯାୟୀ ପ୍ରତିନିଧି ସରକାର ଦଳ ସଂଖ୍ୟାଗରିଷ୍ଠ ଶାସନ ଏବଂ ଆନୁସଙ୍ଗିକ ବିଷୟମାନଙ୍କର ବ୍ୟକ୍ତିବିଶେଷ ସହିତ କିଛି ସମ୍ପର୍କ ନାହିଁ । ସେମାନଙ୍କ ମଧ୍ୟରୁ ଆପେଆପେ ଉଦ୍ଦେଶ୍ୟ ସାଧିତ ହେବ । ଏହାର ଅର୍ଥ ହେଉଛି ବ୍ୟକ୍ତିବିଶେଷର ପରିସର ବଢ଼ାଇବା । ଆଜି ଯେଉଁସବୁ ସଂସ୍ଥା ଦେଖିବାକୁ ମିଳୁଛି ତାହା ଫଳରେ ମଣିଷ ଯନ୍ତ୍ର ପାଲଟିଗଲାଣି । ସରକାର ଯେବେ ବ୍ୟକ୍ତିବିଶେଷ ଉପରେ ପ୍ରତିଷ୍ଠିତ ନହୁଏ ତାହାହେଲେ କୌଣସି ସରକାର ବିଫଳ ହୋଇ ପାରିବ ନାହିଁ ବା ପ୍ରକୃତ ସରକାର ତିଷ୍ଠିପାରିବ ନାହିଁ । ‘‘ନୂତନ ରାଷ୍ଟ୍ର’’ର ଲେଖିକା ଲେଖିଛନ୍ତି, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷର ସନ୍ଧାନ ଆମେମାନେ ପାଇ ନାହୁଁ । ଆଙ୍ଗ୍ଲୋନ୍‍ସ୍ୟାକ୍‍ସ ଇତିହାସସାରା ତାହାର ସନ୍ଧାନପାଇଁ ଚେଷ୍ଟା କରାଯାଇ ଆସିଅଛି । ଆପତ୍ତି ଅଭିଯୋଗ କରି ତାହାର ସନ୍ଧାନ ପାଇବାକୁ ଆମ୍ଭେମାନେ ଚେଷ୍ଟା କରିଥିଲେ ସୁଦ୍ଧା ତହିଁରେ ବିଫଳ ହୋଇଛୁ । ପ୍ରତ୍ୟେକ ପୁରୁଷକୁ ଏବଂ ତା’ପରେ ପ୍ରତ୍ୟେକ ନାରୀକୁ ଭୋଟ ଅଧିକାର ଦେବାଦ୍ୱାରା ତାହାର ସନ୍ଧାନ କରି ମଧ୍ୟ ଆମେ ବିଫଳ ହୋଇଛୁ । ପ୍ରତ୍ୟକ୍ଷ ଶାସନ ବର୍ତ୍ତମାନ ବ୍ୟକ୍ତିବିଶେଷଙ୍କୁ ଚାହୁଁଛନ୍ତି-।’’ ସେହି ଲେଖିକା ପୁଣି ଲେଖିଛନ୍ତି, ‘‘ତେଣୁ ଗୋଷ୍ଠୀ ସଙ୍ଗଠନ ଆମକୁ କେବଳ ସଂଖ୍ୟାଗରିଷ୍ଠ ବୋଲି କରାଯାଉଥିବା ନିର୍ଯାତନାରୁ ରକ୍ଷା କରିବାଦ୍ୱାରା ଗଣତନ୍ତ୍ର ଯୋଗୁଁ ସମୟ ଏବଂ ସ୍ଥାନ, କାଳ ମିଳିପାରିଛି । ଆଧ୍ୟାତ୍ମିକ ଶକ୍ତି ଛଡ଼ା ଏହା କେହି ବୁଝିପାରିବ ନାହିଁ । ସଂଖ୍ୟାଧିକ ଶାସନ ସଂଖ୍ୟା ଉପରେ ନିର୍ଭର କରୁଥିବା ସମୟରେ ଗଣତନ୍ତ୍ର ମାନବସମାଜର ସମବେତ ଇଚ୍ଛା ଉପରେ ପ୍ରତିଷ୍ଠିତ-। ଗଣତନ୍ତ୍ର କେବଳ ଭୋଟକେନ୍ଦ୍ରରେ କାର୍ଯ୍ୟକାରୀ କରା ନ ଯାଇ ଏହା ହେଉଛି ସମସ୍ତଙ୍କର ପ୍ରକାଶ ପାଉଥିବା ସମବେତ ଇଚ୍ଛାର ସମନ୍ୱୟ । ଏଥିରେ ପ୍ରତ୍ୟେକେ ନିଜ ନିଜର ଶ୍ରେଷ୍ଠତାଦ୍ୱାରା ସମବେତ ଇଚ୍ଛା ପ୍ରକାଶ ପାଏ । ତେଣୁ ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ସୃଷ୍ଟି ଏବଂ ଏହାକୁ କାର୍ଯ୍ୟକାରୀ କରିବାର ଉପାୟ ହେଉଛି ସଂଘବଦ୍ଧ ଅନୁଷ୍ଠାନ ।’’ ଏହି ମତବାଦ ଅନୁଯାୟୀ ବ୍ୟକ୍ତିବିଶେଷଙ୍କର ଇଚ୍ଛାର ବିକାଶ ଏବଂ ପରିବର୍ଦ୍ଧନ ବିନା କୌଣସି ଜୀବନ୍ତ ରାଜସରକାର ସମ୍ଭବ ନୁହେଁ । ରାଜସରକାର କୌଣସି ସ୍ଥାଣୁ ପଦାର୍ଥ ନୁହେଁ ବା ମନୋମୁଖୀ ସୃଷ୍ଟି ନୁହେଁ । ଏହା ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ । ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ଏହା ପ୍ରକାଶ ପାଏ ଏବଂ ଏଥିରେ ବରାବର ପରିବର୍ତ୍ତନ ହେଉଥାଏ । ବ୍ୟକ୍ତିବିଶେଷ, ଦଳ ତଥା ଜାତି ମଧ୍ୟରେ କୌଣସି ବିରୋଧ ନାହିଁ ବୋଲି ହୃଦୟଙ୍ଗମ କରାଗଲେ ଏହା ଆପେଆପେ ବୁଝିହୋଇଯିବ । ଏହି ସବୁର ଏକ ଉଦ୍ଦେଶ୍ୟରେ ସମନ୍ୱୟ ହେବା ଫଳରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କର ଇଚ୍ଛାରେ ସମନ୍ୱୟ ଆସି ସମଗ୍ର ଜାତି ମଧ୍ୟରେ ସମନ୍ୱୟ ଆଣିପାରିବ ।

 

ଇଉରୋପୀୟ ଚିନ୍ତାଧାରାର ସାଧାରଣ ଗତିରୁ ଯାହା ଜଣାଯାଉଛି ନୂତନ ଗଣତନ୍ତ୍ରର ଏହି ଆଦର୍ଶକୁ ସେମାନେ ଗ୍ରହଣ କରି ନଥିଲେ ସୁଦ୍ଧା ଇଉରୋପ ଆଜି ଯେଉଁ ସମସ୍ୟାମାନଙ୍କର ସମ୍ମୁଖୀନ ହେଉଛି ତାହାର କୌଣସି ସମାଧାନ ମିଳିପାରୁନାହିଁ । ତେଣୁ ବହୁ ରାଜନୀତିଜ୍ଞଙ୍କ ମତରେ ଏହି ନୂତନ ଗଣତନ୍ତ୍ର ଅବାସ୍ତବ ହୋଇଥିଲେ ସୁଦ୍ଧା ଅତି ନିକଟରେ ଏହା ଆଦର୍ଶ ସ୍ଥାନୀୟ ବୋଲି ଯେ ଗୃହୀତ ହେବ ଏ ବିଷୟରେ କୌଣସି ସନ୍ଦେହ ନାହିଁ । ମୁଁ ପୁଣି ଲେଖିକାଙ୍କର ‘‘ବାସ୍ତବ ରାଜନୀତି କ୍ଷେତ୍ରରେ ବାସ୍ତବ ବୋଲି ଖୁବ୍ କମ୍ ବିଷୟ ଅଛି’’ ବୋଲି ଯାହା ଲେଖିଛନ୍ତି ତାକୁ ଉଦ୍ଧୃତ କରୁଛି ।

 

ପ୍ରକୃତ ବିଷୟ ହେଉଛି ଯେ, ଇଉରୋପରେ ଦେଖା ଦେଇଥିବା ସମସ୍ତ ପ୍ରଗତିଶୀଳ ଆନ୍ଦୋଳନମାନଙ୍କର ବାସ୍ତବରେ କୌଣସି ଆଧ୍ୟାତ୍ମିକ ଭିତ୍ତି ନଥିବାରୁ ସେ ସବୁ ଉଧେଇ ନ ପାରି ବରଂ କ୍ଷତିଗ୍ରସ୍ତ ହୋଇଛନ୍ତି । ବଡ଼ ଆନନ୍ଦର ବିଷୟ ଯେ, ଏହି ଲେଖକ ଏହା ଉପଲବ୍ଧି କରିପାରିଛନ୍ତି । ସାଇପଡ଼ିଶା ଭାବ ଏତେ ନଗଣ୍ୟ ଯେ ଏହା ସ୍ୱାୟତ୍ତ ଶାସନର ମୂଳଭିତ୍ତି ହୋଇ ପାରିବ ନାହିଁ ବୋଲି ଯେଉଁମାନେ ଯୁକ୍ତିକରନ୍ତି ସେମାନଙ୍କୁ ଉତ୍ତର ଦେବାକୁ ଯାଇ ସେ ଲେଖିଛନ୍ତି ‘‘ଆମର ଦୈନନ୍ଦିନ ଜୀବନ କଳୁଷିତ ହୋଇଥିବାରୁ ତାହାର ପ୍ରାୟଶ୍ଚିତ୍ତ କଲେ ମଧ୍ୟ ଆମେ କ’ଣ ଶୁଦ୍ଧପୂତ ଜୀବନ ଲାଭ କରିପାରୁ ? ଯେବେ ବ୍ୟକ୍ତିଗତ ଜୀବନରେ ଆମେ ପବିତ୍ରତା ଲାଭ କରି ନ ପାରୁ ତାହାହେଲେ ରାଜନୀତି କ୍ଷେତ୍ରରେ ପବିତ୍ରତା ଲାଭ ନ କରିବାରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ । ମଣିଷର ଏହା ଆଜି ଏକମାତ୍ର ଧ୍ୟେୟ ନୁହେଁ ଯେ ଭାଗ୍ୟକୁ ଆଦରି ରହିବ । ଆମେ ନିଜ ଜୀବନର ପବିତ୍ରତାରେ ବିଶ୍ୱାସ କରୁଥିବାରୁ ଭଗବାନ୍ ମଣିଷ ମଧ୍ୟରେ ବରାବର ଅଛନ୍ତି ବୋଲି ବିଶ୍ୱାସ କରୁ ଏବଂ ତାହା ଫଳରେ ମାନବିକତା ଏବଂ ମନୁଷ୍ୟମାନଙ୍କର ଦୈନନ୍ଦିନ ଜୀବନ ଏକ ବୋଲି ବିଶ୍ୱାସ କରୁ ।’’

 

ଏଥିରୁ ଦେଖାଯିବ ଯେ ମଣିଷର ଜୀବନଧାରଣ ପ୍ରଣାଳୀ ବିଷୟରେ ଏହି ଯେଉଁ ମତବାଦ ପ୍ରକାଶ ପାଉଛି ତାହାର ଗତି ୧୫ ବର୍ଷ ଧରି ମୁଁ ମୋ ଦେଶବାସୀଙ୍କ ସମ୍ମୁଖରେ ଯେଉଁ ମତବାଦ ଉପସ୍ଥାପିତ କରି ଆସିଛି ତାହା ସହିତ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । କାରଣ ସମସ୍ତ ସତ୍ୟ ହେଉଛି ଭଗବାନଙ୍କର ବାହ୍ୟ ଲୀଳା ଏବଂ ତାହା ଇତିହାସ ମାଧ୍ୟମରେ ପ୍ରକାଶ ପାଏ । ବ୍ୟକ୍ତିବିଶେଷ, ସମାଜ, ଜାତି ମାନବିକତା ଏହି ସବୁ ହେଉଛନ୍ତି ସେ ଲୀଳାର ବିଭିନ୍ନ ଅଂଶ ଏବଂ କୌଣସି ସ୍ୱାୟତ୍ତ ଶାସନ କଳ୍ପନା ଯାହାକି ସତ୍ୟ ଏବଂ ଶାଶ୍ୱତ ତାହା କେବେହେଲେ ଅନ୍ୟ କୌଣସି ଜୀବନଦର୍ଶନ ଉପରେ ପ୍ରତିଷ୍ଠିତ ହୋଇ ନ ପାରେ । ଏହି ସତ୍ୟର ସନ୍ଧାନ ହେଉଛି ବର୍ତ୍ତମାନର ଅତ୍ୟାବଶ୍ୟକ ବସ୍ତୁ । ଏହା ହେଉଛି ଭାରତୀୟ ଚିନ୍ତାଧାରାର ଆବହମାନ କାଳରୁ ହୋଇ ଆସିଥିବା ମୂଳପିଣ୍ଡ ଏବଂ ଇଉରୋପର ଆଧୁନିକ ଚିନ୍ତାଧାରା ଆସ୍ତେ ଆସ୍ତେ ନିଶ୍ଚିତଭାବେ ସେହି ଆଡ଼କୁ ଅଗ୍ରସର ହେଉଛି ।

 

ତେଣୁ ଏଭଳି ସରକାରର ପରିକଳ୍ପନା କରାଗଲାବେଳେ ନିମ୍ନଲିଖିତ ବିଷୟମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ :–

 

(୧) ଭାରତର ପୁରାତନ ଗ୍ରାମପଞ୍ଚାୟତ ଭଳି ପ୍ରାୟ ସ୍ଥାନୀୟ କେନ୍ଦ୍ରମାନଙ୍କୁ ସଂଗଠିତ କରିବାକୁ ପଡ଼ିବ ।

 

(୨) ଏହି ଗ୍ରାମ କେନ୍ଦ୍ରମାନଙ୍କର ସମନ୍ୱୟରେ ବଡ଼ବଡ଼ କେନ୍ଦ୍ରମାନ ସୃଷ୍ଟି କରିବାକୁ ହେବ ।

 

(୩) ଏହିସବୁ ବିକାଶ ଫଳରେ ଯେପରି ଐକ୍ୟଭାବ ପ୍ରକାଶ ପାଉଥିବା ରାଜସରକାର ପ୍ରତିଷ୍ଠିତ ହୋଇପାରେ ତାହାର ବ୍ୟବସ୍ଥା କରିବାକୁ ହେବ ।

 

(୪) ଗ୍ରାମକେନ୍ଦ୍ର ଏବଂ ସେମାନଙ୍କ ସମନ୍ୱୟରେ ଗଠିତ ହୋଇଥିବା ବୃହତ୍ କେନ୍ଦ୍ରମାନଙ୍କର ସବୁ ବିଷୟରେ ପ୍ରାୟ ସ୍ୱତନ୍ତ୍ରତା ରହିବ ।

 

(୫) ଏ ସମସ୍ତଙ୍କୁ ନିୟନ୍ତ୍ରଣ କରିବାପାଇଁ ଆବଶ୍ୟକ ହେଉଥିବା ଆବଶ୍ୟକୀୟ କ୍ଷମତା ସମୂହ କେନ୍ଦ୍ର ସରକାରଙ୍କର ରହିଲେ ସୁଦ୍ଧା ସେ କ୍ଷମତା ଯେପରି ଖୁବ୍ କମ୍ ବ୍ୟବହାର କରାଯାଏ ସେଥିପାଇଁ ଆବଶ୍ୟକ ହାତର ପାଞ୍ଚ ବ୍ୟବସ୍ଥା କରିବାକୁ ହେବ, ଯେତେ ଦୂର ସମ୍ଭବ ସ୍ଥାନୀୟ କେନ୍ଦ୍ରମାନଙ୍କର ସ୍ୱତନ୍ତ୍ରତା ପୂରାମାତ୍ରାରେ ବଜାୟ ରଖିବା ସଙ୍ଗେ ସଙ୍ଗେ ସମସ୍ତଙ୍କ ସମନ୍ୱୟରେ କେନ୍ଦ୍ର ସରକାର ଯେପରି ବିକାଶ ଲାଭ କରେ ସେଥିପାଇଁ ବ୍ୟବସ୍ଥା କରିବାକୁ ହେବ । ସାଧାରଣତଃ ଏହା କେନ୍ଦ୍ର ସରକାରଙ୍କର ମୁଖ୍ୟ କାର୍ଯ୍ୟ ପରାମର୍ଶ ଦେବା ହେବା ଉଚିତ ।

 

ମୁଁ ଉପରେ ଯେଉଁ ସରକାରର ରୂପରେଖ ସଂକ୍ଷେପରେ ଅଙ୍କନ କରିବାକୁ ଚେଷ୍ଟା କରିଛି ଯାହାକି ଆମ ସରକାର ହେବା ଉଚିତ ବୋଲି ମୋର ମତ ତାହା କରିବାକୁ ହେଲେ ପ୍ରାଥମିକ କାର୍ଯ୍ୟସ୍ୱରୂପ ଏହି ସ୍ଥାନୀୟ କେନ୍ଦ୍ରମାନଙ୍କୁ ସଂଗଠିତ କରିବା କାର୍ଯ୍ୟ ବର୍ତ୍ତମାନଠାରୁ ଆରମ୍ଭ କରାଯିବା ଉଚିତ ବୋଲି ମୁଁ ଭାବୁଛି । ଆଜିକାଲି ଯେଉଁ ଆଞ୍ଚଳିକ ସଂଗଠନକୁ ସବ୍ଡ଼ିଭିଜନ ଆଖ୍ୟା ଦିଆଯାଉଛି ତାକୁ ବା ତାହାଠାରୁ ଛୋଟ ଅଞ୍ଚଳକୁ ସ୍ଥାନୀୟ କେନ୍ଦ୍ରରୂପେ ଗ୍ରହଣ କରାଯାଇ ସେ ସବୁକୁ ଏକାଠି କରି ବଡ଼ ଅଞ୍ଚଳ ସୃଷ୍ଟି କରାଯାଇପାରିବ । ଥରେ ସ୍ଥାନୀୟ ଅଞ୍ଚଳମାନ ଗଠିତ ହୋଇ ସାରିଲେ ଆଖପାଖ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଏକାଠି କାର୍ଯ୍ୟ କରିବାର ଚିନ୍ତା ଓ ଭାବନା ଯେପରି ପ୍ରକାଶ ପାଏ ସେଥିପାଇଁ ଆମ୍ଭେମାନେ ଚେଷ୍ଟା କରି ଉତ୍ସାହିତ କରିବା ଉଚିତ । ଆଜିକାର ଏହି କେନ୍ଦ୍ରମାନଙ୍କୁ ମୂଳଦୁଆ କରି ଆମେମାନେ ସରକାର ଗଠନ କରିବାର ଉଦ୍ୟମ କାହିଁକି ନ କରିବା, ତାହାର କୌଣସି କାରଣ ନାହିଁ । ଏହି ସବୁ ଅଞ୍ଚଳର ସଂସ୍ଥାମାନଙ୍କୁ ସେମାନଙ୍କର ହୁକୁମ ଜାରି କରିବାପାଇଁ ଲୋକଙ୍କର ସ୍ୱେଚ୍ଛାକୃତ ସହଯୋଗ ଉପରେ ନିର୍ଭର କରିବାକୁ ପଡ଼ିବ । ଆଜି ଭାରତବର୍ଷରେ ଚାଲିଥିବା ଅମଲାତନ୍ତ୍ର–ଶାସନ ବାଧ୍ୟତାମୂଳକ ସହଯୋଗ ଉପରେ ତିଷ୍ଠିରହିଥିବାରୁ ସ୍ୱେଚ୍ଛାକୃତ ସହଯୋଗ ଯେ ଏହାଠାରୁ ଯଥେଷ୍ଟ ଉତ୍କୃଷ୍ଟ, ଏ ବିଷୟରେ କୌଣସି ସନ୍ଦେହ ନାହିଁ । ମୁଁ ଯେଉଁ ଯୋଜନା କଳ୍ପନା କରିଛି ତାହାକୁ ବିଷଦଭାବେ ବ୍ୟାଖ୍ୟା କରିବାର ସ୍ଥାନ ଏହା ନ ହୋଇଥିଲେ ସୁଦ୍ଧା ସରକାର କିପରି ଗଠନ କରାଯିବ କେବଳ ସେ ସମ୍ପର୍କରେ ଯୋଜନା ତିଆରି କରିବାପାଇଁ କ୍ଷମତା ନ ଦେଇ ସରକାର ତିଆରି କରିବାର ପ୍ରଣାଳୀ ଏବଂ ସେହି ପ୍ରଣାଳୀକୁ ସଙ୍ଗେ ସଙ୍ଗେ କିପରି କାର୍ଯ୍ୟକାରୀ କରାଯିବ ସେ ବିଷୟରେ ରିପୋର୍ଟ ଦେବାପାଇଁ ଗୋଟିଏ କମିଟି ନିଯୁକ୍ତ କରାଯିବା ଉଚିତ ବୋଲି ମୁଁ ଭାବୁଛି ।

 

ବ୍ୟବସ୍ଥାପକ ସଭା ବର୍ଜନ

 

ମୁଁ ଏହାପରେ ବ୍ୟବସ୍ଥାପକ ସଭା ବର୍ଜନ ସମ୍ପର୍କରେ ଆଲୋଚନା କରିବାକୁ ଚାହେଁ । ଦୁର୍ଭାଗ୍ୟକ୍ରମେ ଏହି ପ୍ରଶ୍ନ ପରିବର୍ତ୍ତନବାଦୀ ଓ ଅପରିବର୍ତ୍ତନବାଦୀମାନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦର ଅଂଶ ବିଶେଷ ହୋଇପଡ଼ିଛି । ମୁଁ ଯେତେ ଦୂର ଭାବୁଛି, ଏହି ବିବାଦର ଉତ୍ପତ୍ତି ଭୁଲ ବୁଝାମଣା ଯୋଗୁଁହିଁ ହୋଇଛି । କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେବା ଉଚିତ କି ନୁହେଁ ଏହା ବୋଧହୁଏ ମୁଖ୍ୟ ପ୍ରଶ୍ନ ନୁହେଁ । ପ୍ରକୃତ କଥା ହେଉଛି, ଯେଉଁ ଆନ୍ଦୋଳନକୁ ଆମେ ଅତି ପ୍ରିୟ ବୋଲି ଭାବୁ ତାହାର ସଫଳତା ପାଇଁ ଆମର କାର୍ଯ୍ୟକ୍ଷେତ୍ରରେ କୌଣସି ପରିବର୍ତ୍ତନ କରିବା ଆବଶ୍ୟକ କି ନୁହେଁ । ମୁଁ ଯାହା କହୁଛି ସେ ସମ୍ପର୍କରେ ଏଠାରେ ଗୋଟିଏ ଉଦାହରଣ ଦିଏଁ । ବର୍ଦ୍ଦୋଳି ପ୍ରସ୍ତାବ ବିଷୟ ଧରାଯାଉ । ସ୍କୁଲ୍ କଲେଜ ବର୍ଜନ ସମ୍ପର୍କରେ ବର୍ଦ୍ଦୋଳି ପ୍ରସ୍ତାବଦ୍ୱାରା ଆମର କାର୍ଯ୍ୟକ୍ରମର ପରିବର୍ତ୍ତନ ହେଉଥିଲେ ସୁଦ୍ଧା ଏହାଦ୍ୱାରା ବର୍ଜନନୀତି କେବେହେଲେ ଛାଡ଼ି ଦିଆଯାଉ ନାହିଁ । ଯେଉଁ ବର୍ଷକ ଭିତରେ ସ୍ୱରାଜ ମିଳିବ ବୋଲି କଳ୍ପନା କରାଯାଉଥିଲା ସେ ବର୍ଷକ ମଧ୍ୟରେ ସରକାରୀ ସ୍କୁଲ୍ କଲେଜମାନଙ୍କୁ ଛାଡ଼ି ଚାଲିଆସିବାକୁ ଛାତ୍ରମାନଙ୍କୁ ଆହ୍ୱାନ ଦିଆଯାଇଥିଲା ଏବଂ ଏହି ଆହ୍ୱାନ ଫଳରେ ଛାଡ଼ିଆସିଥିବା ଛାତ୍ରମାନଙ୍କ ପାଇଁ ଜାତୀୟ ବିଦ୍ୟାଳୟମାନ ଯଦିଓ ପ୍ରତିଷ୍ଠା କରାଯାଇଥିଲା ସେହି ଛାତ୍ରମାନଙ୍କର ଶିକ୍ଷା ପ୍ରତି ଥିବା ମୋହର ଦୁର୍ବଳତାକୁ ସ୍ୱୀକାର କରାଯାଇ ଏହା କରାଯାଇଥିଲା । ମହାତ୍ମା ଗାନ୍ଧିଙ୍କ ଭାଷାରେ ଏହି ସବୁ ଶିକ୍ଷା ଅନୁଷ୍ଠାନମାନ ଯେତେ ଶିକ୍ଷା ଦୃଷ୍ଟିକୋଣରୁ କରାଯାଇ ନଥିଲା, ତାହା ଅପେକ୍ଷା ବେଶି ରାଜନୈତିକ ଦୃଷ୍ଟିକୋଣରୁ କରାଯାଇଥିଲା; କିନ୍ତୁ ବର୍ଦ୍ଦୋଳି ପ୍ରସ୍ତାବ ଅନୁଯାୟୀ ଜାତୀୟ ସ୍କୁଲ୍ ଏବଂ କଲେଜ ପ୍ରତିଷ୍ଠା ଜାତୀୟ ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷା ହୋଇଥିବାରୁ କଂଗ୍ରେସ ଯେବେ ଛାତ୍ରମାନଙ୍କୁ କଲେଜ ଓ ସ୍କୁଲ୍ ଛାଡ଼ିବାକୁ ଆହ୍ୱାନ ଦିଅନ୍ତି ତାହାହେଲେ ସେମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବା ଦରକାର । ଏଥିରୁ ଦେଖାଯିବ ଯେ ସରକାରୀ ସ୍କୁଲ୍ କଲେଜ ବର୍ଜନ ନୀତି ଏପର୍ଯ୍ୟନ୍ତ ଚାଲୁରହିଥିଲେ ସୁଦ୍ଧା ଆମର କାର୍ଯ୍ୟପ୍ରଣାଳୀରେ ଏହି ବିଷୟରେ ପରିବର୍ତ୍ତନ ଦେଖାଦେଇଛି । ହିଂସାତ୍ମକ ହେଉ ବା ଅହିଂସାତ୍ମକ ହେଉ ପ୍ରତ୍ୟେକ ଆନ୍ଦୋଳନରେ ପରିବର୍ତ୍ତନଦ୍ୱାରା ତାହାର ଆଦର୍ଶ ଅକ୍ଷୁଣ୍ଣ ରହୁଥିବାରୁ ଏହିଭଳି ପରିବର୍ତ୍ତନ ପ୍ରତ୍ୟେକ ଆନ୍ଦୋଳନରେ ଅନିବାର୍ଯ୍ୟ ।

 

ତାହାପରେ ଆମକୁ ମନେରଖିବା ଦରକାର ଯେ ବିସ୍ତୃତଭାବେ ଆଇନ ଅମାନ୍ୟପାଇଁ ଲୋକେ ପ୍ରସ୍ତୁତ ନଥିବାରୁ ସେ ପ୍ରଶ୍ନ ଉଠି ନ ପାରେ ବୋଲି ଅନୁସନ୍ଧାନ କମିଟି ସର୍ବସମ୍ମତି କ୍ରମେ ମତ ପ୍ରକାଶ କରିଛନ୍ତି ।

 

କୌଣସି ପ୍ରକାର ଆଇନ ଅମାନ୍ୟ କରିବା ବିଷୟରେ କଂଗ୍ରେସ ପକ୍ଷରୁ ଯେଉଁ ବାଧା ଦିଆଯାଇଛି ମୁଁ ତାହା ସପକ୍ଷରେ ନୁହେଁ ଏବଂ ତାହା କଂଗ୍ରେସ ପକ୍ଷରୁ ଉଠେଇ ଦେବାକୁ ଚାହେଁ ବୋଲି କହି ଦେଉଛି । ଲୋକେ କୌଣସି ନିର୍ଦ୍ଦିଷ୍ଟ ଆଇନ ଅମାନ୍ୟ କରିବାପାଇଁ ସେମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଲୋକ ଖଦି ପିନ୍ଧିବା କାହିଁକି ଯେ ଦରକାର ମୁଁ ତାହା ଏପର୍ଯ୍ୟନ୍ତ ବୁଝିପାରୁନାହିଁ । ମୁଁ ଗଣଆଇନ ଅମାନ୍ୟ ସପକ୍ଷରେ ନୁହେଁ ଏବଂ ତାହା ସମ୍ଭବପର ମଧ୍ୟ ନୁହେଁ; କିନ୍ତୁ ଯେଉଁ ନିର୍ଦ୍ଦିଷ୍ଟ ଆଇନମାନ ପୂରାପୂରି ବେଆଇନ ଏବଂ ‘‘ଆଇନ ଓ ଶୃଙ୍ଖଳା’’ ନାମରେ ଯେଉଁ ଆଇନସବୁ କରାଯାଇଛି ଓ ଯାହାଫଳରେ ମାନବିକତା ଉପରେ ଅତ୍ୟାଚାର କରାଯାଇ ତଦ୍ଦ୍ୱାରା ଭଗବାନଙ୍କୁ ଅପମାନିତ କରାଯାଉଛି ସେହି ଆଇନର ଅମାନ୍ୟ କରିବା ମୋ ମତରେ ବାସ୍ତବ ରାଜନୀତିର ଅନ୍ତର୍ଭୁକ୍ତ ହୋଇଥିବାରୁ ତାହା ଅମାନ୍ୟ କରିବାପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବା ଉଚିତ । ସତ୍ୟ ପ୍ରତି ଏକନିଷ୍ଠ ରହିବାଦ୍ୱାରାହିଁ ସ୍ୱରାଜ ମିଳିବା ସମ୍ଭବପର ହେବ । ଆମେ ଯେବେ ଏଭଳି ଆଇନର ଅମାନ୍ୟ ନ କରୁ ତାହାହେଲେ ସତ୍ୟପ୍ରତି ଅନ୍ୟାୟ କରିବୁ । ଯେଉଁ ଜାତି ଏଭଳି ମୃତ ଅବସ୍ଥାରେ ଅଛି ଯେ, ବେଆଇନଜନକ ଆଇନ ବିରୁଦ୍ଧରେ ଜାତୀୟ ସମ୍ମାନ ଉପରେ ବାଧା ଆଣୁଥିବା ନିୟମକାନୁନ ଏବଂ ଜାତୀୟ ବିକାଶକୁ ବାଧା ଦେଉଥିବା ନିୟମକାନୁନର ବିରୁଦ୍ଧରେ ବିଦ୍ରୋହ କରୁନାହିଁ, ସେ ଜାତିର ଭବିଷ୍ୟତ ଆଶା ବା କ’ଣ ?

 

ମୋ ମତରେ ଦେଶସାରା ଆଲୋଚନା ହେଉଥିବା ବ୍ୟବସ୍ଥାପକ ସଭା ବର୍ଜନ ପ୍ରଶ୍ନ ମୁଁ ଉପରେ ବର୍ଣ୍ଣନା କରିଥିବା ବିଷୟମାନଙ୍କ ଦୃଷ୍ଟିରୁ ଆଲୋଚନା କରାଯାଇ ନିଷ୍ପତ୍ତି କରାଯିବା ଉଚିତ-। ମୁଁ ଯେଉଁ ଆଇନ ଅମାନ୍ୟ କଥା କହିଛି ଏବଂ ସେହି ଉଦ୍ଦେଶ୍ୟରେ ତାହା କାର୍ଯ୍ୟକାରୀ କରିବାପାଇଁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବା ମଧ୍ୟରେ କୌଣସି ବିରୁଦ୍ଧାତ୍ମକ ବିଷୟ ନାହିଁ-। ମୁଁ ବ୍ୟବସ୍ଥାପକ ସଭା ବର୍ଜନର ବିରୋଧୀ ନୁହେଁ । ମୋର କହିବାର କଥା ଯେ ଭାରତୀୟ ସିଭିଲ୍ ସର୍ଭିସ୍‍କୁ ଦୃଢ଼ୀଭୂତ କରି ସରକାରୀ ବିଭାଗମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ଦ୍ୱୈତଶାସନ ପ୍ରଣାଳୀ ପ୍ରଚଳନଦ୍ୱାରା ଯେଉଁ ସଂସ୍କାରମୂଳକ ବ୍ୟବସ୍ଥାପକ ସଭାମାନ ପ୍ରତିଷ୍ଠା କରାଯାଇଛି, ତାହା ଭାରତ ଜାତିର ପ୍ରକୃତି ଏବଂ ଐତିହ୍ୟର ପରିପନ୍ଥୀ ହୋଇଥିବାରୁ ଏହା ପୂରାପୂରି ଅନୁପଯୁକ୍ତ-। ଭାରତ ଲୋକଙ୍କ ଉପରେ ଗୋଟିଏ ବିଦେଶୀ ପ୍ରଥା ଜବରଦସ୍ତି ଲଦିଦେବା ପାଇଁ ଏହାଦ୍ୱାରା ବ୍ରିଟିଶ ପାର୍ଲିଆମେଣ୍ଟ୍ ଚେଷ୍ଟା କରିଛନ୍ତି । ସ୍ୱରାଜର ପ୍ରକୃତ ମୂଳଦୁଆସ୍ୱରୂପ ଏହାକୁ ସ୍ୱୀକାର କରିବାକୁ ଭାରତବର୍ଷ ଅକୁଣ୍ଠିତ ଚିତ୍ତରେ ଅସ୍ୱୀକାର କରିଛି । ମୋ ପକ୍ଷରେ ଏହା କମ୍ ବେଶି ପ୍ରଶ୍ନ ନୁହେଁ । ସ୍ୱରାଜର ପ୍ରକୃତ ମୂଳଦୁଆ ପାଇଁ ମୁଁ ସବୁ ସମୟରେ ପ୍ରସ୍ତୁତ ଏବଂ ପୂର୍ଣ୍ଣସ୍ୱାଧୀନତା ୭ ବର୍ଷ, ୧୦ ବର୍ଷ ବା ୨୦ ବର୍ଷରେ ମିଳିବ; ମୁଁ ସେଥିପାଇଁ ବିଶେଷ ଗୁରୁତ୍ୱ ଦିଏ ନାହିଁ । ଜାତିର ଇତିହାସରେ ଅଳ୍ପ କେତେକ ବର୍ଷ କିଛି ନୁହେଁ । କିନ୍ତୁ ଆମ ସ୍ୱରାଜର ମୂଳଦୁଆ ବୋଲି କୁହାଯାଉଥିବା ଏଭଳି ଶାସନ ସଂସ୍କାର ଯେ ଭାରତ କେବେହେଲେ ଗ୍ରହଣ କରିପାରିବ ନାହିଁ ମୁଁ ତାହା ଦୃଢ଼ତାର ସହିତ କହିଦେବାକୁ ଚାହେଁ । ତେଣୁ ଏହି ବ୍ୟବସ୍ଥାପକ ସଭାମାନଙ୍କରେ ଆମ ସହିତ ଖାପ ଖୁଆଇବା ଭଳି ପରିବର୍ତ୍ତନ କରିବାକୁ ହେବ ବା ସେଗୁଡ଼ିକ ଧ୍ୱଂସ କରିଦେବାକୁ ହେବ-। ଏପର୍ଯ୍ୟନ୍ତ ଆମେମାନେ ବାହାରୁ ବ୍ୟବସ୍ଥାପକ ସଭା ବର୍ଜନ କରିଆସିଛୁ । ଏହା ଫଳରେ ଏ ବ୍ୟବସ୍ଥାପକ ସଭାରେ ସଭ୍ୟ ହୋଇଥିବା ଲୋକେ ଦେଶର ପ୍ରକୃତ ପ୍ରତିନିଧି ନୁହନ୍ତି ବୋଲି ଦେଶସାରା ଜାଣିବା ଯୋଗୁଁ ଏହି ଅନୁଷ୍ଠାନମାନଙ୍କର ସମ୍ମାନରେ ଯଥେଷ୍ଟ ବାଧା ଆସିଥିବାରୁ ଆମେ ସେ ଦିଗରେ ଯଥେଷ୍ଟ ସାଫଲ୍ୟ ହାସଲ କରିଛୁ; କିନ୍ତୁ ଏହି ସାଫଲ୍ୟ ସତ୍ତ୍ୱେ ବ୍ୟବସ୍ଥାପକ ସଭାଗୁଡ଼ିକ ଏପର୍ଯ୍ୟନ୍ତ ଚାଲୁ ରହିଛି; ତେଣୁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରି ତାହା ଅଧିକ ସକ୍ରିୟଭାବେ ଭିତରୁ ବର୍ଜନ କରିବା କଂଗ୍ରେସ ଲୋକମାନଙ୍କର କର୍ତ୍ତବ୍ୟ ହେବା ଉଚିତ-। ଏହି ନୂତନ ସଂସ୍କାରର ବ୍ୟବସ୍ଥାପକ ସଭାଗୁଡ଼ିକ ମୁଖାସ୍ୱରୂପ ଅମଲାତନ୍ତ୍ର ଆମ ଉପରେ ଲଦିଛି-। ଏହି ମୁଖାକୁ ଚିରି ଦେଇ ମୁଁ ଆମ ମୁହଁରୁ କାଢ଼ିଦେବା ଆମର ଏକମାତ୍ର କର୍ତ୍ତବ୍ୟ ବୋଲି ଭାବେ । ମୋ ଦୃଷ୍ଟିରେ ବର୍ଜନ କରିବାର ଅର୍ଥ କେବଳ ଅପସରି ଯିବାଠାରୁ ଯଥେଷ୍ଟ ଅଧିକ । ବିଦେଶୀ ଦ୍ରବ୍ୟ ବର୍ଜନର ଅର୍ଥ ଏଭଳି ଅବସ୍ଥା ସୃଷ୍ଟି କରିବା ଯେଉଁଥିରେ କି ଆମର ବଜାରରେ କୌଣସି ବିଦେଶୀ ଦ୍ରବ୍ୟ ଦେଖିବାକୁ ମିଳିବ ନାହିଁ । ସଂସ୍କାରମୂଳକ ବ୍ୟବସ୍ଥାପକ ସଭାମାନଙ୍କର ବର୍ଜନ ମୋ ମତରେ ଏପରି ହେବା ଉଚିତ ଯଦ୍ଦ୍ୱାରା କି ସ୍ୱରାଜ ପଥରେ ଆମର ଅଗ୍ରସରକୁ ବାଧା ଦେବାପାଇଁ ବା କଣ୍ଟକ ହେବାପାଇଁ ଏସବୁ ଅନୁଷ୍ଠାନ ଯେପରି ନ ରହିବ ସେ ଭଳି କାର୍ଯ୍ୟ କରାଯିବା ଉଚିତ-। ଏ ସବୁ ବ୍ୟବସ୍ଥାପକ ସଭାମାନଙ୍କରେ ଆମର ସ୍ୱରାଜପଥ ଯେଭଳି ପରିଷ୍କାର ହୋଇ ପାରିବ ସେ ଭଳି ଯେବେ ପରିବର୍ତ୍ତନ ଆଣିପାରୁ ବା ଏହି ସଭାଗୁଡ଼ିକ ପୂରାପୂରି ନଷ୍ଟକରି ଦିଆଯାଇପାରେ ତାହାହେଲେ ଯାଇ ସଫଳତାର ସହିତ ବର୍ଜନ କରାଯାଇପାରିବ । ଏହିପରି ବ୍ୟବସ୍ଥାପକ ସଭା ବର୍ଜନ କରିବାକୁ ମୁଁ ଜାତିକୁ ପରାମର୍ଶ ଦେଉଛି ।

 

ମୁଁ ଯେଉଁପରିଭାବେ ବ୍ୟବସ୍ଥାପକ ସଭା ବର୍ଜନ ସମ୍ପର୍କରେ ମତ ପ୍ରକାଶ କରିଛି ତାହା ଅହିଂସାତ୍ମକ ଅସହଯୋଗର ଅନ୍ତର୍ଭୁକ୍ତ କି ନା ଏ ବିଷୟରେ ଦେଶରେ ଯଥେଷ୍ଟ ଆଲୋଚନା ହେଉଛି । ମୁଁ ଦୃଢ଼ତାର ସହିତ କହିବାକୁ ଚାହେଁ ଯେ ଯେଉଁ ଅସହଯୋଗ ନୀତି ଭାରତ ଜାତୀୟ କଂଗ୍ରେସଦ୍ୱାରା ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଉଛି ଏହା ତାହାର ବିରୁଦ୍ଧାତ୍ମକ ନୁହେଁ । ମୁଁ ଅବାସ୍ତବ ଦାର୍ଶନିକ ବା ତର୍କ ବିଷୟ କହୁନାହିଁ । କଂଗ୍ରେସ ଯେଉଁ ଅସହଯୋଗ ନୀତି ଗ୍ରହଣ କରିଛି ମୁଁ କେବଳ ସେହି ବିଷୟରେ କହୁଛି ।

 

ପ୍ରଥମେ ମୁଁ କହିପାରେ କି ଏପର୍ଯ୍ୟନ୍ତ ଆମେମାନେ ଅମଲାତନ୍ତ୍ର ସହିତ ସକ୍ରିୟ ଅହସଯୋଗ କରିନାହୁଁ । କେବଳ ଦେଶର ଲୋକେ ଯେଭଳି ଅସହଯୋଗ କରନ୍ତି ସେଥିପାଇଁ ଆମେ ଲୋକଙ୍କୁ ପ୍ରସ୍ତୁତ କରୁଛୁ । ମୋର ବକ୍ତବ୍ୟକୁ ସମର୍ଥନ କରୁଥିବା ନାଗପୁର ପ୍ରସ୍ତାବର ସଂପୃକ୍ତ ଅଂଶ ଏଠାରେ ଉଦ୍ଧାର କରୁଛି–

 

‘‘ଯେହେତୁ ବର୍ତ୍ତମାନର ଭାରତ ସରକାର ଦେଶର ବିଶ୍ୱାସ ହରାଇଛନ୍ତି ଓ ଭାରତର ଲୋକେ ସ୍ୱରାଜ ପ୍ରତିଷ୍ଠା କରିବାକୁ ବଦ୍ଧପରିକର ବୋଲି କଂଗ୍ରେସ ମତପ୍ରକାଶ କରୁଛି; ତେଣୁ ଏହି କଂଗ୍ରେସ ଘୋଷଣା କରୁଛି ଯେ ଭାରତୀୟ ଜାତୀୟ କଂଗ୍ରେସ ବା ନିଖିଳ ଭାରତ କଂଗ୍ରେସ କମିଟିଙ୍କଦ୍ୱାରା ସ୍ଥିରୀକୃତ ସମୟରେ ଏକଦିଗରେ ବର୍ତ୍ତମାନ ସରକାରଙ୍କ ସହିତ ସ୍ୱେଚ୍ଛାକୃତ ସହଯୋଗ ନ କରିବାପାଇଁ ପୂରାପୂରିଭାବେ ବା ଆଂଶିକଭାବେ ଅହିଂସାତ୍ମକ ଅସହଯୋଗ କରାଯିବ ଏବଂ ଅନ୍ୟ ଦିଗରେ ସରକାରଙ୍କୁ କୌଣସି ପ୍ରକାର ଟିକସ ଦିଆଯିବ ନାହିଁ ଓ ଏହି ଆନ୍ଦୋଳନ ଆରମ୍ଭ ହେବା ପର୍ଯ୍ୟନ୍ତ ସେଥିପାଇଁ ଦେଶକୁ ପ୍ରସ୍ତୁତ କରିବା ନିମନ୍ତେ ସକ୍ରିୟ ବ୍ୟବସ୍ଥା କରାଯିବ ।

 

ତା’ପରେ ସକ୍ରିୟ କାର୍ଯ୍ୟସ୍ୱରୂପ ଜାତୀୟ ଶିକ୍ଷା ପ୍ରଚାର, କୋର୍ଟ କଚେରି ବର୍ଜନ, ବିଦେଶୀ ଦ୍ରବ୍ୟ ବର୍ଜନ ପ୍ରଭୃତି କାର୍ଯ୍ୟ ଏହା ଭିତରେ କରାଯିବା କଥା; ତେଣୁ ଏହା ପରିଷ୍କାର କଥା ଯେ କଂଗ୍ରେସ ଏପର୍ଯ୍ୟନ୍ତ ଅସହଯୋଗ କାର୍ଯ୍ୟ ଆରମ୍ଭ ନ କରି କେବଳ କଂଗ୍ରେସଦ୍ୱାରା ନିର୍ଦ୍ଧାରିତ ସମୟରେ ଭାରତ ଜାତି ଯେପରି ସକ୍ରିୟଭାବେ ଅସହଯୋଗ କରିପାରେ ସେଥିପାଇଁ ଦେଶକୁ ପ୍ରସ୍ତୁତ କରିବା ନିମନ୍ତେ କେତେକ କାର୍ଯ୍ୟ କରିବାପାଇଁ କୁହାଯାଇଛି ।

 

୨ୟରେ କୌଣସି ତର୍କ ବା ଦର୍ଶନ ଦୃଷ୍ଟିରୁ ଆଲୋଚନା ନ କରି ଏହି ନୀତିକୁ ବାସ୍ତବ ଦୃଷ୍ଟିକୋଣରୁ ବିଚାର କରାଯାଉ । ଏହା ମୁଁ ପରିଷ୍କାରଭାବେ ଜାଣେ ଯେ କଂଗ୍ରେସ ଏକ ସମୟରେ ଦୁଇ ପ୍ରକାର କାର୍ଯ୍ୟରେ ସଂପୃକ୍ତ ଥିଲା । କଂଗ୍ରେସ କରିଥିବା ସମସ୍ତ କାର୍ଯ୍ୟରେ ଦୁଇଟି ଦିଗ ଅଛି :–

 

ଗୋଟିଏ ଧ୍ୱଂସମୂଳକ ଏବଂ ଅନ୍ୟଟି ଗଠନମୂଳକ । ଉଦାହରଣସ୍ୱରୂପ–ଆଇନ ଅଦାଲତ ଏବଂ ଆଇନଜୀବୀମାନଙ୍କୁ ବର୍ଜନ କରାଯିବାଦ୍ୱାରା ବର୍ତ୍ତମାନର ଅନୁଷ୍ଠାନଗୁଡ଼ିକୁ ଧ୍ୱଂସ କରାଯାଉଥିବା ସମୟରେ ନ୍ୟାୟ ବିଚାର କରିବାପାଇଁ ଏହା ବଦଳରେ ସଂସ୍ଥା ଯେପରି ରହେ ସେଥିପାଇଁ ପଞ୍ଚାୟତ ସୃଷ୍ଟି କରାଯାଉଛି । ସ୍କୁଲ୍ କଲେଜ ବର୍ଜନ କରିବାଦ୍ୱାରା ଶିକ୍ଷା ବିଭାଗକୁ ଏକଦିଗରେ ଧ୍ୱଂସ କରାଯାଉଥିବା ସମୟରେ ଜାତୀୟ ସ୍କୁଲ୍ ଏବଂ କଲେଜ ପ୍ରତିଷ୍ଠା କରିବାଦ୍ୱାରା ଭାରତୀୟ ଯୁବକ ସମ୍ପ୍ରଦାୟ ପାଇଁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରାଯାଉଛି । ବିଦେଶୀ ଦ୍ରବ୍ୟ ବର୍ଜନର ପରିଣତିସ୍ୱରୂପ ବିଦେଶୀ ବସ୍ତ୍ର ପୋଡ଼ାଯାଉଛି ଏବଂ ଦେଶରେ ଥିବା ବିଦେଶୀଦ୍ରବ୍ୟ ନଷ୍ଟ କରି ଦିଆଯାଇ ଭବିଷ୍ୟତରେ ତାହା ଯେପରି ନ ଆସେ ତାହାର ବ୍ୟବସ୍ଥା କରାଯାଉଛି । ଅନ୍ୟ ଦିଗରେ ଅରଟ ଏବଂ ତନ୍ତର ପ୍ରଚଳନ କରିବାଦ୍ୱାରା ଲୋକେ ଯେପରି ଦେଶୀ ଲୁଗା ପାଆନ୍ତି ତାହାର ବ୍ୟବସ୍ଥା କରାଯାଉଛି । ତେଣୁ ଏହି ନୀତି ଦୃଷ୍ଟିରୁ ଚିନ୍ତାକଲେ ସ୍ୱରାଜ ପଛରେ ପ୍ରତିବନ୍ଧକଭାବେ ରହିଥିବା ବର୍ତ୍ତମାନର ବ୍ୟବସ୍ଥାପକ ସଭାନୁଷ୍ଠାନ ଯେପରି ସ୍ୱରାଜ ଲାଭ ପଥରେ ସହାୟକ ହୁଅନ୍ତି ବା ସେସବୁ ଅନୁଷ୍ଠାନ ସମ୍ପୂର୍ଣ୍ଣରୂପେ ଲୋପ ପାଇ ଯାଆନ୍ତି ସେଥିରେ ଭୁଲ ବା କ’ଣ ? ଯେଉଁ ସୃଷ୍ଟି ଏବଂ ଧ୍ୱଂସ ଉଭୟ ଦିଗ ଅନ୍ୟ ସବୁ ବର୍ଜନରେ ଦେଖିବାକୁ ମିଳୁଛି । ବ୍ୟବସ୍ଥାପକ ସଭା କ୍ଷେତ୍ରରେ ମଧ୍ୟ ତାହା କାର୍ଯ୍ୟକାରୀ କରାଯିବା ସଙ୍ଗେ ସଙ୍ଗେ ବର୍ଜନ ମଧ୍ୟ ଚାଲୁ ରହିବ ।

 

ଏହା କରିବାଦ୍ୱାରା ଆନ୍ଦୋଳନର ନୈତିକତା ତଥା ଆଧ୍ୟାତ୍ମିକତା ଉପରେ ବାଧା ଆସିବ ବୋଲି କୁହାଯାଉଛି । ଏହି ଉଭୟ ବିଷୟକୁ ସ୍ୱତନ୍ତ୍ରଭାବେ ଆଲୋଚନା କରାଯାଉ । ନୈତିକତା ଦୃଷ୍ଟିରୁ ବିଚାର କଲେ କୁହାଯାଉଛି ଯେ ଅସହଯୋଗର ନୀତିକଥା ବାଦ ଦେଲେ ମଧ୍ୟ ବ୍ୟବସ୍ଥାପକ ସଭାରେ ସେହି ଅନୁଷ୍ଠାନକୁ ଭାଙ୍ଗିବା ଉଦ୍ଦେଶ୍ୟରେ ପ୍ରବେଶ କରିବା ଅନ୍ୟାୟ ଏବଂ ଅସାଧୁତା । ଏହି ଯୁକ୍ତି ପଛରେ ଚିନ୍ତା ରହୁଛି ଯେ ସଂସ୍କାର ଅନୁଯାୟୀ ପ୍ରତିଷ୍ଠିତ ହୋଇଥିବା ବ୍ୟବସ୍ଥାପକ ସଭାଗୁଡ଼ିକ ଅମଲାତନ୍ତ୍ରର ପୂରାପୂରି ସମ୍ପଦ ହୋଇଥିବାରୁ ଅନ୍ୟ ଲୋକର ସମ୍ପତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ଆମ୍ଭେମାନେ ତହିଁରେ ପ୍ରବେଶ କରିବା ଉଚିତ ନୁହେଁ । ମୋ ମତରେ ଭୁଲ ବୁଝି କରି ଏଭଳି ଯୁକ୍ତି କରାଯାଉଛି । ପ୍ରଚଳିତ ଶାସନ ସଂସ୍କାର ଯେବେଦୂର ଅସନ୍ତୋଷଜନକ ହେଲେ ସୁଦ୍ଧା ଯେଉଁ ବିଷୟରେ କି କୌଣସି ସନ୍ଦେହ ନାହିଁ, ଏହା ବ୍ରିଟିଶ ପାର୍ଲିଆମେଣ୍ଟ୍ ଦୟାକରି ଦାନ କରିଛନ୍ତି ବୋଲି ମୁଁ ମୁହୂର୍ତ୍ତେ ସୁଦ୍ଧା ଭାବେ ନାହିଁ । ମହାତ୍ମାଗାନ୍ଧିଙ୍କ କଥା ଉଦ୍ଧୃତ କଲେ ଏହି ସଂସ୍କାର ସାହାଯ୍ୟରେ ଗଣଆନ୍ଦୋଳନକୁ ସନ୍ତୋଷ କରିବାକୁ ଚେଷ୍ଟା କରାଯାଉଛି । ପ୍ରକୃତ ବିଷୟ ହେଉଛି, ଦୁଇଟି ବିରୁଦ୍ଧାତ୍ମକ ଶକ୍ତି ଅର୍ଥାତ୍ ଲୋକଙ୍କର ସ୍ୱାଧୀନତା ପିପାସା ଏବଂ ଅମଲାତନ୍ତ୍ରର ସେହି ପିପାସା ଦମନ କରିବାର ଚେଷ୍ଟାର ସମନ୍ୱୟରେ ଏହି ସଂସ୍କାରର ସୃଷ୍ଟି । ଏହାର ଫଳ ହୋଇଛି, ଏହା ପୂରାପୂରି ଲୋକପ୍ରିୟ ହୋଇ ପାରି ନାହିଁ ବା ପୂରାପୂରି ଅମଲାତନ୍ତ୍ରର ପ୍ରିୟ ହୋଇ ନାହିଁ, ଯାହାକି ହେବାର କଥା । ଭାରତର ଲୋକେ ଏହି ସଂସ୍କାରକୁ ପସନ୍ଦ କରୁ ନଥିଲେ ସୁଦ୍ଧା ଆମେମାନେ ଭୁଲିଯିବା ଉଚିତ ନୁହେଁ ଯେ ଅମଲାତନ୍ତ୍ର ମଧ୍ୟ ଏହାକୁ ପସନ୍ଦ କରୁନାହିଁ । ଦୁଇ ବିପରୀତ ଦିଗରେ ଗତି କରୁଥିବା ଦୁଇଟି ବିରୁଦ୍ଧାତ୍ମକ ଶକ୍ତିରୁ ଏହାର ଉତ୍ପତ୍ତି ହୋଇଥିବାରୁ ସଂସ୍କାର କିମ୍ଭୂତକିମାକାର ରୂପ ଧାରଣ କରିଛି; କିନ୍ତୁ ଅଧିକାର ବିଷୟ ପ୍ରତି ଦୃଷ୍ଟି ଦେଲେ ସେ ସବୁ ଆମର ଅଧିକାର ଓ ସମ୍ପତ୍ତି ହୋଇଥିବାରୁ ଯେଉଁ ଅଧିକାର ବ୍ରିଟିଶ ପାର୍ଲିଆମେଣ୍ଟ୍‍ଠାରୁ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ଆମେ ଛଡ଼ାଇ ଆଣିଛୁ ତାହାର ସଦ୍‍ବ୍ୟବହାର କରିବାରେ କୌଣସି ନୈତିକ ବିରୋଧ ଅନ୍ୟାୟ ବା ଅସାଧୁତା ନାହିଁ । ଯେଉଁ ଶକ୍ତି ବଳରେ ଏହି ସଂସ୍କାର ମିଳିଛି ତାହାର ପୂର୍ଣ୍ଣତାପାଇଁ ବ୍ୟବସ୍ଥାପକ ସଭାଗୁଡ଼ିକ ପରିବର୍ତ୍ତନ ହେବା ବା ସମୂହ ଧ୍ୱଂସ ହେବା ଯେବେ ଆବଶ୍ୟକ ପଡ଼େ ଏବଂ ସ୍ୱାଧୀନତା ଯୁଦ୍ଧପାଇଁ ଯେବେ ତାହା କରିବା ଦରକାର ହୁଏ, ତାହାହେଲେ ତାହା ବିରୁଦ୍ଧରେ ନୈତିକ ବିରୋଧିତା କାର୍ଯ୍ୟ କରାଯାଉଛି ବୋଲି କିପରି ଅଭିଯୋଗ କରିଯିବ ? ମୁଁ ଏକଥା ସ୍ୱୀକାର କରୁଛି ଯେ ପ୍ରକାଶ୍ୟରେ ସହଯୋଗ କରିବାପାଇଁ ଘୋଷଣା କରି ଏବଂ ଭିତରେ ବ୍ୟବସ୍ଥାପକ ସଭା ଧ୍ୱଂସ କରିବାପାଇଁ ଯେବେ ଉକ୍ତ ସଭାରେ ପ୍ରବେଶ କରୁ ତାହାହେଲେ ତାହା ଯେ ଅସାଧୁତା ଏ ବିଷୟରେ କୌଣସି ସନ୍ଦେହ ନାହିଁ । ମହାତ୍ମାଗାନ୍ଧିଙ୍କ ନେତୃତ୍ୱ ଯୋଗୁଁ ଭାରତ ଜାତୀୟ କଂଗ୍ରେସଦ୍ୱାରା ଇଉରୋପୀୟ କୂଟନୈତିକତାର ଅବସାନ ହୋଇଗଲାଣି । ଆମେ ଆଜି ଯାହା କରୁଛୁ ପ୍ରକାଶ୍ୟରେ ବିଚ୍ ବଜାରରେ ଗାଇ ବଜାଇ କରୁଛୁ ।

 

ଏହାଦ୍ୱାରା ଧ୍ୱଂସ କରିବା ପ୍ରବୃତ୍ତି ରହୁଥିବାରୁ ଅସହଯୋଗ ଦୃଷ୍ଟିରୁ ଏହା ନୈତିକତା ବିରୋଧୀ ବୋଲି କେତେକ ଲୋକ କହୁଛନ୍ତି । ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଥିଲେ ସୁଦ୍ଧା ମୁଁ ଭାବେ ଏହି ଦେଶପ୍ରେମୀମାନଙ୍କ ମତରେ ଅମଲାତନ୍ତ୍ରର ସ୍ଥିତିକୁ ପୂରାପୂରି ଭୁଲିଯାଇ ଆମ ଜାତୀୟ ଜୀବନ ଗଠନ କରିବା ଅସହଯୋଗର ଏକମାତ୍ର କାର୍ଯ୍ୟ । ଏହା ସାଧୁ ଉଦ୍ଦେଶ୍ୟ ହୋଇପାରେ ଏବଂ ତର୍କ ଦୃଷ୍ଟିରୁ ଏହା ଅସହଯୋଗର ମୂଳକଥା ହୋଇପାରେ; କିନ୍ତୁ କଂଗ୍ରେସ ଯେଉଁ ଅସହଯୋଗ ନୀତି ଗ୍ରହଣ କରିଛି ତାହା ଏପରି ନୁହେଁ । ମୁଁ ଦାବି କରି କହୁଛି ଯେ, ମୋର କାର୍ଯ୍ୟକ୍ରମର ପରୀକ୍ଷା ଦୃଷ୍ଟିରୁ ଯେବେ ଅସହଯୋଗ ନୀତିକୁ ବିଚାର କରାଯାଏ ସେହି ଦୃଷ୍ଟିରୁ କଂଗ୍ରେସ ତାହା ଗ୍ରହଣ କରି କାର୍ଯ୍ୟକାରୀ କରୁଛି । ମୁଁ ପୂର୍ବରୁ କହିଥିବାମତେ ଏହି ନୀତିରେ ଧ୍ୱଂସ ଏବଂ ସୃଷ୍ଟି ଉଭୟଙ୍କର ସ୍ଥାନ ଅଛି । ପ୍ରକୃତ କଥା ଦେଖିଲେ ଆମେ ଯେଉଁପରି ଅବସ୍ଥାରେ ରହିଛୁ ଏବଂ ଅମଲାତନ୍ତ୍ର ଆମ ଚାରିଆଡ଼େ ଜାଲ ମେଲାଇ ଘେରି ରହିଛି ତହିଁରେ ଧ୍ୱଂସ ବିନା ସୃଷ୍ଟି ଅସମ୍ଭବ ଏବଂ ଏହା ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେବେ କୌଣସି ଜିନିଷ ନଷ୍ଟ କରୁଥାଇଁ ତାହାହେଲେ ପୁନର୍ବାର ତୋଳିବାପାଇଁ ତାହା ନଷ୍ଟ କରୁଛୁ ।

 

ପୁଣି କୁହାଯାଉଛି ଯେ ବ୍ୟବସ୍ଥାପକ ସଭାରେ ପ୍ରବେଶ ଅସହଯୋଗ ନୀତିରେ ବିରୁଦ୍ଧାତ୍ମକ । ମୁଁ ପ୍ରକାଶ କରୁଛି ଯେ ଏହି ଯୁକ୍ତି ମୁଁ ବୁଝିପାରୁନାହିଁ । ଧରାଯାଉ କଂଗ୍ରେସ ଯେବେ ଅସ୍ତ୍ର ସାହାଯ୍ୟରେ ବିପ୍ଳବ କରୁଥାଆନ୍ତା ତାହାହେଲେ ସେତେବେଳେ ଅମଲାତନ୍ତ୍ରର ଦୁର୍ଗରେ ପ୍ରବେଶ କରିବା କ’ଣ ଅସହଯୋଗର ବିରୁଦ୍ଧାତ୍ମକ ବୋଲି ଯୁକ୍ତି କରାଯାଆନ୍ତା ? ବିରୁଦ୍ଧାତ୍ମକ କି ନୁହେଁ ତାହା ପ୍ରବେଶର ଉଦ୍ଦେଶ୍ୟ ଉପରେ ନିର୍ଭର କରେ । ଅଗ୍ରସର ହେଉଥିବା ସୈନ୍ୟବାହିନୀ ଶତ୍ରୁର ରାଜ୍ୟରେ ପ୍ରବେଶ କରିବାର ଅର୍ଥ ଶତ୍ରୁ ସହିତ ସହଯୋଗ କରିବା ନୁହେଁ । ତେଣୁ ସହଯୋଗ କରାଯାଉଛି ବା ଅସହଯୋଗ କରାଯାଉଛି ତାହା ପ୍ରବେଶ କରିବାର ଉଦ୍ଦେଶ୍ୟ ଉପରେ ପୂରାପୂରି ନିର୍ଭର କରେ । ଏହି ଯୁକ୍ତିକୁ ଯେବେ ଆଲୋଚନା କରାଯାଏ, ତାହାହେଲେ ଏହିଠାରେ ପହଞ୍ଚିବାକୁ ହେବ ଯେ, ‘‘ବ୍ୟବସ୍ଥାପକ ସଭାରେ ପ୍ରବେଶ ।’’ ଏହି ବାକ୍ୟ ଯେଉଁଠାରେ ବ୍ୟବହୃତ ହେବ ସେଠାରେ ଅସହଯୋଗ କରାଯାଉଛି ବୋଲି ବୁଝାଯିବ ଏବଂ ପ୍ରବେଶ କରିବା ଅସହଯୋଗର ବିରୁଦ୍ଧାତ୍ମକ ବୋଲି ଧରିବାକୁ ପଡ଼ିବ; କିନ୍ତୁ ଏହା ଭୁଲ ଯୁକ୍ତି ବୋଲି ଜଣାଶୁଣା କଥା-। ସରକାରଙ୍କ ସହିତ ସହଯୋଗ ଉଦ୍ଦେଶ୍ୟରେ ପ୍ରବେଶ କରିବା ଏବଂ ଅସହଯୋଗ ଉଦ୍ଦେଶ୍ୟରେ ପ୍ରବେଶ କରିବା ଦୁଇଟି ଅଲଗାଅଲଗା ବାକ୍ୟ ଏବଂ ଏ ଦୁଇଟିଙ୍କର ଅର୍ଥ ମଧ୍ୟ ଭିନ୍ନ-। ସହଯୋଗ ପାଇଁ ପ୍ରବେଶ କରିବା ଅସହଯୋଗ ନୀତିର ବିରୁଦ୍ଧାତ୍ମକ ଏବଂ ଅସହଯୋଗ କରିବାପାଇଁ ପ୍ରବେଶ କରିବା ଅସହଯୋଗ ନୀତି ସହିତ ପୂରାପୂରି ଖାପ ଖାଇବା ।

 

ତାହାପରେ ଆମ ଆନ୍ଦୋଳନର ଆଧ୍ୟାତ୍ମିକତା ଦୃଷ୍ଟିରୁ କରାଯାଉଥିବା ବିରୋଧ ବିଷୟ ଆଲୋଚନା କରାଯାଉ । ଏହି ଆଧ୍ୟାତ୍ମିକତା ବିଷୟକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଉପଦେଶ ସହିତ ମିଶାଇ ଗୋଳମାଳ କରିବା ଉଚିତ ନୁହେଁ । ବ୍ୟବସ୍ଥାପକ ସଭାରେ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ବା ସେ ଅନୁଷ୍ଠାନକୁ ଭାଙ୍ଗିଦେବା ଉଦ୍ଦେଶ୍ୟରେ ତହିଁରେ ପ୍ରବେଶ କରିବାକୁ କୌଣସି ଧର୍ମ ବାରଣ କରେ ବୋଲି ମୁଁ ଜାଣେ ନାହିଁ । କୋରାନ୍‍ର ଏଭଳି କୌଣସି ମନା ନ ଥିବା ବହୁ ମୁସଲମାନ ମୋତେ କହିଛନ୍ତି । ଅନ୍ୟ ମୁସଲମାନ ବନ୍ଧୁମାନେ ଏ ବିଷୟରେ କେତେକ ଅସୁବିଧା ଥିବାର କହିଥିଲେ ସୁଦ୍ଧା ମୁଁ ସେସବୁ ବିଷୟରେ କହିବାକୁ ଯୋଗ୍ୟ ନୁହେଁ । ଖିଲାଫତ୍‍ମାନେ ଉଲେମାଙ୍କ ସାହାଯ୍ୟରେ ସେ ସବୁର ଉତ୍ତର ଦେବେ । ଯେବେ ଉଲେମାନମାନେ ନିଷ୍ପତ୍ତି କରନ୍ତି ଯେ ବର୍ତ୍ତମାନ ଅବସ୍ଥାରେ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବା ମୁସଲମାନ ଧର୍ମ ଦୃଷ୍ଟିରୁ ଅନ୍ୟାୟ ହେବ, କଂଗ୍ରେସ ଯେ ସେ ନିଷ୍ପତ୍ତିକୁ ବିନା ଦ୍ୱିଧାରେ ଗ୍ରହଣ କରିବ ଏ ବିଷୟରେ କୌଣସି ସନ୍ଦେହ ନାହିଁ । କାରଣ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ହାର୍ଦ୍ଦିକ ସହଯୋଗ ବିନା ସ୍ୱରାଜ ଲାଭ ଅସମ୍ଭବ; କିନ୍ତୁ ମୁଁ ଏଠାରେ ସେହି ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନା କରୁଛି, ଯାହାରକି କୌଣସି ନିର୍ଦ୍ଦିଷ୍ଟ ଧର୍ମ ସାଙ୍ଗରେ ସମ୍ପର୍କ ନାହିଁ । ସେହି ଆଧ୍ୟାତ୍ମିକତା ଦୃଷ୍ଟିରୁ ଚିନ୍ତା କଲେ ସ୍ୱରାଜ ଲାଭ ପଥରେ ଥିବା କୌଣସି ପ୍ରତିବନ୍ଧକକୁ ବିଧାନସମ୍ମତ ଉପାୟରେ ଦୂର କରିବାରେ କୌଣସି ପ୍ରକାର ଆପତ୍ତି ରହିପାରେ କି ? ବିବେକଶୂନ୍ୟଭାବେ ଆମେ ବିଦେଶୀ ଲୁଗା ପୋଡ଼ୁଥିଲେ ସୁଦ୍ଧା ତାକୁ ପୋଡ଼ିବା ସମୟରେ ଆମ ଆନ୍ଦୋଳନର ଆଧ୍ୟାତ୍ମିକତାରେ କୌଣସି ବାଧା ପହଞ୍ଚିଲା ନାହିଁ । ତେଣୁ ସେହି ଆଧ୍ୟାତ୍ମିକତା କ’ଣ, ସେ ସମ୍ପର୍କରେ ଆମ୍ଭମାନଙ୍କର ସ୍ପଷ୍ଟ ଧାରଣା ରହିବା ଦରକାର । କୌଣସି ଧର୍ମମତ ବା ଆଧ୍ୟାତ୍ମିକା ପ୍ରଶ୍ନ ଏବଂ ନୈତିକ ପ୍ରଶ୍ନ ଛାଡ଼ି ଦେଲେ ମଧ୍ୟ ଆମର ଆଧ୍ୟାତ୍ମିକତାର ମୂଳଭିତ୍ତି ସ୍ୱରାଜଲାଭ ହେବା ଉଚିତ । ପ୍ରତ୍ୟେକ ମଣିଷର କେବଳ ମାନବିକତା ପ୍ରତି ନ ହୋଇ ତାହାର ନିଜ ଈଶ୍ୱରଙ୍କ ପ୍ରତି କର୍ତ୍ତବ୍ୟ କ’ଣ ? ଏହି କର୍ତ୍ତବ୍ୟ ହେଉଛି, ନିଜକୁ ପୂର୍ଣ୍ଣଭାବେ ପ୍ରକାଶ କରିବାର ଅଧିକାର ଏବଂ ଭଗବାନଙ୍କ ଛାୟାତଳେ ବଞ୍ଚିରହିବାର ଅଧିକାର । ଜେଲରୁ ଖଲାସ ହେବାର ଅଳ୍ପଦିନ ପରେ ମୁଁ ଗୋଟିଏ ବକ୍ତୃତାରେ କହିଥିଲି ଯେ ଆମର ସମସ୍ତ ଜାତୀୟ କାର୍ଯ୍ୟ ସତ୍ୟ ଉପରେ ପ୍ରତିଷ୍ଠିତ ହେବା ଉଚିତ । ସେହିଦିନୁ ଏ ପ୍ରଶ୍ନ ବାରମ୍ୱାର ମୋତେ ପଚରାଯାଉଛି ଏବଂ ସତ୍ୟର ସଂଜ୍ଞା ବ୍ୟାଖ୍ୟା କରିବାକୁ ମୋତେ କୁହାଯାଉଛି । ଏପରି ମଧ୍ୟ କୁହାଯାଉଛି ଯେ, ମୋର ସତ୍ୟ କହିବାର ସାହସ ନଥିବାରୁ ମୁଁ ଏହା ସାଧାରଣଭାବେ କହି ଏହାର ଆଢ଼ୁଆଳରେ ଆଶ୍ରୟ ନେଇଛି । ମୁଁ ବର୍ତ୍ତମାନ ମଧ୍ୟ କହୁଛି, ଯେ ଆମର ସମସ୍ତ ଜାତୀୟ କାର୍ଯ୍ୟ ସତ୍ୟଉପରେ ପ୍ରତିଷ୍ଠିତ ହେବା ଦରକାର । ମୁଁ ପୁଣି ଦୃଢ଼ତାର ସହିତ କହୁଛି ଯେ ମୁଁ ରାଜନୀତିରେ ବିଶ୍ୱାସ କରେନା ବା ଆମର ଅବିଭାଜ୍ୟ ଜାତୀୟ ଜୀବନକୁ ଭାଗ ଭାଗ କରିବାରେ ବିଶ୍ୱାସ କରେନା । ଆପଣମାନେ ଜୀବନକୁ ଯେପରି ବୁଝାଇ ପାରିବେ ନାହିଁ, ସତ୍ୟକୁ ସେହିପରି ବୁଝାଇପାରିବେ ନାହିଁ ବୋଲି ମୁଁ ପୁଣି କହୁଛି । ତର୍କଦ୍ୱାରା ସତ୍ୟର ସନ୍ଧାନ କରାଯାଇ ନ ପାରେ । ଯେଉଁ ଘଟନାବଳିର ତାଡ଼ନାରେ ସତ୍ୟ ଅନୁଭବ କରାଯାଏ ତାହାହିଁ ହେଉଛି ସତ୍ୟର ପରୀକ୍ଷା । ତୁମେ ସତ୍ୟକୁ ଅନୁଭବ କଲାବେଳେ ତାହା କ’ଣ ତୁମେ ବୁଝିପାର । ଭଗବାନ କ’ଣ ଯେପରି ବୁଝାଇ ହେବନାହିଁ, ସେହିପରି ସତ୍ୟକୁ ମଧ୍ୟ ବୁଝାଇ ହେବନାହିଁ । ଦୁଇ ହଜାର ବର୍ଷପୂର୍ବେ ଜଣେ ପରିହାସ କରି ବିଚାରପତି ଭଗବାନଙ୍କ ପୁତ୍ରକୁ ଏହି ପ୍ରଶ୍ନ ପଚାରିଥିଲେ । ସେ ମୁହଁରେ କୌଣସି ଜବାବ ନ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିବାଦ୍ୱାରା ସତ୍ୟର ପ୍ରକାଶ ହେଲା । ମୁଁ ଯେତେବେଳେ ଆଧ୍ୟାତ୍ମିକ ବିଷୟ କହୁଛି ସେତେବେଳେ ସେହି ସତ୍ୟ ବିଷୟ କହୁଛି; ମୁଁ ଇତିହାସକୁ ଭଗବାନଙ୍କୁ ପ୍ରକାଶ କରୁଥିବା ଗ୍ରନ୍ଥ ଦୃଷ୍ଟିରୁ ଦେଖେ । ମୁଁ ସ୍ୱାଧୀନତା ବା ସ୍ୱରାଜ ଲାଭକୁ ଆମ ନିଜର ବ୍ୟକ୍ତିତ୍ୱ ତଥା ଜାତି ହିସାବରେ ପୂର୍ଣ୍ଣତା ଦୃଷ୍ଟିରୁ ଦେଖେ । ମୁଁ ସମସ୍ତ ପ୍ରକାର ଜାତୀୟ କାର୍ଯ୍ୟକୁ ବିରାଟ ମାନବିକତା ଉଦ୍ଦେଶ୍ୟରେ କରାଯାଉଥିବା ସେବା ଯାହାଦ୍ୱାରାକି ମଣିଷ ଦେହରେ ଭଗବାନ୍ ପ୍ରକାଶିତ ହୁଅନ୍ତି, ତାହାର ମୂଳଦୁଆ ବୋଲି ଭାବେ । ଭଗବାନଙ୍କ ପୁତ୍ର ଦୁନିଆକୁ ଶାନ୍ତି ନ ଆଣି ବନ୍ଧୁକ ଆଣିଥିଲେ । ତାହା ମୃତ୍ୟୁ, ଅନୈତିକତା ଏବଂ ଦୁର୍ନୀତି ରୂପକ ଶାନ୍ତି ନ ହୋଇ ତାହା ହେଉଛି ଅଲଗା କରୁଥିବା ସତ୍ୟର ଖଡ଼୍‍ଗ । ଆମକୁ ସମସ୍ତ ପ୍ରକାର ଦୁର୍ନୀତି ଏବଂ ଅନୈତିକତା ବିରୁଦ୍ଧରେ ସଂଗ୍ରାମ କରିବାକୁ ପଡ଼ିବ । ତାହାହେଲେ ଯାଇ ସ୍ୱାଧୀନତା ଲାଭ କରାଯାଇପାରିବ । ସ୍ୱରାଜ ପଥରେ କୌଣସି ବ୍ୟକ୍ତିବିଶେଷ ବା କୌଣସି ଜାତି ବା ସମଗ୍ର ମାନବ ଜାତି ଯେବେ କୌଣସି ବାଧା ସୃଷ୍ଟି କରନ୍ତି, ତାହାହେଲେ ବ୍ୟକ୍ତି ବିଶେଷ ଯେବେ ନିଜର ସ୍ୱାଧୀନତା ଚାହାନ୍ତି, ଜାତି ଯେବେ ନିଜର ଉଦ୍ଦେଶ୍ୟ ପୂରଣ କରିବାକୁ ଚାହେଁ ଏବଂ ସର୍ବୋପରି ଦୁନିଆର ସବୁ ଜାତି ଯେବେ ମାନବିକତାର ପ୍ରଗତି ଚାହାନ୍ତି ତାହାହେଲେ ସେ ସମସ୍ତ ବାଧାକୁ ଦୂର କରିବାକୁ ହେବ । ଆନ୍ଦୋଳନର ଆଧ୍ୟାତ୍ମିକତା ବୋଲି ମୁଁ ଏହାହିଁ ବୁଝେ । ଭାରତ ଜାତି ଏବଂ ତା’ର ସ୍ୱାଧୀନତା ଲାଭ ମଧ୍ୟରେ ଥିବା ସମସ୍ତ ପ୍ରତିବନ୍ଧକକୁ ଗୁପ୍ତରେ ନ କରି ପ୍ରକାଶ୍ୟରେ ଓ ସତ୍ୟ ଏବଂ ଭଗବାନଙ୍କ ନାମରେ ଦୂର କରିବାପାଇଁ ମୁଁ ପ୍ରସ୍ତୁତ ଅଛି । ଆଧ୍ୟାତ୍ମିକତା ବୋଲି ମୁଁ ଏହାହିଁ ବୁଝେ । ଭାରତଜାତି ଏବଂ ତା’ର ସ୍ୱାଧୀନତା ଲାଭ ମଧ୍ୟରେ ଥିବା ସମସ୍ତ ପ୍ରତିବନ୍ଧକକୁ ଗୁପ୍ତରେ ନକରି ପ୍ରକାଶ୍ୟରେ ଓ ସତ୍ୟ ଏବଂ ଭଗବାନଙ୍କ ନାମରେ ଦୂର କରିବାପାଇଁ ମୁଁ ପ୍ରସ୍ତୁତ ଅଛି । ଆଧ୍ୟାତ୍ମିକତାର ମୁଁ ଯେଉଁ ବ୍ୟାଖ୍ୟା ଉପରେ କଲି ସେହି ଦୃଷ୍ଟିରୁ ଏବଂ ସତ୍ୟର ଅଗ୍ରସର ପାଇଁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବା ଦରକାର । ଏହି ସମ୍ପର୍କରେ ସମସ୍ତ ବାଦବିବାଦ ଏହି ଦୃଷ୍ଟିରୁ ବିଚାର କରିବାକୁ ପଡ଼ିବ ।

 

ଆଇନ ଅମାନ୍ୟ ଆନ୍ଦୋଳନ ଅନୁସନ୍ଧାନ କମିଟିର ଯେଉଁ ସଭ୍ୟମାନେ ବ୍ୟବସ୍ଥାପକ ସଭାକୁ ଯିବା ସପକ୍ଷରେ ମତପ୍ରକାଶ କରିଛନ୍ତି, ସେମାନେ ଦେଶ ଆଗରେ ଗୋଟିଏ ସାଧାରଣ ପ୍ରଶ୍ନ ଉଠାଇଛନ୍ତି ଏବଂ ତାହା ହେଉଛି କଂଗ୍ରେସ ଲୋକେ ପାର୍ଥୀ ହେବା ଉଚିତ । ଶପଥ ଗ୍ରହଣ କରିବା ଏବଂ ସଂଖ୍ୟାଧିକ ହୋଇପାରିବ କି ନାହିଁ ସେ ସବୁ ବିଷୟ ଆଲୋଚନା କରିବା ଅନାବଶ୍ୟକ । କେବଳ ଶପଥ ଗ୍ରହଣ କରିବା ସମ୍ପର୍କରେ ମୁଁ ଏତିକି ବର୍ତ୍ତମାନ କହିବାକୁ ଚାହେଁ ଯେ, କୌଣସି ନିର୍ଦ୍ଦିଷ୍ଟ ଧର୍ମରେ ବାଧା ନଥିଲେ ଏ ବିଷୟରେ କୌଣସି ଅସୁବିଧା ନଥିବାରୁ ମୁଁ ସେ ବିଷୟ ଆଲୋଚନା କରିବାକୁ ଚାହେଁନା । ଶପଥ ଗ୍ରହଣ କରିବା ଗୋଟିଏ ସାମ୍ବିଧାନିକ ପ୍ରଶ୍ନ ଏଂ ରାଜା ହେଉଛନ୍ତି ସମ୍ବିଧାନର ନିଦର୍ଶନସ୍ୱରୂପ । ଏହି ଶପଥ ସମ୍ପର୍କରେ ବିଲାତର ସମ୍ବିଧାନରେ ବିରାଟ ପରିବର୍ତ୍ତନ ଘଟିଲାଣି । ବର୍ତ୍ତମାନ ଶପଥର ଅର୍ଥ କ’ଣ ? ଏହାଦ୍ୱାରା ଯେଉଁମାନେ ଏହା ଗ୍ରହଣ କରନ୍ତି ସେମାନେ ପ୍ରଥମତଃ ଯେପରି ସେମାନଙ୍କ କ୍ଷମତାର ଅପବ୍ୟବହାର ନ କରନ୍ତି ବା ସେହି କ୍ଷମତାକୁ ବ୍ୟବହାର କରି କୌଣସି ବେଆଇନ କାର୍ଯ୍ୟ ନ କରନ୍ତି ଏବଂ ଦ୍ୱିତୀୟରେ ନିଜ ନିଜର କାର୍ଯ୍ୟ ବିଶ୍ୱସ୍ତଭାବେ ଯେପରି କରନ୍ତି ସେଥିପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ବିଷୟ ଯେତେଦୂର ସଂପୃକ୍ତ ମୋ ପ୍ରସ୍ତାବରେ ଏପରି କିଛି ନାହିଁ, ଯାହାକି ଏହାର ବିରୁଦ୍ଧାଚରଣ କରୁଛି । ଦ୍ୱିତୀୟ ପ୍ରଶ୍ନ ଆଲୋଚନା କଲାବେଳେ ବାଧ୍ୟବାଧକତାଭାବେ ଯେଉଁ ସଭ୍ୟ ଏହି ଶପଥ ଗ୍ରହଣ କରିବେ ସେ ଅମଲାତନ୍ତ୍ର ପ୍ରତି ବିଶ୍ୱସ୍ତ ରହିବେ ବୋଲି ଅର୍ଥ କରାଯାଉଥିବାର ମୁଁ ଜାଣେ । ମୁଁ ଏ ବିଷୟରେ ଏତିକି କହିବା ଦରକାର ଯେ ଏହାର ଏପରି ଅର୍ଥାନ୍ତର କରିବାପାଇଁ କାହାର କୌଣସି ସାମ୍ବିଧାନିକ ଅଧିକାର ବା ଦାୟିତ୍ୱ ନାହିଁ । ମୋ ମତରେ ଏହି ବାକ୍ୟର ଅର୍ଥ ହେଉଛି ସମ୍ବିଧାନ ଅନୁଯାୟୀ ସଭ୍ୟଙ୍କୁ ଯେଉଁ କ୍ଷମତା ଦିଆଯାଇଛି ତଦନୁଯାୟୀ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ପ୍ରତି ବିଶ୍ୱସ୍ତ ରହିବା ହେଉଛି ତାଙ୍କର କର୍ତ୍ତବ୍ୟ । ତେଣୁ ଏହି ଶପଥ ସମ୍ପର୍କରେ କ’ଣ ଯେ ଆପତ୍ତି ହୋଇପାରେ ମୁଁ କିଛି ବୁଝିପାରୁନାହିଁ । ତାହାଛଡ଼ା ଏହି ପ୍ରଶ୍ନ ବର୍ତ୍ତମାନ ଉଠିବାର ଅବକାଶ ନାହିଁ ।

 

ସଂଖ୍ୟାଗରିଷ୍ଠତା ଲାଭକରିବା ସମ୍ଭବପର କି ନା ଏବଂ ଆମେ ଯେବେ ସଂଖ୍ୟାଗରିଷ୍ଠତା ଲାଭକରୁ ତାହାହେଲେ ଆମେ କ’ଣ କରିବୁ, ଏଭଳି ନାନା ପ୍ରଶ୍ନ ଦେଖା ଦେଉଛି-। ଦେଶର ବର୍ତ୍ତମାନ ଅବସ୍ଥା ପ୍ରତି ଦୃଷ୍ଟିଦେଲେ ଅସହଯୋଗୀମାନେ ସଂଖ୍ୟାଗରିଷ୍ଠତା ଲାଭ କରିବା ସମ୍ଭବପର ବୋଲି ମୁଁ ଭାବେ; ଏହା ସଙ୍ଗେ ସଙ୍ଗେ ଅଳ୍ପସଂଖ୍ୟକ ଲୋକଙ୍କୁ ଭୋଟ ଅଧିକାର ଦିଆଯାଉଥିବା ଯୋଗୁଁ ଏବଂ ଆମେମାନେ ଯେପରି ବ୍ୟବସ୍ଥାପକ ସଭାକୁ ଯାଇପାରିବୁ ନାହିଁ, ସେଥିପାଇଁ କରାଯାଇଥିବା ନିୟମ ଏହି ଯେଉଁସବୁ ପ୍ରତିବନ୍ଧକ ଅଛି ତାହା ଜାଣି ସୁଦ୍ଧା ଆମ୍ଭେମାନେ ସଂଖ୍ୟାଗରିଷ୍ଠତା ଲାଭ କରିବୁ ବୋଲି ମୋର ବିଶ୍ୱାସ । ଏସବୁ ମଧ୍ୟ ୧୯୨୩ କଂଗ୍ରେସ ଅଧିବେଶନ ପୂର୍ବରୁ ହେବାପରି ଦେଖାଯାଉନାହିଁ । ତେଣୁ ଏସବୁ ସମ୍ପର୍କରେ ସମ୍ଭାବନା ଦୃଷ୍ଟିରୁ ବିଚାର କରାଯାଇ ସେତେବେଳେ ଘଟିଥିବା ବାସ୍ତବ ଘଟଣା ଦୃଷ୍ଟିରୁ ଆଲୋଚନା କରାଯାଇପାରେ-

 

ସଂଖ୍ୟାଗରିଷ୍ଠତା ଆମେ ଯେବେ ଲାଭକରୁ ତାହାହେଲେ ଆମେ କ’ଣ କରିବା ଉଚିତ ପ୍ରଶ୍ନର ଉତ୍ତର ପରିଷ୍କାର । ଆମେ ଆମର ଜନ୍ମଗତ ଅଧିକାରକୁ ଶୁଦ୍ଧପୂତଭାବେ ଘୋଷଣା କରି ସେହି ଦାବିକୁ ସ୍ୱୀକାର କରି କାର୍ଯ୍ୟକାରୀ କରୁଥିବା ଗୋଟିଏ ସମ୍ବିଧାନ ଚାହିଁବୁ, ଯେଉଁଥିରେ କି ଆମେ ଚାହୁଁଥିବା ନିର୍ଦ୍ଦିଷ୍ଟ ପ୍ରକାର ସରକାର ଆମେ ପାଇପାରିବୁ । ଯେବେ ଆମର ଏହି ଦାବି ଗୃହୀତ ହୁଏ ତାହାହେଲେ ଆମ ସଂଗ୍ରାମ ଶେଷ ହେବ । ମୁଁ ପୂର୍ବରୁ ଯାହା କରିଛି, ଆମେ ଯେଭଳି ସରକାର ଆମ ନିଜପାଇଁ ବାଛିବୁ, ସେଭଳି ସରକାର ପାଇପାରିବୁ ବୋଲି ଯେବେ ପ୍ରତିଶ୍ରୁତି ମିଳେ ତାହାହେଲେ ପୂର୍ଣ୍ଣ କ୍ଷମତା ଆଜି ମିଳିବ ବା ୫ ବର୍ଷରେ ମିଳିବ ବା ଏପରିକି ୨୦ ବର୍ଷରେ ମିଳିବ, ସେଥିରେ କିଛି ଯାଏଁ ଆସେ ନାହିଁ । ଯେବେ ଆମ ଦାବି ଗୃହୀତ ନହୁଏ ତାହାହେଲେ ଅମଲାତନ୍ତ୍ରର ପ୍ରତ୍ୟେକ କାର୍ଯ୍ୟକୁ ଆମେ ବ୍ୟବସ୍ଥାପକ ସଭାରେ ବିରୋଧ କରି ସବୁ ବିଷୟରେ ଅସହଯୋଗ କରିବୁ, ବଜେଟକୁ ପୂରାପୂରି ନାମଞ୍ଜୁର କରିଦେବୁ । ସବୁ ବିଷୟରେ ବ୍ୟବସ୍ଥାପକ ସଭା ସ୍ଥଗିତ କରି ରଖିବାପାଇଁ ମୁଲତବୀପ୍ରସ୍ତାବ ଆଣିବୁ ଏବଂ ଆଗତ ହେଉଥିବା ପ୍ରତ୍ୟେକ ବିଲ୍‍କୁ ବିରୋଧ କରିବୁ । ଆମେ ଏଭଳି କାର୍ଯ୍ୟ କରିବୁ ଯେପରିକି ଆମ ଦାବି ପୂରଣ ନହେଲେ ବ୍ୟବସ୍ଥାପକ ସଭା କୌଣସି କାର୍ଯ୍ୟ କରିବାକୁ ଅସ୍ୱୀକାର କରିବ । ସମ୍ବିଧାନ ଅନୁଯାୟୀ ଲାଟ୍ ସାହେବଙ୍କୁ ନିଜ ସାର୍ଟିଫିକେଟ୍ ବଳରେ ଅସଂଖ୍ୟ କାର୍ଯ୍ୟ କରିବାରେ ଯେଉଁ ଅଖଣ୍ଡ କ୍ଷମତା ଦିଆଯାଇଛି ତାହା ମୁଁ ଜାଣେ । କିନ୍ତୁ ସାର୍ଟିଫିକେଟ୍ ସାହାଯ୍ୟରେ ସରକାର କାର୍ଯ୍ୟ କରିବା ଯାହା, ତାହା ଭୋଟ ସାହାଯ୍ୟରେ କାର୍ଯ୍ୟ କରିବା ସହିତ ସମାନ । ଏଭଳି କାର୍ଯ୍ୟ ଖୁବ୍ କମ୍ କରାଯାଇପାରେ । ଏଭଳି ସମୟ ଖୁବ୍ ଶୀଘ୍ର ଆସୁଛି ଯେତେବେଳେ କି ଅମଲାତନ୍ତ୍ର ନୂତନ ସମ୍ବିଧାନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବ । ଯାହାହେଉ ଉଭୟ ବିଷୟ ମଧ୍ୟରୁ ଯେକୌଣସି ଘଟଣା ଘଟିଲେ ଜାତିର ନିଶ୍ଚୟ ବିଜୟ ହେବ । ଅମଲାତନ୍ତ୍ର ଯେବେ ସାର୍ଟିଫିକେଟ୍ ସାହାଯ୍ୟରେ ଶାସନ ଚଳାଏ ତାହାହେଲେ ଆମର ଆଦର୍ଶ ଲାଭ କରିବା ସମୟ ନିକଟ ହୋଇଯିବ ।

 

ଆଉ ଗୋଟିଏ ପ୍ରଶ୍ନ ପଚରାଯାଉଛି ଯେ ଏହି ବ୍ୟବସ୍ଥାପକ ସଭାଗୁଡ଼ିକ ଭାଙ୍ଗି ଦିଆଗଲେ ତାହାପରେ କ’ଣ ହେବ ? ଏପର୍ଯ୍ୟନ୍ତ କଂଗ୍ରେସ ଯେତେ କାର୍ଯ୍ୟ କରି ଆସିଛି ଏବଂ ଯେତେ ଅନୁଷ୍ଠାନ ଭାଙ୍ଗି ଆସିଛି ପ୍ରତ୍ୟେକ ବିଷୟରେ ଏହି ପ୍ରଶ୍ନ ପଚରାଯାଇଛି । ଯେବେ ଶିକ୍ଷାବିଭାଗକୁ ଆମେ ଭାଙ୍ଗିଦେଉ ତାହାହେଲେ ଏହାପରେ କ’ଣ ହେବ ବୋଲି କେହି କ’ଣ ପଚାରିବେ ନାହିଁ ? ଯେବେ ଆଇନ ଅଦାଲତ ଭାଙ୍ଗିଦେବାରେ ଆମେ ସଫଳତା ଲାଭ କରୁ ତାହାହେଲେ କ’ଣ ଏହି ପ୍ରଶ୍ନ ଉଠିବ ନାହିଁକି ? ପ୍ରକୃତ ବିଷୟ ହେଉଛି, ଏହି ଭାଙ୍ଗିଦେବା ଫଳରେ ସ୍ୱରାଜ ଆମକୁ ମିଳିବ । ଆହୁରି ମଧ୍ୟ ପ୍ରକୃତ ବିଷୟ ହେଉଛି, ଧ୍ୱଂସବିନା ସୃଷ୍ଟି ଅସମ୍ଭବ । ଆମେ ମଧ୍ୟ ଭୁଲିଯିବା ଉଚିତ ନୁହେଁ ଯେକୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ଫଳରେ ସ୍ୱରାଜ ମିଳିବ ନାହିଁ । ଆମର ସମସ୍ତ ଧ୍ୱଂସମୂଳକ କାର୍ଯ୍ୟ ସଙ୍ଗେ ସଙ୍ଗେ ଚାଲିଥିବା ଗଠନମୂଳକ କାର୍ଯ୍ୟ ଫଳରେ ସ୍ୱରାଜ ଆସିବ-। ଯେବେ ଆମେ ଏହି ବ୍ୟବସ୍ଥାପକ ସଭାଗୁଡ଼ିକୁ ଭାଙ୍ଗିଦେଉଁ ତାହାହେଲେ ସମଗ୍ର ଜାତି ଭିତରେ ନୂତନ ଜୀବନ ଖେଳିଯିବ । ସେମାନେ ଯେତେ ବାଧାସୃଷ୍ଟି କରିବାର କରନ୍ତୁ । ଆମେ ସେ ସମସ୍ତ ଦୂର କରି ନିଜର ଶକ୍ତି ବଢ଼ାଇବୁ ।

 

ଆହୁରି ମଧ୍ୟ କୁହାଯାଇଛି ଯେ ଅସହଯୋଗୀମାନଙ୍କୁ ବ୍ୟବସ୍ଥାପକ ସଭାରେ ପ୍ରବେଶ କରିବାକୁ ଅମଲାତନ୍ତ୍ର ଶାସନ କେବେହେଲେ ଦେବନାହିଁ ଏବଂ ସେଥିପାଇଁ ଦରକାର ହେଲେ ନିୟମ ମଧ୍ୟ ସଂଶୋଧନ କରିବାକୁ ପଛାଇବ ନାହିଁ । ଅସହଯୋଗକୁ ଶକ୍ତିଶାଳୀ କରିବାପାଇଁ ଏହାଠାରୁ ଅଧିକ କିଛି କରାଯାଇପାରେ ବୋଲି ମୁଁ କଳ୍ପନା କରିପାରୁନାହିଁ । ଯେବେ ଏଭଳି ନିୟମ କିଛି କରାଯାଏ, ତାହାହେଲେ ମୁଁ ତାକୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆମର କାର୍ଯ୍ୟପଦ୍ଧତି ପୁଣି ବଦଳାଇବି । ଶିଶୁ ଭାରତ ଜାତି ନିଜର ଅଭ୍ୟୁଦୟ ତଥା ବିକାଶପାଇଁ ଅନବରତ ସଂଘର୍ଷ ଦରକାର କରେ । ଦେଶରେ ଚାଲୁଥିବା ବିରାଟ ଅହିଂସାତ୍ମକ ବିପ୍ଳବ ଆମ୍ଭେମାନେ ଭୁଲିଯିବା ଉଚିତ ନୁହେଁ ଏବଂ ଅବସ୍ଥାର ଆବଶ୍ୟକତାମତେ କାର୍ଯ୍ୟଧାରା ଆମକୁ ବଦଳାଇବାକୁ ହେବ । ଆଜି ବ୍ୟବସ୍ଥାପକ ସଭାର ଦ୍ୱାର ଉନ୍ମୁକ୍ତ ଥିବାରୁ ତହିଁରେ ପ୍ରବେଶ କରି ଆକ୍ରମଣ କରିବୁ ଏବଂ ଯେବେ କାଲି ତାହାର ଦ୍ୱାରରୁଦ୍ଧ କରାଯାଏ ତାହାହେଲେ ସେ ଅବସ୍ଥା ହେଲେ କ’ଣ କରିବାକୁ ହେବ ସେଥିପାଇଁ ପ୍ରସ୍ତୁତ ହେବାକୁ ହେବ । ବର୍ଷାହେଲେ ଆମେ କ’ଣ କରୁ ? ଯେଉଁ ଦିଗରୁ ପାଣି ଛିଞ୍ଚଡ଼ା ଆସେ ସେହି ଦିଗକୁ ଛତା ଦେଖାଉଁ । ସେହିପରି ଆମର ଜାତୀୟ ଜୀବନର ପୂରଣପାଇଁ ଯାହା ଦରକାର ସେ ସମସ୍ତ ଆମେ କରିବୁ ।

 

ଗତ ଦୁଇବର୍ଷ ଧରି ଏହି ବ୍ୟବସ୍ଥାପକ ସଭାମାନଙ୍କର କାର୍ଯ୍ୟାବଳୀରୁ ଯେଉଁ ଅଭିଜ୍ଞତା ମିଳିଛି ସେହି ଦୃଷ୍ଟିରୁ ଅସହଯୋଗୀମାନେ ଉକ୍ତ ସଭାରେ ପ୍ରବେଶ କରିବା ଆବଶ୍ୟକ । ଏହି ନୂତନ ସମ୍ବିଧାନ ଫଳରେ ପ୍ରତିଷ୍ଠିତ ହୋଇଥିବା ବ୍ୟବସ୍ଥାପକ ସଭାମାନ ଅମଲାତନ୍ତ୍ର ଶାସନକୁ ଯଥେଷ୍ଟ ସାହାଯ୍ୟ କରିଛନ୍ତି । ଯେଉଁମାନେ ଏହି ବ୍ୟବସ୍ଥାପକ ସଭାମାନଙ୍କରେ ପ୍ରବେଶ କରିଛନ୍ତି ସେମାନେ ସାଧାରଣତଃ ପୂରାମାତ୍ରାରେ ଅମଲାତନ୍ତ୍ରକୁ ସହାୟତା କରିଛନ୍ତି । ତାହାଛଡ଼ା ଆଉ ମଧ୍ୟ ବିଚାର କରିବା ଦରକାର ଯେ ଟିକସ ଅତିମାତ୍ରାରେ ବୃଦ୍ଧିପାଇଛି । ୧୯୧୩–୧୪ ଯୁଦ୍ଧ ପୂର୍ବବର୍ଷ ତୁଳନାରେ ଭାରତସରକାରଙ୍କ ଖର୍ଚ୍ଚ ଅତିମାତ୍ରାରେ ବୃଦ୍ଧିପାଇଛି । ସେ ବର୍ଷ ଭାରତ ସରକାରଙ୍କ ମୋଟ ଖର୍ଚ୍ଚ ୭୯ କୋଟି ୩୭ ଲକ୍ଷ ଥିବା ସ୍ଥଳେ ୧୯୧୯–୨୦ରେ ଏହା ୧୩୮ କୋଟି ଏବଂ ସମ୍ବିଧାନ କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷ ଅର୍ଥାତ୍ ୧୯୨୦–୨୧ରେ ଏହା ୧୪୯ କୋଟି ହେଲାଣି । ଚଳିତ ବର୍ଷର ଖର୍ଚ୍ଚରୁ ଯାହା ଜଣାଯାଉଛି, ଏହା ଆହୁରି ବୃଦ୍ଧିପାଇବ । ଏହି ବୃଦ୍ଧି ପାଉଥିବା ଟିକସର ସମ୍ମୁଖୀନ ହେବାପାଇଁ ୧୯୧୬–୧୭, ୧୯୧୭–୧୮, ୧୯୧୮–୧୯, ୧୯୧୯–୨୦, ୧୯୨୦–୨୧, ୧୯୨୧–୨୨ ଏବଂ ୧୯୨୨–୨୩ ପ୍ରତ୍ୟେକ ବର୍ଷ ଅଧିକ କର ବସା ଯାଉଛି । ଆସନ୍ତା ବର୍ଷ ଅଧିକ ଟିକସ ବସିବ ବୋଲି ଆମେମାନେ ପ୍ରସ୍ତୁତ ହୋଇ ରହିବା ଦରକାର । ଅଧିକା ଟିକସ ବସିବା ସତ୍ତ୍ୱେ ଗତ ୯ ବର୍ଷ ଭିତରୁ ୭ ବର୍ଷ ନିଅଣ୍ଟିଆ ବଜେଟ ହୋଇଛି ।

 

ସାମରିକ ଖର୍ଚ୍ଚର ବୃଦ୍ଧି ମୁଖ୍ୟତଃ ବର୍ତ୍ତମାନର ଆର୍ଥିକ ଅବସ୍ଥାପାଇଁ ଦାୟୀ; ୧୯୧୩–୧୪ ମସିହାରେ ଏହି ବିଭାଗର ଖର୍ଚ୍ଚ ୩୧ ୧/୨ କୋଟି ଟଙ୍କା ଥିବା ସ୍ଥଳେ ଯୁଦ୍ଧପରେ ଏହା ୮୭ ୧/୨ କୋଟି ହୋଇ ୧୯୨୦–୨୧ ଏହା ୮୮ ୧/୨ କୋଟି ହୋଇଛି । ସାର୍ ଏମ୍. ବିଶ୍ୱେଶ୍ୱରିଆଙ୍କ ମତ ଅନୁଯାୟୀ ବେସାମରିକ ଶାସନ କ୍ଷେତ୍ରରେ ମଧ୍ୟ ଖର୍ଚ୍ଚ ବରାବର ବଢ଼ିଚାଲିଛି । ଏହି ସଂସ୍କାର ଫଳରେ ବିଲାତରେ ବଛା ଯାଉଥିବା ଭାରତୀୟ ସିଭିଲ ସର୍ଭିସ୍, ଭାରତୀୟ ଶିକ୍ଷା ସର୍ଭିସ୍, ଭାରତୀୟ ଚିତ୍କିସା ସର୍ଭିସ୍ ଏବଂ ଅନ୍ୟାନ୍ୟ ସମସ୍ତ ସର୍ଭିସ୍‍ର ବେତନ ଅତିମାତ୍ରାରେ ବୃଦ୍ଧି କରାଯାଇଛି । ତାହା ସହିତ କିୟତ୍ ପରିମାଣରେ ସାମଞ୍ଜସ୍ୟ ରଖିବାପାଇଁ ଯେଉଁ ନିମ୍ନ ଚାକିରିମାନଙ୍କରେ ଭାରତୀୟମାନଙ୍କୁ ବଛାଯାଏ ସେମାନଙ୍କ ଦରମା ମଧ୍ୟ ବୃଦ୍ଧି କରାଯାଇଛି ।

 

ପ୍ରଦେଶମାନଙ୍କର ଆର୍ଥିକଅବସ୍ଥା ମଧ୍ୟ କୌଣସି ପ୍ରକାର ଭଲ ନୁହେଁ । ସମ୍ବିଧାନର ଆର୍ଥିକ ବ୍ୟବସ୍ଥା ଅନୁଯାୟୀ ଭାରତର ସବୁ ପ୍ରଦେଶ ମିଶି ୧୧ କୋଟି ଟଙ୍କା ପାଇବା କଥା । ତାହାଛଡ଼ା ୧୯୨୦–୨୧ ମସିହାରେ ପ୍ରଦେଶମାନଙ୍କର ନିଜର ୨୧ କୋଟି ୬୮ ଲକ୍ଷ ଟଙ୍କା ଥିଲା; କିନ୍ତୁ ଗତ ୨ ବର୍ଷ ଧରି ପ୍ରଦେଶମାନଙ୍କର ଖର୍ଚ୍ଚ ଏପରି ଭାବରେ ବୃଦ୍ଧି ପାଇଛି ଯେ ଯେଉଁ ପ୍ରଦେଶମାନ ବଳକା ଟଙ୍କା ରଖିପାରିବେ ବୋଲି ଆଶା କରୁଥିଲେ ସେମାନେ ପ୍ରାୟ ଦେବାଳିଆ ଅବସ୍ଥାରେ ପହଞ୍ଚିଛନ୍ତି । ନୂତନ ସମ୍ବିଧାନ କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷ ଅଧିକାଂଶ ପ୍ରଦେଶକୁ ନିଅଣ୍ଟିଆର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେମାନଙ୍କ ପୂର୍ବରୁ ଗଚ୍ଛିତ ଥିବା ଅର୍ଥ ଫଳରେ ସେମାନେ ଯେନକେନ ପ୍ରକାରେଣ ଚଳାଇ ନେଲେ; କିନ୍ତୁ ଚଳିତ ବର୍ଷ ବହୁ ପ୍ରଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଗଲାଣି । ବ୍ରହ୍ମଦେଶ ବଜେଟରେ ୧ କୋଟି ୯୦ ଲକ୍ଷ, ପଞ୍ଜାବରେ ୧ କୋଟି ୩୦ ଲକ୍ଷ, ବିହାର ଏବଂ ଓଡ଼ିଶାରେ ୫୧ ଲକ୍ଷ, ମାନ୍ଦ୍ରାଜରେ ୪୧ ଲକ୍ଷ, ଉତ୍ତରପ୍ରଦେଶରେ ୨୬ ଲକ୍ଷ ଏବଂ ମଧ୍ୟପ୍ରଦେଶରେ ୩୭ ଲକ୍ଷ ଟଙ୍କା ନିଅଣ୍ଟ ପଡ଼ିଛି । ମାନ୍ଦ୍ରାଜ ଯେବେ ୭୭ ୧/୨ ଲକ୍ଷ ଟଙ୍କା ଅଧିକା ନୂତନ ଟିକସରୁ ଆଦାୟ କରି ନଥାନ୍ତା ତାହାହେଲେ ଅଧିକ ନିଅଣ୍ଟ ପଡ଼ିଥାନ୍ତା । ବଙ୍ଗଳା ବଜେଟରୁ ଯାହା ଜଣାଯାଏ, କେନ୍ଦ୍ର ସରକାରଙ୍କୁ ତାଙ୍କର ଯାହା ଦେୟ ତହିଁରୁ ରିଆତି ମିଳିଥିବାରୁ ନୂତନ ଟିକସ ବାବତରୁ ୧ କୋଟି ୪୦ ଲକ୍ଷ ଟଙ୍କା ଆଦାୟ ହେବାର ପ୍ରସ୍ତାବ ଥିବାରୁ ଉକ୍ତ ବଜେଟରେ ବଳକା ହେବ ବୋଲି ଦେଖାଇ ଦିଆଯାଇଛି । କିନ୍ତୁ ଏହି ସବୁ ଟଙ୍କା ଅସୁଲ ହେବାର ଯଥେଷ୍ଟ ସନ୍ଦେହ ଥିବାରୁ ଆସନ୍ତା ବର୍ଷ ନୂତନ ଟିକସ ଆହୁରି ବସାଇବାକୁ ପଡ଼ିବ । ଅଧିକ ଟିକସ ବସାଇ ସୁଦ୍ଧା ଆସାମ ବଜେଟରେ ୧୪ ୧/୨ ଲକ୍ଷ ଟଙ୍କା ନିଅଣ୍ଟ ପଡ଼ିଛି । ପଞ୍ଜାବ, ବିହାର ଓ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଆସାମରେ ଅଧିକା ଟିକସ ବସାଇବାର ପ୍ରସ୍ତାବ କରାଯାଉଛି । ଉତ୍ତରପ୍ରଦେଶରେ ଅଧିକା ଟିକସପାଇଁ ସରକାର ଆଣିଥିବା ପ୍ରସ୍ତାବ ବ୍ୟବସ୍ଥାପକ ସଭା ନାକଚ କରି ଦେଇଛନ୍ତି ।

 

ନୂତନ ସମ୍ବିଧାନର ବ୍ୟବସ୍ଥାପକ ସଭାମାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ଏଭଳି ଭାବରେ କାର୍ଯ୍ୟ କରିବାର ଅଖଣ୍ଡ ସୁଯୋଗ ନ ଦେବାପାଇଁ ମୁଁ ଦେଶବାସୀଙ୍କୁ ସାବଧାନ କରିଦେଉଛି । ଟିକସ ଯେ ବୃଦ୍ଧି ହେବ, ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ଏ ବିଷୟରେ ମୋ ମନରେ ମଧ୍ୟ ଭୟ ଅଛି । ମୁଁ ଦୃଢ଼ତାର ସହିତ କହିବାକୁ ଚାହେଁ ଯେ, ଆମେ ଯେବେ ଏହି ନୀତି ଚାଲୁ ରଖିବାପାଇଁ ସରକାରଙ୍କୁ ସୁଯୋଗ ଦେଉ ତାହା ଫଳରେ ବର୍ତ୍ତମାନ ଆମେ ପାଉଥିବା ଲୋକସମର୍ଥନ ଆମକୁ ହରାଇବାକୁ ପଡ଼ିବ । ଯେବେ ଅମଲାତନ୍ତ୍ର ଲୋକଙ୍କ ଦାବି ଗ୍ରହଣ ନ କରେ ତାହାହେଲେ ଆମକୁ ଏ ବ୍ୟବସ୍ଥାପକ ସଭାମାନଙ୍କୁ ଭାଙ୍ଗିଦେବାକୁ ପଡ଼ିବ । ଯେବେ ଅଧିକା ଟିକସ ବସେ ଯାହାକି ବସିବା ଅନିବାର୍ଯ୍ୟ, ତାହାହେଲେ ତାହା ଅମଲାତନ୍ତ୍ର ନିଜ ଦାୟିତ୍ୱରେ ବସାଉ-। ତାହାହେଲେ ଯାଇ ଆପଣ, ମୁଁ ଏବଂ ଲୋକେ ତାହା ବିରୁଦ୍ଧରେ ଲଢ଼େଇ କରିପାରିବେ ।

 

ଶ୍ରମିକ ସଂଗଠନ

 

ତାହା ଛଡ଼ା ମୋ ମତରେ କଂଗ୍ରେସ, ଶ୍ରମିକ ଏବଂ କୃଷକ ଆନ୍ଦୋଳନ କାର୍ଯ୍ୟ ହାତକୁ ନେବା ଉଚିତ । ଶ୍ରମିକ ସମ୍ପର୍କରେ ନାଗପୁର କଂଗ୍ରେସରେ ପ୍ରସ୍ତାବ ପାସ୍ ହୋଇଥିଲେ ସୁଦ୍ଧା ବଡ଼ ଦୁଃଖର ବିଷୟ ଯେ, ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ । ଆମେ ଯେବେ କଂଗ୍ରେସ ପକ୍ଷରୁ ଶ୍ରମିକ ସଂଗଠନ କରୁ ତାହାହେଲେ ଅସହଯୋଗ ଆନ୍ଦୋଳନରେ ବାଧା ପଡ଼ିବ ବୋଲି କେତେକ ଅସହଯୋଗୀଙ୍କ ମନରେ ଭୟ ପ୍ରକାଶ ପାଉଛି । ମୁଁ ଏହି ଯୁକ୍ତିକୁ ବୁଝିବାକୁ ଅସମର୍ଥ । ‘‘ଲଗାଇବା’’ ଶବ୍ଦର ଗୋଟିଏ ଖରାପ ଅର୍ଥ ଅଛି ଏବଂ ଏହି ଯୁକ୍ତି ଯେବେ ଠିକ୍ ବୋଲି ଧରାଯାଏ ତାହାହେଲେ ଧରିବାକୁ ପଡ଼ିବ ଯେ ସ୍ୱରାଜପାଇଁ କରାଯାଉଥିବା ସଂଗ୍ରାମରେ ଶ୍ରମିକ ଓ କୃଷକମାନେ ଆମ ସହିତ ଯୋଗ ଦେଇନାହାନ୍ତି । ମୁଁ ଏହି ଅଭିଯୋଗକୁ ପୂରାପୂରି ସ୍ୱୀକାର କରୁଛି-। ମୋର ନିଜର ଅଭିଜ୍ଞତାରୁ ମୁଁ ଜାଣେ ଯେ ଭାରତର କୃଷକ ଓ ଶ୍ରମିକମାନେ ଆଜି ସ୍ୱରାଜ ଲାଭପାଇଁ ତଥାକଥିତ ମଧ୍ୟବିତ୍ତ ଓ ଶିକ୍ଷିତ ଶ୍ରେଣୀ ଅପେକ୍ଷା ଅଧିକ ବ୍ୟାକୁଳ । ଯେବେ ଆମେ କମ୍ ବର୍ଷର ବାଳକ ବାଳିକା, କଲେଜ ଛାତ୍ର, ଭାରତର ନାରୀ ସମ୍ପ୍ରଦାୟ ଏବଂ ଜାତିବର୍ଣ୍ଣ ଓ ବ୍ୟବସାୟ ନିର୍ବିଶେଷରେ ସମଗ୍ର ମଧ୍ୟବିତ୍ତ ଶ୍ରେଣୀକୁ ସ୍ୱାଧୀନତା ସଂଗ୍ରାମରେ ‘‘ବ୍ୟବହାର’’ କରିପାରୁ, ତାହାହେଲେ ଦେଶର ଶ୍ରମିକ ଓ କୃଷକମାନଙ୍କୁ ବ୍ୟବହାର ନ କରିବାର କ’ଣ ଯୁକ୍ତି ଅଛି-? ମୁଁ ଧରି ନେଉଛି ଯେ, ଏହି ପ୍ରଶ୍ନର ଉତ୍ତର ହେବ ସେମାନଙ୍କୁ କଂଗ୍ରେସ ଅନୁଷ୍ଠାନର ସଭ୍ୟ ହେବାପାଇଁ ସ୍ୱାଗତ କରାଯାଉଥିଲେ ସୁଦ୍ଧା ସେମାନଙ୍କ ନିଜର କୌଣସି ସ୍ୱତନ୍ତ୍ର ଅନୁଷ୍ଠାନ ରହିବା ଉଚିତ ନୁହେଁ; କିନ୍ତୁ ଶ୍ରମିକଙ୍କର ସ୍ୱତନ୍ତ୍ର ସ୍ୱାର୍ଥ ଥିବାରୁ ସେମାନଙ୍କୁ ବହୁ ସମୟରେ ବିଦେଶୀ ପୁଞ୍ଜିପତିଦ୍ୱାରା ଅତ୍ୟାଚାରିତ ହେବାକୁ ପଡ଼େ ଏବଂ ଭାରତର ଚାଷୀ ସମ୍ପ୍ରଦାୟ ଏପରି ଗୋଟିଏ ଶ୍ରେଣୀଦ୍ୱାରା ଅତ୍ୟାଚାରିତ ହୁଅନ୍ତି ଯେଉଁମାନେ କି ହେଉଛନ୍ତି ଭାରତବର୍ଷର ଅମଲାତନ୍ତ୍ରର ସ୍ତମ୍ଭସ୍ୱରୂପ । ଏହିସବୁ ସ୍ୱତନ୍ତ୍ର ସ୍ୱାର୍ଥ ଦେଖିବାକୁ ରହିଥିବା ଅନୁଷ୍ଠାନମାନଙ୍କର ଜାତୀୟବାଦର ପୂଜାରୀ ହିସାବରେ ଥିବା ଅନୁଷ୍ଠାନ ସହିତ କୌଣସି ସଂଘର୍ଷ ହୋଇପାରେ କି ? ଗରିବ ଲୋକମାନଙ୍କ ପାଇଁ ଅନ୍ନସଂସ୍ଥା କରିବା, ଯେଉଁ ଶ୍ରେଣୀର ଲୋକେ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଲାଗିଛନ୍ତି ସେମାନଙ୍କ ପାଇଁ ନ୍ୟାୟ ବିଚାରର ବ୍ୟବସ୍ଥା କରିବା କାର୍ଯ୍ୟ ସ୍ୱରାଜ ଲାଭ କରିବା କାର୍ଯ୍ୟଠାରୁ କୌଣସି ପ୍ରକାର ସ୍ୱତନ୍ତ୍ର ହୋଇପାରେ କି ? ଯେକୌଣସି କାର୍ଯ୍ୟ ଯାହାକି ଜାତୀୟ କାର୍ଯ୍ୟକୁ ଶକ୍ତିଶାଳୀ କରିବା ସଙ୍ଗେ ସଙ୍ଗେ ଭାରତର ଜନତାକୁ ସାହାଯ୍ୟ କରେ ସେହି ସମସ୍ତ କାର୍ଯ୍ୟ ସ୍ୱରାଜପାଇଁ କରାଯାଉଥିବା କଂଗ୍ରେସର ଅନ୍ୟାନ୍ୟ କାର୍ଯ୍ୟ ସହିତ ସମାନ । ତେଣୁ ଭାରତର ଶ୍ରମିକ ଓ କୃଷକମାନଙ୍କୁ ସଂଗଠିତ କରିବାପାଇଁ କଂଗ୍ରେସ ଆଉ ସମୟ ନଷ୍ଟ ନ କରି ଗୋଟିଏ ଶକ୍ତିଶାଳୀ ଏବଂ କାର୍ଯ୍ୟ ହୋଇପାରିବା ଭଳି କମିଟି ନିଯୁକ୍ତ କରିବା ଉଚିତ ବୋଲି ମୁଁ ପରାମର୍ଶ ଦେଉଛି-। ଆମେ ଏ ବିଷୟକୁ ଯଥେଷ୍ଟ ଡେରି କଲେଣି । ଯେବେ କଂଗ୍ରେସ ନିଜର କର୍ତ୍ତବ୍ୟ ନ କରେ ତାହାହେଲେ ଆପଣମାନେ ଦେଖିବେ ଯେ ଦେଶର ଶ୍ରମିକ ଓ କୃଷକ ସମ୍ପ୍ରଦାୟ ଆପଣମାନଙ୍କଠାରୁ ଅର୍ଥାତ୍ ସ୍ୱରାଜ ଆନ୍ଦୋଳନରୁ ଅଲଗା ହୋଇ ନିଜର ସଂଗଠନ କରିବେ; ଯାହା ଫଳରେ କି ଶାନ୍ତିପୂର୍ଣ୍ଣ ବିପ୍ଳବ ମଧ୍ୟରେ ଶ୍ରେଣୀ ଓ ସ୍ୱାର୍ଥ ସଂଘର୍ଷ ଦେଖାଦେଇ ଏହା କଳୁଷିତ ହେବ-। ଯେବେ କଂଗ୍ରେସ ଏହି ଅବାଞ୍ଛନୀୟ ଅବସ୍ଥାକୁ ରୋକିବାକୁ ଚାହେଁ, ତାହାହେଲେ ଆମକୁ ଓ କୃଷକମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ତଥା ସ୍ୱରାଜପାଇଁ ଆବଶ୍ୟକ ହେଉଥିବା ସେମାନଙ୍କର ସ୍ୱତନ୍ତ୍ର ସମସ୍ୟାମାନଙ୍କର ସମାଧାନ ପାଇଁ ସଂଗଠିତ କରିବାକୁ ହେବ-। ଏଠାରେ ମଧ୍ୟ ଆମକୁ ଶ୍ରମିକ ଓ କୃଷକମାନଙ୍କର ନିଜ ନିଜ ସ୍ୱାର୍ଥକୁ ବ୍ୟବହାର କରିବାକୁ ହେବ-। କାରଣ ଆମେ ଏହା ଭଲଭାବେ ଜାଣୁ ଯେ, ଏହି ସ୍ୱାର୍ଥ ପୂରଣ ହେଲେ ଜାତୀୟ ଜୀବନର ଠିକ୍ ବିକାଶ ହୋଇପାରିବ ।

 

ଆରମ୍ଭ କରାଯାଇଥିବା କାର୍ଯ୍ୟ

 

କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ବିଷୟରେ ବର୍ତ୍ତମାନ ମୁଁ ଆଲୋଚନା କରିବି । ପ୍ରଥମରେ ମୁଁ କହି ରଖିବାକୁ ଚାହେଁ ଯେ ଯେଉଁସବୁ କାର୍ଯ୍ୟ କଂଗ୍ରେସ ପକ୍ଷରୁ କରାଯାଉଛି ତାହା ଛଡ଼ାଯିବା ଉଚିତ ନୁହେଁ । କାର୍ଯ୍ୟର ଧାରା ବଦଳାଇବା ପାଇଁ ମୁଁ ଯାହା ଉପରେ କହିଲି ଏବଂ ବାସ୍ତବତା ଦୃଷ୍ଟିରୁ ଯାହା ପରିବର୍ତ୍ତନ ହେବା ବାଞ୍ଛନୀୟ ବୋଲି ମୁଁ କହିଛି ସେ ସବୁର ଅର୍ଥ ନୁହେଁ ଯେ କରାଯାଉଥିବା କାର୍ଯ୍ୟ ଛାଡ଼ି ଦେବା–ବରଂ କରାଯାଉଥିବା କାର୍ଯ୍ୟ ସହିତ ଅନ୍ୟ କିଛି କାର୍ଯ୍ୟ କରାଯିବା ଦରକାର ।

 

ସ୍କୁଲ୍ ଏବଂ କଲେଜ ବର୍ଜନ

 

ମୋର ଦୃଢ଼ ମତ ଯେ, ପୂର୍ବପରି ସ୍କୁଲ୍ କଲେଜ ବର୍ଜନ ସକ୍ରିୟଭାବେ ଚାଲୁ ରହିବା ଦରକାର । ସ୍କୁଲ୍ କଲେଜରୁ ଛାତ୍ରଙ୍କୁ ଉଠାଇ ଆଣିବା କାର୍ଯ୍ୟକ୍ରମ ତ୍ୟାଗ କରାଯାଉ ବୋଲି ଆଇନ ଅମାନ୍ୟ ଆନ୍ଦୋଳନ ଅନୁସନ୍ଧାନ କମିଟି ଯାହା ମତ ଦେଇଛନ୍ତି ମୋର ତାହା ସହିତ ମତଭେଦ ଅଛି । ମୋ ବିଚାରରେ ଏହି ପ୍ରଶ୍ନ ଗୋଟିଏ ଜୀବନ–ମରଣ ସମସ୍ୟା । ଦେଶର ଯୁବଶକ୍ତି ଉପରେ ସ୍ୱରାଜ ବହୁପରିମାଣରେ ନିର୍ଭର କରୁଥିବାରୁ ଯେଉଁ ଜାତି ସ୍ୱଇଚ୍ଛାରେ ଜାଣିଶୁଣି ତା’ ଯୁବଶକ୍ତିକୁ ଦାସତ୍ୱ ଏବଂ ବିଦେଶୀ ସଂସ୍କୃତିର ମୋହର ବସାଇବା ପାଇଁ ସ୍କୁଲ୍ କଲେଜକୁ ପଠାଏ, ତାହାର ବା ଭବିଷ୍ୟତ କ’ଣ ? ଏହି ବିଷୟ ମୁଁ ଅଧିକ ଆଲୋଚନା କରିବାକୁ ଚାହେଁ ନାହିଁ । ଏହି ସମ୍ପର୍କରେ ମୋ ମତ ଏଭଳି ପ୍ରକାଶ କରୁଛି ଯେ ତାହା ପୁନରାବୃତ୍ତି କରିବା ଅନାବଶ୍ୟକ । ଅନୁସନ୍ଧାନ କମିଟି ଜାତୀୟ ସ୍କୁଲ୍ ଏବଂ କଲେଜ ପ୍ରତିଷ୍ଠା ହେବା ଉଚିତ ବୋଲି ଯେଉଁ ମତ ପ୍ରକାଶ କରିଛନ୍ତି ମୁଁ ତାହାସହିତ ଏକମତ ।

 

କଚେରି ବର୍ଜନ ଓ ଆଇନଜୀବୀ

 

ଆଇନଜୀବୀ ଏବଂ କୋର୍ଟ କଚେରି ବର୍ଜନ ବିଷୟରେ କମିଟି ଯେଉଁ ମତ ପ୍ରକାଶ କରିଛନ୍ତି ତାହାର ମୁଖ୍ୟ ବିଷୟମାନଙ୍କ ସହିତ ମୁଁ ଏକମତ । ମୁଦାଲାମାନଙ୍କୁ ନିଜ ପକ୍ଷ ସମର୍ଥନ କରିବାପାଇଁ ଦିଆଯିବା ଉଚିତ କି ନୁହେଁ ଏବଂ ଯେବେ ଦିଆଯିବ କେଉଁ ସମୟରେ ଓ କିପରି ଅବସ୍ଥାରେ ଦିଆଯିବ ଏଭଳି ନାନା ପ୍ରଶ୍ନ ଉଠୁଛି । ମୁଁ ସବିଶେଷ ନିୟମକାନୁନର ପକ୍ଷପାତୀ ନୁହେଁ ଏବଂ ଏଭଳି କୌଣସି ନିୟମ ତିଆରି କରାଯିବ ଯେଉଁଥିରେ କି ସମସ୍ତ ଅବସ୍ଥାରେ ସବୁ ପ୍ରଶ୍ନର ସମ୍ମୁଖୀନ ହୋଇପାରିବ, ଏହା ଅସମ୍ଭବ ବୋଲି ମୁଁ ଭାବେ । ମୁଁ ଏତିକି ଚାହେଁ ଯେ, କୋର୍ଟ କଚେରି ବର୍ଜନ ନୀତି ସ୍ମରଣ ରଖି ସବୁ କାର୍ଯ୍ୟ କରାଯାଉ ।

 

ହିନ୍ଦୁ ମୁସଲମାନ ଐକ୍ୟ

 

ହିନ୍ଦୁ ମୁସଲମାନ ଐକ୍ୟ, ଅସ୍ପୃଶ୍ୟତା ଏବଂ ସେହିଭଳି ଅନ୍ୟାନ୍ୟ ପ୍ରଶ୍ନ ସମ୍ପର୍କରେ ଅନୁସନ୍ଧାନ କମିଟିର ସୁପାରିସ୍ ସହ ମୁଁ ଏକମତ । ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଭାରତବର୍ଷରେ ଥିବା ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଐକ୍ୟ ତଥା ସକ୍ରିୟ ସହଯୋଗ ଏବଂ ପ୍ରତ୍ୟେକ ଶ୍ରେଣୀଦ୍ୱାରା ଅନ୍ୟ ଶ୍ରେଣୀମାନଙ୍କର ଅଧିକାର ସ୍ୱୀକୃତହେବା ଭିତ୍ତି ଉପରେହିଁ ଭାରତ ଜାତିର ଏକତା ନିହିତ ଥିବାରୁ ଦେଶ ବିଭିନ୍ନ ଶ୍ରେଣୀ ଓ ସମ୍ପ୍ରଦାୟ ମଧ୍ୟରେ ଐକ୍ୟ ଓ ସଦ୍‍ଭାବ ପ୍ରତିଷ୍ଠା ହେବା ଆବଶ୍ୟକ । ଅସ୍ପୃଶ୍ୟ ଶ୍ରେଣୀ ବୋଲି ଯେଉଁମାନଙ୍କୁ କୁହାଯାଉଛି ଆମେ ନିଜର ଶ୍ରେଷ୍ଠତା ଓ ଅହମିକା ମନୋଭାବ ନେଇ ଯେବେ କିଛି କରିବାକୁ ଚାହୁଁ ତାହାହେଲେ ସେମାନଙ୍କର କିଛି ହୋଇ ପାରିବ ନାହିଁ । ଆମ ସମ୍ମୁଖରେ ଥିବା ସମସ୍ତ କାର୍ଯ୍ୟରେ ସେମାନଙ୍କୁ ଲଗାଇ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ସମସ୍ତ କାର୍ଯ୍ୟ କରିବା ଦରକାର ।

 

ଖଦଡ଼

 

ଖଦଡ଼ ପ୍ରଶ୍ନ ଆମ ଆଗରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଥିବାରୁ ମୁଁ ସେ ବିଷୟ ଆଲୋଚନା କରୁଛି । ମୁଁ ପୂର୍ବରୁ କହିଛି ଯେ ବ୍ୟବସାୟ ସୂତ୍ରରେ ଖଦଡ଼ ତିଆରି କରିବାର ମୁଁ ବିରୋଧୀ । ମୁଁ ୧୯୨୧ ମାର୍ଚ୍ଚ ୩୧ ତାରିଖ ଦିନ ମହାତ୍ମାଗାନ୍ଧିଙ୍କଦ୍ୱାରା ଆଗତ ହୋଇଥିବା ବେଜୱାଡ଼ା ପ୍ରସ୍ତାବ ସମର୍ଥନ କରିବାକୁ ଯାଇ କହିଥିଲି :–

 

‘‘ଆମେ ଯେତେବେଳେ ଲୋକଙ୍କୁ ଚରଖାରେ ସୂତା କାଟିବାକୁ ଆହ୍ୱାନ ଦେଇଥିଲୁ ସେତେବେଳେ ବିଦେଶୀ ପୁଞ୍ଜିପତିମାନଙ୍କ ସହ ପ୍ରତିଯୋଗିତା କରିବା ଉଦ୍ଦେଶ୍ୟରେ ତାହା କହି ନଥିଲୁ । ଲୋକେ ଯେପରି ସେମାନଙ୍କର ଅର୍ଥନୈତିକ ଜୀବନ ନିଜେ ବୁଝି ସେହି ଅନୁସାରେ ନିଜକୁ ଚଳାଇବା ସଙ୍ଗେ ସଙ୍ଗେ ନିଜେ ଅଧିକ ଆର୍ଥିକ ସମ୍ପଦ ଯେପରି ନିଜପାଇଁ ତିଆରି କରିବା ସଙ୍ଗେ ସଙ୍ଗେ ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି କରିପାରିବେ ସେହି ଦୃଷ୍ଟିରୁ ଆମେ ଏହା କହିଥିଲୁ-।’’

 

ପ୍ରଧାନ ଉଦ୍ଦେଶ୍ୟ ହେଉଛି, ଦେଶର ଲୋକଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା ବା ଆତ୍ମବିଶ୍ୱାସ ଆଣିବା । ଏହି କାର୍ଯ୍ୟ କଷ୍ଟସାଧ୍ୟ ହେଲେହେଁ ଏହା ଅତ୍ୟନ୍ତ ଜରୁରୀ ହୋଇଥିବା ହେତୁ ସମସ୍ତ ଶକ୍ତି ବିନିଯୋଗ କରି ଏହା କରିବାକୁ ହେବ । ଖୁବ୍ ପ୍ରକାଣ୍ଡଭାବେ ବଡ଼ବଡ଼ କାରଖାନା ବସାଇବା ଅପେକ୍ଷା ଅଳ୍ପ କେତେକ ପରିବାରବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବା ଶ୍ରେୟସ୍କର ବୋଲି ମୁଁ ଭାବେ । ସେହିସବୁ ବଡ଼ କାରଖାନା ଅପରିଣାମଦର୍ଶିତାର ନିଦର୍ଶନ ଏବଂ ତାହା ବର୍ତ୍ତମାନ ସମସ୍ୟାର ସାମୟିକ ସମାଧାନ କରୁଥିଲେ ସୁଦ୍ଧା ତାହାଯୋଗୁଁ ଏପରି ଖରାପ ଫଳ ହେବ ଯେଉଁଥିରୁ କି ରକ୍ଷାପାଇବା ଅସମ୍ଭବ ହୋଇ ପଡ଼ିବ । ତେଣୁ ଭାରତବର୍ଷରେ ନୂତନ ମାଞ୍ଚେଷ୍ଟର ସୃଷ୍ଟି କରିବାକୁ ମୁଁ ବିରୋଧ କରେ । କାରଣ ସେ ବିଷୟରେ ଆମର ଯଥେଷ୍ଟ ଅଭିଜ୍ଞତା ଅଛି । ଯେବେ ପାରୁ ଏହି ବିଷମୟ ଫଳକୁ ରୋକିବାକୁ ପଡ଼ିବ ।

 

ଏକମାତ୍ର ଖଦଡ଼ଦ୍ୱାରା ସ୍ୱରାଜ ଆସିପାରିବ ବୋଲି ବହୁସମୟରେ କୁହାଯାଏ । ଖଦଡ଼ ଆମକୁ କିପରି ଭାବରେ ସ୍ୱରାଜ ଆଣିଦେବା ସମ୍ଭବ ଏହା ମୁଁ ଦେଶବାସୀଙ୍କୁ ପଚାରୁଛି । ହୁଏତ ଏହା ସତ୍ୟ ହୋଇପାରେ, ଆମେ ଖଦଡ଼କୁ ସ୍ୱରାଜର ପ୍ରତୀକ ବୋଲି ଭାବିବାକୁ ପଡ଼ିବ । ଖଦଡ଼ ଆମର ଜୀବନକୁ ବହୁଅଂଶରେ ଆତ୍ମନିର୍ଭରଶୀଳ କରୁଥିବାରୁ ହୁଏତ ଖଦଡ଼ ଆମର ସମଗ୍ର ଜାତୀୟ ଜୀବନକୁ ଉତ୍ସାହିତ କରି ଆତ୍ମନିର୍ଭରଶୀଳ ତଥା ସ୍ୱାଧୀନ କରି ପାରିବ ବୋଲି ଆଶାପୋଷଣ କରିବା ସ୍ୱାଭାବିକ । ଏହାହିଁ ହେଉଛି ପ୍ରତୀକର ଅର୍ଥ । ମୋ ମତରେ ଏହିପରି ପ୍ରତୀକର ଆରାଧନା କରିବାକୁ ହେଲେ ସବୁ ଦିଗକୁ ଅସହଯୋଗମୂଳକ କାର୍ଯ୍ୟକ୍ରମ ପ୍ରସାରିତ କରିବାକୁ ପଡ଼ିବ । ଏହାଦ୍ୱାରାହିଁ ସ୍ୱରାଜ ଶୀଘ୍ର ମିଳିବା ସମ୍ଭବପର ।

Image

 

ଉପସଂହାର

 

ବର୍ତ୍ତମାନ ଆଶା ଏବଂ ବିଶ୍ୱାସର ଶେଷ ବାଣୀ ଶୁଣାଇବାକୁ ମୋତେ ପଡ଼ିବ । ସ୍ୱରାଜର ପଥ ଅନ୍ଧକାର ଏବଂ କଣ୍ଟକମୟ ହୋଇଥିବାରୁ ଏହା ସହଜସାଧ୍ୟ ନୁହେଁ । ଏଥିପାଇଁ ଆପଣମାନଙ୍କୁ ସାହସ ବାନ୍ଧି ଦୃଢ଼ପ୍ରତିଜ୍ଞ ହେବାକୁ ପଡ଼ିବ । ଏହି କଣ୍ଟକମୟ ପଥରେ ଯାତ୍ରା କଲାବେଳେ ବହୁ ବାଧାବିଘ୍ନ ଏପରିକି ଅତିରିକ୍ତ ନୈରାଶ୍ୟର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ସେହି ନୈରାଶ୍ୟ ଓ ବାଧାବିଘ୍ନ ବୈଦେଶିକ ଦାସତ୍ୱ ଶୃଙ୍ଖଳାରୁ ଆପଣମାନଙ୍କ ମୁକ୍ତି ଶୀଘ୍ର ଯେପରି ହୁଏ ସେ ଦିଗରେ ସାହାଯ୍ୟ କରିବ । ସାଫଲ୍ୟ ସହିତ ଅଗ୍ରସରକୁ ମିଶାଇ ଭୁଲକରନ୍ତୁ ନାହିଁ । ହୁଏତ ଅଗ୍ରସର ବାହାରକୁ ଦେଖିବାକୁ ହେଉଥିବ ଏବଂ ବହୁସମୟରେ ଏହା ମଧ୍ୟ ମିଥ୍ୟା ହୋଇପାରେ । ମୁଁ କହୁଛି ଯେ ଏହି ଆନ୍ଦୋଳନ ଫଳରେ କ’ଣ ଲାଭ କରାଯାଇଛି ତାହା ରୋକ୍‍ଠୋକ୍ ଭାବରେ ଦେଖାଇଦେବା ସମ୍ଭବପର ନହେଲେ ସୁଦ୍ଧା ସଫଳତା ଅନିବାର୍ଯ୍ୟ । ଏହି ଆନ୍ଦୋଳନକୁ ଦବେଇ ଦେବା ଉଦ୍ଦେଶ୍ୟରେ ଅମଲାତନ୍ତ୍ର ଯେଭଳି ବାରମ୍ୱାର ଚେଷ୍ଟା କରୁଛି ଏବଂ ଏହି ଆନ୍ଦୋଳନର ପ୍ରଗତି ରୋକିବା ନିମିତ୍ତ ଯେପରି ଅନବରତ ଚେଷ୍ଟାଚାଲିଛି ଏବଂ ସରକାରଙ୍କ ହାତରେ ଥିବା କେତେଗୁଡ଼ିଏ ଏକଚାଟିଆ ଏବଂ ମନୋମୁଖୀ କ୍ଷମତା ଯେଭଳି ଭାବରେ ବାରମ୍ୱାର ବ୍ୟବହାର କରାଯାଇ ସେହି ପୁରୁଣାକାଳିଆ ମନୋମୁଖୀ ଆଇନମାନ ବାତିଲ କରା ନ ଯାଇ ତାହା ସାହାଯ୍ୟରେ ଅମଲାତନ୍ତ୍ରର ଅବସାନ ଉଦ୍ଦେଶ୍ୟରେ ନିଜ ଜୀବନକୁ ଉତ୍ସର୍ଗ କରିବାପାଇଁ ପ୍ରସ୍ତୁତ ଥିବା ଆମର ପ୍ରିୟତମ ନେତାଙ୍କୁ ଯେଭଳି କାରାରୁଦ୍ଧ କରାଯାଇଛି ତଦ୍ଦ୍ୱାରା ସେହି ଅମଲାତନ୍ତ୍ର ଆମ ଆନ୍ଦୋଳନର ସାଫଲ୍ୟ ଶତମୁଖରେ ଘୋଷଣା କରୁଛି । ଆମ ଆନ୍ଦୋଳନର ଅନ୍ତିମ ସାଫଲ୍ୟ ଅନିବାର୍ଯ୍ୟ ହୋଇଥିଲେ ସୁଦ୍ଧା ଏହା ଆପଣମାନଙ୍କ ଉପରେ ପୂରାପୂରି ନିର୍ଭର କରେ ଏବଂ ଆପଣମାନଙ୍କ ବିରୁଦ୍ଧରେ ଦେଖାଦେଇଥିବା ଶକ୍ତିମାନଙ୍କୁ କିଭଳି ଆପଣମାନେ ସମ୍ମୁଖୀନ ହେବେ, ତାହା ଉପରେ ଏହା ନିର୍ଭର କରେ ବୋଲି ମୁଁ ତାଗିଦ୍ କରି ଦେଉଛି । ନାଜରେଥର୍ ଜେସସ୍ ଯେତେବେଳେ ସେଠାକାର ଶାସକ ଅର୍ଥାତ୍ (Scribes and pharisees )ଙ୍କର ଆଇନ ଶୃଙ୍ଖଳାର ସମ୍ମୁଖୀନ ହୋଇ ନିଜର ଜୀବନ ଉତ୍ସର୍ଗକଲେ ତାହା ଉପରେହିଁ ଖ୍ରୀଷ୍ଟଧର୍ମର ସୌଧ ଗଢ଼ି ଉଠିଲା । ଆଜି ଆପଣମାନଙ୍କ ବିରୁଦ୍ଧରେ ଯେଉଁ ଶକ୍ତି ଦଣ୍ଡାୟମାନ ତାହା କେବଳ ଅମଲାତନ୍ତ୍ରର ଶକ୍ତି ନ ହୋଇ ଆଧୁନିକ Scribes ଏବଂ Pharisesଙ୍କ ଶକ୍ତି ମଧ୍ୟ ଦଣ୍ଡାୟମାନ ହୋଇଛି ଏବଂ ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅମଲାତନ୍ତ୍ର ପୂରାମାତ୍ରାରେ ବଜାୟ ରଖିବା ଦରକାର । ତେଣୁ ଆପଣମାନଙ୍କ ପିଲାଙ୍କ ପିଲାଏ ଯେପରି ଆପଣମାନଙ୍କ ତ୍ୟାଗର ଫଳ ଭୋଗ କରନ୍ତି ସେଥିପାଇଁ ଆପଣମାନେ ନିଜ ନିଜର ଜୀବନ ସତ୍ୟ ଏବଂ ନ୍ୟାୟର ସଂରକ୍ଷଣ ପାଇଁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ଆପଣମାନେ ଧର୍ମଯୁଦ୍ଧ କରିବାକୁ ବାହାରି ପଡ଼ନ୍ତୁ ଏବଂ ଯେତେବେଳେ ବିଜୟ ଆସିବ ସେତେବେଳେ ନିଜ ହାତରେ ସରକାରୀ କ୍ଷମତା ରଖିବାକୁ ଯେପରି ଆପଣ ଲାଳାୟିତ ନ ହୁଅନ୍ତି ସେଥିପାଇଁ ପ୍ରସ୍ତୁତ ହୋଇଯାନ୍ତୁ । ଆପଣମାନେ ଯେବେ ଧର୍ମଯୁଦ୍ଧ କରନ୍ତି ତାହାହେଲେ ଆଧ୍ୟାତ୍ମିକ ସୈନ୍ୟହିଁ ହେବେ ଆପଣଙ୍କର ଅସ୍ତ୍ର । ଆପଣଙ୍କୁ ଦ୍ୱେଷ; ଘୃଣା, କ୍ଷୁଦ୍ରତା ଏବଂ ମିଥ୍ୟାର ଆଶ୍ରୟ ନେବାକୁ ନ ପଡ଼ୁ । କାରଣ ଆପଣଙ୍କ ଆଶା ହେଉଛି ଉଷାର ଆଶା ଓ ବିଶ୍ୱାସ ଏବଂ ଆପଣଙ୍କ ସଙ୍ଗୀତ ହେଉଛି ହାତକଡ଼ି ପଡ଼ି କାରାରୁଦ୍ଧ ହୋଇଥିବା ତିତାନ୍‍ଙ୍କ ସେହି ସ୍ମରଣୀୟ ସଙ୍ଗୀତ ଯାହାକି ଗ୍ରୀକ୍ ଧର୍ମଶାସ୍ତ୍ରରେ ଦେଖିବାକୁ ମିଳେ–

 

“To Suffer owes which

Hope thinks infinite,

To forgive wrongs darker than

death or night,

To defy Power, which seems

omnipotent,

To love, and bear; to hope till

Hope creates

From its own wreck the thing it

contemplates,

Neither to change, nor falter,

nor repent;

This, like the glory, Titan,

is to be

Good, great and Joyous,

beautiful and free;

This is alone Life, Joy, Empire

and Victory.”

 

–ବନ୍ଦେ ମାତରମ୍

Image

 

ଚତୁର୍ଥ ଅନୁଚ୍ଛେଦ

(ସ୍ୱରାଜ ଏବଂ ଔପନିବେଶିକତା)

(ଶେଷ ସାଧାରଣ ବକ୍ତୃତା)

 

(୧୯୨୫ ମେ ମାସରେ ହୋଇଥିବା ଫରିଦ୍‍ପୁର ବଙ୍ଗ ପ୍ରାଦେଶିକ ସମ୍ମିଳନୀର ସଭାପତି ଭାଷଣର ଇଂରେଜୀ ଅନୁବାଦ)

 

ବାରମ୍ୱାର ଭାରତ ପଚାରୁଛି, ‘କେଉଁ ବାଟରେ ଗଲେ ମୁକ୍ତି ?’ ସେହି ଅଜ୍ଞାତ ଓ ଅସ୍ପଷ୍ଟ ଅତୀତରୁ ମଣିଷର ଆତ୍ମାର ଛାୟା ପଛରେ ଧାଇଁ ଶ୍ରାନ୍ତ କ୍ଳାନ୍ତ ହେଲାପରେ ବାସ୍ତବତାକୁ ଖୋଜିବାକୁ ଯାଇ ଏହି ପ୍ରଶ୍ନହିଁ ପଚାରି ଆସିଛି ।

 

ଏହି ପ୍ରଶ୍ନ ଯେପରି ପରିଷ୍କାରଭାବେ ଆପଣମାନେ ବୁଝିପାରିବେ, ସେହି ଉଦ୍ଦେଶ୍ୟରେ ମୁଁ ବାରମ୍ୱାର ସେହି ପ୍ରଶ୍ନ ଉଠାଉଛି ।

 

ବ୍ୟକ୍ତି ବିଶେଷ ଯେପରି ନିଜର ମୁକ୍ତିପାଇଁ ଏହି ପ୍ରଶ୍ନ କରେ ଜାତି ମଧ୍ୟ ଦାସତ୍ୱ ବନ୍ଧନରୁ ଓ ତଜ୍ଜନିତ ପାପରୁ ମୁକ୍ତି ହାସଲ କରିବାର ବାଟ ପାଇବାକୁ ଏହି ପ୍ରଶ୍ନ କରିଥାଏ । ଯେଉଁମାନେ ଏହି ଦାସତ୍ୱଶୃଙ୍ଖଳ ତିଆରି କରିଛନ୍ତି ଏବଂ ଯେଉଁମାନେ ପୁଣି ସେଥିପାଇଁ ସୁଯୋଗ ଦେଉଛନ୍ତି, ସେମାନେ ଉଭୟେ ସେ ପାପରେ ଭାଗୀ ।

 

ସ୍ୱାୟତ୍ତ ଶାସନ ହୋମରୁଲ, ସ୍ୱାଧୀନତା ଏବଂ ସ୍ୱରାଜ, ଏହିଭଳି ନାନା ଶବ୍ଦ ବ୍ୟବହୃତ ହେଉଥିଲେ ସୁଦ୍ଧା ଏ ସବୁର ପ୍ରକୃତ ଅର୍ଥ ନ ବୁଝିଲେ ଏବଂ ସେ ସବୁ ପାଇବାର ପଦ୍ଧତି ବିଚାର ନ କଲେ ସେ ସବୁ ଅର୍ଥହୀନ ।

 

ଅନେକେ ଅଛନ୍ତି, ଯେଉଁମାନେ କି ଶାନ୍ତିପୂର୍ଣ୍ଣ ଏବଂ ନ୍ୟାୟସଙ୍ଗତ ଉପାୟରେ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି ଘୋଷଣା କରନ୍ତି । ଆହୁରି ଅନେକେ ଅଛନ୍ତି, ଯେଉଁମାନେ କି ବଳ ବା ହିଂସା ପ୍ରୟୋଗ ବିନା ସ୍ୱରାଜ ଲାଭ କରିବା ଅସମ୍ଭବ ବୋଲି କହନ୍ତି ।

 

ଏହି ଜୀବନ ମରଣ ସମସ୍ୟା ସମ୍ପର୍କରେ ନିଷ୍ପତ୍ତି କରିବାପାଇଁ ଆପଣମାନେ ଯେଭଳି ସାହାଯ୍ୟ ପାଇପାରିବେ ସେଥିପାଇଁ କେତେକ ସୂଚନା ମୁଁ ଦେବାକୁ ଚାହେଁ । ଜାତୀୟ ସ୍ୱାଧୀନତାର ଅର୍ଥ କ’ଣ ଏବଂ ତାହା ଲାଭ କରିବାପାଇଁ ଜାତି କେଉଁ ଉପାୟ ଅବଲମ୍ୱନ କରିବ, ତାହା ବଙ୍ଗ ପ୍ରଦେଶ ସମ୍ମିଳନୀ ପରିଷ୍କାରଭାବେ ଘୋଷଣା କରୁ ।

 

ସ୍ୱରାଜ ଏବଂ ସ୍ୱାଧୀନତା

 

ମୋ ମତରେ ସ୍ୱରାଜ ଅପେକ୍ଷା ସ୍ୱାଧୀନତାର ଅର୍ଥ କ୍ଷୁଦ୍ରତର । ଅବଶ୍ୟ ସ୍ୱାଧୀନତା ପରାଧୀନତାର ଯେ ବିପରୀତ, ଏହା ସତ୍ୟ, କିନ୍ତୁ ଏହା କୌଣସି ନିର୍ଦ୍ଦିଷ୍ଟ ଆଦର୍ଶକୁ ବୁଝାଏ ନାହିଁ । ସ୍ୱରାଜ ସହିତ ସ୍ୱାଧୀନତା ଖାପ ଖାଏ ନାହିଁ ବା ଉଭୟେ ପରସ୍ପରର ବିରୁଦ୍ଧାତ୍ମକ ବୋଲି ମୁଁ କହୁ ନାହିଁ; କିନ୍ତୁ ଆମର କେବଳ ସ୍ୱାଧୀନତା ଦରକାର ନ ହୋଇ ସ୍ୱରାଜ ପ୍ରତିଷ୍ଠା ଦରକାର । ହୁଏତ କାଲି ସକାଳେ ଇଂରେଜ ଲୋକେ ଆମକୁ ନିଜ ଭାଗ୍ୟ ଆଦରିବାକୁ ଛାଡ଼ି ଦେଲେ ଭାରତ ସ୍ୱାଧୀନ ହୋଇପାରେ; କିନ୍ତୁ ମୁଁ ସ୍ୱରାଜର ଅର୍ଥ ଯାହା ବୁଝେ, ତାହା ସେ ସ୍ୱାଧୀନତା ହେବନାହିଁ । ମୁଁ ଗୟା ଭାଷଣରେ କହିଥିଲି ଯେ ଭାରତର ଜନତା ବୋଲି ଯାହା ବୁଝାଏ, ତାହା କେତେକ ବିରୁଦ୍ଧାତ୍ମକ ଶକ୍ତିର ସମନ୍ୱୟ ହୋଇଥିବାରୁ ତାହା ଅତି କୌତୂହଳୋଦ୍ଦୀପକ । ଏହି ସମ୍ମିଶ୍ରଣ ଆଣିବାକୁ ବହୁ ସମୟ ଲାଗିବ ଓ ଏପରିକି ତାହା ଆଣିବାକୁ ଚେଷ୍ଟା କରି କ୍ଳାନ୍ତ ହୋଇଯିବାକୁ ପଡ଼ିବ; କିନ୍ତୁ ତାହା ନହେଲେ ସ୍ୱରାଜ ସମ୍ଭବପର ନୁହେଁ । ଏହିଠାରେହିଁ ମହାତ୍ମାଗାନ୍ଧିଙ୍କର ଗଠନମୂଳକ କାର୍ଯ୍ୟକ୍ରମର ମହନୀୟତା ଦେଖିବା ମିଳେ । ତାଙ୍କ ନିଜ ଭାଷଣ ଓ ବାର୍ତ୍ତା ତାଙ୍କ ନିଜ ମୁହଁରୁ ଆଜି ଶୁଣିବାକୁ ଆମ୍ଭେମାନେ ସୁଯୋଗ ପାଉଥିବାରୁ ଏହି କାର୍ଯ୍ୟସମ୍ପର୍କରେ ଏଠାରେ ଆଲୋଚନା କରିବା ମୋ ପକ୍ଷରେ ଅନାବଶ୍ୟକ । ମୁଁ ସେହି କାର୍ଯ୍ୟକ୍ରମ ସହିତ ପୂର୍ଣ୍ଣ ଏକମତ ହୋଇଥିବାରୁ ଦେଶବାସୀ ସେହି କାର୍ଯ୍ୟକ୍ରମକୁ କେବଳ ବୌଦ୍ଧିକ ସମ୍ମତି ନ ଜଣାଇ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରି ସମର୍ଥନ କରନ୍ତୁ; ଏହା କହିବାଛଡ଼ା ମୋ ପକ୍ଷରେ ଅନ୍ୟପନ୍ଥା ନାହିଁ ।

 

ଦ୍ୱିତୀୟରେ ସ୍ୱରାଜ ବୋଇଲେ ଆମେ ଯେଉଁ ସମାଜ କଳ୍ପନା କରୁ, ସ୍ୱାଧୀନତା ତାହା ଦିଏ ନାହିଁ । ମୁଁ ଯେଉଁ ସମନ୍ୱୟ ଆଣିବା କଥା କହିଛି ତାହାର ଅର୍ଥ ହେଉଛି ସେହିପରି ସମାଜ ପ୍ରତିଷ୍ଠା । ଏହା ମଧ୍ୟ ବୁଝିବା ଦରକାର ଯେ ଯେଉଁ ସମାଜ ପ୍ରତିଷ୍ଠା ଚେଷ୍ଟା କରାଯାଉଛି ତାହା ଭାରତୀୟ ଲୋକଙ୍କର ଐତିହ୍ୟ, ଭାବଧାରା ଏବଂ ସଂସ୍କୃତି ସହ ଖାପ ଖାଇବା ଦରକାର । ମୋ ମତରେ ସ୍ୱରାଜର ଅର୍ଥ ହେଉଛି ପ୍ରଥମତଃ ଭାରତୀୟ ଜନତା ମଧ୍ୟରେ ଥିବା ବିଭିନ୍ନ ବିରୁଦ୍ଧାତ୍ମକ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ବା ଏକତା ଆଣିବାପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇବା ଏବଂ ଦ୍ୱିତୀୟରେ ଦୁଇ ହଜାର ବର୍ଷ ପୂର୍ବକୁ ଫେରି ନ ଯାଇ ଆମ ଜାତିର ଐତିହ୍ୟ ଏବଂ ଭାବଧାରା ସହିତ ଖାପ ଖାଇବା ଭଳି ଜାତୀୟ ଗଠନ କାର୍ଯ୍ୟ କରିବା । ଉଦାହରଣସ୍ୱରୂପ ମୁଁ ଯେତେବେଳେ ଏପରି ସମାଜ କଥା କହେ, ତାହାର ଅର୍ଥ ହେଉଛି, ୟୁରୋପରେ ଦେଖିବାକୁ ମିଳୁଥିବା ଶୃଙ୍ଖଳାଠାରୁ ଏହା ସମ୍ପୂର୍ଣ୍ଣ ପୃଥକ୍ । ୟୁରୋପରେ ସମାଜ ଏବଂ ସରକାରର ଭିତ୍ତି ହେଉଛି ଶୃଙ୍ଖଳା ଏବଂ ଯେଉଁ ଶୃଙ୍ଖଳାଗତ ମନୋଭାବ ଉପରେ ସବୁ ନିର୍ଭର କରେ ତାହା ହେଉଛି ପୂରାପୂରି ସାମରିକ ଶୃଙ୍ଖଳା । ଯେଉଁ ଶୃଙ୍ଖଳା ବିଲାତକୁ ଆଜିକାର ବିଲାତ କରିଛି ତାହା ମଧ୍ୟ ସେହି ସାମରିକ ଶୃଙ୍ଖଳା । ୟୁରୋପୀୟ ସଭ୍ୟତାର ସମାଲୋଚନା ବା ନିନ୍ଦା କରିବାକୁ ମୁଁ ଠିଆ ହୋଇନାହିଁ । ତାହା ହେଉଛି ସେମାନଙ୍କ ଭାବିବାର ବିଷୟ ଏବଂ ସେମାନେ ତାହା ପୂରା କରିବେ; କିନ୍ତୁ ସେମାନଙ୍କ ରାସ୍ତା ଆମ ପ୍ରତି ପ୍ରଯୁଜ୍ୟ ନୁହେଁ ଏବଂ ଆମକୁ ପୂର୍ଣ୍ଣତା ହାସଲ କରିବାକୁ ପଡ଼ିବ ।

 

ତୃତୀୟରେ ଆମେ ଯେଉଁସବୁ କାର୍ଯ୍ୟ କରୁଛୁ ତହିଁରେ କୌଣସି ବୈଦେଶିକ ଶକ୍ତି ବାଧା ଦେବା ଉଚିତ ନୁହେଁ ।

 

ତେଣୁ ସ୍ୱାଧୀନତା, ସ୍ୱରାଜ୍ୟର ନାସ୍ତିସୂଚକ ହୋଇଥିବାରୁ ଆମର ଆଦର୍ଶ କେବଳ ସ୍ୱାଧୀନତା ନ ହୋଇ ସ୍ୱରାଜ ହେବା ଦରକାର । ଆମର ଜାତୀୟ ସ୍ୱାଧୀନତାର ଆଦର୍ଶ କ’ଣ ବୋଲି ଯେବେ ପଚରାଯାଏ ତାହାହେଲେ ତାହାର ଏକମାତ୍ର ସମ୍ଭବପର ଉତ୍ତର ହେଉଛି ସ୍ୱରାଜ । ମୁଁ Home Rule ବା ସ୍ୱାୟତ୍ତ ଶାସନକୁ ପସନ୍ଦ କରେ ନାହିଁ । ହୁଏତ ସ୍ୱରାଜର ମୁଁ ଯେଉଁ ବ୍ୟାଖ୍ୟା କରିଛି ସେ ସବୁ ତାହାର ଅନ୍ତର୍ଭୁକ୍ତ ହୋଇପାରେ; କିନ୍ତୁ Home Rule ହେଉ ବା ବିଦେଶୀ ଶାସନ ହେଉ ତାହା ସହିତ ମୋର ସଂସ୍କୃତିର କୌଣସି ସମ୍ପର୍କ ନାହିଁ । ବରଂ ତାହା ଏ ଦେଶର ସଂସ୍କୃତିର ବିରୁଦ୍ଧାତ୍ମକ ବୋଲି ମୋର ଧାରଣା । ସ୍ୱାୟତ୍ତ ଶାସନକୁ ମଧ୍ୟ ଠିକ୍ ଏହି କାରଣରୁ ମୁଁ ବିରୋଧ କରେ । ଯେବେ ସ୍ୱାୟତ୍ତ ଶାସନର ଅର୍ଥ ‘‘ନିଜଦ୍ୱାରା ଏବଂ ନିଜପାଇଁ ଶାସନ’’ ବୋଲି ଧରାଯାଏ ତାହାହେଲେ ହୁଏତ ମୋ ଆପତ୍ତିର କୌଣସି କାରଣ ରହିବ ନାହିଁ; କିନ୍ତୁ ସ୍ୱରାଜ କହିଲେ ଏସବୁ ତାହାର ଅନ୍ତର୍ଭୁକ୍ତ ହୋଇଥିବାରୁ ତହିଁରେ ଆପତ୍ତି କରିବାର କିଛି ନାହିଁ-

 

ପର ପ୍ରଶ୍ନ ହେଉଛି ଏହି ଆଦର୍ଶକୁ ସାମ୍ରାଜ୍ୟ ଭିତରେ ଲାଭ କରିବାକୁ ହେବ ବା ବାହାରେ ଲାଭ କରିବାକୁ ହେବ । ଏହାର ଉତ୍ତର କଂଗ୍ରେସ ବରାବର ଦେଇ ଆସିଛି ଯେ ‘‘ଯେବେ ସାମ୍ରାଜ୍ୟ ଆମର ଅଧିକାରକୁ ସ୍ୱୀକାର କରେ, ତାହାହେଲ ତାହା (ସାମ୍ରାଜ୍ୟ) ଭିତରେ ଏବଂ ଯେବେ ସ୍ୱୀକାର କରା ନ ଯାଏ ତାହାହେଲେ ତାହା (ସାମ୍ରାଜ୍ୟ) ବାହାର । ଆମେ ନିଜର ଆତ୍ମବିକାଶ ଏବଂ ନିଜର ପୂର୍ଣ୍ଣତା ଲାଭ କରିବାପାଇଁ ସୁବିଧା ଓ ସୁଯୋଗ ପାଇବା ଦରକାର । ଏହା ହେଉଛି ବଞ୍ଚି ରହିବାର ପ୍ରଶ୍ନ । ଯେବେ ଆମ ଜାତୀୟ ଜୀବନର ପୂର୍ଣ୍ଣ ବିକାଶ ଏବଂ ଉନ୍ନତିପାଇଁ ଯଥେଷ୍ଟ ସୁବିଧା ଏବଂ ସୁଯୋଗ ସାମ୍ରାଜ୍ୟ ଭିତରେ ରହିଲେ ମିଳିପାରିବ ତାହାହେଲେ ତାହା ଭିତରେ ରହିବାରେ କୌଣସି ଆପତ୍ତି ନାହିଁ । ଯେବେ ଏହା ବଦଳରେ ଜଗନ୍ନାଥଙ୍କ ରଥ ଆଗରେ ଯାହା ପଡ଼େ, ତାହା ରଥ ଯେପରି ମାଡ଼ି ଚକଟି ଦିଏ ସେହିପରି ସାମ୍ରାଜ୍ୟ ଯେବେ ନିଜର ସାମ୍ରାଜ୍ୟବାଦ ମନୋବୃତ୍ତିର ଚରିତାର୍ଥ ପାଇଁ ଆମ ଜୀବନକୁ ମାଡ଼ି ଚକଟି ଦେବ, ତାହାହେଲେ ସାମ୍ରାଜ୍ୟ ବାହାରେ ସ୍ୱରାଜ ଲାଭ କରିବାପାଇଁ ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ରହିବ ।

 

ସାମ୍ରାଜ୍ୟ ଭିତରେ ସ୍ୱରାଜ

 

ସାମ୍ରାଜ୍ୟ ବୋଲି କହିଲେ ବହୁ ସୁବିଧା ମିଳିବାର ଅଛି । ଆଜିକାଲିକାର ଔପନିବେଶିକ ସ୍ୱାଧୀନତା କୌଣସି ପ୍ରକାର ନିମ୍ନ ପାହିଆ ନୁହେଁ । ଏହା ମୁଖ୍ୟତଃ ବାସ୍ତବ ସହଯୋଗ ଉପରେ ପ୍ରତିଷ୍ଠିତ ନିଜ ନିଜର ଭୌତିକ ବିକାଶପାଇଁ ସ୍ୱେଚ୍ଛାରେ ସାମ୍ରାଜ୍ୟ ଅଙ୍ଗସ୍ୱରୂପ ନିଜ ନିଜ ମଧ୍ୟରେ ପ୍ରତିଷ୍ଠିତ ହୋଇଥିବା ବନ୍ଧନ । ମୁକ୍ତ ବନ୍ଧନ ଯେଉଁଠାରେ, ସମ୍ପର୍କ ସେଠାରେ ଯେ ଛିନ୍ନ ହେବାର ଅଧିକାର ପ୍ରତ୍ୟେକଙ୍କର ଅଛି, ଏହା କହିବା ଅନାବଶ୍ୟକ । ଯୁଦ୍ଧ ପୂର୍ବରୁ ସାମ୍ରାଜ୍ୟର ବହୁ ଅଂଶରେ ଏକପ୍ରକାର ସ୍ୱତନ୍ତ୍ର ମନୋବୃତ୍ତି ପ୍ରକାଶ ପାଉଥିଲା; କିନ୍ତୁ ଯୁଦ୍ଧ ପରେ ବିଶ୍ୱାସ କରାଯାଉଛି ଯେ ସାମ୍ରାଜ୍ୟର ବିଭିନ୍ନ ଅଂଶ ଏକ ସୂତ୍ରରେ ରହିଲେ ସମସ୍ତଙ୍କର ମଙ୍ଗଳ ହେବ । ଆଜିକାଲିକାର ଆଧୁନିକ ଅବସ୍ଥାରେ କୌଣସି ଜାତି ଏକାକୀ ତିଷ୍ଠିରହିବା ସମ୍ଭବପର ହୋଇ ନଥିବାରୁ ଔପନିବେଶିକ ସ୍ୱାଧୀନତା ବ୍ରିଟିଶ ସାମ୍ରାଜ୍ୟ ବୋଲି କଥିତ ବିରାଟ ଜାତି ଗୋଷ୍ଠୀମାନଙ୍କର ଅନ୍ତର୍ଭୁକ୍ତ ପ୍ରତ୍ୟେକ ଜାତି ବା ଦେଶକୁ ନିଜର ଆତ୍ମବିକାଶ ଏବଂ ଆତ୍ମପୂର୍ଣ୍ଣତା ପାଇଁ ପୂର୍ଣ୍ଣ ସୁବିଧା ଓ ସୁଯୋଗ ତଥା ଅଧିକାର ଦେଉଥିବାରୁ ମୁଁ ସ୍ୱରାଜର ଯେଉଁ ପରିକଳ୍ପନା ଉପରେ କରିଛି, ତାହାର ପ୍ରଧାନ ଅଂଶମାନ ଏହାର ଅନ୍ତର୍ଭୁକ୍ତ ।

 

ଏହାର ଅତିରିକ୍ତ ଆଧ୍ୟାତ୍ମିକ ଗୁରୁତ୍ୱ ଥିବାରୁ ମୋ ମନକୁ ଏହା ଯଥେଷ୍ଟ ପାଇଛି । ମୁଁ ବିଶ୍ୱଶାନ୍ତି ଏବଂ ସର୍ବଶେଷରେ ବିଶ୍ୱରାଷ୍ଟ୍ର ସଂଘରେ ବିଶ୍ୱାସ କରେ; ତେଣୁ ବିରାଟ ଜାତିପୁଞ୍ଜ ବୋଲି କୁହାଯାଉଥିବା ବ୍ରିଟିଶ ସାମ୍ରାଜ୍ୟ ଯାହାକି ନିଜର ସ୍ୱତନ୍ତ୍ର ଜୀବନ, ସ୍ୱତନ୍ତ୍ର ସଭ୍ୟତା ଓ ସ୍ୱତନ୍ତ୍ର ଚିନ୍ତାଧାରା ଥିବା ବିଭିନ୍ନ ଜାତିର ଲୋକଙ୍କର ରାଷ୍ଟ୍ରସଙ୍ଘସ୍ୱରୂପ ତାକୁ ଯେବେ ଉପରେ ନେତୃତ୍ୱ ଦେଉଥିବା ଲୋକେ ଠିକ୍ ଭାବରେ ଚଳାନ୍ତି, ତାହାହେଲେ ଆଜି ପୃଥିବୀକୁ ସର୍ବଶ୍ରେଷ୍ଠ ରାଷ୍ଟ୍ରସଙ୍ଘ ଅର୍ଥାତ୍ ମଣିଷ ଚିନ୍ତା କରିପାରୁଥିବା ସର୍ବଶ୍ରେଷ୍ଠ ମାନବ ଜାତିର ରାଷ୍ଟ୍ରସଙ୍ଘ ପ୍ରତିଷ୍ଠା ସମସ୍ୟା ଯାହା ଦେଖାଦେଉଛି ତାହା ପ୍ରତି ଏହା ଯଥେଷ୍ଟ ସାହାଯ୍ୟ କରିପାରିବ; କିନ୍ତୁ ବଡ଼ ଜିନିଷ ହେଉଛି, କ୍ଷମତାରେ ଥିବା ରାଷ୍ଟ୍ରନୀତିଜ୍ଞମାନେ ଏହାକୁ ଠିକ୍‍ଭାବେ ଚଳାଇଲେ ହେଲା । କାରଣ ଏହା କରିବାକୁ ଗଲେ ଯେଉଁ ଜାତିମାନଙ୍କୁ ନେଇ ଏହା ଗଠିତ ହେବ, ସେମାନଙ୍କୁ କେତେକ ପରିମାଣରେ ନିଜ ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ ଏବଂ ସର୍ବୋପରି ଆଧିପତ୍ୟ ବିସ୍ତାର କରିବା ସାମ୍ରାଜ୍ୟ ମନୋଭାବ ପୂରାପୂରି ଛାଡ଼ିବାକୁ ପଡ଼ିବ । ମୁଁ ଭାବେ ଯେ ଭାରତର ମଙ୍ଗଳ ଜାତିଗୋଷ୍ଠୀର ମଙ୍ଗଳ ଏବଂ ସର୍ବୋପରି ବିଶ୍ୱର ମଙ୍ଗଳପାଇଁ ଭାରତବର୍ଷ ଜାତିଗୋଷ୍ଠୀ ମଧ୍ୟରେ ସ୍ୱାଧୀନତା ଲାଭ କରିବାକୁ ଚେଷ୍ଟା କରିବା ଉଚିତ, ଯେପରି କି ସେ ମାନବ ଜାତିର ସେବା କରିପାରିବ ।

 

ହିଂସାତ୍ମକ ଉପାୟ ଭାରତୀୟ ଐତିହ୍ୟ ଏବଂ ସଂସ୍କୃତିର ପରିପନ୍ଥୀ

 

କେଉଁ ଉପାୟରେ ଏହା ଲାଭ କରାଯାଇପାରିବ ମୁଁ ତାହା ବର୍ତ୍ତମାନ ଆଲୋଚନା କରିବି । ମୋ ମତରେ ଉପାୟ ଆଦର୍ଶର ଅଂଶସ୍ୱରୂପ ଏବଂ ଉଭୟ ଏକ ବୋଲି କହିଲେ ଅନ୍ୟାୟ ହେବ ନାହିଁ । ତେଣୁ ଆମେ ଯେତେବେଳେ ଉପାୟ କଥା ଚିନ୍ତା କରୁଛୁ ସେତେବେଳେ ଆମ ଆଗରେ ଥିବା ବୃହତ୍ତର ଉଦ୍ଦେଶ୍ୟ ବିଷୟ ଆମେ ଭୁଲି ନ ପାରୁ ।

 

ଏହି ଦୃଷ୍ଟିରୁ ଚିନ୍ତା କଲେ ହିଂସାତ୍ମକ ଉପାୟର ଆମ ଜୀବନ ତଥା ସଂସ୍କୃତି ସହ କୌଣସି ସମ୍ପର୍କ ନାହିଁ । ମୁଁ ଏହା କହିବାବେଳେ କହୁନାହିଁ ଯେ ଭାରତୀୟ ଯୁଦ୍ଧ ବା ହିଂସାମୂଳକ କାର୍ଯ୍ୟ ହୋଇଥିବାରୁ ପ୍ରମାଣ ନାହିଁ । ଇତିହାସର ପ୍ରତ୍ୟେକ ଉପରଠାଉରିଆ ଛାତ୍ର ଭଲଭାବେ ଜାଣେ ଯେ ଏହା ଠିକ୍ ନୁହେଁ; କିନ୍ତୁ ବହୁ ସମୟରେ ନାନା ଜିନିଷ ଆମ ଜୀବନ ଉପରେ ଏଭଳିଭାବେ ଲଦି ଦିଆଯାଏ ଯାହାର କି ଆମର ଐତିହ୍ୟ ଏବଂ ସଂସ୍କୃତି ସହିତ କୌଣସି ସମ୍ପର୍କ ନାହିଁ ବୋଲି ଆମ ଇତିହାସ ଚର୍ଚ୍ଚା କରୁଥିବା ଛାତ୍ରମାନଙ୍କୁ ଭଲଭାବେ ଜଣାଅଛି । ହିଂସା ଇଉରୋପରେ ଜୀବନର ଯେପରି ଅଙ୍ଗସ୍ୱରୂପ ଆମର ସେପରି ନୁହେଁ । ଇଉରୋପରେ ହିଂସାକୁ ଦମନ କରିବାପାଇଁ ଗୋଟିଏ ପ୍ରକାର ଆଇନର ଆଶ୍ରୟ ନିଆଯାଏ ଯାହାକି ଶାରୀରିକ ବଳ ଉପରେ ପର୍ଯ୍ୟବସିତ । ଭାରତୀୟ ଲୋକେ ହିଂସାତ୍ମକ ଉପାୟରୁ ନିଜକୁ ଅଲଗା ରଖି ନିଜର ସଂସ୍କୃତି ଏବଂ ପରମ୍ପରା ଦୃଷ୍ଟିରୁ ସର୍ବଦା କାର୍ଯ୍ୟ କରି ଆସୁଅଛନ୍ତି । ଆମ ଗ୍ରାମ ସଂସ୍ଥାଗୁଡ଼ିକ ଅହିଂସାତ୍ମକ କାର୍ଯ୍ୟର ଅଦ୍ଭୁତ ଉଦାହରଣ । ଫୁଲ ଯେପରି ନିଜେ ନିଜେ ଫୁଟେ ସେହିପରି ଆମ ସଂସ୍ଥାମାନଙ୍କର ଆତ୍ମବିକାଶ ବରାବର ହୋଇ ଆସିଅଛି । ବୌଦ୍ଧିକ ଅଶାନ୍ତି ଲାଗି ରହିବା ଫଳରେ ଆତ୍ମା ବରାବର ଅଶାନ୍ତି ଭୋଗ କରୁଛି । ତାହା ଫଳରେ କଳିକଜିଆ ଦେଖା ଦେଇଥିଲେ ସୁଦ୍ଧା ତାହା ବରାବର ଶାନ୍ତିପୂର୍ଣ୍ଣଭାବେ ପଞ୍ଚାୟତ ସାହାଯ୍ୟରେ ନିଷ୍ପତ୍ତି ହୋଇ ଆସିଅଛି । ଏହା ବିରୁଦ୍ଧାତ୍ମକ ସେତିକି ନୁହେଁ, ତାହା ସହିତ ଉଚ୍ଚନୈତିକତା ଦୃଷ୍ଟିରୁ ଅନ୍ୟାୟ ହୋଇଥିବାରୁ ଏହା ବିଫଳ ହେବା ଅନିବାର୍ଯ୍ୟ । ଆମର ସ୍ୱାଧୀନତା କେବେହେଲେ ହିଂସାତ୍ମକ ବିପ୍ଳବ ସାହାଯ୍ୟରେ ଲାଭ କରାଯାଇପାରିବ ନାହିଁ ବୋଲି ଘୋଷଣା କରିବାରେ ମୋର ଲେଶମାତ୍ର ଦ୍ୱିଧା ନାହିଁ ।

 

ତାହାଛଡ଼ା ଭାରତୀୟ ଚିନ୍ତାଧାରାରେ ସ୍ୱତନ୍ତ୍ର ମନସ୍ତାତ୍ତ୍ୱିକ ଦିଗ ଛାଡ଼ିଦେଲେ ମଧ୍ୟ ଗୋଟିଏ ପରାଧୀନ ଜାତି ପକ୍ଷରେ ଯେତିକି ଦୂର ହିଂସାତ୍ମକ ପ୍ରତିରୋଧ ସମ୍ଭବପର ତହିଁରେ ଆଜିକାଲିକାର ଉଚ୍ଚ ସଂଗଠନ ସରକାରର ହିଂସାର ସମ୍ମୁଖୀନ ହେବା ସମ୍ଭବପର କି ? ଫ୍ରାନ୍‍ସ ଏବଂ ଅନ୍ୟାନ୍ୟ ବିପ୍ଳବର ଉଦାହରଣ ଏହି ସମ୍ପର୍କରେ ଆଣି ଥୋଇବା ଅନାବଶ୍ୟକ । ସେ ସମୟରେ ଦିନଥିଲା ଯେତେବେଳେ କି ଲୋକେ ହାତରେ ଯୁଦ୍ଧକରି ଜିତୁଥିଲେ; କିନ୍ତୁ ଆଜି କୌଣସି ସଙ୍ଗଠିତ ସରକାରଙ୍କୁ ସେହି ଉପାୟରେ ନିପାତ କରିବା ସମ୍ଭବପର କି ? ସେହି ଧରଣର ସମସ୍ତ ବିଦ୍ରୋହ ଆଜି ବିଲାତପରି ଦେଶରେ ମଧ୍ୟ ଅସମ୍ଭବ ହେବ ବୋଲି ମୁଁ କହୁଛି ।

 

ତାହାଛଡ଼ା ଯେଉଁ ଐକ୍ୟ ବିନା ସ୍ୱରାଜଲାଭ ଅସମ୍ଭବ ବୋଲି ମୁଁ ପୂର୍ବରୁ କହୁଛି, ହିଂସା ତହିଁର ମୂଳରେ କୁଠାରାଘାତ କରେ । ଆମପକ୍ଷରୁ ଯେବେ ହିଂସାତ୍ମକ କାର୍ଯ୍ୟ କରାଯାଏ ତାହାହେଲେ ତାହାର ସମ୍ମୁଖୀନ ହେବାପାଇଁ ସରକାରଙ୍କ ପକ୍ଷରୁ ଅଧିକ ହିଂସାତ୍ମକ କାର୍ଯ୍ୟ କରାଯିବା ଅନିବାର୍ଯ୍ୟ ଏବଂ ତାହା ଫଳରେ ଏଭଳି ଅତ୍ୟାଚାର ହେବ ଯେ ଯାହାଦ୍ୱାରା କି ଭାରତର ଲୋକଙ୍କ ସ୍ୱରାଜପାଇଁ ପ୍ରକାଶ ପାଉଥିବା ଆଗ୍ରହ ଏବଂ ଉତ୍ସାହ ପୂରାପୂରି ରୋକି ହୋଇଯିବ । ଯେଉଁ ଯୁବକମାନେ ବିପ୍ଳବ ପନ୍ଥାରେ ଦୀକ୍ଷିତ ସେମାନଙ୍କୁ ମୁଁ ଗୋଟିଏ ପ୍ରଶ୍ନ ପଚାରୁଛି–ଲୋକେ ତୁମମାନଙ୍କୁ ସମର୍ଥନ କରିବେ ବୋଲି କ’ଣ ଭାବୁଛ ? ଯେତେବେଳେ ଧନ, ଜୀବନ ବିପନ୍ନ ହୁଏ ସେତେବେଳେ ତାହାର ଅନିବାର୍ଯ୍ୟ ଫଳ ହୁଏ ଯେ ଅତ୍ୟାଚାରିତ ହେଉଥିବା ଲୋକକୁ ଯେଉଁ କାର୍ଯ୍ୟଯୋଗେ ଏପରି ଅତ୍ୟାଚାରିତ ହେବାକୁ ପଡ଼ୁଛି ତହିଁରୁ ହଟିଯାଏ; ତେଣୁ ଏ ପନ୍ଥା କାର୍ଯ୍ୟକାରୀ ନୁହେଁ । ଏହି ଯୁବକଗୋଷ୍ଠୀ ଯେଉଁ ଦେଶପ୍ରେମର ନିଦର୍ଶନ ଏବଂ ସାଧୁତାର ପରିଚୟ ଦେଉଛନ୍ତି ତାହା ବିରୁଦ୍ଧରେ କହିବାପାଇଁ ମୋର ପଦେହେଲେ ସୁଦ୍ଧା ଭାଷା ନାହିଁ । କେବଳ ମୁଁ ଉପରେ ଯାହା କହିଛି ତାହା ପୁଣି କହୁଛି ଯେ ଏହି ପନ୍ଥା ଆମର ଚିନ୍ତାଧାରାର ପରିପନ୍ଥୀ ହୋଇଥିବାରୁ ମହାତ୍ମାଗାନ୍ଧିଙ୍କ ଭାଷାରେ ଏଥିପାଇଁ ଚେଷ୍ଟା କରିବାର ଅର୍ଥ ହେଉଛି, ‘‘ସମୟ ଏବଂ ଧୈର୍ଯ୍ୟ ନଷ୍ଟ କରିବା ।’’ ବଙ୍ଗଳାର ଯେଉଁ ଯୁବ ସମ୍ପ୍ରଦାୟ ତାଙ୍କ ହୃଦୟରେ ହିଂସାତ୍ମକ ଉପାୟକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ତହିଁରୁ ଅପସରି ଯିବାପାଇଁ ନିବେଦନ କରିବା ସଙ୍ଗେ ସଙ୍ଗେ ବଙ୍ଗପ୍ରଦେଶ ସମ୍ମିଳନୀକୁ ପରିଷ୍କାର ଏବଂ ନିର୍ଦ୍ଦିଷ୍ଟଭାବେ ଏହି ଉପାୟରେ ସ୍ୱାଧୀନତା ଲାଭ କରାଯାଇପାରିବ ନାହିଁ ବୋଲି ମୁଁ ନିବେଦନ କରୁଛି ।

 

ବିପ୍ଳବ ଦଳର ଉତ୍ପତ୍ତି

 

ମୁଁ ଏହି ହିଂସାତ୍ମକ କାର୍ଯ୍ୟର ବିରୋଧ କରୁଥିଲେ ସୁଦ୍ଧା କହିବାକୁ ବାଧ୍ୟ ହେଉଛି ଯେ ସରକାରଙ୍କ ହିଂସାତ୍ମକ କାର୍ଯ୍ୟ ଫଳରେ ବଙ୍ଗଳାର ବିପ୍ଳବୀ ଦଳ ଯଥେଷ୍ଟ ସାହାଯ୍ୟ ପାଇଛନ୍ତି । ମୋର ବିଶ୍ୱାସ, ଅଧ୍ୟାପକ ଡିସେ ପ୍ରମାଣ କରି ଦେଇଛନ୍ତି ଯେ ଗତ ୩୦ ବର୍ଷ ଭିତରେ ଆଧୁନିକ ଇଂରେଜ ସମାଜରେ ଆଇନ ଓ ଶୃଙ୍ଖଳା ପ୍ରତି ସମ୍ମାନ ବରାବର ହ୍ରାସ ପାଉଛି ଏବଂ ଏହା ଦେଖାଇ ସେ ଆହୁରି ମଧ୍ୟ ପ୍ରମାଣ କରିଛନ୍ତି ଯେ ଆଜିକାଲି ବିଚାରାଳୟମାନଙ୍କର କ୍ଷମତା ଓ ଆଧିପତ୍ୟ ଉପରେ ବାଧା ଆସିବା ଭଳି ଯେଉଁ ଆଧୁନିକ ଆଇନମାନ କରାଯାଉଛି ସେଥିପାଇଁ ଆଇନ ଓ ଶୃଙ୍ଖଳା ପ୍ରତି ଲୋକଙ୍କର ଏଭଳି ସମ୍ମାନ କମୁଛି । ଅନ୍ୟ ଭାଷାରେ ହିଂସାଯୋଗୁଁ ଅଧିକ ହିଂସା ଦେଖା ଦେବା ଅନିବାର୍ଯ୍ୟ । ଲୋକଙ୍କର ଆଇନସମ୍ମତ କାର୍ଯ୍ୟକୁ ରୋକିବାପାଇଁ ସରକାର ଯେବେ ବେଆଇନ କାର୍ଯ୍ୟ କରନ୍ତି ତାହାହେଲେ ଡିସେଙ୍କ ଭାଷାରେ ଲୋକଙ୍କର ବେଆଇନ କାର୍ଯ୍ୟ କରିବାକୁ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇବା ଛଡ଼ା ଅନ୍ୟପନ୍ଥା ନାହିଁ । ଭାରତର, ବିଶେଷତଃ ବଙ୍ଗଳାର ଇତିହାସ ଅଧ୍ୟାପକ ଡିସେଙ୍କ ଉକ୍ତିକୁ ମୁଁ ଅକ୍ଷରେ ଅକ୍ଷରେ ସମର୍ଥନ କରୁଛି ।

 

ଭାରତବର୍ଷରେ ବିପ୍ଳବବାତାବରଣ ହଠାତ୍ ଏକ ଦିନରେ ଦେଖା ଦେଇନାହିଁ । ଅନ୍ୟାନ୍ୟ ଦେଶପରି ମଧ୍ୟ ଏହି ଦେଶରେ ଏହା ବହୁ ସୋପାନ ଦେଇ ଗତି କରିଛି । ପ୍ରଥମେ ଏକ ଶତାବ୍ଦୀବ୍ୟାପୀ ଇଂଲଣ୍ଡ ଓ ଇଂରେଜଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯେଉଁ ଶାସନ ଏ ଦେଶରେ ପ୍ରଚଳିତ ହେଲା ତାହାର ପରିଣତିସ୍ୱରୂପ ଯେଉଁ ଅସନ୍ତୋଷ ଦେଖା ଦେଲା ତାହା ହେଉଛି ପ୍ରଥମ ଅବସ୍ଥା । ୧୮୫୮ ମସିହାରେ ଭାରତର ଶାସନ ସମ୍ରାଟଙ୍କ ପ୍ରତ୍ୟକ୍ଷ ଅଧୀନକୁ ଯିବା ଫଳରେ ଏହି ଅସନ୍ତୋଷ ଅଧିକରୁ ଅଧିକ ବୃଦ୍ଧିପାଇବାକୁ ଲାଗିଲା । ୧୮୫୮ ମସିହାଠାରୁ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଯେଉଁ ସମୟକୁ କି ଭିକ୍ଟୋରିଆ ଯୁଗର ଉଜ୍ଜ୍ୱଳମୟ ସମୟ ବୋଲି କୁହାଯାଏ, ସେ ସମୟରେ ଦେଶରେ ଥିବା ତାତ୍କାଳିକ ଅମଲାତନ୍ତ୍ର ଶାସନ ଭାରତୀୟ ଲୋକଙ୍କର ଶ୍ରେଷ୍ଠ ସ୍ୱାର୍ଥ ପ୍ରତି ଭ୍ରୂକ୍ଷେପ ନ କରି ଏ ଦେଶର ଶାସନ ଚଳାଇଲେ । ବିଶେଷତଃ ଏହି ସମୟରେ ଭାରତୀୟ ଲୋକମାନଙ୍କର ପ୍ରକୃତ ସ୍ୱାର୍ଥ ପ୍ରତି ବା ଶିକ୍ଷିତ ଲୋକଙ୍କ ମତ ପ୍ରତି କୌଣସି ଦୃଷ୍ଟିପାତ କରାଯାଇ ନଥିବାରୁ ଏହା ଉଲ୍ଲେଖଯୋଗ୍ୟ । ଭିକ୍ଟୋରିଆ ଶାସନର ଶେଷ ସମୟକୁ ଲର୍ଡ଼ ରିପନଙ୍କ ଭାରତୀୟ ଭାଷା, ପ୍ରେସ୍ ଆଇନ, ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ, ଲର୍ଡ଼ ଲାନ୍‍ସଡ଼ାଉନ୍ ବଡ଼ଲାଟ ଥିବା ସମୟରେ ୧୮୯୧ ମସିହାର ଭାରତୀୟ ବ୍ୟବସ୍ଥାପକ ସଭା ଆଇନ ଭଳି କେତେକ ଭଲ କାର୍ଯ୍ୟ କରାଯାଇଥିବା କଥା ମୁଁ ଅସ୍ୱୀକାର କରୁ ନାହିଁ; କିନ୍ତୁ ଏହି ସବୁ କାର୍ଯ୍ୟର ପ୍ରକୃତ ଉଦ୍ଦେଶ୍ୟ ଅମଲାତନ୍ତ୍ରର କ୍ଷମତା ବଢ଼ାଇଥିବାରୁ ମୁଁ ଏ ସବୁକୁ ହିତୈଷୀ ସ୍ୱେଚ୍ଛାଚାର ଶାସନ ବୋଲି କହୁଛି । ଏ କାର୍ଯ୍ୟମାନଙ୍କ ମଧ୍ୟରେ ପ୍ରକୃତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ହୋଇଥିଲେ ସୁଦ୍ଧା ଆମେ ଯେବେ ତାହା ସାବଧାନତାର ସହିତ ଆଲୋଚନା କରୁ ତାହାହେଲେ ଦେଖିପାରିବା ଯେ ଏଥିରେ ଯାହା ଅଛି ବୋଲି ପ୍ରଚାର କରାଯାଇଛି ତାହା ନୁହେଁ । ଏହି କାର୍ଯ୍ୟ ଲୋକଙ୍କ ମଙ୍ଗଳପାଇଁ କରାଯାଉଛି ବୋଲି କୁହାଯାଉଥିଲେ ସୁଦ୍ଧା ପ୍ରକୃତ କ୍ଷମତା ଲୋକଙ୍କୁ ଦିଆଯାଇନାହିଁ । ଅନ୍ୟ ଦିଗରେ ଲର୍ଡ଼ ଲିଟନ୍‍ଙ୍କର ଭାରତୀୟ ଭାଷା ପ୍ରେସ୍ ଆଇନ ସମ୍ପର୍କରେ ଲର୍ଡ଼ ଡଫ୍‍ରିନ୍ ଭାରତର ବୃଦ୍ଧିପାଉଥିବା ବୁଦ୍ଧିଜୀବୀ ସମ୍ପ୍ରଦାୟକୁ ଅପମାନସୂଚକ ବାକ୍ୟ ବ୍ୟବହାର କରିଥିବାରୁ ଏବଂ ଭୋକିଲାକୁ ଦାନା ଦେବାପରି ସହୃଦୟତା ନ ଥାଇ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟ ଏଠିସେଠି ଯେପରି ଚାଲିଲା ତାହା ଫଳରେ ପରବର୍ତ୍ତୀ ସମୟରେ ଦେଖା ଦେଇଥିବା ବୈପ୍ଳବିକ ମନୋବୃତ୍ତିର ମୂଳଦୁଆ ଦେଶରେ ପଡ଼ିଲା ।

 

ଲର୍ଡ଼ କର୍ଜନ ବଡ଼ଲାଟ ଥିବା ସମୟରେ ସ୍ୱେଚ୍ଛାଚାର ଶାସନଦ୍ୱାରା କାର୍ଯ୍ୟ କରିବା ଫଳରେ ବୈପ୍ଳବିକ ମନୋଭାବ ସୃଷ୍ଟି କରିବାପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କଲେ । ସେ ହେଉଛନ୍ତି ପ୍ରଥମ ଯେ କି ଲୋକଙ୍କର ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ ଶାସନ ପରିଚାଳନାରେ ଦକ୍ଷତା ନାମରେ ବହୁ କାର୍ଯ୍ୟ କରିଗଲେ । ଏକ ଦିଗରେ ସେ ଏହି ଦୁଆ ଦେଲେ ଏବଂ ଅନ୍ୟ ଦିଗରେ ଅତି ନଗ୍ନ ଭାବରେ ଭାରତର ଜନମତକୁ ବେଖାତିର କଲେ । ଜାତୀୟ ଆନ୍ଦୋଳନକୁ ଦବେଇଦବା ପାଇଁ ସର୍କୁଲାର ଉପରେ ସର୍କୁଲାର ଦିଆଯିବା ଫଳରେ ଏକ ଦିଗରେ ଅତ୍ୟାଚାରମୂଳକ ଶାସନର ଆରମ୍ଭ ହେଲା ଏବଂ ଅନ୍ୟ ଦିଗରେ ଭାରତୀୟ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ ଗୋଟିଏ ସମ୍ପ୍ରଦାୟ ବାହାରିଲେ ଯେଉଁମାନଙ୍କ ମନରେ ବାସ୍ତବ ବୈପ୍ଳବିକ ମନୋଭାବ ଦେଖାଦେଲା ।

 

ଲର୍ଡ଼ କର୍ଜନଙ୍କ ପରେ ଏହି ବୈପ୍ଳବିକ ମନୋଭାବ ଫଳରେ କେତେକ ଯୁବକଙ୍କ ସ୍ୱାଧୀନତା ପାଇଁ ପ୍ରକୃତ ବୈପ୍ଳବିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଗଲା ଏବଂ ସେମାନେ ଯେସାକୁ ତେସା ନୀତି ଧରିଲେ । ଲର୍ଡ଼ ମିଣ୍ଟୋ ବଡ଼ଲାଟ ଥିବା ସମୟରେ ସରକାର ପ୍ରଥମ ଅତ୍ୟାଚାର ଆରମ୍ଭ କଲେ ଏବଂ ସରକାରଙ୍କର ଭଦ୍ର ଚେହେରା ପରିବର୍ତ୍ତନ ହୋଇ ଦେଶସାରା ଅତ୍ୟାଚାରର ବିଭୀଷିକା ଚାଲିଲା । ବଙ୍ଗଳାର ଦଳେ ଯୁବକ ଏହି ଅତ୍ୟାଚାରର ଜବାବ ଦେବାକୁ ବାହାରି ନିଃସଙ୍କୋଚରେ ବୋମା ଏବଂ ବନ୍ଧୁକର ବ୍ୟବହାର କଲେ ।

 

ଏହି ପ୍ରଶ୍ନକୁ ଯେବେ ବୃହତ୍ତର ଦୃଷ୍ଟିକୋଣରୁ ବିଚାର କରାଯାଏ ତାହାହେଲେ ଏହି ନୂତନ ଚିନ୍ତାଧାରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଭୁଲିଯିବା ଉଚିତ ନୁହେଁ । ତାହା ହେଉଛି ଭାରତବର୍ଷରେ ଅତ୍ୟାଚାରମୂଳକ ନୀତି ଗ୍ରହଣ କରି ଧାରାବାହିକ ଭାବରେ ଭାରତୀୟ ଜନମତକୁ ବେଖାତିର କରାଯିବାଦ୍ୱାରା ଏ ଦେଶରେ ଅସନ୍ତୋଷ ଏବଂ ବୈପ୍ଳବିକ ମନୋଭାବର ମୂଳଦୁଆ ପଡ଼ିଲା । ଏହାଛଡ଼ା ଏହି ଶତାବ୍ଦୀର ପ୍ରଥମ ଭାଗରେ ରକ୍ତାକ୍ତ ଯୁଦ୍ଧରେ ଜାପାନ ଋଷକୁ ହରାଇ ବିଜୟ ହାସଲ କରିବାରୁ ଏସିଆରେ ନୂତନ ଜାଗରଣ ଦେଖାଦେଲା । ମିଶରର ଜାତୀୟବାଦୀମାନେ ଯେପରି ଭାବରେ ଲୁଚିଛପି ଆନ୍ଦୋଳନ କଲେ ଏବଂ ଆୟର୍‍ଲାଣ୍ଡର ଗଣତନ୍ତ୍ରୀମାନଙ୍କ କାର୍ଯ୍ୟ ଓ ସର୍ବୋପରି ସୋଭିଏଟ୍ ଋଷର ଆବିର୍ଭାବ ହୋଇ ଯେଭଳି ପୃଥିବୀସାରା ସେମାନଙ୍କ ପକ୍ଷରୁ ପ୍ରଚାର ଚାଲିଲା ଏବଂ ଶେଷକୁ ଆଙ୍ଗୋଲା ସରକାର ଇଂରେଜ ଓ ଗ୍ରୀକ୍‍ମାନଙ୍କୁ ଯେଭଳି ନଇଁବାକୁ ବାଧ୍ୟ କଲେ ଏହି ସବୁ ଘଟଣା କମ୍ ପରିମାଣରେ ଭାରତର ସ୍ୱାଧୀନତା ଲାଭ କରିବାକୁ ହେବ ବୋଲି ପ୍ରତିଜ୍ଞାକୁ ପ୍ରଭାବିତ କରିନାହିଁ ।

 

ଏହା ବିରକ୍ତିକର ହେଲେ ସୁଦ୍ଧା ଏହି ସମ୍ପର୍କରେ ୧୯୦୫ ଠାରୁ ୧୯୦୯ ପର୍ଯ୍ୟନ୍ତ ଘଟିଥିବା ଘଟଣାମାନ ଧାରାବାହିକଭାବେ ଦେବା ବାଞ୍ଛନୀୟ ।

 

୧୯୦୫

Unknown

 

ଫେବୃଆରୀ ୩–ଲର୍ଡ଼ କର୍ଜନ ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ସରକାରୀ ନିୟନ୍ତ୍ରଣ ଯେପରି ଅଧିକ ଭାବରେ ରହେ ସେଥିପାଇଁ ଆଗତ କରିଥିବା ବିଲ୍ ଫେବୃୟାରୀ ୧୦ ତାରିଖ ଦିନ ବ୍ୟବସ୍ଥାପକ ସଭାରେ ପାସ୍ କରାଇନେଲେ ।

 

ଫେବୃଆରୀ ୧୧–ଲର୍ଡ଼ କର୍ଜନ କଲିକତା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଭାରତୀୟ ସତ୍ୟବାଦିତାକୁ ସମାଲୋଚନା କରି ବକ୍ତୃତା କଲେ ।

 

ଜୁଲାଇ ୧୯–ବଙ୍ଗବିଚ୍ଛେଦ ସମ୍ପର୍କରେ ସରକାରଙ୍କ ନିଷ୍ପତ୍ତି ପ୍ରକାଶ ପାଇଲା ।

 

ଅଗଷ୍ଟ ୭–କଲିକତା Town Hallରେ କାଶୀମ ବଜାର ମହାରାଜାଙ୍କ ସଭାପତିତ୍ୱରେ ବଙ୍ଗ ବିଚ୍ଛେଦ ବିରୁଦ୍ଧରେ ବର୍ଜନ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି କରାଗଲା ।

 

ଅଗଷ୍ଟ ୨୮–ଲର୍ଡ଼ କର୍ଜନ ବଡ଼ଲାଟ ପଦ ଇସ୍ତଫା ଦେଇଛନ୍ତି ବୋଲି ଘୋଷଣା କରାଗଲା ଏବଂ ସେ ନଭେମ୍ୱର ୧୭ ତାରିଖରେ ଭାରତ ଛାଡ଼ିଲେ ।

 

ସେପ୍‍ଟେମ୍ୱର ୧–ସିମଳାରୁ ବଙ୍ଗ–ବିଚ୍ଛେଦ କରାଗଲା ବୋଲି ଘୋଷଣା କରାଗଲା ।

 

ସେପ୍‍ଟେମ୍ୱର ୨–ବଙ୍ଗ–ବିଚ୍ଛେଦ ଯୋଗୁଁ ସାରା ବଙ୍ଗଳାରେ ଦୁଃଖ ପ୍ରକାଶ କରି ପାଳନ କରାଗଲା ।

 

ସେପ୍‍ଟେମ୍ୱର ୨୨–ବଙ୍ଗ–ବିଚ୍ଛେଦ ବିରୁଦ୍ଧରେ ଏବଂ ସ୍ୱଦେଶୀ ଆନ୍ଦୋଳନ ସମ୍ପର୍କରେ ୪ ହଜାର ଲୋକ ଯୋଗ ଦେଇଥିବା ମିଷ୍ଟର୍ ଲାଲମୋହନ ଘୋଷଙ୍କ ସଭାପତିତ୍ୱରେ କଲିକତା ଟାଉନ୍ ହଲରେ ସାଧାରଣସଭା ହେଲା ।

 

ସେପ୍‍ଟେମ୍ୱର ୨୫–ବଙ୍ଗ ବିଚ୍ଛେଦ ବିରୁଦ୍ଧରେ କଲିକତା ମଇଦାନରେ କରାଯାଉଥିବା ସଭାକୁ ପୋଲିସ୍ ବାଧା ଦେଲେ ।

 

ସେପ୍‍ଟେମ୍ୱର ୨୯–ସିମଳାରେ କେନ୍ଦ୍ର ବ୍ୟବସ୍ଥାପକ ସଭା ବୈଠକରେ ବଙ୍ଗ ବିଚ୍ଛେଦ ବିଲ୍ ପାସ୍ ହେଲା ।

 

ଡିସେମ୍ୱର ୧୩–୧୮୧୮ ତୃତୀୟ Regulation ଅନୁଯାୟୀ ଅଶ୍ୱିନୀକୁମାର ଦତ୍ତ, ସୁବୋଧଚନ୍ଦ୍ର ମଲ୍ଲିକ ଏବଂ ଅନ୍ୟ ୫ ଜଣଙ୍କୁ ଗିରଫ୍ କରାଯାଇ ଦ୍ୱୀପାନ୍ତର କରାଗଲା ।

 

୧୯୦୯

 

ଜାନୁୟାରୀ ୬–ପୂର୍ବବଙ୍ଗର ବହୁ ଅନୁଷ୍ଠାନକୁ ନୂତନ ଦଣ୍ଡବିଧି ଆଇନ ଅନୁଯାୟୀ ବେଆଇନ ଘୋଷଣା କରାଗଲା ।

 

ଫେବୃୟାରୀ ୧୦–ଚାରୁଚନ୍ଦ୍ର ବସୁ ନାମକ ଜଣେ ଲୋକ ଆଲିପୁର ମାଜିଷ୍ଟ୍ରେଟ କୋର୍ଟଭିତରେ ୨୪ ପ୍ରଗନାର ସରକାରୀ ଓକିଲବାବୁ ଆଶୁତୋଷ ବିଶ୍ୱାସଙ୍କୁ ଜୀବନରେ ମାରିଦେଲେ ।

 

ମାର୍ଚ୍ଚ ୨–ରୁଷିଆରେ ଚାଲିଥିବା ଅତ୍ୟାଚାର ଏବଂ ଭାରତବର୍ଷରେ ଚାଲିଥିବା ଅତ୍ୟାଚାର ମଧ୍ୟରେ କ’ଣ ପ୍ରଭେଦ ବୋଲି ମିଷ୍ଟର୍‍ ଲାଫ୍‍ଟନ୍ ପଚାରିବାରୁ ସରକାରୀ ଭାରତମନ୍ତ୍ରୀ କୌଣସି ଜବାବ ଦେଲେ ନାହିଁ ।

 

ଅପ୍ରେଲ ୧୫–କଲିକତାର ଖୋଲା ଜାଗାମାନଙ୍କରେ ସୂର୍ଯ୍ୟାସ୍ତର ଅଧଘଣ୍ଟାକ ମଧ୍ୟରେ କୌଣସି ସଭା ହୋଇ ପାରିବ ନାହିଁ ବୋଲି ଜାରି କରାଯାଇଥିବା ହୁକୁମର ପରମାୟୁ ଅଧିକା ବର୍ଷେ ବୃଦ୍ଧି କରାଗଲା ।

 

ମେ ୬–ଆଲିପୁର ବୋମା ମୋକଦ୍ଦମାର ଜଷ୍ଟିସ୍ ବିଚକ୍ରାଫ୍‍ଟ ଦେଲେ ।

 

ମର୍ଲେ–ମିଣ୍ଟୋ ଶାସନସଂସ୍କାର ଗ୍ରହଣ କରି ଖରାଦିନେ ଭାରତୀୟ ବ୍ୟବସ୍ଥାପକ ସଭା ଆଇନ ସଂଶୋଧନ କରାଗଲା ।

 

୧୯୧୦

 

ମର୍ଲେ–ମିଣ୍ଟୋ ଶାସନସଂସ୍କାର ପ୍ରବର୍ତ୍ତନ କରାଗଲା ।

 

୧୯୧୦ ଠାରୁ ଏପର୍ଯ୍ୟନ୍ତ ଘଟିଥିବା ମୁଖ୍ୟ ଘଟଣା ଆପଣମାନଙ୍କ ମନେଥିବ ଭାବି ମୁଁ ଏଠାରେ ଉଲ୍ଲେଖ କରୁନାହିଁ । ଏହି ସମୟର ଘଟଣାମାନଙ୍କ ମଧ୍ୟରେ ମୁଖ୍ୟ ଘଟଣାମାନ ହେଉଛି, ୧୯୧୨ ମସିହାରେ ବଙ୍ଗ–ବିଚ୍ଛେଦ ବାତିଲ; ରାଜକୀୟ ଶୋଭାଯାତ୍ରାରେ ଯାଉଥିବା ସମୟରେ ଦିଲ୍ଲୀ ଚାନ୍ଦିନୀଚୌକରେ ଲର୍ଡ଼ଦ୍ୱାର୍ଡ଼ିଞ୍ଜଙ୍କ ନିକଟକୁ ବୋମା ନିକ୍ଷେପ; ଭାରତ ରକ୍ଷା ଆଇନ ବଳରେ ଅଟକବନ୍ଦୀ, ରାଓଲାଟ୍ ଆଇନ, ଜାଲିଆନାବାଗ ଦୁର୍ଘଟଣା ଏବଂ କୋମା ଗାତାମାରୁ ଘଟଣା ।

 

ଏଥିରୁ ପରିଷ୍କାର ଭାବରେ ଜଣାଯିବ ଯେ ବୈପ୍ଳବିକ ଆନ୍ଦୋଳନ ଫଳରେ ଅତ୍ୟାଚାର ଉପରେ ଅତ୍ୟାଚାର କରାଗଲା ଏବଂ ବ୍ରିଟିଶ ସରକାର ଭଲ କାର୍ଯ୍ୟ କରୁଛନ୍ତି ବୋଲି ଯେତେବେଳେ ପ୍ରକାଶ କଲେ ତାହା ସଙ୍ଗେ ସଙ୍ଗେ ମଧ୍ୟ ଅତ୍ୟାଚାରମୂଳକ କାର୍ଯ୍ୟ କରିବାକୁ ଛାଡ଼ୁ ନଥିଲେ ।

 

ମହାତ୍ମାଗାନ୍ଧି ଏବଂ ଅହିଂସା

 

ଜାଲିଆନାବାଗ ଅତ୍ୟାଚାର ପରେ ନୂତନ ଯୁଗ ଆରମ୍ଭ ହେଲା ଏବଂ ମହାତ୍ମାଗାନ୍ଧି ଭାରତର ସ୍ୱାଧୀନତା ଲାଭପାଇଁ ଅହିଂସାତ୍ମକ ଉପାୟରେ କାର୍ଯ୍ୟ କରିବାକୁ ପ୍ରଚାର କଲେ । ସମଗ୍ର ଭାରତ ଏହା ଗ୍ରହଣ କରିଛି ବୋଲି ଆମକୁ ଧରିବାକୁ ହେବ ଏବଂ ହିଂସାର ବିଫଳତା ମୁଁ ସରକାର ତଥା ମୋର ବିପ୍ଳବୀ ବନ୍ଧୁମାନଙ୍କ ନିକଟରେ ପ୍ରକାଶ କରୁଛି ।

 

ନୂତନ ବଙ୍ଗଳା ଅର୍ଡ଼ିନାନ୍‍ସ ଓ ଅଟକ

 

ଏହି ନୂତନ ଅର୍ଡ଼ିନାନ୍‍ସଦ୍ୱାରା ଭାରତୀୟ ଲୋକଙ୍କ ଉପରେ ହିଂସାତ୍ମକ କାର୍ଯ୍ୟ କରିବାକୁ ଲଦି ଦିଆଯାଇଛି । ସମଗ୍ର ଭାରତ ଏକସ୍ୱରରେ ଏହାର ନିନ୍ଦା କରିଛି ଏବଂ ମୁଁ ଯେବେ ସଂଯତ ଭାବରେ ସୌଜନ୍ୟ ରଖି ଏହି ସମ୍ପର୍କରେ ମୋର ମତ ପ୍ରକାଶ କରିବାକୁ ଚାହେଁ ତାହା କରିପାରିବି କି ନାହିଁ ସେ ବିଷୟରେ ମୋ ବିଶ୍ୱାସ ନାହିଁ । ମୁଁ ଏତିକି କହିଲେ ଯଥେଷ୍ଟ ହେବ ଯେ ମୁଁ ବିନା ଦ୍ୱିଧାରେ ଏହାର ନିନ୍ଦା କରିବା ସଙ୍ଗେ ସଙ୍ଗେ ଲର୍ଡ଼ ବର୍‍କେନ୍‍ହେଡ଼୍ ମୋତେ ସରକାରଙ୍କ ଅତ୍ୟାଚାରମୂଳକ କାର୍ଯ୍ୟରେ ସହଯୋଗ କରିବାପାଇଁ ଯେତେବେଳେ କହିଲେ, ସେତେବେଳେ ଜଣେ ଭାରତୀୟ ପକ୍ଷରେ ଯାହା ଉତ୍ତର ଦେବା ସମ୍ଭବ କେବଳ ତାହାହିଁ ମୁଁ କହିଛି ।

 

ଆପଣମାନଙ୍କର ମନେଥିବ ଯେ ଏହି ଅର୍ଡ଼ିନାନ୍‍ସଦ୍ୱାରା କେବଳ ଦୋଷୀମାନଙ୍କ ଛଡ଼ା ଆଉ କାହାରି କ୍ଷତିହେବ ନାହିଁ ବୋଲି ଲର୍ଡ଼ ବର୍‍କେନ୍‍ହେଡ଼୍ ମତ ପ୍ରକାଶ କରିଥିଲେ । ମୁଁ ଏଠାରେ କହିପାରେ କି ଏହା କହିବାଦ୍ୱାରା ବଡ଼ଲାଟ ସମସ୍ତ ପ୍ରଶ୍ନକୁ ଗୋଳେଇ ଦେବାକୁ ଚାହାନ୍ତି । ଯେଉଁମାନେ ଏହି ଅର୍ଡ଼ିନାନ୍‍ସ ଅଧୀନରେ ଅଟକ ହୋଇଛନ୍ତି ସେମାନେ ଦୋଷୀ ବୋଲି ଆମେ ଅସ୍ୱୀକାର କରୁଛୁ ଏବଂ ସେମାନେ ଦୋଷୀ କି ନୁହଁନ୍ତି ଏହା ସାବ୍ୟସ୍ତ କରିବାର ଏକମାତ୍ର ଉପାୟ ହେଉଛି ସେମାନଙ୍କର ପ୍ରକାଶ୍ୟରେ ବିଚାର କରି ଗୁପ୍ତ ତଥ୍ୟ ଉପରେ ଚୁପ୍‍ଚାପ୍ ବିଚାର ନ କରି ପ୍ରକାଶ୍ୟ ଅଦାଲତରେ ଯେପରି ସାକ୍ଷ୍ୟ ପ୍ରମାଣ ଦିଆଯାଇ ବିଚାର କରାଯାଏ ସେହିଭଳି ବିଚାର କରିବା ଆବଶ୍ୟକ । ଯେଉଁ ନିରାପତ୍ତା ବିଷୟରେ ବିଲାତ ସାମ୍ୱିଧାନିକ ଇତିହାସରେ ବହୁ ମନୀକ୍ଷୀ ଆଲୋଚନା କରିଛନ୍ତି, ତାହା ହେଉଛି ଶାସନ କରୁଥିବା ସରକାର ନିଜକୁ ବିଚାରାଳୟ ବୋଲି ଘୋଷଣା କରି ବିଚାରାଳୟର ସମସ୍ତ କ୍ଷମତା ନିଜ ହାତରେ ରଖିଲେ ନିରାପତ୍ତା ଯେପରି ବିପନ୍ନ ହୁଏ ଏହା ହେଉଛି ତାହା ।

 

ସରକାର ତାଙ୍କର ଅତ୍ୟାଚାରମୂଳକ ନୀତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ଯାଇ ଯେଉଁ ବିଷୟ ଅବତାରଣା କରିଛନ୍ତି ମୁଁ ସେ ସବୁ ଆଲୋଚନା କରି ଆପଣଙ୍କର ସମୟ ନଷ୍ଟ କରିବାକୁ ଚାହେଁନି । ଯେବେ ସରକାର ତାଙ୍କର ଅନ୍ୟାୟ ନୀତି ବଦଳାଇବା ପାଇଁ କୌଣସି ଦାବି କରାଯାଇ ନାହିଁ ବୋଲି ଆପଣମାନଙ୍କର କାହାରି ସନ୍ଦେହ ଥାଏ, ତାହାହେଲେ ବଙ୍ଗଳା ଅର୍ଡ଼ିନାନ୍‍ସ ସମ୍ପର୍କରେ ଗତ ଫେବୃଆରୀ ୨୫ ତାରିଖ ଦିନ ପଣ୍ଡିତ ମୋତିଲାଲ ନେହେରୁ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଦେଇଥିବା ଭାଷଣ ପାଠ କରିବାକୁ ମୁଁ ଆପଣମାନଙ୍କୁ କହୁଛି । ଆଉ ମଧ୍ୟ ମୁଁ କହିବାକୁ ବାଧ୍ୟ ହେଉଛି ଯେ ଚାଲିଥିବା ଅତ୍ୟାଚାରମୂଳକ ନୀତି ସପକ୍ଷରେ ସରକାର ଯାହା ସବୁ ଯୁକ୍ତି ଦେଖାଉଛନ୍ତି ତାହା ବିଶ୍ୱାସ କରିବା ସମ୍ଭବ ନୁହେଁ । ମୁଁ ଗୋଟିଏ ଦୃଷ୍ଟାନ୍ତ ଦେବି ଯାହାକି ମୁଁ ଆଗରୁ କହିଛି ।

 

୧୯୦୮ ଡିସେମ୍ୱର ୧୧ ତାରିଖ ଦିନ ଶ୍ରୀଯୁକ୍ତ କୃଷ୍ଣକୁମାର ମିତ୍ର ଏବଂ ସ୍ୱର୍ଗୀୟ ଅଶ୍ୱିନୀକୁମାର ଦତ୍ତ ସମେତ ୯ ଜଣ ବଙ୍ଗାଳୀଙ୍କର ଗିରଫ୍‍ଦାରୀ ଏବଂ ଅଟକ ସମ୍ପର୍କରେ କହିବାକୁ ଯାଇ ସେତେବେଳକାର ଭାରତମନ୍ତ୍ରୀ ଲର୍ଡ଼ ମର୍ଲେ ଲର୍ଡ଼ ମିଣ୍ଟୋଙ୍କୁ ଲେଖିଥିଲେ–

 

‘‘ସେମାନେ ଅନ୍ୟାୟ କାର୍ଯ୍ୟ ସହିତ ସଂପୃକ୍ତ ଥାଇ ତାହା କରୁଥିବାରୁ ଏବଂ ସେମାନଙ୍କ ଗିରଫ୍‍ଦାରୀଦ୍ୱାରା ଅନ୍ୟାୟ କାର୍ଯ୍ୟ ରୋକି ହେବ ବୋଲି ଆପଣଙ୍କ ବିଶ୍ୱାସ ଥିବାରୁ ବର୍ଷକ ପୂର୍ବରୁ ଆପଣ ୯ ଜଣଙ୍କୁ ବନ୍ଦୀ କରିଛନ୍ତି ।’’

 

ଏହି ବିଷୟରେ ସାର୍ ହଘ୍‍ଷ୍ଟିଫେନ୍‍ସନ କ’ଣ କହିଛନ୍ତି ତାହା ଦେଖାଯାଉ । ସେ ଦିନ ସେ ବଙ୍ଗଳା କାଉନ୍‍ସିଲ୍‍ରେ କହିଲେ–

 

‘‘ଆମ ନୀତିର ଯଥାର୍ଥତା ସମ୍ପର୍କରେ ସନ୍ଦେହ କରାଯାଉ ନଥିଲେ ସୁଦ୍ଧା ଆମର କାର୍ଯ୍ୟଦକ୍ଷତା ସମ୍ପର୍କରେ ଖବରକାଗଜରେ ଯେଉଁସବୁ ଆଲୋଚନା ହେଉଛି ସେହି ପ୍ରସଙ୍ଗରେ ମୁଁ ୩ ଗୋଟି ଉଦାହରଣ ଦେବାକୁ ଚାହେଁ । ପ୍ରଥମ ଦୁଇଟି ମୋକଦ୍ଦମାରେ ବାବୁ ଅଶ୍ୱିନୀକୁମାର ଦତ୍ତ ଏବଂ ବାବୁ କୃଷ୍ଣ କୁମାର ମିତ୍ର ସଂପୃକ୍ତ । କୁହାଯାଉଛି ଯେ ସେମାନେ ସନ୍ତ୍ରାସବାଦ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥିଲେ ବୋଲି ବିଶ୍ୱାସ କରିବା କାହାରି ପକ୍ଷରେ ସମ୍ଭବପର ହୋଇ ନଥିବାରୁ ପୋଲିସ୍ ଖବର ଭୁଲ୍ ଓ ସେହି ଭୁଲ ଖବର ଉପରେ ସରକାର କାର୍ଯ୍ୟ କରୁଛନ୍ତି । ମୁଁ ବାବୁ ଅଶ୍ୱିନୀକୁମାର ଦତ୍ତଙ୍କୁ କେବେ ଜାଣି ନଥିଲେ ସୁଦ୍ଧା ବାବୁ କୃଷ୍ଣକୁମାର ମିତ୍ର ମୋର ଜଣେ ବ୍ୟକ୍ତିଗତ ବନ୍ଧୁ ହୋଇଥିବାରୁ ତାଙ୍କର ସନ୍ତ୍ରାସବାଦୀମାନଙ୍କ କାର୍ଯ୍ୟରେ ସହାନୁଭୂତି ଥିବା ଦୋଷରୁ ମୁଁ ତାଙ୍କୁ ପୂରାପୂରି ଖଲାସ କରି ଦେଉଛି । ମୁଁ ଯେତେଦୂର ଜାଣେ, ବାବୁ ଅଶ୍ୱିନୀକୁମାର ଦତ୍ତ ଦୋଷାବହ କାର୍ଯ୍ୟରେ ଭାଗ ନେଉଥିବା ତ ଦୂରର କଥା, ସେଥିରେ ସାହାଯ୍ୟ କରୁଛନ୍ତି ବୋଲି ଏପର୍ଯ୍ୟନ୍ତ କେହି ଅଭିଯୋଗ କରିନାହାନ୍ତି । ବଙ୍ଗଳା ସରକାର ବାବୁ ଅଶ୍ୱିନୀକୁମାର ଦତ୍ତ ସରକାର ବିରୁଦ୍ଧରେ ବରାବର ବକ୍ତୃତା ଦେଉଥିବାରୁ ତାଙ୍କ ବିରୁଦ୍ଧରେ ୩ୟ ରେଗୁଲେସନ୍ ବ୍ୟବହାର କରାଯାଉଛି ।

 

ଏଥିରୁ ଜଣାପଡ଼ିବ ଯେ ଏହି ଦେଶର ସରକାରଙ୍କ ହାତରେ ମନଇଚ୍ଛା କାର୍ଯ୍ୟ କରିବାକୁ ଯେଉଁ ଅଧିକାରମାନ ଦିଆଯାଇଛି ତାହା ଫଳରେ ବେଆଇନ ଆଇନମାନ କରି ସରକାର ଏହି କ୍ଷମତାର ଅପବ୍ୟବହାର କରୁଛନ୍ତି । ଅବସ୍ଥା ଯାହା ହୋଇଛି ତହିଁରେ ଏପରି ହେବା ଅନିବାର୍ଯ୍ୟ । ପୃଥିବୀର ଇତିହାସ ଆଲୋଚନା କଲେ ଜଣାଯାଏ ଯେ ‘‘ଆଇନ ଓ ଶୃଙ୍ଖଳା’’ ଉପାଦେୟ ଶବ୍ଦମାନ ହୋଇଥିବାରୁ ତାହାର ବାହୁଛାୟା ତଳେ ଅମଲାତନ୍ତ୍ର ସରକାରମାନେ ବରାବର ନିଜ ନିଜର କ୍ଷମତା ବଢ଼ାଇବାକୁ ଚେଷ୍ଟା କରିବା ଫଳରେ ଏହାର ପରିଣତି ହୋଇଛି ଯେ ଯେଉଁଠି କ୍ଷମତା ଥିବା ଲୋକଙ୍କର ଅସୀମ ଅଧିକାର ଥିଲେ ସୁଦ୍ଧା ନିୟମକାନୁନ କିଛି ନାହିଁ ସେହି ସବୁ ସ୍ଥାନରେ ଏକଛତ୍ରବାଦ ଏବଂ ଯଥେଚ୍ଛାଚାର ଶାସନର ଆବିର୍ଭାବ । ଅଖଣ୍ଡ କ୍ଷମତାକୁ ଦୃଢ଼ କରିବାପାଇଁ ଅତ୍ୟାଚାରର ପନ୍ଥା ନିଆଯାଏ ଏବଂ ଅତ୍ୟାଚାର ସରକାରଙ୍କର ହିଂସାତ୍ମକ କାର୍ଯ୍ୟ ହୋଇଥିବାରୁ ରାଜନୈତିକ ସ୍ୱାଧୀନତା ଲାଭପାଇଁ ହିଂସାତ୍ମକ କାର୍ଯ୍ୟର ବ୍ୟବହାର ମୁଁ ଯେଉଁ ପରିମାଣରେ ନିନ୍ଦାକରେ, ସରକାରଙ୍କର ଅତ୍ୟାଚାରକୁ ମଧ୍ୟ ସେହି ପରିମାଣରେ ନିନ୍ଦା କରୁଛି । ଅତ୍ୟାଚାରମୂଳକ ନୀତି ଅଦୂରଦର୍ଶିତା ବୋଲି ମୁଁ ସରକାରଙ୍କୁ ସତର୍କ କରିଦେଉଛି । ହୁଏତ ବର୍ତ୍ତମାନ ପାଇଁ ଏହା ସରକାରଙ୍କ ହାତମୁଠାକୁ ଟାଣ କରିପାରୁଥାଏ; କିନ୍ତୁ ସରକାରଙ୍କ ନୀତି ହିସାବରେ ଏହାର ବିଫଳତା ଅନିବାର୍ଯ୍ୟ ବୋଲି ଲର୍ଡ଼ ବର୍‍କେନ୍‍ହେଡ଼୍ ହୃଦୟଙ୍ଗମ କରୁଛନ୍ତି ବୋଲି ମୁଁ ନିଶ୍ଚିତଭାବେ କହୁଛି ।

 

ଶାସନ ସଂସ୍କାର ଓ ସହଯୋଗ

 

ହିଂସାତ୍ମକ କାର୍ଯ୍ୟପଦ୍ଧତି କିଭଳି ଆମର ନୈତିକତା ବିରୁଦ୍ଧ ଏବଂ ଅହିତକର ତାହା ଏପର୍ଯ୍ୟନ୍ତ ବୁଝାଇଲି । ଏହାର ଆମ ଜୀବନ ଓ ସଂସ୍କୃତି ସହିତ ସାମଞ୍ଜସ୍ୟ ନଥିବାରୁ ଆମପକ୍ଷରେ ଏହା ନୈତିକତା ବିରୁଦ୍ଧ ଏବଂ ବର୍ତ୍ତମାନ ସମୟରେ କୌଣସି ସଂଗଠିତ ସରକାରକୁ ବୋମା ଏବଂ ବନ୍ଧୁକ ସାହାଯ୍ୟରେ ସ୍ଥାନଚ୍ୟୁତ କରିବା କଥା ଚିନ୍ତାକରିବା କଳ୍ପନାତୀତ ହୋଇଥିବାରୁ ଏହା ଆମ ପକ୍ଷରେ ଅସୁବିଧାଜନକ । ତାହାପରେ ପ୍ରଶ୍ନ ଉଠୁଛି:–ତାହାହେଲେ ସ୍ୱରାଜ ଲାଭପାଇଁ ଆମେ କି ପନ୍ଥା ଅବଲମ୍ୱନ କରିବୁ ? ବର୍ତ୍ତମାନର ଶାସନ ସଂସ୍କାର ସହିତ ସହଯୋଗ କରି ଯେବେ ଆମେ ତାହା କାର୍ଯ୍ୟକାରୀ କରୁ ତାହାହେଲେ ସ୍ୱରାଜ ଆମହାତର କଥା ବୋଲି କୁହାଯାଉଛି । ଏହି ଯୁକ୍ତି ସମ୍ପର୍କରେ ମୋର ମତ ପରିଷ୍କାର ଏବଂ ଏହି ସମ୍ପର୍କରେ ଯେପରି କୌଣସି ବିବାଦ ଦେଖା ନ ଦିଏ ସେହି ଦୃଷ୍ଟିରୁ ପୁନର୍ବାର ତାହା ପ୍ରକାଶ କରିବାକୁ ଚାହୁଁଛି । ଯେବେ ପ୍ରଚଳିତ ସଂସ୍କାର ଅନୁଯାୟୀ ଲୋକଙ୍କୁ ପ୍ରକୃତରେ କୌଣସି କ୍ଷମତା ଦିଆଯାଇଥିବାରୁ ଏହା କାର୍ଯ୍ୟକାରୀ କଲେ ନିଜର ଆତ୍ମବିକାଶ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହୋଇପାରିବ ବୋଲି ମୁଁ ବୁଝିପାରିଥାନ୍ତି, ତାହାହେଲେ ମୁଁ ବିନା ଦ୍ୱିଧାରେ ସରକାରଙ୍କ ସହିତ ସହଯୋଗ କରି ବ୍ୟବସ୍ଥାପକ–ସଭାରେ ଗଠନମୂଳକ କାର୍ଯ୍ୟ କରୁଥାନ୍ତି । କିନ୍ତୁ ମୁଁ ମୋର ନୀତି ତ୍ୟାଗ କରିବାକୁ ଚାହେଁନା । ଏହି ଶାସନ ସଂସ୍କାରଦ୍ୱାରା ଲୋକଙ୍କୁ କୌଣସି କ୍ଷମତା ଦିଆଯାଇ ନାହିଁ ବୋଲି ଯୁକ୍ତି କରି ଆପଣଙ୍କ ସମୟ ନଷ୍ଟକରିବାକୁ ମୁଁ ଚାହେଁନା । ମୁଁ ଏ ସମ୍ପର୍କରେ ବିଶଦ ଭାବରେ ଅହମ୍ମଦାବାଦ କଂଗ୍ରେସ ଭାଷଣରେ ଆଲୋଚନା କରିଛି ଏବଂ ଯେବେ ଅଧିକ କୌଣସି ଯୁକ୍ତି ଏଥିପାଇଁ ଆବଶ୍ୟକ ଥାଏ ସରକାର ଯେଉଁମାନଙ୍କ କଥାକୁ ସନ୍ଦେହ କରିପାରିବ ନାହିଁ, ସେମାନେ ମୁଦିମ୍ୟାନ୍ କମିଟି ଆଗରେ ଯେଉଁ ସାକ୍ଷ୍ୟଦେବେ ତହିଁରୁ ଜଣାପଡ଼ିବ । ପ୍ରଚଳିତ ସଂସ୍କାର ମନ୍ତ୍ରୀମାନଙ୍କୁ ଅବିଶ୍ୱାସ କରିବା ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଅବିଶ୍ୱାସ୍ୟ ବାତାବରଣରେ କୌଣସି ସହଯୋଗର ପ୍ରଶ୍ନ ଉଠି ନ ପାରେ । ତାହା ସଙ୍ଗେ ସଙ୍ଗେ ମୁଁ ମୋର ସ୍ଥାନ ଏବଂ ବଙ୍ଗପ୍ରଦେଶ ସମ୍ମିଳନୀର ସ୍ଥାନ ପରିଷ୍କାର କରିଦେବାକୁ ଚାହିଁ କହିଦେବାକୁ ଚାହେଁ ଯେ ଲୋକଙ୍କୁ ଯେବେ ପ୍ରକୃତରେ କୌଣସି ଦାୟିତ୍ୱ ଦିଆଯାଇଥାଏ ତାହାହେଲେ ଆମେ ଯେ କାହିଁକି ସହଯୋଗ କରିବୁ ନାହିଁ, ତାହାର କୌଣସି କାରଣ ନାହିଁ । ସେହି ସହଯୋଗକୁ ବାସ୍ତବ ତଥା ସକ୍ରିୟ କରିବାକୁ ହେଲେ ଦୁଇଟି ଜିନିଷ ଦରକାର । ପ୍ରଥମତଃ ଆମ ଶାସକମାନଙ୍କର ପ୍ରକୃତ ହୃଦୟ ପରିବର୍ତ୍ତନ ହେବା ଦରକାର ଏବଂ ଦ୍ୱିତୀୟରେ ଏହାର ପୂର୍ଣ୍ଣତା ଯେ, ନିକଟ ଭବିଷ୍ୟତରେ ସ୍ୱରାଜ ମିଳିବା ଅନିବାର୍ଯ୍ୟ ଏଥିପାଇଁ ଆମକୁ ଜବାବ ଦିଆଯିବା ଦରକାର । ଗଠନମୂଳକ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବାପାଇଁ ଆମେ ଯଥେଷ୍ଟ ତ୍ୟାଗ କରିବା ଉଚିତ ବୋଲି ମୁଁ ବରାବର ମତପ୍ରକାଶ କରି ଆସିଛି ଏବଂ ଯେବେ ଏହାଦ୍ୱାରା ସ୍ୱରାଜର ଭିତ୍ତି ପଡ଼େ ଏବଂ ଶାସକ ତଥା ଶାସିତମାନଙ୍କର ବାସ୍ତବ ହୃଦୟପରିବର୍ତ୍ତନ ଦେଖା ଦିଏ ତାହାହେଲେ ଗୋଟିଏ ଜାତିର ଇତିହାସରେ ଅଳ୍ପ କେତୋଟି ବର୍ଷ କିଛି ନୁହେଁ ବୋଲି ଆପଣମାନେ ଯେ ହୃଦୟଙ୍ଗମ କରିବେ ଏହା ମୋର ଆଶା । ହୁଏତ ଆପଣମାନେ କହିପାରନ୍ତି, ହୃଦୟ ପରିବର୍ତ୍ତନ ଅତି ଚମତ୍କାର ଶବ୍ଦ ହୋଇଥିବାରୁ ସେହି ପରିବର୍ତ୍ତନ ବାସ୍ତବରୂପେ ଦେଖାଇ ଦିଆଯିବା ଉଚିତ । ମୁଁ ଏହା ସହିତ ଏକମତ । କିନ୍ତୁ ତାହା ଦେଖିବାପାଇଁ ଉଭୟପକ୍ଷ ମଧ୍ୟରେ ମିଳାମିଶା ହୋଇ ଆବଶ୍ୟକୀୟ ବାତାବରଣ ସୃଷ୍ଟି ହେବା ଦରକାର । ବିଶ୍ୱାସ ତଥା ଅବିଶ୍ୱାସର ବାତାବରଣ ଜାଣିପାରିବା ସହଜ ଏବଂ କୌଣସି ଶାନ୍ତିପୂର୍ଣ୍ଣ ମିଳାମିଶାର ସର୍ତ୍ତ ଅପେକ୍ଷା ସର୍ତ୍ତ ପଛରେ ଥିବା ପ୍ରକୃତ ମନୋଭାବ ଉପରେ ବହୁବିଷୟ ନିର୍ଭର କରେ । ବର୍ତ୍ତମାନ ଅବସ୍ଥାରେ ସେହି ମିଳାମିଶା ପାଇଁ ସର୍ତ୍ତଗୁଡ଼ିକ କ’ଣ ହେବ ତାହା ନିର୍ଣ୍ଣୟ କରିବା ଅସମ୍ଭବ । କିନ୍ତୁ ଯେବେ ହୃଦୟ ପରିବର୍ତ୍ତନଦ୍ୱାରା ଉଭୟଙ୍କଠାରେ ଶାନ୍ତିପୂର୍ଣ୍ଣ ସୌହାର୍ଦ୍ଦ୍ୟ ଏବଂ ପରସ୍ପର ବିଶ୍ୱାସ ବାତାବରଣରେ ସେଭଳି କଥାବାର୍ତ୍ତା ଚାଲେ, ତାହାହେଲେ ଏହି ସର୍ତ୍ତଗୁଡ଼ିକର ନିର୍ଣ୍ଣୟ ହେବା ସହଜସାଧ୍ୟ ।

 

ସହଯୋଗ ପାଇଁ ଆବଶ୍ୟକ ସର୍ତ୍ତ

 

ବଙ୍ଗଳାର ଲୋକମାନେ କ’ଣ ଚାହାନ୍ତି ତହିଁପ୍ରତି ଦୃଷ୍ଟିରଖି କେତେ ପ୍ରସ୍ତାବ କରାଯାଇପାରେ ।

 

ପ୍ରଥମେ ସରକାର ତାଙ୍କର ସମସ୍ତ କ୍ଷମତା ଛାଡ଼ିଦେଇ ସମସ୍ତ ରାଜନୈତିକ ବନ୍ଦୀ ମୁକ୍ତି ଲାଭ କରିବେ ବୋଲି ଘୋଷଣା କରିବା ଦରକାର । ତାହାପରେ ନିକଟ ଭବିଷ୍ୟତରେ ଜାତିପୁଞ୍ଜିଙ୍କ ମଧ୍ୟରେ ସ୍ୱରାଜ ପ୍ରତିଷ୍ଠା କରିବାର ଆମର ପୂର୍ଣ୍ଣ ଅଧିକାରକୁ ସରକାର ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସ୍ୱରାଜ ପ୍ରତିଷ୍ଠା ହେବାପର୍ଯ୍ୟନ୍ତ ତାହାର ପ୍ରକୃତ ନିର୍ଯ୍ୟାସ ଉପରେ ପ୍ରତିଷ୍ଠା କରାଯିବା ଉଚିତ-। ଏହି ନିର୍ଯ୍ୟାସ କ’ଣ ହେବ ସେ ବିଷୟ କଥାବାର୍ତ୍ତା ଏବଂ ମିଳାମିଶା ସୂତ୍ରରେ ଠିକ୍‍ ହେବ-। ଏହି କଥାବାର୍ତ୍ତା ସରକାର ଏବଂ ଲୋକଙ୍କ ମଧ୍ୟରେ ନ ହୋଇ ମୁଁ ଗୟା ଅଧିବେଶନରେ ସଭାପତିତ୍ୱ କରିଥିବା ଭାଷଣ ଅନୁଯାୟୀ ହେବ । ଭାରତବର୍ଷରେ ଥିବା ଇଉରୋପୀୟ ଏବଂ ଆଙ୍ଗ୍ଲୋଇଣ୍ଡିଆନ୍ ସମେତ ସମସ୍ତ ସମ୍ପ୍ରଦାୟଙ୍କ ମଧ୍ୟରେ ମିଳାମିଶା ହେବା ଦରକାର ।

 

ମୁଁ ଆହୁରି ମଧ୍ୟ କହୁଛି ଯେ, ଆମେ କାୟମନୋବାକ୍ୟରେ କୌଣସି ବୈପ୍ଳବିକ ପ୍ରଚାର କରିବୁ ନାହିଁ ଏବଂ ସେଭଳି ଆନ୍ଦୋଳନ ଯେପରି ମୁଣ୍ଡ ନ ଟେକେ ସେଥିପାଇଁ ସମସ୍ତ ପ୍ରକାର ଚେଷ୍ଟାକରିବୁ ବୋଲି ଆମ ପକ୍ଷରୁ ଜବାବ ଦେବୁ । ମୋର ବିଶ୍ୱାସ, ସରକାରଙ୍କର ଯେବେ ପ୍ରକୃତ ହୃଦୟ ପରିବର୍ତ୍ତନ ହୁଏ ତାହାହେଲେ ବିପ୍ଳବୀମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଦେବା ଅନିବାର୍ଯ୍ୟ ଏବଂ ମୁଁ ଯେଉଁ ମିଳାମିଶା ହେବା କଥା ପୂର୍ବରୁ କହିଛି ତାହା ଯେବେ ହୋଇଯାଏ, ତାହାହେଲେ ବୈପ୍ଳବିକ ଆନ୍ଦୋଳନ ଅତୀତର ଘଟଣାରେ ପରିଣତ ହୋଇ ବର୍ତ୍ତମାନ ସରକାରଙ୍କ ବିରୁଦ୍ଧରେ ଯେଉଁ ଶକ୍ତି ଏବଂ ଉତ୍ସାହ ବ୍ୟବହୃତ ହେଉଛି ତାହା ଲୋକଙ୍କର ପ୍ରକୃତ ସେବାରେ ବ୍ୟବହୃତ ହେବ ।

 

ସରକାର ଯେବେ ମିଳାମିଶା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରନ୍ତି ତାହାହେଲେ କ’ଣ କରାଯିବ-?

 

ଯେବେ ଆମ ମିଳାମିଶା ପ୍ରସ୍ତାବ ପ୍ରତି ଦୃଷ୍ଟି ଦିଆ ନ ଯାଏ ତାହାହେଲେ ସରକାର ଏକଛତ୍ର କ୍ଷମତା ବ୍ୟବହାର ନ କଲେ ଏ ଦେଶର ଶାସନ ଚଳାଇବା ଯେପରି ଅସମ୍ଭବ ହୋଇ ପଡ଼ିବ ସେଥିପାଇଁ ଗତ ୨ ବର୍ଷଧରି ଆମେ ଯେଉଁ ଜାତୀୟ କାର୍ଯ୍ୟମାନ ଯେଭଳିଭାବେ କରି ଆସିଛୁ ତାହା ସେହିଭଳିଭାବେ ଚାଲୁ ରଖିବୁ । ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏହି ପନ୍ଥାରେ ସମ୍ମତ ନ ହୋଇ ତର୍କସହ କହନ୍ତି ଯେ ଲୋକଙ୍କୁ ଟିକସ ନ ଦେବାକୁ ଆମେ ଯେ ପର୍ଯ୍ୟନ୍ତ ଗାଁଗହଳକୁ ଯାଇ ମନା ନ କରିଛୁ ସେ ପର୍ଯ୍ୟନ୍ତ ସରକାରଙ୍କୁ କିଛି ସାହାଯ୍ୟ କରିବା ଅସ୍ୱୀକାର କରିବାକୁ ଆମର ଅଧିକାର ନାହିଁ । ମୋର ଉତ୍ତର ହେଉଛି ଯେ ମୁଁ ଦେଶରେ ଏଭଳି ଗୋଟିଏ ଜାତୀୟ ଆଇନ ଅମାନ୍ୟ ବାତାବରଣ ସୃଷ୍ଟି କରିବାକୁ ଚାହେଁ, ଯାହାକି ସ୍ୱାଧୀନତାକାମୀ ଲୋକଙ୍କ ଉପରେ ହେବ ଶେଷ ଅସ୍ତ୍ର । ଏଥିପାଇଁ ମୋର କୌଣସି ଐତିହାସିକ ପରମ୍ପରା ନଥିଲେ ସୁଦ୍ଧା ଆମର ବର୍ତ୍ତମାନ ଆନ୍ଦୋଳନକୁ ଯେବେ ଇଂରେଜ ଇତିହାସ ସହିତ ଆଲୋଚନା କରାଯାଏ ତାହାହେଲେ ଇଂଲଣ୍ଡରେ ଷ୍ଟୁଆର୍ଟ ରାଜାଥିବା ସମୟରେ ବହୁବର୍ଷ ଧରି ପାର୍ଲିଆମେଣ୍ଟ୍ କୌଣସି ଶାସକଗୋଷ୍ଠୀଙ୍କର ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ । ଏହାଦ୍ୱାରା ସରକାରଙ୍କୁ ଏକଛତ୍ର କ୍ଷମତା ବ୍ୟବହାର କରି କର ଆଦାୟ କରିବାପାଇଁ ବାଧ୍ୟ କରାଯାଉଥିବାରୁ ଦେଶରେ ଆଇନଅମାନ୍ୟ ବାତାବରଣ ଦେଖାଦିଏ । ଏହି ପରିସ୍ଥିତିରେ ସମୟ ଆସିଲେ ସରକାରଙ୍କର ଏକଛତ୍ର କ୍ଷମତା ସାହାଯ୍ୟରେ ଆଦାୟ କରାଯାଇଥିବା କର ନ ଦେବାକୁ ଲୋକଙ୍କୁ ପରାମର୍ଶ ଦେବାପାଇଁ ଆମେ ପଛେଇବୁ ନାହିଁ ।

 

ମୋର ଆଶା, ପ୍ରତିକ୍ଷେତ୍ରରେ ହୃଦୟ ପରିବର୍ତ୍ତନର ପ୍ରକୃତ ଚିହ୍ନ ମୁଁ ଦେଖୁଥିବାରୁ ଏଭଳି ସମୟ କେବେ ଆସିବ ନାହିଁ । କିନ୍ତୁ ଆମକୁ ବାସ୍ତବତାର ସମ୍ମୁଖୀନ ହେବାକୁ ପଡ଼ିବ, ଅର୍ଥାତ୍ ସମସ୍ତ ପ୍ରକାର ମିଳାମିଶାର ଆଶା ବିଫଳ ହେଲେ ହୁଏତ ଆମକୁ ଆଇନଅମାନ୍ୟ ଆନ୍ଦୋଳନର ଆଶ୍ରୟ ନେବାକୁ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହେବାକୁ ହେବ ଏବଂ ଜାଣିରଖିବା ଦରକାର ଯେ, ଆଇନ ଅମାନ୍ୟପାଇଁ ଆବଶ୍ୟକ ଦୃଢ଼ ସଂଗଠନ, ତ୍ୟାଗ କରିବାପାଇଁ ଅସୀମ ଶକ୍ତି ଏବଂ ସର୍ବୋପରି ଜାତିର ସମୂହ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ତଥା ସାମ୍ପ୍ରଦାୟିକ ସ୍ୱାର୍ଥକୁ ଭୁଲିଯିବାର ଶକ୍ତି । ମହାତ୍ମାଗାନ୍ଧିଙ୍କ ପ୍ରବର୍ତ୍ତିତ ଗଠନମୂଳକ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ଭାରତବର୍ଷ ଆଇନଅମାନ୍ୟ ପାଇଁ ପ୍ରସ୍ତୁତ ହେବାରେ ମୁଁ କମ୍ ଆଶା ଦେଖୁଛି । ଆମର ଉଦ୍ଦେଶ୍ୟ ଅର୍ଥାତ୍ ସ୍ୱାଧୀନତା ଲାଭ କରିବାକୁ ହେବ, ଏହା ଠିକ୍‍ଭାବରେ ମନେରଖିବା ଦରକାର ।

 

ଅନ୍ତିମ ନିବେଦନ ଓ ବାଣୀ

 

କିନ୍ତୁ ମୁଁ ଯାହା ପୂର୍ବରୁ କହିଛି ବର୍ତ୍ତମାନ ମଧ୍ୟ ତାହା କହୁଛି ଯେ ପ୍ରତି କ୍ଷେତ୍ରରେ ମୁଁ ସଦିଚ୍ଛାର ଚିହ୍ନ ଦେଖିବାକୁ ପାଉଛି । ବିଶ୍ୱ ଆଜି ସଂଘର୍ଷ ଯୋଗୁଁ କ୍ଳାନ୍ତି ଅନୁଭବ କରୁଥିବାରୁ ଚାରିଆଡ଼େ ଗଠନମୂଳକ କାର୍ଯ୍ୟ କରି ନିଜ ନିଜର ଆସ୍ଥାନ ମଜବୁତ୍ କରିବାପାଇଁ ଇଚ୍ଛା ପ୍ରକାଶ ପାଉଛି । ବିଶ୍ୱ ଇତିହାସରେ ଭାରତବର୍ଷର ମହାନ୍ ଅଂଶଗ୍ରହଣ କରିବାର ଅଛି ବୋଲି ମୋର ବିଶ୍ୱାସ । ତା’ର ନିର୍ଦ୍ଦିଷ୍ଟ ବାଣୀ ଦେବାର ଥିବାରୁ ମୁଁ ଯେଉଁ ମହାନ୍ ଜାତି ପୁଞ୍ଜ ବିଷୟରେ ପୂର୍ବରୁ କହିଛି ତହିଁରେ ତାହା ଦେବାକୁ ସେ ବ୍ୟଗ୍ର । ବ୍ରିଟିଶ ରାଷ୍ଟ୍ରନୀତିଜ୍ଞମାନେ ଏହି ସୁଯୋଗର ସୁବିଧା ନେବେ କି ? ସେମାନଙ୍କୁ ମୁଁ ଆଜି କହିବାକୁ ଚାହେଁ–ଆପଣମାନେ ଯେବେ ଚାହାନ୍ତି ତାହାହେଲେ ଆପଣ ଓ ଆମ ଉଭୟଙ୍କ ପ୍ରତି ଯେପରି ସମ୍ମାନଜନକ ହୁଏ ସେହିପରି ସର୍ତ୍ତରେ ଶାନ୍ତିପୂର୍ଣ୍ଣ ସମାଧାନ ହୋଇ ପାରିବ । ଭାରତବର୍ଷରେ ଥିବା ଇଂରେଜ ଲୋକମାନଙ୍କୁ ମୁଁ କହିବାକୁ ଚାହେଁ–ଆପଣମାନଙ୍କର ସ୍ୱାଧୀନତାର ଐତିହ୍ୟ ଥିବାରୁ ସେ ସମାଧାନ ସମୟରେ ଆପଣମାନଙ୍କ ପ୍ରତି ସୁବିଚାର କରାଯିବ ବୋଲି ଆମେ ଯେବେ ଜବାବ ଦେଉଁ, ତାହାହେଲେ ଆମ ଜାତୀୟ ସଂଗ୍ରାମରେ ସହଯୋଗ କରିବାକୁ ଆପଣମାନେ ଅସ୍ୱୀକାର କରିପାରିବେ ନାହିଁ । ବଙ୍ଗଳାର ଲୋକମାନଙ୍କୁ ମୁଁ କହିବାକୁ ଚାହେଁ–ରାଜନୈତିକ ସ୍ୱାଧୀନତା ହାସଲ କରିବାପାଇଁ ଆପଣମାନେ ଯଥେଷ୍ଟ ତ୍ୟାଗ କରିଥିବାରୁ ଆପଣମାନେ ସରକାରୀ କୋପଦୃଷ୍ଟିରେ ପଡ଼ିଛନ୍ତି । ଆପଣମାନଙ୍କର ରାଜନୈତିକ ଅସ୍ତ୍ର ତ୍ୟାଗ କରିବାର ସମୟ ଏପର୍ଯ୍ୟନ୍ତ ଆସିନାହିଁ । ପରିଶ୍ରମ କରି ଶୁଦ୍ଧପୂତଭାବେ ଯୁଦ୍ଧ କରନ୍ତୁ, ଯେପରିକି ଶାନ୍ତି ସମ୍ମିଳନୀରେ ସମାଧାନ ସମୟରେ ଆପଣମାନେ ସ୍ଥାନ ଗ୍ରହଣ କରିବା ସମୟରେ ଯାହାକି ହେବା ଅନିବାର୍ଯ୍ୟ ଆପଣମାନେ ଔଦ୍ଧତ୍ୟ ପ୍ରକାଶ କରି ସ୍ଥାନ ଗ୍ରହଣ ନ କରି ନମ୍ରତାର ସହ ଗ୍ରହଣ କରିବେ, ଯାହା ଫଳରେ ଆପଣମାନେ ବିପଦରେ ପଡ଼ିଥିବା ସମୟ ଅପେକ୍ଷା ବିଜୟ ଲାଭ ସମୟରେ ଅଧିକ ନମ୍ରଦା ପ୍ରକାଶ ପାଇଥିଲା ବୋଲି କୁହାଯାଇପାରିବ । ଜାତୀୟତା ହେଉଛି ଆତ୍ମବିକାଶ ଏବଂ ଆତ୍ମତୃପ୍ତିର ପନ୍ଥାସ୍ୱରୂପ । ଏହା ଲକ୍ଷ୍ୟ ନୁହେଁ । ମାନବ ସମାଜ ଯେପରି ନିଜକୁ ହୃଦୟଙ୍ଗମ ଓ ଉନ୍ନତ କରି ଚିହ୍ନିପାରେ ସେଥିପାଇଁ ଜାତୀୟତାର ଉତ୍ପତ୍ତି ଏବଂ ବିକାଶ ଅନାବଶ୍ୟକ । ଆପଣମାନେ ସମାଧାନର ସର୍ତ୍ତ ଆଲୋଚନା କରିବା ସମୟରେ ଆପଣଙ୍କ ନିଜର ଜାତୀୟତା ଗର୍ବରେ ମାନବ ସମାଜର ବୃହତ୍ତର ସ୍ୱାର୍ଥ ଭୁଲି ନ ଯିବାକୁ ଅନୁରୋଧ କରେ । ମୋର ପରିଷ୍କାର ଦୃଷ୍ଟି ଓ ଉଦ୍ଦେଶ୍ୟ ଅଛି । ଭାରତର ରାଷ୍ଟ୍ର ନିଜ ନିଜ ଲୋକଙ୍କର ଐତିହ୍ୟ ଓ ସଂସ୍କୃତିର ସ୍ୱାତନ୍ତ୍ର୍ୟ ବଜାୟ ରଖି ରାଷ୍ଟ୍ରସଙ୍ଘ ଭୁକ୍ତ ହେବା ମୁଁ ଚାହେଁ ଯେପରି କି ସମସ୍ତେ ପ୍ରତ୍ୟେକଙ୍କ ସାହାଯ୍ୟରେ ଆସିବା ସମୟରେ ବିଶ୍ୱର ଜନତା ମଧ୍ୟରେ ଶାନ୍ତି, ଐକ୍ୟ ଏବଂ ଆଶାର ଉଦ୍ଦେଶ୍ୟ ନେଇ ସମାଜର ସେବା ଉଦ୍ଦେଶ୍ୟରେ ଗଠିତ ହେବାକୁ ଯାଉଥିବା ମହାନ୍ ରାଷ୍ଟ୍ରସଙ୍ଘ ମଧ୍ୟରେ ଏହି ରାଷ୍ଟ୍ରସଙ୍ଘ ସ୍ଥାନ ପାଇପାରିବ ।

 

–ବନ୍ଦେ ମାତରମ୍

 

ଅକ୍‍ଟୋବର ୮–ବଙ୍ଗ ବିଚ୍ଛେଦଜନିତ ବର୍ଜନ ଆନ୍ଦୋଳନ ଯୋଗୁଁ ମୁଖ୍ୟ ମାରୁଆଡ଼ି ବ୍ୟବସାୟୀମାନେ, ମାଞ୍ଚେଷ୍ଟରର ମିଲ୍ ମାଲିକମାନେ ବରାଦ କରିଥିବା କପା ଜିନିଷ ପଠାଇବାକୁ ଅସ୍ୱୀକାର କଲେ ।

 

ଅକ୍‍ଟୋବର ୧୦–କୌଣସି ଛାତ୍ର ପିକେଟିଂରେ ଭାଗ ନେଇ ପାରିବେ ନାହିଁ ବୋଲି ବଙ୍ଗଳା ସରକାରଙ୍କ ପକ୍ଷରୁ ମିଷ୍ଟର୍ କାର୍ଲି ଇସ୍ତାହାର ପ୍ରକାଶ କଲେ ।

 

ଅକ୍‍ଟୋବର ୧୨–ବଙ୍ଗ ବିଚ୍ଛେଦ ସମ୍ପର୍କୀୟ ସମସ୍ତ କାଗଜପତ୍ର ସରକାରୀଭାବେ ପ୍ରକାଶିତ ହେଲା ।

 

ଅକ୍‍ଟୋବର ୧୬–ନୂତନ ଭାବରେ ହୋଇଥିବା ପୂର୍ବବଙ୍ଗ ଏବଂ ଆସାମ ପ୍ରଦେଶ ସିଲଙ୍ଗରେ ପ୍ରଥମ ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର୍ ବ୍ୟାମ୍ ଫିଲଡ଼ ଫୁଲର ବିଧିବଦ୍ଧଭାବେ ଉଦ୍‍ଘାଟନ କଲେ । ସ୍ୱର୍ଗୀୟ ମିଷ୍ଟର୍ ଏ.ଏମ. ବୋଷଙ୍କ ସଭାପତିତ୍ୱରେ ସମଗ୍ର ବଙ୍ଗ ଦେଶରେ ଦୁଃଖ ଦିବସ ଏବଂ ପୁନର୍ମିଳନ ଦିବସ ପାଳନ କରାଯାଇ Federation Hallର ଭିତ୍ତି ପଡ଼ିଲା ।

 

ନଭେମ୍ୱର ୧–ସମଗ୍ର ପ୍ରଦେଶରେ ବଙ୍ଗର ଐକ୍ୟପାଇଁ ଦାବି କରାଯାଇ ଘୋଷଣା କରାଗଲା ।

 

ନଭେମ୍ୱର ୮–ସାଧାରଣ ସ୍ଥାନରେ ବନ୍ଦେ ମାତରଂ ଧ୍ୱନି ନ ଦେବାପାଇଁ ସାର୍ ବି. ଫୁଲରଙ୍କ Chief Secretary ମିଷ୍ଟର୍ ପି.ସି. ଲିଅନ ଇସ୍ତାହାର ପ୍ରକାଶ କଲେ ।

 

୧୯୦୬

 

ଜାନୁୟାରୀ ୧୨–Indian Association ପକ୍ଷରୁ ଦେଖା କରିଥିବା ପ୍ରତିନିଧି ଦଳକୁ ବଙ୍ଗ ବିଚ୍ଛେଦ ନିଷ୍ପତ୍ତି ଆଉ ବଦଳି ପାରିବ ନାହିଁ ବୋଲି ଲର୍ଡ଼ ମିଣ୍ଟୋ ଜବାବ ଦେଲେ ।

 

ଅପ୍ରେଲ ୧୫–ଜିଲ୍ଲା ମାଜିଷ୍ଟ୍ରେଟ ମିଷ୍ଟର୍ ଇମରସନଙ୍କ ଆଦେଶରେ ବରିସାଲ ସମ୍ମିଳନୀ ଭାଙ୍ଗି ଦିଆଗଲା ।

 

ଅକ୍‍ଟୋବର ୨୭–ମୈମନ ସିଙ୍ଗରେ କେତେକ ଭଦ୍ରଲୋକ ଏବଂ ଛାତ୍ରଙ୍କ ଉପରେ ପୋଲିସ୍ ପକ୍ଷରୁ ଅକଥନୀୟ ଅତ୍ୟାଚାର କରାଗଲା ।

 

୧୯୦୭

 

ଜାନୁଆରୀ ୧–କଲିକତା ମୈଦାନରେ ଥିବା ମହାରାଣୀ ଭିକ୍ଟୋରିଆଙ୍କ ମୂର୍ତ୍ତି ଭାଙ୍ଗି ଦିଆଗଲା ।

 

ମେ ୯–ଲାଲା ଲଜପତ ରାୟଙ୍କୁ ୧୮୧୮ ମସିହା ୩ୟ ରେଗୁଲେସନ୍ ଅନୁଯାୟୀ ଗିରଫ୍ କରାଯାଇ ଦେଶରୁ ବିଦାୟ କରି ଦିଆଗଲା ।

 

ମେ ୨୦–ସିରାଜଗଞ୍ଜଠାରେ ହିନ୍ଦୁମାନଙ୍କ ମଧ୍ୟରେ ଅତିରିକ୍ତ ଭୟ ଦେଖା ଦେବାରୁ ଗୁର୍ଖା ସୈନ୍ୟବାହିନୀ ଆସି ପହଞ୍ଚିଲେ ।

 

ଜୁନ୍ ୧୭–ଅମୃତସର ଜିଲାରେ ସାଧାରଣସଭା ଅର୍ଡ଼ିନାନ୍‍ସ ଜାରି ହେଲା ଏବଂ ‘‘ହିନ୍ଦୁସ୍ଥାନ’’ ସମ୍ୱାଦପତ୍ରର ସମ୍ପାଦକଙ୍କୁ ଗିରଫ୍ କରି ହାତକଡ଼ି ଦିଆଯାଇ ନିଆଗଲା ।

 

ଜୁଲାଇ ୧୧–ମିଷ୍ଟର୍ ପୃଥ୍ୱୀଶ୍ଚନ୍ଦ୍ର ରାୟଙ୍କ ସଭାପତିତ୍ୱରେ ହେବାକୁ ଆୟୋଜିତ ହୋଇଥିବା ଫରିଦ୍‍ପୁର ଜିଲା ସମ୍ମିଳନୀ ହୋଇ ପାରିବ ନାହିଁ ବୋଲି ବାରଣ କରାଗଲା ।

 

ଅକ୍‍ଟୋବର ୨–ବିଡ଼ନ୍ ସ୍କୋୟାରରେ ହୋଇଥିବା ସ୍ୱଦେଶୀ ସଭା ପୋଲିସ୍ ଭାଙ୍ଗିଦେଇ ଲୋକମାନଙ୍କ ଉପରେ ଅତ୍ୟାଚାର କରି ରାତିରେ ପାଖଆଖ ଦୋକାନ ଲୁଟ କଲେ ।

 

ଅକ୍‍ଟୋବର ୧୦–ପ୍ରେସିଡ଼େନ୍‍ସି ମାଜିଷ୍ଟ୍ରେଟ ମିଷ୍ଟର୍ ସିନ୍‍ହାଙ୍କ ଆଦେଶ ଅନୁଯାୟୀ କଲିକତାରେ ଗ୍ରୀକ୍‍ପାର୍କ୍‍ଛଡ଼ା ଆଉ କେଉଁଠି ସଭା ହୋଇ ପାରିବ ନାହିଁ ବୋଲି ହୁକୁମ ଦିଆଗଲା ।

 

ନଭେମ୍ୱର ୧–ରାଜଦ୍ରୋହାତ୍ମକ ସଭା ବିଲ୍ ଆଇନରେ ପରିଣତ ହେଲା ।

 

ଡିସେମ୍ୱର ୨୬–ଭାରତ ଜାତୀୟ କଂଗ୍ରେସର ସୁରାଟରେ ହୋଇଥିବା ତ୍ରୟୋବିଂଶ ଅଧିବେଶନ ଭାଙ୍ଗିଗଲା ।

 

୧୯୦୮

 

ଫେବୃଆରୀ ୩–ମୈମନସିଙ୍ଗ୍ ଜିଲାକୁ ୩ ଭାଗରେ ବିଭକ୍ତ କରିବାପାଇଁ ଘୋଷଣା କରାଗଲା ।

 

ଅପ୍ରେଲ ୩୦–ମୋଜାଫରପୁରରେ ମିସେସ୍ ଓ ମିସ୍ କେନେଡ଼ିଙ୍କୁ ବୋମା ପକାଗଲା ।

 

ମେ ୧–(୧) ମାଣିକତୋଳା ବୋମା ଷଡ଼ଯନ୍ତ୍ର ମୋକଦ୍ଦମା ଆସାମୀମାନଙ୍କୁ ଗିରଫ୍ କରାଗଲା ।

 

(୨) ମିସେସ୍ ଏବଂ ମିସ୍ କେନେଡ଼ିଙ୍କ ହତ୍ୟାରେ ସଂପୃକ୍ତ ଥିବା ସନ୍ଦେହ କରି ଖୁଦିରାମ ବୋଷଙ୍କୁ ଗିରଫ୍ କରାଗଲା ।

 

ମେ ୨–(୧) ହେମଚନ୍ଦ୍ର ଦାସଙ୍କୁ ୩।୪ ରାଜା ନବକିସନ ଷ୍ଟ୍ରିଟ୍‍ରେ ଗିରଫ୍ କରାଗଲା । ସେମାନଙ୍କ ବୋମା ଷଡ଼ଯନ୍ତ୍ର ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରି ‘‘ନବଶକ୍ତି’’ ଅଫିସ୍‍ରେ ଉକ୍ତ ପତ୍ରିକାର ପରିଚାଳକ ଏବଂ ସହକାରୀ ପରିଚାଳକ ଶୈଳେନ୍ଦ୍ରନାଥ ବୋଷ ଓ ଅବିନାସଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଏବଂ ଅରବିନ୍ଦ ଘୋଷଙ୍କୁ ଗିରଫ୍ କରାଗଲା ।

 

(୨) ୩୨ ମୁରାରୀପୁକୁରରୋଡ଼ରେ ଥିବା ଗୋଟିଏ ବଗିଚା ଘରେ ମିଳିଥିବା ବୋମା ଏବଂ ଅନ୍ୟାନ୍ୟ ବିସ୍ଫୋରଣ ଦ୍ରବ୍ୟସହ ବାରୀନ୍ଦ୍ରକୁମାର ଘୋଷ, ଉଲ୍ଲାସକର ଦତ୍ତ ଏବଂ ଅନ୍ୟ ୧୦ ଜଣଙ୍କୁ ଗିରଫ୍ କରାଗଲା ।

 

ମେ ୩–ମିସେସ୍ ଏବଂ ମିସ୍ କେନେଡ଼ିଙ୍କୁ ହତ୍ୟା କରିଥିବା ସନ୍ଦେହରେ ପ୍ରଫୁଲ୍ଲଚନ୍ଦ୍ର ଚାକିଙ୍କୁ ମୋକାମାରେ ଗିରଫ୍ କରାଯାଉଥିବା ସମୟରେ ସେ ନିଜକୁ ନିଜେ ବନ୍ଧୁକରେ ଆତ୍ମହତ୍ୟା କଲେ ।

 

ମେ ୫–ଶ୍ରୀରାମପୁରରେ ମାଣିକତୋଳା ବୋମା ଷଡ଼ଯନ୍ତ୍ର ସମ୍ପର୍କରେ ନରେନ୍ଦ୍ରନାଥ ଗୋସ୍ୱାମୀଙ୍କୁ ଗିରଫ୍ କରାଗଲା ।

 

ମେ ୬–କୁଷ୍ଠିଆରେ ମିଷ୍ଟର୍ ହକିନ୍‍ବୋଥନ୍ ନାମକ ଜଣେ ଖ୍ରୀଷ୍ଟିଆନ ପାଦ୍ରୀଙ୍କୁ ହତ୍ୟା ଅଭିଯୋଗରେ ୫ ଜଣ ବଙ୍ଗାଳୀ ହିନ୍ଦୁଙ୍କୁ ଗିରଫ୍ କରାଗଲା ।

 

ମେ ୧୫–କଲିକତା ଗ୍ରେ ଷ୍ଟ୍ରିଟ୍‍ରେ ଟ୍ରାମ୍‍ଲାଇନ୍‍ରେ ବୋମା ଫୁଟିବା ଫଳରେ ୪ ଜଣ ଆହତ ହେଲେ ।

 

ମେ ୨୪–ହାଓଡ଼ା ଷ୍ଟେସନ୍‍ରେ ଗୋଟିଏ ପ୍ୟାସେଞ୍ଜର ଡବାରୁ ୨ ଗୋଟି ବୋମା ବାହାରିଲା ।

 

ଜୁନ୍ ୨–ଢାକାର ବାର୍‍ହା ନାମକ ସ୍ଥାନରେ ୪ ଜଣ ସଶସ୍ତ୍ର ଲୋକ ୩୦୦ ଗ୍ରାମବାସୀଙ୍କ ସହିତ ସଶସ୍ତ୍ର ଡକାୟତି କରିବା ଉଦ୍ଦେଶ୍ୟରେ ଯୁଦ୍ଧକରି ୪ ଜଣଙ୍କୁ ମାରିଦେଲେ ।

 

ଜୁନ୍ ୮–ସମ୍ୱାଦପତ୍ର ଆଇନ ଓ ବିସ୍ଫୋରଣ ଦ୍ରବ୍ୟ ଆଇନ ଗଭର୍ଣ୍ଣର ଜେନେରାଲ ଇନ୍ କାଉନ୍‍ସିଲ୍‍ଙ୍କଦ୍ୱାରା ପାସ୍ ହେଲା ।

 

ଜୁନ୍ ୨୧–କାକନଡ଼ାରେ ରେଲର ୨ୟ ଶ୍ରେଣୀରେ ବୋମା ପକାଯାଇଁ ଜଣେ ଇଉରୋପୀୟ ଯାତ୍ରୀଙ୍କୁ ଭୀଷଣଭାବେ ଆଘାତ କରାଗଲା ।

 

ଜୁନ୍ ୨୨–ମାଣିକତୋଳା ବୋମା ମୋକଦ୍ଦମାର ଜଣେ ଆସାମୀ ନରେନ୍ଦ୍ରନାଥ ଗୋସ୍ୱାମୀ ରାଜପକ୍ଷର ସାକ୍ଷୀ ପାଲଟିଯାଇ ବିବୃତି ଦେବା ଫଳରେ ଅରବିନ୍ଦ ଘୋଷ ଏବଂ ବଙ୍ଗଳାର ଅନ୍ୟାନ୍ୟ ବିଖ୍ୟାତ ଲୋକମାନଙ୍କୁ ଉକ୍ତ ଡକାୟତି ଏବଂ ଖୁଣି କରିବାପାଇଁ ଚେଷ୍ଟା ମୋକଦ୍ଦମାରେ ସଂପୃକ୍ତ କରାଗଲା ।

 

ଅଗଷ୍ଟ ୨–ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ହୋଇଥିବା ହରିସେନ୍ ରୋଡ଼ ମୋକଦ୍ଦମାରେ ୬ ଜଣ ଆସାମୀଙ୍କ ମଧ୍ୟରୁ ନଗେନ୍, ଧରଣୀ ଗୁପ୍ତ ଏବଂ ଉଲ୍ଲାସକର ଦତ୍ତ ପ୍ରତ୍ୟେକଙ୍କୁ ୭ ବର୍ଷ କରି ସଶ୍ରମ କାରାଦଣ୍ଡ ଦିଆଯାଇ ଅନ୍ୟମାନଙ୍କୁ ଖଲାସ କରି ଦିଆଗଲା ।

 

ଅଗଷ୍ଟ ୧୧–ଖୁଦିରାମ ବୋଷଙ୍କୁ ଫାଶୀ ଦିଆଗଲା ।

 

ଅଗଷ୍ଟ ୧୨–ଚନ୍ଦନନଗର ଷ୍ଟେସନ୍ ନିକଟରୁ ୨ଟି ବୋମା ବାହାରିଲା ।

 

ଅଗଷ୍ଟ ୧୮–ନାରାଜୋଲ୍‍ର ରାଜା ନରେନ୍ଦ୍ରଲାଲ୍ ଖାଁ ଏବଂ ମେଦିନୀପୁରର ଅନ୍ୟ ୮ ଜଣ ସମ୍ମାନସ୍ପଦ ଲୋକଙ୍କୁ ମେଦିନୀପୁରରେ ଥିବା ସମସ୍ତ ଇଉରୋପୀୟ କର୍ମଚାରୀଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ଗିରଫ୍ କରାଗଲା । ସେମାନଙ୍କୁ ସେପ୍‍ଟେମ୍ୱର ୧୮ ତାରିଖ ଦିନ ଜାମିନ୍‍ରେ ଖଲାସ କରାଯାଇ ସେମାନଙ୍କ ବିରୁଦ୍ଧରେ ଚାଲିଥିବା ମୋକଦ୍ଦମା ମାନ୍ୟବର ଏସ୍.ପି. ସିହ୍ନାଙ୍କଦ୍ୱାରା ଡିସେମ୍ୱର ୯ ତାରିଖରେ ଉଠାଇ ନିଆଗଲା ।

 

ଅଗଷ୍ଟ ୩୧–ମାଣିକତୋଳା ବୋମା ଷଡ଼ଯନ୍ତ୍ର ମୋକଦ୍ଦମାରେ ସରକାରୀ ସାକ୍ଷୀ ହୋଇଥିବା ନରେନ୍ଦ୍ରନାଥ ଗୋସ୍ୱାମୀଙ୍କୁ ଆଲିପୁର ଜେଲରେ ହତ୍ୟା କରାଗଲା ।

 

ସେପ୍‍ଟେମ୍ୱର ୮–ମିଷ୍ଟର୍ ଦାଦାଭାଇ ନାରୋଜୀ ଭରସୋଭାରୁ ଦେଶବାସୀଙ୍କୁ ହିଂସାତ୍ମକ କାର୍ଯ୍ୟ ନ କରିବାକୁ ଆହ୍ୱାନ ଦେଇ ବାଣୀ ପଠାଇଥିଲେ ।

 

ସେପ୍‍ଟେମ୍ୱର ୨୦–ମିଷ୍ଟର୍ ତିଳକଙ୍କୁ ରାଜଦ୍ରୋହାତ୍ମକ କାର୍ଯ୍ୟଯୋଗୁଁ ଦିଆଯାଇଥିବା ୧୦ ବର୍ଷ ଦ୍ୱୀପାନ୍ତର ଦଣ୍ଡ ବମ୍ୱେ ସରକାରଙ୍କଦ୍ୱାରା ୬ ବର୍ଷ ବିନାଶ୍ରମ ଜେଲଦଣ୍ଡରେ ପରିଣତ କରାଗଲା ।

 

ଅକ୍‍ଟୋବର ୧୪–କଲିକତାର Chief Presidency Magistrate ଓ ଚବିଶ ପ୍ରଗନାର ଜିଲା ମାଜିଷ୍ଟ୍ରେଟ ସେମାନଙ୍କ ଅଧୀନସ୍ଥ ଅଞ୍ଚଳରେ ସଭା ହୋଇ ପାରିବ ନାହିଁ ବୋଲି ଯେଉଁ ଆଦେଶ ଦେଇଥିଲେ ସେହି ଆଦେଶ ଅକ୍‍ଟୋବର ୨୨ ତାରିଖଠାରୁ ଆଉ ଅଧିକ ୬ ମାସ ବଳବତ୍ତର ରହିବ ବୋଲି ବଙ୍ଗଳା ସରକାର ଇସ୍ତାହାର ପ୍ରକାଶ କଲେ ।

 

ନଭେମ୍ୱର ୭–କଲିକତାର ଓଭରଟନ୍ ହଲରେ ହୋଇଥିବା ସଭାରେ ବଙ୍ଗଳାର ଜଙ୍ଗିଲାଟ ସାର୍ ଆଣ୍ଡ୍ରୁଫ୍ରେଜରଙ୍କୁ ମାରି ଦେବାପାଇଁ ଜୀତେନ୍ଦ୍ରନାଥ ରାୟ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଚେଷ୍ଟା କଲେ ।

 

ନଭେମ୍ୱର ୯–ପ୍ରଫୁଲ୍ଲ ଚାକିଙ୍କୁ ଗିରଫ୍ କରିବାପାଇଁ ଚେଷ୍ଟା କରିଥିବା ବଙ୍ଗଳାର ସି.ଆଇ.ଡି ବିଭାଗର ନନ୍ଦଲାଲ ବାନାର୍ଜୀଙ୍କୁ କଲିକତାର ଗୋଟିଏ ଗଳିରେ ହତ୍ୟା କରାଗଲା ।

 

ନଭେମ୍ୱର ୧୦–ଆଲିପୁର କେନ୍ଦ୍ର ଜେଲରେ କାନାଇଲାଲ ଦତ୍ତଙ୍କୁ ଫାଶୀ ଦିଆଗଲା ଏବଂ ତାଙ୍କର ଶବକୁ ବହୁସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାଧାରଣରେ ସମ୍ମାନ ସହକାରେ ସଂସ୍କାର କରାଗଲା ।

 

ନଭେମ୍ୱର ୨୩–ନରେନ୍ଦ୍ରନାଥ ଗୋସ୍ୱାମୀଙ୍କୁ ହତ୍ୟାକରିଥିବା ଅଭିଯୋଗରେ ସତ୍ୟେନ୍ଦ୍ରନାଥ ବୋଷଙ୍କୁ ଆଲିପୁର କେନ୍ଦ୍ର ଜେଲରେ ଫାଶୀ ଦିଆଗଲା ।

 

ନଭେମ୍ୱର ୩୦–ମିଷ୍ଟର୍ ଗୋଖଲେ ବିଲାତରେ ନିଉ ରିଫର୍ମ କ୍ଲବ୍‍ରେ ବକ୍ତୃତା ଦେଇ ଘୋଷଣା କଲେ ଯେ ଭାରତର ଅବସ୍ଥା ଅତି ଭୟାବହ ହୋଇଥିବାରୁ ବଙ୍ଗ ବିଚ୍ଛେଦ ବାତିଲ ଏବଂ ସମସ୍ତ ରାଜନୈତିକ ବନ୍ଦୀଙ୍କର ମୁକ୍ତି କରା ନ ଗଲେ ବଙ୍ଗଳାରେ ଶାନ୍ତି ହେବନାହିଁ ।

 

ଡିସେମ୍ୱର ୧–ଫ୍ରାନ୍‍ସରୁ ଭାରତବର୍ଷକୁ ରାଜଦ୍ରୋହାତ୍ମକ ବହିପତ୍ର ଯେପରି ନ ଆସେ ତାହାର ବ୍ୟବସ୍ଥା କରିବାକୁ ମିଷ୍ଟର୍ ରି କମନ୍‍ସ ସଭାରେ ପ୍ରସ୍ତାବ କଲେ ।

 

ଡିସେମ୍ୱର ୧୧–(୧) ଭାରତୀୟ ବ୍ୟବସ୍ଥାପକ ସଭାର ଗୋଟିଏ ବୈଠକରେ ରାଜନୈତିକ ବନ୍ଦୀମାନଙ୍କର ଶୀଘ୍ର ବିଚାର ଏବଂ କେତେକ ସଂଗଠନକୁ ବେଆଇନ ଘୋଷଣା କରିବାପାଇଁ ଗୋଟିଏ ସ୍ୱତନ୍ତ୍ର ଆଇନ କରାଗଲା ।

 

(୨) ୧୮୧୮ର ୩ୟ ରେଗୁଲେସନ୍ ଅନୁଯାୟୀ କୃଷ୍ଣକୁମାର ମିତ୍ରଙ୍କୁ ଗିରଫ୍ କରାଯାଇ ଦ୍ୱୀପାନ୍ତର କରାଗଲା ।

 

ଡିସେମ୍ୱର ୧୩–୧୮୧୮ ତୃତୀୟ Regulation ଅନୁଯାୟୀ ଅଶ୍ୱିନୀକୁମାର ଦତ୍ତ, ସୁବୋଧଚନ୍ଦ୍ର ମଲ୍ଲିକ ଏବଂ ଅନ୍ୟ ୫ ଜଣଙ୍କୁ ଗିରଫ୍ କରାଯାଇ ଦ୍ୱୀପାନ୍ତର କରାଗଲା ।

 

୧୯୦୯

 

ଜାନୁୟାରୀ ୬–ପୂର୍ବବଙ୍ଗର ବହୁ ଅନୁଷ୍ଠାନକୁ ନୂତନ ଦଣ୍ଡବିଧି ଆଇନ ଅନୁଯାୟୀ ବେଆଇନ ଘୋଷଣା କରାଗଲା ।

 

ଫେବୃୟାରୀ ୧୦–ଚାରୁଚନ୍ଦ୍ର ବସୁ ନାମକ ଜଣେ ଲୋକ ଆଲିପୁର ମାଜିଷ୍ଟ୍ରେଟ କୋର୍ଟ ଭିତରେ ୨୪ ପ୍ରଗନାର ସରକାରୀ ଓକିଲବାବୁ ଆଶୁତୋଷ ବିଶ୍ୱାସଙ୍କୁ ଜୀବନରେ ମାରିଦେଲେ ।

 

ମାର୍ଚ୍ଚ ୨–ରୁଷିଆରେ ଚାଲିଥିବା ଅତ୍ୟାଚାର ଏବଂ ଭାରତବର୍ଷରେ ଚାଲିଥିବା ଅତ୍ୟାଚାର ମଧ୍ୟରେ କ’ଣ ପ୍ରଭେଦ ବୋଲି ମିଷ୍ଟର୍ ଲାଫ୍‍ଟନ୍ ପଚାରିବାରୁ ସରକାରୀ ଭାରତମନ୍ତ୍ରୀ କୌଣସି ଜବାବ ଦେଲେ ନାହିଁ ।

ଅପ୍ରେଲ ୧୦–କଲିକତାର ଖୋଲା ଜାଗାମାନଙ୍କରେ ସୂର୍ଯ୍ୟାସ୍ତର ଅଧଘଣ୍ଟାକ ମଧ୍ୟରେ କୌଣସି ସଭାହୋଇ ପାରିବ ନାହିଁ ବୋଲି ଜାରି କରାଯାଇଥିବା ହୁକୁମର ପରମାୟୁ ଅଧିକା ବର୍ଷେ ବୃଦ୍ଧି କରାଗଲା ।

 

ମେ ୬–ଆଲିପୁର ବୋମା ମୋକଦ୍ଦମାର ରାୟ ଜଷ୍ଟିସ୍ ବିଚକ୍ରାଫ୍‍ଟ ଦେଲେ ।

 

ମଲେମିଣ୍ଟୋ ଶାସନସଂସ୍କାର ଗ୍ରହଣ କରି ଖରାଦିନେ ଭାରତୀୟ ବ୍ୟବସ୍ଥାପକ ସଭା ଆଇନ ସଂଶୋଧନ କରାଗଲା ।

 

୧୯୧୦

 

ମର୍ଲେ–ମିଣ୍ଟୋ ଶାସନସଂସ୍କାର ପ୍ରବର୍ତ୍ତନ କରାଗଲା ।

 

୧୯୧୦ଠାରୁ ଏପର୍ଯ୍ୟନ୍ତ ଘଟିଥିବା ମୁଖ୍ୟଘଟଣା ଆପଣମାନଙ୍କ ମନେଥିବ ଭାବି ମୁଁ ଏଠାରେ ଉଲ୍ଲେଖ କରୁନାହିଁ । ଏହି ସମୟର ଘଟଣାମାନ ହେଉଛି ୧୯୧୨ ମସିହାରେ ବଙ୍ଗବିଚ୍ଛେଦ ବାତିଲ, ରାଜକୀୟ ଶୋଭାଯାତ୍ରାରେ ଯାଉଥିବା ସମୟରେ ଦିଲ୍ଲୀ ଚାନ୍ଦିନୀଚୌକରେ ଲର୍ଡ଼ହାର୍ଡ଼ିଞ୍ଜଙ୍କ ନିକଟକୁ ବୋମା ନିକ୍ଷେପ, ଭାରତ ରକ୍ଷା ଆଇନବଳରେ ଅଟକବନ୍ଦୀ, ରାଓଲଟ୍ ଆଇନ; ଜାଲିଆନାବାଗ ଦୁର୍ଘଟଣା ଏବଂ କୋମା ଗାତାମାରୁ ଘଟଣା ।

 

ଏଥିରୁ ପରିଷ୍କାର ଭାବରେ ଜଣାଯିବ ଯେ ବୈପ୍ଳବିକ ଆନ୍ଦୋଳନ ଫଳରେ ଅତ୍ୟାଚାର ଉପରେ ଅତ୍ୟାଚାର କରାଗଲା ଏବଂ ବ୍ରିଟିଶ ସରକାର ଭଲ କାର୍ଯ୍ୟ କରୁଛନ୍ତି ବୋଲି ଯେତେବେଳେ ପ୍ରକାଶ କଲେ ତାହା ସଙ୍ଗେ ସଙ୍ଗେ ମଧ୍ୟ ଅତ୍ୟାଚାରମୂଳକ କାର୍ଯ୍ୟ କରିବାକୁ ଛାଡ଼ୁ ନଥିଲେ ।

 

ମହାତ୍ମାଗାନ୍ଧି ଏବଂ ଅହିଂସା

 

ଜାଲିଆନାଓ୍ୟାଲାବାଗ ଅତ୍ୟାଚାର ପରେ ନୂତନ ଯୁଗ ଆରମ୍ଭ ହେଲା ଏବଂ ମହାତ୍ମାଗାନ୍ଧି ଭାରତର ସ୍ୱାଧୀନତା ଲାଭପାଇଁ ଅହିଂସାତ୍ମକ ଉପାୟରେ କାର୍ଯ୍ୟ କରିବାକୁ ପ୍ରଚାର କଲେ । ସମଗ୍ର ଭାରତ ଏହା ଗ୍ରହଣ କରିଛି ବୋଲି ଆମକୁ ଧରିବାକୁ ହେବ ଏବଂ ହିଂସାର ବିଫଳତା ମୁଁ ସରକାର ତଥା ମୋର ବିପ୍ଳବୀ ବନ୍ଧୁମାନଙ୍କ ନିକଟରେ ପ୍ରକାଶ କରୁଛି ।

 

ନୂତନ ବଙ୍ଗଳା ଅର୍ଡ଼ିନାନ୍‍ସ ଓ ଅଟକ

 

ଏହି ନୂତନ ଅର୍ଡ଼ିନାନ୍‍ସଦ୍ୱାରା ଭାରତୀୟ ଲୋକଙ୍କ ଉପରେ ହିଂସାତ୍ମକ କାର୍ଯ୍ୟକରିବାକୁ ଲଦି ଦିଆଯାଇଛି । ସମଗ୍ର ଭାରତ ଏକସ୍ୱରରେ ଏହାର ନିନ୍ଦା କରିଛି ଏବଂ ମୁଁ ଯେତେ ସଂଯତ ଭାବରେ ସୌଜନ୍ୟ ରଖି ଏହି ସମ୍ପର୍କରେ ମୋର ମତ ପ୍ରକାଶ କରିବାକୁ ଚାହେଁ ତାହା କରିପାରିବି କି ନାହିଁ, ସେ ବିଷୟରେ ମୋର ବିଶ୍ୱାସ ନାହିଁ । ମୁଁ ଏତିକି କହିଲେ ଯଥେଷ୍ଟ ହେବ ଯେ ମୁଁ ବିନା ଦ୍ୱିଧାରେ ଏହାର ନିନ୍ଦାକରିବା ସଙ୍ଗେ ସଙ୍ଗେ ଲର୍ଡ଼ ବର୍‍କେନ୍‍ହେଡ଼୍ ମୋତେ ସରକାରଙ୍କ ଅତ୍ୟାଚାରମୂଳକ କାର୍ଯ୍ୟରେ ସହଯୋଗ କରିବାପାଇଁ ଯେତେବେଳେ କହିଲେ ସେତେବେଳେ ଜଣେ ଭାରତୀୟ ପକ୍ଷରେ ଯାହା ଉତ୍ତରଦେବା ସମ୍ଭବ କେବଳ ତାହାହିଁ ମୁଁ କହିଛି ।

 

ଆପଣମାନଙ୍କର ମନେଥିବ ଯେ ଏହି ଅର୍ଡ଼ିନାନ୍‍ସଦ୍ୱାରା କେବଳ ଦୋଷୀମାନଙ୍କ ଛଡ଼ା ଆଉ କାହାରି କ୍ଷତି ହେବନାହିଁ ବୋଲି ଲର୍ଡ଼ ବର୍‍କେନ୍‍ହେଡ଼୍ ମତ ପ୍ରକାଶ କରିଥିଲେ । ମୁଁ ଏଠାରେ କହିପାରେ କି ଏହା କହିବାଦ୍ୱାରା ବଡ଼ଲାଟ ସମସ୍ତ ପ୍ରଶ୍ନକୁ ଗୋଳେଇ ଦେବାକୁ ଚାହାନ୍ତି । ଯେଉଁମାନେ ଏହି ଅର୍ଡ଼ିନାନ୍‍ସ ଅଧୀନରେ ଅଟକ ହୋଇଛନ୍ତି ସେମାନେ ଦୋଷୀ ବୋଲି ଆମେ ଅସ୍ୱୀକାର କରୁଛୁ ଏବଂ ସେମାନେ ଦୋଷୀ କି ନୁହନ୍ତି ଏହା ସାବ୍ୟସ୍ତ କରିବାର ଏକମାତ୍ର ଉପାୟ ହେଉଛି ସେମାନଙ୍କର ପ୍ରକାଶ୍ୟରେ ବିଚାର କରି ଗୁପ୍ତତଥ୍ୟ ଉପରେ ଚୁପ୍‍ଚାପ୍ ବିଚାର ନ କରି ପ୍ରକାଶ୍ୟ ଅଦାଲତରେ ଯେପରି ସାକ୍ଷ୍ୟ ପ୍ରମାଣ ଦିଆଯାଇ ବିଚାର କରାଯାଏ ସେହିଭଳି ବିଚାର କରିବା ଆବଶ୍ୟକ । ଯେଉଁ ନିରାପତ୍ତା ବିଷୟରେ ବିଲାତ ସାମ୍ବିଧାନିକ ଇତିହାସରେ ବହୁ ମନୀଷୀ ଆଲୋଚନା କରିଛନ୍ତି, ତାହା ହେଉଛି ଶାସନ କରୁଥିବା ସରକାର ନିଜକୁ ବିଚାରାଳୟ ବୋଲି ଘୋଷଣା କରି ବିଚାରାଳୟର ସମସ୍ତ କ୍ଷମତା ନିଜହାତରେ ରଖିଲେ ନିରାପତ୍ତା ଯେପରି ବିପନ୍ନ ହୁଏ ଏହା ହେଉଛି ତାହା ।

 

ସରକାର ତାଙ୍କର ଅତ୍ୟାଚାରମୂଳକ ନୀତିକୁ ଠିକ୍ ବୋଲି ପ୍ରମାଣ କରିବାକୁ ଯାଇ ଯେଉଁସବୁ ବିଷୟ ଅବତାରଣା କରିଛନ୍ତି ମୁଁ ସେ ସବୁ ଆଲୋଚନା କରି ଆପଣଙ୍କର ସମୟ ନଷ୍ଟ କରିବାକୁ ଚାହେଁନାହିଁ । ଯେବେ ସରକାର ତାଙ୍କର ଅନ୍ୟାୟ ନୀତି ବଦଳାଇବା ପାଇଁ କୌଣସି ଦାବି କରାଯାଇ ନାହିଁ ବୋଲି ଆପଣମାନଙ୍କର କାହାରି ସନ୍ଦେହ ଥାଏ ତାହାହେଲେ ବଙ୍ଗଳା ଅର୍ଡ଼ିନାନ୍‍ସ ସମ୍ପର୍କରେ ଗତ ଫେବୃୟାରୀ ୨୫ ତାରିଖ ଦିନ ପଣ୍ଡିତ ମୋତିଲାଲ ନେହେରୁ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଦେଇଥିବା ଭାଷଣ ପାଠ କରିବାକୁ ମୁଁ ଆପଣମାନଙ୍କୁ କହୁଛି । ଆଉ ମଧ୍ୟ ମୁଁ କହିବାକୁ ବାଧ୍ୟ ହେଉଛି ଯେ ଚାଲିଥିବା ଅତ୍ୟାଚାରମୂଳକ ନୀତି ସପକ୍ଷରେ ସରକାର ଯାହାସବୁ ଯୁକ୍ତି ଦେଖାଉଛନ୍ତି ତାହା ବିଶ୍ୱାସ କରିବା ସମ୍ଭବପର ନୁହେଁ । ମୁଁ ଗୋଟିଏ ଦୃଷ୍ଟାନ୍ତ ଦେବି ଯାହାକି ମୁଁ ଆଗରୁ କହିଛି । ୧୯୦୮ ଡିସେମ୍ୱର ୧୧ ତାରିଖରେ ଶ୍ରୀଯୁକ୍ତ କୃଷ୍ଣକୁମାର ମିତ୍ର ଏବଂ ସ୍ୱର୍ଗୀୟ ଅଶ୍ୱିନୀକୁମାର ଦତ୍ତ ସମେତ ୯ ଜଣ ବଙ୍ଗାଳୀଙ୍କର ଗିରଫ୍‍ଦାରୀ ଏବଂ ଅଟକ ସମ୍ପର୍କରେ କହିବାକୁ ଯାଇ ସେତେବେଳର ଭାରତମନ୍ତ୍ରୀ ଲର୍ଡ଼ ମର୍ଲେ ଲର୍ଡ଼ମିଣ୍ଟୋଙ୍କୁ ଲେଖିଥିଲେ :–

 

‘‘ସେମାନେ ଅନ୍ୟାୟ କାର୍ଯ୍ୟ ସହିତ ସଂପୃକ୍ତ ଥାଇ ତାହା କରୁଥିବାରୁ ଏବଂ ସେମାନଙ୍କ ଗିରଫ୍‍ଦାରୀଦ୍ୱାରା ଅନ୍ୟାୟ କାର୍ଯ୍ୟ ରୋକିହେବ ବୋଲି ଆପଣଙ୍କ ବିଶ୍ୱାସ ଥିବାରୁ ବର୍ଷକ ପୂର୍ବରୁ ଆପଣ ୯ ଜଣଙ୍କୁ ବନ୍ଦୀକରିଛନ୍ତି ।’’

 

ଏହି ବିଷୟରେ ସାର୍ ହଘ୍‍ଷ୍ଟିଫେନ୍‍ସନ୍ କ’ଣ କହିଛନ୍ତି ତାହା ଦେଖାଯାଉ । ସେ ଦିନ ସେ ବଙ୍ଗଳା କାଉନ୍‍ସିଲ୍‍ରେ କହିଲେ :–

 

“ଆମ ନୀତିର ଯଥାର୍ଥତା ସମ୍ପର୍କରେ ସନ୍ଦେହ କରାଯାଇ ନଥିଲେ ସୁଦ୍ଧା ଆମ୍ଭ କାର୍ଯ୍ୟଦକ୍ଷତା ସମ୍ପର୍କରେ ଖବରକାଗଜରେ ଯେଉଁସବୁ ଆଲୋଚନା ହେଉଛି ସେହି ପ୍ରସଙ୍ଗରେ ମୁଁ ୩ ଗୋଟି ଉଦାହରଣ ଦେବାକୁ ଚାହେଁ । ପ୍ରଥମ ଦୁଇଟି ମୋକଦ୍ଦମାରେ ବାବୁ ଅଶ୍ୱିନୀକୁମାର ଦତ୍ତ ଏବଂ ବାବୁ କୃଷ୍ଣକୁମାର ମିତ୍ର ସଂପୃକ୍ତ । କୁହାଯାଇଛି ଯେ ସେମାନେ ସନ୍ତ୍ରାସ–ବାଦ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥିଲେ ବୋଲି ବିଶ୍ୱାସ କରିବା କାହାରି ପକ୍ଷରେ ସମ୍ଭବପର ହୋଇ ନଥିବାରୁ ପୁଲିସ ଖବର ଭୁଲ ଓ ସେହି ଭୁଲ ଖବର ଉପରେ ସରକାର କାର୍ଯ୍ୟ କରୁଛନ୍ତି । ମୁଁ ବାବୁ ଅଶ୍ୱିନୀକୁମାର ଦତ୍ତଙ୍କୁ କେବେ ଜାଣି ନଥିଲେ ସୁଦ୍ଧା ବାବୁ କୃଷ୍ଣକୁମାର ମିତ୍ର ମୋର ଜଣେ ବ୍ୟକ୍ତିଗତ ବନ୍ଧୁ ହୋଇଥିବାରୁ ତାଙ୍କର ସନ୍ତ୍ରାସବାଦୀମାନଙ୍କ କାର୍ଯ୍ୟରେ ସହାନୁଭୂତି ଥିବା ଦୋଷରୁ ମୁଁ ତାଙ୍କୁ ପୂରାପୂରି ଖଲାସ କରିଦେଇଛି । ମୁଁ ଯେତେଦୂର ଜାଣେ, ବାବୁ ଅଶ୍ୱିନୀକୁମାର ଦତ୍ତ ଦୋଷାବହ କାର୍ଯ୍ୟରେ ଭାଗ ନେଉଥିବା ତ ଦୂରର କଥା ସେଥିରେ ସାହାଯ୍ୟ କରୁଛନ୍ତି ବୋଲି ଏପର୍ଯ୍ୟନ୍ତ କେହି ଅଭିଯୋଗ କରିନାହାନ୍ତି । ବଙ୍ଗଳା ସରକାର ବାବୁ ଅଶ୍ୱିନୀକୁମାର ଦତ୍ତ ସରକାର ବିରୁଦ୍ଧରେ ବରାବର ବକ୍ତୃତା ଦେଉଥିବାରୁ ତାଙ୍କ ବିରୁଦ୍ଧରେ ୩ୟ ରେଗୁଲେସନ୍ ବ୍ୟବହାର କରୁଛନ୍ତି ।’’

 

ଏଥିରୁ ଜଣାପଡ଼ିବ ଯେ ଏହି ଦେଶର ସରକାରଙ୍କ ହାତରେ ମନଇଚ୍ଛା କାର୍ଯ୍ୟ କରିବାକୁ ଯେଉଁ ଅଧିକାରମାନ ଦିଆଯାଇଛି ତାହା ଫଳରେ ବେଆଇନ ଆଇନମାନ କରି ସରକାର ଏହି କ୍ଷମତାର ଅପବ୍ୟବହାର କରୁଛନ୍ତି । ଅବସ୍ଥା ଯାହା ହୋଇଛି ତହିଁରେ ଏପରି ହେବା ଅନିବାର୍ଯ୍ୟ । ପୃଥିବୀର ଇତିହାସ ଆଲୋଚନା କଲେ ଜଣାଯାଏ ଯେ ‘‘ଆଇନ ଓ ଶୃଙ୍ଖଳା’’ ଉପାଦେୟ ଶବ୍ଦମାନ ହୋଇଥିବାରୁ ତାହାର ବାହୁଚାୟାତଳେ ଅମଲାତନ୍ତ୍ର ସରକାରମାନେ ବରାବର ନିଜ ନିଜର କ୍ଷମତା ବଢ଼ାଇବାକୁ ଚେଷ୍ଟା କରିବା ଫଳରେ ଏହାର ପରିଣତି ହୋଇଛି ଯେ, ଯେଉଁଠି କ୍ଷମତା ଥିବା ଲୋକଙ୍କର ଅସୀମ ଅଧିକାର ଥିଲେ ସୁଦ୍ଧା ନିୟମକାନୁନ କିଛି ନାହିଁ, ସେହି ସବୁ ସ୍ଥାନରେ ଏକଛତ୍ରବାଦ ଏବଂ ଯଥେଚ୍ଛାଚାର ଶାସନର ଆବିର୍ଭାବ ଓ ଅଖଣ୍ଡ କ୍ଷମତାକୁ ଦୃଢ଼ କରିବାପାଇଁ ଅତ୍ୟାଚାରର ପନ୍ଥା ନିଆଯାଏ ଏବଂ ଅତ୍ୟାଚାର ସରକାରଙ୍କର ହିଂସାତ୍ମକ କାର୍ଯ୍ୟ ହୋଇଥିବାରୁ ରାଜନୈତିକ ସ୍ୱାଧୀନତା ଲାଭପାଇଁ ହିଂସାତ୍ମକ କାର୍ଯ୍ୟର ବ୍ୟବହାର ମୁଁ ଯେଉଁ ପରିମାଣରେ ନିନ୍ଦା କରେ ସରକାରଙ୍କ ଅତ୍ୟାଚାରକୁ ମଧ୍ୟ ସେହି ପରିମାଣରେ ନିନ୍ଦା କରୁଛି । ଅତ୍ୟାଚାରମୂଳକ ନୀତି ଅଦୂରଦର୍ଶିତା ବୋଲି ମୁଁ ସରକାରଙ୍କୁ ସତର୍କ କରିଦେଉଛି । ହୁଏତ ବର୍ତ୍ତମାନ ପାଇଁ ଏହା ସରକାରଙ୍କ ହାତମୁଠାକୁ ଟାଣ କରିପାରୁଥାଏ । କିନ୍ତୁ ସରକାରଙ୍କ ନୀତି ହିସାବରେ ଏହାର ବିଫଳତା ଅନିବାର୍ଯ୍ୟ ବୋଲି ଲର୍ଡ଼ ବର୍‍କେନ୍‍ହେଡ଼୍ ହୃଦୟଙ୍ଗମ କରୁଛନ୍ତି ବୋଲି ମୁଁ ନିଶ୍ଚିତଭାବରେ କହୁଛି ।

 

ଶାସନ ସଂସ୍କାର ଓ ସହଯୋଗ

 

ହିଂସାତ୍ମକ କାର୍ଯ୍ୟ ପଦ୍ଧତି କିଭଳି ଆମର ନୈତିକତା ବିରୁଦ୍ଧ ଏବଂ ଅହିତକର ତାହା ଏପର୍ଯ୍ୟନ୍ତ ବୁଝାଇଲି । ଏହାର ଆମ ଜୀବନ ଓ ସଂସ୍କୃତି ସହିତ ସାମଞ୍ଜସ୍ୟ ନଥିବାରୁ ଆମ ପକ୍ଷରେ ଏହା ନୈତିକତା ବିରୁଦ୍ଧ ଏବଂ ବର୍ତ୍ତମାନ ସମୟରେ କୌଣସି ସଂଗଠିତ ସରକାରକୁ ବୋମା ଏବଂ ବନ୍ଧୁକ ସାହାଯ୍ୟରେ ସ୍ଥାନଚ୍ୟୁତ କରିବା କଥା ଚିନ୍ତା କରିବା କଳ୍ପନାତୀତ ହୋଇଥିବାରୁ ଏହା ଆମ ପକ୍ଷରେ ଅସୁବିଧାଜନକ । ତାହାପରେ ପ୍ରଶ୍ନ ଉଠୁଛି :–ତାହାହେଲେ ସ୍ୱରାଜ ଲାଭପାଇଁ ଆମେ କି ପନ୍ଥା ଅବଲମ୍ୱନ କରିବୁ । ବର୍ତ୍ତମାନର ଶାସନସଂସ୍କାର ସହିତ ସହଯୋଗ କରି ଯେବେ ଆମେ ତାହା କାର୍ଯ୍ୟକାରୀ କରୁ ତାହାହେଲେ ସ୍ୱରଜ ଆମ ହାତର କଥା ବୋଲି କୁହାଯାଉଛି । ଏହି ଯୁକ୍ତି ସମ୍ପର୍କରେ ମୋର ମତ ପରିଷ୍କାର ଏବଂ ଏହି ସମ୍ପର୍କରେ ଯେପରି କୌଣସି ବିବାଦ ଦେଖା ନ ଦିଏ ସେହି ଦୃଷ୍ଟିରୁ ପୁନର୍ବାର ତାହା ପ୍ରକାଶ କରିବାକୁ ଚାହୁଁଛି । ଯେବେ ପ୍ରଚଳିତ ସଂସ୍କାର ଅନୁଯାୟୀ ଲୋକଙ୍କୁ ପ୍ରକୃତରେ କୌଣସି କ୍ଷମତା ଦିଆଯାଇଥିବାରୁ ଏହା କାର୍ଯ୍ୟକାରୀ କଲେ ନିଜର ଆତ୍ମବିକାଶ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ହୋଇ ପାରିବ ବୋଲି ମୁଁ ବୁଝିପାରିଥାନ୍ତି ତାହାହେଲେ ମୁଁ ବିନା ଦ୍ୱିଧାରେ ସରକାରଙ୍କ ସହିତ ସହଯୋଗ କରି ବ୍ୟବସ୍ଥାପକ ସଭାରେ ଗଠନମୂଳକ କାର୍ଯ୍ୟ କରୁଥାନ୍ତି । କିନ୍ତୁ ମୁଁ ମୋର ନୀତି ତ୍ୟାଗ କରିବାକୁ ଚାହେଁନା । ଏହି ଶାସନସଂସ୍କାରଦ୍ୱାରା ଲୋକଙ୍କୁ କୌଣସି କ୍ଷମତା ଦିଆଯାଇ ନାହିଁ ବୋଲି ଯୁକ୍ତିକରି ଆପଣଙ୍କ ସମୟ ନଷ୍ଟ କରିବାକୁ ମୁଁ ଚାହେଁନା । ମୁଁ ଏ ସମ୍ପର୍କରେ ବିଶଦଭାବରେ ଅହମ୍ମଦାବାଦ କଂଗ୍ରେସ ଭାଷଣରେ ଆଲୋଚନା କରିଛି ଏବଂ ଯେବେ ଅଧିକ କୌଣସି ଯୁକ୍ତି ଏଥିପାଇଁ ଆବଶ୍ୟକ ଥାଏ ତାହା ସରକାର ଯେଉଁମାନଙ୍କ କଥାକୁ ସନ୍ଦେହ କରିପାରିବେ ନାହିଁ ସେମାନେ ମୁଦିମ୍ୟାନ୍ କମିଟି ଆଗରେ ଯେଉଁ ସାକ୍ଷ୍ୟଦେବେ ତହିଁରୁ ଜଣାପଡ଼ିବ । ପ୍ରଚଳିତ ସଂସ୍କାର ମନ୍ତ୍ରୀମାନଙ୍କୁ ଅବିଶ୍ୱାସ କରିବା ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଅବିଶ୍ୱାସର ବାତାବରଣରେ କୌଣସି ସହଯୋଗର ପ୍ରଶ୍ନ ଉଠି ନ ପାରେ । ତାହା ସଙ୍ଗେ ସଙ୍ଗେ ମୁଁ ମୋର ସ୍ଥାନ ଏବଂ ବଙ୍ଗପ୍ରଦେଶ ସମ୍ମିଳନୀର ସ୍ଥାନ ପରିଷ୍କାର କରିଦେବାକୁ ଚାହେଁ କହିଦେବାକୁ ଚାହେଁ ଯେ ଲୋକଙ୍କୁ ଯେବେ ପ୍ରକୃତରେ କୌଣସି ଦାୟିତ୍ୱ ଦିଆଯାଇଥାଏ ତାହାହେଲେ ଆମେ ଯେ କାହିଁକି ସହଯୋଗ କରିବୁ ନାହିଁ, ତାହାର କୌଣସି କାରଣ ନାହିଁ । ସେହି ସହଯୋଗକୁ ବାସ୍ତବ ତଥା ସକ୍ରିୟ କରିବାକୁ ହେଲେ ଦୁଇଟି ଜିନିଷ ଦରକାର–ପ୍ରଥମତଃ ଆମ ଶାସକମାନଙ୍କର ପ୍ରକୃତ ହୃଦୟ ପରିବର୍ତ୍ତନ ହେବା ଦରକାର ଏବଂ ଦ୍ୱିତୀୟରେ ଏହାର ପୂର୍ଣ୍ଣତା ଯେ ନିକଟ ଭବିଷ୍ୟତରେ ସ୍ୱରାଜ ମିଳିବା ଅନିବାର୍ଯ୍ୟ ଏଥିପାଇଁ ଆମକୁ ଜବାବ ଦିଆଯିବା ଦରକାର । ଗଠନମୂଳକ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବାପାଇଁ ଆମେ ଯଥେଷ୍ଟ ତ୍ୟାଗ କରିବା ଉଚିତ ବୋଲି ମୁଁ ବରାବର ମତ ପ୍ରକାଶ କରି ଆସିଛି ଏବଂ ଯେବେ ଏହାଦ୍ୱାରା ସ୍ୱରାଜର ଭିତ୍ତି ପଡ଼େ ଏବଂ ଶାସକ ତଥା ଶାସିତମାନଙ୍କର ବାସ୍ତବ ହୃଦୟ ପରିବର୍ତ୍ତନ ଦେଖାଦିଏ ତାହାହେଲେ ଗୋଟିଏ ଜାତିର ଇତିହାସରେ ଅଳ୍ପ କେତୋଟି ବର୍ଷ କିଛି ନୁହେଁ ବୋଲି ଆପଣମାନେ ଯେ ହୃଦୟଙ୍ଗମ କରିବେ ଏହା ମୋର ଆଶା, ହୁଏତ ଆପଣମାନେ କହିପାରନ୍ତି–ହୃଦୟ ପରିବର୍ତ୍ତନ ଅତି ଚମତ୍କାର ଶବ୍ଦ ହୋଇଥିବାରୁ ସେହି ପରିବର୍ତ୍ତନ ବାସ୍ତବରୂପେ ଦେଖାଯିବା ଉଚିତ । ମୁଁ ଏହା ସହିତ ଏକମତ; କିନ୍ତୁ ତାହା ଦେଖାଦେବା ପାଇଁ ଉଭୟପକ୍ଷ ମଧ୍ୟରେ ମିଳାମିଶା ହୋଇ ଆବଶ୍ୟକୀୟ ବାତାବରଣ ସୃଷ୍ଟି ହେବା ଦରକାର । ବିଶ୍ୱାସ ତଥା ଅବିଶ୍ୱାସର ବାତାବରଣ ଜାଣିପାରିବା ସହଜ ଏବଂ କୌଣସି ଶାନ୍ତିପୂର୍ଣ୍ଣ ମିଳାମିଶାରେ ମିଳାମିଶାର ସର୍ତ୍ତ ଅପେକ୍ଷା ସର୍ତ୍ତ ପଛରେ ଥିବା ପ୍ରକୃତ ମନୋଭାବ ଉପରେ ବହୁ ବିଷୟ ନିର୍ଭର କରେ । ବର୍ତ୍ତମାନ ଅବସ୍ଥାରେ ସେହି ମିଳାମିଶା ପାଇଁ ସର୍ତ୍ତଗୁଡ଼ିକ କ’ଣ ହେବ ତାହାର ନିର୍ଣ୍ଣୟ କରିବା ଅସମ୍ଭବ; କିନ୍ତୁ ଯେବେ ହୃଦୟ ପରିବର୍ତ୍ତନ ଦେଇ ଉଭୟପକ୍ଷଙ୍କଠାରେ ଶାନ୍ତିପୂର୍ଣ୍ଣ ସୌହାର୍ଦ୍ଦ ଏବଂ ପରସ୍ପର ବିଶ୍ୱାସ ବାତାବରଣରେ ସେଭଳି କଥାବାର୍ତ୍ତା ଚାଲେ, ତାହାହେଲେ ଏହି ସର୍ତ୍ତଗୁଡ଼ିକର ନିର୍ଣ୍ଣୟ ହେବା ସହଜସାଧ୍ୟ ।

 

ସହଯୋଗ ପାଇଁ ଆବଶ୍ୟକ ସର୍ତ୍ତ

 

ବଙ୍ଗଳାର ଲୋକମାନେ କ’ଣ ଚାହାନ୍ତି ତହିଁ ପ୍ରତି ଦୃଷ୍ଟିରଖି କେତେ ପ୍ରସ୍ତାବ କରାଯାଇପାରେ ।

 

ପ୍ରଥମେ ସରକାର ତାଙ୍କର ସମସ୍ତ ଏକଛତ୍ର କ୍ଷମତା ଛାଡ଼ି ଦେଇ ସମସ୍ତ ରାଜନୈତିକ ବନ୍ଦୀ ମୁକ୍ତିଲାଭ କରିବେ ବୋଲି ଘୋଷଣା କରିବା ଦରକାର । ତାହାପରେ ନିକଟ ଭବିଷ୍ୟତରେ ଜାତିପୁଞ୍ଜଙ୍କ ମଧ୍ୟରେ ସ୍ୱରାଜ ପ୍ରତିଷ୍ଠା କରିବାର ଆମ ପୂର୍ଣ୍ଣ ଅଧିକାରକୁ ସରକାର ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସ୍ୱରାଜପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ତାହାର ପ୍ରକୃତ ନିର୍ଯ୍ୟାସ ଉପରେ ପ୍ରତିଷ୍ଠିତ ସରକାର ସଙ୍ଗେ ସଙ୍ଗେ ପ୍ରତିଷ୍ଠା କରାଯିବା ଉଚିତ । ଏହି ନିର୍ଯ୍ୟାସ କ’ଣ ହେବ ସେ ବିଷୟ କଥାବାର୍ତ୍ତା ଏବଂ ମିଳାମିଶା ସୂତ୍ରରେ ଠିକ୍ ହେବ । ଏହି କଥାବାର୍ତ୍ତା ହେବ ସରକାର ଏବଂ ଲୋକଙ୍କ ମଧ୍ୟରେ ନ ହୋଇ ମୁଁ ଗୟା ଅଧିବେଶନରେ ସଭାପତିତ୍ୱ କରି ଦେଇଥିବା ଭାଷଣ ଅନୁଯାୟୀ । ଏହା ଭାରତବର୍ଷରେ ଥିବା ଇଉରୋପୀୟ ଏବଂ ଆଙ୍ଗ୍ଲୋଇଣ୍ଡିୟାନ୍ ସମେତ ସମ୍ପ୍ରଦାୟଙ୍କ ମଧ୍ୟରେ ମିଳାମିଶା ହେବା ଦରକାର ।

 

ମୁଁ ଆହୁରି ମଧ୍ୟ କହୁଛି ଯେ ଆମେ କାୟ, ମନ, ବାକ୍ୟରେ କୌଣସି ବୈପ୍ଳବିକ ପ୍ରଚାର କରିବୁ ନାହିଁ ଏବଂ ସେଭଳି ଆନ୍ଦୋଳନ ଯେପରି ମୁଣ୍ଡ ନ ଟେକେ ସେଥିପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବୁ ବୋଲି ଆମ ପକ୍ଷରୁ ଜବାବ ଦେବୁ । ମୋର ବିଶ୍ୱାସ, ସରକାରଙ୍କର ଯେବେ ପ୍ରକୃତ ହୃଦୟ ପରିବର୍ତ୍ତନ ହୁଏ ତାହାହେଲେ ବିପ୍ଳବୀମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଦେଖାଦେବା ଅନିବାର୍ଯ୍ୟ ଏବଂ ମୁଁ ଯେଉଁ ମିଳାମିଶା ହେବା କଥା ପୂର୍ବରୁ କହିଛି ତାହା ଯେବେ ହୋଇଯାଏ ତାହାହେଲେ ବୈପ୍ଳବିକ ଆନ୍ଦୋଳନ ଅତୀତର ଘଟଣାରେ ପରିଣତ ହୋଇ ବର୍ତ୍ତମାନ ସରକାରଙ୍କ ବିରୁଦ୍ଧରେ ଯେଉଁ ଶକ୍ତି ଏବଂ ଉତ୍ସାହ ବ୍ୟବହୃତ ହେଉଛି ତାହା ଲୋକଙ୍କର ପ୍ରକୃତ ସେବାରେ ବ୍ୟବହୃତ ହେବ ।

 

ସରକାର ଯେବେ ମିଳାମିଶା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରନ୍ତି ତାହାହେଲେ କ’ଣ କରାଯିବ-?

 

ଯେବେ ଆମ ମିଳାମିଶା ପ୍ରସ୍ତାବ ପ୍ରତି ଦୃଷ୍ଟି ଦିଆ ନ ଯାଏ ତାହାହେଲେ ସରକାର ଏକଛତ୍ର କ୍ଷମତା ବ୍ୟବହାର ନ କଲେ ଏ ଦେଶର ଶାସନ ଚଳାଇବା ଯେପରି ଅସମ୍ଭବ ହୋଇପଡ଼ିବ ସେଥିପାଇଁ ଗତ ୨ ବର୍ଷ ଧରି ଆମେ ଯେଉଁ ଜାତୀୟକାର୍ଯ୍ୟମାନ ଯେଭଳିଭାବେ କରିଆସିଛୁ ତାହା ସେହିଭଳିଭାବେ ଚାଲୁରଖିବୁ । ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଏହି ପନ୍ଥାରେ ସମ୍ମତ ନ ହୋଇ ତର୍କ ସହ କହନ୍ତି ଯେ ଲୋକଙ୍କୁ ଟିକସ ନ ଦେବାକୁ ଆମେ ଯେ ପର୍ଯ୍ୟନ୍ତ ଗାଁ ଗହଳକୁ ଯାଇ ମନା ନ କରିଛୁ ସେ ପର୍ଯ୍ୟନ୍ତ ସରକାରଙ୍କୁ କିଛି ସାହାଯ୍ୟ କରିବା ଅସ୍ୱୀକାର କରିବାକୁ ଆମର ଅଧିକାର ନାହିଁ । ମୋର ଉତ୍ତର ହେଉଛି ଯେ ମୁଁ ଦେଶରେ ଏଭଳି ଗୋଟିଏ ଜାତୀୟ ଆଇନ ଅମାନ୍ୟ ବାତାବରଣ ସୃଷ୍ଟି କରିବାକୁ ଚାହେଁ, ଯାହାକି ସ୍ୱାଧୀନତାକାମୀ ଲୋକଙ୍କ ଉପରେ ହେବ ଶେଷ ଅସ୍ତ୍ର । ଏଥିପାଇଁ ମୋର କୌଣସି ଐତିହାସିକ ପରମ୍ପରା ନଥିଲେ ସୁଦ୍ଧା ଆମର ବର୍ତ୍ତମାନ ଆନ୍ଦୋଳନକୁ ଯେବେ ଇଂରେଜ ଇତିହାସ ସହିତ ଆଲୋଚନା କରାଯାଏ ତାହାହେଲେ ଇଂଲଣ୍ଡରେ ଷ୍ଟୁଆର୍ଟ ରାଜାଥିବା ସମୟରେ ବହୁ ବର୍ଷଧରି ପାର୍ଲିଆମେଣ୍ଟ୍ କୌଣସି ଶାସକଗୋଷ୍ଠୀଙ୍କର ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ । ଏହାଦ୍ୱାରା ସରକାରଙ୍କୁ ଏକଛତ୍ର କ୍ଷମତା ବ୍ୟବହାର କରି କର ଆଦାୟ କରିବାପାଇଁ ବାଧ୍ୟ କରାଯାଉଥିବାରୁ ଦେଶରେ ଆଇନ ଅମାନ୍ୟ ବାତାବରଣ ଦେଖା ଦିଏ । ଏହି ପରିସ୍ଥିତିରେ ସମୟ ଆସିଲେ ସରକାରଙ୍କର ଏକଛତ୍ର କ୍ଷମତା ସାହାଯ୍ୟରେ ଆଦାୟ କରାଯାଉଥିବା କର ନ ଦେବାକୁ ଲୋକଙ୍କୁ ପରାମର୍ଶ ଦେବାପାଇଁ ଆମେ ପଛେଇବୁ ନାହିଁ ।

 

ମୋର ଆଶା ପ୍ରତି କ୍ଷେତ୍ରରେ ହୃଦୟ ପରିବର୍ତ୍ତନର ପ୍ରକୃତ ଚିହ୍ନ ମୁଁ ଦେଖୁଥିବାରୁ ଏଭଳି ସମୟ କେବେ ଆସିବ ନାହିଁ । କିନ୍ତୁ ଆମକୁ ବାସ୍ତବତାର ସମ୍ମୁଖୀନ ହେବାକୁ ହେବ, ଅର୍ଥାତ୍ ସମସ୍ତ ପ୍ରକାର ମିଳାମିଶାର ଆଶା ବିଫଳ ହେଲେ ହୁଏତ ଆମକୁ ଆଇନ ଅମାନ୍ୟ ଆନ୍ଦୋଳନର ଆଶ୍ରୟ ନେବାକୁ ପଡ଼ିବ । ସେଥିପାଇଁ ପ୍ରସ୍ତୁତ ହେବାକୁ ହେବ ଏବଂ ଜାଣିରଖିବା ଦରକାର ଯେ ଆଇନ ଅମାନ୍ୟପାଇଁ ଆବଶ୍ୟକ ଦୃଢ଼ ସଂଗଠନ, ତ୍ୟାଗ କରିବାପାଇଁ ଅସୀମ ଶକ୍ତି ଏବଂ ସର୍ବୋପରି ଜାତିର ସମୂହ ସ୍ୱାର୍ଥ ଆଗରେ ବ୍ୟକ୍ତିଗତ ତଥା ସାଂପ୍ରଦାୟିକ ସ୍ୱାର୍ଥକୁ ଭୁଲିଯିବାର ଶକ୍ତି, ମହାତ୍ମା ଗାନ୍ଧିଙ୍କ ପ୍ରବର୍ତ୍ତିତ ଗଠନମୂଳକ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ଭାରତବର୍ଷ ଆଇନ ଅମାନ୍ୟପାଇଁ ପ୍ରସ୍ତୁତ ହେବାର ମୁଁ କମ୍ ଆଶା ଦେଖୁଛି । ଆମର ଉଦ୍ଦେଶ୍ୟ ଅର୍ଥାତ୍ ସ୍ୱାଧୀନତା ଲାଭ କରିବାକୁ ହେବ, ଏହା ଠିକ୍‍ଭାବେ ମନରେ ରଖିବା ଦରକାର ।

 

ଅନ୍ତିମ ନିବେଦନ ଓ ବାଣୀ

 

କିନ୍ତୁ ମୁଁ ଯାହା ପୂର୍ବରୁ କହିଛି ବର୍ତ୍ତମାନ ମଧ୍ୟ ତାହା କହୁଛି ଯେ ପ୍ରତି କ୍ଷେତ୍ରରେ ମୁଁ ସଦିଚ୍ଛାର ଚିହ୍ନ ଦେଖିବାକୁ ଯାଉଛି । ବିଶ୍ୱ ଆଜି ସଂଘର୍ଷ ଯୋଗୁଁ କ୍ଳାନ୍ତ ଅନୁଭବ କରୁଥିବାରୁ ଚାରିଆଡ଼େ ଗଠନମୂଳକ କାର୍ଯ୍ୟ କରି ନିଜ ନିଜର ଆସ୍ଥାନ ମଜବୁତ୍ କରିବାପାଇଁ ଇଚ୍ଛା ପ୍ରକାଶ ପାଉଛି । ବିଶ୍ୱ ଇତିହାସରେ ଭାରତବର୍ଷର ମହାନ୍ ଅଂଶଗ୍ରହଣ କରିବାର ଅଛି ବୋଲି ମୋର ବିଶ୍ୱାସ । ତା’ର ନିର୍ଦ୍ଦିଷ୍ଟ ବାଣୀ ଦେବାର ଥିବାରୁ ମୁଁ ଯେଉଁ ମହାନ୍ ଜାତିପୁଞ୍ଜ ବିଷୟରେ ପୂର୍ବରୁ କହିଛି ତହିଁରେ ତାହା ଦେବାକୁ ସେ ବ୍ୟଗ୍ର । ବ୍ରିଟିଶ ରାଜନୀତିଜ୍ଞମାନେ ଏହି ସୁଯୋଗର ସୁବିଧା ନେବେକି ? ସେମାନଙ୍କୁ ମୁଁ ଆଜି କହିବାକୁ ଚାହେଁ :– ଆପଣମାନେ ଯେବେ ଚାହାନ୍ତି ତାହାହେଲେ ଆପଣ ଓ ଆମ ଉଭୟଙ୍କ ପ୍ରତି ଯେପରି ସମ୍ମାନଜନକ ହୁଏ ସେହିପରି ସର୍ତ୍ତରେ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ । ଭାରତବର୍ଷରେ ଥିବା ଇଂରେଜ ଲୋକମାନଙ୍କୁ ମୁଁ କହିବାକୁ ଚାହେଁ :– ଆପଣମାନଙ୍କର ସ୍ୱାଧୀନତାର ଐତିହ୍ୟ ଥିବାରୁ ସେ ସମାଧାନ ସମୟରେ ଆପଣମାନଙ୍କ ପ୍ରତି ସୁବିଚାର କରାଯିବ ବୋଲି ଆମେ ଯେବେ ଜବାବ ଦେଉ ତାହାହେଲେ ଆମ ଜାତୀୟ–ସଂଗ୍ରାମରେ ସହଯୋଗ କରିବାକୁ ଅସ୍ୱୀକାର କରିପାରିବେ ନାହିଁ । ବଙ୍ଗଳାର ଲୋକମାନଙ୍କୁ ମୁଁ କହିବାକୁ ଚାହେଁ :– ରାଜନୈତିକ ସ୍ୱାଧୀନତା ହାସଲ କରିବାପାଇଁ ଆପଣମାନେ ଯଥେଷ୍ଟ ତ୍ୟାଗ କରିଥିବାରୁ ଆପଣମାନେ ସରକାରୀ କୋପଦୃଷ୍ଟିରେ ପଡ଼ିଛନ୍ତି । ଆପଣମାନଙ୍କର ରାଜନୈତିକ ଅସ୍ତ୍ର ତ୍ୟାଗ କରିବାକୁ ସମୟ ଏପର୍ଯ୍ୟନ୍ତ ଆସିନାହିଁ । ପରିଶ୍ରମ କରି ଶୁଦ୍ଧପୂତଭାବେ ଯୁଦ୍ଧ କରନ୍ତୁ, ଯେପରିକି ଶାନ୍ତି ସମ୍ମିଳନୀରେ ସମାଧାନ ସମୟରେ ଆପଣମାନେ ସ୍ଥାନ ଗ୍ରହଣ କରିବା ସମୟରେ ଯାହାକି ହେବା ଅନିବାର୍ଯ୍ୟ ଆପଣମାନେ ଔଦ୍ଧତ୍ୟ ପ୍ରକାଶ କରି ସ୍ଥାନ ଗ୍ରହଣ ନ କରି ନମ୍ରତାର ସହ ଗ୍ରହଣ କରିବେ ଯାହା ଫଳରେ ଆପଣମାନେ ବିପଦରେ ପଡ଼ିଥିବା ସମୟ ଅପେକ୍ଷା ବିଜୟ ଲାଭ ସମୟରେ ଅଧିକ ନମ୍ରତା ପ୍ରକାଶ ପାଇଥିଲା ବୋଲି କୁହାଯାଇପାରିବ । ଜାତୀୟତା ହେଉଛି ଆତ୍ମବିକାଶ ଏବଂ ଆତ୍ମତୃପ୍ତିର ପନ୍ଥାସ୍ୱରୂପ । ଏହା ଲକ୍ଷ୍ୟ ନୁହେଁ । ମାନବ ସମାଜ ଯେପରି ନିଜକୁ ହୃଦୟଙ୍ଗମ କରି ଓ ଉନ୍ନତ କରି ଚିହ୍ନିପାରେ ସେଥିପାଇଁ ଜାତୀୟତାର ଉତ୍ପତ୍ତି ଏବଂ ବିକାଶ ଆବଶ୍ୟକ । ଆପଣମାନେ ସମାଧାନର ସର୍ତ୍ତ ଆଲୋଚନା କରିବା ସମୟରେ ଆପଣଙ୍କ ନିଜର ଜାତୀୟତା ଗର୍ବରେ ମାନବ ସମାଜର ବୃହତ୍ତର ସ୍ୱାର୍ଥ ଭୁଲି ନ ଯିବାକୁ ଅନୁରୋଧ କରେ । ମୋର ପରିଷ୍କାର ଦୃଷ୍ଟି ଓ ଉଦ୍ଦେଶ୍ୟ ଅଛି । ଭଲରେ ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜ ଲୋକଙ୍କର ଐତିହ୍ୟ ଓ ସାଂସ୍କୃତିକ ସ୍ୱାତନ୍ତ୍ର୍ୟ ବଜାୟ ରଖି ରାଷ୍ଟ୍ରସଙ୍ଘଭୁକ୍ତ ହେବ ମୁଁ ଚାହେଁ ଯେପରିକି ସମସ୍ତେ ପ୍ରତ୍ୟେକଙ୍କ ସାହାଯ୍ୟ ଆସିବା ସମୟରେ ବିଶ୍ୱର ଜନତା ମଧ୍ୟରେ ଶାନ୍ତି, ଐକ୍ୟ ଏବଂ ଆଶାର ଉଦ୍ଦେଶ୍ୟନେଇ ସମାଜର ସେବା ଉଦ୍ଦେଶ୍ୟରେ ଗଠିତ ହେବାକୁ ଯାଉଥିବା ମହାନ୍ ରାଷ୍ଟ୍ରସଙ୍ଘ ମଧ୍ୟରେ ଏହି ରାଷ୍ଟ୍ରସଙ୍ଘ ସ୍ଥାନ ପାଇପାରିବ ।

 

–ବନ୍ଦେ ମାତରମ୍

Image